Madhu Mita

Romance Tragedy Classics

4.7  

Madhu Mita

Romance Tragedy Classics

ରଙ୍ଗୀନ ପ୍ରିୟା

ରଙ୍ଗୀନ ପ୍ରିୟା

5 mins
280



ଆରେ ଆଜି ଏତେ ସମୟ ହେଲାଣି ଅଥଚ ତମେ ଶୋଇଛ ?ଯା ହେଉ ମୋ କଥା ଟିକେ ଶୁଣିଲ।କେତେଥର କହିଛି ଏମିତି ସକାଳୁ ସକାଳୁ ଉଠି ଗାଧୋଇ ପଡ଼ିବାଟା କଣ ଏତେ ଜରୁରୀ କିନ୍ତୁ ତମେ କଣ କେବେ ସେକଥା ଶୁଣିବ କି ବରଂ ମୋ ଉପରେ ଆଉ ପିଲାଙ୍କ ଉପରେ ପାଟି କରି ଆସିଛ ସକାଳୁ ଉଠି ଗାଧୋଇବାକୁ। ଆଉ ଆଜି ତମେ ଶୋଇଛ ତେଣୁ କେହି ଗାଧୁଆ ପାଧୁଆ କରି ନାହାନ୍ତି। ଦେଖ ଆଜି ହୋଲି।ତମର ମନେ ଅଛି ନା ଆମ ନିର୍ବନ୍ଧ ଏହି ହୋଲିରେ ହେଇଥିଲା କେତେଥର ସେକଥା ମୋତେ ମନେ ପକେଇବାକୁ ଚେଷ୍ଟା କରିଛ ତମେ।ସବୁ ହୋଲିରେ ଏକଥା ହିଁ କୁହ।କିନ୍ତୁ ମୋର ମନେ ପଡ଼େନି। ଆଉ ସେଇଥିପାଇଁ ମୋ ଉପରେ ତମେ ମିଚ୍ଛି ମିଚ୍ଛିକା ମୋ ଉପରେ ରାଗ ଦେଖାଅ।ହେଲେ ଦେଖ ଆଜି ମୁଁ କେମିତି ଠିକ୍ ମନେ ପକେଇ ଦେଲି।କିନ୍ତୁ ତମେ ଖୁସି ନ ହେଇ ସେମିତି ଶୋଇ ରହିଛ।ହୋଲି ଦିନରେ ମଧ୍ୟ ସକାଳୁ ଉଠି ତମେ ଗାଧୋଇ ଦିଅଁ ପୂଜା ସାରିଦିଅ।ମୁଁ ଯଦି କୁହେ ରଙ୍ଗ ଖେଳି ସାରି ତା ପରେ ଗାଧୋଇବ ତା ହେଲେ ତମେ ମୋତେ କହୁଥିଲ "ଆମେ ସିନା ରଙ୍ଗ ଖେଳିବା ହେଲେ ଆମ ଦିଅଁ କଣ ଭୋକ ଉପାସରେ ଅନେଇ ବସିଥିବେ "ହା ହାbତମେ ଆଉ ତମ ଲଜିକ ତମକୁ କିଏ ବୁଝେଇବ କୁହ ତ ।

ତମ ମଥା ଉପରେ ଏଇ ଯେଉଁ ବଡ଼ ଗୋଲ ବିନ୍ଦିଟା ଝଟକୁଛି ଜାଣିଛ କେତେ ସୁନ୍ଦର୍ ଦିଶୁଛି ? ଯେତେ ମନା କଲେ ମଧ୍ୟ ତମେ ବଡ ବଡ ବିଂଦି ଲଗାଇବାକୁ ପସନ୍ଦ କରୁଥିଲ।ମୁଁ ଯଦି କୁହେ ମ୍ୟାଚିଂ ବିନ୍ଦି ପିନ୍ଧିବାକୁ ହେଲେ ତମେ ମୋତେ ବୁଝେଇ ଦେଉଥିଲ "ବିବାହ ପରେ ଏଇ ନାଲି ବିନ୍ଦି ହିଁ ପିନ୍ଧିବା କଥା। ଆଜିକାଲି ସିନା ଏତେ ଭେରାଇଟି ଟିକିଲି ପିନ୍ଧୁଛନ୍ତି ହେଲେ ବେଳେ ବେଳେ ମୋ କଥା ମାନି ତମେ ଅନ୍ୟ କଲର ବିନ୍ଦି ଲଗେଇ ସାମ୍ନାକୁ ଆସୁଥିଲ।କିନ୍ତୁ ସତ କହୁଛି ତମେ ଏହି ଏମିତି ବଡ ସାଇଜର ନାଲି ବିନ୍ଦି ପିନ୍ଧିଲେ ହିଁ ଦେବୀଟେ ପରି ଦେଖାଯାଅ।ଆଉ ଆଜି ଏତେ ସୁନ୍ଦର ଦେଖା ଯାଉଛ ଲାଗୁଛି ଯେପରି ମୁଁ ପ୍ରଥମ ଥର ତମକୁ ଦେଖୁଛି ଆଉ ତମେ ସେଥିପାଇଁ ଲାଜରେ ଆଖି ବନ୍ଦ କରି ପଡ଼ି ରହିଛ।

ଏମିତି ଆଖି ବନ୍ଦ କରି ମୁଁ ଶୋଇ ରୁହେ ସକାଳୁ ସେତେବେଳେ ନୂଆ ବାହା ହେଇଥିଲେ ଆମେ।ତମର ମଧ୍ୟ ଅଜବ ଚିନ୍ତାଧାରା ସବୁ।ମୋ ସ୍ବାମୀ ହିଁ ମୋ ମଥାରେ ସିନ୍ଦୂର ପିନ୍ଧେଇ ଦେବେ ବୋଲି କୁହ। ହା ହା କହିଲ ଦେଖି ଏମିତି କଣ କିଏ କେବେ ଭାବେ? ଆରେ ସବୁଦିନେ ଏଇ ସିନ୍ଦୂର ପିନ୍ଧା କାମଟା କଣ ନିହାତି ଦରକାର ?ମୁଁ ତମ ଉପରେ ସେଦିନ ବହୁତ୍ ରାଗିଥିଲି। ଆଉ ତମେ ମୋତେ ଲୁଚେଇ ଲୁଚେଇ ଲୁହ ପୋଛିବା ବି ଦେଖିଥିଲି।କିନ୍ତୁ ତମକୁ କିଛି ବି କହିଲିନି। ତମେ ଅଭିମାନରେ ମୋତେ ଶୁଣେଇ ଏତିକି କହି ଦେଇଥିଲ"ଆଜି ସିନା ମନା କରି ଦେଇଛ ହେଲେ ମୁଁ ମରିଗଲା ପରେ ମୋତେ ସିନ୍ଦୂର ପିନ୍ଧେଇ ଅହ୍ୟ ରୂପେ ତମେ ହିଁ ସଜେଇବ। ଦେଖିବି ସେତେବେଳେ କି ବାହାନା ତମେ କରିବ ?"ତମେ ସେଦିନ ସତ କହିଥିଲ।ବାହାନା ସବୁବେଳେ କରି ହୁଏନି। ଆଜି ତମ ମଥାର ଏଇ ଉଜ୍ବଳ ସିନ୍ଦୂର ଦେଖି ମୋତେ କେଜାଣି କାହିଁକି ଭାରି ଗର୍ବ ଅନୁଭବ ହେଉଛି। ସତ କହୁଛି।

ଓଃ ତମର ଏଇ ନାଲି ଶାଢ଼ୀ !କି ଅଦ୍ଭୁତ ତମେ ଆଉ ତମର ଚଏସ କେଜାଣି।ନାଲି ଶାଢ଼ୀ ଦେଖିଲା ମାତ୍ରେ ତାକୁ ମାଡ଼ି ବସୁଥିଲ କିଣି ଦେବାକୁ। ଆରେ ଏତେ ରଙ୍ଗ ଦୁନିଆରେ ଅଛି। କିଛି ବି ପିନ୍ଧିଦିଅ।କିନ୍ତୁ ତମେ ଆଉ ତମର ନାଲି ରଙ୍ଗ ପ୍ରତି ଏ ଅସମ୍ଭବ ଦୁର୍ବଳତା ! ମୋତେ ବି ବେଳେବେଳେ ହରେଇ ଦିଏ।ମୁଁ ବି ଖୋଜି ଖୋଜି ପ୍ରାୟ ନାଲି ଶାଢ଼ୀ ନେଇ ଆସେ ତମ ପାଇଁ ମନେ ପଡିଲେ ହସ ଆସୁଛି ସତରେ

ତମ ପାଦରେ ଅଳତା ଲଗେଇ ଦେଲେଣି।କିନ୍ତୁ ତମ ପାଦର ଅଳତାଗାର ଲିଭିଛି କି?ଯେତେ ଯାହା କହିଲେ ବି ପ୍ରତି ପୂଜା ଓପାସରେ ଆଗ ଅଳତା ଲଗେଇ ପକାଉଥିଲ ତମେ।ଆଉ ତମ ହାତର ମେହେନ୍ଦି ଛୋଟ ପିଲାଙ୍କ ପରି ଆସି ମୋତେ ହଟା କରି କହୁଥିଲ "ତମ ନାଁ ଏହି ମେହେନ୍ଦି ଭିତରୁ ଖୋଜ"।ଆଉ ମୁଁ ଏମିତି ଛୁଆଙ୍କ ପରି ଖେଳ ଖେଳିବାକୁ ଜମା ଚାହୁଁ ନ ଥିଲି।ଏଇଟା କଣ ଯେ ? ନୂଆ ବୋହୂ ପରି ପ୍ରତି ସପ୍ତାହରେ ମେହେନ୍ଦି ଅଳତା ଏସବୁ ଲଗେଇବା କଣ ନିହାତି ଦରକାର ?କିନ୍ତୁ ତମେ ମୋ କଥା କାନରେ ପୁରେଇ ଦେଇ ନ ଥିଲ।ହେଲେ ଏଇ କେତେ ବର୍ଷ ହେବ କାମ ଜଞ୍ଜାଳ ଆଉ ବ୍ୟସ୍ତତା ଯୋଗୁଁ ଟିକେ ଅବହେଳା ହେଇ ଯାଉଥିଲା।କିନ୍ତୁ ଆଜି ଏସବୁ ତମ ହାତ ପାଦରେ ଦେଖି ମୋତେ ସେ ଦିଗରୁ ଆଖି ଫେରେଇବାକୁ ଇଚ୍ଛା ହେଉନି ।

କେତେ କହିଛି ଅନ୍ୟ ଲେଡିଜ୍ ମାନଂକ ଜିନ୍ସ ପିନ୍ଧିବାକୁ।ହେଲେ ତମେ ହନିମୁନରେ ପରା ଶାଢ଼ୀ ସବୁ ନେଇ ଯାଇଥିଲ।କଣ ନା ମୋତେ ଶାଢ଼ୀ ହିଁ ବଢିଆ ଲାଗେ।ଗୋଟିଏ କଥା କହିବି?ମୋତେ ବି ତମେ ଶାଢ଼ୀ ପିନ୍ଧିଲେ ବହୁତ୍ ଭଲ ଲାଗେ।ହେଲେ ମୁଁ ଯାହା କେବେ କହିନି ତମକୁ।କାହିଁକି ନା କର୍ମ ବ୍ୟସ୍ତତାରେ ତମକୁ ଏତେ ନିରେଖି ଦେଖିବା କେବେ ସମ୍ଭବ ହେଇନି।

ତମ ମୁଣ୍ଡର ଫୁଲମାଳଟା ବହୁତ୍ ସୁନ୍ଦର ଲାଗୁଛି।ହେଲେ ତମ ପସନ୍ଦ କେବଳ ମଲ୍ଲିଫୁଲ ନା? ମନେ ଅଛି ମୋର ଯେତେ ଯୁଆଡେ ବୁଲିଗଲେ ମଧ୍ୟ ମଲ୍ଲିମାଳ ଖୋଜୁଥିଲ ତମେ ଆଉ ମୋତେ କହୁଥିଲ ତମ ମଥାରେ ସଜେଇ ଦେବାକୁ।ଯେତେ ଜନଗହଳି ହେଇଥିଲେ ମଧ୍ୟ ତମର ସେଦିଗରେ କିଛି ନିଘା ରହେନି।ଆଜି ମୋତେ ଲାଗୁଛି ଯଦି ମୁଁ ବି ଯଦି ସେମିତି କରିଥାନ୍ତି ହେଲେ ଏବେ ଆହୁରି କେତେ ସୁନ୍ଦର୍ ସ୍ମୃତି ସାଉଁଟି ପାରନ୍ତି ।

ହାତମୁଠା ଟାଣ ହେଇଗଲାଣି ! ବଡ଼ ସାଇଜର ଚୁଡ଼ି ଆଣିବାକୁ କେହି ଜଣେ ଆଗେଇ ଗଲେଣି।ହେଲେ ସେମାନେ ଏକଥା ଜାଣି ନାହାନ୍ତି ତମେ କେତେ ଛୋଟ ସାଇଜ ଚୁଡ଼ିକୁ ସାବୁନ ଲଗେଇ ଆରାମରେ ପିନ୍ଧି ପକାଉଥିଲ।ଆଉ ସବୁବେଳେ ମେଞ୍ଚା ମେଞ୍ଚା କାଚ ଚୁଡ଼ି ପିନ୍ଧୁଥିଲ।ଡିଜାଇନ୍ ଚୁଡ଼ି ସବୁ ପିନ୍ଧିବାକୁ କହିଲେ କହୁଥିଲ "ଯେତେ ସୁନ୍ଦର୍ ହେଉ ପଛେ ମୁଠାକ କାଚ ଚୁଡ଼ି ହିଁ ମୋ ସୌଭାଗ୍ୟ।ସୁନା କି ହୀରା କଙ୍କଣ ବି ମୋ କାଚ ଚୁଡ଼ି ପରି ହେବନି ଓଃ ତମେ ଆଉ ତମର କଥାବାର୍ତ୍ତା !ଏଇ ଯେମିତି ସାବିତ୍ରୀ ଅମାବାସ୍ୟା ଦିନ ତମକୁ ଚୁଡ଼ି ପିନ୍ଧେଇବା ପାଇଁ ମୋତେ କହୁଥିଲ।ସେଇଟା ମୋ ପାଇଁ କେତେ ବଡ ଚ୍ୟାଲେଞ୍ଜ ଥିଲା ଜାଣିଛ? ପୂଜା ଦିନ ଗୋଟିଏ ବି ଚୁଡ଼ି ନ ଭାଙ୍ଗି ତମକୁ ପିନ୍ଧେଇବାକୁ ହୁଏ।କେଜାଣି କାହିଁକି ମୁଁ ତମର ମନଭାଵ ବୁଝି ନ ପାରି ତମ ଉପରେ ବିରକ୍ତ ହେଉଥିଲି ହେଲେ ଆଜି ତମ ହାତରେ ଏତେ କାଚ ଚୁଡ଼ି ଦେଖି ଖାଲି ମୁଁ ନୁହଁ ବରଂ ଏଇଠି ଥିବା ସବୁ ଲୋକେ ହାତ ଯୋଡ଼ି ତମ ସୌଭାଗ୍ୟକୁ ପ୍ରଣାମ କରୁଛନ୍ତି।

ଆଃ ଏଇଟା ବୋଧେ ଆମ ବାହାଘର ବେଳର ଓଢଣି !ତମେ ୟାକୁ ବି ଏତେ ସାଇତିକି ରଖିଥିଲ? ମାନିବାକୁ ପଡ଼ିବ ତମକୁ ୟାକୁ ଘୋଡେଇ ଦେଲା ପରେ ତମେ ଠିକ୍ ସେହି ଦିନ ପରି ଚମତ୍କାର ଦେଖା ଯାଉଛ ସତରେ ଚା କପେ ଏଯାଏଁ ମିଳିନି।କିଏ ଦବ ? ମୁଁ ଉଠିବା ଦେଖିଲେ ତମେ ତୁଳସୀ ଚଉରା ପୂଜା ଅଧାରୁ ଛାଡ଼ି ଆସି ଚା ତିଆରି କରି ଦେଉଥିଲ।ଆଉ ଦେଖ ତମେ ଶୋଇଛ ବୋଲି ମୋତେ ଆଜି ଚା ମିଳିନି। ଚା କଥା ଛାଡ ଆଜି ପରା ହୋଲି।ତମେ ତ ହୋଲି ଦିନ ହାତରେ ମିଠାଥାଳି ଆଉ ରଙ୍ଗ ଅବିର ନେଇ ସମସ୍ତଙ୍କ ଘରକୁ ଯାଇ ନିଜେ ଲଗେଇ ଆସୁଥିଲ।ଯେତେ ମନା କଲେ ମଧ୍ୟ ସକାଳୁ ଜଳଖିଆ ଆଉ ଲଂଚ ବନେଇ ଦେଇ ବାହାରୁଥିଲ।ହଁ ଆମେ ହୋଲି ଖେଳି ହାଲିଆ ହେଇ ଘରକୁ ଆସିବା ପରେ ସେସବୁ କିନ୍ତୁ ବହୁତ୍ ଜରୁରୀ ଲାଗୁଥିଲା। ଆଛା ତମକୁ କେବେ ମୁଁ ପଚାରିନି ତ ତମେ କଣ ଚାହଁ ତମ ପସନ୍ଦ ନାପସନ୍ଦ କଣ

ଏଇ କାଲି ଭଳିଆ ଲାଗୁଛି।ବାହା ହେବା ପରଦିନ ତମେ ସେମିତି ରୁମ ଭିତରେ ବସିଥିଲ।ଚାରିଦିନ ଆଗରୁ ରୋଷେଇ ଘରକୁ ଯିବା ନିଷେଧ ଥିଲା।ଆଉ ଆମେ ସମସ୍ତେ ସକାଳୁଆ ଚା ପିଇ ମଜା ମସ୍ତି ଗପରେ ବ୍ୟସ୍ତ ଥିଲୁ।ତମ ମା ମୋତେ ଆଗରୁ କହିଥିଲେ ତମର ଚା ପିଆ ଅଭ୍ୟାସ କଥା। ସକାଳ ଚା ନ ପିଇଲେ ତମ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ।କିନ୍ତୁ ସେ କଥାକୁ ମୁଁ ଗୁରୁତ୍ଵ ଦେଇ ନ ଥିଲି। ଆଉ ତମେ ସେଦିନ କେତେ କଷ୍ଟ ପାଇଥିଲ !ସେଦିନ ସିନା ଆମ ସମ୍ପର୍କ ନୂଆ ଥିଲା !ତଥାପି କଣ ମୁଁ ତା ପରେ ତମର ମୁଣ୍ଡ ବ୍ୟଥାକୁ ଇମ୍ପୋର୍ଟାନସ୍ ଦେଲି କି ?କାଇଁ ମନେ ପଡୁନି ତ।

ସୂର୍ଯ୍ୟ ତେଜ ହେଲେଣି।ଆଉ ଏଇ ସୂର୍ଯ୍ୟ କିରଣରେ ତମ ହଳଦୀମଖା ମୁହଁ କେତେ ସୁନ୍ଦର୍ ଦେଖା ଯାଉଛି !ତମେ ହଳଦୀ ଲଗେଇଲେ ମୁଁ ରାଗୁଥିଲି। ସ୍କିନ ଖରାପ୍ ହେବ।ଲୁଗାପଟା ଖରାପ୍ ଦିଶିବ କହୁଥିଲି।ହେଲେ ଆଜି ତମ ମୁହଁରେ ଏ ହଳଦୀ ମୋତେ ଏତେ ଭଲ ଲାଗୁଛି ଯେ ମୁଁ ଭାଷା ପାଉନି ତାକୁ ବର୍ଣ୍ଣନା କରିବାକୁ।କାହିଁକି ତମର ଏଇ ସୁନ୍ଦରତା ମୁଁ ଆଗରୁ ଦେଖିନି ସେକଥାର ଉତ୍ତର ଖୋଜି ପାଉନି

ଅହ୍ୟ ବାଦ୍ୟ ବାଜିଲାଣି।ସମସ୍ତେ ବସିବା ଜାଗାରୁ ଉଠି ପଡିଲେଣି।ହେଲେ ତମେ ଆଜି ଶୋଇଛ।ପୁରା ନିଘୋଡ଼ ନିଦରେ।ତମକୁ ଏମିତି ଶୋଇବା ଅବସ୍ଥାରେ ଦେଖିବି ବୋଲି କେବେ ଭାବି ନ ଥିଲି।ଆଜି ତମକୁ ଏତେ ଆରାମରେ ଶୋଇଥିବାର ଦେଖି ମୋତେ ଈର୍ଷା ହେଉଛି।ହେଇ ଦେଖ ହୋଲି ପାଇଁ ଚାରିଆଡ଼େ ରଙ୍ଗ ବର୍ଷା ହେଉଛି।ଆଉ ତମେ ଏମିତି ଏତେ ରଙ୍ଗୀନ ହେଇ ମୋ ଜୀବନର ସବୁ ରଙ୍ଗକୁ ନିଜ ସହିତ ନେଇ ଚାଲିଯାଉଛ ବୋଲି ମୋତେ ଖରାପ୍ ଲାଗୁଛି।ଟିକେ ରୁହ ତମ ହାତ ଧରି ଯେମିତି ଏଇ ହୋଲିରେ ଜୀବନରେ ରଙ୍ଗ ଭରିବାକୁ ନିଷ୍ପତ୍ତି ନେଇଥିଲି ଆଜି ସେମିତି ଏହି ମହାଯାତ୍ରାରେ ବି ତମ ସହିତ ସାଙ୍ଗ ହେଇ ଯିବି।ତମ ରଙ୍ଗରେ ରଙ୍ଗେଇ ହେଇ ବଞ୍ଚି ହେଲାନି ହେଲେ ଏଇ ଜୀବନ ପରର ଜୀବନଟା ରଙ୍ଗୀନ କରିବାକୁ ମୋତେ ଭାରି ଇଚ୍ଛା ହେଉଛି।ତମ ପାଖରେ ଏମିତି ଚିନ୍ତାମୁକ୍ତ ହୋଇ ମୁଁ ବି ଟିକେ ଶୋଇ ପଡ଼ିବି ପ୍ଲିଜ୍ ଲାଷ୍ଟ ଚାନ୍ସ ଦିଅ ।



Rate this content
Log in

Similar oriya story from Romance