STORYMIRROR

sumita behera

Classics Inspirational Others

3  

sumita behera

Classics Inspirational Others

ମଣ୍ଡୁକ

ମଣ୍ଡୁକ

2 mins
254


   କୂପମଣ୍ଡୁକଟି ଯୁଗ ଯୁଗ ଧରି ଆଉ କେତେ ଲଜ୍ଜା ସହିବ!! ନା .. ଆଉ ହବନି। ତାକୁ କିଛି ନ ହେଲେ ବି ନିଜ ସହରର ପରିକ୍ରମା ଥରେ ହେଲେ ତ ଯେମିତି ହେଲେ କରିବାକୁ ପଡିବ। ରାଜ୍ୟ,ଦେଶ,ବିଦେଶ କଥା ପରେ ଭାବିବ। ମଣ୍ଡୁକୀ ଜିଦି କଲା, ସିଏ ବି ସାଙ୍ଗରେ ଯିବ। ସହର ଦେଖି ଆସିବ। ପତ୍ନୀର କଥା କାଟିଲା ପରି ବୀର କିଏ ଜନ୍ମ ହେଇଚି ଯେ ଏ ସାମାନ୍ୟ ମଣ୍ଡୁକ କାଟିବ!! ଅଗତ୍ୟା ସାଙ୍ଗରେ ନେବାକୁ ବାଧ୍ୟ ହେଲା ।


   ଟାଣ ଖରା। ଶୋଷରେ ତଣ୍ଟି ଶୁଖି ଯାଉଛି। 'ପାଣି ଟିକେ ପିଇବାକୁ କୋଉଠି ମିଳିବକି' ବୋଲି ପଚାରିଲାରୁ ଉତ୍ତର ମିଳିଲା 'ଦୋକାନରେ'।ଦୋକାନରେ ପୁଣି ପାଣି କେମିତି ମିଳେ ! ବଡ଼ ଆଶ୍ଚର୍ଯ୍ୟର କଥା। ବୁଝୁ ବୁଝୁ କ'ଣ ନା, କିଣିଲେ ଯାଇ ପାଣି ମିଳିବ।ପଇସା ତ ନାହିଁ । ମଣ୍ଡୁକୀକୁ ଦୋକାନ ପିଣ୍ଡାରେ ବସେଇକି ପାଣି ସନ୍ଧାନରେ ଗଲା । 


   ଦେଖିଲା ବଡ଼ ସଭା ଚାଲିଛି। ଶୁଣିଲା ଖାଇବା ସହ ପିଇବା ବି ମିଳିବ। ଲୋଭେଇଗଲା ସିଏ। ପିଇଲେ କୁଆଡେ ତ୍ରିଭୁବନ ଦିଶେ ବୋଲି ଶୁଣିଥିଲା। ଆଜି ଯେମିତି ହେଲେ ତ୍ରିଭୁବନ ଦେଖିବାକୁ ପଡିବ। ସଭାରେ ବସି ପଡିଲା।କି ବିରକ୍ତିକର ସେ ଭାଷଣ! ସ୍ୱର୍ଗରୁ ତାରା, ଜହ୍ନ ତୋଳିଲା ପରି କଥା ଗୁଡାକ! ହଉ ମାଗଣା ଖାଇବା ପିଇବା ମିଳିଲେ ଏତିକି କି ବରଦାସ୍ତ କରିବାକୁ ପଡିବ ନା! 


   କେତେବେଳେ ଢୁଲେଇ ପଡିଛି ଜାଣିନି। ଆଖି ଖୋଲିଲା ବେଳକୁ ପାଖରେ କେହି ନାହାନ୍ତି। ପଡିଆ ଶୁନ୍ ଶାନ୍। ଅନ୍ଧାର ବି ହେଲାଣି। ମଣ୍ଡୁକୀ କଥା ମନେ ପଡିଗଲା। ବିଚାରୀକୁ ଦୋକାନ ପିଣ୍ଡାରେ ବସେଇକି ଆସିଥିଲା। ଟିକେ ଡରିଗଲା। ତା' ସହ ନିର୍ଭୟା,କୁନ୍ଦୁଲି,ପ୍ରିୟଙ୍କା ଏମାନଙ୍କ ପରି ଯଦି ହୁଏ? କାହିଁକି ଯେ ବାହାରୁଥିଲା ତା' ଦୁନିଆ ଭିତରୁ? କୂପ ଭିତରେ ଥାଇ ବାହାର ଦୁନିଆର ସବୁ ଖବର ତାକୁ ଜଣା। ଇର୍ଷା, ଅସୂୟା, ପରଶ୍ରୀକାତରତା, ଷଡଯନ୍ତ୍ରରେ ଭରା ଏ ବାହାର ଦୁନିଆ। ତା' ମଣ୍ଡୁକୀର ସୁରକ୍ଷା କାମନା କରି ବେଗରେ ଡେଇଁ ଡେଇଁ ଆସିଲା।


  ଯେଉଁ ପିଣ୍ଡାରେ ମଣ୍ଡୁକୀକୁ ବସେଇଥିଲା ସିଏ ସେଠି ନାହିଁ। ମୁଣ୍ଡ ବୁଲେଇଦେଲା। ସକାଳୁ କିଛି ଖାଇନି ପିଇନି। ଏବେ କୋଉଠି ଖୋଜିବ ତାକୁ? ରାତି ସାରା ଏପଟ ସେପଟ ହେଇ ଖୋଜି ବୁଲିଲା। ଆଖିରୁ ଲୁହ ବୋହୁଥାଏ। ଆକାଶ ଫରଚା ହେଲାଣି। ସେଇ ଦୋକାନ ପିଣ୍ଡାରେ ବସିଥାଏ। କେଜାଣି ବଂଚିଚି କି ନାଇଁ।

  

   କାନ୍ଧକୁ ହଲେଇ ଦେଲା କେହି ଜଣେ। ଚମକି ଚାହିଁଲା ବେଳକୁ ମଣ୍ଡୁକି। ସାଙ୍ଗରେ ସେଇ ଦୋକାନୀ। ଦୋକାନୀ କହିଲା " ତମେ କୁଆଡେ ଗଲ ଯେ ଗଲ। ସନ୍ଧ୍ୟା ହେଲାରୁ ଏ ଭଉଣୀ ବସିକି କାନ୍ଦୁଥିଲେ। ରାତି ହେଲା ,ତଥାପି ତୁମେ ଫେରିଲନି। ଯେତେ ଡାକିଲି ଆମ ଘରେ ରାତିରେ ରହିଯିବା ପାଇଁ , ଜମା ଶୁଣିଲେନି। ଖାଲି କାନ୍ଦିଲେ। ଭାବିଲି ଡରୁଛନ୍ତି ବୋଧେ। ଘରୁ ମୋ ସ୍ତ୍ରୀ ଆଉ ଝିଅକୁ ନେଇକି ଆସିଲାରୁ ସାଙ୍ଗରେ ଗଲେ। ରାତି ସାରା ଶୋଇ ନାହାନ୍ତି। ସକାଳ ନ ପାହୁଣୁ ଜିଦି କଲେ ଆସିବା ପାଇଁ। ନେଇକି ଆସିଲି। କିନ୍ତୁ ତୁମେ କି ଅଜବ କିହୋ। ସ୍ତ୍ରୀଟାକୁ ଅଜଣା ଜାଗାରେ ବସେଇ ଦେଇ ଯାଇଛ ଯେ ଯାଇଛ?" ମଣ୍ଡୁକ ଭାବୁଥିଲା, ସଂସାରରେ ଏମିତି କିଛି ବି ଅଛନ୍ତି, ଯୋଉ ମାନଙ୍କ ପାଇଁ ଏ ସୃଷ୍ଟି ରହିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics