ଅଭିଶପ୍ତ ଡାହାଣୀ
ଅଭିଶପ୍ତ ଡାହାଣୀ
ସହରରେ କାମ କରୁଥିବା ବିଜୟ ବିବାହ ବାର୍ଷିକୀ ପାଳିବା ପାଇଁ ଛୁଟି ନେଇ ଗାଆଁ ଅଭିମୁଖେ ବାହାରିଲା । ଗାଆଁକୁ ଯିବାକୁ ହେଲେ ମାତ୍ର ଗୋଟିଏ ରାସ୍ତା, ତାହା ପୁଣି ଜଙ୍ଗଲ ମଧ୍ୟଦେଇ । ତେଣୁ ବିଜୟ ଜଲଦି ଜଲଦି କାମ ସାରି ରାତି ହେବା ପୂର୍ବରୁ ନିଜ ସାଇକେଲ ନେଇ ବାହାରି ପଡ଼ିଲା ।ସାଇକେଲ ମାଡ଼ି କିଛି ବାଟ ଗଲା ପରେ ହଠାତ୍ ତା ମୋବାଇଲ୍ ଟି ବାଜି ଉଠିଲା ।
ବିଜୟ - " ହ୍ୟାଲୋ ! ସୁପ୍ରିୟା । ମୁଁ ବାହାରି ପଡ଼ିଲିଣି । ବେଶିରୁ ବେଶି ହେଲେ ଅଧ ଘଣ୍ଟା ଭିତରେ ମୁଁ ଗାଆଁରେ ପହଞ୍ଚି ଯିବି । ତୁମେ ବ୍ୟସ୍ତ ହୁଅନି ।"
ସୁପ୍ରିୟା ବିଜୟର ସ୍ତ୍ରୀ । ସେ ସେପଟରୁ କହିଲେ, " କେମିତି ବ୍ୟସ୍ତ ହେବିନି ଯେ ! ଜଙ୍ଗଲି ରାସ୍ତା । ତାହା ପୁଣି ତୁମେ ଏକୁଟିଆ । ହଁ, ମନେ ରଖ ! ଯେତେ ଯାହା ହେଲେ ବି ତୁମେ ତା ନାଆଁ ଧରିବନି ।"
ବିଜୟ - " ଆରେ ! କାହା ନାଆଁ ଧରିବିନି ?"
ସୁପ୍ରିୟା - " ତମେ ସବୁ ଜାଣିଛ ।ମୁଁ କହିବିନି କି ତୁମେ ବି ତା ନାଆଁ ଧରିବନି ।"
ହା ହା ହା । ହସି ଉଠିଲା ବିଜୟ । ତମେ ବି ନା ସୁପ୍ରିୟା ଭାରି ଡରକୁଳି ଟିଏ ।ସେ ଡାହାଣୀ କଥା କହୁଛ ନା ଯାହା ମାଆ କହୁଥିଲା ।"
ସୁପ୍ରିୟା - " ହେ ଭଗବାନ୍, ମୁଁ ଏବେ କ'ଣ କରିବି ! ତମେ କାହିଁକି ତା ନାଆଁ ଧରିଲ ?"
ବିଜୟ - " ଆରେ ଛାଡ ସେ କଥା । ତମେ ବି ଏଡେ଼ ଅନ୍ଧ ବିଶ୍ବାସୀ । କିଛି ହେବନି ମୋର । କୋଉ ଡାହାଣୀ ମୋର କିଛି କରି ପାରିବନି । ତମେ ପରା ମୋ ପାଇଁ ଓଷା ବ୍ରତ କରୁଛ । ତମେ ମୋର ରକ୍ଷା କବଚ ସାଜିଛ । "
ସୁପ୍ରିୟା - " ପୁଣି ନାଆଁ ନେଲ ନା ! ତମକୁ ପାରି ହେବନି । ମୁଁ ତା ହେଲେ ଫୋନ୍ ରଖୁଛି । ଠାକୁରଙ୍କ ନାଆଁ ନେଇ ଜଲଦି ଆସିବ ।"
ବିଜୟ - " ଆରେ ରଖୁଛ କ'ଣ? ଆଜି ପରା ଆମ ବିବାହ ବାର୍ଷିକୀ । ମୋତେ ୱିସ୍ ବି କରିନ, କହୁଛ କଣ ନା ଫୋନ୍ ରଖୁଛି !"
ସୁପ୍ରିୟା - "ସରି ବାବା । ମୁଁ ସତରେ ଭୁଲି ଯାଇଥିଲି । "
ବିଜୟ - " ଏମିତି ଖାଲି ସରି କହିଲେ ଚଳିବନି । ଏଥିପାଇଁ ତମକୁ ଦଣ୍ଡ ଭୋଗିବାକୁ ହେବ !"
ସୁପ୍ରିୟା ସ୍ମିତ ହାସ୍ୟ ଦେଇ କହିଲା - " ଦଣ୍ଡ ! କି ଦଣ୍ଡ ଦେବ ମୋତେ !"
ବିଜୟ - " ତମ ପାଇଁ ଦଣ୍ଡ ଏହା ଯେ ତମେ ଆଜି ସାରା ରାତି ଉଜାଗର ରହି ମୋ ସେବା କରିବ ।"
ସୁପ୍ରିୟା କହିଲା, " ତୁମର ସବୁ ଦଣ୍ଡକୁ ମୁଁ ସ୍ବୀକାର କରୁଛି । ଅପେକ୍ଷାରେ ରହୁଛି ତାହେଲେ । ବାଏ ।"
ବିଜୟ ମଧ୍ୟ ବାୟ କହି ଫୋନ୍ କାଟି ଦେଲା ଆଉ ସାଇକେଲ ପ୍ୟାଡେଲ୍ ମାଡି ଆଗକୁ ବଢିଲା ।
କିଛି ବାଟ ଯାଇଛି କି ନାହିଁ ସେ ପୁଣି ବ୍ରେକ୍ ମାରିବାକୁ ବାଧ୍ୟ ହେଲା । ପଛରୁ ଶୁଭୁଥିଲା ପାଉଁଜି ର ରୁଣୁଝୁଣୁ ଶବ୍ଦ । ପଛକୁ ଅନେଇଲା ହେଲେ କେହି ତ ନାହିଁ । ବିଜୟ ଭାବିଲା, "ସତରେ ଏ ସୁପ୍ରିୟା ବି ଡରୁ ନଥିବା ଲୋକକୁ ଡରେଇଦେବ । ଅଯଥା କଥା ସବୁ ଭାବି ମୁଁ ମିଛଟାରେ ଡରୁଛି ।"
ଆଗକୁ ଚାଲିଲା ବିଜୟ । ପୁଣି କିଛି ବାଟ ଯାଇଛି କି ନାହିଁ ସେଇ ରୁଣୁଝୁଣୁ ଶବ୍ଦ । ତା ସହ ମୃଦୁ ପବନରେ ଭାସି ଆସୁଥିଲା ସଜ ମଲ୍ଲି ଫୁଲ ର ବାସ୍ନା । ପଛକୁ ବୁଲି ଯାହା ଦେଖିଲା ତାହା ଥିଲା ବିଜୟ ପାଇଁ କଳ୍ପନାତୀତ । ଜଣେ ନବ ଯୌବନା ରୂପସୀ କନ୍ୟା ଥିରିଥିରି ଚାଲି ତା ଆଡକୁ ଆସୁଛି । ଉକ୍ତ ରୂପସୀ ର ସୌନ୍ଦର୍ଯ୍ୟରେ ଯେ କେହି ବି ପ୍ରଭାବିତ ହେବା ସ୍ବାଭାବିକ । ଅନିନ୍ଦ୍ୟ ସୁନ୍ଦରୀ ର ଦିବ୍ୟ ରୂପ ଯୌବନ ଆଉ ସଜଫୁଟା ମଲ୍ଲିର ମହମହ ବାସ୍ନା ଏକାକୀ ପୁରୁଷର ଅଙ୍ଗ ଅଙ୍ଗରେ କାମୋଦ୍ଦୀପନା ଜାଗ୍ରତ କରୁଥିଲା । ହେଲେ ଅନ୍ତରର ଆବେଗକୁ ଲୁଚେଇ ବିଜୟ ପଚାରିଲା " କିଏ ତୁମେ ସୁନ୍ଦରୀ ? ତୁମ ନାମ କଣ?"
ଖିଲି ଖିଲି ହସି ଉଠିଲା ରୂପସୀ । କହିଲା - ନାମରେ କଣ ଅଛି, ମୋର କେବଳ କାମରେ ମତଲବ୍ ।" ଏତିକି କହି ସେ ବିଜୟର ହାତଟାକୁ ଜାବୁଡି ଧରିଲା ।
ଅଙ୍ଗେ ଅଙ୍ଗେ ଖେଳିଗଲା ବିଜୁଳିର ଚମକ । ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରିଲେ । ସ୍ତ୍ରୀ ପାଇଁ ରଖିଥିବା ସମସ୍ତ ପ୍ରେମକୁ ବିଜୟ ଢାଳି ଦେଉଥିଲା ଅଚିହ୍ନା ରୂପସୀ ଦେହରେ । ବସ୍ତ୍ର ହୀନ ରୂପସୀ ଆଉ ଅସ୍ତ୍ର ହୀନ ପୁରୁଷ ଏକାକାର ହେଇ ଯାଇଥିଲେ । କିଛି ସମୟର ମିଳନ ପରେ ବିଜୟ ଖୁବ୍ କ୍ଳାନ୍ତ ଲାଗୁଥିଲା । ହେଲେ ରୂପସୀ ଦେହରେ ତିଳେ ହେଲେ କ୍ଲାନ୍ତିର ଚିହ୍ନ ବର୍ଣ୍ଣ ନଥିଲା । ତା ମୁଖରୁ ତୃପ୍ତିର ସାମାନ୍ୟତମ ଆଭାସ ମିଳୁ ନ ଥିଲା । ତା ଅତୃପ୍ତ ଶରୀର ପରିବର୍ତ୍ତନ ହେବାକୁ ଲାଗିଲା । ତାର ସୁଦୀର୍ଘ ଶ୍ୟାମଳ କେଶ ଗୁଚ୍ଛ ଧଳା ହେବାକୁ ଲାଗିଲା । ହାତର ନଖ ଗୁଡ଼ିକ ବଢ଼ିବାକୁ ଲାଗିଲା । ସେ ଧିରେ ଧିରେ ମାନବୀରୁ ପିଶାଚି ପାଲଟି ଗଲା । ନିଜ ନଖରେ ବିଜୟର ତଣ୍ଟି କଣା କରି ତା ଶରୀରର ସମସ୍ତ ରକ୍ତ ଶୋଷି ନେଲା । ତଥାପି ବିଜୟ ଜୀବିତ ଥିଲା । ହଠାତ୍ ଡାହାଣୀ ବିଜୟର ଛାତି ଭିତରେ ହାତ ପୁରେଇ ତା ହୃତପିଣ୍ଡ ଟିକୁ ଟାଣି ଆଣିଲା । ବିଜୟର ପ୍ରାଣ ବାୟୁ ଉଡିଗଲା ।
ବିଜୟର ରକ୍ତ ପିଇ ଡାହାଣୀ ଟି ପୁଣି ନବ ଯୌବନ ପାଇ ସାରିଥିଲା । ଏପଟେ ସୁପ୍ରିୟା ସ୍ଵାମୀଙ୍କ ଆସିବା ବିଳମ୍ବ ହେବାରୁ ଗାଆଁର କିଛି ଲୋକଙ୍କୁ ନେଇ ଜଙ୍ଗଲରେ ପହଞ୍ଚି ଯାହା ଦେଖିଲା ତାହା ଥିଲା ଅବର୍ଣ୍ଣନୀୟ । ବିବସ୍ତ୍ର ସ୍ଵାମୀଙ୍କ କ୍ଷତ ବିକ୍ଷତ ମୃତ ଦେହ ପାଖରେ ବସି ରହି ସେ କେବଳ ଡାହାଣୀ କୁ ଅଭିଶାପ ଦେଉଥିଲା । ହେଲେ ଲାଭ କଣ? ସେ ଡାହାଣୀ ତ ପୂର୍ବରୁ ଅଭିଶପ୍ତ !!!