STORYMIRROR

Subhalaxmi Nayak

Romance

3  

Subhalaxmi Nayak

Romance

ଚିଠି

ଚିଠି

2 mins
219

ପ୍ରିୟ ସତୀର୍ଥ,

  ତୁମର ଚିଠି ପାଇଲି। ଆଶା କରେ ତୁମେ ଭଲରେ ଥିବ। ଆଜି ଦିନରେ ହିଁ ଆସି ପହଞ୍ଚିଲା ତୁମ ଚିଠି। ଫେବୃଆରୀ ମାସର ୭ ତିରିଖରେ। ଗୋଲାପୀ ଚିଠି ଆସି ପହଞ୍ଚିଲା। ଉପରେ ତୁମ ନାମ ପ୍ରେରକ ସ୍ଥାନରେ ଦେଖି ବିଷର୍ଣ୍ଣ ମନ ମୋର ଖୁସିରେ ଭରିଗଲା। ଲଫାପା ଖୋଲୁ ଖୋଲୁ ମୋ ପ୍ରିୟ ଅତରର ସେଇ ମହ ମହ ବାସ୍ନା ସାଙ୍ଗକୁ ଗୋଲାପୀ ରଙ୍ଗର ଚିଠି, ତା ସହ ଛୋଟ ଛୋଟ ଉପହାର ବହୁତ ସୁନ୍ଦର ହୋଇଛି। ସବୁ ଥର ପରି ମୋତେ ଆଖି ଆଗରେ ରଖି ଯେଉଁ କବିତା ଲେଖିଛ, ସେ କବିତାରେ ନାୟିକା କ'ଣ ଏମିତି ମୋ ଭଳି ଏକାକିନୀ? କିଛି ମୂହୁର୍ତ୍ତର ସୁଖ ଯେତେବେଳେ ତୁମେ ପାଖରେ ଥାଅ, ଆଉ ତାପରେ ପୁଣି ସେଇ ନିର୍ଜନତା ଆଉ ନୀରବତାର ରାଜୁତି। ତୁମ ପାଖକୁ ହାତବୁଣା ଶୀତବସ୍ତ୍ର ଗୋଟିଏ ପଠେଇ ଥିଲି, ତା ବିଷୟରେ କିଛି ଲେଖିନ। ସେ ରଙ୍ଗ ତୁମର ପ୍ରିୟ ରଙ୍ଗ ବୋଲି ଖୋଜି ଖୋଜି ଆଣିଥିଲି ସେ ରଙ୍ଗର ଉଲ୍। ଆଜି ପାଇଁ ଗୋଲାପ ଜାଗାରେ ଗୋଲାପୀ ଚିଠି ମିଳିବା ଦେଖି ମୋ ସାଙ୍ଗ ହସିଲେ। ସେ କେମିତି ଜାଣିବ! ମୋର ଆଉ ତୁମ ଭିତରେ ପ୍ରେମର ଅଭିବ୍ୟକ୍ତି କେଉଁ ଭଳି। ସବୁ ପ୍ରେମର ପରିଭାଷା ସମାନ ନୁହେଁ। ଆମ ପ୍ରେମ କାହାଣୀରେ ଆମର ଅନୁଭବ, ଆମର ଅନୁଭୂତି ସାଉଁଟି ନେବାକୁ ଦୂରତା ସିନା ଖଳନାୟକ ସାଜିଛି। କିନ୍ତୁ ଯୋଜନ ଦୂରତା ଆମ ପ୍ରେମକୁ ପ୍ରଗାଢ଼ କରି ଦେଇଛି। ପାଖରେ ପାଇବାର ସେଇ ଆଶା, ଦୂର ଦିଗନ୍ତ ପର୍ଯ୍ୟନ୍ତ ତୁମ ଫେରିବା ବାଟକୁ ଚାହିଁ ବସିବାର ନିଶା ମତୁଆଲା କରି ଦେଉଛି ଏ ପାଗଳିନୀର ମନକୁ। ତୁମ ହାତରୁ ପ୍ରତିଦିନ ସିନ୍ଦୂର ପିନ୍ଧିବାର ଲୋଭ କ୍ଷଣେ କ୍ଷଣେ ଶିହରଣ ଖେଳାଇ ଦେଉଛି, ଆଉ ମନେ ପକାଇ ଦେଉଛି ଆମର ଏକାନ୍ତ ମୂହୁର୍ତ୍ତ ସବୁକୁ। ସତରେ ସ୍ୱପ୍ନ ଦେଖୁଛି କି ଏ ଆଖି! ଏମିତି ଗୋଧୂଳି ବେଳାରେ କେବେ ଆମେ ଦୁହେଁ ଏକାନ୍ତରେ ବସିଥିବା ପାଖାପାଖି ହୋଇ। ହାତରେ ଦୁଇଟି ଚାହା କପ୍ ଥିବ। ସୁଲୁସୁଲୁ ବସନ୍ତ ବାଆ ସାଙ୍ଗକୁ ଦୂରରୁ ଶୁଭୁଥିବ କୋକିଳ ତାନ। ତୁମ ହାତରେ ମୋ ହାତ ଥିବ, ଭାବୁଥିବା ଆଗାମୀ ଭବିଷ୍ୟତର ପ୍ରତିଟି ସୋପାନ କଥା। ଆମର ପ୍ରେମର ସନ୍ତକ ଯେବେ ଆସିବ ଏ ଦୁନିଆକୁ ବୋଧହୁଏ ସେଦିନ ଆମ ଦୁହିଁଙ୍କ ଜୀବନର ସବୁଠାରୁ ସୁନ୍ଦର ଓ ସେ ମୂହୁର୍ତ୍ତ ଆମ ଜୀବନରେ ଏକ ସକାରାତ୍ମକ ଛାପ ଛାଡ଼ି ଦେବ। ଅପେକ୍ଷାର ଅନ୍ତ ସିନା ତୁମ ଫେରିବା ବାଟକୁ ଚାହିଁ ଚାହିଁ ହୋଇ ପାରିବନି ଏଇ ମୂହୁର୍ତ୍ତରେ। କିନ୍ତୁ ନିଶ୍ଚୟ ଆମ ଦୁହିଁଙ୍କ ମିଳନ ହେବ ଆଉଥରେ। ଆମ ପ୍ରେମର ସନ୍ତକ ସେ ଟିକି କଢ଼ିଟି ନୀରବତା ଆମ ଅମର ପ୍ରେମକୁ ମହକାଇବ ଫୁଲ ହୋଇ। ବହୁତ କିଛି ଲେଖିଦେଲି, ହଁ....ସ୍ୱପ୍ନ କି ସରେ? ନା ଅସୁମାରି ଆଶାରେ ପୂର୍ଣ୍ଣଚ୍ଛେଦ ପକେଇ ପାରେ ମୋ ଭଳି ସ୍ନେହ ପାଗଳି ମଣିଷ। ତଥାପି କହିବି ....ଦେଖା ହେବ ପୁଣିଥରେ.... ରହୁଛି ଏତିକିରେ....ତୁମ ଅପେକ୍ଷାରେ!

ଇତି,

ତୁମର ପ୍ରଣତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance