Subhalaxmi Nayak

Tragedy

3  

Subhalaxmi Nayak

Tragedy

ଯୁଦ୍ଧ ଏକ ଦୃଷ୍ଟିରୁ

ଯୁଦ୍ଧ ଏକ ଦୃଷ୍ଟିରୁ

3 mins
149


ଦିନେ ସେଠି କେବେ ଗାଁ ଥିଲା। ଲୋକ ଥିଲେ।କୋଳାହଳ ଥିଲା। ଆଜି ବହୁ ବର୍ଷ ପରେ ମଶାଣି ସମ ନୀରବତା। ନା ଅଛି ଗାଁ, ନା ଅଛନ୍ତି ଲୋକମାନେ, ନା ଅଛି ସେ କୋଳାହଳ। ମଶାଣି ପରି ଶୁନଶାନ୍। ହଁ, ବଦଳିଛି ଗୋଟିଏ ଜିନିଷ,ଯୁଦ୍ଧ ପରେ ତାର ମାଟିର ରଙ୍ଗ। ଦିନେ ଯେଉଁଠି ସବୁଜିମାରେ ଭରି ସୁନ୍ଦର ବନାନୀ, ପୁଷ୍ପ ସମ୍ଭାରରେ ଖେଳି ଉଠୁଥିଲା, ମୃଦୁ ମଧ୍ୟରେ ଭାସି ଆସୁଥିଲା କୋକିଳ ତାନ ସହ ମହମହ ବାସ୍ନା। ଫଗୁଣର ଆମ୍ବ ବଉଳ ଆଉ ଶରତ ନିଶାର୍ଦ୍ଧରେ ପ୍ରସ୍ଫୁଟିତ ତମାଳ, ଚମ୍ପା। ଆଜି ସେଠି ଧୂସର ମାଟିରେ ମିଶି ଯାଇଛି ଜୀବନ ସଂଜ୍ଞା। ଦୁବ ଘାସର ଉପସ୍ଥିତି ବି ନାହିଁ ସେଠି। କେଜାଣି କାହିଁକି ଏ ଯୁଦ୍ଧ ହୁଏ? ଏମିତି ଭାବୁ ଭାବୁ ସୁକେତୁ ବାବୁ ପ୍ରକୃତିସ୍ଥ ହେଲେ, ସୌଭାଗିନୀଙ୍କ ହସ୍ତର ମୃଦୁ ଆଘାତରେ।"ଏ କ'ଣ ତୁମେ ଏମିତି ଭୂତ ଭଳି ବସି କ'ଣ ଭାବୁଛ? ଯିବା ସମୟ ପରା ହୋଇଗଲାଣି। ଆମ ପାଇଁ କ'ଣ ଉଡ଼ାଜାହଜ ଅନେଇ ରହିବ? ଡ଼େରି ହେଲେ ଗଲା!" ସୌଭାଗିନୀ ସାମାନ୍ୟ ବିରକ୍ତି ପ୍ରକାଶ କରିଲେ। "ହଁ, ଚାଲ ମୁଁ ତ ତୁମ ଅପେକ୍ଷାରେ ଥିଲି।" ଏମିତି କହି ଚୌକି ଉପରୁ ଉଠିଲେ ସୁକେତୁ ବାବୁ। ଦୁହେଁ ଯାତ୍ରା କରିବେ ସୁଦୂର ଜାପାନର ହିରୋସୀମା ସହରକୁ। ଯେଉଁଠି ସୁକେତୁ ବାବୁଙ୍କ ଅନୁସନ୍ଧାନ କାମ ଅଧାରେ ଅଟକିଛି। ସହଧର୍ମିଣୀଙ୍କ ସହିତ ଫେରିବା ବେଳକୁ ଭାରତରେ ବନ୍ଧୁମାନଙ୍କ ଠାରୁ ଅନେକ ଶୁଭେଚ୍ଛା ସାଉଁଟି ନେଉଥିଲେ ସ୍ନେହର ସ୍ମୃତି ସବୁକୁ। ସୁଦୂର ଜାପାନରେ ତାଙ୍କର କର୍ମକ୍ଷେତ୍ର। ବୈଜ୍ଞାନିକ ହିସାବରେ ସିନା ଅନୁସନ୍ଧାନର ଆବଶ୍ୟକତାକୁ ପୂରଣ କରି ଚାଲି ଥିଲେ, କିନ୍ତୁ ହୃଦୟର କେଉଁ ଏକ ନିଭୃତ କୋଣରେ ଜମାଟ ବାନ୍ଧି ରହିଥିବା ଗାଳ୍ପିକ ଜଣକ ବିଳାପ କରି ଉଠୁଥିଲା ମଝିରେ ମଝିରେ। କେମିତି ସେ ଦିନ ଥିଲା! ହାୟ! ଆଖି ପିଛୁଳାକେ ଧୂଳିସାତ କରିଦେଲା ଦୁଇଟି ସହରକୁ। ଏତେ ନୃଶଂସ ଥିଲା ସେ ଆକ୍ରମଣ। ଏତେ ଗଭୀର ଥିଲା ତାର ପ୍ରହାର ଧରଣୀ ମାଆର ବୁକୁରେ।ଯେ ଆଜି ବିଂଶ ଶତାବ୍ଦୀରେ ବି ସେଠି ଟାଙ୍ଗରା ଭୂଇଁ। ଦୂର ଦୂର ପର୍ଯ୍ୟନ୍ତ ମଶାଣି ଭଳି ଅନୁଭବ। ସତେ ଯେମିତି ସେଦିନ ଅସମୟରେ ଶରୀରରୁ ଅଲଗା ହୋଇଥିବା ଆତ୍ମା ସବୁ ଘେରାଉ କରି ନେଉଛନ୍ତି, ସେଠାକୁ ଯାଉଥିବା ପ୍ରତ୍ୟେକ ବିଜ୍ଞାନୀକୁ। ଶୂନ୍ୟରେ ସତେ ଯେମିତି ଶୁଭୁଛି ବିକଳ କ୍ରନ୍ଦନ ଧ୍ୱନି, ନିଷ୍ପାପ ଶିଶୁ ମାନଙ୍କ ଆର୍ତ୍ତ ଚିତ୍କାର। "ଆମକୁ ବଞ୍ଚାଅ", "ଆମକୁ ବଞ୍ଚାଅ" ବୋଲି ବୁକୁ ଫଟା ଶବ୍ଦ। ସତରେ କ'ଣ କାହାକୁ ଶୁଭୁନି? ଏସବୁ ଖାଲି କ'ଣ ମୋତେ ହିଁ ଶୁଣିବାକୁ ପଡ଼ିବ! ନା ନା ମୁଁ ପାଗଳ ହୋଇ ଯିବି। ମୁଁ ପାଗଳ ହୋଇ ଯିବି। ବିଜ୍ଞାନୀ ହୋଇ କାର୍ଯ୍ୟ ସମ୍ପାଦନ କରି ଏଠୁ ପଳାୟନ କରିବି। ନା ଆଉ ହେବନି, ଆଉ ହେବନି।ରହି ଯାଅ, ରହି ଯାଅ। ଦୟାକରି ଚୁପ୍ ହୋଇ ଯାଅ। ଏମିତି କହି କହି ବିଳାପ କରି ଉଠିଲେ ସୁକେତୁ ବାବୁ। ପାଖରେ ପତ୍ନୀ ଚମକି ପଡ଼ିଲେ, ଏ କ'ଣ ସ୍ୱପ୍ନ ରାଇଜରେ ଘୂରି ବୁଲୁଛ ନା କ'ଣ? କେତେ ବଡ଼ ପାଟିରେ ଚିତ୍କାର କରୁଛ ଯେ! ଏଇ ଆମେ ପରା ଉଡ଼ାଜାହଜ ଭିତରେ ବସିଛେ। କ'ଣ ହେଲା ଯେ? ଶୁଣୁଛ!"ସୌଭାଗିନୀ ତାଙ୍କୁ ଜୋରରେ ଚିମୁଟି ଦେଲେ। ସୁକେତୁ ବାବୁ ପ୍ରକୃତିସ୍ଥ ହେଇ ବଖାଣି ବସିଲେ, ତାଙ୍କର ସେଇ ଭୟାନକ ଅଭିଜ୍ଞତାକୁ। "ଏତେ ଦିନ ହେଲାଣି ତାହେଲେ ଏଇ ସବୁ ଚିନ୍ତା କରି ତୁମେ ଅନ୍ୟମନସ୍କ ହୋଇ ଯାଉଥିଲ", କହିଲେ ସୌଭାଗିନୀ। ଏମିତି ହୁଏ, ତୁମେ ସିନା କର୍ମଜୀବନ ବୈଜ୍ଞାନିକ ହିସାବରେ ଆରମ୍ଭ କରିବାକୁ ବାଛି ନେଲ, କିନ୍ତୁ ସେ ଗାଳ୍ପିକ ପ୍ରାଣ ପରା ଏବେ ବି ଜୀବନ୍ତ। ଏବେ ବି ଦୁକୁଦୁକୁ ହୋଇ ଜଳୁଛି ତୁମ ମାନସପଟ୍ଟରେ। ହେଉ ଯାହା ଯାହା ଅନୁଭବ କରି ଚାଲିଛ, ତାକୁ ଲେଖି ଦେଉନ ଯେ! ଏମିତି ପ୍ରଳାପ କରିବାକୁ ପଡ଼ିବ ନାହିଁ, କହିଲେ ସୌଭାଗିନୀ। ସୁକେତୁ ବାବୁ କିନ୍ତୁ ଇଚ୍ଛୁକ ନ ଥିଲେ, ବହୁ ବର୍ଷ ପରେ ପୁଣି ଥରେ ସେ ନେପଥ୍ୟ ନାୟକଙ୍କୁ ଜୀବନ ପ୍ରଦାନ କରିବାକୁ। କାଇଁ ନା, ଯେଉଁ ଗାଳ୍ପିକ ତାର ସତ୍ତା ନ ହରେଇବା ପାଇଁ ବ୍ୟାକୁଳତା ପ୍ରକାଶ କରୁଛି, ସେ ତାଙ୍କର ବର୍ତ୍ତମାନରେ ଜୀବନ୍ତ ହୋଇଗଲେ, ସବୁ ଇତସ୍ତତଃ ହୋଇ ଯିବ। ବୈବାହିକ ଜୀବନ ବି, କର୍ମମୟ ଜୀବନ ବି। କାଇଁ ନା ନାୟକର ଭୂମିକାରେ ତାର କୌଣସି ଆଗ୍ରହ ହିଁ ନାହିଁ, ସେ ପରା ଗୋଟିଏ ଖଳନାୟକ। ଅଟ୍ଟହାସ୍ୟ ତାର ଏତେ ଭୟଙ୍କର। କେବଳ ଅସଜଡ଼ା ଜୀବନରେ ତାର ରାଜୁତି। ସୁକେତୁ ବାବୁଙ୍କୁ ସେ ତାର କବଳିତ କରି ରଖିବାକୁ ଚାହେଁ, ଠିକ୍ ଗୋଲାମ୍ ପରି। ଆଉ କାଳିମା ଭିତରେ ଦହଗଞ୍ଜ କରିବାକୁ ଚାହେଁ, ପଞ୍ଜୁରୀରେ ଆବଦ୍ଧ ଶୁଆ ପରି। ବହୁ ବର୍ଷ ପରେ ପୁଣି ମୁଣ୍ଡ ଟେକି ସିଏ ଚାହେଁ, ବ୍ୟାପକ କ୍ଷୟକ୍ଷତି। ତୃତୀୟ ବିଶ୍ୱଯୁଦ୍ଧ। ଯେଉଁ ଯୁଦ୍ଧ ପାଇଁ ଧ୍ୱଂସପ୍ରାପ୍ତ ପୃଥିବୀରେ ମଣିଷ ଜାତିର ସମୂହ ବିନାଶର ଅୟମାରମ୍ଭ ହୋଇଯିବ। ସବୁଜିମା ସ୍ୱପ୍ନ ହୋଇ ଯିବ, ଆଉ ବହୁ ବର୍ଷ ଧରି ଲୁପ୍ତ ମଧ୍ୟ ହୋଇ ଯିବ। ନା ନା ଏମିତି ହେବନି, ପଛକେ ମୁଁ କଷ୍ଟ ପାଏ, କିନ୍ତୁ ଥରେ ଯେତେବେଳେ ଆଖିରେ ଦେଖି ଆସିଛି ଧ୍ୱଂସପ୍ରାପ୍ତ ସହର ଦୁଇଟିକୁ, ହୃଦୟଙ୍ଗମ କରି ସାରିଛି ସେ ଲହୁ ଜର୍ଜରିତ ପୃଥିବୀକୁ, ଆଉ ଲେଖନୀ ଉଠାଇବାକୁ ସାହସ ନାହିଁ। ପ୍ରଚେଷ୍ଟା ଆରମ୍ଭ କରିବାକୁ ହେବ ଆଜି ବହୁ ବର୍ଷ ପରେ ସେଠି ସବୁଜିମା ଭରି ଦେବାକୁ। ନୂଆ ଜୀବନର ସୂତ୍ରପାତ କରିବାକୁ।


Rate this content
Log in

Similar oriya story from Tragedy