Madhu Mita

Abstract Inspirational

4  

Madhu Mita

Abstract Inspirational

ଅନାହୂତା

ଅନାହୂତା

4 mins
368


" ମା'… ଏ ମାଆ…ଟିକେ ଶୁଣିବୁ…?"


" କିଏ…??"


" ମୁଁ କିଏ ସେକଥା ପଚାରେନା ମା'… ଖାଲି ଏତିକି ଜାଣେ ଯେ ମୁଁ ତୋତେ ମା' ବୋଲି ଡାକୁଛି…।"


"ଆଃ…!! କେତେ ଶାନ୍ତି ଏ ଡାକରେ… । ଡ଼ାକ ଧନ…ପୁଣି ଥରେ ଡାକ…ମୋ ମମତା ଶାନ୍ତ ହେଲାଯାଏଁ ଡାକ…।"


"ନା ମା'…ମୁଁ ଆଉ ତୋତେ ଡାକିବିନି ।ତୁ ମୋତେ ଯଦି ସତରେ ଭଲ ପାଉଛୁ ତେବେ ମୋତେ ଆଉ ଏମିତି ଡାକିବାକୁ କହିବୁନି।"


"କିନ୍ତୁ କାହିଁକି…?? ମୋ ଜୀବନର ଅମୂଲ୍ୟ ସମ୍ପଦ ତୁ…ତୋ ପାଇଁ ମୁଁ ପୂର୍ଣ୍ଣତା ପାଇବି। ତୋର ଏଇ ଡାକ ପାଇଁ ମୁଁ କେବେଠୁ ଅନେଇ ବସିଛି। ଆଉ ତୁ କହୁଛୁ ମୁଁ ତୋତେ ଏମିତି ମା' ବୋଲି ଡାକିବାକୁ କହିବିନି…। କାହିଁକି ଧନ କାହିଁକିରେ…??"


"ମୁଁ ଆସିବିନି ମା …ମୁଁ ଆସିବିନି…"


"ଛିଃ…ଏମିତି ଅମଙ୍ଗୁଳିଆ କଥା ସବୁ କଣ କହୁଛୁ ? , ତୋତେ କୋଳରେ ଧରିବାକୁ ମୁଁ ଅଧୀର ହେଉଛି…ତୁ ଏତିକିବେଳେ ଏମିତି କହୁଛୁ…। ଆଉ କେବେ ଏମିତି କହନି…ତୁ ଆସିବୁ ଆଉ ମୋତେ ମା ବୋଲି ଡାକି ଧନ୍ୟ କରିବୁ"


"ନା ମା… ଆସିବା ଆଗରୁ ହିଁ ମୋ ଭାଗ୍ୟରେ ଅନିଶ୍ଚିତତା ଲେଖା ହେଇ ସାରିଲା ପରେ ଆଉ ଆସିବାକୁ ମୋତେ ବାଧ୍ୟ କରନା…"


"ଏମିତି କାହିଁକି କହୁଛୁ ଧନ । ମୁଁ କେତେ ଜଗିଛି ତୋ ପାଇଁ । କଣ ଏମିତି ଅନିଶ୍ଚିତତା ଅଛି ତୋ ଭାଗ୍ୟରେ କହ…ମୁଁ…ତୋ ମା…ତୋତେ କଥା ଦେଉଛି।ମୁଁ ନିଜେ ନିଶ୍ଚିତ କରିବି …ତୋତେ କିଛି ଅସୁବିଧା ହେବାକୁ ଦେବିନି। କୌଣସି ଦୁଃଖ କଷ୍ଟ କି ଯନ୍ତ୍ରଣା ତୋ ପାଖକୁ ଆସିବା ପାଇଁ କେବେ ସାହସ କରିବେନି ।"


"ମୁଁ ଜାଣେ ମା…ତୁ ମୋ ପାଇଁ ଅନେକ କିଛି ବ୍ୟବସ୍ଥା କରିବୁ। ଦୁନିଆର ସବୁ ସୁଖ ଆଣି ମୋ ପାଦତଳେ ଅଜାଡ଼ି ଦେବୁ।ବହେଲେ ମା…କେମିତି ରୋକିବୁ ତୁ ସେଇ ଲୋଲୁପ ଦୃଷ୍ଟିକୁ…ଯାହା ବାହାରେ କଣ ଘରେ ମଧ୍ୟ ମୋତେ ବଞ୍ଚେଇ ଦେବନି…? ରୋକି ପାରିଥିଲୁ କି ଜାଜ୍ଞସେନୀ ଆଖିର ଲୁହକୁ…। ନିଜର ଘର ଭିତରେ ରାଜରାଣୀ ହୋଇ ମଧ୍ୟ, ପରିବାରର ସମ୍ମାନ ହୋଇ ମଧ୍ୟ ଅଲିଅଳି ଜେମା ସେ ନିଜର ପାଞ୍ଚ ପାଞ୍ଚୋଟି ଐତିହାସିକ ବୀରଙ୍କ ସାମ୍ନାରେ ଭୂଇଁରେ ଲୋଟି ଯାଇଥିଲେ…। ରୋକି ପାରି ନଥିଲୁ ତୁ ସେଇ ଦୁର୍ଦ୍ଦଶାକୁ । ନିଜ ସତୀତ୍ୱର ପ୍ରମାଣ ଦେବାକୁ ଯାଇ ଅଗ୍ନିପ୍ରବେଶ କରିଥିବା ବସୁମାତା ସୂତା ଜାନକୀ ନିଜର ପୁତ୍ରତୁଲ୍ୟ ପ୍ରଜାଙ୍କ ଅକ୍ରୋଶରେ ମର୍ମାହତ ହୋଇ ସ୍ୱୟଂକୁ ଲୁପ୍ତ କରି ଦେଇଥିଲେ…ରୋକି ପାରିଲୁ ତୁ…କହ…??ପୁରାତନ ଯୁଗର କଥା ଛାଡ ମା…ରୋକି ପାରିଛୁ କି ତୁ ସେଇ ଦହନକୁ…ଯାହା ଯୌତୁକ ନିଆଁ ସାଜି ଗ୍ରାସ କରି ଚାଲିଛି ଅଗଣିତ ନବବଧୁକୁ…??ରୋକି ପାରିଛୁ କି କହ ସେ ଅତ୍ୟାଚାରକୁ ଯାହା ସେଦିନ ନିର୍ଭୟାକୁ ନିମିଷକରେ ଏକ ରକ୍ତାକ୍ତ ଜୀବନ୍ତ ମାଂସ ପିଣ୍ଡୁଳା ସଜେଇ ଦେଇଥିଲା ଯେ କି ରାଜରାସ୍ତାରେ ପଡ଼ି ଛଟପଟ ହୋଇ ନିଜ ଜୀବନକୁ ଧିକ୍କାର କରୁଥିଲା…??ରୋକି ପାରିଲୁ କି ମା ତୁ ସେଇ ଛବିରାଣିର ଲୁହକୁ କି ସେଇ ନିଷ୍ପାପ ଶିଶୁ ପରୀର ଚିତ୍କାରକୁ…?? ରୋକି ପାରିଲୁ କି ମା ତୁ ଶ୍ରଦ୍ଧାର ଭୁଲୁଣ୍ଠିତ ପ୍ରେମକୁ ଯାହା ପଇଁତିରିଶ ଖଣ୍ଡ ହୋଇ ନିଜ ପ୍ରେମର ମହାର୍ଘ୍ୟ ଉପଲବ୍ଧିକୁ ଅଭିଶାପ ଦେଇଥିଲା…??ନା କହ ରୋକି ପାରିଛୁ କି ସାକ୍ଷୀ ପରି ଏକ ନାବାଳିକା ଭିତରେ ଉଙ୍କି ମାରିଥିବା ଅନୁଢ଼ା ସ୍ବପ୍ନକୁ ଯାହା ବିଚ୍ ରାସ୍ତା ଉପରେ ଲୋକଗହଳି ସ୍ଥାନରେ ଛୁରୀକାଘାତରେ ଶେଷ ନିଃଶ୍ୱାସ ନେଇଗଲା…?? କହ ମା…କହ…ତୁ କଣ କେବେ ରୋକି ପାରିଛୁ କି ଲୁଣ୍ଠିତ ଶୈଶବ, ଯୌବନ ଅବା ବୃଦ୍ଧାବସ୍ଥାର କୌଣସି ନାରୀର ତତଲା ଲୁହକୁ…ଯାହା ନୀରବରେ ନିଜର ଜନ୍ମ ପାଇଁ ଆକ୍ତାମାକ୍ତା ହେଇଥାଏ ଆଉ ପ୍ରତିଟା ବିତିଯାଉଥିବା ନିଃଶ୍ୱାସ ଭିତରେ ସେଇ ଅନ୍ତିମ ପ୍ରଶ୍ଵାସ ଖୋଜୁଥାଏ ଯାହା ତାକୁ ଟିକେ ମୁକ୍ତି ଆଣିଦେବ…??ରୋକି ପାରିଛୁ କି ମା ସେଇ ଅବହେଳିତ, ଅବଦମିତ,ଅତୃପ୍ତ ସ୍ବପ୍ନକୁ ଯାହା ନିଜ ଜଣା ଅଜଣା ଲୋକଙ୍କ ଦ୍ଵାରା ସବୁବେଳେ ଦଳି ଚକଟି ହୋଇ ନଷ୍ଟ ହୋଇ ଯାଇଛି…??ତେବେ କହ ମା…କଣ ରୋକିବୁ ତୁ ଯେ ମୁଁ ତୋ କୋଳକୁ ଆସି ତୋ ମୁହଁକୁ ଚାହିଁ ହସିଦେବି…??ଈଶ୍ବରଙ୍କ ସୃଷ୍ଟିକୁ ସୃଷ୍ଟି କରିବା କ୍ଷମତାଟି ଦେଇଛନ୍ତି ବୋଲି ଶାରୀରିକ ପରିବର୍ତ୍ତନ ଯୋଗୁଁ ଦୁର୍ବଳା ହୋଇ ଯାଉଥିବା ମୁଁ …ଜାଣେନା କେବେ ମୋ ଜନ୍ମର ଉଦ୍ଦେଶ୍ୟ ପାଇବା ଯାଏଁ ବଞ୍ଚି ପାରିବି କି ନାହିଁ…!!ଜାଣେନା ପରିବାର ବୋଲାଉଥିବା କିଛି ସଦସ୍ୟ ବା ଅପରିଚିତ ବୋଲାଉଥିବା କିଛି ମଣିଷ ପରି ପଶୁ ମୋ ସହିତ କଣ କରିବେ…!!ଏମିତି ଘଡିସନ୍ଧି ମୁହୂର୍ତ୍ତରେ ମୁଁ କେବଳ ତୋ ଉପରେ ବିଶ୍ଵାସ କରି ପାରିବି ମା…!!ତୁ ମୋତେ ମୁକ୍ତି ଦେ…ନର୍କ ଯନ୍ତ୍ରଣା ଆଗରୁ ନର୍କଦଶା ଭୋଗିବାରୁ ବଞ୍ଚେଇ ଦେ…!!ମାରି ଦେଇ ବଞ୍ଚେଇ ଦେ…!!ବଞ୍ଚେଇ ଦେ…!!"


କାନ୍ଦୁଥିଲା ମା…। ନିଜ ପେଟ ଉପରେ ହାତ ବୁଲେଇ ଆଣୁଥିଲା ଆଉ ସେଥିରୁ ଶୁଣି ପାରୁଥିବା ଗୋଟିଏ ଗୋଟିଏ ଶବ୍ଦକୁ ପୁଣି ଶୁଣି ଚାଲିଥିଲା।ଏକ ଅନାହୂତା ଜୀବନର ଅୟମାରମ୍ଭ ଆଗରୁ ପରିସମାପ୍ତି ଘଟେଇ ସେ ନ୍ୟାୟ କରିବ ନା ଅନ୍ୟାୟ ହେଇଯିବ… ସେଇ ଦୋ ଛକିରେ ଦୋହଲୁଥିଲା।ସେ କଣ ସତରେ ନିଜ ପଣତ ମେଲେଇ ରୋକି ପାରିବ ଏଇ ଝଡକୁ ଯାହା ତା' ହୃଦୟର ସବୁଠୁ ଦୁର୍ଲଭ ଅଂଶକୁ କ୍ଷତାକ୍ତ କରିବା ଆଗରୁ ଥରୁଟିଏ  ବି ଭାବିବନି…?? ଉଜାଡି ଦେବା ଆଗରୁ ଥରେ ଦେଖିବନି ଯେ ସେଇ ମୁହୂର୍ତ୍ତକର କ୍ଷତି କାହା ଜୀବନ ସାରାର ପରିଶ୍ରମକୁ, ତପସ୍ୟାକୁ କ୍ଷଣିକରେ ନଷ୍ଟ ଭ୍ରଷ୍ଟ କରି ପକେଇବ…! ହେଲେ ସେ କଣ ନିଜ ହାତରେ ଏଇ ଜଘନ୍ୟ କାମ କରି ଏକ ଅବାଞ୍ଛିତ ଜୀବନକୁ ମୃତ୍ୟୁ ହାତରେ ଟେକିଦେଇ ବଞ୍ଚି ପାରିବ…?? ନା…ନା…ସେ ବରଂ ଛାଇ ହେଇ ଜଗିବ ତା ସ୍ୱପ୍ନର କଣ୍ଡେଇକୁ…ଅଭୟ ଦେବ…ସୁରକ୍ଷା ଦେବ୍…।


କେତେବେଳେ ଆଖି ଲାଗି ଯାଇଥିଲା କେଜାଣି।ଚେତା ଫେରିବା ବେଳକୁ ମା କୋଳରେ ପ୍ରଶାନ୍ତି ବଳୟରେ ଶୋଇଥିଲା ତା ନୟନ ପିତୁଳା…ତା ହୃଦୟର ସ୍ପନ୍ଦନ… ଠିକ୍ ତା ରୂପ ନେଇ ଆସିଥିବା ତା ଦେବଦୁତ । ତାକୁ ଦେଖି ତୃପ୍ତିରେ ହସିବାକୁ ପ୍ରୟାସ କରିବା ବେଳେ ଛାତି ଭିତରେ ହାତୁଡ଼ି ପିଟି ହୋଇଗଲା… "ମୋ ଧନ ଆଉ ଅନାହୁତା ହୋଇ ରହି ଯିବନି ତ….।"


Rate this content
Log in

Similar oriya story from Abstract