Santosh Kumar Nayak

Inspirational Others

3  

Santosh Kumar Nayak

Inspirational Others

ସହଧର୍ମିଣୀ

ସହଧର୍ମିଣୀ

2 mins
277



ଘର କାନ୍ଥରେ ଲେଖାଥିଲା ' ସୁକାନ୍ତ ସହ ପ୍ରତିମା ' । ବାହା ମଣ୍ଡପ ସଜ ହେଇଥିଲା । ପୁରୋହିତଙ୍କ ଯଥା ରାବଣସ୍ୟ ମନ୍ଦୋଦୋରୀ ମନ୍ତ୍ର ପାଠ ସହ ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ବାହାଘର ବି ସମ୍ପନ୍ନ ହେଲା । ହଠାତ୍ ଏମିତି ଏକ ଘଟଣା ଘଟିଲା ଯାହାକୁ ଆଖି କେବେ ଦେଖି ନ ଥିଲା କି କାନ କେବେ ଶୁଣି ନଥିଲା । କନ୍ୟା ପ୍ରତିମା ଠିଆ ହୋଇଥିଲେ ଆଉ ବର ମୁଣ୍ଡ ନୁଆଁଇ କନ୍ୟାଙ୍କ ପଦ ଯୁଗଳକୁ ନିଜ ହାତରେ ସ୍ପର୍ଶ କରି ମୁଣ୍ଡରେ ଲଗେଇଲେ । ଘଟଣାଟି ସମସ୍ତଙ୍କ ପାଇଁ ନୂଆଁ ଥିଲା । ଫେମିନିଷ୍ଟ୍ ମାନେ କୁହା କୁହି ହେଲେ ' ଯୁଗ ବଦଳିବା ସମୟ ଆଗତ ପ୍ରାୟ !' ମସ୍କୁଲିନିଷ୍ଟ୍ ମାନେ କହିଲେ " ପୁରୁଷତ୍ବବିହୀନ ମଣିଷ ଟିଏ । ଲଜ୍ଜା ବୋଲି ଟିକିଏ ହେଲେ ନାହିଁ ।" ବରପିତା ଙ୍କ ଆତ୍ମ ସମ୍ମାନକୁ ଏତେ ଆଞ୍ଚ ଆସିଲା ଯେ ସେ ସିଧାସଳଖ ଯାଇ ସର୍ବ ସମ୍ମୁଖରେ ପୁଅରେ ଗାଲରେ ଏକ ଶକ୍ତ ଚାପୁଡ଼ା ମାରିଲେ । ସୁକାନ୍ତଙ୍କ ମାଆ ନିରୁପାୟ ହେଇ ଭାଗ୍ୟକୁ ନିନ୍ଦି ନିନ୍ଦି ଆଖିରୁ ଅଶ୍ରୁ ଧାରା ବୁହାଇବାକୁ ଲାଗିଲେ । ଏମିତି ଅନେକ ଡ୍ରାମା ଦେଖି ସାରିବା ପରେ ସୁକାନ୍ତ ଆରମ୍ଭ କଲେ ।


" ଦେଖନ୍ତୁ ମୋର ଏପରି କାର୍ଯ୍ୟକଳାପ ଯଦି କାହାକୁ ମାନସିକ କଷ୍ଟ ଦେଇଥାଏ ତେବେ ମୋତେ କ୍ଷମା କରିବେ ।" 


ପ୍ରତିମାଙ୍କ ହାତ ଧରି ସେ ପୁଣି ଆରମ୍ଭ କଲେ " ମୁଁ ଯାହାର ହାତ ଧରିଛି ସେ ମୋର ସ୍ତ୍ରୀ । ମୋର ସହଧର୍ମିଣୀ, ସହକର୍ମିଣୀ ଓ ସହଗାମିନୀ । ମୋତେ ବିବାହ କରିବା ପାଇଁ ସେ ତା ବାପା, ମାଆ, ଭାଇ ,ଭଉଣୀ, ସାଙ୍ଗ ସାଥି ସମସ୍ତଙ୍କୁ ଛାଡ଼ି ଆସିଛନ୍ତି । ଆଜିଠୁ ମୋ ବାପା ହେବେ ତାଙ୍କ ବାପା, ମୋ ମାଆ ହେବେ ତାଙ୍କ ମାଆ । ମୋର ସବୁ ସମ୍ପର୍କୀୟ ହେବେ ତାଙ୍କ ସମ୍ପର୍କୀୟ । ନିଜ ହାତରେ ରୋଷେଇ କରି ସେ ଆମ ସମସ୍ତଙ୍କ ପେଟ ଭରିବେ । ଘରର ଯାବତୀୟ କାମ ଯାହା ମୋ ମାଆ ଦୀର୍ଘ ଦିନ ଧରି କରି ଆସୁଛି, ସେସବୁ ଆଜିଠୁ ମୋ ସ୍ତ୍ରୀ କରିବେ । ଖାଲି ସେତିକି ନୁହଁ, ମୋତେ ସେ ପିତୃ ପରିଚୟ ଦେବେ । ମୃତ୍ୟୁର ଦ୍ଵାର ଦେଶରେ ଠିଆ ହେଇ ପ୍ରସବ ବେଦନା ସହ୍ୟ କରି ମୋ ସନ୍ତାନ କୁ ଜନ୍ମ ଦେବେ । ମୋର ସେବା କରିବେ, ମୋ ପିତା ମାତାଙ୍କ ସେବା କରିବେ ଆଉ ମୋ ସନ୍ତାନ ଜନ୍ମ ହେବା ପରେ ତାର ଯତ୍ନ ନେବେ । ନିଜର ସୌନ୍ଦର୍ଯ୍ୟକୁ ତ୍ୟାଗ କରି ମୋ ସନ୍ତାନ ମୁଖରେ ଅମୃତ ଢାଳିବେ । ସାରା ଜୀବନ ମୋର ସହଯାତ୍ରୀ ହେବେ । ମୋ ସଫଳତା ରେ ସେ ଗର୍ବ କରିବେ, ମୋ ବିଫଳତାକୁ ନେଇ ସେ କ୍ଷୋଭ କରିବେ । ମୋ ସୁଖରେ ହସିବେ, ମୋ ଦୁଃଖରେ କାନ୍ଦିବେ । ଯଦି ଆଜି ମୁଁ ଜଣେ ମାତୃ ରୂପୀ ନାରୀକୁ ସମ୍ମାନ ଜଣେଇ ତାଙ୍କ ପଦ ସ୍ପର୍ଶ କରିଦେଲି ତ କଣ ଏମିତି ଅପରାଧ ହେଇଗଲା । "


ଏତିକି କହିବା ଭିତରେ ମସ୍କୁଲିନିଷ୍ଟ୍ ମାନେ ସେ ସ୍ଥାନ ଛାଡି ଚାଲି ଯାଇଥିଲେ ଆଉ ଫେମିନିଷ୍ଟ ମାନେ ବାଃ ବାଃ କହିବାକୁ ଲାଗିଥିଲେ । ନାରୀକୁ ସମ୍ମାନ ଦେବାରେ ବି ଏତେ ବିବିଧତା କାହିଁକି? କାରଣ ଖୋଜୁଥିଲେ ଆପଣ ଆଉ ମୋ ପରି କିଛି ନିରପେକ୍ଷ ଦ୍ରଷ୍ଟା ।


Rate this content
Log in

Similar oriya story from Inspirational