sushama Parija

Tragedy Romance

3.2  

sushama Parija

Tragedy Romance

ଅନ୍ଧ ଦିଗନ୍ତ

ଅନ୍ଧ ଦିଗନ୍ତ

13 mins
931



ଭୁବନେଶ୍ୱରରେ ଆସି ରହିବା ପରେ ପ୍ରତି ଶନିବାର ସନ୍ଧ୍ୟାରେ ପିଲାମାନେ ଅଫିସ୍ରୁ ଫେରିବା ବେଳକୁ ମୁଁ ଆଉ ନାତି ସଜାଡି ହୋଇ ହସୁଥାଉ କଟକ ଘରକୁ ଯିବାକୁ । ତରବର ହୋଇ ସମସ୍ତେ ବାହାରି ଯାଉ ଘରକୁ ଆଉ ଫେରିଆସୁ ରବିବାର ରାତିରେ। ପୁଣି ସୋମବାର ସକାଳୁ ସପ୍ତାହକର ସେଇ ରୁଟିନ୍ ବନ୍ଧା ଜୀବନ, ସେଇ ଗତାନୁଗତିକ ଧାଇଁ ଦୌଡ । ତେଣୁ ସେଇ ତେଇଶି କି ଚବିଶି ଘଣ୍ଟା ସମୟର ଘରେ ରହିବାର ସୁଖକୁ ମୁଁ ପ୍ରାୟତଃ ହାତଛଡା କରେନାହିଁ । ସେଦିନ ଥିଲା ସେମିତି ଏକ ଶନିବାରର ସନ୍ଧ୍ୟା । ଆମେ ଯାଇ ଜୟଦେବବିହାର ଛକରେ ପହଞ୍ଚିଲା ବେଳକୁ ପୁଅର ମୋବାଇଲ୍ ରିଂ ହେଲା । ଗାଡି ଚଲାଇବା ବେଳେ ମୁଁ ଶକ୍ତ ବାରଣ କରିଥାଏ ପୁଅକୁ ମୋବାଇଲରେ କଥାବାର୍ତ୍ତା ନକରିବା ପାଇଁ । ମୋର ଗୋଡରେ ଅସୁବିଧା ଥିବାରୁ ମୁଁ କାରର ସାମ୍ନା ସିଟରେ ବସେ ଠିକ୍ ପୁଅ ପାଖରେ, ଆଉ ବୋହୁ ପଛ ସିଟରେ ବସେ ନାତିକୁ ଧରି । ସାଧାରଣତଃ ମୋର କଥା ରକ୍ଷାକରି ସେ ଫୋନ୍ ଧରେନା ନିହାତି ଜରୁରୀ ନଥିଲେ । ସେଦିନ କିନ୍ତୁ ସେ ଫୋନ୍ଟି ଉଠାଇଥିଲେ ଖୁବ୍ ଖୁସି ହୋଇ । ସେପଟୁ ଯାହା ଶୁଣୁଥିଲା ସେଥିରେ ତା’ ମୁହଁଟା ଖୁସିରେ ଉଜ୍ଜ୍ୱଳି ଉଠୁଥିବା ମୁଁ ଲକ୍ଷ୍ୟ କଲି, “ କଂଗ୍ରାଚ୍ୟୁଲେସନ୍ସ , ମିଟିଙ୍ଗ୍ ୟୁ ଟୁମରୋ ” କହି ସେ ଫୋନ୍ ରଖିଲା ଆଉ ମୋ ଆଡକୁ ଚାହିଁ ହସି ହସି କହିଲା “ ବୋଉ , ଗୋଟିଏ ବଢିଆ ଖବର, ଜାଣିଛୁ ନା , ସଙ୍କଳ୍ପର ବାହାଘର ଠିକ୍ ହୋଇ ଯାଇଛି, ଦୁଇ ଦିନ ପରେ ନିର୍ବନ୍ଧ ଆଉ ଆସନ୍ତା ତିଥିରେ ବିବାହ । ଏକା ନିଶ୍ୱାସ କେ କଥାଗୁଡିକ କହି ପକାଇଲା ସେ, ତା’ର ଖୁସି ସ୍ପଷ୍ଟ ଭାବରେ ଦିଶୁଥିଲା ତା’ ହସ ହସ ମୁହଁରେ । “ ସତରେ ନା କ’ଣ ? “ ମୁଁ ଆଉ ମୋ ବୋହୁ ଦୁହେଁ ଏକା ସାଙ୍ଗରେ କହି ଉଠିଲୁ । ‘ସଙ୍କଳ୍ପ’ ମୋ ପୁଅ ଆଉ ବୋହୂଙ୍କର ଘନିଷ୍ଠ ବନ୍ଧୁ କଲେଜ୍ ସମୟରୁ । ତା’ର ବାପା ମାଆଙ୍କୁ ମୁଁ ଅନେକ ଥର ଭେଟିଛି, ଖୁବ୍ ସ୍ନେହୀ ମେଳାପୀ ଭଦ୍ରଲୋକ ସେମାନେ । ପାଠ ପଢା ସରିଲା ପରେ ଚାକିରୀ କରି ଯିଏ ଯୁଆଡେ ରହିଲେ ମଧ୍ୟ ବନ୍ଧୁତା ଅତୁଟ ରହିଛି ପିଲାମାନଙ୍କର । ନିୟମିତ ଭାବରେ ଦେଖା ସାକ୍ଷାତ ହୁଏ। ଉଭୟେ ସମବୟସ୍କ ହୋଇଥିବାରୁ ଏବଂ ମୋ ପୁଅର ବାହାଘର ସାତ ଆଠ ବର୍ଷ ହେଲା ହୋଇ ସାରିଥିଲେ ମଧ୍ୟ ସଙ୍କଳ୍ପର ବିବାହ କେଉଁଠି ଠିକ୍ ହୋଇ ପାରିନାହିଁ ବୋଲି ତା’ ମାଆଙ୍କ ମନ ସବୁବେଳେ ଖରାପ ରହୁଥାଏ। ଯେବେ ବି ଦେଖା ହେଲେ କହନ୍ତି “ମୋ ପୁଅ ପାଇଁ କନ୍ୟାଟେ ଦେଖନ୍ତୁ ମ , ଚାରି ଆଡେ ବୁଲି ବୁଲି ଥକିଲିଣି, ମନଲାଖି ବୋହୁଟିଏ ପାଉନି “। ମତେ ଆଶ୍ଚର୍ଯ୍ୟ ଲାଗେ, ରଙ୍ଗ ନୀରସ ହେଲେ କ’ଣ ହେବ , ପୁଅଟି ସୁସ୍ଥ ସବଳ, ଭଲ ପାଠ ପଢିଛି, ଭଲ ଚାକିରୀ କରିଛି, ଆର୍ଥିକ ସ୍ଵଚ୍ଛଳ ପରିବାର, ଘରେ ବାପା ମାଆ ଦୁହିଁଙ୍କ ବ୍ୟତୀତ ଆଉ କେହି ନାହାଁନ୍ତି , ତଥାପି ବୋହୁ ମିଳୁନି ? ସଙ୍କଳ୍ପର ମାଆ କହନ୍ତି “ଏକ ମାତ୍ର ପୁଅ ମୋର, କ’ଣ ନାହିଁ ମୋ ଘରେ ? ଯାନିଯୌତୁକ ଲୋଡା ନାହିଁ , ଖାଲି ଭଲ ପରିବାରରୁ ସୁନ୍ଦର ଝିଅଟିଏ ଦରକାର , କେଜାଣି କେବେ ଠାକୁରେ ଜୁଟେଇବେ “। ମୁଁ ମଧ୍ୟ ତାଙ୍କୁ ଆଶ୍ୱାସନା ଦିଏ, ସମୟ ଆସିଲେ ସବୁ ହେବ, ଆପଣ ବ୍ୟସ୍ତ ହୁଅନ୍ତୁନି । ଆଜି ପୁଅ ଠାରୁ ଖବରଟି ଶୁଣି ଆମେ ସମସ୍ତେ ଖୁସି ହେଲୁ, ଯାହା ହେଉ, ଏତେ ଦିନକେ ତାଙ୍କର ମନୋକାମନା ପୂରଣ ହୋଇଛି । ମୋ ବୋହୁ ଟିକିଏ ଅଧିକ ଉତ୍ସାହିତ ହୋଇ ପଚାରୁଥିବେ “ ଝିଅଟି କେମିତି ଦେଖିବାକୁ, ଘର କୋଉଠି, ଚାକିରୀ କରିଛି ନା ନାହିଁ, ଇତ୍ୟାଦି ଇତ୍ୟାଦି ।ମୋ ପୁଅ ତା’କୁ କରୁଥାଏ “ ରହ, ସେ କାଲି ଫଟୋ ସହିତ ସବୁ ଡିଟେଲ୍ସ ପଠାଇବ , ବଳି ଦେଖିବନି “।

ପରଦିନ ଥାଏ ରବିବାର । ସକାଳୁ ସକାଳୁ ନିଜେ ମାଂସ କିଣି ଆଣି ରୋଷେଇ କରିଥାଏ, ଆମେ ସବୁ ଖାଇ ବସିଥାଉ ହଠାତ୍ ପୁଅର ମୋବାଇଲ୍ ବାଜି ଉଠିଲା ,ଅଧାଖିଆରୁ ଉଠି ଯାଇ ମୋବାଇଲ୍ଟି ଧରିଲା ସେ, ସେପଟରୁ କ’ଣ ଶୁଣିଲା କେଜାଣି, ଚମକି ଉଠି “ ଏଁ, କେତେବେଳେ, କେମିତି “ କହି ଫୋନ୍ଟି ଧରି ସେଇ ଅଇଁଠା ହାତରେ ଘର ଭିତରକୁ ପଶି କବାଟ କିଳି ଦେଲା । କିଛି ଗୋଟାଏ ବଡ ଅଘଟଣ ଘଟି ଯାଇଥିବାର ଆଶଙ୍କାରେ ତ୍ରସ୍ତ ହୋଇ ସେମିତି ଅଧାଖିଆରେ ବସି ରହିଥିଲୁ ଆମେ । କିଛି ସମୟ ପରେ ଲଳିତ ବାହାରିଲା କବାଟ ଖୋଲି, ଆଖି ଦୁଇଟା ଲୁହ ଛଳ ଛଳ, ମୁହଁଟା ଶୁଖି କଳାକାଠ ପଡିଛି । ହାତ ଧୋଇ ଉଠି ଗଲି ମୁଁ, ଧରି ପକାଇଲି ତା’କୁ, ଛାତିକୁ ଆଉଜେଇ ଆଣି ପଚାରିଲି “ କ’ଣ ହେଇଛି ବାବା, କାହାର “ । କାନ୍ଦି ଉଠିଲା ଲଳିତ “ ବୋଉ , କାଲି ସଂକଳ୍ପର ଯେଉଁ ବାହାଘର କଥା କହୁନଥିଲି ଆଜି ସେ ଝିଅଟିକୁ ମାରି ଦେଇଛି ତା’ର ରୁମ୍ ମେଟ୍, ସଂକଳ୍ପ ଏବେ ମେଡିକାଲରେ ଅଛି, ସେ ଝିଅର ଶବ ପାଖରେ, ସେ ବହୁତ କାନ୍ଦୁଛି ବୋଉ, ବିଚରା, କାଲି ସନ୍ଧ୍ୟାରେ କେତେ ଖୁସିରେ ଫୋନ୍ କରିଥିଲା ଆଉ ଆଜି କ’ ଣ ହେଲା ଦେଖ, ତା’ ଜୀବନଟା ଆରମ୍ଭ ନହେଉଣୁ ଶେଷ ହୋଇଗଲା “। ମୁଁ ଅବାକ୍ ହୋଇ ଚାହିଁ ରହିଥିଲି ଲଳିତର ମୁହଁକୁ, ଲଳିତ କଥାର ବିନ୍ଦୁ ବିସର୍ଗ ବୁଝି ପାରୁନଥିଲି । ସେତିକି ବେଳେ ଡ୍ରଇଁରୁମରେ ବସି ଟିଭି ଦେଖୁଥିବା ମୋ ସ୍ୱାମୀ ପାଟି କରି ଉଠିଲେ ଆରେ ଆସ ଦେଖିବ, ଆମ ଭୁବନେଶ୍ଵରରେ କେଡେ ମର୍ମନ୍ତୁଦ ଭାବରେ ଗୋଟିଏ ଝିଅ ଆଉ ଗୋଟିଏ ଝିଅକୁ ମାରିଛି ଛୁରୀରେ । ସମସ୍ତେ ଉଠି ଧାଇଁଲୁ ଟିଭି ପାଖକୁ । ଓଃ ,କି ବୀଭତ୍ସ ସେ ଦୃଶ୍ୟ । ଘନ ଘନ ପ୍ରସାରିତ ହେଉଥିଲା ଟିଭିରେ ଚର୍ଚ୍ଚିତ ଘଟଣାଟି । ଘଟଣା ସମ୍ପର୍କରେ ସବିଶେଷ ଅନୁସନ୍ଧାନ କରୁଥିବା ପୋଲିସର ଚାଞ୍ଚଲ୍ୟକର ତଥ୍ୟ ସବୁ । ଆମର ଆଉ ଖାଇବାପାଇଁ ଇଚ୍ଛା ହିଁ ନଥିଲା , ସଙ୍କଳ୍ପର ଘରକୁ ଫୋନ୍ କରି କିଛି ବୁଝିବା ପାଇଁ କାହାରି ସାହସ ବି ନଥିଲା । କ’ଣ କହିବୁ , କ’ଣ କହି ସାନ୍ତ୍ୱନା ଦେବୁ କିଛି ଭାବି ପାରୁ ନଥାଉ। ଏମିତି ଅସ୍ତବ୍ୟସ୍ତ ହୋଇ ରବିବାର ସନ୍ଧ୍ୟାରେ ଫେରିଲୁ ଭୁବନେଶ୍ୱର । ଆମକୁ ଘରେ ଛାଡି ଦେଇ ଲଳିତ ଚାଲିଗଲା ସେମାନଙ୍କର ଆଉଜଣେ ଅନ୍ତରଙ୍ଗ ବନ୍ଧୁ ଶଶୀକାନ୍ତ ପାଖକୁ, ଉଦ୍ଦେଶ୍ୟ ଏକା ସେ ସଂକଳ୍ପକୁ ବୁଝେଇ ପାରିବନି ବରଂ ଦୁଇ ଜଣ ଯାକ ମିଶିକି ଯିବେ ତା’କୁ ବୁଝାଶୁଝା କରିବା ପାଇଁ । ଆମେ ସମସ୍ତେ ସେମିତି ମନସ୍ତାପରେ ବସିଥାଉ। ସମ୍ବେଦନଶୀଳ ଘଟଣା ଟିର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଖବର ପ୍ରଚାର କରୁଥାଏ ଟିଭିରେ ଭିନ୍ନ ଭିନ୍ନ ଚାନେଲ୍। ରାତି ପ୍ରାୟ ବାରଟା ହେବ, ଫେରିଲା ଲଳିତ , ଚେହେରାରେ ଟିକିଏ ସହଜ ଜଣାପଡୁଥିବାରୁ ବୋହୁ ଯାଇ ପଚାରିଲା ତା’କୁ ସଂକଳ୍ପ କେମିତି ଅଛି ବୋଲି । ବାଥରୁମକୁ ଯାଇ ଫ୍ରେସ୍ ହୋଇ ଆସିବା ପରେ ଆରମ୍ଭ କଲା ଲଳିତ । ସୋସିଆଲ୍ ମିଡ଼ିଆରେ ଯାହା ପ୍ରଚାରିତ, ପ୍ରସାରିତ ହେଉଥିଲା ଘଟଣାଟି ଥିଲା ତା’ଠାରୁ ଅଧିକ ଚମକପ୍ରଦ ।  

   ଘଟଣାର ନାୟିକା ରିନି ଆଉ ଖଳନାୟିକା ଶୀତଲ୍ ଥିଲେ ପରସ୍ପରର ବନ୍ଧୁ । ଦଶ ବାର ବର୍ଷ ତଳେ ସେମାନଙ୍କର ସାକ୍ଷାତ ହୋଇଥିଲା ରାୟଗଡା ଜିଲ୍ଲାର ଗୋଟିଏ ଏନ୍ ଜି ଓରେ ଏକାଠି କାର୍ଯ୍ୟ କରିବା ସମୟରେ । ରିନି ଥିଲା ବାଲେଶ୍ୱର ଜିଲ୍ଳା ଆଉ ଶୀତଲ୍ ଥିଲା ପୁରୀ ଜିଲ୍ଲାର । ରିନି ଠାରୁ ଚାରି ପାଞ୍ଚ ବର୍ଷ ବଡ ଥିଲା ଶୀତଲ୍ । ରିନି ଶରୀରରେ ଦୁର୍ବଳ ଥିଲାବେଳେ ଶୀତଲ୍ ଥିଲା ହୃଷ୍ଟପୁଷ୍ଟ ଶରୀରର, ଦୁହିଁଙ୍କ ପରିବାର ଥିଲା ଆର୍ଥିକ ଅସ୍ୱଚ୍ଛଳ, ତେଣୁ ସେଇ ସ୍ୱଳ୍ପ ବେତନର ଚାକିରୀରେ ନିଜର ପରିବାରକୁ ସହାୟତା କରିବାକୁ ଦିନ ରାତି ପରିଶ୍ରମ କରୁଥିଲେ ଦୁହେଁ । ସେଇ କାମ କରିବା ଭିତରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା । କିଛି ସମୟ ପରେ ଦୁହେଁ ଏକାଠି ଗୋଟିଏ ଘର ଭଡା ନେଇ ରହିବାକୁ ଆରମ୍ଭ କଲେ । ସଙ୍ଗେ ହୋଇ ରହୁଥିଲେ, କାମକୁ ଯାଉଥିଲେ, ବୁଲାବୁଲି, ଖିଆପିଆ, ସବୁ ବେଳେ ଏକାଠି ଦେଖିବାକୁ ମିଳୁଥିଲା ଦୁହିଁଙ୍କୁ । ଦୁହିଁଙ୍କର ଅନ୍ତରଙ୍ଗତା ବଢିଥିଲା , ତା’ ସହିତ ପରସ୍ପର ପ୍ରତି ଆନୁଗତ୍ୟ। ଉଭୟଙ୍କ ପରିବାରରେ ମଧ୍ୟ ଘନିଷ୍ଠତା ବଢିଥିଲା । ସମୟ ଅସମୟରେ ଦୁହେଁ ପରସ୍ପରର ପରିବାରକୁ ସାହାଯ୍ୟ କରୁଥିଲେ, ସୁଖ ଦୁଃଖରେ ଏକାଠି ଠିଆ ହେଉଥିଲେ । ଏମିତିରେ ବିତିଗଲା ସାତବର୍ଷ । ସେମାନଙ୍କ ରଙ୍ଗଢଙ୍ଗ ଦେଖି ସନ୍ଦେହ ଉପୁଜିଥିଲା ପଡୋଶୀମାନଙ୍କ ମନରେ। ଧୀରେ ଧୀରେ ସେମାନଙ୍କ ସଂପର୍କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଫୁଟ୍ ଫାଟ୍ ଆରମ୍ଭ ହୋଇ ଯାଇଥିଲା । ଯିଏ ଯାହା ମତରେ ରଙ୍ଗ ଦେବାକୁ ଲାଗିଲା ସେମାନଙ୍କ ସଂପର୍କକୁ। ସେଇ ଗୁଜବରୁ ରକ୍ଷା ପାଇବା ଲାଗି ଦୁହେଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରି ଆସିଥିଲେ ଭୁବନେଶ୍ଵର । ଭୁବନେଶ୍ଵରରେ ଚାକିରୀ ଖୋଜି ଓଲଡ୍ ଟାଉନର ଗୋଟିଏ ଛୋଟ ଆପାର୍ଟମେଣ୍ଟରେ ଭଡା ରହିଥିଲେ ଦୁହେଁ । ସ୍କୁଟିଟିଏ କିଣି ସାଥିରେ ଯିବା ଆସିବା କରୁଥିଲେ । ଦୁଇ ଯୁବତୀ ଏକାଠି ରହିବା ଏଠି ଗୋଟାଏ ସାଧାରଣ ଘଟଣା ଭାବି, କେହି ଗୁରୁତ୍ୱ ଦେଉ ନ ଥିଲେ । ଦୁଇ ଚାରି ବର୍ଷ କଟିଗଲା ସେମିତି । ରିନିର ବୟସ ବଢି ଚାଲିଥିଲା, ଆର୍ଥିକ ସ୍ୱଚ୍ଛଳତା ଆସିବା ପରେ ଘର ଲୋକ ବ୍ୟସ୍ତ ହୋଇ ପଡିଥିଲେ ତା’ର ବାହାଘର କରିବା ପାଇଁ । 

   ଆଗରୁ ଯେତେବେଳେ ବି ବିବାହ ପ୍ରସ୍ତାବ ଆସୁଥିଲା ରିନି ମନା କରୁଥିଲା ନା,ନା, ଏବେ ନୁହେଁ, ଆଗ ଘର କରିବି, ଭାଇଭଉଣୀଙ୍କୁ ପାଠଶାଠ ପଢେଇ ମଣିଷ କରିବି, ତା’ ପରେ ବାହାଘର କଥା ଦେଖିବା। ତା’ର ଏଇ କଥାଗୁଡିକ ଶୁଣି ଘରଲୋକ ଭାବୁଥିଲେ ଯେ ସେସବୁ ରିନିର ସାନ ସାନ ଭାଇଭଉଣୀଙ୍କ ପାଇଁ, ନିଜର ବାପା ମାଆଙ୍କ ପାଇଁ ନିଜର ଦାୟିତ୍ୱବୋଧ। ଏବେ ସାନ ଭାଇର ଇଞ୍ଜିନିୟରିଂ ପାଠ ସରିବା ଉପରେ, ସାନ ଭଉଣୀ ମିନିର ବିଇଡି ସରି ସେ ଘରେ ବସିଛି ଚାକିରୀ ଅପେକ୍ଷା ରେ, ତା ସତ୍ତ୍ୱେ ମଧ୍ୟ ରିନିର ଟାଳଟୁଳ ନୀତି ଭଲ ଲାଗୁନଥିଲା ଘରଲୋକଙ୍କୁ । ସେମାନେ ଏବେ ନିଜେ ନିଜେ ପ୍ରସ୍ତାବ ଠିକ୍ କରିବାରେ ଲାଗି ପଡିଥିଲେ । ରିନି ରାଗୁଥିଲା, ଝଗଡା କରୁଥିଲା, ମୋ କଥା ମୁଁ ବୁଝିବି ବୋଲି କହୁଥିଲା, କେବେ କେବେ ଝଗଡା କରି ମାସେ ଦୁଇମାସ ଘରକୁ ଆସିବା ବନ୍ଦ କରିଦେଉଥିଲା ରାଗରେ । ସେଇ ଭିତରେ କୋଉଠି ଗୋଟିଏ ବିବାହ ଯୋଗସୂତ୍ର ଅଫିସ୍ ତରଫରୁ ଆସିଥିଲା ସଙ୍କଳ୍ପ ସହିତ ରିନିର ବିବାହ ପ୍ରସ୍ତାବ । ଭଲ ଘର , ସୁଯୋଗ୍ୟପାତ୍ର ଦେଖି ରାଜି ହୋଇଥିଲେ ଉଭୟ ପକ୍ଷ । ସାକ୍ଷାତକାର ପାଇଁ ଦିନ ନିର୍ଦ୍ଧାରଣ ହେଲା, ନିର୍ଦ୍ଧିଷ୍ଟ ସ୍ଥାନରେ ସାକ୍ଷାତ ହେଲା ଉଭୟ ପରିବାରର । ନିଜର ଅନିଚ୍ଛା ସତ୍ତ୍ୱେ ମଧ୍ୟ ବାପା ମାଆ ଦୁହିଁଙ୍କ ବାଧ୍ୟବାଧକତାରେ ଯାଇଥିଲା ରିନି , କିନ୍ତୁ ସେଠାରେ ପହଞ୍ଚି ସଂକଳ୍ପକୁ ଦେଖିବା ପରେ ମନ ଚହଲି ଯାଇଥିଲା ତା’ର। ସଂକଳ୍ପର ଖୋଲା ମନ, ତା’ର ଭଦ୍ର ଅମାୟିକ ବ୍ୟବହାର, ତା’ର ହସଖୁସିଆ ସ୍ୱଭାବରେ ମୁଗ୍ଧ ହୋଇଥିଲା ରିନି । ତା’ ପାଟିରୁ ପ୍ରତିବାଦର କୌଣସି ଶବ୍ଦ ବାହାରି ନଥିଲା, ସାଧାରଣ ଝିଅଟି ପରି ମୁହଁ ତଳକୁ କରି ବସି ରହିଥିଲା ସେ।

ସଂକଳ୍ପର ପରିବାରକୁ ମଧ୍ୟ ଖୁବ୍ ପସନ୍ଦ ଆସୁଥିଲା ରିନିର ଏମିତି ସାଧାରଣ ସ୍ୱଭାବ। ରୂପରେ ତ ସୁନ୍ଦର ଥିଲା ରିନି ମାତ୍ର ତା’ର ଏଇ ଚୁପ୍ ଚାପ୍ ଢଙ୍ଗ ଖୁବ୍ ଭଲ ଲାଗୁଥିଲା ସମସ୍ତଙ୍କୁ । ସାମାନ୍ୟ ଔପଚାରିକ ପ୍ରଶ୍ନୋତ୍ତର ପରେ ସେଇଠି ଅବଧାନଙ୍କୁ ଡାକି ଜାତକ ଶୁଝେଇ ନିର୍ବନ୍ଧ ଆଉ ଆସନ୍ତା ନିକଟତମ ତିଥିରେ ବିବାହ ସ୍ଥିର କରାଯାଇଥିଲା । ଝିଅ ଭୁବନେଶ୍ଵରରେ ରହୁଥିବା ଜାଣି ଧୀର ସ୍ୱରରେ ସଂକଳ୍ପ ମୋବାଇଲ୍ ନମ୍ବରଟି ମାଗିଥିଲା ରିନିକୁ ଏବଂ ମିସ୍ କଲ୍ଟିଏ କରି ନିଜ ନମ୍ବରଟି ଜଣାଇଦେଲା ରିନିକୁ। ସବୁ ସ୍ଥିର କରି ସେମାନେ ଫେରି ଆସିଥିଲେ ନିଜ ନିଜର ଘରକୁ । ରାତିରେ ପ୍ରଥମେ ଫୋନ୍ କରିଥିଲା ସଂକଳ୍ପ, ଅଳ୍ପ ସମୟର କଥାବାର୍ତ୍ତା ପରେ ସଙ୍କୋଚ ତୁଟି ଯାଇଥିଲା ଉଭୟ ପକ୍ଷରୁ। ତା’ପରେ ପ୍ରତିଦିନ ଜାରି ରହିଥିଲା ସେମାନଙ୍କ କଥାବାର୍ତ୍ତା । ନୂତନ ଜୀବନର ଆଳ୍ପନା ତିଆରିରେ ମଜ୍ଜି ଯାଇଥିଲେ ଦୁହେଁ । ରିନି କହିଥିଲା କେମିତି ତା’ର ଜଣେ ଅନ୍ତରଙ୍ଗ ବନ୍ଧୁ ଅଛି ଯିଏ ତା’ ଜୀବନ ଠାରୁ ଅଧିକ ଭଲପାଏ ତା’କୁ। ସେମାନେ ସାଥି ହୋଇ ରହୁଛନ୍ତି ଅନେକ ଦିନ ଧରି। ସବୁ କଥାକୁ ସ୍ୱାଭାବିକ ଭାବରେ ଗ୍ରହଣ କରିଥିଲା ସଂକଳ୍ପ । କିଛି ଦିନ ପରେ ସଂକଳ୍ପ ଅନୁଭବ କଲା ରିନି ଟିକିଏ ଦୁଃଖୀ ଜଣା ପଡୁଛି, କଥାବାର୍ତ୍ତା ହେଉ ହେଉ ଅନ୍ୟମନସ୍କ ହେଉଛି , କାରଣ ପଚାରିଲେ ଚତୁରତାର ସହିତ ଆଡେଇ ଯାଉଛି । ଉଭୟ ଭୁବନେଶ୍ଵରରେ ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇ ପାରୁନଥିଲା ସମୟ ସୁବିଧାର ଅଭାବ ଯୋଗୁଁ । ତା’ପରେ ସଂକଳ୍ପ ଜାଣି ଥିଲା ତା ମାଆ ଖୁବ୍ ସଂସ୍କାରବାଦୀ, ପୁଅର ବିବାହ ପୂର୍ବରୁ ବୋହୁକୁ ନେଇ ବୁଲାବୁଲି କରିବାକୁ ସେ ମୋଟେ ପସନ୍ଦ କରିବେନି, ତେଣୁ ସେ ସେଥିରେ ମନ ଦେଉନଥିଲା । ତଥାପି ସେ ରିନିକୁ ତା’ର ଦୁଃଖର କାରଣ ଜଣାଇବାକୁ ବାରମ୍ବାର ଅନୁରୋଧ କଲା । ରିନି ଖାଲି ଏତିକି କହିଲା ଯେ ତା’ର ଏଇ ବାହାଘରରେ ତା’ର ବାନ୍ଧବୀ ଖୁବ୍ ଅସନ୍ତୁଷ୍ଟ, କାରଣ ତା’ର ଅଜାଣତରେ ରିନି ଏଥିରେ ସମ୍ମତ ହୋଇଛି। ତା’ର ବାନ୍ଧବୀର ଅସନ୍ତୁଷ୍ଟ ହେବା,କି ରାଗରୁଷା, ସେ ମୋଟେ ବରଦାସ୍ତ କରି ପାରିବନି , କାରଣ ସେ ନିଜ ଠାରୁ ତା’କୁ ଅଧିକ ଭଲପାଏ । ତା’ ବିନା ସେ ବଞ୍ଚି ପାରିବନି। ତା’ର ଇଚ୍ଛା ବିରୁଦ୍ଧରେ ଯଦି ରିନି ବାହା ହୋଇ ଯିବ ତେବେ ସେ ଜୀବନ ହାରିଦେବ ।


   ଓଃ, ଏଇ କଥା ! କହି ହସି ହସି ଗଡି ଗଲା ସଂକଳ୍ପ । କହିଲା “ ତୁମେ ଝିଅ ଗୁଡା ଭାରି ଈର୍ଷାଳୁ, ନିଜ ଭଲ ପାଇବାରେ କାହାକୁ ବି ଭାଗ ଭସାଇବାକୁ ଦେବନି, ଆଚ୍ଛା ତମେ ଗୋଟାଏ କାମ କର , ତା’କୁ ଥରେ ମୋ ସହିତ କଥା କରେଇ ଦିଅ , ଯଦି ଦଶ ମିନିଟ୍ ଭିତରେ ତା’କୁ ପଟେଇ ନଦେଇଛି ମତେ କହିବ” । ଅନେକ ବୁଝା ଶୁଝା କରିବା ପରେ ସ୍ୱାଭାବିକ ହେଲା ରିନି । ଖୁବ୍ ଗପ ସପ କରି ସେଦିନ ରାତି ତିନିଟାରେ ଶୋଇଲା ସଂକଳ୍ପ । ମନେ ମନେ ଭାବୁଥିଲା ସେ ରିନିର ବାନ୍ଧବୀଟି ବୋଧହୁଏ ଆବଶ୍ୟକତାରୁ ଅଧିକ “ ପୋଜେସିଭ୍” । ସେଥିପାଇଁ ଅଯଥା ଟାରେ ” ଇମୋସନାଲ୍ ବ୍ଲାକ୍ ମେଲିଂ “ କରୁଛି ରିନିକୁ। ତା’ର ତ ପୁଣି ନିଜସ୍ଵ ଗୋଟାଏ ମନ ଅଛି ନା ନାହିଁ ? କେମିତିକା ମୂର୍ଖୀଟା କେଜାଣି ? ପରଦିନ ସକାଳୁ ସକାଳୁ ଫୋନ୍ କଲା ବେଳକୁ ରିନିର ଫୋନ୍ ସୁଇଚ୍ ଅଫ୍ । ବାରମ୍ବାର ଚେଷ୍ଟା କରିବା ପରେ ବିଫଳ ହେବାରୁ ସଂକଳ୍ପ ଭାବିଲା ସେ ରିନିର ଅଫିସ୍କୁ ଯାଇ ତା’କୁ ଦେଖା କରିବ। କିନ୍ତୁ ରିନି ତ ତା’କୁ ରାଣ ଦେଇ ମନା କରିଛି ବାହାଘର ପୂର୍ବରୁ ତା’ର ଅଫିସ୍କୁ ନଯିବା ଲାଗି। କ’ଣ କରିବ , କ’ଣ କରିବ ଭାବୁଛି ଏଇ ସମୟରେ କଲ୍ ଆସିଲା ରିନିର। ରିନି କିଛି କହିବା ପୂର୍ବରୁ ପ୍ରଶ୍ନବାଣରେ ତା’କୁ ପୋତି ପକାଇଲା ସଂକଳ୍ପ, ଜଣାଇଦେଲା ରିନିର ପଦୁଟିଏ କଥା ଶୁଣିବାକୁ ସେ କେମିତି ଅଣନିଃଶ୍ୱାସୀ ହୋଇ ଚାହିଁ ବସିଛି ସକାଳ ପହରୁ । ଏଇ କିଛି ଦିନ ଭିତରେ ରିନି ତା’ର ଅସ୍ଥିମଜ୍ଜାଗତ ହୋଇଯାଇଛି, ତା’କୁ ବାଦ୍ ଦେଇ ବଞ୍ଚିବା ଏକବାର ଅସମ୍ଭବ । ସେପଟରୁ କଇଁ କଇଁ ହୋଇ କାନ୍ଦି ଉଠିଲା ରିନି, କହିଲା “ମୁଁ ମଧ୍ୟ ତମ ବିନା ବଞ୍ଚି ପାରିବିନି ସଂକଳ୍ପ, ହେଲେ ମୋର ବାନ୍ଧବୀ ଚାହେଁ ମୁଁ ତମ ସହିତ ସବୁ ସଂପର୍କ କାଟି ଦିଏ ବୋଲି । ସେ କାଲି ରାତିରୁ ଖିଆପିଆ ନକରି ରୁଷି ବସିଛି , ବହୁତ ଝଗଡ଼ା କଲା ମୋ ସାଙ୍ଗରେ , ତମେ ମୋତେ ଟିକେ ସାହାଯ୍ୟ କର, କିଛିଦିନ ଲାଗି ଫୋନ୍ କରିବା ବନ୍ଦ କରିଦିଅ , ମୁଁ ତା’କୁ ବୁଝାଶୁଝା କରିବାକୁ ଚେଷ୍ଟା କରୁଛି, ରଖିଲି “ କହି ଫୋନ୍ କାଟିଦେଲା ରିନି । 

    ସଂକଳ୍ପର ମୁଣ୍ଡ କିଛି କାମ କରୁନଥିଲା, ଦୁଇ ବାନ୍ଧବୀଙ୍କର ଏଇ କଳିର କାରଣ ସେ ବୁଝି ପାରୁନଥିଲା, ସେ ଭାବୁଥିଲା ରିନିର ବାନ୍ଧବୀ ସହିତ ତା’ର କେବେ ଦେଖା ସାକ୍ଷାତ ହୋଇନି, କି କଥାବାର୍ତ୍ତା ମଧ୍ୟ ହୋଇନି, ତେବେ ସେ ଏତେ ଘୃଣା କାହିଁକି କରୁଛି ତା’କୁ ଯେ ରିନି ସହିତ ତା’ର ବାହାଘର ଭାଙ୍ଗି ଦେବାକୁ ଚେଷ୍ଟା କରୁଛି , କ’ଣ କେହି ତା’କୁ ସଂକଳ୍ପ ବିଷୟରେ କିଛି ଭୁଲ୍ ତଥ୍ୟ ଦେଇଛି କି? ନା ଅତ୍ୟଧିକ ଭଲପାଇବା ହେତୁ ସେ ରିନିକୁ ନିଜ ଠାରୁ ଅଲଗା କରିବାକୁ ଚାହୁଁନି? କ’ଣ ହୋଇପାରେ କାରଣ ? ଏଇ କଥା ଭାବି ଭାବି ସାରା ଦିନ କଟିଗଲା । ଅଫିସ୍ କାମରେ ମନ ଲାଗିଲାନି, ଭୋକ ଶୋଷ ଉଡିଗଲା, ସନ୍ଧ୍ୟାରେ ଘରକୁ ଫେରିବା ପରେ ପୋଷାକପତ୍ର ନ ବଦଳେଇ ବେଡ୍ ଉପରେ ଗଡି ପଡିଲା ସେ। ନିଦ ଭାଙ୍ଗିବା ବେଳକୁ ଦେଖିଲା ରାତି ଦଶଟା, ଗୋଡ ପାଖରେ ମାଆ ବସିଛି । କ’ଣ ହୋଇଛି ପଚାରିଲାରୁ କଥା ଆଡେଇ ଗଲା ସଂକଳ୍ପ, ଯାହା ସେ ନିଜେ ବୁଝି ପାରୁନି ମାଆକୁ କେମିତି ବୁଝେଇବ? କହିଲା” କିଛି ନାହିଁ, ଅଫିସ୍ରେ ଟିକିଏ ଅଧିକ କାମ ଥିଲା ତ ସେଥିପାଇଁ ମୁଣ୍ଡଟା ବିନ୍ଧୁଥିଲା , ଶୋଇପଡିଲି “। ହଉ, ଚାଲ୍ ଖାଇବା କହି ମାଆ ରୋଷେଇ ଘର ଭିତରକୁ ପଶିଲେ। ଅନିଚ୍ଛା ସତ୍ତ୍ବେ ମଧ୍ୟ ଅଳ୍ପ କିଛି ଖାଇ ଡାଇନିଂ ଟେବୁଲ ଉପରୁ ଉଠି ନିଜ ରୁମକୁ ପଶି କବାଟ କିଳି ଦେଲା ସଂକଳ୍ପ । ଆଶା ଆଶଙ୍କାରେ ଅନେକ ସମୟ ଛଟପଟ ହେବା ପରେ ରାତି ଗୋଟାଏ ବେଳକୁ ମୋବାଇଲ୍ ଉଠାଇ ରିନିର ନମ୍ବର ଡାଏଲ୍ କଲା । ପ୍ରାୟ ଦଶ ବାର ଥର ଡାଏଲ୍ କଲା ପରେ ଫୋନ୍ ଉଠାଇଲା ରିନି, ଚୁପ୍ ଚୁପ୍ ହୋଇ କହିଲା “ ଦେଖ, ତମକୁ କହିଥିଲି ନା ଫୋନ୍ କରିବନି ବୋଲି , ଆମ ଭିତରେ ପ୍ରବଳ ଝଗଡା, ସନ୍ଧ୍ୟା ବେଳ ଠାରୁ ଏ ଯାଏଁ କେହି କିଛି ଖାଇନୁ, ଏବେ ସେ ଟିକିଏ ଶୋଇ ପଡିଛି ସେଥିପାଇଁ ମୁଁ ଛାତ ଉପରକୁ ଆସି ତମ ଫୋନ୍ ଧରିଲି, ତମେ ଏବେ ରଖିଦିଅ, କଥା ଟିକିଏ ବାଟକୁ ଆସିଗଲା ପରେ ମୁଁ ତମକୁ ଫୋନ୍ କରିବି, ଦୟାକରି ଆଉ ମତେ କଲ୍ କରିବନି “। ସଂକଳ୍ପ ହା ହୁତାସରେ ଜଳୁଥିଲେ ବି ବାଧ୍ୟ ହୋଇ ଚୁପ୍ ରହିଲା ।


ତହିଁଆର ଦିନ ଭୋର୍ ଛଅଟା ବେଳକୁ ମାଆର ଜୋର୍ ଜୋର୍ କରି ହଲାଇବାରେ ଧଡଧଡ ହୋଇ ଉଠି ବସିଲା ସଂକଳ୍ପ । ସାଧାରଣତଃ ସେ ଡେରିରେ ଉଠେ , ମାଆ ତା’ର ସକାଳୁ ଉଠି ନିତ୍ୟକର୍ମ ସାରି ଅଧା ରୋଷେଇ ସାରିଲା ପରେ ଡାକେ ତା’କୁ । ବାପା ତାଙ୍କର ମର୍ଣ୍ଣିଂ ୱାକ୍ ସାରି ପରିବାପତ୍ର ଧରି ଫେରି ଆସିଥାନ୍ତି ସେତେବେଳକୁ । ସଂକଳ୍ପ ସାଢେ ଆଠଟାବେଳେ ଉଠି ନିତ୍ୟକର୍ମ ସାରି ରେଡି ହୁଏ ଅଫିସ୍ ଯିବାକୁ । ଏକୁଟିଆ ପୁଅ ହେବାର ଏଇ ଛୋଟ ଅୟସଟି ଖୁବ୍ ଆମୋଦ କରେ ସଂକଳ୍ପକୁ। କୌଣସି ଦାୟିତ୍ୱ କି କୌଣସି ଟେନସନ୍ ନାହିଁ, ବିନ୍ଦାସ୍ ଜୀବନ । ଆଜି ମାଆର ଏ ହଡବଡିଆ ଡାକଟା ଶୁଣି ବାପାଙ୍କ ଦେହ କିଛି ଖରାପ ହୋଇଛି ଭାବି ଚମକି ଉଠିଲା ସେ । ଆଖି ମଳି ମଳି ବିଛଣାରେ ବସି ଦେଖିଲା ବାପା ବି ସାର୍ଟ ପ୍ୟାଣ୍ଟ ପିନ୍ଧି ବାହାରକୁ ଯିବାକୁ ପ୍ରସ୍ତୁତ ହେଇ ଅଛନ୍ତି, ପ୍ରଶ୍ନିଳ ଆଖିରେ ମାଆକୁ ଚାହିଁଲା ସେ । ମାଆ କହିଲା “ ଆରେ ଅନେକ ବେଳୁ ରିନିର ବାପା ଫୋନ୍ କରିଥିଲେ , ରିନିର ରୁମ୍ ମେଟ୍ ସହିତ କ’ଣ ଝଗଡା ହୋଇଛି ରିନିର ଯେ ସେ ଚଣ୍ଡାଳୁଣୀଟା ତା’କୁ ଛୁରୀ ମାରି ଦେଇଛି, ସେ ମେଡିକାଲରେ ଅଛି, ପୋଲିସ୍ ଷ୍ଟେସନରୁ ଖବର ପାଇ ସେମାନେ ଆସି ପହଞ୍ଚିଛନ୍ତି । ବାପାଙ୍କୁ ନେଇ ତୁ ଶୀଘ୍ର ଯା’ ସେଠିକି “। ଏକା ନିଃଶ୍ୱାସକେ ଏତକ କହି ଆଖିରୁ ଲୁହ ପୋଛିଲେ ସେ । ସଂକଳ୍ପ କାଠ ଖଣ୍ଡଟିଏ ଭଳି ଚାହିଁଥିଲା ତାଙ୍କୁ , ତା’ର ପାଦ ଦୁଇଟି ଭୂମିରେ ଲାଖି ଯାଇଥିଲା, କାନ ଭାଁ ଭାଁ ଡାକୁଥିଲା, କୋହ ସବୁ ତଣ୍ଟି ପାଖରେ ଜମାଟ ବାନ୍ଧି ତା’ ଗଳା ଶୁଖି ଯାଉଥିଲା , ଥରଥର ହୋଇ କମ୍ପୁଥିଲା ସେ। ମାଆ ଆଉ ଥରେ ହଲାଇ ଦେଲେ ତା’କୁ “ ଆରେ ଯା’ , ଏମିତି ବୋକା ଭଳିଆ ଚାହିଁବୁ କ’ଣ ? “ । ହଁ ହଁ କହି ଉଠି ଗଲା ସେ ବାଥ ରୁମକୁ । ସେଇଠୁ କେମିତି ସେ ବାପାଙ୍କୁ ଧରି ଗାଡି ଚଲେଇ ଆସି ଭୁବନେଶ୍ଵର ମେଡିକାଲରେ ପହଞ୍ଚିଛି ସେ ନିଜେ ଜାଣିନି । ସେଠାରେ ପହଞ୍ଚି ଦେଖିଲାବେଳକୁ ନାହିଁ ନଥିବା ଭିଡ । ପୋଲିସ୍ ଛାଉଣୀ, କ୍ୟାମେରା ପକାଇଥିବା ସାମ୍ବାଦିକ ମାନେ ହେଉଥାଉ, ଲୋକ ଥାଟ ପଟାଳି ଭାଙ୍ଗୁଛନ୍ତି। ବହୁତ କଷ୍ଟରେ ଭିଡ ଆଡେଇ ପଶିଲେ ସେମାନେ, ମେଡିକାଲ ଭିତରେ ମୁଣ୍ଡ ପୋତି ବସିଛନ୍ତି ରିନିର ବାପା , ସେମାନଙ୍କୁ ଦେଖି ଉଠି ଆସି କୁଣ୍ଢେଇ ପକେଇଲେ, କାନ୍ଦି ଉଠି କହିଲେ “ ମୋ ରିନି ଆଉ ନାହିଁ, ସେଇ ରାକ୍ଷସୀଟା ତା’କୁ ନୃଶଂସ ଭାବରେ ଛୁରୀରେ କାଟି ଦେଇଛି ତା’ର ଗଳାକୁ, ବଂଶନାଶ ହୋଇଯାଉ ତା’ର , କୁଷ୍ଠ ହୋଇଯାଉ ସେଇ ହାତରେ, ଯେଉଁ ହାତ ମୋର ଦେବୀ ଭଳିଆ ଝିଅକୁ ହତ୍ୟା କରିଛି, ମାରି ଦିଅ, ଫାଶୀ ଦେଇ ଦିଅ ତା’କୁ “ । ସଂକଳ୍ପ ହତଭମ୍ବ ହୋଇ ଠିଆ ହୋଇଥିଲା , ସେ ଭାବି ପାରୁ ନ ଥିଲା ଗତରାତିରେ ସାଢେ ତିନିଟା ବେଳେ ଶୁଣିଥିବା କଣ୍ଠସ୍ୱରଟା ଚିରଦିନ ପାଇଁ ନିସ୍ତବ୍ଧ ହୋଇଯାଇଛି, ସେଇ ସୁନ୍ଦର ମୁହଁଟା ରହିରହି ନାଚି ଉଠୁଥିଲା ତା’ ଆଖିରେ, ଯିଏ କେତେ ସୁନାର ସପନ ଦେଖାଇଥିଲା ତା’କୁ , ଦି’ ଦିନ ତଳେ ମାଆ ନିର୍ବନ୍ଧ ପାଇଁ କିଣିଥିବା ସେଇ ନାଲି ଶାଢୀ ଆଉ ସୁନ୍ଦର ଚନ୍ଦ୍ରହାରଟା ରହି ରହି ନାଚି ଉଠୁଥିଲା , ସବୁ ଦୃଶ୍ୟ ମାନେ ଫେଣ୍ଟାଫେଣ୍ଟି ହୋଇ ଘୁରି ବୁଲୁଥିଲା ସଂକଳ୍ପର ମୁଣ୍ଡ ଭିତରେ। ସେ କାନ୍ଦି କାନ୍ଦି ବେହୋସ ହୋଇ ତଳେ ପଡିଗଲା। କିଛି ସାମ୍ବାଦିକ ଧାଇଁ ଆସିଥିଲେ ସେମାନଙ୍କ ପାଖକୁ । ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇ ଯାଇଥିଲା ସେଇ ଚାଞ୍ଚଲ୍ୟ କର ହତ୍ୟାକାଣ୍ଡ ଘଟଣାଟି ।

 ସଂକଳ୍ପର ସ୍ଥିତଧୀ ବାପା କିନ୍ତୁ ଠଉରାଇ ପାରିଥିଲେ ଘଟଣାର ରହସ୍ୟ । ଗୋଟାଏ ନିଷିଦ୍ଧ ପ୍ରେମର ଅନ୍ଧ ଦିଗନ୍ତରେ ହଜି ଯାଇଥିବା ତାଙ୍କର ଏକମାତ୍ର ସନ୍ତାନର ସୁଖଦ ଭବିଷ୍ୟ । ଆରମ୍ଭ ନହେଉଣୁ ଶେଷ ହୋଇଯାଇଥିବା ସଂକଳ୍ପର ଅଧୁରା ପ୍ରେମର କରୁଣ ପରିଣତି । ସଂକଳ୍ପର ହାତ ଧରି ଭିଡି ଭିଡି ସେ ସାମ୍ବାଦିକମାନଙ୍କୁ ଏଡେଇ ଦେଇ ବାହାରକୁ ଆସି ସେଇ ପାଖରେ ରହୁଥିବା ସଂକଳ୍ପର ନିକଟତମ ବନ୍ଧୁ ନୀରଜକୁ ଫୋନ୍ କରି ଡାକି ଥିଲେ । ତା’ରି ସହାୟତାରେ ସଂକଳ୍ପକୁ ଗାଡିରେ ବସାଇ ନିଜେ ଡ୍ରାଇଭ୍ କରି ଘରକୁ ଫେରିଥିଲେ। ସଂକଳ୍ପର ମାଆଙ୍କୁ ସବୁ ଘଟଣା ଜଣାଇ ଦୁଇ ଚାରିଦିନ ଯାଏଁ ସଂକଳ୍ପକୁ ଘରୁ ବାହାରକୁ ଯିବାକୁ ନ ଦେବା ଲାଗି ଆଦେଶ ଦେଇଥିଲେ ପତ୍ନୀଙ୍କୁ । ଦୁଃଖ ଆଉ କ୍ଷୋଭରେ ଭରି ଯାଇଥିଲା ସଂକଳ୍ପର ମାଆ ପ୍ରଜ୍ଞା ଦେବୀଙ୍କ ମନ । ନିଜର ଏକମାତ୍ର ସନ୍ତାନର ଏମିତି ଦୟନୀୟ ଅବସ୍ଥା ଦେଖି ଛାତି ଭିତରଟା କୋରି ହୋଇ ଯାଉଥିଲା ତାଙ୍କର । ଖୁବ୍ ରାଗ ଆସୁଥିଲା ରିନି ଆଉ ତା’ର ପରିବାର ଉପରେ । କେଡେ ସଇତାନ ଲୋକ ଗୁଡାକ ସେମାନେ? 

   ଦଶ ପନ୍ଦର ବର୍ଷର ନିଷିଦ୍ଧ ସଂପର୍କକୁ ଜାଣି ସୁଦ୍ଧା ଝିଅକୁ ଅନ୍ୟତ୍ର ବାହାଘର କରିବାର ଦୁଃସାହସ ସେମାନେ କଲେ କେମିତି ? ଆଜି ଯଦି ବାହାଘର ପରେ ସେ ସଂକଳ୍ପକୁ ହତ୍ୟା କରି ଦେଇଥାଆନ୍ତା? ତେବେ? କ’ଣ ହୋଇଥାନ୍ତା ସେମାନଙ୍କ ଜୀବନ? ଯେଉଁ ବଂଶଲତାକୁ ଆଗକୁ ବଢାଇବା ପାଇଁ ସେମାନେ ସଂକଳ୍ପକୁ ବାହାଘର କରିବାକୁ ଯାଉଥିଲେ , ସେଇଟି ସଂପୂର୍ଣ୍ଣ ରୂପେ ଲୁପ୍ତ ହୋଇ ଯାଇଥାନ୍ତା ନା ନାହିଁ? ପରମେଶ୍ଵରଙ୍କୁ ଦୁଇ ହାତ ଯୋଡି ପ୍ରାର୍ଥନା କଲେ ପ୍ରଜ୍ଞା ଦେବୀ , ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ରକ୍ଷା ପାଇଥିବା ତଙ୍କର ଏକମାତ୍ର ସନ୍ତାନକୁ ଉଦ୍ଧାର କରିଦେଇଥିବାରୁ କୃତଜ୍ଞତାର ଅଶ୍ରୁ ଢାଳି ଧନ୍ୟବାଦ ଜଣାଇଲେ । 

ସଂକଳ୍ପର ମନ କିନ୍ତୁ ବୁଝୁ ନଥିଲା । ଅଳ୍ପ ଦିନ ଭିତରେ ସେ ରିନି ସହିତ ଏତେ ଆତ୍ମୀୟତା ବାନ୍ଧି ସାରିଥିଲା ଯେ, ବାହାରୁ ଶୁଣୁଥିବା କୌଣସି କଥାକୁ ବିଶ୍ୱାସ କରୁନଥିଲା ବରଂ ଭାବୁଥିଲା ସମସ୍ତେ ରିନିକୁ ଅଯଥା ବଦନାମ୍ କରୁଛନ୍ତି । ଘଟଣା ସମ୍ପର୍କରେ ସବିଶେଷ ଅନୁସନ୍ଧାନ କରୁଥିବା ପୋଲିସର ରିପୋର୍ଟକୁ ମଧ୍ୟ ସେ ମାନସିକ ସ୍ତରରେ ସ୍ୱୀକାର କରି ପାରୁନଥିଲା। ତା’ ଆଖିରେ ରିନିର ପ୍ରେମର ରଙ୍ଗ ଅଦ୍ୟାବଧି ଭରି ରହିଥିଲା । କିଏ ଜାଣେ ସେ ରଙ୍ଗ କେବେ ଛାଡିବ ? ????







Rate this content
Log in

Similar oriya story from Tragedy