ରୀଟା ଓରଫ ରୁକ୍ମିଣୀ
ରୀଟା ଓରଫ ରୁକ୍ମିଣୀ
ଅର୍ଣ୍ଣବଙ୍କୁ ଔଷଧ ଦେଇ ସ୍ନେହରେ ତାଙ୍କ ମୁଣ୍ଡରେ ହାତ ବୁଲେଇ ଆଣିଲେ ରୁକ୍ମିଣୀ। କପାଳରେ ଚୁମ୍ବନଟିଏ ଆଙ୍କିଦେଲେ। ଅର୍ଣ୍ଣବଙ୍କର ଶେଥା ପଡ଼ି ଯାଇଥିବା ମୁଖରେ କ୍ଷୀଣ ହସଟିଏ ଦେଖାଦେଇ ମିଳେଇ ଗଲା। ଏଇ ଅର୍ଣ୍ଣବ , ଯାହାଙ୍କ ବ୍ୟକ୍ତିତ୍ୱ ସମ୍ମୁଖରେ ସଂଭ୍ରମତାରେ ଲୋକଙ୍କର ମୁଣ୍ଡ ନଇଁ ଯାଉଥିଲା। ଅନ୍ୟକୁ ବିପଦରେ ସାହାଯ୍ୟ କରିବାକୁ ଯାଇ ଯିଏ ନିଜ ପରିବାରକୁ ଭୁଲି ଯାଉଥିଲେ, ସେହି ତେଜସ୍ୱୀ ଅର୍ଣ୍ଣବ ଆଜି ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ।
ଦୀର୍ଘଶ୍ଵାସ ଛାଡି ଉଠି ଠିଆ ହେଲେ ରୁକ୍ମିଣୀ। ଅର୍ଣ୍ଣବଙ୍କୁ କହିଲେ, " ଆରୁ ! ରୁକ୍ମିଣୀରୁ ' ରୀଟା ' ହେବାର ସମୟ ଆସିଯାଇଛି। ତୁମେ ଶୋଇପଡ଼। ସକାଳେ ତୁମ ରୁକ୍ମିଣୀ ପୁଣି ତୁମ ପାଖକୁ ଫେରି ଆସିବ। "
ଦଶବର୍ଷ ପ୍ରେମ ପରେ ଅନେକ ବାଧା ବିଘ୍ନ ଡେଇଁ ରୁକ୍ମିଣୀ ଓ ଅର୍ଣ୍ଣବଙ୍କର ବିବାହ ହୁଏ। ଅସନ୍ତୁଷ୍ଟ ରୁକ୍ମିଣୀଙ୍କର ପିତା ତାଙ୍କୁ ତେଜ୍ୟ କନ୍ୟା କରି ଦିଅନ୍ତି। ଅର୍ଣ୍ଣବଙ୍କର ପରିବାର ମଧ୍ୟ ବୋହୂ ରୂପେ ରୁକ୍ମିଣୀଙ୍କୁ ଗ୍ରହଣ କରି ନାହାଁନ୍ତି।
ସୁରୁଖୁରୁରେ ବାରବର୍ଷର ଦାମ୍ପତ୍ୟ ଜୀବନ ବିତିଗଲା। ଚନ୍ଦ୍ରରେ ଗ୍ରହଣ ଲାଗିଲା ପରି ତାଙ୍କ ହାସଖୁସିର ସଂସାରରେ ଗ୍ରହଣ ଲାଗିଗଲା। ଆକ୍ସିଡେଣ୍ଟ୍ ରେ ବ୍ରେନ୍ ହାମରେଜ୍ ହୋଇ ଅର୍ଣ୍ଣବ ଚାଲିଗଲେ କୋମାକୁ। ବେସରକାରୀ ଚାକିରୀ ଥିଲା, ଚାଲିଗଲା। ଜମା ପୁଞ୍ଜି ତାଙ୍କର ଚିକିତ୍ସାରେ ଖର୍ଚ୍ଚ ହୋଇଗଲା।
ଅର୍ଣ୍ଣବ କୋମାରୁ ଉଠି ଘରକୁ ତ ଫେରିଲେ, ଘରର ସ୍ଥିତି ଦୋହଲି ଯାଇଥିଲା। ପ୍ରତି ମାସରେ ଔଷଧ, ଡାକ୍ତର ପାଇଁ ଟଙ୍କା କୋଉଠୁ ଆଣିବେ ରୁକ୍ମିଣୀ ? ଘରଭଡ଼ା ଓ ଘରର ଯାବତୀୟ ଖର୍ଚ୍ଚ କିପରି ଯୋଗଡ଼ କରିବେ ! ପୁଅ ଚତୁର୍ଥ ଷ୍ଟାଣ୍ଡର୍ଡ ରେ । ତା'ର ଖର୍ଚ୍ଚ !!
ସାହାଯ୍ୟର ହାତ ବଢ଼େଇଥିଲେ , ଅର୍ଣ୍ଣବଙ୍କର ଜଣେ ବନ୍ଧୁ ଅସୀମ। ବିନା ପ୍ରତିଦାନରେ ସାହାଯ୍ୟ ଆଜିର ତାରିଖରେ କିଏ କରେ ଯେ ଅସୀମ କରିବେ !
ରୁକ୍ମିଣୀ , ଅର୍ଣ୍ଣବଙ୍କୁ ବୁଝାଇ କହିଲେ, " ଆରୁ! ଏଇ ଦେହଟି ବ୍ୟତୀତ ମୋ ପାଖରେ ଆଉ କିଛି ନାହିଁ, ପୁଅକୁ ମଣିଷ ପରି ମଣିଷ କରିବା ପାଇଁ, ଆମ ଦୁହିଁଙ୍କର ଚଳିବା ପାଇଁ। ଲୋକଙ୍କ ଘରେ ବାସନ ମାଜିଲେ ବି ସେତିକି ପଇସା କମେଇ ପାରିବିନି ଯୋଉଥିରେ ତୁମ ଔଷଧ ଖର୍ଚ୍ଚ ଚଳି ପାରିବ। ମୋତେ ଅନୁମତି ଦିଅ ଆରୁ ! ଏଇ ଦେହଟିକୁ ବିସର୍ଜନ ଦେବା ପାଇଁ। ରୁକ୍ମିଣୀରୁ ରୀଟା ହେବା ପାଇଁ। ତୁମ ଅନୁମତି ବିନା ମୁଁ କିଛି କରି ପାରିବିନି ଯେ ! '
କମ୍ପିତ ହସ୍ତରେ ରୁକ୍ମିଣୀଙ୍କର ମୁଣ୍ଡ ଉପରେ ହାତ ରଖିଲେ ଅର୍ଣ୍ଣବ। ବମ ପଟ ପକ୍ଷାଘାତରେ ଆକ୍ରାନ୍ତ। ସ୍ୱାମୀଙ୍କର ସ୍ୱୀକୃତି ପାଇବା ପରେ ପୁଅକୁ ହଷ୍ଟେଲ ରେ ଛାଡିଦେଲେ ରୁକ୍ମିଣୀ। ସନ୍ତାନ ଉପରେ ଏସବୁର କିଛି ପ୍ରଭାବ ପଡୁ ସେ ଚାହୁଁ ନ ଥିଲେ।
ଏଇ ଦେହଟିରେ ଅଛି ବା କ'ଣ ? ଯେପରି ଲିଚ୍ଛବୀ ଗଣରାଜ୍ୟର ରାଜଧାନୀ ବୈଶାଳୀର ନଗରବଧୂ ଆମ୍ରପାଲୀ ... ସହସ୍ରଶଯ୍ୟାର ନାୟିକା ଆମ୍ରପାଲୀ... ଗଣଭୋଗ୍ୟା ଆମ୍ରପାଲୀ....। ନିଜ ଇଚ୍ଛାରେ ତ ଆଉ ସେ ଏହି ଗଣିକା ବୃତ୍ତିକୁ ଆପଣେଇ ନ ଥିଲେ। ରାଜ୍ୟର ସ୍ୱାର୍ଥ ପାଇଁ ସେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ବଳି ଦେଇଥିଲେ। ଶରୀର ସହ ଆତ୍ମାର ସମ୍ପର୍କ କ'ଣ ? ଶରୀର ବହୁଭୋଗ୍ୟା ହୋଇପାରେ ମାତ୍ର ଆତ୍ମା ତ ନୁହେଁ ! ଆମ୍ରପାଲୀ ପରି ରୁକ୍ମିଣୀର ଆତ୍ମା ମଧ୍ୟ ପବିତ୍ର। ଖେଳନ୍ତୁ ଏ ଶରୀରକୁ ନେଇ ଯିଏ ଯେତେ!! ତାଙ୍କ ଆତ୍ମା ତ କେବଳ ଅର୍ଣ୍ଣବଙ୍କର। ରୁକ୍ମିଣୀ କେବଳ ଅର୍ଣ୍ଣବଙ୍କର। ରୀଟା ସହସ୍ର ପୁରୁଷଙ୍କର ଅଂକଶାୟିନୀ ହୋଇପାରେ, ରୁକ୍ମିଣୀ ନୁହେଁ।।
***********