Santosh Kumar Nayak

Romance Tragedy

4  

Santosh Kumar Nayak

Romance Tragedy

ରତ୍ନ ମୁଦି

ରତ୍ନ ମୁଦି

5 mins
344


ତହସିଲ ଅଫିସ୍ ପାଖ ବରଗଛ ତଳେ ସକାଳୁ ଦଶରୁ ସନ୍ଧ୍ୟା ପାଞ୍ଚ ପର୍ଯ୍ୟନ୍ତ ବସିରହିଥାନ୍ତି ଜ୍ୟୋତିଷ ହରେକୃଷ୍ଣ ତ୍ରିପାଠୀ । ତଳେ ଏକ ମସିଣା ପକାଇ ସେଥିରେ ନୀଳ,ନାଲି, ସବୁଜ, ହଳଦିଆ ଆଦି ବିଭିନ୍ନ ରଙ୍ଗର ପଥର ମାନ ବିଛେଇ ଦେଇ ପାଖରେ ଏକ ପୁରୁଣା ପାଞ୍ଜି ଧରି ବସି ଥାଆନ୍ତି ସେ । ତହସିଲ ଅଫିସକୁ ବିଭିନ୍ନ କାମରେ ଆସୁଥିବା ଲୋକେ ତାଙ୍କୁ ହାତ ଦେଖାନ୍ତି । ଖାଲି ତହସିଲ ଅଫିସ୍ କାହିଁକି ଆଖ ପାଖର ବିଭିନ୍ନ ଚରିତ୍ର ତାଙ୍କ ପାଖରେ ଠୁଳ ହୁଅନ୍ତି । ତାଙ୍କ ଠାରୁ ଅତୀତ ଓ ଭବିଷ୍ୟତ ବାଣୀ ଶୁଣି ପ୍ରୀତ ହୁଅନ୍ତି ସେମାନେ । ଭାଗ୍ୟ ବଦଳିବାର ପ୍ରତିଶ୍ରୁତି ଦେଇ ସେ କାହାକୁ ରଙ୍ଗୀନ ପଥରଟିଏ ବଢେଇ ଦିଅନ୍ତି ତ କାହାକୁ ରୁଦ୍ରାକ୍ଷ ମାଳଟିଏ । ସ୍କୁଲ୍ ପିଲାମାନେ ପରୀକ୍ଷା ଫଳ ଜାଣିବାକୁ ଆସନ୍ତି, କଲେଜ୍ ପିଲାମାନେ ପ୍ରେମର ସଫଳତା ଜାଣିବାକୁ ଆସନ୍ତି, ବ୍ୟବସାୟୀମାନେ ବ୍ୟବସାୟରେ ଉନ୍ନତି ପାଇଁ ଆସନ୍ତି ଆଉ ଚାକିରିଆ ମାନେ ଚାକିରିରେ ପଦୋନ୍ନତି ବିଷୟରେ ବୁଝିବାକୁ ଆସନ୍ତି । କାହାକୁ କୋଉ ପ୍ରକାର କଥା କହି ସେମାନଙ୍କ ମନକୁ କିଣି ନିଅନ୍ତି ଜ୍ୟୋତିଷ ବାବୁ । ଶୁଖିଲା ମୁହଁ ନେଇ ଆସିଥିବା ମଣିଷଗୁଡାକ ଫେରିଲା ବେଳକୁ ସାଥିରେ ନିଜ ଓଠରେ ନେଇ ଯାଆନ୍ତି ଚେନାଏ ଚେନାଏ ହସ । ଏଇମିତି ତ୍ରିପାଠୀ ବାବୁଙ୍କ ଜ୍ୟୋତିଷ ବ୍ୟବସାୟ ବି ବହୁତ ଭଲ ଚାଲେ । 

    ଦିନକର କଥା । ସାକେତ ବୋଲି କଲେଜ୍ ପଢୁଆ ପିଲାଟିଏ ତାଙ୍କ ପାଖକୁ ଆସିଲା । ପିଲାଟିକୁ ଦେଖୁ ଦେଖୁ ଜ୍ୟୋତିଷ ମହାଶୟ ଜାଣି ଗଲେ ଏହା ନିଶ୍ଚେ ପ୍ରେମ ବ୍ୟାପାର । 

ସାକେତ ଜ୍ୟୋତିଷଙ୍କ ଆଡ଼କୁ ହାତ ଦେଖେଇ କହିଲା -”ଜ୍ୟୋତିଷ ଆଜ୍ଞା, ଦେଖିଲେ ମୋ ହାତ । ମୋ ଭାଗ୍ୟରେ ମୋନିକା ଅଛି ତ?”ଜ୍ୟୋତିଷ କହିଲେ -”ଶୁଣ ବାବୁ । ତୁମ ରାଶିରେ ବର୍ତ୍ତମାନ ଶୁକ୍ର ସାମାନ୍ୟ ଦୁର୍ବଳ ଥିବାରୁ ପ୍ରେମରେ ବିଫଳ ହେବାର ସୂଚନା ମିଳୁଛି । କିନ୍ତୁ ବ୍ୟସ୍ତ ହେବାର କିଛି ନାହିଁ । ଏଇ ନିଅ ପୋଖରାଜ୍ । ଅତି ଦୁର୍ଲଭ ରତ୍ନ । ଏହାକୁ ତର୍ଜନୀ ଆଙ୍ଗୁଠିରେ ଧାରଣ କର, ଦେଖିବ ମୋନିକା ନିଜେ ଆସି ତୁମକୁ ପ୍ରେମ ନିବେଦନ କରିବ । କିନ୍ତୁ ଏଥିପାଇଁ ତୁମକୁ ମୋତେ ଦଶ ହଜାର ଟଙ୍କା ଦେବାକୁ ପଡ଼ିବ ।”

    ସାକେତ ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା । ଘରେ ବାପା ଆଉ ସାନ ଭଉଣୀ କୁନି । ପିଲାଟି ଦିନରୁ ମାଆକୁ ହରେଇଛି । ବାପା ବହୁ କଷ୍ଟରେ ତାକୁ ପାଠ ପଢେଇ ବଡ଼ କରିଛନ୍ତି । ବାପାଙ୍କ ଆଶା ପୁଅ ପାଠ ପଢି ସରକାରୀ ଚାକିରୀଟିଏ କରିବ । ହେଲେ ପୁଅ ମୋନିକା ପ୍ରେମରେ ଅନ୍ଧ । ମୋନିକାକୁ ସେ ଏକ ତରଫା ଭଲ ପାଏ । ମୋନିକା କିନ୍ତୁ ସାକେତକୁ ଜଣେ ଭଲ ବନ୍ଧୁ ବୋଲି ଭାବେ । ସାକେତ ଶୁଣିଛି ବନ୍ଧୁତାରୁ ହିଁ ପ୍ରେମର ଆରମ୍ଭ । କିନ୍ତୁ ତାକୁ କେବେ ମୁହଁ ଖୋଲି ଭଲ ପାଏ ବୋଲି କହି ପାରିନି । ସେଥିପାଇଁ ତ ପ୍ରେମର ସଫଳତା ପାଇଁ ଜ୍ୟୋତିଷଙ୍କ ଆଶ୍ରୟ ନେଇଛି । ଦଶ ହଜାର ଟଙ୍କା କଥା ଶୁଣି ମୁଣ୍ଡରୁ ଗମ୍ ଗମ୍ ଝାଳ ବହିଗଲା ସାକେତର । ତଥାପି ପ୍ରେମର ସଫଳତା ପାଇଁ ସେ ଯେକୌଣସି ପ୍ରକାରେ ହେଉ ଟଙ୍କା ଯୋଗାଡ କରିବ ଭାବି ଜ୍ୟୋତିଷଙ୍କୁ କହିଲା -”ଆଜ୍ଞା, ଆପଣ ଏ ରତ୍ନଟି ରଖିଥାନ୍ତୁ । ମୁଁ ଆସନ୍ତା ସପ୍ତାହରେ ଆସି ଟଙ୍କା ଦେଇ ଆପଣଙ୍କ ଠାରୁ ଏ ରତ୍ନ ନେଇଯିବି ।”ଏତିକି କହି ସେଠାରୁ ଚାଲିଗଲା ସାକେତ । ହେଲେ ଏତେ ଗୁଡାଏ ଟଙ୍କା ଯୋଗାଡ କରିବ କେମିତି ? ସେ ଆଗ ଅପେକ୍ଷା ଅଧିକ ଗମ୍ଭୀର ଦେଖା ଯାଉଥିଲା । କଲେଜରେ ବନ୍ଧୁମାନଙ୍କ ସହ କଥା ହେବା କମି ଯାଇଥିଲା । ଦିନ ରାତି ଟଙ୍କା ଯୋଗାଡ କରିବାର ଚିନ୍ତା ତାକୁ ଭିତରୁ ଭିତରୁ ଦୁର୍ବଳ କରି ଦେଉଥିଲା । ତଥାପି ମୋନିକାକୁ ପାଇବାର ନିଶା ଉତୁରୁ ନ ଥିଲା । 

   ଏମିତି କିଛି ଦିନ ଚାଲିଗଲା । ଦିନେ ରାସ୍ତାରେ ଯାଉଥାଏ, ହଠାତ୍ ତାର ଦେଖା ହେଇଗଲା ଜଣେ ପୁରୁଣା ବନ୍ଧୁ ବିକାଶ ସହ । ବିକାଶକୁ ଦେଖି ସାକେତ ଖୁସି ତ ହେଲା, କିନ୍ତୁ ସେଇ ଟଙ୍କା ଚିନ୍ତା ତାକୁ ଭିତରୁ ଭିତରୁ ମାଡ଼ି ବସୁଥିଲା । ବିକାଶ ଜାଣି ପାରିଲା କିଛି ଗୋଟେ ଗଡବଡ୍ ଅଛି । 

ବିକାଶ ପଚାରିଲା -”ସାଙ୍ଗ । କଣ ହେଇଛି ତୋର ? ତୁ ତ ପୁରା ଅଲଗା ଲାଗୁଛୁ ।”

କୁହାଯାଏ ବନ୍ଧୁକୁ ମନ କଥା କହିଦେଲେ, ମନ ହାଲ୍କା ଲାଗେ । ସାକେତ କହିଲା,”ସାଙ୍ଗରେ ମୋତେ ଦଶ ହଜାର ଟଙ୍କା ଦରକାର ।”

ବିକାଶ ପଚାରିଲା,”ଏତେ ଟଙ୍କା ତୁ କଣ କରିବୁ?”

ସାକେତ ପ୍ରକୃତ କଥା ଲୁଚେଇ କହିଲା,”ବାପାଙ୍କ ଅପରେସନ ପାଇଁ ଦରକାର ଅଛି ।”

ବିକାଶ କହିଲା,”ହଉ ଠିକ୍ ଅଛି, ଚାଲ୍ । ମୁଁ ତୋତେ ଦଶ ହଜାର ଟଙ୍କା ଦେଉଛି । ବାପାଙ୍କ ଅପରେସନ ସରିଲେ ସୁବିଧା ସୁଯୋଗ ଦେଖି ଫେରେଇ ଦେବୁ ।”

ସାକେତ କହିଲା -”ହଁ ରେ ଭାଇ । ନିଶ୍ଚିତ ଫେରେଇ ଦେବି । ସତରେ ତୁ ହିଁ ମୋର ବେଷ୍ଟ୍ ଫ୍ରେଣ୍ଡ୍ ।”

ତା ପରେ ଦୁହେଁ ମିଶି ପାଖ ଏ. ଟି.ଏମ୍.କୁ ଗଲେ । ସଙ୍ଗେ ସଙ୍ଗେ ବିକାଶ ଟଙ୍କା ଉଠେଇ ସାକେତ ହାତରେ ବଢେଇ ଦେଲା । ତା ପରେ ସାକେତ ଠାରୁ ବିଦାୟ ନେଇ ସେ ନିଜ ଘରକୁ ଚାଲି ଗଲା । 

    ଦଶ ହଜାର ଟଙ୍କା ପାଇ ସାକେତକୁ ଲାଗିଲା ସତେ ଯେମିତି ତାକୁ କୋଟି ନିଧି ମିଳିଗଲା । ସେ ଏକ ମୁହାଁ ହୋଇ ଦୌଡ଼ି ଗଲା ଜ୍ୟୋତିଷଙ୍କ ପାଖକୁ । ତାଙ୍କୁ ଟଙ୍କାତକ ବଢେଇ ଦେଇ ପୋଖରାଜ୍ ରତ୍ନଟିକୁ ମାଗିଲା । 

ଜ୍ୟୋତିଷ ତାକୁ ରତ୍ନଟି ଦେଇ କହିଲେ,”ଆସନ୍ତା ଶୁକ୍ରବାର ଦିନ ଏହାକୁ ରୂପା ମୁଦିରେ ଯୋଖି ତର୍ଜନୀ ଆଙ୍ଗୁଠିରେ ଧାରଣ କରିବ ।”

ସାକେତ ହସ ହସ ମୁହଁରେ କହିଲା,”ହଁ ଆଜ୍ଞା । ସେୟା ହିଁ କରିବି ।”ତାପରେ ଅପେକ୍ଷା ଶୁକ୍ରବାରକୁ । 

    ଅପେକ୍ଷାର ଅନ୍ତ କରି ଶୁକ୍ରବାର ଆସି ପହଞ୍ଚିଲା । ସକାଳୁ ସକାଳୁ ସାକେତ ଗାଧୋଇ ପାଧୋଇ ଠାକୁରଙ୍କୁ ପ୍ରାର୍ଥନା କରି ଜ୍ୟୋତିଷ କହିବା ମୁତାବକ ତର୍ଜନୀ ଆଙ୍ଗୁଠିରେ ରତ୍ନ ମୁଦିଟିକୁ ଧାରଣ କରି କଲେଜ୍ ଯିବାକୁ ବାହାରୁଥିଲା, ହଠାତ୍ ତା ମୋବାଇଲ ବାଜି ଉଠିଲା । ଦେଖିଲା ବିକାଶ କଲ୍ କରିଛି । 

ଫୋନ୍ ଉଠେଇ କହିଲା -”ହ୍ୟାଲୋ ବିକାଶ, କହ କଣ ଖବର?"

ବିକାଶ କହିଲା -”ଭାଇ ଗୋଟେ ଗୁଡ୍ ନିଉଜ୍ ଅଛି । ଆସନ୍ତା ରବିବାର ମୋର ନିର୍ବନ୍ଧ । ତୁ ଆସିବୁ ତ?

ସାକେତ କହିଲା -”ଆରେ, କଂଗ୍ରେଚୁଲେସନ୍ । ତୋ ନିର୍ବନ୍ଧ, ଆଉ ମୁଁ ଆସିବିନି । ନିଶ୍ଚୟ ଆସିବି ସାଙ୍ଗ ।”

ବିକାଶ -”ନିଶ୍ଚୟ ଆସିବୁ ହେଲା । ରହୁଛି । ବାୟ । 

ସାକେତ -”ବାୟ ବ୍ରୋ ।”

ତାପରେ ସାକେତ ହାତରେ ପିନ୍ଧିଥିବା ରତ୍ନ ମୁଦିଟିକୁ ଦେଖି ଦେଖି କଲେଜ୍ ଗଲା । ଦେଖିଲା ମୋନିକା ଆସିନି । ଭାବିଲା -' ହଉ, ଆଜି ନ ଆସୁ । କାଲି ତ ଆସିବ ।”

ଶନିବାର ବି ସେମିତି ଗଲା । ମୋନିକା କଲେଜ୍ ଆସିନି । ତଥାପି ସାକେତ ବିଲକୁଲ୍ ବି ବ୍ୟସ୍ତ ହେଲାନି । ଆଜି ନ ହେଲେ କାଲି ତ ଆସିବ । ଆରେ, ଏବେ ତ ତା ପାଖରେ ରତ୍ନ ମୁଦି ଅଛି । ଟୋକି ଭଲ ନ ପାଇ ଯିବ କୁଆଡେ ?

ଆଜି କାଲି ସାକେତକୁ ରାତିରେ ଭଲ ନିଦ ହେଉଛି । ରତ୍ନ ମୁଦି ପରା ଅଛି । ପ୍ରିୟତମା ମୋନିକାକୁ ନେଇ ସେ ଆଉ ବିରହ ସ୍ୱପ୍ନ ଦେଖୁନି । ଆରେ ରତ୍ନ ମୁଦି ପରା ଅଛି । 

 ରାତି ପାହି ସକାଳ ହେଲା । ରବିବାର । ମନେ ପଡିଗଲା ବନ୍ଧୁ ବିକାଶର ନିର୍ବନ୍ଧ କଥା । ରେଡି ହେଇ ବିକାଶ ଦେଇଥିବା ଠିକଣାରେ ଯାଇ ଯଥା ସମୟରେ ପହଞ୍ଚି ଗଲା । 

ଖୁସିରେ ଆତ୍ମହରା ହୋଇ ବେଷ୍ଟ ଫ୍ରେଣ୍ଡ୍ ର ହାତ ଧରି କହିଲା,”ମେନି ମେନି ହେପି ରିଟର୍ଣ୍ଣସ୍ ଅଫ୍‌ ଦି ଡେ ।”

ବିକାଶ କହିଲା - ଆସେ , ମୁଁ ତୋତେ ତ ଭାଉଜ ମାନେ ମୋ ଭାବୀ ପତ୍ନୀ ସହ ଭେଟ କରେଇ ଦେବି ।”

ସାକେତ ଖୁସିରେ ବିକାଶ ସହ ପାଖ ରୁମକୁ ଗଲା । 

ବିକାଶ କହିଲା -”ଦେଖେ ସାକେତ , ଏଇ ତୋର ଭାଉଜ ଶ୍ରୀମତୀ ମୋନିକା ପଟ୍ଟନାୟକ ।”

ସାକେତ ଅବାକ୍ ହେଇ ଚାହିଁ ରହିଥିଲା । ଏ ଥିଲା ସେଇ ମୋନିକା ଯାହାକୁ ପାଇବା ପାଇଁ ସାକେତ ତର୍ଜନୀ ଆଙ୍ଗୁଠିରେ ଧାରଣ କରିଥିଲା ରତ୍ନ ମୁଦିଟିଏ । ରାଗରେ ରତ୍ନ ମୁଦିଟି ଆଙ୍ଗୁଠିରୁ ବାହାର କରି କେଉଁ ଏକ କୋଣରେ ଫୋପାଡି ଦେଲା ଆଉ କାହାକୁ କିଛି ନ ଜଣେଇ ନିଜ ପ୍ରତିକ୍ରିୟା ଲୁଚେଇ ସାକେତ ସେଠାରୁ ଚାଲି ଆସିଲା । 

xxxx xxxx xxxx xxxx

ଏ ଭିତରେ ବିକାଶ ଆଉ ମୋନିକାର ବାହାଘର ସରିଗଲାଣି । ଆଉ ସାକେତ ବାକି ଟଙ୍କା ଶୁଝିବାକୁ ଏକ ଗ୍ୟାରେଜରେ କାମ କରୁଛି । 



Rate this content
Log in

Similar oriya story from Romance