Subhalaxmi Nayak

Children Stories Inspirational

3  

Subhalaxmi Nayak

Children Stories Inspirational

ଅନାବାଦିରୁ ବଗିଚା

ଅନାବାଦିରୁ ବଗିଚା

2 mins
204


ମୃଣାଳିନୀ ମୋର ଛୋଟ ବେଳର ବନ୍ଧୁ।ଆମ ଦୁହିଁଙ୍କର ପ୍ରାୟ ସବୁ ରୁଚି ସମାନ।ମୋର ଯେପରି ଛୋଟ ବଗିଚାଟିଏ କରି ନୂଆ ନୂଆ ଫୁଲ ଗଛ ଲଗାଇବାରେ ଦୁର୍ବଳତା ଅଛି, ତାର ମଧ୍ୟ ଠିକ୍ ସେମିତି।ଗଛମାନଙ୍କ ପ୍ରତି ଅହେତୁକ ଦୁର୍ବଳତା।ତାଙ୍କ ଘରର ପଛ ପଟକୁ ଗୋଟିଏ ଖାଲି ଜାଗା ପଡ଼ି ଥିଲା। ଏମିତି ଅନାବାଦି ଜମି ଭଳି।ସେ ସେହି ଜାଗାକୁ ବଗିଚାରେ ରୂପାନ୍ତରିତ କରିବ ଭାବି ଘରେ ମନକଥା ଜଣାଇଲା। ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ ତା କଥା ଶୁଣି।ସେ ଜମିରେ ଘାସ ତକାତେ କଅଁଳିବନି କହି ତା କଥାକୁ ଏଡ଼ାଇ ଗଲେ।ସିଏ ବି ମୋରି ଭଳିଆ ଭାରି ଜିଦିଆ।ଲୋକ କହିଲେ ଘାସ କଅଁଳିବନି ତ.... ମୁଁ ସେଠି ପରିବା ଆଉ ଫୁଲ ଗଛ ଚାଷ କରି ଦେଖାଇ ଦେବି। ଏମିତି ବିଚାରି ମୋତେ ଫୋନ୍ କରିଲା।ମୁଁ ବି ତାକୁ କେବେଠାରୁ କହୁଥାଏ, ଘର ପଛପଟେ ଯେଉଁ ଖାଲି ଜାଗା ତୁମ ହତା ଭିତରେ ପଡ଼ିଛି ଅଳିଆ ହୋଇ, ତାକୁ ଯଦି ବଗିଚାରେ ପରିଣତ କରି ଦିଆଯିବ, ତେବେ କେତେ ସୁନ୍ଦର ଦିଶିବ....ମୋ କଥା ବୋଧହୁଏ ତା ମନକୁ ପାଇଥିଲା।ସେ ଯାହା ହେଉ, କଥାଟିକୁ କାର୍ଯ୍ୟକାରୀ କରିବା ପାଇଁ ତହିଁ ଆରଦିନ ସକାଳୁ ମୃଣାଳିନୀ ଅଣ୍ଟା ଭିଡ଼ି ଟୋକେଇ, କୋଦାଳ, ଝାଡ଼ୁ ଧରି ବାହାରି ପଡ଼ିଲା.... ପ୍ରଥମେ ଜାଗାଟିକୁ ସଫା କରିବା। ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ତାକୁ ପୁରା ଜାଗାଟିକୁ ସଫା କରିବାକୁ।ବାକି କାମ ରହିଲା ପରଦିନକୁ। ପରଦିନ ସକାଳୁ ପୁଣି ବାହାରିଲା ସରଞ୍ଜାମ ଧରି ମାଟି ଖୋଳି କିଆରି ଭଳି କରି ଦେଇ ଆସିଲା। ପ୍ରତିଦିନ ଅଧୁନାତନର ଟିକିନିଖି ଖବର ଦିଆଯାଉଥାଏ ମୋତେ ଦୂରଭାଷ ଯୋଗେ। ମୁଁ ବି ଅତ୍ୟନ୍ତ ଖୁସି ଯେ, ଶେଷରେ ମୃଣାଳିନୀ ଘର ପଛପଟେ ବଗିଚାଟିଏ ହେଉଛି।ମୋର ମଧ୍ୟ କୌତୁହଳ ଜାତ ହେଉଥାଏ ଖାଲି ଅଳିଆଗଦା ଜାଗାଟି ଯଦି ପନିପରିବା, ଫଳ-ଫୁଲଭରା ବଗିଚାରେ ପରିଣତ ହୋଇଯିବ କିପରି ଦେଖାଯିବ। ମୃଣାଳିନୀ ଯେତିକି ଉତ୍ସାହିତ ହେଉଥାଏ ତା କଥା ଶୁଣି ମୁଁ ମଧ୍ୟ ଖୁସି ହେଉଥାଏ। କେଉଁ କେଉଁ ଫୁଲଗଛ, ପରିବା ଆଉ ଫଳ ଗଛ ଲାଗିବ ଦୁହେଁ ମିଶି ସ୍ଥିର କରି ବଜାରରୁ ସବୁ କିଣି ଆଣିଲୁ ଚାରା କିଛି ମଞ୍ଜି ଆଉ ଘରୁ ପରିବାର ମଞ୍ଜି। ତାକୁ ବଗିଚାର ଯତ୍ନ ବିଷୟରେ ମଧ୍ୟ ମୁଁ ଅବଗତ କରାଉଥାଏ। ପ୍ରତିଦିନ ସକାଳୁ ଘଣ୍ଟାଏ ଆଉ ଉପରବେଳା ଘଣ୍ଟାଏ ମୃଣାଳିନୀ ଲାଗି ପଡ଼ିଥାଏ ବଗିଚାରେ। ଗୋଟିଏ ମାସ ପରେ ଫୁଲଗଛ ସବୁ ଫୁଲରେ ଭର୍ତ୍ତି ହୋଇଗଲେ।ଆଉ କିଛି କିଛି ପରିବା ଗଛ ମଧ୍ୟ ଫୁଲ ଫଳରେ ଭରି ହୋଇଗଲେ। ବରାବର ଖତ, ପାଣି, କୀଟନାଶକ ଔଷଧ ଆଦି ଦିଆଯାଉଥାଏ ଗଛ ମାନଙ୍କରେ। ତା ଘର ଲୋକେ ଦେଖି ତାଙ୍କ ଆଖି ଖୋସି ହୋଇଗଲା।"କ'ଣ ନ ଦେଖା ଯାଉଛି ଏ ବଗିଚା! ଇନ୍ଦ୍ରଧନୁର ସାତ ରଙ୍ଗ ଯେମିତି ଆମ ଅଗଣାରେ ବିଛାଡ଼ି ହୋଇ ପଡ଼ିଛି" ମୃଣାଳିନୀର ମାଆ କହୁଥାନ୍ତି।"ସତରେ ଆମେ ମୃଣାଳିନୀ କଥାକୁ ହସି ଉଡ଼ାଇ ଦେଇଥିଲେ, କିନ୍ତୁ ଦେଖ ଦୁଇ ସାଙ୍ଗ ମିଶି ଏ ଅନାବାଦି ଜାଗାକୁ ସ୍ୱର୍ଗ ଭଳି ସଜାଇ ଦେଲେ ଯେ...."।ଆମ ଦୁଇଜଣଙ୍କ ଗୋଡ଼ ତଳେ ଲାଗୁ ନ ଥାଏ।ବଗିଚାରେ ଯେତେବେଳେ ଛୋଟ ଛୋଟ ପକ୍ଷୀ ଆସି ବସା କରି ରହିଲେ ତାଙ୍କର କିଚିରିମିଚିରି ଶବ୍ଦ ସାଙ୍ଗରେ ସନ୍ଧ୍ୟା ବେଳିଆ ସୁଲୁସୁଲୁ ବାଆ।ଚୌକିଟିଏ ପକାଇ ଦେଇ ମୃଣାଳିନୀର ବାପା ବହି ପଢ଼ିବାକୁ ବଗିଚାକୁ ଆସି ଯାଆନ୍ତି।ଆମେ ଦୁଇ ସାଙ୍ଗ ମିଶି କେତେ କଥା ଗପୁ। ସାହିତ୍ୟ ଚର୍ଚ୍ଚା ମଧ୍ୟ କରୁ। ମୃଣାଳିନୀ ଲେଖାଲେଖି କରି ପାରେ ନାହିଁ। କିନ୍ତୁ ବହୁତ ସୁନ୍ଦର କଣ୍ଠ ତାର।ଗୀତ ବୋଲେ। ମୁଁ ଯେଉଁ କବିତା ରଚନା କରେ, ସେ ତାକୁ ଭାବରେ ସଜାଏ। ଯେତେବେଳେ ବି କୁଣିଆ କେହି ତାଙ୍କ ଘରକୁ ଆସନ୍ତି, ପ୍ରଶଂସାରେ ପୋତି ପକାନ୍ତି ବଗିଚାକୁ ଦେଖି।ସତରେ ପ୍ରକୃତି ଆମକୁ କ'ଣ ବା ନ ଦେଇଛି।ଆମେ ଯଦି ସେସବୁ ପ୍ରତି ଯତ୍ନବାନ ହେବା, ତେବେ ଏ ଧରା ଭୂସ୍ବର୍ଗ ପାଲଟି ଯିବ।


Rate this content
Log in