STORYMIRROR

Subhalaxmi Nayak

Drama Tragedy

4  

Subhalaxmi Nayak

Drama Tragedy

ଯୌତୁକ

ଯୌତୁକ

2 mins
319

ସାହୁ ବାବୁ ବାଜୁଥିବା ଦୂରଭାଷ ଯନ୍ତ୍ରଟିକୁ ଉଠାଉ ଉଠାଉ ସେପଟରୁ ଏକ ଆକ୍ରାମକ ସ୍ୱର ଶୁଭିଲା,"ସମୁଦି!....ସମୁଦି!....ଆପଣ ଦୟାକରି ଆପଣଙ୍କର ଝିଅକୁ ଆସି ନେଇ ଯାଆନ୍ତୁ।ଏ ଘରେ ଆଉ ମୋର ପୁଅ ଜୀବନରେ ତା'ର କୌଣସି ସ୍ଥାନ ନାହିଁ।ଯେଉଁ ଝିଅ, ବୋହୂ ହୋଇ ଏରୁଣ୍ଡି ଡେଉଁ ଡେଉଁ ଘରେ ଚୋର ପଶିଲା, ଯାହା ତ ଧନରତ୍ନ ଗଲା ଗଲା....ଆଉ ତା ପ୍ରତିବଦଳରେ ଆପଣଙ୍କ ଠାରୁ ପାଇଥିବା ପ୍ରତିଶ୍ରୁତି ମଧ୍ୟ ଆଜି ଯାଏ ପୂରଣ ହୋଇ ପାରିଲା ନାହିଁ।ତେଣୁ ଯେ ପର୍ଯ୍ୟନ୍ତ ନଅ ତୋଳା ସୁନା ଆପଣ ଆମକୁ ଦେଇ ନାହାଁନ୍ତି, ଝିଅ ଆପଣଙ୍କର ଆପଣଙ୍କ ଘରେ ହିଁ ଥାଉ।"


ଏତକ କହି ପୂର୍ଣ୍ଣଚ୍ଛେଦ ପକାଇ ଦିଆଗଲା ଦୂରାଭାଷରେ କଥୋପକଥନକୁ। କିନ୍ତୁ ସାହୁ ବାବୁଙ୍କ ମନରେ ନିଆଁ ଲାଗିଗଲା।"ନଅ ତୋଳା ସୁନା! ମୁଁ କେଉଁଠୁ ଆଣିବି? ଯାହା ସମ୍ପତ୍ତି ଥିଲା ବିକି ଭାଙ୍ଗି ବାହାଘର ସମୟରେ ଦେଇ ଦେଲି। ରହୁଥିବା ଘର ମଧ୍ୟ ୠଣରେ ବନ୍ଧକ ପକାଇ ସାରିଛି। ଏବେ କ'ଣ କରିବି ଯେ ନଅ ତୋଳା ସୁନା ପାଇଁ ମୋ ସୁନାନାକି ଝିଅର ସଂସାର ଉଜୁଡ଼ିବ ନାହିଁ....ହାୟ! କପାଳ....ଏଇ ସାମାନ୍ୟ ଧନ ପାଇଁ ଆଜି ଗୋଟିଏ ମଣିଷ ମୂଲ୍ୟହୀନ?" ଭାବୁ ଭାବୁ ବସି ପଡ଼ିଲେ ତଳେ ସାହୁ ବାବୁ। ବୃଦ୍ଧ ଶରୀର ଅବଶ ହୋଇଗଲା। ଗମ୍ ଗମ୍ ଝାଳ ବୋହିଗଲା। ଯାହା ବି ହେଉ, ଆଗ ଝିଅକୁ ଦେଖି ଆସେ କହି ଉଠି ବାହାରି ଗଲେ ଝିଅର ଶାଶୁଘର ଅଭିମୁଖେ।


ମାତ୍ର ଅଳ୍ପ କିଛି ମୂହୁର୍ତ୍ତର ତ କଥା ଥିଲା।ସେଠି ପହଞ୍ଚି ଯାହା ଆଖିରେ ଦେଖିଲେ, ତାଙ୍କର ହୃଦୟ ବିଳପି ଉଠିଲା।ଝିଅକୁ ଅନାଇ ହେଉ ନାହିଁ। ଜୀର୍ଣ୍ଣ ଶୀର୍ଣ୍ଣ ଚେହେରା.... ସତେ ଯେମିତି ଚାରି ଖଣ୍ଡ ହାଡ଼ ଉପରେ ଚମଡ଼ା ଖାଲି ଯାହା ଅଛି।କିଛି ନ କହି ଚୁପ୍ ଚାପ୍ ଝିଅକୁ କାକୁତି ମିନତି ହୋଇ ଫେରାଇ ଆଣିଲେ ନିଜ ଘରକୁ ଝିଅର ଅନିଚ୍ଛା ସତ୍ତ୍ବେ।କାରଣ ଯେଉଁ ମଣିଷ ଆଖିରେ ଧନରତ୍ନର ପଟି ଚଢ଼ି ସାରିଲାଣି, ସେ ମଣିଷ ସେହି ତୁଚ୍ଛ ଜିନିଷ ପାଇଁ ରସାତଳକୁ ମଧ୍ୟ ଯାଇପାରେ।ତେଣୁ ଝିଅକୁ ଫେରାଇ ଆଣିବା ବୁଦ୍ଧିମାନର କାମ ହେବ ଭାବି ଫେରାଇ ଆଣି ଆସିଲେ ସିନା ସମାଜର ନିୟମ ବିପରୀତରେ କାର୍ଯ୍ୟ କରିବା ହେତୁ ସାହି ପଡ଼ିଶା ଆଖିରେ ଓ ସ୍ୱରରେ ତିରସ୍କାର ହିଁ ତିରସ୍କାର ପାଇ ଆହୁରି ଭାଙ୍ଗି ପଡ଼ିଲେ ସାହୁ ବାବୁ।


ମନସ୍ଥ କଲେ ନଅ ତୋଳା ନ ହେଲେ ବି ଯେତିକି ପାରିବେ, ନିଜର ଗୋଟିଏ ବୃକକ୍ ବିକ୍ରି କରି କିଛି ସୁନା ଗହଣା ଯୋଗାଡ଼ କରି ନେବେ।ଝିଅ ଜାଣିଲେ ଏସବୁ କରାଇ ଦେବ ନାହିଁ ଭାବି, ମିଛରେ ଗାଆଁରେ ଚାଷକାମ ତଦାରଖ କରିବା ପାଇଁ ଯିବାକୁ ପଡ଼ିବ କହି ବାହାରି ଗଲେ।କିନ୍ତୁ ଝିଅ ବୋଧହୁଏ ତାଙ୍କ ଆଖିରୁ ପଢ଼ି ସାରିଥିଲା, ବାପା ମିଛ କହି କିଛି ଅନର୍ଥ ଘଟାଇବାକୁ ଯାଉଛନ୍ତି। ତେଣୁ ତାଙ୍କ ପଛେ ପଛେ ଯାଇ ସତ ଜାଣିବାକୁ ପାଇଲା ଯେ, ଶାଶୁଘର ତରଫରୁ ତାର ବୋହୂ ଭାବରେ ଶାଶୁଘରେ ପାଦ ରଖିବାର ସର୍ତ୍ତ ମାନିବାକୁ ନଅ ତୋଳା ସୁନା ଗହଣା ଯୋଗାଡ଼ ନିମନ୍ତେ ବାପା ବୃକକ୍ ବିକ୍ରି କରିବା ପାଇଁ ଯାଉଥିଲେ।


ନିଜକୁ ଦମ୍ଭ କରି ଗୋଟିଏ କଥା ହିଁ କହିଲା ସାହୁ ବାବୁଙ୍କୁ ତାଙ୍କ ଝିଅ,"ବାପା! ଯଦି ଗୋଟିଏ ମଣିଷର ଜୀବନ ଆଗରେ ଆଜି ନଅ ତୋଳା ସୁନା ଓଜନିଆ ହୋଇ ଯାଉଛି.... ଆଉ ଯେଉଁ ମଣିଷ ଜଣକ ପାଇଁ ଯୌତୁକରେ ମିଳିଥିବା ଧନ ହିଁ ସବୁକିଛି,ମୋର କୌଣସି ମୂଲ୍ୟବୋଧ ନାହିଁ....ସେପରି ଘରକୁ ମୁଁ ଆଉ ଫେରିବି ନାହିଁ।ଦୟାକରି ଛାଡ଼ପତ୍ର ଦେବା ବ୍ୟବସ୍ଥା କର, ନିଜକୁ ମାନସିକ ଓ ଶାରିରୀକ କଷ୍ଟ ନ ଦେଇ....ନଅ ତୋଳା ସୁନା ସେମାନେ ଆଣନ୍ତୁ, ତାଙ୍କ ପୁଅର ଔକାତ୍ ଅନୁସାରେ, ମୁଁ ସେହି ଘରକୁ ସେହି ଦିନ ହିଁ ତ୍ୟାଗ କରି ଆସିଛି।ନ ଫେରିବାର ପଣ କରି।"


ସାହୁ ବାବୁ କାନ୍ଦୁ ଥିଲେ, ଝିଅର ଘର ଉଜୁଡ଼ି ଗଲା ଭାବି....ତାଙ୍କ ଝିଅ ନିଜ ବାପାଙ୍କୁ ଧରି ଘରକୁ ଫେରୁଥିଲା, ଆଗାମୀ ଭବିଷ୍ୟତରେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଦୁନିଆକୁ ନିଜର ପ୍ରକୃତ ମୂଲ୍ୟ ଜଣାଇବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama