Subhalaxmi Nayak

Abstract

3.3  

Subhalaxmi Nayak

Abstract

କୁଆଁର ପୁନେଇଁ

କୁଆଁର ପୁନେଇଁ

2 mins
142


ସାରା କାଲି ରାତି ସାରା ତା ମାଆକୁ ଶୁଆଇ ଦେଲା ନାହିଁ। ଗୋଟିଏ ପରେ ଗୋଟିଏ ଗପ ଶୁଣିବାକୁ ଜିଦ୍ ଆଉ ତା ସହିତ କୁଆଁର ପୁନେଇଁ କ'ଣ, କାହିଁକି ପାଳନ କରାଯାଏ ସବୁ କହ ମୋତେ।ସବୁଠାରୁ ବଡ଼ କଥା ମାଆ ଦେଖୁ ଥାଆନ୍ତି, ଝିଅ ଘଡ଼ି କି ଘଡ଼ି ଉଠି କମ୍ବଳ ଭିତରୁ ବାହାରି ଝରକା ଆଡ଼କୁ ଦୌଡ଼ି ଯାଉଛି, ପରଦା ଟେକି ବାହାରକୁ ନଜର ପକାଇ ଦେଇ ପୁଣି ଫେରି ଆସି କମ୍ବଳ ଭିତରେ ପଶି ଯାଉଛି।ମାଆ ଜାଣି ପାରିଲେ ଯେ ସାରା ଉତ୍ସୁକତାର ସହ ଅପେକ୍ଷା କରିଛି ସକାଳ ହେବାକୁ।ଆଞ୍ଜୁଳି ଟେକିବ ହୁଳହୁଳି ପକାଇ, ଉଦିତ ରବିଙ୍କୁ ପୂଜା କରିବ ବୋଲି।ସକାଳ ହେଉ ହେଉ ସାରା ଖଟରୁ ଡ଼ିଆଁଟିଏ ମାରି ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ପକାଇଲା।ଗାଧୋଇ ଆସି ନୂଆ ପୋଷାକ ସହିତ ମୁଣ୍ଡରେ କଳା ଟିପା,ବେକରେ ମାଳି, ହାତରେ ଚୁଡ଼ି,ପାଦରେ ପାଉଁଜି ଆଉ ଅଳତା ପିନ୍ଧି ଦେଇ ମାଆଙ୍କ ପାଖକୁ ବିଜୁଳି ବେଗରେ ଦୌଡ଼ି ଯାଇ ପହଞ୍ଚି ଗଲା। ମାଆଙ୍କ ଲୁଗା କାନିକୁ ଟାଣି ଧରି "ଶୀଘ୍ର ଶୀଘ୍ର ଚାଲ ମାଆ, ନହେଲେ ମୁଁ ବୁଢ଼ା ବର ପାଇବି" ବୋଲି ଖନେଇ ଖନେଇ କହୁ କହୁ ପରିବାରର ଅନ୍ୟ ସଦସ୍ୟମାନେ ହସି ପକାଇଲେ।ଝିଅର କେତେ ବୁଦ୍ଧି ହେଲାଣି ବୋଲି ବାପା କହିଲେ। ଆଞ୍ଜୁଳି ଟେକା ସରିଗଲା ଅଗଣାରେ ବୃନ୍ଦାବତୀଙ୍କ ପାଖରେ।ତା ସହିତ ସକାଳ ପୂଜା ଶେଷ। କିନ୍ତୁ ସାରାକୁ ନିଦ ନାହିଁ।ମାଆ ତାଗିଦ୍ କରି କହିଲେ,"କାଲି ରାତି ସାରା ଶୋଇନୁ.... ଏବେ ଯାଉନୁ ଟିକିଏ ଶୋଇ ପଡ଼ିବୁ.... ନହେଲେ ଦେହ ଖରାପ ହେବ।"ସାରା କିନ୍ତୁ ନଛୋଡ଼ବନ୍ଧା। ମାଆଙ୍କ ଝିଅ ବେଳେ ଆଉ ଜେଜେମାଆର ଝିଅ ବେଳେ କେମିତି କୁଆଁର ପୁନେଇଁ ପାଳୁଥିଲେ ସିଏ ନ ଶୁଣିବା ଯାଏ ତାକୁ ନିଦ ହେବ ନାହିଁ ବୋଲି କହିଲା।ମାଆ ସକାଳ ଜଳଖିଆ ତିଆରି କରି ସମସ୍ତଙ୍କୁ ଖାଇବା ଦେଇ ‌ସାରାକୁ ଖୁଆଇବାକୁ ବସି ଆରମ୍ଭ କଲେ ତାଙ୍କ ଝିଅ ବେଳର କୁଆଁର ପୁନେଇଁ ଅନୁଭୂତି।

"ଆମ ଛୁଆ ବେଳେ ଆମେ ଭୋର୍ ଚାରିଟାରୁ ଉଠି ନିତ୍ୟକର୍ମ ସାରି ସଜବାଜ ହୋଇ ଅପେକ୍ଷା କରି ରହୁଥିଲୁ ସୂର୍ଯ୍ୟ ଉଇଁବା ପର୍ଯ୍ୟନ୍ତ। ଠିକ୍ ପହିଲି କିରଣ ସ୍ପର୍ଶ ହେଉ ହେଉ ପୂଜା କରୁଥିଲୁ, ସୂର୍ଯ୍ୟ ଦେବତାଙ୍କୁ ବନ୍ଦାପନା କରି ସାତ ଗୋଟି ଜିନିଷକୁ ହାତରେ ଧରି ଆଞ୍ଜୁଳି ଟେକିବା ବେଳକୁ କାଲୁଆ ପବନରେ ଦେହ ଶୀତେଇ ଉଠୁଥିଲା।ଶୀତ ଥର ଥର ହୋଇ ଏମିତି ଲାଗୁଥିଲା ଯେ, ଦାନ୍ତକୁ ଦାନ୍ତ ମାଡ଼ ହେଉଥିଲା। ସେତେବେଳେ ଏମିତି ଗରମ ପାଣି ଯନ୍ତ୍ର ବ୍ୟବହାର ହେଉ ନ ଥିଲା କି ଏମିତି କିଛି ଅଛି ବୋଲି ମଧ୍ୟ ଆମେ ଜାଣୁ ନ ଥିଲୁ। ପୋଖରୀ ପାଣି ନ ହେଲେ ନଦୀରେ ଯାଇ କେମିତି ଗାଧୋଇ ପାଧୋଇ ଆସି କଅଁଳ ସୂର୍ଯ୍ୟଙ୍କ ପହିଲି କିରଣ ସ୍ପର୍ଶ ହେଉ ହେଉ ଆଞ୍ଜୁଳି ଟେକିବୁ, ନହେଲେ ଆମ ଆଈ, ଜେଜେମାଆ ମାନେ ଆମକୁ ମିଛରେ ଚିଡ଼ାଉ ଥିଲେ, ବୁଢ଼ା ବର ମିଳିବ ବୋଲି। ସେତେବେଳେ ଯେମିତି ଶୀତ! କୁହୁଡ଼ିରେ ମୁହଁ ଦିଶୁ ନ ଥିବ।ଆଉ ଆମେ ସାଙ୍ଗମାନଙ୍କ ଭିତରେ ପ୍ରତିଯୋଗିତା ଚାଲେ କିଏ ଆଗ ଆଞ୍ଜୁଳି ଟେକିବ।ହାତ ଗୋଡ଼ ପଛେ କାଲୁଆ ପବନରେ ଖାଲି ଥଣ୍ଡା ପଡ଼ି ଯାଉ କିନ୍ତୁ ଆମକୁ ବୁଢ଼ା ବର ନ ମିଳୁ ବୋଲି ଆମେ ତରତର ହୋଇ ପୂଜା କରିବାକୁ ପ୍ରସ୍ତୁତ ହୋଇ ଯାଉଥିଲୁ।ଶୀତରେ ଆମ ମାଆମାନଙ୍କୁ ଆମକୁ ଅନ୍ୟ ଦିନରେ ଉଠାଇବାକୁ କସରତ କରିବାକୁ ପଡ଼େ। ରେଜେଇ ଭିତରୁ ଟିପ ମଧ୍ୟ ବାହାର କରିବୁନି। କିନ୍ତୁ କୁଆଁର ପୁନେଇଁ ଦିନ ରାତି ତିନିଟା ବେଳକୁ ରେଜେଇ ଭିତରୁ ବାହାରି ସାଙ୍ଗମାନଙ୍କ ସହିତ ମିଶି ଗୀତ ବୋଲି ବୋଲି ଗାଧୋଇବା ପାଇଁ ପୋଖରୀ ତୁଠ କିମ୍ବା ନଦୀ କୂଳକୁ ଚାଲି ଯାଉ। କ'ଣ ନା ଡେରି ହେଲା ଯଦି ପୂଜା ବୁଢ଼ା ବର ମିଳିବା ସୁନିଶ୍ଚିତ। ଜାଣିନି କଥାରେ ସତ୍ୟତା କେତେ? କିନ୍ତୁ ସେକାଳରେ ସବୁ ପୂଜା, ପୁନେଇଁ ପର୍ବ ଖୁବ୍ ଆଡ଼ମ୍ବର ସହକାରେ ଭକ୍ତି ଓ ମାନ୍ୟତା ସହିତ ପାଳନ କରା ଯାଉଥିଲା।" ମାଆ ଆଉ କିଛି କହିବା ଆଗରୁ ଘୁଙ୍ଗୁଡ଼ି ଶବ୍ଦ ଶୁଭିଲା। ଦେଖିଲା ବେଳକୁ ସାରା ନିଦ୍ରା ଦେବୀଙ୍କ କୋଳରେ ଶୋଇ ପଡ଼ିଲାଣି।


Rate this content
Log in

Similar oriya story from Abstract