sumita behera

Others

3  

sumita behera

Others

ବନ୍ଦୀଶାଳା

ବନ୍ଦୀଶାଳା

3 mins
224



  ସୁଲୋଚନା ଯେବେ ବି ସିଲୁକୁ ସଂସାର ବାନ୍ଧିବାକୁ କୁହନ୍ତି ତା'ର ସବୁବେଳେ ସେଇ ଗୋଟିଏ ଘିସାପିଟା ଉତ୍ତର, “ନାନୀ ସଂସାର କରି କି ତୁ ସୁଖ ପାଉଛୁ, ବନ୍ଦୀ ଜୀବନଟିଏ ଛଡା । ଯୌବନର ଉଦ୍ଦାମତାରେ କେବେ କୁଆଡେ ଯେ ସିଏ ବୋହିଯାଏ ତାକୁ ନିଜକୁ ବି ଅଜଣା । ତା' ଜୀବନରେ କେତେ ସୁନ୍ଦରୀ ଆସିଛନ୍ତି ଓ ଚାଲି ଯାଇଛନ୍ତି ତା' ହିସାବ ସେ ନିଜେ ବି ଦେଇ ପାରିବନି । ତା' ମତରେ ଅନେକ ଯେତେବେଳେ ସହଜରେ ଆଜି କାଲିକା ବଜାରରେ ଉପଲବ୍ଧ, ଜଣଙ୍କ ସହ ବାନ୍ଧି ହେଇ ରହିବା ମୂର୍ଖାମୀ ଛଡା ଆଉ କିଛି ନୁହେଁ।


  ବୁଝେଇ ବୁଝେଇ ଥକିଯାଆନ୍ତି ସୁଲୋଚନା । ସିଲୁ ତା ଲାଇଫ୍ ନେଇ ବିନ୍ଦାସ୍ । ବ୍ୟବସାୟରୁ ଭଲ ରୋଜଗାର ହୁଏ । ସୁରା ଓ ସାକୀ ସତେ ଯେପରି ତା' ଦେହର ଅଙ୍ଗ । ନାନୀ ପାଖରେ କୌଣସି ଘଟଣା ସେ କେବେ ଲୁଚାଏନି । ସୁଲୋଚନା ପଚାରନ୍ତି, ”କୌଣସି ଝିଅ ସହ ସମ୍ପର୍କ ଭାଙ୍ଗିବା ପରେ ବାରମ୍ବାର ପୁଣି ଥରେ ନିଜକୁ ସାଉଁଟୁ କେମିତିରେ"? ସିଲୁ କହେ, ”ଯେଉଁ ସମ୍ପର୍କ କେବେ ଗଢିନି ତା'ର ଭାଙ୍ଗିବାର ପ୍ରଶ୍ନ ଆସୁଛି କେଉଁଠୁ"? "ମାନେ"... ଅବାକ ହେଇଯାନ୍ତି ସେ । 

   

  ସେ ଭଲ କରି ଚିହ୍ନନ୍ତି ତାଙ୍କ ଭାଇକୁ । ଅନ୍ତର ଦେଇ କାହାକୁ ସେ କେବେ ଭଲ ପାଇପାରିବନି । କାରଣ ମଧ୍ୟ ଜାଣନ୍ତି । ବାଲ୍ୟକାଳର ଧୂଳିଖେଳ ସାଥୀ, କିଶୋର ବୟସର ସମଗ୍ର ଆକର୍ଷଣର କେନ୍ଦ୍ର ଓ ଯୌବନର ପ୍ରଥମ ପ୍ରେମ, ସୋନିକୁ ସେ ଭୁଲି ପାରିନି । ସୋନି ବାହାଘର ପରେ ସିଲୁକୁ ଦାଢ଼ି ଛାଡି ମଦ ପିଇ ଦେବଦାସ ହେବା ବି କେହି କେବେ ଦେଖିନି । କିନ୍ତୁ ସୋନି ଯେଉଁଦିନ ତା' ଶାଶୂଘରେ ଜଳିଗଲା, ତା' ପରଦିନ ଠାରୁ ସିଲୁର ଏ ପରିବର୍ତ୍ତନ । କେଉଁଠି ନ କେଉଁଠି ସୋନିର ମୃତ୍ୟୁ ପାଇଁ ସେ ନିଜକୁ ଦାୟୀ କରିବାକୁ ଲାଗିଲା । ସୋନି ତା' ସହ ପଳେଇ ଅସିବାକୁ ବି ରାଜି ଥିଲା । ରୋଜଗାର ନଥାଇ କେମିତି ଆଉ ଜଣଙ୍କର ଦାୟିତ୍ୱ ନେବ ଭାବି ସିଲୁ ଚୁପ ରହୁଥିଲା । ଭାବିଥିଲା ସେ ଆର୍ଥିକ ସକ୍ଷମ ହେବା ପରେ ସୋନି ଘରେ ବାହାଘର ପାଇଁ ରାଜି ହୋଇଯିବେ । କିନ୍ତୁ ଏମିତି କିଛି ବି ହେଲାନି । ସୋନିର ଇଛା ବିରୁଦ୍ଧରେ ତାକୁ ବାହା କରିଦିଆଗଲା । ସୋନିର ମୃତ୍ୟୁ ଏବେବି ରହସ୍ୟ ଘେରରେ।


   ସୁଲୋଚନା ବୁଝାନ୍ତି, ବୟସ ଖସିଲେ ସାଥୀଟିଏ ଲୋଡ଼ା ହୁଏ । ମନର କଥା କହିବା ପାଇଁ, ଦେହର ଭଲମନ୍ଦରେ ସାଥିରେ ରହିବା ପାଇଁ, ଶୂନ୍ୟ ଜୀବନରେ ପୂର୍ଣ୍ଣତା ଆଣିବା ପାଇଁ । ସିଲୁର ସେଇ ଏକା ଯୁକ୍ତି, “ଯାହା ବି ହେଇଯାଉ ବନ୍ଦୀଶାଳା ତ ସବୁବେଳେ ବନ୍ଦୀଶାଳା ହିଁ ରହିବ । ତୁ ନିଜକୁ ଦେଖ ନାନୀ, ତୋ ନିଜ ଇଚ୍ଛାରେ କିଛି କରିପାରୁ କି? ସବୁକଥାରେ ଭାଇଙ୍କୁ ନ ପଚାରିଲେ କିଛି କରି ପାରିବୁନି । ଯେଉଁ ଝିଅ ବାହାଘର ଆଗରୁ ବକ୍ତୃତା ପ୍ରତିଯୋଗିତାରେ ଅଗ୍ନି ବର୍ଷା କରୁଥିଲା, ପାଠ ଗୀତ ଓ ଅନ୍ୟାନ୍ୟ ସବୁଥିରେ ପ୍ରଥମ ଛଡା ଦ୍ଵିତୀୟ ହେଇ ନଥିଲା ଆଜି ସେଇ ଝିଅ ଶାଶୂ, ଶ୍ୱଶୁର ଓ ସ୍ୱାମୀଙ୍କ ଅଧୀନରେ । ଯେଉଁ ଝିଅ ଭଲ ତରକାରୀ ନଥିଲେ ଋଷୁଥିଲା ଆଜି ସେଇ ଝିଅ ଦରକାର ପଡିଲେ ବାଇଗଣ ପୋଡିକି ଭାତ ଖାଇ ପାରୁଛି । ତେବେ ତୁ କହ ନାନୀ, ବାହାଘର ପରେ ତୁ ପାଇଲୁ କେତେ ଓ ହରେଇଲୁ କେତେ"?


   ନାନୀକୁ ତା'ର ସିଲୁ କେତେ ଭଲପାଏ ସେକଥା ସୁଲୋଚନା ଜାଣିଥିଲେ । କିନ୍ତୁ ତା' ମନରେ ଏତେ ବିଦ୍ରୋହ ଅଛି ବୋଲି ଆଜି ଜାଣିଲେ । ପାଖରେ ବସେଇ ମୁଣ୍ଡ ଆଉଁସି ଦେଇ କହିଲେ, “ତୁ ତୁଚ୍ଛା ବାଇଆଟା । ତୁ ଯାହାକୁ ବନ୍ଦୀଶାଳା ବୋଲି ଭାବୁଛୁ, ପ୍ରକୃତରେ ସେଇଟା ଆନନ୍ଦ ଧାମ । ସବୁ ଜନ୍ମରେ ଏମିତି ବନ୍ଦୀଶାଳାଟିଏ ମୁଁ ନିଶ୍ଚୟ ଚାହିଁବି । ଶାଶୁ ଶ୍ୱଶୁର ବାପାମାଆଙ୍କ ସମାନ । ତାଙ୍କ ସେବା କରିବା ଓ କଥା ମାନିବା ସବୁ ଝିଅର ଧର୍ମ । ଭାଇ ମୋଠୁ ଅଧିକ ମ୍ୟାଚୁରଡ୍, ତାଙ୍କ ସହ ପରାମର୍ଶ କରି କାମ କଲେ ମୋର ହିଁ ଭଲ ହବ । ମୋ ଦେହ ଖରାପ ହେଲେ ପୁରା ପରିବାରକୁ ଯେତେବେଳେ ମୋ ଚାରିପାଖରେ ପାଏ, ସେଠି ସ୍ୱର୍ଗ ବି ତୁଛ । ଶାଶୂ ଶ୍ୱଶୁର ଯେତେବେଳେ ବାହାର ଲୋକଙ୍କୁ ମୋ ପ୍ରଶଂସା କରନ୍ତି ସେଇଟା ତ ଗୋଲ୍ଡ୍ ମେଡାଲ୍ ଠାରୁ ବି ଅଧିକ ମୂଲ୍ୟବାନ ଲାଗେ । ବାଇଗଣ ପୋଡା ଯଦି ମୁଁ କେବେ କେମିତି ଖାଇ ବି ଦେଲି ସେଇଟା ନିଶ୍ଚୟ ଛପନ ଭୋଗ ଠାରୁ ଅଧିକ ସ୍ୱାଦିଷ୍ଟ । କାରଣ ହଠାତ ଘରକୁ ଅତିଥି ଆସିଲେ ତାଙ୍କୁ ଖୁଆଇ ନିଜକୁ ଯେଉଁ ତୃପ୍ତି ମିଳେ ତୁ ବୁଝି ପରିବୁନିରେ ଭାଇ । ଝିଅ ବେଳର ଲାଇଫ୍ ଓ ବାହାଘର ପରର ଲାଇଫ୍ ପୁରାପୁରି ଅଲଗା । ତୁ ଯାହାକୁ ବାରମ୍ବାର ବନ୍ଦୀଶାଳା ବୋଲି କହୁଚୁ, ନାରୀ ପାଇଁ ତା' ଠାରୁ ସୁରକ୍ଷିତ ଓ ସମ୍ମାନାସ୍ପଦ ସ୍ଥାନ ଆଉ କ'ଣ ଅଛି କହିଲୁ? ଭାବିଲୁ ଆମ ବୋଉ, ଆଈ, ଜେଜେମା ଯଦି ଏମିତି ଭାବିଥାନ୍ତେ ତେବେ? ମୁଁ ଭାବୁଛି ଏଥର ତୋ ମୁଣ୍ଡରୁ ବନ୍ଦୀଶାଳାର ଭୁଲ ଧାରଣା ଚାଲି ଯାଇଥିବ । ନା କ'ଣ କହୁଚୁ"? ସବୁଥର ପରି ବୁଝେଇଥିଲେ ସୁଲୋଚନା । ଭାଇର ଉତ୍ତର କ'ଣ ହେବ ସେ କଥା ଯଦିଓ ସେ ଆଗରୁ ଜାଣିଥିଲେ।


   



Rate this content
Log in