ଫାସ୍ମୋଫୋବିଆ ( Phasmophobia)
ଫାସ୍ମୋଫୋବିଆ ( Phasmophobia)
ଦିନର ଗହଳିମାନ ଅନେକ ବେଳୁ ଶୋଇ ଗଲେଣି । ଅସ୍ମିତ ଆଖିକୁ ନିଦ ଲାଗୁ ନଥାଏ । ବାପା ବୋଉ ଗୋଟେ ବାହାଘରକୁ ଯାଇଛନ୍ତି । ପ୍ରାୟ ଦୁଇ ଘଣ୍ଟା ହେଲା ଶୋଇବାକୁ ପ୍ରୟାସ କରି ବିଫଳ ହେଲାଣି ସେ । ରାତି ପ୍ରାୟ ସାଢେ଼ ଦୁଇ । କଣ ବା କରିବ? ବାଲକୋନୀରେ ଆସି ଠିଆ ହେଲା । ଦେଖିଲା ଚାରିଆଡେ ଶ୍ମଶାନର ଶୂନ୍ୟତା । କେବଳ ବୁଲା କୁକୁର ମାନଙ୍କ ବିକଟାଳ ଶବ୍ଦ ରାତିର ନିରବତା କୁ ଭଙ୍ଗ କରିବାକୁ ଉଦ୍ୟତ। ଆକାଶକୁ ଚାହିଁଲା । ଅମାବାସ୍ୟା ଯୋଗୁଁ ଜହ୍ନ ତ ଅନୁପସ୍ଥିତ ଆଉ ସାମାନ୍ୟ ମେଘୁଆ ପାଗ ଯୋଗୁଁ ତାରା ମାନେ ବି କୁଆଡେ ଉଭାନ ହୋଇଯାଇଛନ୍ତି । ଖୁବ୍ ଅନ୍ଧାରୁଆ ରାତି । ତା ଘର ଭିତର ଆଲୁଅ ବ୍ୟତୀତ ସବୁ ଆଲୁଅ ବନ୍ଦ ହେଇ ଯାଇଛି । ଯୁଆଡ଼େ ଦେଖିଲେ ନିଛାଟିଆ ଲାଗୁଛି ଆଉ ପ୍ରତ୍ୟେକଟି ବସ୍ତୁ ଅଶରୀରୀର ଭ୍ରମ ସୃଷ୍ଟି କରୁଛି । ମନରେ ଭୟ ସଞ୍ଚାର ହେବା ସ୍ବାଭାବିକ । ଦୀର୍ଘ ନିଃଶ୍ୱାସ ମାରି ଜୋର୍ ଜୋର୍ ପାଦ ପକେଇ କୋଠରୀ ଭିତରକୁ ଫେରି ଆସିଲା ଅସ୍ମିତ । ରୁମର କବାଟ ଟିକୁ ଧଡ୍ କିନା ପକେଇ ଦେଇ ପୁଣି ଶୋଇବାକୁ ଚେଷ୍ଟା କଲା । ହେଲେ ଆଖି ବନ୍ଦ କଲେ ଭୂତ ପ୍ରେତଙ୍କ ପ୍ରାଦୁର୍ଭାବ ସେ ଅତି ନିକଟରେ ଅନୁଭବ କରୁଛି । ଆଖି ଖୋଲିଲେ ସାମାନ୍ୟ ଆଶ୍ୱସ୍ତି ! ହେଲେ ମନ ଭିତରେ ଘୁରି ବୁଲୁଥାଏ ଟିଭି ପରଦାରେ ଦେଖିଥିବା ପ୍ରତ୍ୟେକଟି ଭୂତ ପ୍ରେତଙ୍କ ଛବି । ଝରକା କାଚ ଦେଇ ବାହାରକୁ ଦେଖିବାକୁ ସାହସ ହେଉ ନ ଥିଲା । ଅସହ୍ୟ ଗରମ ସତ୍ତ୍ୱେ ଚଦରକୁ ଟାଣି ଆଣି ମୁହଁ ଘୋଡେ଼ଇ ଦେଲା । ତାକୁ ଲାଗିଲା ସତେ ଯେମିତି କେହି ଜଣେ ଚଦର ଉପରୁ ତା ବେକକୁ ମାଡ଼ି ବସିଛି । ସେ ଅଣନିଶ୍ଵାଃସୀ ହୋଇ ଚାଦରକୁ କାଢି ଫିଙ୍ଗିଦେଲା । ଦେଖିଲା କେହି ତ ନାହିଁ!!
ଅନେକ ଥର ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରି ଅସ୍ମିତ ବିଫଳ ହେଉଥିଲା । ଶେଷରେ ଅନ୍ୟ ଉପାୟ ନ ପାଇ ମୋବାଇଲରେ ପୁରୁଣା ଗୀତ ଲଗେଇଲା । ଟିକେ ଆଶ୍ୱସ୍ତି ଲାଗିଲା !! କେତେବେଳେ ଶୋଇପଡ଼ିଲା ସେ ନିଜେ ଜାଣିପାରିଲା ନାହିଁ ।
ତଥାପି ସ୍ୱପ୍ନରେ ସେଇ ଚରିତ୍ର ମାନେ ତାକୁ ଅସ୍ତବ୍ୟସ୍ତ କରୁଥିଲେ ।
ହଠାତ୍ କଲିଂ ବେଲ୍ ବାଜି ଉଠିଲା । ତାର ନିଦ ଭାଙ୍ଗିଗଲା । ସେ ଡରି ଡରି କବାଟ ପାଖରେ ପହଞ୍ଚିଲା । ଭୟରେ ଛାତି ଥରିଯାଉଥାଏ । କବାଟ ଖୋଲିବ ନା ନାହିଁ ?କିଏ ହେଇଥିବ ? ପୁଣି ରାମ ଗୋପାଲ ବର୍ମାଙ୍କ ଚଳଚ୍ଚିତ୍ରର ଚରିତ୍ର ମାନ ତା ମନକୁ ଚାଲି ଆସିଲେ । ଭାବିଲା ନା, ଯେତେ ଯାହା ହେଉ କବାଟ ଖୋଲିବ ନାହିଁ ।
ଗୀତ ବାଜି ବାଜି ଅନେକ ସମୟରୁ ମୋବାଇଲଟି ବନ୍ଦ ହେଇ ଯାଇଛି । କଲିଂ ବେଲ୍ ସେମିତି ବାଜୁଥିଲା । କିଛି ସମୟ ପରେ ବଡ଼ ଏକ ଶବ୍ଦ ହେଲା । ଅସ୍ମିତର ହୃଦ ସ୍ପନ୍ଦନ ହଠାତ୍ ବନ୍ଦ ହେଇଗଲା ଭଳି ଅନୁଭବ ହେଲା । ତା ପରେ ଦେଖିଲା କିଛି ଚିହ୍ନା ଆଉ ଅଚିହ୍ନା ମୁହଁ ଘର ଭିତରକୁ ପଶି ଆସିଛନ୍ତି । ଚିହ୍ନା ମୁହଁଗୁଡ଼ିକ ହେଲା ତା ବାପା, ବୋଉ ଆଉ ସାଙ୍ଗ ସମୀରର । ବୋଉ ତ ଭୋ ଭୋ ହେଇ କାନ୍ଦୁଥିଲା । ଆଉ ବାପା ପାଖକୁ ଆସି ଗାଲରେ ଏକ ଶକ୍ତ ଚାପୁଡ଼ା ଦେଇ କହିଲେ " ରାସ୍କେଲ୍ , ତୋର ଏତେ ନିଦ । ଦୀର୍ଘ ଅଧ ଘଣ୍ଟା ହେଲା କଲିଂ ବେଲ୍ ମାରି ମାରି ହାତ ଦରଜ ହେଲାଣି । ଶେଷରେ ଅନ୍ୟ ଉପାୟ ନ ପାଇ ଆମେ ପୋଲିସ୍ ସହାୟତାରେ କବାଟ ଭାଙ୍ଗି ଘରେ ପଶିଲୁ । ସମୟ କେତେଟା ହେଲାଣି ଜାଣିଛୁ । ସକାଳ ଆଠ । ଶୋଇଛୁ ତ ଶୋଇଛୁ, ମୋବାଇଲଟାକୁ ବନ୍ଦ କରିଛୁ କାହିଁକି ? ୟୁସ୍ ଲେସ୍ । ଆମକୁ ତ ପୁରା ଡରେଇ ଦେଇଥିଲୁ ।"
ଅସ୍ମିତ ଜାଣିପାରୁ ନ ଥିଲା, ପ୍ରକୃତରେ ସେ ଡରିଛି ନା କାହାକୁ ଡରେଇ ଦେଇଛି।।
Phasmophobia - The fear of ghost