STORYMIRROR

sumita behera

Inspirational

3  

sumita behera

Inspirational

ଭୈରବୀ

ଭୈରବୀ

2 mins
201


    


ଆଜିକାଲି ଜହ୍ନଟା ଭାରି ନିଜର ନିଜର ଲାଗେ ବିପ୍ଳବକୁ। ସାରା ଜଗତ ନିଦମାଉସୀ କୋଳରେ ଘୁମେଇ ପଡିଥିବା ବେଳେ ଚୁପ୍ କରି ଆସି ସେ ବିପ୍ଳବ ଦେହରେ ଦେହ ଲଗେଇ ଲେସି ହୋଇ ବସିଯାଏ । ବିପ୍ଳବ କୁହେ ଆଉ ସେ ଶୁଣେ। ଶୁଣୁ ଶୁଣୁ କେଜାଣି କେତେବେଳେ ଲୋରୀ ଗାଇ ମୁଣ୍ଡ ଆଉଁସି ତାକୁ ଶୁଆଇ ଦେଇ ଚାଲିଯାଏ !!


ବି. ଟେକ ସରିବା ଚାରି ବର୍ଷ ହେଲାଣି। କର୍ମ ନିଯୁକ୍ତି ଯେ ପାଇନଥିଲା ଏମିତି ବି ନୁହେଁ। କିନ୍ତୁ ସରକାରୀ ଚାକିରି କରିବା ନିଶାରେ ଚାକିରିର ଦୁଇ ବର୍ଷ ପରେ ସବୁ ଛାଡିଛୁଡ଼ି ଘରେ ଆସି ପହଞ୍ଚିଗଲା। ସଦ୍ୟ ଅବସର ନେଇଥିବା ତା'ର ବାପା ଟିକେ ବିରକ୍ତ ହେଲେ। ଅନୁଭବୀ ମଣିଷ ସିଏ। ବୋଉ ଏତେଟା ପ୍ରତିକ୍ରିୟା ଦେଖେଇନି। ପ୍ରେମିକା ପ୍ରିୟା କିନ୍ତୁ ଚମକି ପଡିଲା ଚାକିରୀ ଛାଡିବା କଥା ଶୁଣି। ଆଠ ବର୍ଷର relationship ତାଙ୍କର। 


ଦୁଇ ବର୍ଷ ଦିନ ରାତି ଏକ କରି ପଢିବା ପରେ ବି ଚାକିରିଟିଏ ପକେଟକୁ ଆସି ପାରିନି। result ବାହାରିବା ପରେ ଶୁଣେ ଦଶ ପନ୍ଦର ଲକ୍ଷରେ ବିକ୍ରି ହେଇ ଯାଇଛି ଚାକିରିଟି। ପୁଣି ନୂଆ କରି ପ୍ରସ୍ତୁତିରେ ଲାଗିପଡ଼େ ସେ।


ଫେସବୁକରେ ଏବେ ସମ୍ରାଟ ସହ ପ୍ରିୟାର ଯୁଗଳ ଫୋଟୋ ଛାଇ ଯାଉଛି। ଧୀରେ ଧୀରେ ଫୋନ୍ କଲ, କମି କମି ମେସେଜକୁ ଆସି ଗଲାଣି। ଏବେ busy ରହୁଛି କହି ମେସେଜ୍ ବି ବନ୍ଦ। ଗୋଟିଏ ମୁହୂର୍ତ୍ତ ବିପ୍ଳବଠାରୁ ଅଲଗା ରହି ପାରୁ ନ ଥିବା ପ୍ରିୟା ମାସ ମାସ ମନେ ବି ପକାଉନି। ବାପା heart attack ରେ ଚାଲିଯିବା ପରଠୁ ବୋଉ ବି କେମିତି ଅଲଗା ଅଲଗା ଲାଗୁଛି। କିଛି ନ କହିଲେ ବି "କାହିଁକି ଚାକିରିଟା ଛାଡ଼ିଦେଲୁରେ ! " ଅଭିଯୋଗ ତା' ଆଖିରୁ ସ୍ପଷ୍ଟ ପଢିହେଉଛି। " ପୁଅ ଏବେ କ'ଣ କରୁଛି " ପ୍ରଶ୍ନର ସାମ୍ନା ବୋଧହୁଏ କରିପାରୁନି ବିଚାରୀ। ଶୁଣୁଛି କୋଭିଡ 19 ଯୋଗୁଁ ଦୁଇ ବର୍ଷ ପାଇଁ ଚାକରି ହଜିଯାଇଛି।


ହଁ, ଗତ ରାତିରେ ଜହ୍ନ ବି ତା'ଠୁ ନେଇଛି ଶେଷ ବିଦାୟ । ଗଲାବେଳେ କହିଦେଇ ଯାଇଛି ଆଉ ବୋଧହୁଏ ତା'ର ଆବଶ୍ୟକତା ପଡିବନି ବିପ୍ଳବର ଜୀବନରେ। 


ନୂଆ ସକାଳର ଆଲୋକରେ ବିପ୍ଳବର ମୁହଁ ଦିଶୁଛି ଝଲ୍ ମଲ୍ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational