Santosh Kumar Nayak

Abstract Romance Inspirational

3  

Santosh Kumar Nayak

Abstract Romance Inspirational

ଗୋଲାପର ଆତ୍ମକଥା

ଗୋଲାପର ଆତ୍ମକଥା

3 mins
11



ନମସ୍କାର ! ମୁଁ ଗୋଲାପ । ଆପଣମାନେ ମୋତେ ଜାଣନ୍ତି ମୋ ସୁନ୍ଦରତା ପାଇଁ, ମୋ ସୁଗନ୍ଧ ପାଇଁ ଆଉ କଣ୍ଟା ସହ ମିଶି ହସି ହସି ବଞ୍ଚି ଯାଉଥିବା ମୋର ମନବଳ ପାଇଁ । ହଁ, ପୃଥିବୀ ଯେତେବେଳେ ପ୍ରେମମୟ ହୋଇଉଠେ ମୋ ଚାହିଦା ଢେର୍ ବଢିଯାଏ । ପ୍ରେମିକଟି ମୋ ନାଲି ରଙ୍ଗକୁ ବାଛିନିଏ ତ ବନ୍ଧୁଟିଏ ମୋ ହଳଦୀ ରଙ୍ଗକୁ; ଆଉ ଶାନ୍ତି ପ୍ରତିଷ୍ଠା ପାଇଁ ମୁଁ ଖୋଜା ପଡେ ଧଳା ରଙ୍ଗରେ। ବେଳେବେଳେ ମୋ ଚାହିଦା ମୋତେ ଆଶ୍ଚର୍ଯ୍ୟାନ୍ବିତ କରେ ।


ଆସନ୍ତୁ, ମୁଁ ଆଜି ଆପଣଙ୍କୁ ମୋ କାହାଣୀ କହିବି । ଦିନକର କଥା । ପ୍ରେମିକ ଟିଏ ମୋତେ ତୋଳି ନେଲା ପ୍ରେମ ଦିବସରେ ତା ପ୍ରେମିକା କୁ ଉପହାର ଦେବା ଉଦ୍ଦେଶ୍ୟରେ । ଏକ ବନ୍ଦ ଲଫାପା ଉପରେ ଅଠା ଦେଇ ଅତି ସତର୍କତାର ସହ ମୋତେ ଜୋଖି ଦେଲା ଆଉ ଉପରେ ନାଲି ସ୍ୟାହି ରେ ଲେଖିଦେଲା ' ପ୍ରିୟା ମୁଁ ତୁମକୁ ଭାରି ଭଲପାଏ । କିନ୍ତୁ ଦୁର୍ଭଗ୍ୟବଶତଃ ସେଦିନ ମୁଁ ଧରା ପଡ଼ିଗଲି ପ୍ରେମିକାର ବାପାଙ୍କ ହାତରେ । କେଜାଣି କାହିଁକି ବାପା ମୋତେ ରାଗରେ ଟିକ ଟିକ୍ କରି ଫୋପାଡି ଦେଲେ ବାରଣ୍ଡା ଉପରେ । ଘରର ଚାକରାଣୀ ଆସି ଝାଡୁରେ ଓଳେଇ ମୋତେ ନେଇ ପକେଇ ଦେଲା ଡଷ୍ଟବିନ୍ ଭିତରେ । କିଛି ପଚା ଖାଦ୍ୟ ଆଉ ଆବର୍ଜନା ଭିତରେ ମୁଁ ଖୋଜି ଚାଲିଥିଲି ମୋ ଅସ୍ତିତ୍ବ। ମୋ ସୁଗନ୍ଧ ଆବର୍ଜନାର ଦୁର୍ଗନ୍ଧ ସହ ଜିତିବା ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲା । କିନ୍ତୁ ମୁଁ ହାରିଗଲି।


ଆଉ ଦିନକର କଥା । ସେଦିନ ମୋତେ ଲାଗିଥିଲା ମୁଁ ଠିକ୍ ଜାଗାରେ ପହଞ୍ଚି ଯାଇଛି । ପ୍ରେମିକାଟି ଓଠର ସ୍ପର୍ଶ ନେଇ ମୋତେ ସ୍ବାଗତ କରିଥିଲା । ଅନେକ ସମୟ ଧରି ମୋତେ ସ୍ନେହ ଦେଇଥିଲା । ମୁଁ ଭାବି ନେଇଥିଲି ଏହା ବୋଧେ ମୋର ସର୍ବୋତ୍ତମ ଉପଲବ୍ଧି। ମୁଁ ଖୁସିରେ ଆତ୍ମହରା ହୋଇ ଉଠୁଥିଲି । କିନ୍ତୁ କିଛି ସମୟ ପରେ ମୋତେ ଏକ ମୋଟା ଡାଏରୀ ର ମଝିରେ ରଖି ଦିଆଗଲା । ବନ୍ଦ ଡାଏରୀ ଭିତରେ ମୁଁ ଅଣନିଃଶ୍ୱାସୀ ହୋଇ ଯାଉଥିଲି । କିନ୍ତୁ ମଝିରେ ମଝିରେ ପ୍ରେମିକାଟି ଡାଏରୀ ଖୋଲି ମୋତେ ଚୁମ୍ବନ ଦେଉଥିଲା । ସେତିକିରେ ବି ମୁଁ ଖୁସି ହେଉଥିଲି । ଏମିତି କିଛି ଦିନ ଗଲା । ତାପରେ ମୁଁ ଆଉ ପାଇଲି ନାହିଁ ସେଇ ପ୍ରେମିକାର କଅଁଳ ଓଠର ସ୍ପର୍ଶ । ବନ୍ଦ ଡାଏରୀ ଭିତରେ ମୁଁ ବନ୍ଦୀ ହେଇ ରହିଲି। ନୂଆ ନୂଆ କାରାବରଣ କରିଥିବା କଏଦୀ କୁ ଦେଖିବା ପାଇଁ ଅନେକ ବନ୍ଧୁବାନ୍ଧବ କାରାଗାରକୁ ଆସନ୍ତି , କିନ୍ତୁ ଧିରେ ଧିରେ ଏ ଦୁନିଆ ତାକୁ ଭୁଲିଯାଏ । ଦିନେ ପ୍ରେମିକା ଟି ଡାଏରୀ ଖୋଲି ଢେର୍ କାନ୍ଦିଲା । ମୋତେ ଲାଗିଲା ଅନେକ ଦିନ ହେଲା ମୋ ସହ ସାକ୍ଷାତ ନ ହେଇଥିବା କାରଣରୁ ସେ କାନ୍ଦୁଛି । କିନ୍ତୁ ପରେ ଜାଣିବାକୁ ପାଇଲି ଯେ ସେ ପ୍ରେମିକ ସହ ତାର ବ୍ରେକ୍ ଅପ୍ ହେଇଛି । ତାପରେ ପୁଣି ଥରେ ମୋତେ ସେଇ ଡଷ୍ଟ ବିନ୍ ରେ ଫିଙ୍ଗି ଦିଆ ଯାଇଥିଲା ।


ଆଉ ଗୋଟିଏ କାହାଣୀ । ଆରେ ବିରକ୍ତ ହୁଅନ୍ତି ନାହିଁ । କହିବାକୁ ଅନେକ କାହାଣୀ ଥିଲେ ବି ଏହା ଆଜିର ଶେଷ କାହାଣୀ । ସେଦିନ ମୁଁ ଏକ ଫୁଲତୋଡ଼ା ର ସଦସ୍ୟଟିଏ ଥିଲି ଆଉ ମୋତେ ଉପହାର ସ୍ୱରୂପ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ହାତରେ ଧରେଇ ଦିଆ ଯାଇଥିଲା । ବ୍ୟକ୍ତି ଜଣକ କିଛି କ୍ଷଣ ଧରିବା ପରେ ମୋତେ ତାଙ୍କ ପିଅନ ହାତକୁ ବଢ଼େଇ ଦେଇଥିଲେ। ହାତରୁ ହାତ ଡେଇଁ ଡେଇଁ ମୁଁ ମୋର ଭାଗ୍ୟ ପରୀକ୍ଷା କରି ଚାଲିଥିଲି । ପିଅନ ଜଣକ ମୋତେ ନେଇ ସାର୍ ଙ୍କ ଟେବୁଲ୍ ଉପରେ ରଖିଦେଲା । ମୁଁ ସେଠାରେ କିଛି ଦିନ ପଡ଼ି ରହିଲି । ନୂଆ ନୂଆ ମୋତେ ସବୁ ଦେଖି ଚାଲିଥିଲେ । ଯେମିତି ନବ ଯୌବନା କିଶୋରୀ ଟିଏ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରେ, ମୁଁ ମଧ୍ୟ ସେମିତି ଅନେକ ଆଗନ୍ତୁକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲି । କିନ୍ତୁ କିଛି ଦିନ ପରେ ମୋ ରୂପ ମଉଳି ଗଲା । ମଣିଷ ମାନେ ମୋତେ ଆଉ ପସନ୍ଦ କଲେନି । ଆରେ! ରୂପ ତ କ୍ଷଣସ୍ଥାୟୀ! ସେଥିପାଇଁ ବୋଧେ ବୟସ ବଢିଲେ ଏ ମଣିଷଙ୍କ ପ୍ରେମ କମି ଯାଏ । ଶେଷରେ ସେଇ ଡଷ୍ଟ୍ ବିନ ହିଁ ହେଲା ମୋର ଠିକଣା ।


ଆରେ! ଜନ୍ମ ଅଛି ମାନେ ତ ମୃତ୍ୟୁ ବି ଅଛି । ଏହା ତ ଚିର ସତ୍ୟ । କିନ୍ତୁ ପ୍ରତ୍ୟେକ ଜନ୍ମରେ ମୋର ସେଇ ଏକା ଯନ୍ତ୍ରଣା !ମୋତେ ମୋର ପ୍ରକୃତି ସହ ଛାଡ଼ି ଦିଅନା । ଦେଖିବ! ମୁଁ ଫୁଟିବି, ମୁଁ ହସିବି, ମୁଁ ନାଚିବି, ମୁଁ ଝଡିବି ଆଉ ପୃଥିବୀ ମାଆର କୋଳରେ ଲୋଟିବି ଆଉ ପ୍ରତି ମୁହୂର୍ତ୍ତରେ ଠାକୁରଙ୍କ ପାଖରେ ତୁମର ମଙ୍ଗଳ କାମନା କରୁ ଥିବି ।



Rate this content
Log in

Similar oriya story from Abstract