ଭାଗ୍ୟରେଖା
ଭାଗ୍ୟରେଖା
”ହେଇଟି ଶୁଣୁଛ” କହି କହି ସୁଲେଖା ବାଲକୋନି ପାଖକୁ ଆସିଗଲେ । ସଞ୍ଜୟ ବସି ଖବରକାଗଜ ପଢୁଥିଲେ । ଖବରକାଗଜ ପଢିଲା ବେଳେ ହିଁ ଧର୍ମପତ୍ନୀଙ୍କର ସବୁ ବାକିଆ କଥା କହିବାକୁ ମନେପଡେ । ମନେ ମନେ ବହୁତ ଅସନ୍ତୁଷ୍ଟ ହୁଅନ୍ତି ସଞ୍ଜୟ । କେତେଥର କହିଛନ୍ତି ବି ପେପର ପଢିଲା ବେଳେ ତାଙ୍କୁ ନ ଡାକିବାକୁ । ଛାଡ଼ କିଛି ଲାଭ ନାଇଁ । କେଜାଣି କେମିତି ପେପରଟା ପଢିଲାବେଳେ କୋକିଳକଣ୍ଠୀରୁ ମୟୂରକଣ୍ଠୀ ହେଇଯାଆନ୍ତି ସୁଲେଖା । ସଞ୍ଜୟ ପେପର ପଢ଼ାରେ ମନ ଦେଲେ ।” ଏମିତି ପେପରରେ ମୁହଁଟା ମାଡିଛ ଯେମିତି କାଲି ପରୀକ୍ଷାରେ ପଡିବ । ବୁଝିଲ ଏ ପେପର ତ ନୁହଁ ଯେମିତି ସକାଳୁ ସକାଳୁ ପ୍ରେମିକାକୁ ଧରି ବସିଛ । ଯାହା କହିଲେ କିଛି ତ ଶୁଭୁନି । ମୁଁ ହିଁ ମୂର୍ଖ ଆସିକି ପଥରରେ ମୁଣ୍ଡ ପିଟୁଛି" । ଅଭିମାନ ଭରା ସ୍ୱର ଶୁଣି ସଞ୍ଜୟ ଆଗାମୀ ଝଡର ସୂଚନା ପାଇଗଲେ । ପେପରକୁ ରଖିଦେଇ ପଚାରିଲେ” କୁହ କଣ କହିବାର ଅଛି"?
ଗେଲେଇ ହେଇକି ସୁଲେଖା କହିଲେ" କଣ କହୁଥିଲି କି ପୁଅର ଚାକିରୀ ଓ ଝିଅର ବାହାଘର କଥା ବୁଝିବାକୁ ଟିକେ ଜ୍ୟୋତିଷ ପାଖକୁ ଯାଆନ୍ତନି ? ବଡ ଛକରେ ଜଣେ ବହୁତ ବଡ ଜ୍ୟୋତିଷ ରହନ୍ତି । ସବୁ ସମସ୍ୟାର ସମାଧାନ କରିପାରନ୍ତି । କଣ ଟିକେ ପୂଜା କରିବେ ଆଉ ପିନ୍ଧିବାକୁ ପଥର ଦେବେ । ଏତିକିରେ ସବୁ ଗ୍ରହ ଶାନ୍ତି ହେଇଯିବ ।” ଯଦି ମୁଦି ପିନ୍ଧିକି ପୂଜା କରିଦେଲେ ସବୁ ସମସ୍ୟାର ସମାଧାନ ହେଇଯାଅନ୍ତା ତେବେ ତ କାହାର କିଛି ବି ସମସ୍ୟା ରୁହନ୍ତାନି । ଭାବିଲେ ସିନା କହିଲେ କିଛି ଲାଭ ନାହିଁ ଜାଣି ଚୁପ ରହିଲେ ।
ସଞ୍ଜୟ କହିଲେ, "ଭଲ କଥା । ସେ ଜ୍ୟୋତିଷ ମୋର ଜଣେ ବନ୍ଧୁଙ୍କ ଅତି ପରିଚିତ । ତୁମକୁ ବି ସାଙ୍ଗରେ ନେଇକି ଯିବି । ଆଜି ସଞ୍ଜବେଳେ ମୁଁ ଅଫିସରୁ ଫେରିଲେ ଯିବା । ତୁମେ ପ୍ରସ୍ତୁତ ରହିବ”। ଖୁସି ହେଇଗଲେ ସୁଲେଖା । ମନେ ମନେ କହିଲେ ଏତେଦିନକେ ତାଙ୍କ ସବୁ ସମସ୍ୟାରୁ ମୁକ୍ତି ମିଳିଯିବ ।
ସନ୍ଧ୍ୟାରେ ଜ୍ୟୋତିଷଙ୍କ ଘରେ ଯାଇ ସ୍ୱାମୀ ସ୍ତ୍ରୀ ପହଞ୍ଚିଗଲେ । ବହୁତ ଲୋକ ନିଜ ନିଜ ସମସ୍ୟା ନେଇ ଆସିଥିଲେ । ଅତି କମରେ ଦୁଇ ଘଣ୍ଟା ତ ଲାଗିପାରେ । ହଠାତ ସୁଲେଖା ତାଙ୍କ ବାନ୍ଧବୀ ସରିତାଙ୍କୁ ସେଠି ଦେଖି ଆଶ୍ଚର୍ଯ୍ୟ ହେଲେ । ପାଠ ସରିବା ପରେ ଆଉ ଦେଖା ହେଇନି । ଖୁସି ହେଲେ ଜାଣିକି ସରିତା ଜ୍ୟୋତିଷଙ୍କର ସ୍ତ୍ରୀ । ସରିତା ତାଙ୍କୁ ଘର ଭିତରକୁ ନେଇଗଲେ । ଖୋଲିଗଲା ଦୁଇ ବାନ୍ଧବୀଙ୍କ ଗପ ପେଡି । କେତେ ଯେ ଗପ ପିଲାଦିନର । ସୁଲେଖା କହିଲେ"ଆମ ଅସରନ୍ତି ଗପର ତ ଶେଷ ନାହିଁ । ତୁ ତୋ କଥା, ପିଲାଙ୍କ କଥା ସବୁ କହ”।
ସରିତା ଆରମ୍ଭ କଲେ ତାଙ୍କ କାହାଣୀ । ତାଙ୍କର ଦୁଇ ଝିଅ । ବଡ ଝିଅ ପାଠ ପଢିପାରି
ଲାନି ଭଲରେ । ସବୁ ବେଳେ ଦେହ ଖରାପ । ରୋଗଣୀଟିଏ । ତିରିଶ ବର୍ଷ ହେଲାଣି । ଘରେ ବସିଛି । କେତେ ଖୋଜା ହଉଚି ପାତ୍ରଟିଏ ମିଳୁନି । ସାନ ଝିଅ ଭଲ ପଢୁଛି ହେଲେ ଏତେ ବଦରାଗୀ ଯେ କଥା କଥାକେ ଝଗଡା କରେ । କାହାକୁ ମାନେନି । ଦୁଃଖ ଓ ଚିନ୍ତାରେ ସ୍ୱାମୀ ସ୍ତ୍ରୀ ଦୁହେଁ ଅଛନ୍ତି । ସୁଲେଖା ପଚାରିଦେଲେ” ତୋ ସ୍ୱାମୀ ତ ଏତେବଡ଼ ଜ୍ୟୋତିଷ ପୂଜା ଟିକେ କରିକି ମୁଦି ପିନ୍ଧେଇ ଦେଲେ ତ ସବୁ ସମାଧାନ ହେଇଯିବ । କରୁନ କାହିଁକି କିଛି"? ସରିତା ଫିକା ହସଟିଏ ହସିଦେଲେ । ସବୁ ଉପାୟ କରା ସରିଲାଣି ତଥାପି କିଛି ଫଳ ନାହିଁ ବୋଲି କହିଲେ ।
ଏତିକିବେଳେ ସୁଲେଖାଙ୍କୁ ଜ୍ୟୋତିଷ ଡକେଇଲେ ତାଙ୍କ ପାଳି ଆସିଯାଇଥିଲା । ସବୁ ଦେଖି ଗ୍ରହ ବିଚାର କରି ଜ୍ୟୋତିଷ କହିଲେ,ପୁଅ ଝିଅ ଦିଜଣଙ୍କ ନାମରେ ଦିଟା ପୂଜା କରିବାକୁ ହେବ ଆଉ ଗ୍ରହ ଶାନ୍ତି ମୁଦି ପିନ୍ଧିଦେଲେ ସବୁ ଠିକ ହେଇଯିବ । ଝିଅର ବାହାଘର ଓ ପୁଅକୁ ଭଲ ଚାକିରୀଟିଏ ବି ମିଳିଯିବ । ଏଥିପାଇଁ ତିରିଶ ହଜାର ଟଙ୍କା ଖର୍ଚ୍ଚ ହେବ । ସ୍ୱାମୀ ସ୍ତ୍ରୀ ଦୁହେଁ ଘରକୁ ଫେରିଲେ ସୁଲେଖାଙ୍କୁ ବହୁତ ସମୟ ଧରି ଅନ୍ୟମନସ୍କ ଦେଖି ସଞ୍ଜୟ କାରଣ ଜାଣିବାକୁ ଚାହିଁଲେ । ଧୀରେ କରି ସୁଲେଖା କହିଲେ"ସରିତା ସହ କଥା ହେଇଥିଲି । ତା ଘରେ ତ ଦୁନିଆ ସମସ୍ୟା ଅଛି । ସ୍ୱାମୀ ଏତେବଡ଼ ଜ୍ୟୋତିଷ ହେଇକିବି କିଛି କରି ପାରୁନାହାନ୍ତି । ଆମ ସମସ୍ୟା କେମିତି ବା ଦୂର କରିବେ ସେ । ସେଇଆ ଭାବୁଛି ଆସିଲାଠୁ ।"
ସଞ୍ଜୟ ହସିଦେଇ କହିଲେ, "ଦେଖ! ଜ୍ୟୋତିଷ ବିଦ୍ୟାକୁ ମୁଁ ଭୁଲ ବୋଲି କହିବିନି । କିନ୍ତୁ ତୁମେ ନିଜେ କୁହ ଯିଏ ନିଜ ପରିବାର ପାଇଁ କିଛି କରି ପାରୁନି ସେ ଅନ୍ୟମାନଙ୍କ ଗ୍ରହ କିପରି ଶାନ୍ତି କରିବ? ଏବେ ସବୁଠି ଜ୍ୟୋତିଷଙ୍କର ବ୍ୟବସାୟ ଭଲ ଚାଲିଛି । ସେଦିନ ଟିଭିରେ ଦେଖିଲନିକି ଜଣେ ଭଣ୍ଡ ଜ୍ୟୋତିଷ କେମିତି ଧରା ପଡିଲା । ତା ମାନେ ନୁହଁ ଜ୍ୟୋତିଷ ବିଦ୍ୟା ହିଁ ଭୁଲ । ଆଚ୍ଛା, ଯଦି ପୂଜା ହୋମ କଲେ ସବୁ ଠିକ ହେଇ ପାରନ୍ତା ତେବେ ମୁଁ ଆଗ ଭାରତ ପାକିସ୍ଥାନକୁ ଏକ କରିବା ପାଇଁ ପୂଜା କରନ୍ତି । ସୀମାନ୍ତରେ ଆଉ କାହାର ବାପା, କାହାର ସ୍ୱାମୀ, କାହାର ପୁଅ, କାହାର ଭାଇ ଶହୀଦ ହୁଅନ୍ତେନି । ଏମିତି ପୂଜା କରେଇଥାନ୍ତି ଆମ ଦେଶ ସବୁ ଖେଳରେ ଜିତିକି ଆସନ୍ତା, ରୋଗ, ଶୋକ ପୃଥିବୀରୁ ଦୂର ହେଇ ଯାଆନ୍ତା । ସମସ୍ତେ ନିଜ ନିଜ ଇଛା ଅନୁସାରେ ଶାନ୍ତିରେ ରୁହନ୍ତେ ।” ସୁଲେଖା ଚୁପ ହେଇଗଲେ । ପ୍ରକୃତ ସତ୍ୟ ବୁଝି ପାରିଲେ । କହିଲେ, "ମୋ ଆଈ ପୁରୁଣାକାଳିଆ ଲୋକ ହେଇକି ବି କୁହନ୍ତି ଖାଲି ଠାକୁରଙ୍କୁ ଡାକିବା ସୁବିଧାରେ ବି ଅସୁବିଧାରେ ବି । ସେ ହିଁ କେବଳ ବିପଦ ରୂପକ ବଡ ପଥରଟିଏ ପଡ଼ିବାକୁ ଥିଲେ ସୋଲ କରି ଉଡେଇ ନେଇପାରିବେ ।”