sumita behera

Crime Inspirational Others

3  

sumita behera

Crime Inspirational Others

ନିଆଁ ଲାଗୁ ତୁମ ମୁହଁରେ

ନିଆଁ ଲାଗୁ ତୁମ ମୁହଁରେ

2 mins
248



       

ପାଖରେ ଶୋଇଥିବା ସ୍ୱାମୀଙ୍କୁ ଜୋରରେ ଝାଙ୍କିଦେଲେ ସନ୍ଧ୍ୟା, " ଏଇ ! ଉଠ ଜଲ୍ଦି ! ଦେଖ ଫେସବୁକ୍ ରେ କ'ଣ ପୋଷ୍ଟ୍ ହେଇଛି । ସେ ଲିଙ୍କ୍ କୁ ଯେତେ ଛୁଇଁଲେ ବି ଖୋଲୁନି । ଉଠ ! ଉଠ !! "


ଭୋର ଚାରିଟାରୁ ଉଠିବା ଅଭ୍ୟାସ ସନ୍ଧ୍ୟାଙ୍କର।ଆଖି ଖୋଲୁ ଖୋଲୁ ଚମକି ପଡିଲେ। ଆଖିକୁ ଟିକେ ମନ୍ଥିଦେଲେ , ଯାହା ଦେଖୁଛନ୍ତି ଠିକ୍ ନା ଭୁଲ। ନିଦ ଭାଙ୍ଗୁ ଭାଙ୍ଗୁ ଫେସବୁକ୍ ଖୋଲି ଦେଖନ୍ତି ।


" କ'ଣ ହେଲା ! ରାତି ଅଧଟାରେ ଚିଲଉଛ କାହିଁକି ! " ସାମାନ୍ୟ ବିରକ୍ତିଭରା କଣ୍ଠରେ କହିଲେ ସନ୍ଧ୍ୟାଙ୍କ ସ୍ୱାମୀ।


" ନିଜେ ଦେଖ ଆଗ! ତା'ପରେ ବୁଝିବ କାହିଁକି ବ୍ୟସ୍ତ ହଉଛି ମୁଁ ! "


ସାନଭାଇର ଜଣେ ଅଷ୍ଟ୍ରେଲିଆନ୍ ବନ୍ଧୁ ତାଙ୍କ ପୋଷ୍ଟ୍ ରେ ସନ୍ଧ୍ୟା ସମେତ ତାଙ୍କ ପରିବାରର ଆଉ ଚାରିଜଣଙ୍କୁ ଟାଗ୍ କରିଛନ୍ତି। ଲିଙ୍କ୍ ରେ ଗୋଟିଏ ନିଉଜ୍ ଚାନେଲ୍ ନାଁ ସହ କମେଣ୍ଟ ରେ " R I P friend " ଲେଖି ଆଖିରୁ ଲୁହ ଝରାଉଥିବା ଷ୍ଟିକର୍ ଟିଏ ଦେଇଛନ୍ତି।


ଅସହାୟ ହୋଇ ସନ୍ଧ୍ୟା ପିଲାମାନଙ୍କୁ ନିଦରୁ ଉଠାଇ ପଚାରୁଥାନ୍ତି , ଏ ଲିଙ୍କ ଖୋଲିବ କେମିତି ! ସାନଭାଇକୁ ଫୋନ୍ ଲଗେଇଲେ, ସେ ଉଠାଇଲା ନାହିଁ କି ଯିଏ ପୋଷ୍ଟ୍ କରିଥିଲେ ତାଙ୍କୁ ବି ମେସେଞ୍ଜର୍ କଲ୍ କଲେ, ସେ ବି ଉଠେଇଲେନି। 


ଜାଣି ହଉନି ଅଷ୍ଟ୍ରେଲିଆର କାହାର ମୃତ୍ୟୁ ହେଲା ! ସନ୍ଧ୍ୟାଙ୍କର ପରିବାରଙ୍କୁ ସେ ଟାଗ୍ କଲେ ବା କାହିଁକି !! ଦୁଶ୍ଚିନ୍ତାରେ ମନ ଗୋଳେଇଘାଣ୍ଟି ହେଉଥିଲା। ପୋଷ୍ଟ୍ ହୋଇଥିବା ଲିଙ୍କ୍ ବି ଖୋଲୁ ନ ଥାଏ। 


ସନ୍ଧ୍ୟାଙ୍କର ସାନଭାଇ ଦଶ ବର୍ଷ ହେବ ଅଷ୍ଟ୍ରେଲିଆରେ। ଅଷ୍ଟ୍ରେଲିଆନ୍ ବନ୍ଧୁ ଜଣକ କାହା ପାଇଁ R. I. P. ଲେଖିଛନ୍ତି ବୁଝି ହେଉନି। ଭାଇର ଖବର କିଛି ପାଇ ପାରୁନାହାଁନ୍ତି । କେମିତି ଅବସ୍ଥାରେ ସେ ଅଛି !!!


ଆଉ ଏକ ସମ୍ପର୍କୀୟ ଭାଇ ଅଷ୍ଟ୍ରେଲିଆରେ ରହୁଥିଲା।ଏବେ ଭାରତରେ। ତାକୁ ଫୋନ୍ ଲଗେଇଲେ। ସେ ବି କିଛି ଖବର ଦେଇ ପାରିଲା ନାହିଁ। ବୁଝିକି ଜଣେଇବ କହିଲା। 


କ'ଣ କରିବେ ! ଘରକୁ ଫୋନ୍ ଲଗେଇ ବଡଭାଇକୁ ନିଦରୁ ଉଠାଇ ସବୁ ଜଣେଇଲେ। ସେ ବି ସେଠି ଚେଷ୍ଟା କରୁଥାଏ ଜାଣିବା ପାଇଁ ପ୍ରକୃତ ଘଟଣାଟି। ମାନସିକ ଚାପ ଏତେ ମାତ୍ରାରେ ସନ୍ଧ୍ୟାଙ୍କର ବଢିଗଲା ଯେ, ସିଏ ଅସୁସ୍ଥ ହୋଇ ବିଛଣାରେ ପଡ଼ିଗଲେ। ସହଜେ ତ ହାଇ ବି. ପି . ପେସେଣ୍ଟ !!


ସ୍ୱାମୀ ଓ ପିଲାମାନେ ବୋଧ କରେଇବାକୁ ଚେଷ୍ଟା କରାଉଥାନ୍ତି , ସାନଭାଇର କିଛି ଅଘଟଣ ହୋଇ ନ ଥିବ। 


ଦିନ ବାରଟା ବେଳକୁ ଅଷ୍ଟ୍ରେଲିଆରୁ ସାନଭାଇର ଫୋନ୍ ଆସିଲା। ହସି ହସି କହିଲା, " କ'ଣ ଦିଦି ! ସବୁଆଡ଼େ ଫୋନ୍ କରି ରାତିଅଧରୁ ସମସ୍ତଙ୍କୁ ଉଠେଇ ବ୍ୟସ୍ତ କରି ଦେଇଛୁ ! ମୋତେ କେତେଜଣ ପଚାରି ସାରିଲେଣି କେମିତି ଅଛି ବୋଲି ! "


ଘଟଣାଟି ସାନଭାଇ ଏମିତି କହିଲା : - ସାନଭାଇର ବନ୍ଧୁଙ୍କ ଫେସବୁକ୍ କେହି ଜଣେ ହ୍ୟାକ୍ କରିଥିଲା। ସେଥିରୁ ଏଇ ପ୍ରକାର ମୃତ୍ୟୁ ସମ୍ବାଦ ପୋଷ୍ଟୄ କରିଥିଲା ଏବଂ ସମସ୍ତ ପରିଚିତଙ୍କୁ ଟାଗ୍ କରିଦେଇଥିଲା। 


ଯେହେତୁ ଭାଇ ବିଦେଶରେ ଏବଂ ବିଦେଶୀ ବନ୍ଧୁ ନିଜ ପୋଷ୍ଟ୍ ରେ ସନ୍ଧ୍ୟାଙ୍କ ପରିବାରଙ୍କୁ ଟାଗ୍ କରିଥିଲେ, ଭୟ ଲାଗିବା ତ ସ୍ୱାଭାବିକ। ଏ ସଂସାରରେ କେମିତି ମଣିଷ ସବୁ ଅଛନ୍ତି କେଜାଣି!! ଅନ୍ୟକୁ କ୍ଷତି ପହଞ୍ଚାଇ କି ଆନନ୍ଦ ପାଆନ୍ତି ସେମାନେ ନିଜେ ଜାଣନ୍ତି। 


ବିଚାରୀ ଅସୁସ୍ଥା ସନ୍ଧ୍ୟା ଏପରି ଘଟଣାରେ ଅଧିକ ଅସୁସ୍ଥା ହୋଇ ସରାଟା ଦିନ ବିଛଣାରେ ପଡ଼ି ରହିଲେ। ରାଗରେ ସନ୍ଧ୍ୟାଙ୍କ ପାଟିରୁ ବାହାରି ଆସିଲା, " ନିଆଁ ଲାଗୁରେ ତୁମ ମୁହଁରେ ! ବଦମାସ ଦଳ । "



Rate this content
Log in

Similar oriya story from Crime