ପବିତ୍ର ଶଙ୍ଖ
ପବିତ୍ର ଶଙ୍ଖ
ରାମ ବାବୁ ପ୍ରତିଦିନ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି କିଛି ସମୟ ପୂଜା ପାଠରେ ଲାଗି ପଡ଼ନ୍ତି । ପୂଜା ଆରମ୍ଭରେ ସେ ଶଙ୍ଖ ବଜାନ୍ତି । ଶଙ୍ଖର ପବିତ୍ର ଧ୍ଵନି ଘରର ବାତାବରଣକୁ ଆହୁରି ପବିତ୍ର କରିଦିଏ । ରାମ ବାବୁଙ୍କ ପୁଅ ଜଗା ଦୂରରେ ଥାଇ ବାପାଙ୍କ ପୂଜାପାଠ ଦେଖେ ।ତାର ବି ଇଚ୍ଛା ହୁଏ ସେ ବି ବାପାଙ୍କ ପରି ପୂଜା କରନ୍ତା; ବାପାଙ୍କ ପରି ଶଙ୍ଖ ବଜନ୍ତା । କିନ୍ତୁ ଜଗା ସକାଳୁ ଗାଧୋଇ ନ ଥାଏ, ତେଣୁ ବାପା ତାକୁ ପୂଜା ଗୃହକୁ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି ନାହିଁ ।
ଦିନେ ଭୋର୍ ସକାଳୁ ଜଗାର ନିଦ ଭାଙ୍ଗିଗଲା ।ସମସ୍ତେ ଶୋଇଥାନ୍ତି; ତାକୁ ଗୋଟିଏ ସୁଯୋଗ ମିଳିଗଲା । ସେ ଠାକୁର ଘରର ଶିକୁଳି ଫିଟାଇ ଭିତରକୁ ପଶିଗଲା । ତଳେ ଧଳା ରଙ୍ଗର ଶଙ୍ଖଟିଏ ଥୁଆ ହୋଇଥାଏ । ସେ କୁନି ହାତରେ ଶଙ୍ଖକୁ ଧରି ଫୁଙ୍କିବାକୁ ଆରମ୍ଭ କଲା । ଶଙ୍ଖଟି ପୁଁ ପୁଁ ବାଜି ଉଠିଲା । ଏହି ଶବ୍ଦରେ ରାମ ବାବୁଙ୍କ ନିଦ ଭାଙ୍ଗିଗଲା । ସେ ଠାକୁର ଘର ପାଖକୁ ଯାଇ ଜଗାକୁ ଡାକିଲେ, ଆଉ ତାକୁ ଗାଳି ଦେଇ କହିଲେ " ମୁଁ ତୋତେ ସ୍ନାନ ନ କରି ଠାକୁର ଘରେ ପଶିବାକୁ ମନା କରିଥିଲି ନା ! ପଶିଲୁ ତ ପଶିଲୁ, ପୁଣି ନ ଗାଧୋଇ ପବିତ୍ର ଶଙ୍ଖକୁ ଫୁଙ୍କିଲୁ କାହିଁକି ?"
ଜଗା ତା' ଭୁଲ ପାଇଁ ବାପାଙ୍କୁ କ୍ଷମା ମାଗିଲା । ବାପା କହିଲେ, " ହଉ, ଠିକ୍ ଅଛି । ଆଜିଠୁ ନ ଗାଧୋଇ ଠାକୁର ଘରେ ପଶିବୁନି କି ପବିତ୍ର ଶଙ୍ଖ ବଜେଇବୁନି ।"
" ହଁ ବାପା । ଏପରି ଭୁଲ ମୁଁ ଆଉ କେବେ ବି କରିବିନି ।" ଏହା କହି ଜଗା ଚାଲିଗଲା । କିନ୍ତୁ ସେ ମନେ ମନେ ଗୋଟିଏ କଥା ଭାବୁଥାଏ " ଶଙ୍ଖ ଏତେ ପବିତ୍ର କାହିଁକି?" ଏ ପ୍ରଶ୍ନର ଉତ୍ତର କିଏ ଜାଣିଥିବ? ଜଗାର ମନେ ପଡିଗଲା ପଡିଶା ଘର ଚମ୍ପି ଆଈ କଥା । ଚମ୍ପି ଆଈ ଅନେକ ପୁରାଣ ପଢନ୍ତି, ଅନେକ ଅଜଣା କଥା ବି ଜାଣନ୍ତି । ଜଗା ସଙ୍ଗେ ସଙ୍ଗେ ଆଈ ପାଖରେ ପହଞ୍ଚି ଗଲା ଆଉ କହିଲା-
"ଆଈ ଲୋ ଆଈ
ପଚାରିବି ତୋତେ କଥାଟି ମୁହିଁ
ପାରିବୁ କି ତୁହି କହି?"
ଆଈ କହିଲେ -
" ନାତିଆ ଟୋକା ରେ ନାତିଆ ଟୋକା
ଖୋଜୁଥିଲି ମୁହିଁ ଏଇ ମଉକା
କେତେ ବେଳେ ତୁହି ଆସିବୁ?
ଗପ ଶୁଣିବାକୁ ଜିଦି କରି ପୁଣି
ପାଖରେ ମୋହରି ବସିବୁ
ଖିଲି ଖିଲି ହୋଇ ହସିବୁ ।।
କି କଥା ପଚାରିବୁ ପଚାରୁନୁ । ଜାଣିଥିଲେ ତୋତେ ନିଶ୍ଚେ କହିବି ।"
ଜଗା କହିଲା - " ଆଈ, ଶଙ୍ଖ ଏତେ ପବିତ୍ର କାହିଁକି? "
ଆଈ କହିଲେ " ଓଃ, ଏଇ କଥା; ତେବେ ଶୁଣେ ।
ଆଈ ଆରମ୍ଭ କଲେ -
" ସତ୍ୟ ଯୁଗର କଥା । ଶଙ୍ଖଚୂଡ ନାମରେ ଜଣେ ରାକ୍ଷସ ଥିଲା । ଅନ୍ୟ ରାକ୍ଷସଙ୍କ ଭଳି ସେ ବି ଥିଲା ବଡ଼ ଅତ୍ୟାଚାରୀ । ତା' ପାଖରେ ଥିଲା ଶତ ହସ୍ତୀର ବଳ । ତା ଅତ୍ୟାଚାରରେ ତ୍ରିଲୋକବାସୀ ତ୍ରାହି ତ୍ରାହି ଡାକିବାକୁ ଲାଗିଲେ । ତେଣୁ ତାର ଅତ୍ୟାଚାରରୁ ତ୍ରିଲୋକକୁ ରକ୍ଷା କରିବା ପାଇଁ ଦେବାଧିଦେବ ମହେଶ୍ୱର ଶିବଶଙ୍କର ତ୍ରିଶୂଳ ପ୍ରହାର କରି ତାକୁ ବଧ କଲେ । କିନ୍ତୁ ମୃତ୍ୟୁ ସମୟରେ ଶଙ୍ଖଚୂଡ ବିଷ୍ଣୁଙ୍କ ଧ୍ୟାନରେ ମଗ୍ନ ଥିଲା । ତେଣୁ ମୃତ୍ୟୁ ପରେ ତାର ଆତ୍ମା ବୈକୁଣ୍ଠକୁ ଗଲା । ଏଣେ ଶିବ ତ୍ରିଶୂଳକୁ ପଠାଇ ଶଙ୍ଖଚୂଡର ସମସ୍ତ ଅସ୍ଥି ନେଇ ଆସିଲେ । ଶିବଙ୍କ ଆଜ୍ଞା ପାଇ ତ୍ରିଶୂଳ ସେହି ଅସ୍ଥି ଗୁଡ଼ିକୁ ନେଇ ମହା ସମୁଦ୍ରରେ ପକାଇ ଦେଲା । ସେହି ଅସ୍ଥି ଖଣ୍ଡ ମାନଙ୍କରୁ ଶଙ୍ଖ ମାନ ଜାତ ହେଲେ । ଯେହେତୁ ମୃତ୍ୟୁ ପୂର୍ବରୁ ଶଙ୍ଖଚୂଡ ବିଷ୍ଣୁଙ୍କ ଧ୍ୟାନରେ ମଗ୍ନ ଥିଲା, ତେଣୁ ତାର ସମ୍ପୂର୍ଣ୍ଣ ଶରୀର ପବିତ୍ର ହେଇ ଯାଇଥିଲା । ସେହି ଦିନ ଠାରୁ ଶଙ୍ଖଚୂଡ ଅସ୍ଥିରୁ ଜାତ ଶଙ୍ଖକୁ ମଧ୍ୟ ପବିତ୍ର ବୋଲି କୁହାଗଲା । ତେଣୁ ଶଙ୍ଖ ଫୁଙ୍କିଲେ ଓଁ ଉଚ୍ଚାରଣ ହେଲା ଭଳି ମଧ୍ୟ ଶୁଣାଯାଏ ।
ଏଥର ବୁଝିଲୁ ତ ଶଙ୍ଖ କାହିଁକି ଏତେ ପବିତ୍ର!" ଚମ୍ପି ଆଈ ଜଗାକୁ ଚାହିଁ କହିଲେ ।
ଜଗା କହିଲା " ହଁ ଆଈ , ଆଜିଠୁ ମୁଁ ସ୍ନାନ ନ କରି ପବିତ୍ର ଶଙ୍ଖକୁ ଛୁଇଁବି ନାହିଁ ।"