ମଉଳା ବସନ୍ତ
ମଉଳା ବସନ୍ତ
ଫୁଲ.. ନାଁ ଟି ଯେମିତି ଚେହେରା ବି ସେମିତି। ଚମ୍ପା ଫୁଲ ପରି ଦେହର ରଙ୍ଗ, ତନୁପାତେଳୀ ଝିଅଟିଏ। ସୂତା ଶାଢ଼ୀଟିଏ ଏମିତି ପିନ୍ଧିଛି ଯେ ପାଦ ଓ ମୁହଁ ଛଡା ଆଉ କିଛି ଦିଶୁନି। କେହି ବି ତା' ସରଳ ନିରୀହ ମୁହଁର ମାୟାରେ ନିଶ୍ଚୟ ପଡିଯିବ। ଯେତେବେଳେ ତାକୁ ଦେଖିଲି ଘଡ଼ିଏ ଚାହିଁ ରହିଲି। ଲୁହରେ ଟଳମଳ ତା' ଆୟତ୍ତ ଚକ୍ଷୁ। ଯେମିତି ପଚାରିଦେଲି " କ'ଣ ହେଲାରେ ତୋର ମାଆ"? ଲୁହ ସବୁ ବନ୍ଧ ଭାଙ୍ଗି ବୋହି ଆସିଲେ ନୀରବରେ। କିଛି କହି ପାରିଲାନି ସେ। ତାକୁ ଜଣେ ବୟସ୍କା ମହିଳା ଏକ ପ୍ରକାରର ଟାଣି ନେଇ ଚାଲିଗଲେ। ମୁଁ ସେଠି ଅପେକ୍ଷା କରିଥିଲି ମୋ ବାନ୍ଧବୀ ସୁଜାତାକୁ, ଯିଏକି ଜଣେ ସାଏକାଇଟ୍ରିଷ୍ଟ (PSYCHIATRIST) । ଏଇଠି ତା କ୍ଲିନିକ। ତା' ସହ ଦେଖା କରିବାକୁ ମଝିରେ ମଝିରେ ମୁଁ ଯାଏ। ଅନେକ କିଛି ଆମର ଆଲୋଚନା ହୁଏ। ଝିଅଟି ବିଷୟରେ ଜାଣିବାର କୌତୁହଳକୁ ଚାପି ନପାରି ସୁଜାତାକୁ ପଚାରିଦେଲି ତା' ବିଷୟରେ।
ଫୁଲର ବିବାହ ଷୋହଳ ବର୍ଷ ବୟସରେ ହେଇ ଯାଇଥିଲା।ତା' ସ୍ୱାମୀ ରାମୁ ରାଜମିସ୍ତ୍ରୀ କାମ କରେ। ଅସାମାନ୍ୟ ସୁନ୍ଦରୀ ହେତୁ ଫୁଲକୁ ଜୋର କରି ବିବାହ କରିଥିଲା ରାମୁ। ବିବାହର ଦୁଇ ବର୍ଷ ପରେ ଝିଅଟିଏ ହେଲା। ଫୁଲର ଅତ୍ୟଧିକ ସଫାସୁତୁରା ରହିବା ସ୍ଵଭାବ ଯୋଗୁଁ ରାମୁ ବେଳେବେଳେ ବିରକ୍ତ ହେଇଯାଏ। ଘଣ୍ଟା ଘଣ୍ଟା ଗାଧଉଥିବ,ଲୁଗା ଧୋଉଥିବତ ସେଇଥିରେ ହିଁ ଲାଗିଥିବ। ଛୋଟ ଝିଅଟିର ଯତ୍ନ ନେବାରେ ସେଥିପାଇଁ ହେଳା ହେଇଯାଏ। କେତେଥର ଭୋକରେ ଝିଅ କାନ୍ଦୁଥିବ ଏପଟେ ଫୁଲ ହାତ ଧୋଉଥିବ ଅନେକ ସମୟ ଧରି। ତା'ର ଭୟ କାଳେ ହାତର ମଇଳା ଲାଗି ଝିଅ ଅସୁସ୍ଥ ହେଇଯିବ। ପାଖ ପଡ଼ୋଶୀଙ୍କ ସହ ଆଉ ମିଶିଲାନି, ଡିସେମ୍ବର ଶୀତରେ ବି ରେଜେଇ, କନ୍ଥା ସଫା କଲା,ଅଧରାତିରେ ଗାଧେଇଲା,ଗାଧୁଆ ଘର କାନ୍ଥକୁ ଘଷି ଘଷି ଧୋଇଲା। ଧୀରେ ଧୀରେ ସ୍ୱାମୀକୁ ବି ପାଖକୁ ଆସିବାକୁ ଦେଲାନି। ଛୁଇଁଲେ ଗାଧେଇଲା। ପୂଜା ଘରେ ଥରେ ପଶିଲେ ବହୁତ ସମୟ ଧରି ଖାଲି ପୂଜା ହିଁ କଲା। ସ୍ୱାମୀଟିଏ ସ୍ତ୍ରୀଠାରୁ ଯାହା ଚାହେଁ ଫୁଲ ଠାରୁ ସେପରି କିଛି ପାଇଲାନି ରାମୁ। ଫୁଲ ନିଜେ ଜାଣି ପାରୁ ନଥିଲା ସେ ଯାହା କରୁଛି ଠିକ କି ଭୁଲ! ରାମୁର ଜଣେ ମୁଲିଆଣୀ ସହ ଭାବ ହେଇଗଲା ଆଉ ସିଏ ଫୁଲକୁ ଓ ଝିଅକୁ ଛାଡି ତା' ସହ ପଳେଇଲା।
ଏମିତିରେ ସପ୍ତମ ଶେଣୀ ପର୍ଯ୍ୟନ୍ତ ପଢିଥିବା ଫୁଲ ନିଜର ଓ ଛୁଆର ପେଟ କେମିତି ଭରିବ , ସେଇ ଚିନ୍ତାରେ ବ୍ୟସ୍ତ ହେଇଗଲା। ପୁଅ ତ ଘର ଛାଡିଦେଲା ଆଉ ବୋହୁକୁ ରଖିକି କିଏ ପୋଷିବ ବୋଲି କହି ଶାଶୂଘର ଲୋକେ ବାପଘରକୁ ପଠେଇଦେଲେ। ସେଠି ବି ଅଭାବ। ଭାଉଜ ଫୁଲର ଏମିତି ସ୍ଵଭାବ ଯୋଗୁଁ ବିରକ୍ତ ହୁଏ। ଭାଇ ବହୁତ ପିଟାପିଟି କରେ। ମାଆବାପା ଅସହାୟ ହେଇ ଦେଖିବା ଛଡା ଆଉ କ'ଣ ବା କରି ପରିଥାନ୍ତେ? ଧୀରେ ଧୀରେ ଫୁଲର ଏଇ ଶୁଚିବାଇ ସ୍ଵଭାବ ବଢ଼ିବାରେ ଲାଗିଲା। ଏପଟେ ମାଡ଼ଗାଳି।ସେପଟେ ପେଟର ଜ୍ୱାଳା।ଘର ଛାଡି ଚାଲି ଆସିଲା ସହରକୁ। ଭାବିଥିଲା କିଛି କୋଉଠି କାମଦାମ କରିକି ଚଳିଯିବ। କାମ କି ସହଜେ ମିଳେ? ରାସ୍ତା କଡର ଗଛ ତଳେ ବସିକି କାନ୍ଦୁଥିଲା ବେଳେ ପୁଲିସ ତାକୁ ଦେଖିକି ଥାନାକୁ ନେଇ ଆସିଲେ। କିଛି କାମ ଯୋଗେଇ ଦେବା ପାଇଁ ବହୁତ ନେହୁରା ହେଲା ପୁଲିସକୁ। ପୁଲିସ ତାକୁ ଯେଉଁଠି ନେଇକି ରଖେଇଲେ ସେଇଟା ଥିଲା ଗୋଟିଏ ରିହାବିଲିଟେସନ ସେଣ୍ଟର (rehabilitation center) । ସେଠି କାମ କରିବ କ'ଣ ହାତ ଗୋଡ଼ ଧୋଉ ଧୋଉ ତା' ସମୟ ଯାଏ। ଏମିତିକି ହାତରୁ ରକ୍ତ ବାହାରିବା ପର୍ଯ୍ୟନ୍ତ ରଗଡୁଥିବ। ସେଠି ତାକୁ ଡାକ୍ତର ଦେଖେଇବା ପରେ ଜଣାଗଲା ଫୁଲ OCD ( obsessive compulsive disorder) ନାମକ ରୋଗରେ ଆକ୍ରାନ୍ତ। ସୁଜାତାପାଖକୁ କାଉନସେଲିଙ୍ଗ (counselling) ପାଇଁ ଅଣାହୁଏ ତାକୁ।
ମୁଁ ପଚାରିଲି ଏଇଟା କି ପ୍ରକାର ରୋଗ, କାହିଁକି ହୁଏ ଓ ତା'ର ପ୍ରତିକାର କ'ଣ ? ସୁଜାତା କହିଲା, ସେମିତି ଦେଖିବାକୁ ଗଲେ ଏ ରୋଗର କାରଣ ପାଇବା ମୁସ୍କିଲ ତଥାପି ମସ୍ତିଷ୍କରେ ଏକ ସ୍ୱତନ୍ତ୍ର ପ୍ରକାରର ରସାୟନ ସ୍ତରରେ କିଛି ସମସ୍ୟା ଦେଖାଗଲେ (serotonin) ଏପରି ହୋଇପାରେ। ବ୍ୟସ୍ତ ହେଇକି ମୁଁ ପଚାରିଲି ଏ ପ୍ରକାର ରୋଗୀ ଭଲ ହେବାର ଉପାୟ ତେବେ କ'ଣ? ସୁଜାତା କହିଲା ଯଦି ରୋଗୀ ଏଥିରୁ ମୁକୁଳିବା କଥା ଭାବେ ତେବେ ଅଧିକ ଚାପଗ୍ରସ୍ତ ହୋଇ ସେହି କାମକୁ ଅଧିକରୁ ଅଧିକ କରିଥାଏ। ଭଲ ହେବାକୁ ଏପରି ରୋଗୀ ବହୁତ ସମୟ ନେଇଥାନ୍ତି। ଠିକ ଭାବେ ସେମାନଙ୍କର ଶାରୀରିକ ପରୀକ୍ଷଣ କରାଇବାକୁ ହୁଏ। ଏଥିପାଇଁ ଔଷଧ ବି ଦିଆଯାଏ। ସବୁଠାରୁ ମୁଖ୍ୟ ଚିକିତ୍ସା ଏମାନଙ୍କ ପାଇଁ ହେଲା ମନୋଚିକିତ୍ସା (psychotherapy) । ବାହାରେ ଅନେକ ରୋଗୀ ଅପେକ୍ଷା କରିଥିବାରୁ ବାକି ତଥ୍ୟ ମୋତେ ପରେ ବୁଝେଇବ ବୋଲି ସୁଜାତା କହିଲା
ଝିଅଟିକୁ ଦେଖିଲା ପରେ ଏତେ ମାତ୍ରାରେ ତା' ପ୍ରତି ମୋର ଦୁର୍ବଳତା ଆସି ଯାଇଥିଲା ଯେ, ମୁଁ ଏକ ପ୍ରକାର ନେହୁରା ହେଇକି ସୁଜାତାକୁ କହିଲି, ଯେମିତି ହେଲେ ବି ତାକୁ ଭଲ କରିଦେବାକୁ। ମନ ଭାରି ଭାରି ଲାଗୁଥିଲା।ଆଉ ବସି ପାରିଲିନି ତା' ପାଖେ, ଉଠିକି ଚାଲି ଆସିଲି। ମଝିରେ ପଚାରି ବୁଝିଥିଲି ଫୁଲ ବିଷୟରେ। ଧୀରେ ଧୀରେ ସୁସ୍ଥ ହେଉଛି ସେ। ଏ ଚିକିତ୍ସା ତ ବହୁତ ସମୟ ସାପେକ୍ଷ। ତଥାପି ମୁଁ ଆଶା ରଖିଛି ଦିନେ ଫୁଲ ପୁରା ଭଲ ହେଇ ତା' ଝିଅ ପାଖକୁ ଫେରିଯିବାର ଖବର ପାଇବି ବୋଲି। ତା' ଲୁହ ଟଳମଳ ଆଖି ଏବେବି ମୋତେ ବିବ୍ରତ କରିଦିଏ।
