sumita behera

Classics Inspirational Others

4  

sumita behera

Classics Inspirational Others

ସୁଶୀ

ସୁଶୀ

5 mins
211



ଢିଙ୍କି ଉପରେ ପାଦ ଉପର ତଳ ହେଉଥିବା ସହ ସୁଶୀର ଛାତି ସମାନ ତାଳରେ ଉଠା ପକା ହେଉଥିଲା। କ'ଣ ସବୁ ଗୁଣୁଗୁଣୁ ହେଇ କହୁଥିଲା କେଜାଣି ! ଲଖୀ ଖୁଡୀ ପଚାରିଲା " କିଲୋ ସୁଶୀ ! କ'ଣ ଗାରୁଗାରୁ ହଉଛୁ ବା ? ତଳକୁ ଚାହିଁକି କୁଟେ ଲୋ ! ମୋ ହାତ ଉପରେ ଢିଙ୍କି ପକେଇ ଦବୁ ନା କ'ଣ ?

ନିଘା ନାହିଁ ସୁଶୀର ଖୁଡୀ କଥାକୁ। ଅନ୍ୟମନସ୍କା ଭାବେ ପାଦ ପକଉଛି ଢିଙ୍କି ଉପରେ। ଚୂନା ଆଡେଇବା ଛାଡ଼ି ଖୁଡୀ ଉଠି ଆସିଲା ସୁଶୀ ପାଖକୁ। ତା' କାନ୍ଧରେ ଆସ୍ତେ କରି ଚାପ ଦେଇ ପଚାରିଲା , " କ'ଣ ହେଲା ? "

" ଗରିବ ମାଇପ ସମସ୍ତଙ୍କର ଶାଳୀ ... ବାଡ଼ିଖିଆକୁ ଆଜି ଦାଆରେ ସତରେ ହାଣି ଦେଇଥାନ୍ତି । "

" କିଏ !! କାହା କଥା କହୁଛୁ !! କିଏ କ'ଣ କହିଲା ତତେ ? "

" ଏଇ ମହାଜନ ପୁଅ କନ୍ଦର୍ପ ମ । "

ନିଜ ଭିତରେ ନ ଥିଲା ସୁଶୀ। ରାଗରେ ତା' ଗୋରା ମୁହଁଟା ନାଲି ପଡ଼ିଯାଇଥିଲା। ମାତ୍ର ପନ୍ଦର ବର୍ଷ ବୟସରେ ବାହାଘର ହେଇଥିଲା। ବାହାଘର, ସ୍ୱାମୀ,ଶାଶୂଘର ଏତେକଥା ଜାଣିବା ବୁଝିବା ଆଗରୁ ବେଦୀରେ ବସି ସାରିଥିଲା ସୁଶୀ। ତା' ସାନ ଖୁଡୀର ସମ୍ପର୍କରେ ପୁତୁରା ହବ ଶନି।

ଲଜ୍ଜା ହୋମ ସରିଲା। ଗାଁ' ର ନଣନ୍ଦ ଲେଖା ହବ ସୁଲି। କହିଲା, " ଭାଉଜ ଭାଇଙ୍କୁ ସମ୍ଭାଳିକି ରଖିଥିବ। " କହିକି କିରିକିରି ହେଇ ହସିଦେଲା। ପାଖରେ ବସିଥିବା ମାଇପି କେତେଜଣ ମୁହଁ ଚୁହାଁଚୁହିଁ ହେଇ ହସିଲେ। ବଡ଼ ଯାଆ ସେପଟ ଦେଇ ଯାଉଥିଲା କେମିତି ଗୋଟେ ଚାହିଁଲା ସୁଶୀକୁ।

ଜେଜୀଶାଶୂ ଆକଟି କି କହିଲେ, " କେତେ ଦାନ୍ତ ଦେଖଉଚ ଲୋ ଅଲାଜୁକୀ ଦଳ। ବାହାର ଏଠୁ। ପିଲାଟାକୁ ଟିକେ ଶାନ୍ତିରେ ରଖେଇ ବସେଇ ଦେବେନି। "

ବାସର ରାତି ସୁଶୀର। କେହି କେବେ ଆଗରୁ ଜଣେଇ ନାହାଁନ୍ତି ଏ ରାତିର ତାତ୍ପର୍ଯ୍ୟ।ପଢ଼ା ତ ସରିନି ବାହାଘର। ଦଶମ ଶ୍ରେଣୀରେ ପଢୁଥିଲା। କେମିତି ଜାଣିବ ସଂସାର କ'ଣ ବା ବନ୍ଦ କୋଠରୀ ଭିତରେ ନାରୀ ପୁରୁଷର ସମ୍ପର୍କ କ'ଣ !!

କେତେଜଣ ସ୍ତ୍ରୀଲୋକ ତାକୁ ରାତିରେ ଠେଲିକି ଛାଡିଦେଲେ ଗୋଟେ ରୁମ୍ ଭିତରକୁ। ସନିଆ ତା' ସ୍ୱାମୀ.. ଇହକାଳ ପରକାଳର ଦେବତା ଆଗରୁ ସେଠି ଥିଲା। ସୁଶୀକୁ ଟାଣି ନେଇଗଲା ଖଟ ଉପରକୁ। ଲାଜ ଛାଡ଼ି ଭୟ ଆସିଗଲା ସୁଶୀକୁ ଯେତେବେଳେ ସନିଆ ଗୋଟିଏ ଝଟକାରେ ତା' ଉପରେ ମାଡ଼ି ବସିଲା।

ଯନ୍ତ୍ରଣାରେ କାନ୍ଦି ପକେଇଲା ସୁଶୀ। ତେବେ ବାହାଘର ମାନେ ଏଇଆ। ଦେହ ସାରା ଦରଜ। ତା'ପର ରାତି ରୁମ୍ ଭିତରକୁ ପଶିବାକୁ ଡ଼ରିଲା । ବଡ଼ ଯାଆର ବି ଦେଖା ନାହିଁ। କେଜାଣି କୁଆଡେ ଗଲେ ! ଜେଜୀଶାଶୂ ତ କେତେବେଳୁ ଶୋଇ ପଡିଲେଣି। ଘୋଷାରି ନେଇଗଲା ସନିଆ ସେ ରାତିରେ। ମନ ହଉଥିଲା ଧାଇଁକି ପାଳନ୍ତା ବାପଘରକୁ। ଆଃ...

ମାସେ ପରେ ବଡ଼ଯାଆ ଫେରିଲେ। ବାପଘରକୁ ଯାଇଥିଲେ ତାଙ୍କ ବାପାଙ୍କର ଦେହ ଖରାପ ଥିଲା । ବଡ଼ଯାଆ ଆସିବା ପରେ ସନିଆର ବ୍ୟବହାରରେ ଅଚାନକ ପରିବର୍ତ୍ତନ ଆସିଲା। ତାକୁ ଆଉ ଟଣା ଘୋଷରା କଲାନି। ସ୍ନେହ ଆଦର କଲା। ସ୍ୱାମୀ ସୋହାଗ ପାଇ ସୁଶୀ ଖୁସି ରହିଲା। ଦେଢଶୁରଙ୍କର ଛୋଟ ଛୋଟ ପୁଅ ଦୁଇଟି ତା'ର ଖେଳସାଥୀ ହେଇଗଲେ।

ପାଞ୍ଚଭାଇରେ ଗୋଟିଏ ଭଉଣୀ ସୁଶୀ, ସେଥିରେ ପୁଣି ସବୁଠୁ ସାନ। ଭାରି ଗେହ୍ଲୀ ବାପଘରେ। ବେଳେବେଳେ ଭାଇମାନେ ଆସିକି ବୁଲିଯାଆନ୍ତି। ଏମିତି ଭଲ ଜୋଇଁ ପାଖାପାଖି ସାତଖଣ୍ଡ ଗାଁ'ରେ କେହି ନ ଥିବେ ବୋଲି ଆଲୋଚନା ବି ହୁଏ।

ମେ ମାସର ଦିପହରିଆ ଗରମ। ଦେଢଶୁରଙ୍କର ପିଲା ଦିଟାଙ୍କୁ ଧରି ଶୋଇଛି ସୁଶୀ। ଖରାବେଳେ ଯାଆ କୁହନ୍ତି, " ସୁଶୀ ଲୋ ! ପିଲାଙ୍କୁ ଟିକେ ଶୋଇ ଦେ। ତୋତେ ତ ଆଦରି ଯାଇଛନ୍ତି। ମୋ କଥା ଜମାରୁ ଶୁଣୁ ନାହାଁନ୍ତି। ଖରାବେଳେ ସନିଆକୁ ପାଖରେ ପାଇବାକୁ ମନ ଖୋଜେ। କିନ୍ତୁ ହବ କ'ଣ ଆଉ? ଯାଆଙ୍କୁ ତ ଆଉ ମନା କରି ପାରିବନି !

ପୁତୁରା ଦି' ଜଣ ଗପ ଶୁଣିକି ଶୋଇ ପଡ଼ିଲେଣି। ଦି ମାସର ଗର୍ଭ। ଦେହଟା ଅଳସ ଲାଗୁଛି। ନିଦରେ ଆଖି ବନ୍ଦ ହେଇଯାଉଛି।। ମନେ ପଡ଼ିଗଲା ମାଛ ତରକାରି ଘୋଡେ଼ଇକି ରଖିନି। ଇଚ୍ଛା ନ ଥିଲେ ବି ଉଠିବାକୁ ହେଲା।

ରୋଷେଇଘର ପାଖରେ ଯାଆଙ୍କର ରୁମ୍। ପାଉଁଜୀ ଛମ୍ ଛମ୍ ଶବ୍ଦ ଶୁଣି ଜାଣିଲା ଯାଆ ଶୋଇ ନାହାଁନ୍ତି। ପୁରୁଷ କଣ୍ଠ ସ୍ୱର ଶୁଣାଗଲା। ଦେଡ଼ଶୁର କଲିକତାରେ କୋଉ କମ୍ପାନୀରେ କାମ କରନ୍ତି । ଆସିଲେ କି ଆଉ ଘରକୁ ! ନଜର ପଡିଗଲା ରୁମ୍ ଭିତରକୁ।

ପାଦତଳର ମାଟି ଖସିଗଲା ସୁଶୀର। ଅସଂଜତ ଅବସ୍ଥାରେ ସନିଆ ଆଉ ବଡ଼ଯାଆ। ଫେରି ଆସିଲା ନିଜ ରୁମ୍ କୁ। ଘୃଣା ଆସିଗଲା ସେମାନଙ୍କ ଉପରେ। ଛିଃ...

ସନିଆର ଉତ୍ତର ଶୁଣି ସୁଶୀ ବିଶ୍ୱାସ କରିପାରିଲା ନାହିଁ , ଯାହାର ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ବାହା ହେଲା ସିଏ ଏମିତି ହେଇଥିବ। ସୁଶୀର ଲୁହ ତା' ଉପରେ କୌଣସି ପ୍ରଭାବ ପକେଇଲା ନାହିଁ।

ସନିଆ କହିଲା, " ମୋଠୁ ତେରବର୍ଷ ସାନ ଝିଅକୁ ଏଇଥିପାଇଁ ବାହା ହେଇଥିଲି ସେ ମୋର କୌଣସି କଥାରେ ପାଟି ଫିଟେଇବନି। ଭାଉଜର ପିଲା ଦିଇଟା ଯୋଉ ଦେଖୁଛୁ ସେମାନେ ମୋ ପିଲା। ଭାବିଥିଲି ପ୍ରଥମେ ତୋ ସାଙ୍ଗରେ ଯେମିତି ବ୍ୟବହାର କରିଥିଲି ତୁ ତମ ଘରକୁ ପଳେଇବୁ ବୋଲି। ଭାଉଜ ମୋତେ ବୁଝେଇଲା, ତୋ ସଂଗେ କଅଁଳ ବ୍ୟବହାର କରିବାକୁ କହିଲା। କହିଲା , ପିଲାଲୋକ କିଛି ଜାଣି ପାରିବନି। ହେଲେ ତୁ ଦେଖିଦେଲୁ ଆଜି। ଭଲ ହେଲା ଜାଣିଲୁ। ତୁ ପାଟି ଚୁପ୍ କରି ରହ। ତୋର ତ କୋଉଥିରେ ଊଣା କରୁନି ମୁଁ ! "

ବାପା ଆସିଥିଲେ ସୁଶୀକୁ ଦେଖିବାକୁ। ତାଙ୍କ ସହ ଘରକୁ ପଳେଇ ଆସିଲା ଯେ ଆଉ ଯାଇନି। ୟା ଭିତରେ ପଚିଶ ବର୍ଷ ବିତିଗଲାଣି। ସୁଶୀ କେତେଥର ଚାହିଁଛି ତା' ସଂସାରକୁ ଫେରିଯିବା ପାଇଁ। କିନ୍ତୁ ବାପା ଭାଇ ଆଉ ଛାଡିଲେନି।

ସୁଶୀର ଝିଅ ବାହା ହେଇ ସାରିଲାଣି। ବାପା ବୋଉ ଆଉ ନାହାଁନ୍ତି। ଭାଉଜମାନେ ସୁଶୀ ଉପରେ ଖୁସି। ସେମାନଙ୍କ ପିଲାଙ୍କୁ ସମ୍ଭାଳିବା ସହ ଘରର ସବୁକାମ ଯେ କରେ !

ସନିଆ ସଂଗେ ବାହା କରେଇ ଥିବାରୁ ସାନଖୁଡ଼ୀ ଅନୁତାପ କରି କାନ୍ଦେ। କାହା ମନ ଭିତରେ କିଏ ପଶିଛି ଯେ ! କହେ ଆଉଥରେ ବାହା ହେଇଯିବା ପାଇଁ।

ସୁଶୀ କହେ, " ଭାଗ୍ୟରେ ସୁଖ ଥିଲେ ପ୍ରଥମ ପାଖରୁ ମିଳି ଥାଆନ୍ତା। ନ ଥିଲେ ସାତ ଘଇତା କଲେ ବି ମିଳିବନି। କାହିଁକି ବେକାରଟାରେ ମୁହଁ ସାରିବି ! ନାଁ ପକେଇବି ! "

ଏ ନିଆଁଲଗା ଚେହେରା ଖଣ୍ଡକ ତା'ର ବଇରୀ । ଚାଳିଶି ଛୁଇଁଲାଣି ତଥାପି ଅଠର କି ଉଣେଇଶ ବର୍ଷର ଝିଅଟିଏ ପରି ଲାଗୁଛି। ଏଇ ପଚିଶ ବର୍ଷ କେମିତି କାଟିଛି ନିଜେ ଏକା ଜାଣେ।

ବୁଢ଼ାଠୁ ଟୋକା କେତେ ପ୍ରକାରରେ ଇଙ୍ଗିତ କରନ୍ତି। ସବୁ ବୁଝେ। ନଜର ସେମାନଙ୍କର ଦେହ ଉପରେ। ତା' ଆତ୍ମାକୁ କେହି ଛୁଇଁ ପାରନ୍ତିନି।

ମନକୁ ବୁଝେଇ ଦେଇଛି ସ୍ୱାମୀସୁଖ ତା' କପାଳରେ ନାହିଁ। ତଥାପି ବେଳେବେଳେ ଦେହ ଜଳେ। ରାତିର ଅନ୍ଧାରରେ ମନ ହୁଏ କାହାଠୁ ସେ ସୁଖ ଟିକକ ପାଇବା ପାଇଁ। ତା' ପଛରେ ତ ଗାଁ' ଟା ଯାକର ଅଣ୍ଡିରା ।

ସକାଳ ହେଲେ ମନ ବଦଳିଯାଏ। ଭାବେ, ଛିଃ... ଏତେ ତଳକୁ ସେ କେବେ ଯାଇ ପାରିବନି। ସାମାନ୍ୟ ଦେହସୁଖ ଟିକେ ପାଇଁ ଚରିତ୍ରରେ ଦାଗ ଲଗେଇ ଦେବ ?? ଝିଅ ମୁହଁକୁ ଚାହିଁ ନିଜର ସବୁ ଭାବନାକୁ ମାରିଦିଏ।

ମହାଜନ ପୁଅ କନ୍ଦର୍ପ ସୁଶୀଠୁ ସାତ ସାନ। କେତେଥର କହି ବି ସରିଲାଣି , " କାହିଁକି ତୋ ଯଉବନକୁ ଏମିତି ସାରି ଦଉଛୁ ଲୋ ! ମୋ କଥା ମାନି ଯା' ଥରେ । ଦେଖିବୁ ତତେ ସ୍ୱର୍ଗ ସୁଖ ଦେବି । "

ସୁଶୀ କିଛି କହେନି। ଚୁପ୍ ରହେ। କନ୍ଦର୍ପର ଜେଜେ ବି ସେଇ ଏକା କଥା ତାକୁ ଏକେଲା ଦେଖିଲେ କହେ।

ଖୁଡୀ କହିଲା, " ଆଲୋ ସେ ମେଞ୍ଚଡ଼ ଟୋକା କ'ଣ କହିଲା ମୋତେ କହୁନୁ ! ମୁଁ ଯାଇ ତା' ଘରେ କହିକି ଆସୁଛି। କେଡ଼େ ବହପ ମ ! "

" ନାଇ ଖୁଡୀ ! କିଛି ଦରକାର ନାହିଁ ମ। ଆଜି ଦେଇଛି ତାକୁ ପାନେ । ବୋପା ମନେ ପଡି ଯାଇଥିବ ଯେ ! "

"କ'ଣ କଲୁ କି ? "

" ବିଲକୁ ଯାଇଥିଲି ଶାଗ ତୋଳିବାକୁ, ସେ ଟୋକା କ'ଣ କଲା ନା ପଛରୁ ଆସି ମୋତେ ଜାବୁଡ଼ିକି ଧରି ପକେଇଲା। ମୋ ହାତରେ ଦାଆ ଥିଲା। ଉଞ୍ଚେଇକି ରଡ଼ିଟେ ଛାଡି ଗୋଡେଇଲି ଯେ ଦୌଡ଼ିକି ପଳେଇଲା। ମାଆ ଦୁର୍ଗା ରୂପ ନବାକୁ ହୁଏ ଲୋ ଖୁଡୀ। ନ ହେଲେ ଏ ଅସୁରମାନଙ୍କୁ କ'ଣ ପାରି ହବ !! "

କାନ୍ଦି ପକେଇଲା ସୁଶୀ। ପଚିଶ ବର୍ଷ ହେଲା ଏମିତି ତ ଚାଲିଛି ତା' ସହ। କିଏ ଜବର କରି ତାକୁ ପାଇବାକୁ ଚାହେଁ, କିଏ ସିଧା ଗୋଡ଼ ତଳେ ପଡି ନେହୁରା ହୁଏ, କିଏ ଡ଼ରେଇକି , ଯେତେ ପ୍ରକାର ଲୋକ ସେତେ ପ୍ରକାର ଅଭିନୟ। ଅଭାବ ଅଛି ବୋଲି ସ୍ଵଭାଵ କେବେ ସିଏ ନଷ୍ଟ କରିନି । ନାରୀକୁ ଅସହାୟ ଦେଖିଲେ କେତେ ଛଳରେ ପୁରୁଷ ଆସେ ତା'ପାଖକୁ। ତା' ଆତ୍ମାକୁ ନୁହେଁ କେବଳ ଦେହକୁ ଛୁଇଁବାକୁ।



Rate this content
Log in

Similar oriya story from Classics