ରହସ୍ୟର ଛବି
ରହସ୍ୟର ଛବି
କୋଡିଏ ବର୍ଷ ତଳର କଥା...
ସମ୍ବଲପୁର ସହରଠାରୁ ଦୂର, ଜଙ୍ଗଲ ଇଲାକାରେ ଗୋଟିଏ ଛୋଟ ଗାଆଁ ଥିଲା l ସେହି ଗାଆଁରେ ଜନବସତି ବହୁଳ ଭାବରେ ଥିଲା, କିନ୍ତୁ ଅଚାନକ କିଛି ଅଜବ ଘଟଣା ସମଗ୍ର ଗାଆଁରେ ଆତଙ୍କ ସୃଷ୍ଟି କଲା l ଲୋକମାନେ ଭୟରେ ସେ ସ୍ଥାନ ଛାଡି ଦୂର ସ୍ଥାନକୁ ଯିବାକୁ ଲାଗିଲେ l ଲୋକମାନଙ୍କର କହିବା ଅନୁସାରେ କିଛି ଅଜବ ଦେଖା ଯାଉଥିବା ଲୋକ ସମଗ୍ର ଗାଆଁରେ ଘୁରି ବୁଲୁଥିଲେ ଓ ସକାଳ ହେବା ମାତ୍ରେ କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଉଥିଲେ l ଯିଏ ବି ତାଙ୍କ ସାମ୍ନାସାମ୍ନି ହେଉଥିଲେ ଦ୍ଵିତୀୟ ଥରପାଇଁ ସେ ଗାଆଁରେ ଦେଖାଯାଉ ନଥିଲେ l
ଦୀର୍ଘ ଦଶ ବର୍ଷ ପରେ ଆଦିତ୍ୟ ତାଙ୍କ ବନ୍ଧୁ ରଜନିସଙ୍କ ସହିତ ଗାଆଁକୁ ଆସିଥିଲେ l ଠିକ ଦଶ ବର୍ଷ ପୂର୍ବେ ଆଦିତ୍ୟଙ୍କ ସହ ଏପରି କିଛି ମର୍ମାହତ ଘଟଣା ଘଟିଥିବା ହେତୁ, ସେ ତାଙ୍କ ଗାଆଁ ଛାଡି ସବୁଦିନ ପାଇଁ ଭୁବନେଶ୍ୱର ଚାଲିଯାଇଥିଲେ l ଦଶ ବର୍ଷ ପରେ ପୁନଃ ପ୍ରତ୍ୟାବର୍ତ୍ତନ କରିବାର ଗୋଟିଏ ମାତ୍ର କାରଣ ଥିଲା ତାଙ୍କ ବନ୍ଧୁ ରଜନିସ l ରଜନିସ ଜଣେ ପ୍ରସିଦ୍ଧ ଲେଖକ ଥିଲେ l ତାଙ୍କର ଆଗାମୀ ରହସ୍ୟମୟ ଉପନ୍ୟାସ ପୂରଣ କରିବା ପାଇଁ ସେ ଏପରି ଏକ ସ୍ଥାନର ଅନ୍ୱେଷଣ କରୁଥିଲେ l ଦୁହେଁ ବସରୁ ଓହ୍ଲାଇ ମୋରମ ରାସ୍ତା ଅତିକ୍ରମ କରି ଆଦିତ୍ୟଙ୍କ ଘର ଅଭିମୁଖେ ଅଗ୍ରସର ହେଉଥିଲେ l
ତୋ ଗାଆଁ ତ ସତରେ ବହୁତ ସୁନ୍ଦର ଦେଖାଯାଉଛି l ଦୂର ଦୂର ପର୍ଯ୍ୟନ୍ତ କେବଳ ଘଞ୍ଚ ଜଙ୍ଗଲ, ଆଖପାଖରେ କୌଣସି ଘର ଦେଖା ଯାଉନାହିଁ l ଏସବୁ ନିଜ ମଧ୍ୟରେ ଏକ କାହାଣୀ ସୃଷ୍ଟି କରୁଛି l ହେଲେ ଏପରି ଏକ ସ୍ଥାନ ଛାଡି ତୁ ସବୁଦିନ ପାଇଁ ଭୁବନେଶ୍ୱର ଚାଲିଗଲୁ କାହିଁକି...? ରଜନିସ ସନ୍ଦେହ ପ୍ରକାଶ କରି ପଚାରିଲେ l ଏଠାରେ ଏପରି କିଛି ଅଛି, ଯାହା ସମ୍ପୂର୍ଣ୍ଣ ଅଜବ ଅଟେ l ବାପା ମୋତେ ବହୁ ପୂର୍ବରୁ ଏ ଗାଆଁ ଛାଡି ଚାଲିଯିବାକୁ କହିଥିଲେ ହେଲେ ମୁଁ ରାଜି ହେଉନଥିଲି l ହଉ ଏସବୁ ଛାଡ଼; ମୁଁ କେବଳ ତୋ କଥାରେ ଏଠାକୁ ଆସିଛି l ତୁ ଯଥାଶୀଘ୍ର ତୋ ଉପନ୍ୟାସ ଲେଖିବା ଶେଷ କର ଆମେ ଏଠାରୁ ଚାଲିଯିବା, ଆଦିତ୍ୟ କହିଲେ l ହଁ ଭାଇ ମୋ ପରବର୍ତ୍ତୀ ଉପନ୍ୟାସ ପାଇଁ ଏହି ସ୍ଥାନ ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ l ମୁଁ ଆରାମରେ ମୋ ଉପନ୍ୟାସ ପୂରଣ କରିପାରିବି, ରଜନିସ ଟିକିଏ ହସିଦେଇ କହିଲେ l
କିଛି ସମୟ ସେହି ମହରମ ରାସ୍ତା ଅତିକ୍ରମ କରିବା ପରେ, ଅଚାନକ ରଜନିସଙ୍କ ପାଦ ରହିଗଲା l
ଆଦିତ୍ୟ ଏଠାରେ “No Entry” ବୋର୍ଡ କ’ଣ ପାଇଁ ଲଗାଯାଇଛି...?ରଜନିସ ପ୍ରଶ୍ନଭରା କଣ୍ଠରେ ପଚାରିଲେ l
ଆଦିତ୍ୟ ସମୟ ନଷ୍ଟ ନକରି ରଜନିସଙ୍କ ହାତ ଧରି ସେଠାରୁ ଯିବାକୁ ଲାଗିଲେ l
ଆମକୁ ଏଠାରୁ ଶୀଘ୍ର ଚାଲିଯିବାକୁ ହେବ l ତୁ ଭୁଲରେ ମଧ୍ୟ ଏହି ଜଙ୍ଗଲ ନିକଟକୁ ଆସିବୁ ନାହିଁ, ନା ହିଁ ଏହି ଜଙ୍ଗଲ ଭିତରକୁ ଯିବାକୁ ଉଦ୍ୟମ କରିବୁ, ଏତିକି କହି ଆଦିତ୍ୟ ରଜନିସଙ୍କୁ ଧରି ତାଙ୍କ ଘର ନିକଟକୁ ମୁହାଁଇଲେ l
ଆଦିତ୍ୟଙ୍କ ଚେହେରାରେ ଭୟର ଭାବ ଦେଖି ରଜନିସ କିଛି ବୁଝିପାରିଲେ ନାହିଁ l ଦୁହେଁ ଆଦିତ୍ୟଙ୍କ ଘରେ ପହଞ୍ଚିବା ପୂର୍ବରୁ ରାମୁ ସେଠାରେ ତାଙ୍କୁ ଅପେକ୍ଷା କରିଥିଲା l
ଇଏ ହେଉଛି ରାମୁ l ମୋ ଅନୁପସ୍ଥିତିରେ ମୋ ଘର ବାଡିର ଯତ୍ନ ନିଏ, ଆଦିତ୍ୟ ରାମୁକୁ ଦେଖି ରଜନିସକୁ କହିଲେ l ହେଲୋ ରାମୁ, ରଜନିସ ରାମୁ ସହ ହାତ ମିଳାଇ କହିଲେ l ବାବୁ ଆପଣମାନଙ୍କ ଆସିବା ଖବର ପାଇ ମୁଁ ପୂର୍ବରୁ ସବୁକିଛି ପ୍ରସ୍ତୁତ କରିଦେଇଛି l ସନ୍ଧ୍ୟା ହେବାକୁ ମାତ୍ର ଅଳ୍ପ କିଛି ସମୟ ବାକି ଅଛି, ଆଜି ପର୍ଯ୍ୟନ୍ତ ବି ଲୋକମାନେ ସନ୍ଧ୍ୟା ପରେ ଘରୁ ବାହାରୁ ନାହାନ୍ତି l ଆପଣ ରାତିରେ କବାଟ ଝରକା ଖୋଲିବେ ନାହିଁ କି ଭୁଲରେ ମଧ୍ୟ କୌଣସି ପ୍ରକାର ଆଲୋକର ବ୍ୟବହାର କରିବେ ନାହିଁ, ଏତିକି କହି ରାମୁ ସେଠାରୁ ଚାଲିଗଲା l ଆରେ ଏଠାରେ କ’ଣ ସବୁ ଚାଲିଛି..?ପ୍ରଥମେ ତୁ ମୋତେ କିଛି ନ କହି ସେହି ଜଙ୍ଗଲ ପାଖରୁ ନେଇଆସିଲୁ, ପୁଣି ରାମୁ ରାତିରେ କୌଣସି ପ୍ରକାର ଆଲୋକ ନ ଜଳାଇବାକୁ କହିକି ଗଲା l ତୋ ଗାଆଁ ଏତେ ରହସ୍ୟଭରା କ’ଣ ପାଇଁ...?ରଜନିସ ସନ୍ଦେହ ଭରା ଆନ୍ଦାଜରେ କହିଲେ l ଆରେ ଭାଇ;ଆମେ ବହୁତ ବାଟରୁ ଆସିଛନ୍ତି l ପ୍ରଥରେ ଫ୍ରେଶହୋଇ କିଛି ଖାଇନେବା ତା’ପରେ ମୁଁ ତୋତେ ସବୁକଥା କହିବି, ଆଦିତ୍ୟ କହିଲେ l କିଛି ସମୟ ପରେ ଦୁହେଁ ରାତ୍ରି ଭୋଜନ ସାରି ଶୋଇବା କୋଠରୀକୁ ଚାଲିଗଲେ l
ଆଦିତ୍ୟ ଏସବୁ ପ୍ରକୃତରେ କ’ଣ ଚାଲିଛି...?ମୋ ମୁଣ୍ଡରେ କିଛି ମଧ୍ୟ ପଶୁ ନାହିଁ l ରାତି ମାତ୍ର ଆଠଟା ହୋଇଛି ହେଲେ ଆମେ ରାତ୍ରି ଭୋଜନ ସାରି ଶୋଇବାକୁ ଆସିଛନ୍ତି l ଏସବୁ ଭାବିଲା ବେଳକୁ ମୋତେ ଏପରି ଲାଗୁଛି ଯେପରି ମୁଁ ଦାନବଙ୍କ ଦ୍ୱାରା ଘେରା ହୋଇଥିବା ଅଞ୍ଚଳକୁ ପଥଭ୍ରଷ୍ଟ ପଥିକ ଭଳି ଚାଲିଆସିଛି ଓ ମୋ ଚାରିପାଖରେ ଦାନବମାନେ ତାଣ୍ଡବଲୀଳା କରୁଛନ୍ତି, ରଜନିସ ମସ୍ତିଭରା ଆନ୍ଦାଜରେ କହିଲେ l ତୁ ଠିକ କହିଛୁ, ଏ ଅଞ୍ଚଳ ଦାନବଙ୍କ ଦ୍ୱାରା ଘେରା ହୋଇଛି l ତୁ ଯେଉଁଠାରେ “No entry”ବୋର୍ଡ ଦେଖିଥିଲୁ ସେହି ଜଙ୍ଗଲକୁ ଏକ ଅଭିଶପ୍ତ ଜଙ୍ଗଲ କୁହାଯାଏ l ଏଠିକାର ଲୋକଙ୍କ କହିବା ଅନୁସାରେ ରାତିରେ ସେହି ଜଙ୍ଗଲରୁ କିଛି ଲୋକ ବାହାରି ପୁରା ଗାଆଁରେ ଘୁରି ବୁଲନ୍ତି l ସେମାନେ ସାଧାରଣ ମଣିଷଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ସେମାନଙ୍କ ଶରୀର ବିରାଟକାୟ, ସବୁବେଳେ କଳା ପୋଷାକ ପିନ୍ଧିଥାଆନ୍ତି ଓ ତାଙ୍କ ଆଖି ଅଗ୍ନି ଭଳି ଜଳୁଥାଏ, ଆଦିତ୍ୟ ଦୀର୍ଘ ନିଃଶ୍ଵାସ ଛାଡ଼ି କହିଲେ l ଆଚ୍ଛା...!ଲୋକମାନଙ୍କ ଏପରି ଅନ୍ଧବିଶ୍ୱାସ କଥାରେ ତୁ ଏ ଗାଆଁ ଛାଡି ଚାଲିଗଲୁ, ରଜନିସ ଏତିକି କହି ହସିବାକୁ ଲାଗିଲେ l ନା, ଏସବୁ ଅନ୍ଧବିଶ୍ୱାସ ନୁହେଁ, ଏସବୁ ସତ l ମୁଁ ନିଜେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବହୁତ ନିକଟରୁ ଦେଖିଛି l ସେମାନଙ୍କ ପାଇଁ ମୋ ବାପାଙ୍କ ପ୍ରାଣ ଚାଲିଗଲା l ସେଥିପାଇଁ ମୁଁ ଏଠାରୁ ସବୁଦିନ ପାଇଁ ଚାଲିଗଲି, ଆଦିତ୍ୟ ଦୁଃଖ ପ୍ରକାଶ କରି କହିଲେ l
ଏପରି କିଛି ସମୟ କଥାବାର୍ତ୍ତା ପରେ ଦୁହେଁ ସ୍ୱପ୍ନର ଗହୀର ବିଲରେ ଚାଷ କରିବାକୁ ଚାଲିଗଲେ l ପାଖାପାଖି ରାତି ଦୁଇଟା ବାଜିଥିଲା l ହଠାତ ରଜନିସଙ୍କ ନିଦ ଭାଙ୍ଗିଗଲା l ବୋଧହୁଏ ତାଙ୍କୁ ଭାରି ଶୋଷ ଲାଗୁଥିଲା l ତାଙ୍କ ଆଖପାଖରେ ପାଣି ନଥିବାରୁ ସେ ରୋଷେଇ ଘରକୁ ଚାଲିଗଲେ l ଲାଇଟ ଲଗାଇ ପାଣି ପଇସାରି ଯେତେବେଳେ ସେ ପଛକୁ ବୁଲିଲେ ସେ ଚିତ୍କାର କରି ଉଠିଲେ l ବିରାଟକାୟ ଶରୀର ବିଶିଷ୍ଟ କଳା ପୋଷାକ ପିନ୍ଧା ବିକଟାଳ ଦୃଶ୍ୟମାନ ହେଉଥିବା ଜଣେ ବ୍ୟକ୍ତି ତାଙ୍କ ନିକଟରେ ଠିଆ ହୋଇଥିଲା l ତା ଆଖି ଅଗ୍ନି ଭଳି ଜଳୁଥିଲା ଓ ସେ ଗୁଣୁଗୁଣୁ ହୋଇ କିଛି ମନ୍ତ୍ର ଉଚ୍ଚାରଣ କରୁଥିଲା l ଠିକ ସେହି ସମୟରେ ଆଦିତ୍ୟ ସେଠାରେ ପହଞ୍ଚି ଶୀଘ୍ର ଲାଇଟ ବନ୍ଦ କରି ରଜନିସଙ୍କ ମୁହଁ ବନ୍ଦ କରି ଧୀରେଧୀରେ ସେଠାରୁ ଶୋଇବା କୋଠରୀକୁ ନେଇଗଲେ l କିଛି ସମୟ ପରେ ରଜନିସ ନିଜ ହୋସକୁ ଆସିଲେ l
ସେ...ସେ କିଏ ଥିଲା...?ରଜନିସ ଭୟରେ କମ୍ପିତ କଣ୍ଠରେ ପଚାରିଲେ l ତୋତେ କହିଥିଲି ରାତିରେ ଲାଇଟ ଜଳାଇବୁ ନାହିଁ, ତଥାପି ତୁ ଲାଇଟ କ’ଣ ପାଇଁ ଜଳାଇଥିଲୁ...?ଆଦିତ୍ୟ ଟିକିଏ ରାଗିଯାଇ କହିଲେ l ଆରେ ମୋତେ ଶୋଷ ଲାଗିଲା ମୁଁ ପାଣି ପିଇବାକୁ ଯାଇଥିଲି l ହେଲେ ସେ କିଏ...?ହଠାତ ଘର ଭିତରକୁ କିପରି ଆସିଲା...?ରଜନିସ ପଚାରିଲେ l ସେ ସେହି ଅଜଣା ଲୋକମାନଙ୍କ ମଧ୍ୟରୁ ଜଣେ ଜଣେ, ଯିଏ ରାତିର ଅନ୍ଧାରରେ ସମଗ୍ର ଗାଆଁରେ ଘୁରି ବୁଲନ୍ତି, ଆଦିତ୍ୟ କହିଲେ l
ରଜନିସ ଏସବୁ ଦେଖି କିଛି ବୁଝିପାରୁ ନଥିଲେ l ତାଙ୍କ ଆଖି ଆଗରେ ସେହି ବ୍ୟକ୍ତିର ଚେହେରା ବାରମ୍ବାର ନାଚି ଉଠୁଥିଲା l ବହୁତ କଷ୍ଟରେ ରାତିଟା କଟିଗଲା l ପରଦିନ ସକାଳେ ଦୁହେଁ ଗାଆଁ ଭ୍ରମଣରେ ବାହାରି ପଡିଲେ l ରଜନିସ କାଲି ରାତିର ଘଟଣାକୁ ଭୁଲିପାରୁ ନଥିଲେ l ସେହି ସବୁ ଦୃଶ୍ୟ ତାଙ୍କ ଆଖି ଆଗରେ ବାରମ୍ବାର ଆସୁଥିଲା l ସେ ସେହି ଜଙ୍ଗଲକୁ ଯିବାକୁ ଚାହୁଁଥିଲେ l ସେ ସେହି ଜଙ୍ଗଲର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଥିଲେ l
ଆଦିତ୍ୟ ଆମେ ସେ ଜଙ୍ଗଲକୁ ଯାଇପାରିବା...?ରଜନିସ ପଚାରିଲେ l ନାଁ... ଗାଆଁ ଲୋକେମାନେ ସେଠାକୁ ଯାଆନ୍ତି ନାହିଁ, ଆଦିତ୍ୟ କହିଲେ l ଆମେ ଜଙ୍ଗଲ ଭିତରକୁ ଯିବା ନାହିଁ, ବାହାରେ ରହି ଦେଖିବା l ମୋ ଉପନ୍ୟାସ ପାଇଁ ସେ ଜଙ୍ଗଲ ବିଷୟରେ ଜାଣିବା ଆବଶ୍ୟକ, ରଜନିସ ବହୁତ ବାଧ୍ୟ କଲା ପରେ ଆଦିତ୍ୟ ସେଠାକୁ ଯିବାପାଇଁ ରାଜି ହୋଇଗଲେ l
କିଛି ସମୟ ପରେ ଦୁହେଁ ସେହି ଜଙ୍ଗଲ ନିକଟରେ ପହଞ୍ଚିଲେ l ରଜନିସ ଜଙ୍ଗଲକୁ ନିରୀକ୍ଷଣ କରି ଦେଖିବାକୁ ଲାଗିଲେ l ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ, ସେହି ଜଙ୍ଗଲରେ କୌଣସି ପଶୁପକ୍ଷୀ ଦେଖାଯାଉ ନଥିଲେ l ସବୁଆଡେ ଯେପରି ନିରବ ଛାୟା ଘେରି ରହିଥିଲା l
ଏ ଜଙ୍ଗଲ ଏଠାରେ କେବେଠୁ ଅଛି...?ରଜନିସ ପଚାରିଲେ l ଜାଣି ନାହିଁ, ଲୋକଙ୍କ କହିବା ଅନୁସାରେ ଏ ଗାଆଁ ଯେବେଠୁ ଅଛି ଏ ଜଙ୍ଗଲ ସେବେଠୁ ଅଛି, ହେଲେ ଏପରି ଦାନବ ପରି ଦେଖା ଯାଉଥିବା ଲୋକ ଆଗରୁ ନଥିଲେ l ମୋ ବାପା କହୁଥିଲେ ଯେତେବେଳେ ସେ ଛୋଟ ଥିଲେ ସେବେଠୁ ଏସବୁ ହେବା ଆରମ୍ଭ ହୋଇଛି;ଆଗରୁ ଏମିତି କିଛି ଘଟିନଥିଲା, ଆଦିତ୍ୟ କହିଲେ l
ହଠାତ କେଉଁଠୁ କେହି ଜଣେ ଗୁଣୁଗୁଣୁ ହୋଇ କିଛି ମନ୍ତ୍ର ଉଚ୍ଚାରଣ କରିବାର ଶବ୍ଦ ଶୁଭିବାକୁ ଲାଗିଲା, ଅଚାନକ ଜଙ୍ଗଲରେ କୁହୁଡ଼ି ମାଡ଼ିଆସି ରାସ୍ତା ରୁଦ୍ଧ କରିବାକୁ ଲାଗିଲା l ଦୁହେଁ ସେହି ମନ୍ତ୍ର ଶବ୍ଦରେ ଆକୃଷ୍ଟ ହୋବାକୁ ଲାଗିଲେ କିନ୍ତୁ ଆଦିତ୍ୟ ନିଜର ହୋସ ସମ୍ଭାଳି ରଜନିସଙ୍କ ହାତ ଧରି ସେଠାରୁ ବହୁ କଷ୍ଟରେ ଚାଲିଆସିଲେ l ଏହାପରେ ଦୁହେଁ ନିଜ ଘରକୁ ଚାଲିଆସିଲେ l ଦୁହେଁ ସମ୍ପୂର୍ଣ୍ଣ ନିରବ ଥିଲେ, ସେମାନେ ଭାବିପାରୁ ନଥିଲେ ବର୍ତ୍ତମାନ ତାଙ୍କ ସହ କ’ଣ ଘଟିଥିଲା l ଧୀରେଧୀରେ ସୂର୍ଯ୍ୟ ସେହି ଜଙ୍ଗଲର ଶେଷ ସୀମାରେ ବୁଡିବାକୁ ଲାଗିଲେ l ଧୀରେଧୀରେ ଆକାଶରେ ତାରାମାନେ ଫୁଟିବାକୁ ଲାଗିଲେ l କିଛି ସମୟ ପରେ ବାହାରୁ ଲୋକଙ୍କ କୋଳାହଳ ଶୁଭିବାକୁ ଲାଗିଲା l ଦୁହେଁ ବାହାରକୁ ଆସି ଯାହା ଦେଖିଲେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ରହିଗଲେ l ଯେଉଁ ଜଙ୍ଗଲ ବହୁବର୍ଷ ଧରି ନିରବ ଥିଲା ଆଜି ସେହି ଜଙ୍ଗଲ ପଶୁପକ୍ଷୀଙ୍କ ଶବ୍ଦରେ ପ୍ରକମ୍ପିତ ହେଉଥିଲା l ସମଗ୍ର ଗାଆଁ ଆଶ୍ଚର୍ଯ୍ୟରେ ବୁଡି ଯାଇଥିଲା l ହେଲେ ରଜନିସ...!ରଜନିସ କେଉଁଠି ମଧ୍ୟ ନଥିଲେ l ଆଦିତ୍ୟ ତାଙ୍କୁ ଏଣେତେଣେ ଖୋଜିବାକୁ ଲାଗିଲେ l କିଛି ସମୟ ଖୋଜିବା ପରେ ଦେଖିଲେ ରଜନିସ ସେହି ଜଙ୍ଗଲ ଭିତରକୁ ପ୍ରବେଶ କରୁଛନ୍ତି l ସେ ତାଙ୍କୁ ଅଟକାଇବା ପାଇଁ ପଛରୁ ଆବାଜ ଦେଲେ ହେଲେ ଆଦିତ୍ୟଙ୍କ ଆବାଜ ଯେପରି ତାଙ୍କୁ ଶୁଭାଯାଉ ନଥିଲା l ସେ ଧୀରେଧୀରେ ଜଙ୍ଗଲ ଭିତରକୁ ଚାଲିଗଲେ l ଆଦିତ୍ୟ କିଛି ସମୟ ସେଠାରେ ଅପେକ୍ଷା କଲେ, ରଜନିସ ନ ଫେରିବାରୁ ସେ ସେଠାରୁ ଚାଲିଗଲେ l ଧୀରେଧୀରେ ଲୋକ ଗହଳି ମଧ୍ୟ କମିଗଲା l ପରଦିନ ସକାଳେ ସେହି ଜଙ୍ଗଲ ପୂର୍ବ ପରି ନିରବ ହୋଇଯାଇଥିଲା l ଆଦିତ୍ୟ କିଛି ଉପାୟ ନ ପାଇ ପୋଲିସ ଷ୍ଟେସନକୁ ଧାଇଁ ଗଲେ କିନ୍ତୁ ତାଙ୍କୁ ସେଠାରୁ କୌଣସି ସାହାଯ୍ୟ ମିଳିଲା ନାହିଁ l ସମସ୍ତେ ସେହି ଜଙ୍ଗଲ ବିଷୟରେ ଶୁଣି କେସ ଫାଇଲ କରିବାକୁ ମନା କରିଦେଲେ l ଆଦିତ୍ୟ ସବୁଥିରୁ ଉପାୟଶୂନ୍ୟ ହୋଇ ଦ ଫେମସ ଡିଟେକଟିଭ ସନ୍ଦୀପଙ୍କୁ ଫୋନ ଲଗାଇଦେଲେ l
ତା’ ପରଦିନ ଡିଟେକଟିଭ ସନ୍ଦୀପ ଓ ତାଙ୍କ ବନ୍ଧୁ ପ୍ରିତମ ସେହି ଗାଆଁରେ ଆସି ପହଞ୍ଚିଗଲେ l
ତାହାଲେ ତୁମେ କହୁଛ ଏ ଜଙ୍ଗଲରେ ଦାନବ ବାସ କରନ୍ତି ଓ ରାତି ହେବା ମାତ୍ରେ ଗାଆଁରେ ଘୁରି ବୁଲନ୍ତି..?ଆଉ ତୁମ ବନ୍ଧୁ ସେ ଜଙ୍ଗଲ ଭିତରକୁ ଚାଲିଯାଇଛନ୍ତି, ସନ୍ଦୀପ ସନ୍ଦେହରେ ପଚାରିଲେ l ଆଜ୍ଞା ସାର ମୁଁ ସତ କହୁଛି, ଆଦିତ୍ୟ କହିଲେ l ତାହାଲେ ତୁମେ ମୋତେ କାହିଁକି ଫୋନ ଲଗାଇଲ...?କୌଣସି ତାନ୍ତ୍ରିକକୁ ଫୋନ କରିଥାନ୍ତ l ମୁଁ ଜଣେ ଡିଟେକଟିଭ... ତାନ୍ତ୍ରିକ ନୁହେଁ, ସନ୍ଦୀପ ମସ୍ତିଭରା ଆନ୍ଦାଜରେ କହିଲେ l କିନ୍ତୁ ସାର, ମୋତେ ଏସବୁ କୌଣସି ଦାନବ ପରି ଲାଗୁନାହାନ୍ତି l କେହି ଜାଣିଶୁଣି ଏସବୁ କରୁଛି, ନହେଲେ ଯେଉଁ ଜଙ୍ଗଲରୁ କୌଣସି ପଶୁପକ୍ଷୀଙ୍କ ଶବ୍ଦ ଶୁଣିବାକୁ ମିଳିନଥିଲା କାଲି କିପରି ଭାବରେ ଏସବୁ ସମ୍ଭବ ହୋଇପାରିଲା..?ଆଦିତ୍ୟ କହିଲେ l
ସନ୍ଦୀପ ପ୍ରକୃତରେ ସେହି ଜଙ୍ଗଲର ରହସ୍ୟ ବିଷୟରେ ଜାଣିବାକୁ ସେଠାକୁ ଯିବାକୁ ଲାଗିଲେ, ହେଲେ ତାଙ୍କୁ ଏପରି ଲାଗିଲା ଯେପରି କେହି ତାଙ୍କ ମସ୍ତିଷ୍କକୁ କାବୁ କରିବାକୁ ଚାହୁଁଛି l ତାଙ୍କ ଶରୀରରେ ଥିବା ସମସ୍ତ ଶକ୍ତି ଧୀରେଧିରେ ଦୁର୍ବଳ ହେବାକୁ ଲାଗୁଛି l ସେ ନିଜକୁ ବହୁ କଷ୍ଟରେ ସମ୍ଭାଳି ବାହାରକୁ ଚାଲିଆସିଲେ ଓ ନିକଟରେ ଥିବା ଏକ ଗଛ ତଳେ ବସିପଡିଲେ l
ସନ୍ଦୀପ...ସନ୍ଦୀପ ତୁମେ ଠିକ ଅଛ ତ...?ତୁମକୁ ଦେଖିଲେ ଲାଗୁଛି ତୁମେ ବହୁତ ଅସୁସ୍ଥ ଅଛ l ଚାଲ ଆମେ ହସ୍ପିଟାଲ ଯିବା, ପ୍ରିତମ ସନ୍ଦୀପଙ୍କ ଏପରି ଅବସ୍ଥା ଦେଖି କହିଲେ l ନା, ମୁଁ ଠିକ ଅଛି, ସନ୍ଦୀପ କହିଲେ l ସନ୍ଦୀପ ମୋତେ ଏ ଜଙ୍ଗଲ ହଣ୍ଟେଡ଼ ଭଳି ଲାଗୁଛି, ଯେପରି ଏଠାରେ ଭୂତମାନେ ବାସ କରନ୍ତି l ଏତେବଡ ଜଙ୍ଗଲ, ହେଲେ କେଉଁଠି ମଧ୍ୟ ପଶୁପକ୍ଷୀ ଦେଖାଯାଉ ନାହାନ୍ତି l ଆଦିତ୍ୟ କହୁଥିଲେ ଏହି ଜଙ୍ଗଲରୁ କିଛି ଅଜବ ଦେଖାଯାଉଥିବା ଲୋକ ସମଗ୍ର ଗାଆଁରେ ବୁଲୁଛନ୍ତି;ମୋତେ ତ ଏସବୁ କିଛି ଠିକ ଲାଗୁନାହିଁ l ଆମକୁ ଏ କେସ ନବାର ନଥିଲା, ପ୍ରିତମ ଭୟଭରା କଣ୍ଠରେ କହିଲେ l
ସନ୍ଦୀପ କିଛି ସମୟ ନିରବ ରହି ସେଠାରୁ ଉଠି ଆଦିତ୍ୟଙ୍କ ଘର ନିକଟକୁ ଯିବାକୁ ଲାଗିଲେ l ପ୍ରିତମ ସନ୍ଦୀପଙ୍କର କିଛି ଉତ୍ତର ନ ପାଇ ତାଙ୍କ ପଛେ ପଛେ ଯିବାକୁ ଲାଗିଲେ l ସେମାନେ ଯାଉଥିବା ସମୟରେ ଗାଆଁର ଲୋକମାନଙ୍କୁ ନିରୀକ୍ଷଣ କରି ଦେଖୁଥିଲେ l
ମରିବ...ତୁମେ ବି ମରିବ...ସେ ଜଙ୍ଗଲ କାହାକୁ ଛାଡିବ ନାହିଁ, ଜଣେ ବୃଦ୍ଧବ୍ୟକ୍ତି କହି କହି ଚାଲିଗଲେ l ବୃଦ୍ଧବ୍ୟକ୍ତିଙ୍କ ଏପରି କଥାରେ ପ୍ରୀତମ ସମ୍ପୂର୍ଣ୍ଣ ଡରିଗଲେ l ଏହାପରେ କିଛି ସମୟ ପରେ ଦୁହେଁ ଆଦିତ୍ୟଙ୍କ ଘରେ ପହଞ୍ଚି ଗଲେ l
ଯଦି ତୁମର କିଛି ଅସୁବିଧା ନଥାଏ ତେବେ ମୁଁ ଆଜି ଏ ଘରେ ସମ୍ପୂର୍ଣ୍ଣ ଏକୁଟିଆ ରହିବାକୁ ଚାହେଁ, ସନ୍ଦୀପ କହିଲେ l ଠିକ ଅଛି; କିନ୍ତୁ ମନେ ରହେ ରାତିରେ କୌଣସି ପ୍ରକାର ଲାଇଟ ଲଗାଇବେ ନାହିଁ, ଆଦିତ୍ୟ କହିଲେ l ହେଲେ ତୁମେ ଏକୁଟିଆ ରହିବ କାହିଁକି...?ମୁଁ ତୁମ ସହିତ ରହିବି, ପ୍ରିତମ କହିଲେ l ନା...ମୁଁ ଏକା ରହିବାକୁ ଚାହେଁ l ତୁମେ ବ୍ୟସ୍ତ ହୁଅ ନାହିଁ ; ମୋର କିଛି ହେବନାହିଁ, ସନ୍ଦୀପ ପ୍ରିତମଙ୍କୁ ଆଶ୍ୱାସନା ଦେଇ କହିଲେ l
ପ୍ରିତମ ଅନିଚ୍ଛା ସତ୍ତ୍ୱେ ଆଦିତ୍ୟଙ୍କ ସହ ସେଠାରୁ ଚାଲିଗଲେ l ସନ୍ଦୀପ କିନ୍ତୁ ଆଦିତ୍ୟଙ୍କର କୌଣସି କଥା ନ ଶୁଣି ଘରର ସମସ୍ତ ଲାଇଟ ଲଗାଇ ରଖିଲେ l ରାତ୍ରି ଭୋଜନ ସାରି ତାଙ୍କ ଶୋଇବା ଘରେ ବସିରହିଲେ l କିଛି ସମୟ ପରେ ହଠାତ ଘର ଥରିବାକୁ ଲାଗିଲା, ଘରର ସମସ୍ତ ଆସବାବପତ୍ର ଏଣେ ତେଣେ ପଡ଼ିବାକୁ ଲାଗିଲା, ଜଳା ଯାଇଥିବା ବଲ ଗୁଡିକ ଗୋଟି ଗୋଟି ହୋଇ ଫୁଟିବାକୁ ଲାଗିଲା, ସମ୍ପୂର୍ଣ୍ଣ ଘର ପୁନଃ ଅନ୍ଧକାରରେ ଉଡ଼ିଗଲା l ସନ୍ଦୀପ କିଛି ବୁଝିପାରୁ ନଥିଲେ, ହଠାତ ଏସବୁ କ’ଣ ହୋଇଗଲା l ସେହି ସମୟରେ କଳା ପୋଷାକ ପିନ୍ଧା ଦାନବ ପରି ଦେଖାଯାଉଥିବା ଗୋଟିଏ ବ୍ୟକ୍ତି ତାଙ୍କ ଆଗରେ ଠିଆ ହୋଇଥିଲା, ତା ଆଖି ଅଗ୍ନି ଭଳି ଜଳୁଥିଲା ଓ ସେ ଗୁଣୁଗୁଣୁ ହୋଇ କିଛି ମନ୍ତ୍ର ଉଚ୍ଚାରଣ କରୁଥିଲା l ସେ ମନ୍ତ୍ର ଯେପରି ସନ୍ଦୀପଙ୍କ କାନରେ ବାଜିଲା ସେ ତାଙ୍କ ଚେତା ହରାଇ ବସିଲେ l
ପରଦିନ ସକାଳେ ଯେତେବେଳେ ସନ୍ଦୀପଙ୍କ ଚେତା ଆସିଲା ସେ କୋଠରୀକୁ ଦେଖି ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଗଲେ l ପୂର୍ବ ରାତିରେ ଘଟିଥିବା ଘଟଣା ଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ ଥିଲା l ଯେଉଁ ଘରର ଆସବାପତ୍ର ଅସ୍ତବ୍ୟସ୍ତ ହୋଇଯାଇଥିଲା, ସେ ସବୁ ପୂର୍ବପରି ଯଥା ସ୍ଥାନରେ ଥିଲା;ଯେପରି କିଛି ଘଟି ହି ନଥିଲା l କିଛି ସମୟ ପରେ ପ୍ରିତମ ଓ ଆଦିତ୍ୟ ଆସି ପହଞ୍ଚିଲେ l
ସନ୍ଦୀପ ତୁମେ ଠିକ ତ ଅଛ ନା...?ପ୍ରିତମ ବ୍ୟସ୍ତ ହୋଇ ପଚାରିଲେ l ହଁ, ମୁଁ ଏକଦମ ଠିକ ଅଛି ହେଲେ ଏ ସମୟରେ ଏ ସବୁ କଥପାଇଁ ସମୟ ନାହିଁ l ଆମକୁ ଆଜି ରାତିରେ ସେ ଜଙ୍ଗଲ ଭିତରକୁ ଯିବାକୁ ହେବ, ସନ୍ଦୀପ ଏତିକି କହି ବାହାରକୁ ଚାଲିଗଲେ l
ସନ୍ଧ୍ୟା ହେବା ପୂର୍ବରୁ ସନ୍ଦୀପ ଫେରି ଆସିଲେ l ତୁମେ ପ୍ରସ୍ତୁତ ହୋଇଯାଅ, ମାତ୍ର କିଛି ଘଣ୍ଟା ପରେ ଆମକୁ ବାହାରିଯିବାକୁ ହେବ, ସନ୍ଦୀପ କହିଲେ l ତୁମେ କ’ଣ ପାଗଳ ହୋଇଯାଇଛ...?ଏତେ ରାତିରେ ସେହି ଜଙ୍ଗଲ ଭିତରକୁ ଯିବା କଥା କହୁଛ...?ଦେଖିବ ସେମାନେ ମୋତେ ବି ରଜନିସଙ୍କ ପରି ନେଇଯିବେ ଆଉ ମୁଁ ମଧ୍ୟ ସେମାନଙ୍କ ପରି ରୂପ ଧାରଣ କରିବି ଓ ଗାଆଁରେ ଦାନବ ପରି ଘୁରି ବୁଲିବି, ପ୍ରିତମ ଅଭିନୟ ଭଙ୍ଗୀରେ କହିଲେ l ସନ୍ଦୀପ ପ୍ରିତମଙ୍କ କଥାରେ ହସି ପକାଇଲେ l ତୁମର କିଛି ହେବ ନାହିଁ, ମୁଁ ତୁମର କିଛି ହେବାକୁ ଦେବି ନାହିଁ l ତୁମର କିଛି ହୋଇଗଲେ ମୋ ସହ ସବୁ କେସର ସମାଧାନ କରିବାରେ କିଏ ସାହାଯ୍ୟ କରିବ, ସନ୍ଦୀପ ପ୍ରିତମଙ୍କ ହାତରେ ଗୋଟିଏ ବ୍ୟାଗ ଧରାଇଦେଇ କହିଲେ l ପ୍ରିତମଙ୍କର ଅନିଚ୍ଛା ସତ୍ତ୍ୱେ ସେ ସନ୍ଦୀପଙ୍କ ସହିତ ଯିବାକୁ ରାଜି ହୋଇଗଲେ l ପାଖାପାଖି ରାତି ଦଶଟା ସମୟରେ ଦୁହେଁ ସେହି ଜଙ୍ଗଲ ନିକଟରେ ପହଞ୍ଚିଲେ, ଯେଉଁଠାରେ “No entry”ବୋର୍ଡ ଲଗାଯାଇଥିଲା l ଦୁହେଁ ଚାରିଆଡେ ନଜର ପକାଇ ଦେଖିଲେ l ଜଙ୍ଗଲର ଅଧା ଅଂଶ ଅନ୍ଧାରରେ ବୁଡି ଯାଇଥିଲା, ପବନରେ ଗଛ ପତ୍ର ଦୋହଲିବାର ଶବ୍ଦ ଡରର ସଂକେତ ଦେଉଥିଲା l
ମୋତେ ଲାଗୁଛି ଏହିଠାରୁ ଆଗକୁ ବଢି ଜଙ୍ଗଲ ଶେଷ ପର୍ଯ୍ୟନ୍ତ ଯିବାକୁ ହେବ l ତୁମେ ଦିଗ ନିର୍ଣ୍ଣୟ ଯନ୍ତ୍ରରେ ଦିଗ ଦେଖ, ସନ୍ଦୀପ କହିଲେ l ଆରେ ତୁମର ସବୁକାମ ଓଲଟା ହୋଇଥାଏ କାହିଁକି...?ଏତେ ବର୍ଷ ତୁମ ସହିତ କାମ କଲାପରେ ମଧ୍ୟ ତୁମକୁ ମୁଁ ବୁଝିପାରୁନାହିଁ l ଗାଆଁର ଲୋକମାନେ ସନ୍ଧ୍ୟା ହେବାମାତ୍ରେ ଘରୁ ବାହାରୁ ନାହାନ୍ତି ହେଲେ ତୁମେ ସବୁକାମ ରାତିରେ କରିବାକୁ ଚାହୁଁଛ, ପ୍ରିତମ ଟିକିଏ କ୍ରୋଧ ସହ ଚିନ୍ତା ପ୍ରକାଶକରି କହିଲେ l
ସନ୍ଦୀପ ତାଙ୍କ କଥାର କିଛି ଉତ୍ତର ନ ଦେଇ ଆଗକୁ ବଢି ଚାଲିଲେ l ପ୍ରିତମ ମଧ୍ୟ ତାଙ୍କ ପଛେ ପଛେ ଯିବାକୁ ଲାଗିଲେ l ସେମାନେ ଜଙ୍ଗଲର ଯେତେ ଗଭୀରକୁ ଯାଉଥିଲେ ଅନ୍ଧାର ସେତେ ବଢ଼ି ବଢ଼ି ଯାଉଥିଲା l ଅଚାନକ ଗୁଣୁଗୁଣୁ ହୋଇ କିଛି ମନ୍ତ୍ର ଉଚ୍ଚାରଣ କରିବାର ଶବ୍ଦ ତାଙ୍କ କାନରେ ବାଜିଲା l ସେମାନେ ସେହି ଶବ୍ଦକୁ ଅନ୍ୱେଷଣ କରି ଯିବାକୁ ଲାଗିଲେ l କିଛି ସମୟ ଯିବାପରେ ଦୁହେଁ ଏକ ମହଲ ନିକଟରେ ପହଁଚିଲେ l
ଓ ମାଇ ଗଡ଼...!ଏପରି ଏକ ସୁନ୍ଦର ମହଲ ଜଙ୍ଗଲ ଭିତରେ...?ଇଏ କିପରି ସମ୍ଭବ..?ପ୍ରିତମ ଆଶ୍ଚର୍ଯ୍ୟ ହୋଇ କହିଲେ l କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟରେ ସନ୍ଦୀପ ଥିଲେ l ସେହି ସ୍ଥାନ, ସେହି ମହଲ, ସେହି ନାଲି ରଙ୍ଗର ପତ୍ରଦ୍ୱାର ଆଚ୍ଛାଦିତ ଵୃକ୍ଷ; ଯାହା ସେ ପୂର୍ବ ଦିନ ରାତିରେ ଦେଖିଥିଲେ l ପ୍ରିତମ ତୁମକୁ ଯେଉଁ ସବୁ ଜିନିଷ ଆଣିବାକୁ କହିଥିଲି ତାହା ତୁମେ ଆଣିଛ...?ସନ୍ଦୀପ ପଚାରିଲେ l ହଁ...ହଁ ଆଣିଛି l ଏଇ ନିଅ, ପ୍ରିତମ ଗୋଟିଏ ବ୍ୟାଗ ସନ୍ଦୀପଙ୍କ ହାତକୁ ବଢାଇଦେଇ କହିଲେ l ମୁଁ ବର୍ତ୍ତମାନ ମହଲ ଭିତରକୁ ଯାଉଛି, ତୁମେ ଏଇଠାରେ ଅପେକ୍ଷା କର l ଯଦି ମୁଁ ଏକ ଘଣ୍ଟା ମଧ୍ୟରେ ନ ଫେରେ ତାହାଲେ ତୁମେ ଏଠାରୁ ଦିଗ ନିର୍ଣ୍ଣୟ ଯନ୍ତ୍ର ସାହାଯ୍ୟରେ ଚାଲିଯିବ, ସନ୍ଦୀପ ପ୍ରିତମଙ୍କ ହାତରୁ ବ୍ୟାଗ ନେଇ କହିଲେ l ହେଲେ ତୁମେ ମହଲ ଭିତରକୁ କାହିଁକି ଯାଉଛ...? ତୁମେ କ’ଣ ଏପର୍ଯ୍ୟନ୍ତ ବୁଝିପାରିଲ ନାହିଁ, ଏଠାରେ ଭୂତମାନେ ବାସ କରୁଛନ୍ତି ବୋଲି, ସେମାନେ ତୁମକୁ ମାରିଦେବେ, ତୁମେ କ’ଣ ପାଇଁ ନିଜ ଜୀବନକୁ ଅସୁବିଧାରେ ପକାଉଛ...?ଚାଲ ଆମେ ଏଠାରୁ ଚାଲିଯିବା, ପ୍ରିତମ ଚିନ୍ତା ଦେଖାଇ କହିଲେ l ତୁମେ ଚିନ୍ତା କରନାହିଁ କି ଡର ନାହିଁ, ମୋର କିଛି ହେବ ନାହିଁ, ଏତିକି କହି ସନ୍ଦୀପ ମହଲ ଭିତରକୁ ଚାଲିଗଲେ l
ପ୍ରିତମ ମହଲ ବାହାରେ ସନ୍ଦୀପଙ୍କ ଅପେକ୍ଷା କଲେ l ପାଖାପାଖି ଅଧଘଣ୍ଟା ବିତିଗଲା, ହେଲେ ସନ୍ଦୀପଙ୍କ ଦେଖାନଥିଲା l ହଠାତ ମହଲଟି ଥରିବାକୁ ଲାଗିଲା, ମହଲ ଭିତରୁ ବିକଟାଳ ଶବ୍ଦମାନ ଶୁଭିବାକୁ ଲାଗିଲା, ମହଲ ଭିତରୁ ଲକ୍ଷ ଲକ୍ଷ ପକ୍ଷୀ ଏଣେତେଣେ ଉଡିବାକୁ ଲାଗିଲେ l ପ୍ରିତମ ଏପରି ଭୟାନକ ଦୃଶ୍ୟ ଦେଖି ସମ୍ପୂର୍ଣ୍ଣ ଜଡ ପାଲଟି ଗଲେ, ସେ ଏପରି ଭୟଙ୍କର ଦୃଶ୍ୟ କେବେ ମଧ୍ୟ ଦେଖିନଥିଲେ, ସେ ଏ ସମୟରେ କ’ଣ କରିବେ କିଛି ଚିନ୍ତା କରିପାରିଲେ ନାହିଁ l ହଠାତ ମହଲର ମୁଖ୍ୟଦ୍ୱାର ଖୋଲିଗଲା l ସନ୍ଦୀପ କ୍ଷତବିକ୍ଷତ ଅବସ୍ଥାରେ କିଛି ଲୋକଙ୍କୁ ବନ୍ଦୀ କରିବା ସହ ରଜନିସଙ୍କୁ ସାଙ୍ଗରେ ଧରି ମହଲ ବାହାରକୁ ଆସିଲେ l
ସନ୍ଦୀପ...ସନ୍ଦୀପ ତୁମେ ଠିକ ତ ଅଛ ନା...?ତୁମର ଏପରି ଅବସ୍ଥା କିପରି ହେଲା...?ଆଉ ଏମାନେ ସବୁ କିଏ...?ତୁମେ ତାଙ୍କୁ ବନ୍ଦୀ କରିଛ କାହିଁକି...?ପ୍ରିତମ ଭୟରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ l ଏବେ ପ୍ରଶ୍ନ ପଚାରିବାର ସମୟ ନୁହେଁ;ଏଠାରୁ ଯଥାଶୀଘ୍ର ଯିବାକୁ ହେବ, ଯେପରି ଏମାନେ ଖସି ନ ଯାଇ ପାରନ୍ତି, ସନ୍ଦୀପ କହିଲେ l
ସେହି ସମୟରେ ଆଦିତ୍ୟଙ୍କ ସହିତ କିଛି ପୋଲିସ କର୍ମଚାରୀ ସେଠାରେ ଉପସ୍ଥିତ ହେଲେ l ପୋଲିସ କର୍ମଚାରୀମାନେ ବନ୍ଦୀ ହୋଇଥିବା ବ୍ୟକ୍ତିଙ୍କୁ ସେଠାରୁ ନେଇଗଲେ, ସନ୍ଦୀପ ଓ ରଜନିସଙ୍କୁ ହସ୍ପିଟାଲ ପଠାଇଦେଲେ l
ପରଦିନ ସକାଳେ ଯେତେବେଳେ ସନ୍ଦୀପଙ୍କୁ ଡିସଚାର୍ଜ କରିଦିଆଗଲା, ସେ ସେଠାରୁ ଆସି ଗାଆଁ ନିକଟରେ ବହି ଯାଉଥିବା ଏକ ନଈ ପାଖରେ ବସି ଶୀତଳ ପବନର ମଜା ନେବାରେ ଲାଗିଲେ l
ତୁମେ ସେ ଜଙ୍ଗଲର ରହସ୍ୟ କହିଲ ନାହିଁ ଯେ...!ସେ ଲୋକମାନେ କିଏ ଥିଲେ...?ସେମାନେ ଗାଆଁରେ ଦାନବପରି ଘୁରିବୁଲୁଥିଲେ କାହିଁକି...?ଆଉ ସେ ବୃଦ୍ଧ ବ୍ୟକ୍ତି ଯାହାଙ୍କୁ ସେଦିନ ଆମେ ଦେଖିଥିଲେ ସେ ସେହି ମହଲ ଭିତରେ କ’ଣ କରୁଥିଲେ...?ପ୍ରିତମ ନୀରବତା ଭଙ୍ଗ କରି ତାଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନଗୁଡିକ ପଚାରିବାକୁ ଲାଗିଲେ l ସେମାନେ କୌଣସି ଦାନବ ନୁହନ୍ତି ସେମାନେ ଆମ ପରି ସାଧାରଣ ମଣିଷ କିନ୍ତୁ ସେମାନଙ୍କ ପାଖରେ ଯାଦୁ ବିଦ୍ୟାସହ ତନ୍ତ୍ର ବିଦ୍ୟା ଥିଲା, ଯାହା ଦ୍ୱାରା ସେମାନେ ଏପରି କାର୍ଯ୍ୟ କରୁଥିଲେ, ସନ୍ଦୀପ ବିନା ଭାବରେ ଉତ୍ତର ଦେଲେ l ମୁଁ କିଛି ବୁଝିପାରିଲି ନାହିଁ l ଯାଦୁ ବିଦ୍ୟା-ତନ୍ତ୍ର ବିଦ୍ୟା ଏସବୁ କ’ଣ...?ଏପରି ସେମାନେ କାହିଁକି କରୁଥିଲେ...?ସେମାନଙ୍କର ଉଦେଶ୍ୟ କ’ଣ ଥିଲା...?ପ୍ରିତମ ପୁନଃ ଆଶ୍ଚର୍ଯ୍ୟ ହୋଇ ପଚାରିଲେ l ତୁମେ ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ କଥା କହୁଥିଲ ସେ ପ୍ରକୃତରେ ଜଣେ ବଡ଼ ତାନ୍ତ୍ରିକ ଓ ତାଙ୍କ ପୁଅ ଯାଦୁ ବିଦ୍ୟା ଜାଣିଥିଲା l ସେମାନେ କୌଣସି ଜିନିଷର ସନ୍ଧାନ କରୁଥିଲେ l ଦିନର ଆଲୋକରେ ଏସବୁ ଶକ୍ତି କମ କରେ ନାହିଁ ବୋଲି ସେମାନେ ରାତିର ଅନ୍ଧକାରରେ ଏ ସବୁ କରୁଥିଲେ ଓ ଲୋକମାନଙ୍କୁ ଭୟଭୀତ କରାଉଥିଲେ l ଯାଦୁ ଶକ୍ତି ବଳରେ ସେମାନେ ନିଜର ରୂପ ପରିବର୍ତ୍ତନ କରିଦେଉଥିଲେ ଓ ମନ୍ତ୍ର ଶକ୍ତି ବଳରେ ଯେ କୌଣସି ମଣିଷର ମସ୍ତିଷ୍କକୁ ନିଜ ଅକ୍ତିଆରରେ କରିନେଉଥିଲେ, ଯାହା ଦ୍ୱାରା ସେମାନେ ଯାହା ଚାହୁଁଥିଲେ ଲୋକମାନେ ତାହା କରୁଥିଲେ l ଜଙ୍ଗଲର ସମସ୍ତ ପଶୁପକ୍ଷୀ ମଧ୍ୟ ତାଙ୍କ ଅକ୍ତିଆରରେ ଥିଲେ l ହେଲେ ତୁମେ ଏସବୁ କିପରି ଜାଣିଲ...?ସେମାନେ ରଜନିସଙ୍କୁ କାହିଁକି ନେଇଯାଇଥିଲେ...?ପ୍ରିତମ ପୁନଃ ପଚାରିଲେ l କାଲି ରାତିରେ ଯେତେବେଳେ ମୁଁ ଆଦିତ୍ୟଙ୍କ ଘରେ ଥିଲି ସେତେବେଳେ ସେମାନେ ଆସିଥିଲେ l ମୋ ମସ୍ତିଷ୍କକୁ ମଧ୍ୟ କାବୁ କରିବାକୁ ସକ୍ଷମ ହୋଇଥିଲେ ଓ ମୋତେ ସେହି ଜଙ୍ଗଲ ରାସ୍ତାବାଟେ ମହଲକୁ ନେଇଯାଇଥିଲେ, କିନ୍ତୁ ଯେତେବେଳେ ମୋର ହୋସ ଆସିଲା ମୁଁ ଆଦିତ୍ୟଙ୍କ ଘରେ ଥିଲି ଓ ଏସବୁ ମୋତେ ଗୋଟେ ସ୍ୱପ୍ନ ଦେଖିଲା ପରି ଲାଗିଲା l ଏସବୁ ବିଷୟରେ ଜାଣିବା ପାଇଁ ମୋର ଏକ ବନ୍ଧୁଙ୍କୁ ଫୋନ କଲି ସେ ସାଇକୋଲୋଜିଷ୍ଟ ସହ ଜଣେ ସାଇଣ୍ଟିଷ୍ଟ l ସେ ମୋତେ ଦୁଇଟି ଚୁମ୍ବକ ଦେଇଥିଲେ, ସେହି ଚୁମ୍ବକ ବଳରେ କୌଣସି ବି ଶକ୍ତି ଆମପାଖରେ ପହଞ୍ଚି ପାରିବନାହିଁ l ଆମେ ସେହି ଜଙ୍ଗଲକୁ ଯିବା ପୂର୍ବରୁ ତୁମ ପକେଟରେ ଗୋଟେ ଚୁମ୍ବକ ରଖିଦେଇଥିଲି ଓ ସେହି ରାସ୍ତାବାଟେ ମହଲକୁ ଯିବାକୁ ଚେଷ୍ଟା କଲି l ଯେତେବେଳେ ସେହି ମହଲକୁ ଦେଖିଲି ମୋ ସନ୍ଦେହ ସତରେ ପରିଣତ ହୋଇଗଲା l ମୁଁ ମହଲ ଭିତରକୁ ଗଲି l ସେଠାରେ ସେମାନେ ମଣିଷର ମୁଣ୍ଡ ଓ ହାଡ଼ ରଖି ଗୋଲାକାର ଚକ୍ରରେ ବସି କୌଣସି ଯଜ୍ଞ କରିବା ସହ ରଜନିସଙ୍କୁ ବଳି ଦେବାକୁ ଉଦ୍ୟମ କରୁଥିଲେ, କାରଣ ସେମାନେ ସେହି ଯଜ୍ଞରେ ନରବଳି ଦେଇ ଆହୁରି ଶକ୍ତିଶାଳୀ ହେବାକୁ ଚାହୁଁଥିଲେ;ଯାହାଦ୍ୱାରା ସେ ଯାହା ଚାହିଁବେ ତାହା କରିପାରିବେ, ସନ୍ଦୀପ କହିଲେ l ତାହାଲେ ସେମାନେ ତୁମକୁ ଛାଡିଦେଲେ କାହିଁକି....?ପ୍ରିତମ ପଚାରିଲେ l ତାହା ମୁଁ ଜାଣିନାହିଁ, ବୋଧହୁଏ ମୁଁ ତାଙ୍କର କୌଣସି କାମରେ ଆସିଲି ନାହିଁ l ତୁମେ ସେମାନଙ୍କୁ ବନ୍ଦୀ କଲ କିପରି...?ପ୍ରିତମ ପଚାରିଲେ l ମୁଁ ତୁମକୁ ଯେଉଁ ବ୍ୟାଗ ଦେଇଥିଲି ସେ ବ୍ୟାଗରେ ଏକ ହାତୁଡି ଓ ଦଉଡି ଥିଲା ଆଉ କିଛି ହତିଆର ଥିଲା l ହାତୁଡି ସାହାଯ୍ୟରେ ମନ୍ତ୍ରଦ୍ୱାରା ଆବଦ୍ଧ ହୋଇଥିବା ସମସ୍ତ ବସ୍ତୁକୁ ଭାଙ୍ଗିବାକୁ ଲାଗିଲି ଯାହାଦ୍ୱାରା ମୁଁ କ୍ଷତବିକ୍ଷତ ହୋଇପଡ଼ିଲି ଓ ହତିଆର ଦ୍ୱାରା ତାଙ୍କୁ ବନ୍ଦୀ କରିବାରେ ସଫଳ ହୋଇପାରିଲି l ସେମାନଙ୍କୁ ବନ୍ଦୀ କରିସାରିବାପରେ ଆଦିତ୍ୟ ଓ କିଛି ପୋଲିସ କର୍ମଚାରୀଙ୍କୁ ସୂଚନା ଦେଲି, ସନ୍ଦୀପ କହିଲେ l
ସନ୍ଦୀପଙ୍କ ମୁହଁରୁ ଏସବୁ ଶୁଣି ସାରିବାପରେ ପ୍ରିତମ ତାଙ୍କୁ ପ୍ରଶଂସା ନ କରି ରହିପରିଲେ ନାହିଁ l
