ତପସ୍ୟା
ତପସ୍ୟା
ବଣ ପାହାଡ ଗଛଲତା ପରିପୂର୍ଣ୍ଣ ମନୋରମ ଜାଗାଟିଏ।ଏମିତିରେ ରାଜନଅର ପାଖରେ ଆମେ କ୍ଵାଟରରେ ରହୁଥିଲୁ।ଚାରିଆଡ଼େ ପ୍ରକୃତିର ରମ୍ୟ ରଚନା। ଖଲ୍ଲିକୋଟ..ହଁ ସେହି ରାଜା ରାଜୁଡ଼ା ଅମଳର ସନ୍ତକ ବହନ କରୁଥିବା ସହରଟି ବେଶୀ କୋଲହଳନୟ ନ ଥିଲା ଅପିତୁ ଶାନ୍ତ ପରିବେଶର ଆନନ୍ଦ ବାର୍ତ୍ତା ବହନ କରୁଥିଲା।
ମୁଁ ନବମ ଶ୍ରେଣୀରେ ପଢୁଥାଏ।ପାଠ ପଢିବା ସହିତ ବିଭିନ୍ନ ଗଳ୍ପ ବହି ଓ ଉପନ୍ୟାସ ପଢିବା ମୋର ଏକ ରକମ ଅଭ୍ୟାସ ହୋଇଯାଇଥିଲା।ଅବଶ୍ୟ ସେଇ ଅତିରିକ୍ତ ପାଠପଢ଼ା ପାଇଁ ମୁଁ ସମୟ ମାଗି ନେଇଥାଏ ମା'ଙ୍କ ଠାରୁ।ଏହି ଗପ ବହି ପଢୁ ପଢୁ ଦିନେ ତପସ୍ୟା ଆଉ ତା ମହତ୍ତ୍ଵ ବିଷୟରେ କିଛି ଆଲେଖ୍ୟ ଓ ଗଳ୍ପ ପଢିଦେଲି।ବାସ୍..ତା ପରେ..
ମନ ଭିତରେ ଏକ ଅଦ୍ଭୁତ ଖିଆଲ ଆସିଲା।ଏ ଦୁନିଆରେ ସବୁଠରୁ ମହତ୍ତ୍ଵ ହେଲା ଐଶ୍ଵରିକ ସତ୍ତା ଓ ସେହି ସତ୍ତାର ସତ୍ୟତା ପାଇବାକୁ ଏକ ମାତ୍ର ମାର୍ଗ ହେଲା ତପସ୍ୟା।ବାଳୁତ ମନ.. ଠିକ୍ ଭୁଲ୍ ବୁଝିବା ଆଗରୁ ନିଷ୍ପତ୍ତି ନେବା ଏକ ସାଧାରଣ କଥା।ମୁଁ ବି ନିଷ୍ପତ୍ତି ନେଲି।ଏଥର ତପସ୍ୟା କରିବି।
ମନ ଯାହା ଥରେ ଭାବିଦିଏ ନା..ତା ପାଇଁ ରାସ୍ତା ଖୋଜିବାରେ ଲାଗିଯାଏ।କାହାକୁ କିଛି ନ ଜଣେଇ ସମୟ ପାଇଲେ ମୁଁ ସେହି ପାହାଡ ପର୍ବତକୁ ଦେଖିବାକୁ ଲାଗିଲି। ଆମ ଘର ପଛକୁ ଲାଗି ଏକ ପାହାଡ ଥାଏ।ନିତ୍ୟକର୍ମ ସମାପନ ଆଳରେ ମୁଁ ତାକୁ ନିରୀକ୍ଷଣ କରି ଏକ ରକମ୍ ମାର୍ଗ ପ୍ରସ୍ତୁତ କରିଦେଲି ଆଉ ସେ ସ୍ଥାନ ମଧ୍ୟ ନିର୍ଦ୍ଧାରଣ କରି ଦେଲି ଯେଉଁଠି ବସି ମୁଁ ତପସ୍ୟା କରିବି।
ଏଥର ବାକି ରହିଲା ସହମତି ପ୍ରାପ୍ତି।ଜୀବନର ସବୁଠୁ କଷ୍ଟ କାମ ହେଲା ନିଜ ଇଚ୍ଛା ଅନ୍ୟ ମାନଙ୍କୁ ମନେଇବା।ମୁଁ ମଧ୍ୟ କଥା ଛଳରେ କଥା କହିଲି।ଜୀବନର ଗତିପଥ ଗନ୍ତବ୍ୟ ନେଇ ମନ୍ତବ୍ୟ ଦେଲି।ମାନିବାକୁ ହେବ ମା'ର ତୀକ୍ଷ୍ଣ ନଜରକୁ..ମୋ ମା ଜାଣି ପାରିଲେ ବୋଧେ କି କଣ..?ଏମିତି ହସି ହସି କହିଲେ,"ତୋ ପରି ସାଧକ ପର୍ବତ ଉପରେ ତପସ୍ୟା କରିପାରିବେନି। କାରଣ ତୁ ତ ସରୀସୃପ ନାଁ ଶୁଣିଲେ ବି ଡରିଯିବୁ ଆଉ ପାହାଡକୁ କେବେ ପାଖରେ ଦେଖିଛୁ..??"
ମନଟା କେଉଁଠି କେଜାଣି ଟିକେ ଶଙ୍କିଗଲା।ଆଖି ଆଗରେ କିଛି ପୋକଯୋକ ନାଚିଗଲେ..କାହାକୁ କିଛି ନ କହି ଭାବିଲି ତା ପରଦିନ ସକାଳୁ ଘର ପଛ କବାଟ ଖୋଲି ପାହାଡକୁ ପାଖରୁ ଦେଖିବି।ଲୋକଙ୍କ ଅଭ୍ୟାସ ହେଇଯାଇଛି କହିବା..ଦୂରରୁ ପର୍ବତ ସୁନ୍ଦର..ଏହାକୁ ଭୁଲ୍ ପ୍ରମାଣିତ କରିବାକୁ ହେବ..
ତା ପରଦିନ ସକାଳୁ ନିରୋଳା ଦେଖି ଦ୍ବାର ଉନ୍ମୁକ୍ତ କଲି।ଘର ପଛରୁ ସବୁଜ ଘାସଲତା ଲମ୍ବି ଯାଇଥିଲା ପାହାଡ ଉପରକୁ। ଶୈବାଳ ପରିବେଷ୍ଠିତ ଉଚ୍ଚନୀଚ ପ୍ରସ୍ତର ସମ୍ମିଳିତ ହୋଇ ଠିଆ ହୋଇଥିଲା ଏକ ଦୁର୍ଗମ ପଥ।କଣ୍ଟା ବୁଦା ଓ ଦିଗହୀନ ପ୍ରାକୃତିକ ଏ ଅବୟବରେ ହଠାତ୍ ମୋ ନଜରକୁ ଆସିଗଲା ଏକ ପ୍ରକାଣ୍ଡ ବୃକ୍ଷ ଯାହାର ପାଦଦେଶରେ ସମ୍ବାଲୁଆ..ଓଃ.. ସାଲୁବାଲୁ ହେଉଥିଲେ।ଏକ ଅସ୍ବାଭାବିକ ଚିତ୍କାର କରି କବାଟ ବନ୍ଦ କରିଦେଲା ବେଳେ ମା ପଛରୁ ଧୀରେ କହିଲେ "ଆଉ ଟିକେ ପାଖରୁ ଦେଖିବୁ କି ..!!??"
କହିବା ଓ କରିବା ଭିତର ପାର୍ଥକ୍ୟର ଶିହରଣରେ ମୋ ସର୍ବାଙ୍ଗ ଥରି ଉଠୁଥିଲା ଓ ମାଆଙ୍କ କୋଳାଗ୍ରତ ହୋଇ କେତେ ସମୟ ପରେ ସମ୍ବିତ ପାଇଲି ଜାଣି ପାରିଲିନି।ସେଦିନ ଠାରୁ ତପସ୍ୟା ନାଁ ଶୁଣିଲେ ମୋତେ ଯାହା ଦେଖା ଯାଏ..ଓଃ...।