sumita behera

Romance Inspirational

3  

sumita behera

Romance Inspirational

ସତ୍ୟର ପ୍ରକାଶ

ସତ୍ୟର ପ୍ରକାଶ

4 mins
222



  ମନରେ ଅଦ୍ଭୁତ ଦ୍ଵନ୍ଦ୍ୱ ଚାଲିଛି ଶାଶ୍ୱତଙ୍କର । ଯାହାବି ହେଉ ଆଜି ତାଙ୍କୁ ନିଷ୍ପତ୍ତି ନବାକୁ ପଡିବ । ସେଥିପାଇଁ ଘରେ ପ୍ରବଳ ଚାପ । ବୋଉ,ବାପା, ବଡ଼ ଭାଇ ଓ ଅପା ଙ୍କ ସହ ସ୍ୱତନ୍ତ୍ର ବୈଠକ ବସିଥିଲା । ଯଦିଓ ନିଷ୍ପତ୍ତି ୟାଙ୍କ ହାତରେ ଛାଡି ଦେଇଛନ୍ତି ସମସ୍ତେ କିନ୍ତୁ ପରୋକ୍ଷରେ ଅନ୍ୟ କିଛି ଅନ୍ୟ କିଛି ଚାହୁଁଛନ୍ତି । 


   ଝିଅ ଦେଖିବାକୁ ଗଲାବେଳେ ସାଙ୍ଗରେ ସାଙ୍ଗମାନେ ଥିଲେ । ଯାହା ବି ଶାଶ୍ୱତ ପଚାରିଥିଲେ ସୁନିଧି ମୁଣ୍ଡ ଟୁଙ୍ଗାରି ଉତ୍ତର ଦେଇଥିଲେ । ଭାଉଜ କହିଥିଲେ ବହୁତ ଲାଜକୁଳୀ ସୁନିଧି । ସେଥିପାଇଁ କିଛି କହୁନାହାନ୍ତି । ଶାଶ୍ୱତ ଆଖି ଫେରେଇ ପାରୁନଥିଲେ ସୁନିଧିଙ୍କ ଉପରୁ । ଏତେ ସୁନ୍ଦରୀ ଆଗରୁ ଦେଖି ନଥିଲେ । କେହିବି ମୁଗ୍ଧ ହେଇଯିବ ଏମିତି ରୂପ ଲାବଣ୍ୟରେ । କବିମାନେ ବୋଧେ ଏମିତି ଲାବଣ୍ୟବତୀମାନଙ୍କୁ ଦେଖି କବିତା ଲେଖନ୍ତି । ଘରକୁ ଫେରି ସ୍ୱୀକୃତି ଦେଇ ଦେଲେ । ଘରଲୋକ ବି କହିଲେ ପୁଅ ତ ରାଜି ଆଉ ବାରମ୍ବାର ଦେଖିଯିବା କ'ଣ ଦରକାର । ପନ୍ଦର ଦିନ ଭିତରେ ବାହାଘର । 


   ବୋହୁ ନେଇ ଫେରିବା ପରେ ଘରଲୋକଙ୍କ ମନ ଖୁସିରେ କୁଣ୍ଢେମୋଟ । ଏମିତି ସୁନ୍ଦରୀ ବୋହୁ ପୁରା ଗାଆଁରେ କାହାର ନାହିଁ । ଖୁବ ଶୀଘ୍ର ସମସ୍ତଙ୍କର ଖୁସି ପାଣି ଫୋଟୋକା ପରି ମିଳେଇଗଲା ଯେତେବେଳେ ସେମାନେ ଜାଣିଲେ, ସୁନିଧି ଖନି । କଥା ସ୍ପଷ୍ଟ କହି ପାରେନି । ରାଗରେ ଜଳି ଉଠିଲେ ଶାଶ୍ୱତଙ୍କ ପରିବାର । ଏଇଟା ରୀତିମତ ଧୋକା । କୌଣସି ଭଦ୍ର ପରିବାର ଏମିତି କେବେ କରିନପାରେ । କିଛି ନ ଜଣେଇ ବାହା କରିଦେବା ଘୋର ଅନ୍ୟାୟ । ପୁଅର ଜୀବନ ଜାଣ ନଷ୍ଟ ହେଇଗଲା । ଶାଶୂ କହିଲେ ସେମାନେ ଯଦି ଏପରି କରି ପାରିଲେ ତେବେ ଝିଅକୁ ତା ଜିନିଷପତ୍ର ସହ ଫେରାଇ ଦିଆ ଯାଉ । କିଛି ନିଷ୍ପତ୍ତି ନେଇ ପାରୁ ନାହାନ୍ତି କଣ କରାଯିବ । ଶାଶ୍ୱତ ଏବେବି ଜାଣି ନାହାନ୍ତି ଘଟଣା । କହିବାକୁ କାହାର ସାହସ ବି ହଉନି । କେମିତି କହିବେ ଯେ ତା ସହ କି ଅନ୍ୟାୟ ହେଇଚି । କିନ୍ତୁ ଜଣେଇବାକୁ ତ ପଡିବ । 


   ସମସ୍ତେ ଏକାଠି ବସି ଶାଶ୍ୱତଙ୍କୁ ଡକେଇଲେ । ଘଟଣାଟି କୁହାଗଲା ଏବଂ ଏକଥା ବି କୁହାଗଲା ଯେ ସମସ୍ତଙ୍କର ଇଚ୍ଛା ସୁନୁଧିକୁ ବାପା ଘରକୁ ଲେଉଟାଇ ଦିଆଯାଉ । ସ୍ତବ୍ଧ ହେଇଗଲେ ଶାଶ୍ୱତ । ଏଥିପାଇଁ ତେବେ ଭାଉଜ କହୁଥିଲେ ସୁନିଧି ବହୁତ ଲାଜକୁଳୀ ହେତୁ କଥା କହୁ ନାହାନ୍ତି । ଯାହାକୁ ମନର ମାନସୀ କରି ସାରିଛନ୍ତି ଏବେ ତାକୁ ତ୍ୟାଗ କରିବାକୁ ହେବ । କେମିତି? ତେବେ କଣ ସେ ସୁନିଧିର ନିରୀହ, ସରଳ ଆଖିକୁ ଠିକରେ ପଢି ପାରିଲେନି? କିଂକର୍ତ୍ତବ୍ୟବିମୂଢ ହେଇ ବସି ପଡିଲେ । ଚିନ୍ତା କରିବାକୁ ସମୟ ମାଗିଲେ । ଖୁସି ଯେମିତି ପାଖକୁ ଆସି ଫେରି ଯାଉଥିଲା । 


  ସୁନିଧି ବି କିଛି ଗୋଟିଏ ହେବାର ଆଭାସ ପାଇ ସାରିଛି । ସେ ବି ଚାହୁଁନଥିଲା ଏମିତି ଭାବରେ ବାହାଘର କରା ନଯାଉ । କିନ୍ତୁ ସେ ବା କଣ କରିପାରିବ? ଚିଠିଟିଏ ଲେଖି ସାନ ଭାଇକୁ କହିଥିଲା ସତର୍କତାର ସହ ଶାଶ୍ୱତଙ୍କ ପକେଟରେ ରଖି ଦେବାକୁ । ଶାଶ୍ୱତ ନିଶ୍ଚୟ ପଢ଼ିଥିବେ ବୋଲି ତାର ବିଶ୍ୱାସ ଥିଲା । କିନ୍ତୁ ଶାଶ୍ୱତ ଯେ ଚିଠି ପଢିନାହାନ୍ତି ସେ ଜାଣି ପାରିନଥିଲା । 

   


   ଚତୁର୍ଥୀ ଦିନ ଖରାବେଳେ ସମସ୍ତେ ବସିଲେ । ଶାଶ୍ୱତଙ୍କ ବାପା ଟ୍ରକ ଡାକି ସାରିଲେଣି । ସୁନିଧିର ଜିନିଷପତ୍ର ଫେରେଇବା ପାଇଁ । କାର୍ ବି ଆସିଯିବ ଏବେ । ସେ ନିଜେ ଯାଇ ଦେଇ ଆସିବେ ଓ ଭଲ କରି ଶୁଣେଇ ଆସିବେ । ସମସ୍ତେ ଶାଶ୍ୱତ ମୁହଁକୁ ଚାହିଁଛନ୍ତି । ଯଦିଓ ଜାଣିଛନ୍ତି ଶାଶ୍ୱତ ସେମାନଙ୍କ ନିଷ୍ପତ୍ତିକୁ ମାନିବ ତଥାପି ତା ମୁହଁରୁ ବି ଶୁଣିବା ଦରକାର । ବହୁତ ସହଜ ଲାଗୁଛନ୍ତି ଶାଶ୍ୱତ । ଯେମିତି କିଛି ହେଇନି । 


   ପକେଟରୁ ଲୋଚାକୋଚା କାଗଜଟିଏ କାଢ଼ିଲେ ଶାଶ୍ୱତ । ସମସ୍ତଙ୍କ ଦୃଷ୍ଟି ଏବେ କାଗଜ ଉପରେ । ଆରମ୍ଭ କଲେ ଶାଶ୍ୱତ, " ଏବେ ଏଇ କାଗଜଟି ମୋ ପକେଟରୁ ପାଇଲି । ସୁନିଧିକୁ ଦେଖିବା ଦିନ ହିଁ ସେ ବୋଧହୁଏ ମୋ ପକେଟରେ କେମିତି ହେଉ ରଖି ଦେଇଥିଲା । ଏଥିରେ ସେ ସବୁ ସତ ଲେଖିଛି । ଏବଂ ଆହୁରି କହିଛି ସତ ଜଣେଇବା ତାର କର୍ତ୍ତବ୍ୟ । ମିଛର ମୂଳଦୁଆ ଉପରେ କେବେ ବି ସମ୍ପର୍କ ତିଷ୍ଠି ପାରେନି । ଏବେ ତୁମେମାନେ କୁହ କଣ କରାଯିବା ଉଚିତ? ସୁନିଧିର ଦୋଷ କୋଉଠି? ମାଆ କହିଲେ ସେ ଯାହାବି ହେଉ ନା କାହିଁକି ଗୋଟିଏ ଖନୀ ଝିଅ ସହ କେମିତି ବା ସଂସାର କରି ହେବ ? ତେଣୁ ସୁନିଧିକୁ ବିଦାୟ କରାଯିବା ହିଁ ଠିକ ରହିବ । ସମସ୍ତେ ସମର୍ଥନ କଲେ ମାଆଙ୍କ କଥା । 


   କିନ୍ତୁ ଶାଶ୍ୱତଙ୍କ ବିଚାର, ଚିନ୍ତାଧାରା ଭିନ୍ନ । ସେ କହିଲେ , "କାଲିକୁ ଯଦି ମୋର ଏମିତି ଝିଅଟିଏ ହୁଏ ତେବେ କଣ କରିବା ଆମେ? ତା ସହ ଯଦି ତା ଶାଶୂଘର ଲୋକ ଏପରି କରନ୍ତି ତେବେ କେମିତି ଲାଗିବ ଆମକୁ? କୁହନ୍ତି ଜନ୍ମ,ମୃତ୍ୟୁ ଓ ବିବାହ ଭଗବାନଙ୍କ ହାତରେ । ସୁନିଧି ଭାଗ୍ୟ ଏବେ ମୋ ସହ ବନ୍ଧା । ମନା କରିବାକୁ ଆମେ କିଏ? ଚିଠି ତ କେବେଠୁ ମୋ ପକେଟରେ ଅଛି । ଆଜି ହିଁ କାହିଁକି ମୁଁ ପାଇଲି? ଏହା ଭଦବାନଙ୍କ ନିଷ୍ପତ୍ତି । ମୁଁ ମୋ ବିବାହିତା ପତ୍ନୀକୁ ଛାଡି ପାରିବିନି" । କାହା ପାଟିରେ ଆଉ ଭାଷା ନଥିଲା । ଶାଶ୍ୱତଙ୍କ ଉଚ୍ଚ ବିଚାରଧାରାକୁ ମନେମନେ ତାରିଫ କରୁଥିଲେ ବୋଧହୁଏ ସମସ୍ତେ । 


   ଚିର ପ୍ରତୀକ୍ଷିତ ରାତ୍ରୀ ଉପନୀତ । ଆଜି ଶାଶ୍ୱତଙ୍କର ମଧୁ ଯାମିନୀ । କେତେ ଯେ ମଧୁର ସୁନେଲି ସ୍ୱପ୍ନ ବୁଣିଥିଲେ ଆଜି ଦିନଟି ପାଇଁ । ଦୀପର ମିଞ୍ଜି ମିଞ୍ଜି ଆଲୋକରେ ଚାହିଁଲେ ସୁନିଧିକୁ । ସତେ ଯେମିତି ଦେବୀ ପ୍ରତିମା । ଶାନ୍ତ,ସ୍ନିଗ୍ଧ ,କମନୀୟ ମୁଖମଣ୍ଡଳ ଏକ ସ୍ୱର୍ଗୀୟ ଅଭାରେ ଝଟକୁଥିଲା । ମନେ ମନେ ଭାଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ଶାଶ୍ୱତ, ଯାହାହେଉ ତାଙ୍କର ନୂଆ ଜୀବନ ସତ୍ୟର ପ୍ରକାଶରେ ଆରମ୍ଭ ହେବାକୁ ଯାଉଛି । 



Rate this content
Log in

Similar oriya story from Romance