Santosh Kumar Nayak

Tragedy Crime Inspirational

4.4  

Santosh Kumar Nayak

Tragedy Crime Inspirational

ମାନସିକ

ମାନସିକ

4 mins
437



         ମାଆଙ୍କ ଉପରେ ତାର ଗଭୀର ବିଶ୍ୱାସ ଓ ଭରଷା । କାହିଁକି ବା ରହିବନି ଯେ! ନିଜ ଜନ୍ମକଲା ମାଆ ତ ତାକୁ ପୃଥିବୀର ଆଲୋକ ଦେଖେଇ ନିଜେ ଆଖି ବୁଜି ଦେଲା । ପିଲାଟି ଦିନରୁ ସେ କେବଳ ଏଇ ମାଆଙ୍କୁ ହିଁ ମାଆ ବୋଲି ଜାଣିଛି । ଏଇ ମାଆଙ୍କୁ ହିଁ ପୂଜିଛି, ଏଇ ମାଆଙ୍କୁ ହିଁ ଖୋଜିଛି । ମନ୍ଦିର ପିଣ୍ଡା ଧୋଇବା, ଗଳି କନ୍ଦି ବୁଲି ମନ୍ଦାର ଫୁଲ ତୋଳି ଆଣିବା, ସେ ଫୁଲକୁ ବସି ମାଳ କରିବା, ପ୍ରସାଦ ରନ୍ଧା ବାସନ ମାଜିବା ଏସବୁରେ ହିଁ ତାକୁ ଆତ୍ମ ତୃପ୍ତି ମିଳେ । ମଙ୍ଗଳ ବାର ମାଆଙ୍କ ବାର । ସେଦିନ ତ ସେ ସ୍କୁଲ ବି ଯାଏନି । ସକାଳୁ ନିତ୍ୟ କର୍ମ ସାରି ମନ୍ଦିରକୁ ଚାଲିଯାଏ ଯେ ଫେରିଲା ବେଳକୁ ରାତି ଆଠ କି ନଅ । 

         ସରିତାକୁ କେହି କେହି ମାଆ ତାରିଣୀଙ୍କ ପାଳିତା କନ୍ୟା ବୋଲି କହନ୍ତି। ଗାଆଁର ପୁରୁଣା ସରପଞ୍ଚ ସଦାନନ୍ଦ ବାବୁଙ୍କ ସେ ଏକମାତ୍ର ଝିଅ । ତାରିଣୀ ମାଆଙ୍କ ପୂଜାର୍ଚ୍ଚନା କରି ତାଙ୍କ କୋଳରେ ହିଁ ବଢି ଆସିଥିଲା ସେ । ସରିତାକୁ ଯେବେ ସତର ପୁରି ଅଠର ଚାଲିଲା ସଦାନନ୍ଦ ବାବୁ ତାକୁ ହାତରୁ ଦି ହାତ କରିଦେବାକୁ ଚିନ୍ତା କଲେ । ନାରାୟଣପୁର ଗାଆଁର ସନାତନ ପରିଡାଙ୍କ ଏକମାତ୍ର ପୁତ୍ର ବିକ୍ରମଙ୍କ ସହ ସରିତାର ବିବାହ କରେଇ ଦେଲେ । ଭାବିଥିଲେ ବାହାଘର ପରେ ଝିଅ ଖୁବ୍ ଖୁସିରେ ରହିବ । ମାଆ ଛେଉଣ୍ଡିଟା! 

         ସଦାନନ୍ଦ ଯେମିତି ଭାବିଥିଲେ ଠିକ୍ ସେମିତି ହିଁ ହେଲା । ଶାଶୁଘରେ ଖୁବ୍ ଆରାମରେ କିଛି ଦିନ ବିତିଗଲା । ଶାଶୁ ତାକୁ ନିଜ ଝିଅ ପରି ସ୍ନେହ କଲେ । ଶଶୁର ତାକୁ ନିଜ ଗଳାର ମାଳ କରିଦେଲେ । ସକାଳୁ ଉଠି ବୋହୂର ମୁହଁ ନ ଦେଖିଲେ ସେ କୁଆଡେ ଯାଆନ୍ତି ନାହିଁ । ସ୍ବାମୀ ନୁହନ୍ତି ତ ସାକ୍ଷାତ ଦେବତା! ପ୍ରତି କଥାରେ ସେ ସରିତାର ପରାମର୍ଶ ଲୋଡ଼ନ୍ତି । ଖୁବ୍ ଭଲ ପାଆନ୍ତି ତାକୁ । ଏତେ ଭଲ ପାଇବା ପାଇ ବେଳେ ବେଳେ ସରିତା ଖୁସିରେ ଆତ୍ମହରା ହୋଇ ଯାଏ ।

       କିଛି ଦିନ ପରେ ସରିତା ଗର୍ଭବତୀ ହେଲା । ପରିବାରର ଆନନ୍ଦ କହିଲେ ନ ସରେ‌ ! ଗାଆଁ ସାରା ମିଠା ବଣ୍ଟା ହେଲା । ବନ୍ଧୁ ବାନ୍ଧବଙ୍କୁ ଫୋନ୍ ଯୋଗେ ଖୁସି ଖବର ଜଣେଇ ଦିଆଗଲା । ସପରିବାର ସରିତାର ବାପଘର ଗାଆଁକୁ ଯାଇ ମାଆ ତାରିଣୀଙ୍କ ଦର୍ଶନ କରି ଆସିଲେ । ଏକ ଶତ ଆଠ ନଡ଼ିଆ ଭଙ୍ଗା ଗଲା । ମାଆ ପରା ନଡ଼ିଆ ରାଣୀ । ମନବାଞ୍ଛା ଯେ ନିଶ୍ଚିତ ପୂର୍ଣ୍ଣ ହେବ ସେଥିରେ ସଙ୍କୋଚ କରିବାର ହିଁ ନାହିଁ । ସନାତନ ବାବୁଙ୍କ କୁଳ ରକ୍ଷା କରିବ ସରିତା ଗର୍ଭରୁ ଜାତ ସନ୍ତାନ ! 

         ସରିତା ଗର୍ଭର ଶିଶୁଟି ଶଶିକଳା ପରି ବଢି ଚାଲିଲା । ଦିନ ପରେ ଦିନ, ମାସ ପରେ ମାସ ଗଡି ଚାଲିଲା । ଯେତେବେଳେ ସେ ତିନି ମାସର ଗର୍ଭବତୀ, ସେତେବେଳେ ଶାନ୍ତି ଦେବୀ ପୁଅ ବିକ୍ରମକୁ ଡାକି କହିଲେ, " ବାବୁରେ! ବୋହୂକୁ ନେଇ ସ୍ବୟଂସଂପୂର୍ଣ୍ଣା ନର୍ସିଂ ହୋମ୍ ଯାଆ । ସେଠାରେ କୁଆଡେ ପାଞ୍ଚ ହଜାର ଦେଲେ ଅଲଟ୍ରାସାଉଣ୍ଡ କରି କହିଦେଉଛନ୍ତି ଗର୍ଭସ୍ଥ ଶିଶୁ ପୁଅ କି ଝିଅ । ଯଦି ଝିଅ ଅଛି ତା ବ୍ୟବସ୍ଥା ବି ସେମାନେ କରି ଦେଉଛନ୍ତି ।" ଏଇ ହେଉଛନ୍ତି ସେଇ ଶାନ୍ତି ଦେବୀ ଯିଏ ନିଜ ଗୃହପାଳିତ ଗାଈ କନ୍ୟା ସନ୍ତାନ ଜନ୍ମ କରୁ ବୋଲି ମାନସିକ ରଖିଥିଲେ । ଏବେ କୁଳ ରକ୍ଷାପାଇଁ ପୁତ୍ର ସନ୍ତାନ ଟିଏ ହେଉ ବୋଲି ସେଇ ତାରିଣୀ ମାଆଙ୍କ ପାଖରେ ମାନସିକ ରଖିଛନ୍ତି । ବୋଉ କଥା ମାନି ବିକ୍ରମ ସ୍ତ୍ରୀକୁ ନେଇ ନର୍ସିଂ ହୋମ୍ କୁ ଗଲା । ଅଲଟ୍ରାସାଉଣ୍ଡ ପରେ ଡ଼ାକ୍ତର କହିଲେ " ବିକ୍ରମ ବାବୁ ! ଆପଣଙ୍କ ସ୍ତ୍ରୀଙ୍କ ଗର୍ଭରେ କନ୍ୟା ସନ୍ତାନ ଟିଏ ଅଛି ।" ବିକ୍ରମ କୁ ଲାଗିଲା ସତେ ଯେମିତି ତାର ଖୁସିରେ କାହାର ନଜର ଲାଗିଗଲା । ସେ କ୍ଷଣିକ ପାଇଁ ଭୁଲିଗଲା ତାକୁ ଜନ୍ମ ଦେଇଥିବା ତାର ବୋଉ ବି ଜଣେ ନାରୀ ବୋଲି ! ସଙ୍ଗେ ସଙ୍ଗେ ବୋଉକୁ ଫୋନ୍ କରି ପଚାରିଲା" ବୋଉ! ଏବେ କଣ କରିବା ? ଡାକ୍ତର କହୁଛନ୍ତି ତା ଗର୍ଭରେ ଗୋଟେ ଝିଅ ଛୁଆ ଅଛି!" ଶାନ୍ତି ଦେବୀ କହିଲେ" ତୁ ବ୍ୟସ୍ତ ହଅନା । ମୁଁ ଯେମିତି କହିଥିଲି ସେମିତି କର ।" ବୋଉର କହିବା ମୁତାବକ ଡାକ୍ତରଙ୍କୁ ପଇସା ଦେଇ କାମ ତମାମ କରି ସ୍ତ୍ରୀ କୁ ସାଥିରେ ନେଇ ଫେରି ଆସିଲା ବିକ୍ରମ ।

      ଶାଶୁ ସେମିତି ମାଆ ପରି ସ୍ନେହ କରୁଥିଲେ, ଶଶୁର ସେମିତି ବାପା ପରି ଗେଲ କରୁଥିଲେ ଆଉ ସ୍ବାମୀ ସେମିତି ପୂର୍ବପରି ଭଲ ପାଉଥିଲେ । ହେଲେ ସେ ଖୁସିରେ ଆତ୍ମହରା ହେଇପାରୁ ନ ଥିଲା । ନିଜ ଭିତରେ ଏକ ଶ୍ମଶାନର ଶୂନ୍ୟତା ଅନୁଭବ କରୁଥିଲା ସରିତା । ସେ ଏକୁଟିଆ ରହିବାକୁ ଭଲ ପାଉଥିଲା । ଆଖିରୁ ଅଯାଚିତ ଅଶ୍ରୁ ଧାରାମାନ ଦୁଇ ଗାଲ ଦେଇ ଚିରସ୍ରୋତା ନଈ ଭଳି ଅବିରତ ବହି ଚାଲିଲେ । କାହାକୁ କହିବ? ଖୁବ୍ ଜୋରରେ ଚିତ୍କାର କରି କାନ୍ଦିବାକୁ ଇଚ୍ଛା ହେଉଥିଲା । ତାକୁ ଆଲୁଅ ଭଲ ଲାଗୁ ନଥିଲା, ସେ ଅନ୍ଧାର ଖୋଜୁଥିଲା । ରୁମ୍ ର ଲାଇଟ୍ ସ୍ୱିଚ ବନ୍ଦ କରି ମାଆ ମାନଙ୍କ ମଧ୍ୟରେ ପ୍ରଭେଦ ଖୋଜୁଥିଲା ସେ । ଜଣେ ତାର ଜନ୍ମ କଲା ମାଆ, ଯେ କେବଳ ଜନ୍ମ କରିଦେଇ ତାର କର୍ତ୍ତବ୍ୟ ସାରି ଚାଲିଗଲା । ଆଉ ଜଣେ ହେଲା ତାର ଶାଶୁ ମାଆ, ଯେ କି ତାକୁ ବହୁତ୍ ସ୍ନେହ କରନ୍ତି; ହେଲେ ବଂଶ ରକ୍ଷା ପାଇଁ ଯେ କୌଣସି ସ୍ତରକୁ ଚାଲି ଯାଇ ପାରନ୍ତି । ଆଉ ଜଣେ ହେଲା ସେ ନିଜେ ଯେ କି ନିଜ ସନ୍ତାନକୁ ମାରିଦେଇଥିବା ଲୋକଙ୍କୁ ବି କ୍ଷମା କରିଦେବ ! ଏମିତି ମାଆ ମାନଙ୍କ ପ୍ରଭେଦ ଖୋଜୁ ଖୋଜୁ ସେ ଦେଖିଲା ଏକ ଆଚମ୍ବିତ କଲା ଭଳି ଦୃଶ୍ୟ । ଆଉ ଜଣେ ମାଆ ତା ସାମନାରେ ଠିଆ ହେଇଛନ୍ତି । ତାରିଣୀ ମାଆ ! ତାର ଯଶୋଦା ମାଆ । ମାଆ ଲୁହ ଭରା କଣ୍ଠରେ କହିଲେ, " ଆଲୋ ତୁ କାହିଁକି କାନ୍ଦୁଛୁ ! ତୋ ଗର୍ଭକୁ ପରା ମୁଁ ଆସିଥିଲି । ଅବଶ୍ୟ ତୋ ଶାଶୁ ପୁତ୍ର ସନ୍ତାନର ଅଭିଳାଷ ନେଇ ମୋ ପାଖକୁ ଆସିଥିଲା । ହେଲେ ତୋ ସେବା ଯତ୍ନରେ ସନ୍ତୁଷ୍ଟ ହେଇ ତୋ ଭଳି ଝିଅଟିଏ ହେଇ ତୋ ଗର୍ଭରୁ ଜନ୍ମ ନେବାକୁ ମୋର ଭାରି ଲୋଭ ହେଲା । ହେଲେ ମୁଁ କଣ ଜାଣିଥିଲି, ସେମାନେ ଏଡ଼େ ନିଷ୍ଠୁର ! ସେମାନେ ତୋ କନ୍ୟାକୁ ହତ୍ୟା କରି ନାହାନ୍ତି ଲୋ । ସେମାନେ ତୋ ମାଆଙ୍କୁ ହତ୍ୟା କରିଛନ୍ତି । ସେମାନେ ମୋତେ ହତ୍ୟା କରିଛନ୍ତି । ତୁ ଆ..., ମୋ କୋଳକୁ ଆ.... ! ମୋ ମାଆ ଟା ପରା ! " ମାଆ କୋଳରେ କିଛି ସମୟ ପାଇଁ ନିଘୋଡ଼ ନିଦରେ ଶୋଇଗଲା ସରିତା ।

           କିଛି ଦିନ ଉତାରୁ ଶାନ୍ତି ଦେବୀ ପୁଣି ମାଆଙ୍କ ପାଖରେ ମାନସିକ ରଖିଲେ " ମାଆ ଲୋ ! ମୋ ବୋହୂର ପୁତ୍ର ସନ୍ତାନଟିଏ ହେଲେ ତୋତେ ଏକ ହଜାର ଏକ ନଡ଼ିଆ ଭୋଗ ଚଢ଼େଇବି ।"


ମୋତେ ହତ୍ୟା କରି ପୁଣି ମୋତେ ଲାଞ୍ଚ ଦେଇ ମୋ ଠାରୁ ଆଶୀର୍ବାଦ ଭିକ୍ଷା କରନ୍ତି ଏମାନେ - ମାଆ ।


Rate this content
Log in

Similar oriya story from Tragedy