Santosh Kumar Nayak

Abstract Romance Tragedy

4.6  

Santosh Kumar Nayak

Abstract Romance Tragedy

ଆଉ ଏକ ମୌସୁମୀର ଅପେକ୍ଷାରେ..

ଆଉ ଏକ ମୌସୁମୀର ଅପେକ୍ଷାରେ..

4 mins
485



        ରିମ୍ ଝିମ୍ ବର୍ଷାରେ ଭିଜିବାକୁ ସେ ଭାରି ଭଲ ପାଏ । କାହାରି କଥା ମାନେନି, କାହାରି କଥା ଶୁଣେନି । ଆକାଶରେ କଳାମେଘ ଦେଖିଦେଲେ ସେ ମାନବୀରୁ ମୟୁରୀ ପାଲଟିଯାଏ । ତାର ଉନ୍ମୁକ୍ତ କେଶଗୁଚ୍ଛ‌ ମୟୁରୀର ରଙ୍ଗବେରଙ୍ଗ ପୁଚ୍ଛର ଭ୍ରମ ସୃଷ୍ଟି କରେ । ବିଜୁଳି ଚମକରେ ତାର ମୁଖ କାନ୍ତି ବହୁଗୁଣିତ ହୁଏ ଆଉ ବଜ୍ରପାତର ବିକଟାଳ ଶବ୍ଦ ବି ତାକୁ ଖୁବ୍ ଆନନ୍ଦ ଦିଏ । ପବନରେ ଉଡି ଯାଉଥିବା ଭିଜା ପଣତକୁ ସେ ଟାଣି ଧରେ ଆଉ ଆନମନା ପାଦ ବର୍ଷାର ତାଳେ ତାଳେ ନୃତ୍ୟ ରଚେ । ତା ପାଦର ଆଘାତରେ କେତେ ଯେ ପାଣି ଫୋଟକା ନିଜର ଅସ୍ତିତ୍ବ ହରାନ୍ତି ସେ ସବୁର ହିସାବ ସେ ରଖେନା । ଅଜାଣତରେ ଓଠରୁ ସ୍ଫୁରିତ ହୁଏ ବର୍ଷାକୁ ନେଇ କେତେ ଆଧୁନିକ ଗୀତ! ମୌସୁମୀର ଆଗମନ ରେ ଧରଣୀ ରାଣୀ ଯେମିତି ନାନାଦି ପୁଷ୍ପ ପଲ୍ଲବରେ ଭରି ଯାଏ, ଠିକ୍ ସେମିତି ତା କୁଆଁରୀ ମନ ବି ନାନାଦି ଭାବନାରେ ପୁରି ଯାଏ । ବର୍ଷାକୁ କିଏ ବା ଭଲ ନ ପାଏ ! ହେଲେ‌ ପ୍ରିୟମ୍ବଦାର ଏ କେମିତିକା ଭଲ ପାଇବା ? ଭଲ ପାଇବା ନା ପାଗଳାମି?

          ପାଞ୍ଚ ବର୍ଷ ତଳର କଥା । ଦିନେ ସେ କଲେଜରୁ ଚାଲି ଚାଲି ଫେରୁଥାଏ । ଖୁବ୍ ଜୋରରେ ବର୍ଷା ହେଲା । ତା କଲେଜ୍ ୟୁନିଫର୍ମ ଟି ପୁରା ଭିଜି ଯାଇଥାଏ । ଶୀତଳ ପବନ ବାଜି ଦେହ ହାତ ଥରି ଯାଉଥାଏ । ଆଶ୍ରୟ ନେବା ପାଇଁ ପାଖରେ ସେମିତି କିଛି ଘରଦ୍ୱାର ବି ନ ଥାଏ । କଲେଜରୁ ଘର ପାଖାପାଖି ଦୁଇ କିଲୋମିଟର । ପ୍ରାୟ ଅଧା ବାଟ ଚାଲି ଆସିଲାଣି । ଆଉ ଅଧା ବାକି ଥାଏ । ଏଣେ ମନ ଲୋଡୁଥାଏ " କେହି ଜଣେ ଆସି ସାହାଯ୍ୟ କରନ୍ତା କି?" ଏହି ସମୟ ରେ ହଠାତ୍ ଆବିର୍ଭାବ ହୁଏ ରୟାଲ ଏନଫିଲ୍ଡ୍ ବାଇକ୍ ଧାରୀ ଜଣେ ଦେବଦୂତଙ୍କର । ଛଅ ଫୁଟିିଆ ସୁଦୀର୍ଘ ଶରୀରକୁ ଗୋରା ତକତକ ସୁନ୍ଦର ଚେହେରା । ତାଙ୍କୁ ଦେଖିବା ମାତ୍ରେ ଯେକୌଣସି ସୁନ୍ଦରୀ ହୃଦୟରେ ଯେ ଶିହରଣ ଖେଳିଯିବ, ଏହା ନିଃସନ୍ଦେହ! ପାଦେ ଉଚ୍ଚ ବର୍ଷାପାଣି ର ସୁଅ କାଟି ଆଗକୁ ଆଗକୁ ମାଡ଼ି ଯାଉଥାଏ ପ୍ରିୟମ୍ବଦା । ପଛରୁ ଶୁଣା ଗଲା "

ହ୍ୟାଲ୍ଲୋ ମିସ୍, ମୁଁ କିଛି ସାହାଯ୍ୟ କରିପାରେ?" ପଛକୁ ବୁଲି ଚାହିଁଲା ପ୍ରିୟମ୍ବଦା । ଆଖିରେ ଆଖି ମିଶିଲା , ଏମିତି ମିଶିଗଲା ଯେ ଆଉ ଫେରେଇ ପାରିଲାନି! ଯୁବକ ଜଣକ କହିଲେ -

" ଏମିତି କ'ଣ ଚାହୁଁଛ ? ଆସ । ମୋ ରେନ୍ କୋଟ୍ ଟିକୁ ଜଲଦି ପିନ୍ଧି ପକାଅ ଆଉ ମୋ ବାଇକ୍ ଉପରେ ବସି ଯାଅ ।" ପ୍ରିୟମ୍ବଦା କିଛି ଭାବିବା ଅବସ୍ଥାରେ ନଥିଲା । କାମଦେବଙ୍କ ସମ୍ମୋହନ ମନ୍ତ୍ରରେ ବି ଏତେ ଶକ୍ତି ନଥାଇ ପାରେ, ଯେତିକି ଯୁବକଟିର କଣ୍ଠ ସ୍ଵରରେ ଭରି ରହିଥିଲା । ସମ୍ମୋହିତା ପ୍ରିୟମ୍ବଦା ଠିକଣା ନ ଦେଇ ଠିକଣା ଜାଗାରେ ପହଞ୍ଚିଗଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ଦୁହେଁ ଖୁବ୍ ନିକଟତର ହୋଇଗଲେ । ଦେବାଶିଷ ପାଲଟି ଗଲା ପ୍ରିୟମ୍ବଦା ର ପ୍ରିୟତମ ମଣିଷ । 

         ଦେବାଶିଷ ପଟ୍ଟନାୟକ । ଭାରତୀୟ ସ୍ଥଳସେନାର ଜଣେ ସୈନିକ । ସେଦିନ ସେନାରୁ ଛୁଟି ନେଇ ଆସିଥିଲେ ପ୍ରିୟମ୍ବଦା ପାଇଁ ଦେବଦୂତ ସାଜି । ତା ପରଠୁ ଦେବାଶିଷଙ୍କୁ ଛୁଟି ମିଳିନି । ହେଲେ ପ୍ରତି ବର୍ଷ ଜୁନ୍ ମାସରେ ପ୍ରିୟମ୍ବଦା ଉଦ୍ଦେଶ୍ୟରେ ସୀମନ୍ତରୁ ଚିଠିଟିଏ ପଠେଇବାକୁ ଭୁଲନ୍ତି ନାହିଁ ସେ । ଚିଠି ପହଞ୍ଚୁ ପହଞ୍ଚୁ ମୌସୁମୀ ପହଞ୍ଚି ଯାଇଥାଏ । ପ୍ରତି ଚିଠିରେ ଲେଖା ଥାଏ ସେଇ ସବୁ କଥା । ସେଇ ପ୍ରଥମ ଦେଖା, ସେଇ ଭିଜା ଭିଜା ୟୁନିଫର୍ମ, ସେଇ ଆଖି ସହ ଆଖିର ମିଳନ ଆଉ ସେଇ ଦେବାଶିଷ ସେଇ ପ୍ରିୟମ୍ବଦା । ସେସବୁକୁ ଅଙ୍ଗେ ଅଙ୍ଗେ ଅନୁଭବ କରି ପ୍ରେମପାଗିଳୀ କୁରଙ୍ଗୀ ପରି ଡେଇଁ ବୁଲେ ପ୍ରିୟମ୍ବଦା । ପୁଣି ମୟୂରୀର ମନ ନେଇ ନାଚିଯାଏ ଆଉ ମାତାଲ୍ ପରାୟେ ବର୍ଷାର ମାଦକତାକୁ ଅଙ୍ଗେ ଅଙ୍ଗେ ପିଇ ଯାଏ ।

         ହେଲେ ଏଥର ଜୁନ୍ ରେ ସୀମନ୍ତ ରୁ କୌଣସି ଚିଠି ଆସିଲାନି । ରଜ ର ବିଦାୟ ସହ ମୌସୁମୀ ବି ଆସି ପହଂଚି ଗଲାଣି ।ତୁହାକୁ ତୁହା ବର୍ଷା ଧାରାରେ ଧରଣୀ ରାଣୀ ସତେଜ ହେଇ ଗଲାଣି । ହେଲେ ବର୍ଷାରେ ଭିଜିବାକୁ ପ୍ରିୟମ୍ବଦା ର ଇଚ୍ଛା ନାହିଁ । ଦେହ ତ ଭିଜୁନି, ହେଲେ ହୃଦୟର ଲୁହରେ ଛାତି ଭିଜିଗଲା ପରି ଲାଗୁଛି । ପାଞ୍ଚ ବର୍ଷ ହେଲା ପ୍ରତି ମୌସୁମୀ ରେ ଚିଠି ଆସିଛି । ହେଲେ ଏଥର ଏ ବ୍ୟତିକ୍ରମ କାହିଁକି? ଅଜଣା ଭୟରେ ଛାତି ଥରି ଗଲା ପ୍ରିୟମ୍ବଦା ର । ନା,ନା.. ସେମିତି ହେଇ ପାରେନା । ବିବାହ ପୂର୍ବରୁ ବୈଧବ୍ୟ ଯନ୍ତ୍ରଣା ସେ ଭୋଗି ପାରେନା । "ବେଳେ ବେଳେ ମୌସୁମୀ ବିଳମ୍ବରେ ଆସେ, ତା' ମାନେ ନୁହଁ ସେ ଆସିବନି । ଡେରି ହେଲେ ବି ସେ ନିଶ୍ଚୟ ଆସିବ । ଠିକ୍ ସେମିତି ମୋ ଚିଠି ବି ଆସିବ ।"- ଆଉ କିଛି ଦିନ ଅପେକ୍ଷାରେ ରହିଲା ପ୍ରିୟମ୍ବଦା ।

ମୌସୁମୀ ଚାଲିଗଲା, ହେଲେ ଛାଡି ଦେଇଗଲା ତା ଆଖିରେ ଲକ୍ଷେ ମୌସୁମୀର ଧାରା । ଚିଠି ଆଉ ଆସିଲାନି । ମୟୁରୀରୁ କପୋତୀ ପାଲଟି ଗଲା ପ୍ରିୟମ୍ବଦା । ଖାଲି ବାହୁନିବାକୁ ଲାଗିଲା । ବାପା ମାଆ ଅନେକ ବୁଝାଇଲେ । କାହାରି କଥା ଶୁଣିଲାନି, କାହାରି କଥା ବୁଝିଲାନି । 

       ବର୍ଷା ଯାଇ ଶୀତ ଋତୁ ବି ଗଲାଣି । ପ୍ରଖର ସୂର୍ଯ୍ୟକିରଣ ରେ ନଈ ନାଳ ଶୁଖି ଗଲାଣି । ହେଲେ ପ୍ରିୟମ୍ବଦା ର ଲୁହ ଧାରା ଚିରସ୍ରୋତା ନଈ ପରି ବହି ଚାଲିଥାଏ । ହଠାତ୍ ପୋଷ୍ଟ ପିଅନ ଡାକ ଦେଲା - " ପ୍ରିୟମ୍ବଦା ମହାପାତ୍ର ଘରେ ଅଛନ୍ତି ।" ବାପାଙ୍କ ଠାରୁ ପୋଷ୍ଟ ପିଅନ ଡାକୁଥିବା ଶୁଣି ଧନୁରୁ ନିକ୍ଷେପିତ ଶର ବେଗରେ ଧାଇଁ ଆସିଲା ପ୍ରିୟମ୍ବଦା ।

" ଝିଅ ଚିଠି ଟିଏ ଆସିଛି ତୁମ ନାଆରେ ।" ଏତିକି କହି ଚିଠିଟି ଦେଇ ପୋଷ୍ଟ ପିଅନ ଚାଲିଗଲେ । ଅତି ସନ୍ତର୍ପଣରେ ଚିଠିଟି ଖୋଲିଲା ପ୍ରିୟମ୍ବଦା । ଅନେକ ଭଲ ମନ୍ଦ କଥା ମନ ଭିତରକୁ ଭାସି ଆସୁଥାଏ । ଚିଠିଟି ପଢ଼ିବା ଆରମ୍ଭ କଲା ପ୍ରିୟମ୍ବଦା । ପୂର୍ବ ବିଷୟ ବସ୍ତୁରୁ ଲେଖାଟି ସଂପୂର୍ଣ୍ଣ ଭିନ୍ନ ଥିଲା । ଲେଖା ଥିଲା 

" ପ୍ରିୟମ୍ବଦା

ମୋତେ ଭୁଲ୍ ବୁଝିବନି । ଏଥର ମୌସୁମୀ ତୁମକୁ ଲୁହରେ ଆଉ ମୋତେ ରକ୍ତରେ ଭିଜେଇ ଦେଇଥିଲା । ଶତ୍ରୁ ଦେଶର ସୈନ୍ୟଙ୍କ ୬ ଟି ଗୁଳି ମୋ ଦେହରେ ବାଜିଥିଲା । ଜାମ୍ମୁର ୧୬୬ ମିଲିଟାରୀ ହସ୍ପିଟାଲ୍ ରେ ବର୍ତ୍ତମାନ ମୁଁ ଚିକିତ୍ସିତ ହେଉଛି । ପ୍ରାୟ ଦଶ ମାସ କୋମାରେ ରହିବା ପରେ ବର୍ତ୍ତମାନ ମୁଁ ସୁସ୍ଥ ଅଛି । ତୁମ ପ୍ରେମ ହିଁ ମୋତେ ବଞ୍ଚେଇ ରଖିଛି । ହଁ, ଆଉ ଗୋଟେ କଥା । ଆଗାମୀ ମୌସୁମୀ କୁ ମୁଁ ଆଉ ଚିଠି ଲେଖିବିନି । ମୁଁ ନିଜେ ଛୁଟି ନେଇ ଆସିବି । ଦୁହେଁ ଭିଜିବା ଆଉ ହଜିଯିବା ପରସ୍ପର ଭିତରେ । ରହୁଛି ।


ଇତି

ତୁମ ଦେବା ।


ଚିଠିଟି ପଢ଼ିସାରି ଆଖିର ସବୁ ଲୁହକୁ ଏକସଙ୍ଗେ ଝରେଇଦେଲା ପ୍ରିୟମ୍ବଦା । ବର୍ତ୍ତମାନ ସେ ଆଉ ଏକ ମୌସୁମୀର ଅପେକ୍ଷାରେ .



Rate this content
Log in

Similar oriya story from Abstract