Santosh Kumar Nayak

Abstract Horror Tragedy

4  

Santosh Kumar Nayak

Abstract Horror Tragedy

ଗାଆଁକୁ ଫେରୁଥିବା ଶେଷ ଟ୍ରେନ

ଗାଆଁକୁ ଫେରୁଥିବା ଶେଷ ଟ୍ରେନ

3 mins
272


ବୋଉର ଦେହ ଭଲ ନାହିଁ ବୋଲି ଟେଲିଗ୍ରାମ ଆସିଥିଲା । ତେଣୁ ଅଫିସ୍ କାମ ଜଲଦି ସାରି ଗାଆଁକୁ ଯିବାକୁ ମନସ୍ଥ କଲି। ହେଲେ କାମ ସରୁ ସରୁ ସନ୍ଧ୍ୟା ସାତ। ପିଅନ ମୋତେ ନେଇ ରେଳ ଷ୍ଟେସନ୍ ରେ ଛାଡି ଦେଲା । ଷ୍ଟେସନ୍ ରେ ବସି ମୁଁ ଅପେକ୍ଷା କଲି ମୋ ଗାଆଁକୁ ଫେରୁଥିବା ଶେଷ ଟ୍ରେନଟିକୁ ।


ହଠାତ୍ ସେଇ ପରିଚିତ ମହିଳାର ସ୍ୱର ଶୁଭିଲା, " ଯାତ୍ରୀ ମାନେ ଦୟାକରି ଧ୍ୟାନ ଦିଅନ୍ତୁ ।ଗାଡ଼ି ସଂଖ୍ୟା ଏକ ଆଠ ଚାରି ଚାରି ସାତ ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ କିଛି ସମୟ ମଧ୍ୟରେ ତିନି ନମ୍ବର ପ୍ଲାଟଫର୍ମ ରେ ପହଞ୍ଚିବ ।" ମହିଳାଟିର ହିନ୍ଦୀ ଆଉ ଇଂରାଜୀ ଅପେକ୍ଷା ଓଡ଼ିଆ ବାର୍ତ୍ତା ଟି ମୋତେ ଖୁବ୍ ଭଲ ଲାଗେ । ମୁଁ ମୋ ବ୍ୟାଗ୍ ଟିକୁ ସଜାଡି ଦେଲି ଆଉ ଟ୍ରେନ ଚଢିବା ପାଇଁ ପ୍ରସ୍ତୁତ ହେଲି।  


ଟ୍ରେନ ଆସି ଲାଗିଲା ପ୍ଲାଟଫର୍ମ ନମ୍ବର ତିନିରେ । ଏସ୍ ୪ ବଗିର ୩୩ ନମ୍ବର ସାଇଡ ଲଏର୍ ସିଟ ଟି ଥିଲା ମୋ ପାଇଁ ସଂରକ୍ଷିତ । ଛୁକ୍ ଛୁକ ଶବ୍ଦ କରି ଟ୍ରେନଟି ମାଡ଼ି ଚାଲିଲା ଆଗକୁ ଆଗକୁ । ରାତ୍ରି ଯେତେ ଯେତେ ବଢୁଥିଲା, ଯାତ୍ରୀଙ୍କ କୋଳାହଳ ସେତେ ସେତେ କମିବାକୁ ଲାଗିଲା । ଦୁଇଟି ସିଙ୍ଗଡ଼ା ଆଉ ଅଧ ବୋତଲ ପାଣି ପିଇ ମୁଁ ଶୋଇଗଲି ଗଭୀର ନିଦରେ ।


କିଛି ସମୟ ପରେ କୌଣସି ଏକ ଷ୍ଟେସନରେ ଗାଡ଼ି ଅଟକିଲା ।    ନୀଳ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପିନ୍ଧା ଜଣେ ବୟସ୍କ ମହିଳା ଆସି ମୋ ସଂରକ୍ଷିତ ସିଟ ର ଏକ ପାଖରେ ବସିଲେ । ମୋତେ ଅସଂଯତ ଅନୁଭୂତ ହେଇଥାଏ, ତଥାପି ସୌଜନ୍ୟ ଦୃଷ୍ଟିରୁ ଉଠନ୍ତୁ ବୋଲି ମୁହଁ ଖୋଲି କହିବାକୁ ସାହସ ହେଲାନି। 

ମହିଳା ଜଣକ ପଚାରିଲେ, " ବାବୁ ! କେମିତି ଅଛୁ? " ତାଙ୍କ ପ୍ରଶ୍ନ ଶୁଣି ମୁଁ ଆଚମ୍ବିତ ହେଲି ।  ମୁଁ ତାଙ୍କୁ ଜାଣେନା, କିନ୍ତୁ ତାଙ୍କ ସ୍ଵରରେ ଏତେ ଆପଣାପଣ କାହିଁକି? 

କହିଲି, " ଭଲ ଅଛି, ଆଚ୍ଛା ! ଆପଣ ମୋତେ ଜାଣନ୍ତି? " ମହିଳା ଜଣକ ହସି ଉଠିଲେ । କହିଲେ, " ମୁଁ ଯାହାକୁ ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଛି, ମୁଁ ତାକୁ ଜାଣିବିନି ।"


" ତୁ ଜନ୍ମ ହେଲୁ ବୋଲି ତୋ ବାପା ଗାଆଁ ସାରା ମିଠା ବାଣ୍ଟିଥିଲେ; ତୋର ଏକୋଇଶିଆ ଦିନ ତ ଭୋଜି ଭାତରେ ଗାଆଁ ଦାଣ୍ଡ ଭାସି ଯାଇଥିଲା । ତୋର ଯେବେ ଖଡ଼ି ଛୁଆଁ ହେଲା, ବାପା ମୁଁ କେତେ ଖୁସି ହୋଇଥିଲୁ ତୁ ଜାଣିବୁନି! ତୋ ହାତରେ ପ୍ରଥମ ଅକ୍ଷର ମୁଁ ଲେଖେଇଥିଲି। ତୁ ଧିରେ ଧିରେ ବଡ଼ ହେଲୁ । ତୁ ରାତି ଅନିଦ୍ରା ହେଇ ପାଠ ପଢ଼ୁ, ଆଉ ମୁଁ ମୋ ନିଦକୁ ପାସୋରି ଯାଏ । ତୁ ମେଟ୍ରିକ୍ ପରୀକ୍ଷାରେ ପ୍ରଥମ ହେଲୁ , କଲେଜ୍ ପଢ଼ିଲୁ । ସେତେବେଳେ ତ ୟୁନିଫର୍ମ ନଥାଏ। ତିନି ଚାରି ହଳ ଜାମା ନ ହେଲେ ତୁ କଲେଜ୍ ଯିବୁ କେମିତି? ସାଥୀ ପିଲାଙ୍କ ସହ ସମାନ ହେବୁ କେମିତି ? ମୋ ଗହଣା ବନ୍ଧକ ରଖି ତୋ ପାଇଁ ଡ୍ରେସ୍ କିଣିଲି । ଏମିତି କଷ୍ଟେ ମଷ୍ଟେ ତୋ କଲେଜ୍ ପାଠ ସରିଲା । ତୁ ସହରରେ ଚାକିରୀ କଲୁ । ଏ ଭିତରେ ତୋ ବାପା ଚାଲିଗଲେ । ତୋ ସହରିଆ ସରକାରୀ କ୍ୱାର୍ଟର ରେ ମୋତେ ନେଇ ରଖିଲୁ । ବାପା ଥିଲା ବେଳେ ହିଁ ତୋ ବାହା ଘର ସାରି ଦେଇଥାନ୍ତି । ବୋହୂ ତୁ ଆଉ ମୁଁ ସହରରେ ରହିଲୁ । କିଛି ଦିନ ଉତାରୁ ମୁଁ କହିଲି, " ମୋତେ ସହର ଭଲ ଲାଗୁନି । ଗାଆଁରେ ନେଇ ଛାଡ଼ିଦେ ।" ତୁ ମନା କଲୁ ସତ, ହେଲେ କାରଣ ଖୋଜିଲୁନି । ତା ପରଠୁଁ ମୁଁ ଗାଆଁ ରେ ଆସି ରହିଲି ।"


ବୋଉ ବୋଲି ଚିତ୍କାର କରି ମୁଁ ନିଦରୁ ଉଠିଲି । ଅବଶ୍ୟ ଟ୍ରେନ ଶବ୍ଦରେ ମୋ ଚିତ୍କାର କାହାକୁ ଶୁଭି ନ ଥିବ । ବୋଉ କାହିଁ? ଆରେ ମୋ ବୋଉ ତ କେବେ ଅଭିଯୋଗ କରିନି, କେବେ ପ୍ରତିବାଦ କରିନି । ମୁଁ ସ୍ୱାର୍ଥପର । ବୋଉର ମନ କଥା କେବେ ବି ବୁଝିନି। ସତରେ କଣ ବୋଉ ସହରରେ ରହିବାକୁ ପସନ୍ଦ କରୁ ନ ଥିଲା ! କେବେ ଜାଣିବାକୁ ଚେଷ୍ଟା ବି କରିନି । ଏମିତି ସ୍ବପ୍ନ କେବେ ଦେଖିନି କି ଏମିତି ଭାବନା କେବେ ଆସିନି। ଖାଲି ମାସକୁ ପାଞ୍ଚ ସହ ଟଙ୍କା ବୋଉ ପାଖକୁ ପଠାଇ ଦିଏ ଆଉ ଭାବି ନିଏ,ଏତିକି ଟଙ୍କା ବୋଉ ପାଇଁ ଢେର୍ !


ଟ୍ରେନଟି ଆସି ମୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଗଲା । ଟ୍ରେନରେ ଓହ୍ଲାଇ ଗୋଟେ କିଲୋମିଟର ପାଦଚଲା ରାସ୍ତାରେ ଗଲେ ମୋ ଗାଆଁ । ଚାଲିଲି, ବାଟରେ ଯିଏ ଦେଖିଲା ସିଏ ପଚାରିଲା , "ଆସିଲୁ କି ରେ ବାପା! " ସମସ୍ତଙ୍କ ଚେହେରା ବିବର୍ଣ୍ଣ । କାହାରି ମୁହଁରେ ହସ ନାହିଁ । ଆଗରୁ ଯେଉଁ ମାନେ ମୋତେ ହସି ହସି ସ୍ଵାଗତ କରନ୍ତି, ଆଜି ସେମାନେ ବାକ୍ ଶୂନ୍ୟ । ମୋ ମନକୁ ପାପ ଛୁଇଁଲା । ପାଦର ଗତିକୁ ତୀବ୍ରତର କରି ପହଞ୍ଚି ଗଲି ମୋ ଘର ପାଖରେ । ଏତେ ଲୋକଙ୍କ ଭିଡ଼ କାହିଁକି? ଭିଡ଼ ହଟେଇ ଭିତରକୁ ଗଲି। ସେଇ ନୀଳ ରଙ୍ଗର ସମ୍ବଲପୁରୀ ଶାଢ଼ୀ ପିନ୍ଧି ଦଉଡ଼ିଆ ଖଟରେ ଶୋଇଛି ବୋଉ। ଡାକିଲି , "ବୋଉ ! ଉଠ । ମୁଁ ଆସିଛି ।" ହେଲେ ବୋଉ ଉଠିଲାନି ! ମୋ ସ୍ୱାର୍ଥ ପର ଆଖି ଦୁଇଟି ଅଯଥାରେ ମୂଲ୍ୟହୀନ ଲୁହ ଧାର ଗଡ଼େଇ ଚାଲିଥିଲେ । ମୁଁ ବୋଉର ଲୁହ ଦେଖିନି, ସେ କାହିଁକି ମୋ ଲୁହ ଦେଖିଥାନ୍ତା ଯେ !

ମୋ ଗାଆଁକୁ ଫେରୁଥିବା ଶେଷ ଟ୍ରେନରେ ହିଁ ମୋ ବୋଉ ସହ ଶେଷ କଥା ହେବାର ସୁଯୋଗ ପାଇ ଥିଲି । ବୋଉ ଯିବା ଦିନଠାରୁ ମୁଁ ଆଉ ସେଇ ଶେଷ ଟ୍ରେନ୍ ଟିକୁ ଅପେକ୍ଷା କରିନି ।



Rate this content
Log in

Similar oriya story from Abstract