ଶେଷ ଭାଲେଣ୍ଟାଇନ
ଶେଷ ଭାଲେଣ୍ଟାଇନ
ଦିନେ ସନ୍ଧ୍ୟାରେ ଦେବ ଟିଉସନରୁ ଘରକୁ ଫେରୁଥିଲା।ଫେରୁଥିବା ସମୟରେ ଏକ ନିରୀହ ଆଖି ଓ ସୁନ୍ଦର ମୁହଁ ଉପରେ ତା ନଜର ପଡିଲା।ସେ ହଠାତ ବୁଝିପାରିଲା ନାହିଁ,ସେ ବର୍ତ୍ତମାନ ଯାହାକୁ ଦେଖିଥିଲା ସେ ସତରେ ଗୋଟେ ଝିଅ ଥିଲା ନା ଅନ୍ୟ ରାଜ୍ୟରୁ ବାଟ ଭୁଲି ଚାଲିଆସିଥିବା ଏକ ସୁନ୍ଦର ପରି।ସେ ଦେଖିଥିବା ସେହି ଦୁଇ ଯୋଡ଼ା ଆଖିକୁ ଭୁଲି ପାରୁନଥିଲା।ସେହି ସମୟରେ ତା ହୃଦୟ ମଧ୍ୟରେ ଏକ ସ୍ଵତନ୍ତ୍ର ଭାବନା ଜାଗ୍ରତ ହେଲା,କିନ୍ତୁ ସେ ଭାବନା କଣ ଥିଲା ତାହା ତାକୁ ଅଜଣା ଥିଲା।
ପରଦିନ ସକାଳେ ଦେବ ଟିଉସନ ପାଇଁ ବାହାରିଲା।କିନ୍ତୁ ତା ମନ କେଉଁ ଅଜଣା ରାଇଜରେ ଥିଲା।କାଲି ଭେଟ ହୋଇଥିବା ସେହି ଝିଅ ସହ ପୁନଃ ଭେଟ ହେବ ଚିନ୍ତାକରି ସେ ସେହି ବାଟେ ଗଲା।କିନ୍ତୁ ଝିଅଟିର ଭେଟ ନ ପାଇ ସେ ମନ ଦୁଃଖରେ ଟିଉସନ ଚାଲିଗଲା।ସେ ଟିଉସନରେ ସେହି ଝିଅକୁ ଦେଖି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲା।ସେ ଯାହାକୁ ମନେ ମନେ ଖୋଜୁଥିଲା ସେ ଆଜି ତା ଆଖି ସାମ୍ନାରେ।ତା ଖୁସିର କୌଣସି ଠିକଣା ନଥିଲା।
ଦୁଇଦିନ ପରେ ଦେବ ତା ସ୍କୁଲ ଯିବା ବାଟରେ ପୁନଃ ସେହି ଝିଅକୁ ତାଙ୍କ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲା।ପରେ ଜାଣିଲା ଯେ ସେମାନେ ଗୋଟିଏ ଶ୍ରେଣୀରେ ପଢନ୍ତି କିନ୍ତୁ ଅଲଗା ସେକସନ।ଦୁହେଁ ଗୋଟିଏ ସେକ୍ସନ ନ ହୋଇଥିବାରୁ ଦେବର ମନଦୁଃଖ ହେଲା କିନ୍ତୁ ସେ ଖୁସିଥିଲା ଯେ ଦୁହେଁ ଗୋଟିଏ ସ୍କୁଲରେ ପଢୁଛନ୍ତି।ସେହିଦିନଠାରୁ ଦେବ ସୋନାକୁ ଲୁଚି ଲୁଚି ଝରକା ଫାଙ୍କରେ ଦେଖିବା ଆରମ୍ଭ କରିଦେଲା।ଦେବର ସୋନାକୁ ସବୁବେଳେ ଦେଖିବାର ଅଭ୍ୟାସ ହୋଇଯାଇଥିଲା।କିନ୍ତୁ ତା ସହ କଥା ହେବାର ସାହସ ତା'ର ନଥିଲା।କିଛି ଦିନ ପରେ ଦେବର ଗୋଟେ ଭଲ ସାଙ୍ଗ ମୋନାଲି,ସେହି ଝିଅ ସହ ପରିଚୟ କରାଇଦେଲା।ସେଇଠି ସେ ଝିଅ ତା ନାଁ ସୋନା ବୋଲି କହିଥିଲା।ଏହା ଦେବ ପାଇଁ ସବୁଠୁ ଭଲ ଦିନ ଥିଲା।ସମୟ ତାଙ୍କୁ ବହୁତ ପାଖକୁ ନେଇଆସିଲା।ସେମାନେ ଏକାଠି ସ୍କୁଲ ଓ ଟିଉସନ ଯିବାକୁ ଆରମ୍ଭ କଲେ। ସେମାନେ ଏକାଠି ବହୁତ ସମୟ ବିତାଇବାକୁ ଲାଗିଲେ।
ଏପରି କିଛିଦିନ ବିତିଗଲା।ଦେବ ଧୀରେଧୀରେ ସୋନାକୁ ଭଲ ପାଇ ବସିଲା।କିନ୍ତୁ ସୋନା ଏ ବିଷୟରେ ସମ୍ପୂର୍ଣ୍ଣ ଅଜଣା ଥିଲା।କିଛିଦିନ ପରେ ଭାଲେଣ୍ଟାଇନ ଡେ ଆସିଲା। ଦେବର ସାଙ୍ଗମାନେ ଦେବକୁ ସୋନାକୁ ତା ମନ କଥା କହିବାକୁ ବାଧ୍ୟ କଲେ।ଦେବ ମଧ୍ୟ ସୋନାକୁ ତା ମନ କଥା କହିବାକୁ ଚାହିଁଥିଲା କିନ୍ତୁ ସେ ଡରୁଥିଲା।କାରଣ ସେ ତା ମନ କଥା କହିବା ପରେ ଯଦି ସୋନା ତାକୁ ମନା କରିଦିଏ ?ଯଦି ତା ସହ ବନ୍ଧୁତା ଭାଙ୍ଗିଦିଏ ?ତେବେ ସେ କଣ କରିବ ?ଏପରି କିଛି ଅଜଣା ପ୍ରଶ୍ନ ତାକୁ ସୋନାକୁ ତା ମନ କଥା କହିବାକୁ ଅଟକାଉଥିଲା।ସେ ସୋନାକୁ କୌଣସି ପରିସ୍ଥିତିରେ ହରାଇବାକୁ ଚାହୁଁନଥିଲା
ଏପରି ଅନେକ ଦିନ ବିତିଗଲା।ସେମାନେ ତାଙ୍କ ସ୍କୁଲ ପାଠ ସାରି କଲେଜ ଗଲେ। ଦୁହେଁ ଏକାଠି କଲେଜରେ ପାଠ ପଢ଼ିଲେ।ବହୁତ ଥର ଦେବ ସୋନାକୁ ତା ମନକଥା କହିବାକୁ ଚେଷ୍ଟା କରିଥିଲା।ସେ ସୋନାକୁ କହିବାକୁ ଚାହୁଁଥିଲା ଯେ ସେ ତାକୁ କେତେ ଭଲ ପାଏ,କେତେ ପସନ୍ଦ କରେ,ତାର କେତେ ଯତ୍ନ ନିଏ,କେତେ ମିସ୍ କରେ।ତା ସହ ବିତାଇଥିବା କିଛି ଅଭୁଲା ସ୍ମୃତିକୁ ପ୍ରକାଶ କରିବାକୁ ଚାହିଁଥିଲା।କିନ୍ତୁ ସେ ପ୍ରତିଥର ପରି କିଛି ଅଜଣା ପ୍ରଶ୍ନ ପାଇଁ ତା ମନ କଥା ମନରେ ହିଁ ମାରିଦିଏ।ଏହାପରେ ଦେବ ଉଚ୍ଚ ଶିକ୍ଷା ପାଇଁ ବେଦେଶ ଚାଲିଗଲା।କିନ୍ତୁ ସେ ସୋନା ସହ ସବୁଦିନ ଫୋନ୍ କିମ୍ବା ଇ-ମେଲ ରେ କଥା ହେଉଥିଲା।
୪ ବର୍ଷ ପରେ ଦେବ ତା ଘରକୁ ଫେରିଲା। ଦୁଇଦିନ ପରେ ଭାଲେଣ୍ଟାଇନ ଡେ ଥିଲା।ଦେବ ସୋନାଠୁ ଆଉ ଦୁରେଇବାକୁ ଚାହୁଁନଥିଲା।ସୋନାକୁ ଗୋଲାପ ଦେଇ ତା ମନ କଥା କହି ନିଜର କରିବାକୁ ଚାହୁଁଥିଲା।ତା ଆଖିରେ ଆଖିଏ ସ୍ବପ୍ନ ଥିଲା,ଏତେ ବର୍ଷ ପରେ ସେ ତା ସ୍ବପ୍ନ ସତ ହେଲା ଭଳି ଲାଗୁଥିଲା।ରାତିସାରା ନିଜକୁ ପ୍ରସ୍ତୁତ କରୁଥିଲା,ସେ କିପରି ଭାବରେ ସୋନାକୁ ତା ମନ କଥା ପ୍ରକାଶ କରିବ।ସେଥିପାଇଁ ଆଲମାରୀରୁ ଭଳିକି ଭଳି ଡ୍ରେସ ବାହାର କରି ତାକୁ ପିନ୍ଧିବାକୁ ଲାଗୁଥିଲା।ଆଇନାରେ ନିଜକୁ ବାରମ୍ବାର ଦେଖି ଭଳିକି ଭଳି କେଶ ପରିବର୍ତ୍ତନ କରୁଥିଲା।ଅତରର ସମ୍ପୂର୍ଣ୍ଣ ବୋତଲ ନିଜ ଶରୀରରେ ଢାଳି ଶେଷ କରିଦେଲା।ଏପରି କିଛି ସମୟ ନିଜସହ ବିତାଇବା ପରେ ସେ ଘଣ୍ଟା ଦେଖିଲା।ଘଣ୍ଟାରେ ରାତି ତିନିଟା ବାଜିଥାଏ।ଏପରି ଲାଗୁଥିଲା ଯେପରି ରାତି ମଧ୍ୟ ତା ହରକତ ଦେଖି ତାର ମଜା ନେଉଛି।ଦେବ ବିରକ୍ତ ହୋଇ କହିଲା ଏ ରାତି ଆଜି ଏପରି ମୋ ପାଇଁ ବଢି ଯାଇଛି କାହିଁକି ?ଦିନର ଆଲୋକକୁ ସେ ଅତ୍ୟନ୍ତ ବ୍ୟାକୁଲିତ ହୃଦୟରେ ଚାହିଁ ରହିଥିଲା।ପରଦିନ ସକାଳେ ହେବା ମାତ୍ରେ ସେ ସୋନାକୁ ଫୋନ କରି ପାର୍କକୁ ଦେଖାକରିବାକୁ ଡାକିଲା ଓ ନିଜେ ମଧ୍ୟ ପ୍ରସ୍ତୁତ ହୋଇ ବାହାରିଲା।ଦେଵ ପାର୍କରେ ପହଞ୍ଚି ସୋନାର ଅପେକ୍ଷା କଲା,କିନ୍ତୁ ସୋନାର ଦେଖା ନାହିଁ।୨ ଘଣ୍ଟା ୪ଘଣ୍ଟା ୫ଘଣ୍ଟା ୮ଘଣ୍ଟା ବିତିଗଲା,କିନ୍ତୁ ସାେନାର ଦେଖା ନାହିଁ,ସେ ସୋନାକୁ ଫୋନ କରିବାକୁ ଚେଷ୍ଟା କରୁଥିଲା ହେଲେ ଫୋନ ବିଜି ଆସୁଥିଲା।ଦେବ ସେଠାରେ ଗୋଟେ ବୋକାଭଳି ହାତରେ ଗୋଲାପ ଧରି ବସି ରହିଥିଲା।ହଠାତ ତା ଫୋନ ରିଂ ହେଲା।ଫୋନ କଲ ଶୁଣି ଦେବ ପାଗଳଙ୍କ ଭଳି ହସ୍ପିଟାଲକୁ ଦୌଡ଼ିବାକୁ ଆରମ୍ଭ କଲା।ସେ ହସ୍ପିଟାଲରେ ପହଞ୍ଚି ଯାହା ଦେଖିଲା ସମଗ୍ର ଆକାଶ ଯେପରି ତା ମୁଣ୍ଡରେ ହସି ପଡିଲା ଭଳି ଲାଗିଲା।ସେ ଯାହାକୁ ତା ପିଲାବେଳୁ ଭଲ ପାଉଥିଲା,ଯାହାକୁ ତା ମନ କଥା କହିବାକୁ ଏତେ ବର୍ଷ ଅପେକ୍ଷା କରିଥିଲା,ସେ ଆଜି ତା ଆଖି ସାମ୍ନାରେ ତା'ର ଅନ୍ତିମ ନିଶ୍ୱାସ ଗଣୁଥିଲା।ଯେତେବେଳେ ଦେବ ପାଖକୁ ଫୋନ ଆସିଥିଲା ସେ କଲ ଆଉ କେହି ନୁହେଁ ସୋନାର ବାପାଙ୍କର ଥିଲା।ସୋନା ପାର୍କକୁ ଆସୁଥିବା ସମୟରେ ଏକ ଟ୍ରକ ସହ ଧକ୍କା ହୋଇଯାଇଥିଲା।ଦେବ ସୋନା ପାଖକୁ ଗଲା ଓ ସୋନା ଦେବକୁ ଦେଖି କିଛି କହିବାକୁ ଚାହୁଁଥିଲା କିନ୍ତୁ କିଛି କହିବା ପୂର୍ବରୁ ସେ ତା ଆଖି ବୁଜିଦେଲା।
ସୋନା ସମସ୍ତଙ୍କୁ ଛାଡ଼ି ଚାଲିଗଲା।ଦେବକୁ ଛାଡ଼ି ଚାଲିଗଲା।ଦେବ ଧରିଥିବା ଗୋଲାପ ଫୁଲକୁ ସୋନାର ମୃତ ଶରୀର ଉପରେ ରଖିଦେଲା ଓ ସୋନା ହାତରେ ଗୋଟେ ଗୋଲାପ ସହ ଚିଠି ଦେଖିଲା ଯାହା ରକ୍ତରେ ଓଦା ହୋଇଯାଇଥିଲା।ଦେବ ତା ଆଖିର ଲୁହକୁ ଅଟକାଇ ପାରୁନଥିଲା।ବହୁତ କଷ୍ଟରେ ସେ ଚିଠି ଟିକୁ ଖୋଲି ପଢିବାକୁ ଆରମ୍ଭ କଲା "ମୁଁ ତୁମକୁ କହିବାକୁ ଚାହେଁ ଯେ ମୁଁ ତୁମକୁ ବହୁତ ଭଲ ପାଏ।ମୁଁ ବହୁତ ଥର ତୁମକୁ କହିବାକୁ ଚେଷ୍ଟା କରିଛି କିନ୍ତୁ ମୁଁ କହିପାରିନି।କାରଣ ମୁଁ ଡରୁଥିଲି କାଳେ ତୁମେ ମୋ ସହ ସମସ୍ତ ସମ୍ପର୍କ କାଟିଦେଵ।ଯଦି ମୁଁ କିଛି ଭୁଲ କରିଛି ତାହାଲେ ମୋତେ କ୍ଷମା କରିଦେବ,କିନ୍ତୁ ମୁଁ ତୁମକୁ ସତ କହିବାକୁ ଚାହୁଁଥିଲି।" ଚିଠି ଟିକୁ ପଢି ସାରିବା ପରେ ଦେବ୍ ତା ଆଖିର ଲୁହକୁ ଅଟକାଇ ପାରିଲା ନାହିଁ।ସୋନାକୁ ଧରି ବହୁତ୍ ଜୋରେ କାନ୍ଦିବାକୁ ଲାଗିଲା।

