ରଂ- ନମ୍ବର
ରଂ- ନମ୍ବର
ଅକାରଣରେ ଘରଲୋକେ ଆଘାତ ପାଇଲେ ତ ପାଇଲେ, ଶେଷରେ ଯାହାକୁ ଡର ତାହାହିଁ ହେଲା। ବାପଘର ତାକୁ ତ୍ୟଜ୍ୟପୁତ୍ରୀ କରି ସୁଦ୍ଧି ହୋଇପଡ଼ିଲେ !! କିଏ ଭାବିଥିଲା ଏମିତି ହେବ? ବାହାଘର ପରି ଏକ ବଡ଼ ଘଟଣା, ସେଥରେ ବାପା ଯୋଗଦାନ ନ ଦେବାଟା ସମସ୍ତଙ୍କ ସାମ୍ନାକୁ ଆସିଲା।
ମା' ଗଛ ଯେତେ ଯତ୍ନରେ ବଢ଼ାଇଲେ କଣ ହେବ? କଢିରେ ଠାଏ ପୋକ ଲାଗିଗଲେ ତାର ଫୁଲରେ ରୂପାନ୍ତରିତ ହେବା ସ୍ବପ୍ନ ହୋଇଯାଏ। ସମୟ ରେଖା ତୀବ୍ର ଗତିରେ ବଢିଚାଲେ ସିନା କିନ୍ତୁ ଅତୀତରେ ବ୍ୟଥିତ କରିଥିବା ଘଟଣା କିଛି ରୁଗ୍ ରୁଗ୍ ହୋଇ କଲିଜାକୁ ବିନ୍ଧୁଥାନ୍ତି। ନା ପ୍ରତିକାର ଥାଏ ନା ଉପଚାର। ରୋଜା କଣ ଆଉ ଜୀବନରେ ଖୁସି ହୋଇ ପାରିବ? ସମୟ ସ୍ଥାଣୁ ହୋଇ ଅଟକି ଯାଇଛି।
କଲେଜରେ ରୋଜା ବି. ସି. ଏ. ପଢିବା ବେଳେ ଚୈତନ୍ୟ ସହିତ ଦେଖା ସାକ୍ଷାତ ଓ ପରେ ମସ୍ତିଷ୍କରେ ବ୍ୟାକଟେରିଆ ପରି ଭଲପାଇବାର ନିୟନ୍ତ୍ରଣହୀନ ରୂପେ କ୍ରମବୃଦ୍ଧି। ପରବର୍ତୀ ପରିଣାମ ଯେ ଏତେ ଭୟବାହ ହେବ ସେ ଜାଣିନଥିଲା। ଜାଣିଥିଲେ....
ଚୈତନ୍ୟ ଅର୍ଥାତ ଚୈତନ୍ୟ ବାବୁ ଗୋଟେ ତେଲୁଗୁ ପିଲା, ତା ଉପରେ ବେରୋଜଗାର। ମାମୁଁ, ଦାଦା ଜାଣିଲା ପରେ ପୁଅଘର ଖୋଜିବା ଆରମ୍ଭ କରିଦେଲେ। ଚୈତନ୍ୟ ଏବଂ ରୋଜା ନିର୍ଣ୍ଣୟ କରନ୍ତି ଭାଗି ପଳେଇ ଯିବାକୁ। ବାହାଘର ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରନ୍ତି... କିନ୍ତୁ ବାପା ମା' ଯୋଗଦାନ କରିବା ତ ଦୂରର କଥା, ଝିଅ-ଜ୍ୱାଇଁଙ୍କ ସହ କୌଣସି ଯୋଗାଯୋଗ କରିବାକୁ ବି ମନା କରି ଦିଅନ୍ତି।
ପ୍ରଥମେ ପ୍ରଥମେ ସବୁ ଭଲରେ ଚାଲେ ।
ରୋଜା ଶାଶୂଘର ଲୋକଙ୍କ ସେବାରେ ଏତେ ନିମଜ୍ଜିତ ହୋଇଯାଏ ଯେ ନିଜ ପାଠପଢା ବ୍ୟାହତ ହେବାକୁ ନେଇ ଖାତିର ନଥାଏ। ଚୈତନ୍ୟ ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଭଲ ନମ୍ବର ରଖି ପାସ କରେ। ହେଲେ ନୀଳ ବର୍ଣ ଶୃଗାଳର ନୀଳରଙ୍ଗ କେତେ ଦିନପାଇଁ? ଦିନ ଦୁଇଟା ବାସ। ଚୈତନ୍ୟ କର୍ମକୁଢ଼ି ହୋଇ ଖଟରେ ଦିନ ତମାମ ପଡିରହେ ଆଉ ଶାଶୁ ନଣନ୍ଦ ରୋଜାକୁ ଖଟେଇ ଖଟେଇ ମାରନ୍ତି। ଓଡ଼ିଆ ଝିଅ ହୋଇ ତେଲୁଗୁ ଘର କରଣା, ଖାଦ୍ୟ ପେୟ, ରିତି ନିତି ଅଜଣା.. ଭଲ କଥା ହେଉଛି ସେ ତେଲୁଗୁ ଭାଷା ବୁଝିବାକୁ ଅସମର୍ଥ। ଯାହା ଗାଳି ଗୁଲଜ କଲେବି ସମ୍ବର ପାଣି ପି' ସବୁ ମପେଇ ଦିଏ।
ହେଲେ ଏକ ନିର୍ଦ୍ଦିଷ୍ଟ ସୀମା ଟପିଗଲା ପରେ ପରିସ୍ଥିତି ଭୟଙ୍କର ହେବାର ସମ୍ଭାବନାକୁ ସମ୍ପୂର୍ଣରୂପେ ଏଡାଇ ହୁଏନାହିଁ।
ନା ଯାନୀଯୌତୁକ ନା ଟଙ୍କା ସୁନା... ଘରୁ ହଳେ ଲୁଗାରେ ଚାଲି ଆସିଥିବାରୁ ତାକୁ ଅନେକ ନିର୍ଯ୍ୟାତନାର ଶିକାର ହେବାକୁ ପଡେ। ବାପା ମା' ନିରୁତ୍ତର। ଯୌବନ ର ଅଙ୍କା ବଙ୍କା ପଥରେ ଦିଗ ହରା ହେବା ବଦଳରେ କାଳେ ଝିଅକୁ ବାଟକୁ ଫେରାଇ ଆଣି ପାରିଥିଲେ ସେ ପାଠସାଠ ପଢି ନିଜକୁ ସମାଜରେ ପ୍ରତିଷ୍ଠିତ କରାଇ ପାରିଥାନ୍ତା... ହାତ ପା'ନ୍ତାରୁ ସବୁ ଖସିଗଲା ପରେ ଜୀବନ ପଶ୍ଚାତାପ ହି ହୋଇ ରହିଯାଏ।
ରୋଜାଲିନ, ରୋଜାଲିନ!! - ଅଚାନକ ନୀଦ ଭାଙ୍ଗିଲା।
ସାଙ୍ଗ ମୀରା ତାକୁ ପାଣି ପିଆଇ ସାଶ୍ଟାଙ୍ଗ କରାଇଲା। ଲାଇବ୍ରେରୀରେ କଣ କଣ ଗୁଡ଼େ ଭାବୁ ଭାବୁ ଶୋଇ ପଡିଛି। ସହପାଠୀ ଚୈତନ୍ୟ ବିଷୟରେ ତା ମନର ଦୁର୍ବଳତା ହୁଏତ ନିଜେ ଚୈତନ୍ୟ ବି ଜାଣି ନଥିବ। ତାର ମନ ପଢ଼ିଲା ପରି ମୀରା କହିଲା, ନିଦ୍ରାରୁ ବାସ୍ତବତାକୁ ଫେରିଆ... ନହେଲେ ତୋର ସାମୟିକ ଝୁଙ୍କ ପାଇଁ ପରିବାରରେ ସତରେ କିଏ ବଳି ପଡ଼ିଯିବ। ଆଗକଥା ଚିନ୍ତା କର।
ତୋର ପ୍ରପୋଜାଲ ପଡିଛି ପରା ଗୌରବ ଭାଇଙ୍କ ସହ...ମୋ ଫୋନରୁ ତୁ କଲ କଲୁ ପିଲାକୁ, ହଁ ଉମେଶ, ସୁରେଶ କି ପ୍ରଶାନ୍ତ ବୋଲି ଫେକ ନାଁ କହି ଶେଷରେ ରଙ୍ଗ ନମ୍ବର କହି କାଟିଦେ।
ଶୁଣିବା ତ ପିଲାଟି ଗୁଙ୍ଗା ବଧିର ନା କଥା ହେଇପାରେ... ତାର ସ୍ୱର କେମିତି। ମୋ ଫୋନ ଯେତେବେଳେ ଡର ନାହିଁ।କଲ ବ୍ୟାକ କଲେ ମୁଁ କହିଦେବି ମୁଁ ପ୍ଲେସମେଣ୍ଟ ଅଫିସରୁ କହୁଛି।
ପ୍ରଥମ ପ୍ରସ୍ତାବ... ପୁଅ ଝିଅଙ୍କ ମନ ତଳେ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଅକୁହା ଶିହରଣ...ଉପରକୁ ସବୁ ସାଧାରଣ ଦିଶୁଥିବା ସମୁଦ୍ର ଆଭ୍ୟନ୍ତରରେ ଏକ ପ୍ରଳୟଙ୍କରୀ ସୁନାମୀ ଠୁଁ କମ ନୁହେଁ। ଆରମ୍ଭ ସୁଖକର ହେଲେବି, ସମାପ୍ତି ସମ୍ପୂର୍ଣ ଅନିଶ୍ଚିତ।
ଦେହ ହାତ ଥରୁଥାଏ....ତଥାପି ଫୋନ ଲଗାଇଲା।
-ମେ ଆଏ ସ୍ପିକ ଟୁ ମିଷ୍ଟର ଗୌରବ?
( ମୀରା ଆଖି ବଡ଼ ବଡ଼ କରି କହିଲା.. ଆରେ ଆରେ.. ଏ କଣ କଲୁ?)
ରଂ-ନମ୍ବର କହି ରଖି ପାରି ଥାନ୍ତା। ରୋଜା କେଜାଣି କାହିଁକି ସତକୁ ସତ ନିଜ ନାଁ ଓ ପରିଚୟ ଦେଇଦେଲା..
ନିୟମିତ ଭାବେ କଥା ହେଉ ହେଉ ଖୁବ କମ ଦିନରେ ରୋଜା ଓ ଗୌରବ ସାଙ୍ଗ ହୋଇଗଲେ।
କିଛିଦିନ ଭିତରେ ବିଶ୍ୱସ୍ତ ସୂତ୍ରରୁ ରୋଜା ଜାଣିବାକୁ ପାଇଲା ଯେ ଗୌରବ ସତରେ ଜଣେ ମେଧାବୀ ଛାତ୍ର ହି ନୁହେଁ ଖୁବ ସିଧା ସାଧା ଏବଂ ପରିବାର ଲୋଭୀ ପିଲା। ତା ପରି ପିଲାକୁ ଜୀବନସାଥି ରୂପେ ପାଇବା ଖୁବ ଭାଗ୍ୟର କଥା... ବାପାମା' ଙ୍କ ନିର୍ବାଚିତ ପିଲାଟି ସହ ବିବାହ କରି ସେ ସମସ୍ତଙ୍କ ମନ ରଖିପାରିବ ସେଥିରେ ସନ୍ଦେହ ନାହିଁ।
ସହପାଠୀ ଚୈତନ୍ୟ ପ୍ରତି ଦୁର୍ବଳତାକୁ ଏକ କ୍ଷଣିକ ଆବେଗ ମନେକରି ଭୁଲିଯିବା ହିଁ ସମସ୍ତଙ୍କ ପାଇଁ ଭଲ ଭାବି ଆଗେଇବା ଆରମ୍ଭ କଲା । ଦିନେ ରଂ ନମ୍ବର ବାହାନାରେ କଲ କରିଥିବା ଗୌରବ ହିଁ ପରିଶେଷରେ ଭଗବାନ ଭାବିଚିନ୍ତି ତା' ଜୀବନର ରାଇଟ ନମ୍ବର କରି ପଠାଇଛନ୍ତି।

