ବିବାହ ବାର୍ଷିକୀ
ବିବାହ ବାର୍ଷିକୀ
ରିକ୍ସା ଚଳେଇ ଗୁଜୁରାଣ ମେଣ୍ଟାଉଥିବା ଲୋକଟିର ସ୍ୱପ୍ନ ବୋଲି ଯେ କିଛି ଥାଏ ସେକଥା ମନରୁ ପାଶୋରି ଯାଇଥିଲି । ହେଲେ ସେଦିନ ରିକ୍ସା ପଛରେ ବସିଥିବା ଦମ୍ପତ୍ତିଙ୍କ କଥା ବାର୍ତ୍ତା ଶୁଣି ସ୍ୱପ୍ନ ଦେଖିବାକୁ ଇଚ୍ଛା ହେଲା ।
ସ୍ୱାମୀ ଜଣକ କହୁଥାନ୍ତି - " ଏଥର ବିବାହ ବାର୍ଷିକୀ ଏମିତି ପାଳିବା ଯେ ତାହା ଚିରକାଳ ପାଇଁ ସ୍ମରଣୀୟ ହେଇ ରହିଯିବ ।"
ସ୍ତ୍ରୀ ଜଣକ ସାମାନ୍ୟ ଲାଜେଇ ଗଲା ଭଳି ଲାଗିଲେ । ହେଲେ ସ୍ଵାମୀଙ୍କ ଏ ପଦକ କଥା ବୋଧେ ତାଙ୍କୁ ଖୁବ୍ ଆନନ୍ଦ ଦେଇଥିଲା ।
ସେ ସାମାନ୍ୟ ହସି ହସି କହିଲେ , " କେମିତି ପାଳିବ, କଣ କରିବ ମୁଁ ଜାଣେନା । ମୋର ଖାଲି ଭଲ ଉପହାରଟିଏ ଦରକାର ।"
ସେମାନଙ୍କ ଆଉ କିଛି କଥା ମୁଁ ଶୁଣିନି । ଏମିତିରେ ଅନ୍ୟର କଥା ଶୁଣିବାକୁ ମୋତେ ଭଲ ଲାଗେନା ।ହେଲେ ଏଇ କିଛି ପଦ କଥା ମୋତେ ସ୍ୱପ୍ନ ବିଭୋର କରିଦେଲା । ବାହା ହେଇ ଦି ବର୍ଷ ହେଲାଣି । ସ୍ତ୍ରୀକୁ ଉପହାର ଦେବା କଥା ଦୂରେ ଥାଉ, ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବାକୁ ମୁଁ ଦେଇ ପାରିନି । ହେଲେ ସେ କୌଣସି କଥାରେ ପ୍ରତିବାଦ କରିନି । ବିବାହ ପରଠୁ ମୋ ପାଦରେ ପାଦ ମିଶେଇ ବାଟ ଚାଲିଛି , ମୋ ଆଖିରେ ଆଖି ମିଶେଇ ଦୁନିଆ ଦେଖିଛି । ମୋ ହସରେ ହସିଛି, ଆଉ ମୋ ଦୁଃଖରେ ଲୁହ ଢାଳି ସହଧର୍ମିଣୀର କର୍ତ୍ତବ୍ୟ ସୁଚାରୁ ରୂପେ ସଂପାଦନ କରିଛି । ଭାବିଲି ଏଥର ବିବାହ ବାର୍ଷିକୀରେ ତାକୁ ଭଲ ଶାଢ଼ୀଟିଏ ଉପହାର ଦେବି । ଆସନ୍ତା ମାର୍ଚ୍ଚ ସତର ତାରିଖରେ ବିବାହ ବାର୍ଷିକୀ ।
ମୁଁ ଟଙ୍କା ସଞ୍ଚୟ କରିବାକୁ ଲାଗି ପଡ଼ିଲି । ହେଲେ ଦିନକୁ ଦଶ କୋଡ଼ିଏ ଟଙ୍କାରୁ ଅଧିକ ସଞ୍ଚି ପାରେନା । ବେଳେ ବେଳେ ତ ସାରା ଦିନର ରୋଜଗାର ତା ଠୁଁ କମ୍ ହୁଏ । ଯୋଉ ଦିନ ରୋଜଗାର କମ୍, ସେ ଦିନ ସଞ୍ଚୟ ଶୁନ । କାଲିକୁ ଖାଇବୁ ବୋଲି କଣ ଆଜି ଉପାସ ରହିବୁ ନା କାଲିକି ପିନ୍ଧିବୁ ବୋଲି ଆଜି ଲଙ୍ଗଳା ରହିବୁ !
ଧିରେ ଧିରେ ବିବାହ ବାର୍ଷିକୀ ପାଖେଇ ଆସିଲା । ସ୍ତ୍ରୀର ଅଜାଣତରେ ଲୁଚେଇ ରଖିଥିବା ମାଟି କୁମ୍ପିଟିକୁ ଭାଙ୍ଗି ଦେଲି । ମୋଟରୁ ଚାରି ଶହ ପଚିଶ ଟଙ୍କା ବାହାରିଲା । ବହୁଦିନ ହେଲା ଏକ ସଙ୍ଗେ ଏତେ ଟଙ୍କା ଦେଖିନଥିଲି । ସ୍ତ୍ରୀଙ୍କୁ ନ ଜଣେଇ ଏକ ମୁହାଁ ହେଇ ରିକ୍ସା ବାହିଲି କୋଣାର୍କ ଲୁଗା ଦୋକାନକୁ ।
ତାହା ହେଉଛି ଅନ୍ନପୂର୍ଣ୍ଣା ବଜାରର ସବୁଠାରୁ ବଡ ଲୁଗା ଦୋକାନ । ଦୋକାନ ସାମନାରେ ଠିଆ ହୋଇଥାଏ ଏକ ପ୍ଲାଷ୍ଟିକ କଣ୍ଢେଇ । ଦେଖିବାକୁ ଠିକ୍ ମୋ ସ୍ତ୍ରୀ ପରି, ଖାଲି ଫରକ ଏତିକି ଯେ ମୋ ସ୍ତ୍ରୀ ଖୁବ୍ ଗପୁଡ଼ି ଆଉ ଏ କଣ୍ଢେଇ ମୌନାମୁହିଁ । ସେ କଣ୍ଢେଇଟି ପିନ୍ଧିଥିଲା ଏକ ଜରି ଲଗା ନାଲି ଶାଢ଼ୀ । ସତରେ ତାକୁ ବେଶ୍ ମାନୁ ଥିଲା ଶାଢ଼ୀଟା । ମନେ ମନେ ଭାବି ନେଲି, "ଏଇ ଶାଢ଼ୀଟି ହିଁ ନେବି ।"
ଦୋକାନୀଙ୍କୁ ଯାଇ ପଚାରିଲି ," ଏଇ କଣ୍ଢେଇ ପିନ୍ଧିଥିବା ଶାଢ଼ୀଟିର ଦାମ୍ କେତେ?"
ସେ କହିଲେ, " ସାଢେ ଦିନି ହଜାର ।" ଶାଢୀଟିର ଦାମ୍ ଯେ ଏତେ ହେଇପାରେ, ତାହା ମୋର କଳ୍ପନା ବାହାରେ ଥିଲା । ମନର ଭାବକୁ ମନ ଭିତରେ ଲୁଚେଇ ପଚାରିଲି , " ଆଉ କିଛି ଶସ୍ତା ଶାଢୀ ଅଛି?"
ଦୋକାନୀ ଭାଇ କହିଲେ, " ହଁ, ଅଛି । ଆମ ଦୋକାନରେ ସବୁଠାରୁ ଶସ୍ତା କହିଲେ ପନ୍ଦର ଶହ । ଆଉ ତା' ଠୁ ଶସ୍ତା ନାହିଁ ।"
ମନେ ମନେ ଭାବିଲି, " ଶାଢୀ ନା ସୁନା ଯେ ।" ଅବଶ୍ୟ ଏ ଯାଏଁ ବଣିଆ ଦୋକାନରେ ପଶିବାର ଧୃଷ୍ଟତା ମୁଁ କରି ନାହିଁ ।
ଦୋକାନୀ ଠାରୁ ଶାଢୀର ଦାମ୍ ଶୁଣି ମୁଁ ସେ ଦୋକାନରୁ ଫେରି ଆସିଲି । ଫୁଟ୍ ପାଥରେ ଥିବା ଏକ ଲୁଗା ଦୋକାନରୁ ଚାରି ଶହ ଟଙ୍କା ଦେଇ ନାଲି ଶାଢୀଟିଏ କିଣିଲି । ଏ ଶାଢୀ ଯଦିଓ ସେ ଶାଢୀ ପରି ଏତେ ସୁନ୍ଦର ନଥିଲା, ତଥାପି ମୋ ସ୍ତ୍ରୀକୁ ଏହା ବେଶ୍ ମାନିବ ଏ କଥା ମୁଁ ଜାଣେ ।
xxx xxx xxx xxx
ରାତି ପାହିଲେ ମାର୍ଚ୍ଚ ସତର ତାରିଖ । ଆମ ବିବାହ ବାର୍ଷିକୀ । । ବଡ ଲୋକମାନେ ତ ରାତି ବାରରେ ହିଁ ଏହାକୁ ପାଳନ କରନ୍ତି । ମୋ ଆଖିରେ ନିଦ ନଥାଏ । ସ୍ତ୍ରୀ କିନ୍ତୁ ମୋର ନିଘୋଡ଼ ନିଦରେ ଶୋଇ ଥାଏ । ମୋତେ ଲାଗିଲା କାଲି ଯାଏଁ ମୁଁ ଆଉ ଅପେକ୍ଷା କରି ପାରିବିନି । ବାକ୍ସ ଭିତରେ ଲୁଚେଇ ଥିବା ଶାଢୀଟିକୁ ବାହାର କରି ଆଣିଲି । ତା ପରେ ସ୍ତ୍ରୀକୁ ନିଦରୁ ଉଠେଇଲି । ସେ ନିଦରୁ ଉଠି ପଚାରିଲା, " କଣ ହେଲା? ଏତେ ରାତିରେ କାହିଁକି ଉଠେଇଲ ?" ମୁଁ ଶାଢୀଟିକୁ ତା' ଆଡ଼କୁ ବଢ଼େଇଦେଇ କହିଲି " ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା ।" ସେ ଖୁସିରେ ଆତ୍ମହରା ହୋଇଗଲା । ତା' ପାଟିରେ ଭାଷା ନଥିଲା । ଆଖିରେ କିନ୍ତୁ ଲୁହ ଜକେଇ ଆସିଥିଲା ! ମୋତେ ଜୋରରେ କୁଣ୍ଢେଇ ପକେଇ ସେ କହିଲା , "ଥ୍ୟାଙ୍କ ୟୁ ।"
ରାତି ବାର । ପ୍ରତିଦିନ ଏ ସମୟରେ ଆମେ ଘୁଙ୍ଗୁଡ଼ି ମାରୁ । ଆଜି କିନ୍ତୁ କୋଉ ଅଜଣା ରାଇଜର ଡକାୟତ ଆସି ଆମ ଆଖିର ନିଦକୁ ଚୋରେଇ ନେଇଛି । ମୋ ସ୍ତ୍ରୀ ମୁହଁ ଧୋଇଲା ଆଉ ଆଇନାଟିଏ ଧରି ସଜେଇ ହେଲା । ଆମ ବସ୍ତିରେ ଏତେ ରାତିରେ ଶୃଙ୍ଗାର ହେବାରେ ବୋଧେ ମୋ ସ୍ତ୍ରୀ ପ୍ରଥମ । ଖୁବ୍ ଅଳ୍ପ ସମୟ ମଧ୍ୟରେ ମୁଁ ଆଣିଥିବା ନାଲି ଶାଢ଼ୀଟି ପିନ୍ଧି ସେ ସାଧବ ବୋହୂ ପରି ଦିଶୁଥିଲା । ତାପରେ ଆମେ ଦୁହେଁ ପାଖା ପାଖି ବସି ଖୁବ୍ ଗପିଲୁ । ପ୍ରଥମ ଥର ପାଇଁ ଆମ ଗପର ଶିରୋନାମା ଥିଲା 'ପ୍ରେମ' । ତେଲ ଲୁଣର ସଂସାର ଭିତରେ ଆମେ ପ୍ରାୟତଃ ଅଭାବ ଅନଟନ କଥା ହିଁ ଗପୁ । ଆଜି ରାତିଟା କିନ୍ତୁ ଆମ ପାଇଁ ଖୁବ୍ ନୂଆ ଅନୁଭୂତି ଆଣି ଦେଇଥିଲା । ଝରକା ଖୋଲିଦେଲି , ଦେଖିଲି ଆକାଶର ଚାନ୍ଦ ବି ଆଜି ଖୁବ୍ ଖୁସି । ବୋଧହୁଏ ସେ ବି ଏ ଅଭାବୀ ମଣିଷର ଖୁସିରେ ସାମିଲ ହେଇଛି ।
ମୋ ସ୍ତ୍ରୀ କହିଲା , " ଜାଣିଛ ! ଧନୀ ଲୋକ ମାନେ ଏମିତି ଦିନମାନଙ୍କରେ କେକ୍ କାଟନ୍ତି । ଚାଲ ନା , ଆମେ ବି ସେମିତି ପାଳିବା ।"
ମୁଁ କହିଲି ," ହେଲେ ଏତେ ରାତିରେ କେକ୍ କୁଆଡୁ ଆଣିବା । ତାପରେ ତୁମେ ତ ମୋ ପାରିବାପଣିଆକୁ ଜାଣିଛ! "
ମୋ ସ୍ତ୍ରୀ କହିଲା, " ରୁହ । ମୁଁ ଏହାର ବ୍ୟବସ୍ଥା କରୁଛି ।"
ଏହା କହି ସେ ରୋଷେଇ ଘରୁ କିଛି ବାସି ଭାତ ନେଇ ଆସିଲା । ତାକୁ ଗୋଟେ ପ୍ଲେଟରେ ରଖି କେକ୍ ର ଆକାର ଦେଲା । ଆମେ ଦୁହେଁ ମିଶି କେକ୍ କାଟିଲୁ । ସେଦିନର ଏକ ମାତ୍ର ଗେଷ୍ଟ୍ ଥିଲା ଜହ୍ନ । ମୁଁ ଜୀବନରେ କେବେ କେକ୍ ଖାଇଛି କି ନାହିଁ, ମୋତେ ମନେ ନାହିଁ । ହେଲେ ମୁଁ ଏତିକି ନିଶ୍ଚିତ ଯେ ସେଦିନର ବାସି ଭାତ କେକର ସ୍ଵାଦ ଦାମିକା ଆଇସ୍ କେକଠୁ ଖୁବ୍ ଅଧିକ ।
ମଣିଷର ଇଚ୍ଛା ତ ଏକ ମହାସମୁଦ୍ର । ହେଲେ ସନ୍ତୁଷ୍ଟି ରୂପକ ତରୀରେ ଏ ସମୁଦ୍ରକୁ ପାରି ହେଇ ପାରିବା ।