Subhalaxmi Nayak

Drama Tragedy

4  

Subhalaxmi Nayak

Drama Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

3 mins
399


କମ୍ ବୟସରେ ହାତକୁ ଦୁଇ ହାତ କରାଇ ଦେଇ ବାପାମାଆ ତ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରି ଦେଲେ। କିନ୍ତୁ ସରିତା ସ୍ୱୀକାର କରି ପାରିଲା ନାହିଁ ଯେ ତାକୁ ଯେଉଁ ବୟସରେ ପାଠ ପଢ଼ି ତା'ର ସ୍ୱପ୍ନ ପୂରଣ କରିବା କଥା,ସେ ବୟସରେ ଆଉ ଗୋଟିଏ ପରିବାରର ବୋଝ ଲଦି ଦିଆଗଲା।ଅତଏବ ସେ ଦୁଇ କୁଳକୁ ହିତା "ଦୁହିତା" ସିନା ବୋଲାଇଲା,କିନ୍ତୁ ଆଗକୁ ପଢ଼ିବାର ସ୍ୱପ୍ନ ତା'ର ମାଟିରେ ମିଶିଗଲା‌।ଆଉ ଯେତେବେଳେ ସିଏ ଜାଣିଲା,ସ୍ୱାର୍ଥ ହାସଲ ପାଇଁ ଶାଶୁଘର ଲୋକଙ୍କ ମନ୍ଦ ଉଦ୍ଦେଶ୍ୟ ତା ପାଦ ତଳୁ ମାଟି ଖସିଗଲା।ସବୁବେଳେ ତାକୁ ଖାଲି କାମରେ ହିଁ ବ୍ୟସ୍ତ କରାଇ ରଖିଲେ। ବାପଘର ଲୋକଙ୍କୁ ତା ସହିତ ଦେଖା ମଧ୍ୟ କରାଇ ଦେଲେ ନାହିଁ।ସରିତା ମନେ ମନେ ବିଦ୍ରୋହ ଜ୍ୱାଳାରେ ଜଳିବାକୁ ଲାଗିଲା।


ସ୍ୱାମୀ ଏଣେ ତେଣେ ଖାଲି ବୁଲି ବୁଲି ମଦ ପିଇ ଘରକୁ ଫେରେ ସଞ୍ଜ ହେଲେ। ବାହାଘର ବେଳେ ମିଳିଥିବା ଉପହାର ସାମଗ୍ରୀ ଓ ସବୁତକ ଟଙ୍କା ପଇସା ହିସାବ କରି ବାପଘର ଲୋକଙ୍କ ପାଖରୁ ଶାଶୁ ନେଇ ଆସିଥିଲେ। ସେସବୁ ମଧ୍ୟ ନା ସେ ଦେଖିବାକୁ ପାଇଲା, ନା କୁଆଡ଼େ ଗଲା ଜାଣିବାକୁ ପାଇଲା। ହଁ, ଅଷ୍ଟ ମଙ୍ଗଳା ପରଦିନ ସକାଳୁ ସକାଳୁ ଶାଶୁଙ୍କର କାନ୍ଦ ବୋବାଳି ଶୁଣି ଯେତେବେଳେ ଅସମୟରେ ନିଦ ଭାଙ୍ଗିଗଲା, ଏତିକି ଜାଣିଲା ସବୁ ଚୋରି ହୋଇଯାଇଛି।କିନ୍ତୁ ଶାଶୁ ଆଉ ନଣନ୍ଦଙ୍କ ଠରାଠରି କଥାବାର୍ତ୍ତା ଦେଖି ବୁଝି ସାରିଥିଲା ଗହଣା, ଉପହାର, ଟଙ୍କା ପଇସା ବାହାର ଚୋର ନୁହେଁ, ବରଂ ଘର ଭିତରେ ହିଁ ହାତ ସଫେଇ କରା ଯାଇଛି। ବନ୍ଧୁବାନ୍ଧବ ତ ଛିଃ ଛିଃ କରି ଚାଲିଗଲେ।ନୂଆ ବୋହୂଟିଏ ଘରେ ପଶୁ ପଶୁ ଚୋର ବି ଘରେ ପଶିଲା ବୋଲି।ବାକି ଘର ଲୋକଙ୍କ ଦାଉ ସହିବାକୁ ସରିତା ବିଚାରି ମୁଣ୍ଡ ପାତିଲା।


ବୋଉ ପରା ବିଦା ବେଳେ ବାରମ୍ବାର କରି ବୁଝେଇ ସୁଝେଇ କହିଛି,"ସେଇଠି ତୋର ନିଜ ଘର, ଏଇଠି ଆଜିଠାରୁ ଦୁଇ ଦିନ କୁଣିଆ ତୁ....ସେଠିକା ଲୋକଙ୍କ ମନ ନେଇ ଚଳିବୁ.... କେହି କିଛି କହିଲେ,କାହାକୁ ଓଲଟି ଜବାବ ଦେବୁ ନାହିଁ.... ମୁଣ୍ଡରେ ହାତେ ଓଢ଼ଣା ଟାଣି ଚଳପ୍ରଚଳ ହେବୁ.... ସକାଳୁ ଉଠି ଶାଶୁ, ଶ୍ୱଶୁର ଆଉ ଘରର ସବୁ ଗୁରୁଜନଙ୍କ ପାଦତଳେ ପଡ଼ି ଭୂମିଷ୍ଠ ପ୍ରଣାମ କରିବୁ ଇତ୍ୟାଦି ଇତ୍ୟାଦି ଆହୁରି କେତେ ଘରକରଣା ବୁଦ୍ଧି ସବୁ।ସରିତାକୁ ଖାଲି ତା'ର ପାଠପଢ଼ା ବହି ପଶି ତାଲା ପକାଇ ଦିଆଯାଇଥିବା ସିନ୍ଧୁକ ଦେଖା ଯାଉଥିଲା ଆଉ ଭାଙ୍ଗି ଚୁରମାର୍ ହୋଇ ଯାଉଥିବା ସ୍ୱପ୍ନ ମନେ ପଡ଼ୁଥିଲା।ବିଦା ବେଳେ କାନ୍ଦୁଥିଲା ସେ କେବଳ ଏଇଥି ପାଇଁ ନା କି ଅନ୍ୟ ଝିଅମାନଙ୍କ ପରି ବାପା ବୋଉଙ୍କୁ ଛାଡ଼ି ଯାଉଥିବା କଷ୍ଟ ପାଇଁ। 


ହସ ହସ ଚମ୍ପା କଢ଼ି ପରି ମୁହଁ ତା'ର ବେଦୀ ଉପରେ ହାତ ଗଣ୍ଠି ପଡ଼ିଲା ପରେ ଝାଉଁଳି ପଡ଼ିଥିଲା।ସମସ୍ତଙ୍କୁ ଖାଲି ଅନାଉ ଥାଏ ବିକଳ ହୋଇ। କିନ୍ତୁ କିଏ ତାକୁ ଦେଖୁଛି ନା ତା ମନ କଥା ବୁଝି ପାରୁଛି ଯେ। ଯେତେବେଳେ ନିଜ ବାପାମାଆ ବୁଝି ପାରିଲେନି କି ଚେଷ୍ଟା ମଧ୍ୟ କରିଲେ ନାହିଁ।ଅନ୍ୟ କାହାକୁ କହିବ କ'ଣ? ମନରେ ଅଭିମାନ, ମୁହଁରେ ମିଛିମିଛିକା ହସ ଏଇ ତ ଗୋଟିଏ ଝିଅ ଜୀବନର ପ୍ରକୃତ ସତ୍ୟ। ତେଣୁ ସେ ବୁଝି ସାରିଥିଲା ଯେ, ସେ ଆଉ ଛୋଟ ପିଲା ହୋଇ ନାହିଁ।ତା ଅଜାଣତରେ କେବେ ଠାରୁ ବଡ଼ ହୋଇ ସାରିଛି। ତେଣୁ ଏବେ କେବଳ ତୁଚ୍ଛା ଅଭିନୟ।ଶୁଣିଥିଲା ତା'ର ମାମୁଁ ଝିଅ ମାଳିନୀ ଅପା ପାଖରୁ, ଯେତେବେଳେ ଝିଅ ବାହା ଯୋଗ୍ୟା ହୋଇ ଯାଏ ସେତେବେଳେ ସେ ଆଉ ସମୁଦ୍ର କୂଳର ଲହଡ଼ି ହୋଇ ରହେ ନାହିଁ ବରଂ ନୀରବ ସମୁଦ୍ର ପାଲଟି ଯାଏ ।ସବୁ କିଛି ଶାନ୍ତ ସ୍ଥିର ହୋଇ, ବୁଝି ଶୁଝି, ଆଗପଛ ବିଚାର କରି ତଥା ସର୍ବୋପରି ସମାଜ କ'ଣ କହିବ, ଅମୁକ ଲୋକ କ'ଣ ଭାବିବ ଏହି ସବୁ ପ୍ରମୁଖ ଧାରା ପାଲଟି ଯାଏ ଗୋଟିଏ ଝିଅ ପାଇଁ।ସେ ବି ତ ଗୋଟିଏ ଝିଅ, ସେ ବା ବାଦ୍ ପଡ଼ିବ କିପରି ଏସବୁ ପ୍ରସଙ୍ଗରୁ? 


"ସତରେ ଝିଅ ଜୀବନ ଗୋଟିଏ ଅଭିଶାପ!"ଏତିକି ଚିନ୍ତା କରିବା ବେଳକୁ ସରିତା କୋଳରେ ଝିଅଟିଏ ଜନ୍ମ ହୋଇ ସାରିଥିଲା। ଅବଶ୍ୟ ଅନେକ ଚେଷ୍ଟା ହୋଇଛି ଝିଅଟେ ହେବ ବୋଲି ଜାଣି ତାକୁ ମାରି ଦେବାକୁ। କିନ୍ତୁ ସେ ଫଳବତୀ ହୋଇ ପାରିଲା ନାହିଁ। ସଂସାରର ଆଦବକାଇଦା ବୁଝିଲା ବେଳକୁ ସଂସାର ବୋଝ ବଢ଼ିବା ସହିତ ଝିଅର ଜନନୀ ହେଲା ବୋଲି ଶାଶୁଙ୍କ କଟୁ ବାଣୀ ଶୁଣେଇବା ପର୍ବ ଆହୁରି ଅସହ୍ୟ ହୋଇଗଲା।

ନିଜ ଉପରେ ଘୃଣା ଆସୁଥିଲା,କିନ୍ତୁ ସେଇ କଅଁଳ ଶିଶୁଟିର ମୁହଁ ଦେଖି ଦେଇ ସବୁ ପାଶୋରି ଯାଉଥିଲା ସରିତା।ମଦ୍ୟପ ସ୍ୱାମୀର ମାଡ଼ ଖାଇ ମଧ୍ୟ ଆଉ କୋହ ଆସୁ ନ ଥିଲା। ବରଂ ନିଜକୁ ପଥର କରି ସାରିଥିଲା ସେ ତା'ର ସେଇ ଟିକି କଢ଼ିଟିର ମୁହଁ ଚାହିଁ ଚାହିଁ।ଶପଥ ନେଉଥିଲା ମନେ ମନେ,"ମୋ ବାପାମାଆଙ୍କ କୃତ ଭୁଲ୍ ପାଇଁ ମୁଁ ତ ଯାହା ଦହଗଞ୍ଜ ହେଉଛି ଛାଡ଼ ଖାଲି ତୁ ଟିକିଏ ବଡ଼ ହୋଇଯାଆ.... ପାଠଶାଠ ପଢ଼େଇ ତୋତେ ମଣିଷ କରିବି, ମୋର ବିସ୍ମୃତ ସ୍ୱପ୍ନ ତୁ ସାକାର କରିବୁ, ତୋତେ ସବୁ ଅଭିଶାପ ଠାରୁ ଦୂରେଇ ରଖିବି।ମୋ ବାପା ମାଆ କରିଥିବା ଭୁଲର ପ୍ରାୟଶ୍ଚିତ ମୁଁ କରିବି।ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି ତୋର ଏଇ କୁନି ହାତରେ ମୁଁ କଥା ଦେଉଛି। ତୋତେ ଏ ସମାଜ ପାଇଁ ଗୋଟିଏ ଉଦାହରଣ ସଦୃଶ ଗଢ଼ି ତୋଳିବି ତୋର ମାଆ ହିସାବରେ। ନୀରବ ସମୁଦ୍ର ପାଲଟି ହଜି ଯିବାରେ ଯେଉଁ କଷ୍ଟ ମୁଁ ଭୋଗିଛି, ମୋ ଝିଅ ଲହଡ଼ି ହୋଇ ସମାଜର କଠୋର ନୀତିକୁ ଧୋଇ ଚାଲିବ ଠିକ୍ ସମୁଦ୍ର କୁଳ ଖାଇଲା ପରି।"


Rate this content
Log in

Similar oriya story from Drama