STORYMIRROR

Subhalaxmi Nayak

Drama Tragedy

4  

Subhalaxmi Nayak

Drama Tragedy

ବଡ଼ ଭାଇ

ବଡ଼ ଭାଇ

3 mins
374

ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ସୋନିର ମନ ଖରାପ ହୁଏ। ତା'ର ନିଜର ଭାଇଟିଏ ନାହିଁ ବୋଲି। ଆଉ ତା'ର ସାଙ୍ଗମାନେ ନିଜ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଫଟୋ ଉଠେଇ ଯେତେବେଳେ ଫେସବୁକ୍ ରେ ପୋଷ୍ଟ କରନ୍ତି, ସୋନି ସେସବୁ ଦେଖି ଲୁଚି ଲୁଚି କାନ୍ଦେ। ସୋନିର ମାଆ କିନ୍ତୁ ସେଦିନ ଟିକିଏ ଅନ୍ୟମନସ୍କ ଥିଲା ଭଳି ଲାଗନ୍ତି। ବର୍ଷକୁ ସେଇ ଗୋଟାଏ ଦିନରେ ମାଆଙ୍କର କ'ଣ ହୁଏ କେଜାଣି ସୋନି ବି କେତେ ଥର ହୃଦୟଙ୍ଗମ କରିଛି। ଗୋଟିଏ ବର୍ଷ ରାକ୍ଷୀପୂର୍ଣ୍ଣିମା ଅବସରରେ ସୋନି ମାଆଙ୍କର ହାବଭାବ ଦେଖି ପଚାରି ବସିଲା ଘଟଣା କ'ଣ? ମାଆ ତ ବର୍ଷକ ସାରା ଠିକ୍ ଥାଆନ୍ତି। ଏଇ ଗୋଟିଏ ଦିନ ରାକ୍ଷୀ ପୂର୍ଣ୍ଣିମାରେ ତାଙ୍କର ମନଦୁଃଖ ଥିଲା ପରି ଜଣା ପଡ଼େ କାହିଁକି? ଯେମିତି ଏକଥା ସୋନି ପଚାରିଛି, ମାଆଙ୍କର ଆଖିରେ ଲୁହ ଜକେଇ ଆସିଲା। ଯେହେତୁ ସୋନି ବଡ଼ ହୋଇ ବୁଝିବା ଭଳି ଝିଅଟିଏ ହୋଇଗଲାଣି, ମାଆ ତାକୁ ସବୁ ସତକଥା କହିବେ ବୋଲି ମନସ୍ଥ କରି କହିବା ଆରମ୍ଭ କଲେ, "ଆଜି ହେଉଛି ତୋର ବଡ଼ ଭାଇର ଜନ୍ମଦିନ। ରାକ୍ଷୀ ପୂର୍ଣ୍ଣିମା। ଆଜିକୁ ଠିକ୍ ଅଠର ବର୍ଷ ତଳେ ତା'ର ଜନ୍ମ ହୋଇଥିଲା। ତୋ ଠାରୁ ପାଞ୍ଚ ବର୍ଷ ବଡ଼ ସେ ବୟସରେ। ତୋର ବାପାଙ୍କର କର୍ମସ୍ଥଳୀ କାର୍ଯ୍ୟାଳୟ ତରଫରୁ ବଦଳି ହୋଇ ସେତେବେଳେ କାଶ୍ମୀରରେ ଅବସ୍ଥାପିତ ହୋଇଥାଏ।ସେହି ସମୟର କଥା। ତୋର ବଡ଼ ଭାଇ ସେତେବେଳେ ପାଞ୍ଚ ବର୍ଷର ହୋଇଥିଲା। କାଶ୍ମୀର ସମସ୍ୟା ବିଷୟରେ ସେଠାକାର ଆତଙ୍କବାଦୀ ଆକ୍ରମଣ ବିଷୟରେ ପ୍ରତିଦିନ ସମାଚାରରୁ ଜାଣୁ ଆମେ। ଯେହେତୁ ଛୋଟ ପିଲା ଆଉ ମୁଁ ଏକା ଏଠାରେ ରହିବା ସମ୍ଭବ ନୁହେଁ, ଆମର ତ ବନ୍ଧୁବାନ୍ଧବ ବି କେହି ନାହିଁ, ତେଣୁ ବାଧ୍ୟ ହୋଇ ବାପା ଆମ ଦୁହିଁଙ୍କୁ ସାଙ୍ଗରେ ନେଇ ସେଠାକୁ ଗଲେ। ସେତେବେଳେ ସ୍ୱଇଚ୍ଛାରେ ବଦଳି ଅଟକାଇ ପାରିବ ନାହିଁ। ବାପା, ମୁଁ ଓ ତୋ ଭାଇ ସେଠାରେ ପହଞ୍ଚି ଦେଖିଲା ବେଳକୁ ଅଫିସ କ୍ୱାର୍ଟରରେ ରହିବାର ବନ୍ଦୋବସ୍ତ ହୋଇଥାଏ। ଅସୁବିଧା କିଛି ନାହିଁ, ସେମିତି ଦେଖିବାକୁ ଗଲେ ଡ଼ର ଖାଲି ଯାହା ସେଇ ମୁଖା ପିନ୍ଧା ଦୁଇ ଗୋଡ଼ିଆ ରାକ୍ଷସକୁ। ଆତଙ୍କବାଦୀ ମାନଙ୍କ ଡ଼ରରେ ମୁଁ ତୋ ଭାଇକୁ କେବେ ହେଲେ ଏକୁଟିଆ କୁଆଡ଼େ ଛାଡ଼େ ନାହିଁ କି ଛାଡ଼ି ଯାଏ ନାହିଁ। ଥରେ ବାପା ତୋର ଜିଦ୍ କରି ବସିଲେ, କେତେ ଦିନ ଏମିତି ଡ଼ରି ଡ଼ରି ରହିବ, ସମସ୍ତେ ବୁଲାବୁଲି କରୁଛନ୍ତି।ଆମେ ବି ଯିବା ବୁଲିବାକୁ। ଏଇଠି ପାଖରେ ଗୋଟିଏ ସୁନ୍ଦର ଉପତ୍ୟକା ଅଛି। ପରିଭ୍ରମଣ ସହିତ କାଶ୍ମୀରର କିଛି ସ୍ମୃତି ସାଉଁଟି ନେବା। ଏମିତି ସ୍ଥିର କରି ସେ ଯେନତେନ ପ୍ରକାରେ ମୋର ସମ୍ମତି ନେଇଗଲେ। ଆମେ ଦଶଟି ପରିବାର ଗୋଟିଏ ବସ୍ ରେ ଚାଲିଲୁ ବୁଲିବାକୁ। ମୋ ମନରେ କିନ୍ତୁ ଛନକା ଥାଏ, ମୁଁ ହୁସିଆର ହୋଇ ରହିଥାଏ। କିନ୍ତୁ ଭାଗ୍ୟର ଲିଖନ ବା କିଏ ଟାଳି ପାରିବ? ଯାହା ଡ଼ର ଥିଲା ସେଇଆ ହେଲା। ଅତର୍କିତ ଆକ୍ରମଣ ଆତଙ୍କବାଦୀ ମାନଙ୍କର। ସେମାନେ ଆମ ବସ୍ କୁ ବନ୍ଧୁକ ଦେଖାଇ ଅଟକାଇ ତିନି ଦିନ ଧରି ବନ୍ଧକ ରଖିଲେ। ସବୁ ଛୋଟ ଛୁଆ ମାନଙ୍କୁ ଛଡ଼ାଇ ନେଇଥିଲେ। ଆମେ ଭୋକ ଉପାସରେ ତିନି ଦିନ କାଟି ତ ଦେଲୁ, ଭଗବାନଙ୍କର ଦୟା ହେଲା ବୋଧହୁଏ, ସେମାନେ ରଖିଥିବା ସର୍ତ୍ତ ଆମ ସରକାର ମାନିଗଲେ। କିନ୍ତୁ ଯେଉଁ ଦଶଟି ପରିବାର ପାଖରୁ ଛୁଆଙ୍କୁ ଛଡ଼ାଇ ନେଇଥିଲେ, ସେମାନେ ଆଉ ଫେରିଲେ ନାହିଁ। ଶୁଣିବାକୁ ଧୈର୍ଯ୍ୟ ନ ଥିଲା, ଦେଖିବାକୁ ସାହସ ନ ଥିଲା। ଦଶ ଦଶଟି ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ, ସେ ପିଶାଚ ମାନେ। ଟିକିଏ ହେଲେ ଦୟା ହେଲା ନାହିଁ। ଏତିକି କହି ଭୋ ଭୋ ହୋଇ କାନ୍ଦି ପକେଇଲେ ସୋନିର ମାଆ। ସୋନି ମଧ୍ୟ ମାଆଙ୍କୁ କୁଣ୍ଢେଇ ଧରି କାନ୍ଦି ପକେଇଲା। ସତରେ ମାଆ ମୋର ଗୋଟିଏ ବଡ଼ ଭାଇ ବି ଥିଲା! ଭଗବାନ ଏତେ ନିଷ୍ଠୁର ମୋ ଆସିବା ଆଗରୁ ହିଁ ତାକୁ ଛଡ଼ାଇ ନେଲେ। ତୁମେ କାନ୍ଦନି ମାଆ, ମୁଁ ବଡ଼ ହୋଇ ଏ ଅପରାଧ ପାଇଁ ସେ ଆତଙ୍କବାଦୀମାନଙ୍କୁ ନିଶ୍ଚୟ ଦଣ୍ଡ ଦେବି। ମୁଁ ଭାରତୀୟ ସୈନ୍ୟରେ ଯୋଗ ଦେଇ ମୋ ଭାଇର ହତ୍ୟାକାରୀ ଭାବରେ ସେମାନଙ୍କ ଠାରୁ ପ୍ରତିଶୋଧ ନେବି ନିଶ୍ଚୟ। ପ୍ରତିଜ୍ଞା କରୁଛି। ଏତିକି କହି ସୋନି ସେଠାରୁ ତା'ର ଭାଇର ଫଟୋ ଧରି ଉଠିଗଲା, ଯେଉଁ ଫଟୋ ତା ଭାଇର ଶେଷ ଫଟୋ ଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama