ରପଞ୍ଜଲ୍
ରପଞ୍ଜଲ୍
ଆଲୋକର ରୋଶଣିରେ ଝଲମଲ କରୁଛି ଚୌଧୁରୀ ବଙ୍ଗଳା। ସୌମ୍ୟ ଓ ଶ୍ୱେତାଙ୍କର ପ୍ରଥମ ବିବାହ ବର୍ଷିକୀ। ସହରର ନାମୀ ଦାମୀ ଗଣ୍ୟମାନ୍ୟ ବ୍ୟକ୍ତିଙ୍କର ଭିଡ଼ ଜମିଛି। ଉତ୍ସବର ଆୟୋଜନ କରିଛନ୍ତି ସହରର ସବୁଠାରୁ ଧୂରୀଣ ଇଭେଣ୍ଟ ମ୍ୟାନେଜର୍ ବିକାଶ ଆଣ୍ଡ ବିକାଶ କମ୍ପାନୀ। ଖବରକାଗଜ ଓ ଟିଭିରେ ପ୍ରାୟ ଏକମାସ ପୂର୍ବରୁ ଚର୍ଚ୍ଚା ଚାଲିଛି, ବିବାହ ବର୍ଷିକୀରେ କିଏ କିଏ ଅତିଥି ଆସିବେ, କି କି ମେନୁ ହେବ, ଶ୍ୱେତା ଓ ସୌମ୍ୟଙ୍କର ପ୍ରେମ କେମିତି ହେଲା.. ଇତ୍ୟାଦି ଇତ୍ୟାଦି।
ଘନନୀଳ ରଙ୍ଗର ମ୍ୟାଚିଙ୍ଗ୍ କରା ପୋଷାକରେ ଝଲସୁଛନ୍ତି ତରୁଣ ଦମ୍ପତି। ଭଲ ଭଲ ଗିଫ୍ଟ ସହ ଅତିଥି ମାନଙ୍କର ଆଗମନ ଲାଗି ରହିଛି। କିଛି ସମୟ ପରେ କେକ୍ କଟାଯିବ ବୋଲି ହୋଷ୍ଟ୍ ଘୋଷଣା କରିବାକୁ ଯାଉଛନ୍ତି , ତାଙ୍କ ହାତରୁ ମାଇକ୍ ଏକପ୍ରକାର ଛଡେଇ ନେଇ ସାଧାରଣ ଅତି ବେଶଭୂଷାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି କିଛି କହିବାକୁ ଅନୁମତି ଚାହିଁଲେ।
ସମସ୍ତଙ୍କର ଦୃଷ୍ଟି ବର୍ତ୍ତମାନ ସେହି ବ୍ୟକ୍ତି ଜଣଙ୍କ ଉପରେ । ତାଙ୍କ ସହ ଅଛନ୍ତି ଅତ୍ୟନ୍ତ ସୁନ୍ଦରୀ ଜଣେ ମହିଳା। ବୟସର ଅପରାହ୍ନରେ ମଧ୍ୟ ତାଙ୍କର ଶାନ୍ତ ସରଳ ମୁହଁରୁ ଏକ ଜ୍ୟୋତି ବାହାରୁଛି। କମ୍ପିତ କଣ୍ଠରେ ବ୍ୟକ୍ତି ଜଣକ ଆରମ୍ଭ କଲେ, " ପ୍ରଥମେ ଅପଣମାନଙ୍କଠାରୁ କ୍ଷମା ଚାହିଁବି ,ଏପରି ଆନନ୍ଦର ମୁହୂର୍ତ୍ତରେ ବିଘ୍ନ ଆଣିଥିବାରୁ। ମାତ୍ର ମୁଁ ବି ନିରୂପାୟ। ମୋ ସହିତ ଅଛନ୍ତି ଶ୍ରୀମତୀ ସୀମା ମହାନ୍ତି। ସେ ଆଜି ସମସ୍ତଙ୍କ ସମ୍ମୁଖରେ କିଛି କହିବେ। ସେଥିପାଇଁ କିଛି ସମୟ ଅପଣମାନଙ୍କଠାରୁ ପାଇବା ପାଇଁ ଅନୁରୋଧ କରୁଛି " ।
ସ୍ତବ୍ଧ ସମସ୍ତେ। କିଏ ଏହି ଦୁଇଜଣ ? ପୋଷକରୁ ତ ସାଧାରଣ ମଧ୍ୟବିତ୍ତ ପରିବାରର ପରି ଜଣାପଡୁଛନ୍ତି। କ'ଣ କହିବାକୁ ଚାହାଁନ୍ତି ସେ ? ଏଠାରେ କାହିଁକି ? ଶ୍ୱେତା ଓ ସୌମ୍ୟ ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି। ବିଳମ୍ବ ହେତୁ କିଛି ଅତିଥି ଅସନ୍ତୁଷ୍ଟ ହେବା ଦେଖାଯାଉଛି। ମିଡିଆ ରିପୋର୍ଟର କ୍ୟାମେରା ତାଙ୍କ ଆଡକୁ ବୁଲେଇ ସାରିଲେଣି। କିଛି ଗୋଟିଏ ମସଲା ଖବର ମିଳିଗଲେ, TRP ବଢିଯିବ ଚ୍ୟାନେଲ୍ ର।
ଗଳା ସଫା କରି ମହିଳା ଜଣଙ୍କ ଆରମ୍ଭ କଲେ, " ମୁଁ ସୀମା ମହାନ୍ତି, ପେଷାରେ ଜଣେ ଶିକ୍ଷୟିତ୍ରୀ। ଇଏ ହେଲେ ମୋର ସ୍ୱାମୀ ସମୀର ମହାନ୍ତି। ଆଜି ମୁଁ ଯାହା କହିବାକୁ ଯାଉଛି , ମୋ ପୂର୍ବରୁ ହୁଏତ କୌଣସି ନାରୀ କହି ନ ଥିବେ କିମ୍ବା ଆଗକୁ କହି ପାରିବେ । ପଚିଶ ବର୍ଷ ଧରି ହୃଦୟର ଗମ୍ଭୀରାରେ କବର ଦେଇଥିବା ସତ୍ୟ ଆଜି କବର ଭିତରୁ ଜୀବନ୍ୟାସ ପାଇବାକୁ ଯାଉଛି।
ସମୀର , ମୁଁ ଓ 'ସିଏ' ବାଲ୍ୟସାଥୀ। ଧୂଳିଖେଳ ସରୁ ସରୁ ପ୍ରେମ ହୁଏ ମୋର ତା' ସହିତ। ଆମ ଅଜାଣତରେ ସମୀର ମୋତେ ଭଲପାଇ ବସନ୍ତି। ତା' ପ୍ରେମରେ ଅନ୍ଧ ମୁଁ ସମୀରଙ୍କର ମୋ ପ୍ରତି ଥିବା ଶ୍ରଦ୍ଧା ଓ ପ୍ରେମକୁ ଦେଖି ପାରେନି। ଦିନ ଗଡିଚାଲେ। ଯେତେବେଳେ ମୁଁ ଦ୍ଵାଦଶ ଶ୍ରେଣୀର ଛାତ୍ରୀ 'ସେ ' ହଠାତ ଆମ ସହର ଛାଡି ଚାଲିଗଲା ବିଦେଶ , ଉଚ୍ଚଶିକ୍ଷା ପାଇଁ ଓ ମୋତେ ଦେଇଗଲା କୁମାରୀ ମାତୃତ୍ବର କଳଙ୍କ।
ହଷ୍ଟେଲରେ ରହି ମୁଁ ପଢ଼ୁଥିଲି। ତେଣୁ ଆମ ପରିବାର ଲୋକ କେହି ଜାଣି ପାରିଲେନି କଥାଟା। ମୋ ଯନ୍ତ୍ରଣାର ଏକମାତ୍ର ସାକ୍ଷୀ ଥିଲେ ସମୀର। କେମିତି ଲୁଚେଇବି ଏତେ ବଡ଼ ଘଟଣା !! ହଷ୍ଟେଲ ଛାଡି ଭଡା ଘର କରି ରହିଲି। ଘରେ କହିଲି, ପାଠପଢ଼ାର ସୁବିଧା ପାଇଁ ଘରଭଡ଼ା କରି ରହିବି। ଦ୍ଵାଦଶ ପରୀକ୍ଷା ପରେ ଛୁଟିରେ ଘରକୁ ଆଉ ଗଲିନି। ଏଣ୍ଟ୍ରାନ୍ସର ପ୍ରସ୍ତୁତି ପାଇଁ ଯାଇ ପାରୁନି ବୋଲି କହେ। ଘରଲୋକ କେହି ଦେଖା କରିବାକୁ ଆସିଲେ ଚାଦର ଘୋଡ଼ି ହେଇ ଦେଖା ହୁଏ।
ସମୀର ଓ ମୋର କଥା ହେଲୁ ସନ୍ତାନ ଜନ୍ମ ପରେ ତାକୁ ଅନଥାଶ୍ରମରେ ଦେଇଦେବି। ମୋତେ ବିବାହ କରି ସନ୍ତାନଟିକୁ ପୁଣି ପାଖକୁ ନେଇ ଆସିବୁ। ଝିଅଟିଏ ହେଲା। ହସ୍ପିଟାଲରେ ପିତାଙ୍କ ନାମ ସମୀରଙ୍କର ଦିଆଗଲା। ଛାତିରେ ପଥର ରଖି ମୋ ହୃଦୟର ଅଂଶକୁ ଅନଥାଶ୍ରମର ପିଣ୍ଡାରେ ଛାଡି ଆସିଲୁ।
ଭାଗ୍ୟର ବିଡମ୍ବନା ! ସମୀର ଘରେ ଏତେ କମ୍ ବୟସରୁ ବିବାହ ପାଇଁ ରାଜି ହେଲେନି। ଆଠ ବର୍ଷ ଲାଗିଗଲା ଏଥିପାଇଁ। ମଝିରେ ମଝିରେ ଆଶ୍ରମ ଯାଉଥିଲି। ଦିନେ ଯାଇ ଦେଖିଲି ଝିଅ ନାହିଁ। ତାକୁ କେହି ପୋଷ୍ୟ କନ୍ୟା କରି ଘରକୁ ନେଇ ଯାଇଛନ୍ତି। ବହୁତ ଅନୁରୋଧ କଲି, ଗୋଡ଼ ହାତ ଧରିଲି, ମାତ୍ର ସେମାନେ ଠିକଣା ଦେବାକୁ ରାଜି ହେଲେନି। ଆଜି ଝିଅର ଜନ୍ମଦିନ। ଆଶ୍ରମ ସବୁଥର ପରି ଯାଇଥିଲୁ। କେଜାଣି କେମିତି ଦୟା ଆସିଗଲା ତାଙ୍କର। ଆମକୁ ଆମ ଝିଅର ଠିକଣା ଜଣେଇଦେଲେ । ଶ୍ୱେତା ମୋ ଝିଅ।"
ଆଶ୍ଚର୍ଯ୍ୟ ହୋଇ ସମସ୍ତେ ଶୁଣୁ ଥାଆନ୍ତି। ସୌମ୍ୟର ପିତା କହିଲେ, ପ୍ରମାଣ କ'ଣ ଯେ ଶ୍ୱେତା ହିଁ ଆପଣଙ୍କ ଝିଅ ? ଏତେ ସମୟ ଧରି ନୀରବରେ ସବୁ ଶୁଣୁଥିବା ଶ୍ୱେତା କୋହଭରା ଗଳାରେ କହିଲା, " ମୋର ଜୀବନ ପରୀ କାହାଣୀ ରପନ୍ଜଲ୍ (RAPUNZEL) ଠାରୁ କୌଣସି ଗୁଣରେ କମ୍ ନୁହେଁ।
ଛଅ ବର୍ଷ ବୟସରେ ମୋତେ ଅନଥାଶ୍ରମରୁ ଝିଅ କରି ନେଇଥିବା ମୋର ତଥାକଥିତ ପିତାମାତା ,ଝିଅ ନୁହେଁ ବରଂ ଚାକରାଣୀ କରି ରଖିଥିଲେ। ମିଠା କଥା କହି କହି ଘରର ସବୁକାମ ମୋ ଦ୍ୱାରା କରାଉଥିଲେ। ନାଁ କୁ ମାତ୍ର ସ୍କୁଲରେ ମୋ ନାଁ ଥିଲା। ଖାଲି ପରୀକ୍ଷା ଦେବାକୁ ଯାହା ସ୍କୁଲ ଯାଉଥିଲି। ଘରର କାମ ସହ ପାଠ ପଢ଼ୁଥିଲି। ଗୋଟିଏ ଟିଉସନ ମଡାମ୍ ମୋ ପାଇଁ ରଖା ଯାଇଥିଲା। ସ୍କୁଲ୍ ନ ଯାଇ ମଧ୍ୟ ଭଲ ପଢ଼ୁଥିଲି ।
ଯେହେତୁ ସ୍କୁଲ ଯାଏନି ମୋର ବନ୍ଧୁ ବି କେହି ନ ଥାନ୍ତି।ଦଶମ ବୋର୍ଡ଼୍ ପରୀକ୍ଷା ସମୟରେ ସୌମ୍ୟଙ୍କ ସହ ମୋର ପରିଚୟ। ତା' ପରେ ବନ୍ଧୁତ୍ୱ। ଏତେ ବଡ଼ ଦୁନିଆରେ ବନ୍ଧୁ କହିଲେ ସୌମ୍ୟ ଜଣେ। ଏମିତି ଘରେ ପଢି ପଢି ଦ୍ଵାଦଶ ବୋର୍ଡ଼୍ ମଧ୍ୟ ଦେଲି। ସୌମ୍ୟ ବୁଝି ସାରିଥିଲେ ଘରେ ମୋର ସ୍ଥିତି କିପରି । ମୋତେ ବିବାହ ପାଇଁ ପ୍ରସ୍ତାବ ଦେଲେ। ତାଙ୍କ ଘରେ ମୋ ବିଷୟରେ ସବୁ କହି ସାରିଥିଲେ।
ମୋର ବିବାହ ହେଉ ବୋଲି ଏମାନେ ଚାହୁଁ ନ ଥିଲେ। ଏତେ ଭଲ ଚକରାଣୀକୁ ଯେ ହରେଇବାକୁ ପଡ଼ି ଥାଆନ୍ତା! ଦୃଢ଼ ବିରୋଧ କଲେ ସେମାନେ। ମୋତେ ଅଠର ବର୍ଷ ହେବା ପରେ ଚୁପ୍ ଚାପ ଆମେ ରେଜିଷ୍ଟ୍ରି ମ୍ୟାରେଜ କରି ସେ ଘରୁ ବାହାରି ଆସିଲୁ।
ସବୁବେଳେ ଭାବେ ରପଞ୍ଜଲ୍ କୁ ତ ତା'ର ମତାପିତା ମିଳି ଯାଇଥିଲେ, ମୋତେ କ'ଣ ମିଳିବେ ? ରାଜକୁମାର ହୋଇ ସୌମ୍ୟ ସିନା ମୋତେ ବୁଢ଼ୀ ଅସୁରୁଣୀ ଗୁମ୍ଫାରୁ ନେଇ ଆସିଲେ ! ମୋତେ ମୋ ସୌମ୍ୟଙ୍କ ଘରେ ବହୁତ ଆଦର ସମ୍ମାନ ମିଳିଛି। ଏବେ ମୋର ମନସ୍କାମନା ପୂର୍ଣ୍ଣ ହେଲା। ମୋତେ ମୋ ମାତାପିତା ମିଳିଗଲେ। "
ଶ୍ୱଶୁରଙ୍କୁ ଚାହିଁ କହିଲା, " ପାପା ! ଇଏ ହିଁ ମୋର ମାଆ। ପିଲାଦିନେ ଆଶ୍ରମକୁ ଆସୁଥିଲେ, ମୋତେ ଗେହ୍ଲା କରୁଥିଲେ। କେତେ ଅନୁନୟ କରି କହୁଥିଲେ ତାଙ୍କୁ "ମାଆ" ବୋଲି ଡାକିବା ପାଇଁ। ଏଇ ସ୍ନେହମୟୀ ମୂର୍ତ୍ତିଙ୍କୁ ଭୁଲିନି ମୁଁ। "
ଶ୍ୱେତାଙ୍କୁ ଛାତିରେ ଲଗେଇ ସୀମା କହିଲେ, " କୁନ୍ତୀ ସିନା କୁମାରୀ ମାତୃତ୍ବର ଲଜ୍ଜାରେ କର୍ଣ୍ଣଙ୍କୁ ମାତୃ ପିତୃ ପରିଚୟରୁ ବଞ୍ଚିତ କରିଥିଲେ, କିନ୍ତୁ ମୁଁ ସମସ୍ତଙ୍କ ସମ୍ମୁଖରେ ସ୍ୱୀକାର କରୁଛି, ଶ୍ୱେତା, ମୋ 'ରମ୍ପନ୍ଜଲ୍' ମୋର ଜନ୍ମିତା କନ୍ୟା। "
କରତାଳିରେ ଗୁଞ୍ଜରି ଉଠିଲା ହଲ । ସମସ୍ତେ ଦେଖୁଥିଲେ ମାଆ ଝିଅଙ୍କର ଅପୂର୍ବ ମିଳନ।

