Etishree Jana

Romance Tragedy

4.0  

Etishree Jana

Romance Tragedy

ଚିତ୍ରକାର

ଚିତ୍ରକାର

6 mins
209


ମୁମ୍ବାଇର ଜଣାଶୁଣା ଏକ ବଡ ମ୍ୟୁଜିଅମରେ ଚିତ୍ର ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ସେଠାକୁ ବହୁତ ଦୂର ଦୂରାନ୍ତରୁ ଲୋକ ଆସି ସାମିଲ ହୋଇଥିଲେ । ବଡ଼ ବଡ଼ ଚିତ୍ରକାର, ସେଲିବ୍ରେଟି,ବ୍ୟବସାୟୀ, ସାମ୍ବାଦିକ ଇତ୍ୟାଦି ସେଠାରେ ଉପସ୍ଥିତ ହୋଇଥିଲେ । ସେଠାରେ ଲଗାଯାଇଥିବା ଚିତ୍ର ଗୁଡ଼ିକ ଜୀବନ୍ତ ପ୍ରତିମା ପରି ପ୍ରତୀୟମାନ ହେଉଥିଲା । ତା’ର କାରିଗରୀ ମଧ୍ୟ୍ୟ ଆଶ୍ଚର୍ଯ୍ୟ ଜନକ ଥିଲା । ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକ ସେହି ଚିତ୍ରକଳାକୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ଏପରି ଲାଗୁଥିଲା ଯେପରି ସେମାନେ କେଉଁ ଅଜଣା ରାଜ୍ୟକୁ ଚାଲିଯାଇଛନ୍ତି । ଏପରି ସ୍ଥାନ କେବେ ମର୍ତ୍ତ ପୁରରେ ନ ହୋଇପାରେ!ଏପରି ଚିତ୍ର ଆଙ୍କିବା ଏକ ସାଧାରଣ ମଣିଷ ପକ୍ଷେ ସମ୍ଭବ ନୁହେଁ । ସେ ନିଶ୍ଚୟ କେଉଁ କାରିଗରୀ ଦେବତା ହୋଇଥିବେ,ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକ ସେହି ଚିତ୍ରକଳାର ଚିତ୍ରକାରଙ୍କ ବିଷୟରେ ଚର୍ଚ୍ଚା କରୁଥିଲେ ।


ସେଥିମଧ୍ୟରୁ ଜଣେ ବ୍ୟକ୍ତି କହିଲେ-ସଞ୍ଜୟ ସାର ଜଣେ ଏତେ ବଡ଼ ଚିତ୍ରକାର । ତାଙ୍କ ଚିତ୍ର କିଣିବାକୁ କାହିଁ କେତେ ଦୂରରୁ ଲୋକେ ଆସିଛନ୍ତି,ହେଲେ ତାଙ୍କର ଏତେ ବଡ଼ ସଫଳତା ପାଇଁ ସେ ଏପର୍ଯ୍ୟନ୍ତ ଆସିନାହାନ୍ତି ।

ଅନ୍ୟଜଣେ କହିଲେ-ତାଙ୍କୁ ଏପର୍ଯ୍ୟନ୍ତ କେହି ଦେଖି ନାହାନ୍ତି । ମୁଁ ଯେତିକି ତାଙ୍କ ବିଷୟରେ ପଢ଼ିଛି,ତାଙ୍କୁ ଲୋକ ଗହଳି ପସନ୍ଦ ନୁହେଁ । ସେ କୌଣସି ପାର୍ଟି ଫଙ୍ଗସନକୁ ଯିବା ପସନ୍ଦ କରନ୍ତି ନାହିଁ । ସେ ନିଜକୁ ସବୁବେଳେ ଲୁଚାଇ ରଖିବାକୁ ପସନ୍ଦ କରନ୍ତି । ଲାଇକ ଏ mysterious man.ସେଥିପାଇଁ ଲୋକେ ତାଙ୍କୁ “Mystery artist”କୁହନ୍ତି । ମୁଁ ଏକଥା ମଧ୍ୟ ଶୁଣିଛି ଯେଉଁଠି ଲୋକେ ତାଙ୍କ ଚିତ୍ର ପାଇଁ ପାଗଳ ହୁଅନ୍ତି ସେଇଠି ତାଙ୍କର ଆଜି ପର୍ଯ୍ୟନ୍ତ ଆଙ୍କିଥିବା ଚିତ୍ର ମଧ୍ୟରୁ କୌଣସିଟି ତାଙ୍କ ବେଷ୍ଟ ଚିତ୍ର ନୁହେଁ ।


ସନ୍ଧ୍ୟା କାଳୀନ ସମୟ । ଆକାଶରେ ତାରାମାନେ ମିଞ୍ଜି ମିଞ୍ଜି ଆଲୋକରେ ସମଗ୍ର ଆକାଶକୁ ଆଲୋକିତ କରିବାରେ ଆଗଭର । ପକ୍ଷୀମାନେ ଦିନର କାର୍ଯ୍ୟସାରି ନିଜ ଗୃହ ନିମିତ୍ତ ଯିବାପାଇଁ ବ୍ୟାକୁଳିତ ହେଉଥିଲେ । କିନ୍ତୁ ସଞ୍ଜୟ ସମୁଦ୍ର କୂଳରେ ବସି କିଛି ଚିନ୍ତା କରୁଥିଲେ । ସେ ସ୍ଥିର ଚିତ୍ତରେ ବସିଥିଲେ ମଧ୍ୟ ତାଙ୍କ ହୃଦୟ ଅସ୍ଥିର ଭାବରେ ଚିତ୍କାର କରୁଥିଲା । କାହିଁକି...?କାହିଁକି ସେ ତାଙ୍କ ବେଷ୍ଟ ଚିତ୍ର ଆଙ୍କି ପାରୁନାହାନ୍ତି । କାହିଁକି ସ୍ୱପ୍ନରେ ଦେଖିଥିବା ଛବି ସବୁବେଳେ ଅଧୁରା ରହିଯାଉଛି...?ପ୍ରତିଦିନ ସ୍ୱପ୍ନରେ ଦେଖୁଥିବା ଛବିଟି କାହାର...?କାହିଁକି ସେ ଛବିକୁ ବାରମ୍ବାର ସ୍ୱପ୍ନରେ ଦେଖୁଛନ୍ତି...?ସେ ଛବି ସହିତ ତାଙ୍କର କି ସମ୍ପର୍କ...?ସେ ସ୍ୱପ୍ନରେ ଦେଖୁଥିବା ଛବିକୁ ଏକ ଚିତ୍ରରେ ପରିବର୍ତ୍ତିତ କରିବାକୁ ଚାହୁଁଛନ୍ତି,ଯାହା ତାଙ୍କର ବେଷ୍ଟ ଚିତ୍ର କୁହାଯିବ । କିନ୍ତୁ ଯେତେବେଳେ ସେ ଚିତ୍ର ଆଙ୍କିବାକୁ ଚେଷ୍ଟା କରୁଛନ୍ତି ସର୍ବଦା ସେ ଅଧୁରା ହୋଇ ରହିଯାଉଛି । ସେହି ଚିତ୍ରଟି ଆଙ୍କିବାକୁ ଯାଇ ସଞ୍ଜୟ କେତେ ଯେ ଦିନ ଭୋକ ଶୋଷ ଭୁଲି ଅନିଦ୍ରା ରହିଛନ୍ତି ତାହା କହିବା ମୁସ୍କିଲ ହେବ । କିନ୍ତୁ ପ୍ରତିଥର ପରି ତାଙ୍କ କୋଠରୀରୁ ଅଧା ତିଆରି ଚିତ୍ର ଓ କ୍ୟାନଭସର କିଛି ଟୁକୁଡ଼ା ହିଁ ପ୍ରାପ୍ତ ହୋଇଥାଏ ।


ଦିନେ ସଞ୍ଜୟ ତାଙ୍କ କୋଠରୀରେ ଠିଆ ହୋଇ ବୋର୍ଡ଼ ଉପରେ ଲାଗିଥିବା କ୍ୟାନଭସରେ ରଙ୍ଗ ଓ ତୁଳୀ ଧରି ସେହି ଛବିକୁ ଆଙ୍କିବାକୁ ଚେଷ୍ଟା କଲେ । କେତେବେଳେ ତୁଳୀରେ ରଙ୍ଗ ଦେଉଥିଲେ ତ କେତେବେଳେ ହାତରେ ରଙ୍ଗ ଦେଉଥିଲେ । ଏହିପରି ସେହି କୋଠରୀରେ ଚାରି ଘଣ୍ଟା ବିତାଇବା ପରେ ସେ କୋଠରୀର କବାଟ ଫିଟାଇ ବାହାରକୁ ଆସିବାକୁ ହୁଅନ୍ତେ ସାମ୍ନାରେ ପ୍ରଣୟଙ୍କୁ ଦେଖି କିଛି ସମୟ ରହିଗଲେ ପୁନଃ ତାଙ୍କୁ ଉପେକ୍ଷା କରି ସେଠାରୁ ଯିବାକୁ ଲାଗିଲେ ।


ମୋତେ ଏପରି ଉପେକ୍ଷା କଲେ ସତ କେବେ ବଦଳିବ ନାହିଁ । କେତେଦିନ ନିଜକୁ ଏପରି ଅନ୍ଧାରରେ ରଖିବୁ...?କେତେଦିନ ଏକ ଅବାସ୍ତବ ଛବିକୁ ବାସ୍ତବର ନାମ ଦେବୁ...?ଦେଖ ମୁଁ ତୋ ବନ୍ଧୁ,ମୁଁ ସବୁବେଳେ ତୋ ଭଲ ଚିନ୍ତା ହିଁ କରିବି । ଏକ ସ୍ୱପ୍ନକୁ ସତ ଭାବି ନିଜର ସର୍ବସ୍ବ ହରାଇବାର ଅର୍ଥ କ’ଣ ହୋଇପାରେ...?ତୁ ଯେଉଁ ଛବିକୁ ବାସ୍ତବ ଭାବୁଛୁ ତାହା ପ୍ରକୃତରେ ତୋ ଭ୍ରମ, ଏକ ମରୀଚିକା,ପ୍ରଣୟ ସଞ୍ଜୟଙ୍କୁ ବୁଝାଇବାକୁ ଯାଇ କହିଲେ ।

ସେ ମୋ ଭ୍ରମ ନୁହେଁ,ସେ ବାସ୍ତବ । ତାହା ମୁଁ ଅନୁଭବ କରିଛି । ମୁଁ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ସେ ଛବି ମୋତେ ଶୋଇବାକୁ ଦେଉନାହିଁ । ଯେପରି ସେ ମୋତେ କିଛି କହିବାକୁ ଚେଷ୍ଟା କରୁଛି । କିନ୍ତୁ ଯେତେବେଳେ ସେ ସ୍ୱପ୍ନକୁ ମୁଁ ଚିତ୍ରରେ ସ୍ଥାନ ଦେବାକୁ ଚେଷ୍ଟା କରୁଛି ସେତେବେଳେ ସେ ଛବି ଧୀରେଧୀରେ ଅସ୍ପଷ୍ଟ ହେଇଯାଉଛି । ତୁ ଦେଖିବୁ ଦିନେ ନା ଦିନେ ସେ ଚିତ୍ର ମୁଁ ନିଶ୍ଚୟ ପୁରା କରିବି,ସଞ୍ଜୟ ପ୍ରଣୟଙ୍କୁ କହିଲେ । କିଛି ସମୟ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା,ତାକୁ କଥାବାର୍ତ୍ତା କହିବା ଭୁଲ ହେବ । ଦୁହିଁଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ଚାଲିବା ପରେ ପ୍ରଣୟ ସେଠାରୁ ଚାଲିଗଲେ ଓ ସଞ୍ଜୟ ଶୋଇବା ନିମିତ୍ତ ତାଙ୍କ କୋଠରୀକୁ ।

ମଧ୍ୟ ରାତ୍ରିର ସମୟ । ଚତୁର୍ଦିଗ ନିଶବ୍ଦ ଅନ୍ଧକାର । ହଠାତ ସଞ୍ଜୟ ଶେଜରୁ ଉଠି ବସି ପଡିଲେ । କିଛି ଗୋଟେ ଚିନ୍ତାକରି ଧାଇଁ ଗଲେ ସେହି କୋଠରୀ ମଧ୍ୟକୁ । ସେହି କୋଠରୀ ଯେଉଁଠାରେ ତାଙ୍କ ଜୀବନ ଆରମ୍ଭ ହୋଇଥିଲା । ସେହି କୋଠରୀ ଯେଉଁଠାରେ ସେ ତାଙ୍କ ପ୍ରଥମ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ସେ କେବଳ ଏକ ସାଧାରଣ କୋଠରୀ ନୁହେ,ତାହା ହେଉଛି ତାଙ୍କ ସ୍ୱପ୍ନର ଦୁନିଆ ଏକ ବାସ୍ତବ ପ୍ରେମ ।


ଦୀର୍ଘ ଚାରିଦିନ ପରେ ସଞ୍ଜୟ ବ୍ୟସ୍ତ ବିବ୍ରତ ହୋଇ ପ୍ରଣୟଙ୍କୁ ଫୋନ ଲଗାଇ ଶୀଘ୍ର ତାଙ୍କ ଘରକୁ ଆସିବାକୁ କହିଲେ । ସଞ୍ଜୟଙ୍କୁ ଏପରି ବ୍ୟସ୍ତ ଥିବାର ଦେଖି ପ୍ରଣୟ ସମୟ ନଷ୍ଟ ନକରି ଧାଇଁ ଗଲେ ସଞ୍ଜୟଙ୍କ ଘରକୁ । ସଞ୍ଜୟଙ୍କୁ ତାଙ୍କ କୋଠରୀରେ ନ ପାଇ ସେ ଆହୁରି ବ୍ୟସ୍ତ ହୋଇପଡିଲେ । ଏଣେ ତେଣେ ଖୋଜିବା ପରେ କିଛି ଗୋଟେ ଚିନ୍ତା କରି ଧାଇଁ ଗଲେ ସେହି ବନ୍ଦ କୋଠରୀ ନିକଟକୁ । କୋଠରୀ ଭିତରକୁ ଯିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଗଲେ,ସାମ୍ନାରେ ସଞ୍ଜୟ ଲୋତକ ପ୍ଲାବିତ ନୟନରେ ପ୍ରଣୟଙ୍କୁ ଦେଖୁଥିଲେ । ସଞ୍ଜୟ ଚାରିଦିନ ଧରି ଲଗାତାର ଚିତ୍ର କରିବାରେ ବ୍ୟସ୍ତ ଥିବାରୁ ବିନା ଖାଦ୍ୟ ଓ ଜଳରେ ସେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲେ । ତାଙ୍କ କେଶ ଓ ପୋଷାକ ଅସ୍ତବ୍ୟସ୍ତ ଅବସ୍ଥାରେ ଥିଲା । ପ୍ରଣୟ କିଛି କହିବାକୁ ହୁଅନ୍ତେ ସଞ୍ଜୟ କହିଲେ- ସେ ପୁରା ହୋଇଗଲା ମୋ ବନ୍ଧୁ । ପ୍ରଣୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ-କିଏ ପୁରା ହୋଇଗଲା...?ସେହି ଛବି ଯାହାକୁ ମୁଁ ଏତେଦିନ ଧରି ଆଙ୍କିବାକୁ ଚେଷ୍ଟା କରୁଥିଲି,ସଞ୍ଜୟ କ୍ୟାନଭସରେ ଅଙ୍କିତ ଚିତ୍ର ଦେଖାଇ କହିଲେ । ପ୍ରଣୟ ଅଙ୍କିତ ଚିତ୍ର ଦେଖି ସ୍ତବ୍ଧ ହୋଇଗଲେ । Wow! She is so beautiful.ଏପରି ସୁନ୍ଦର ଚିତ୍ର ମୁଁ ମୋ ଜୀବନରେ କେବେ ଦେଖିନାହିଁ । ଇଏ ତ ଆଶ୍ଚର୍ଯ୍ୟ ଜନକ କାରିଗରୀ ଅଟେ । ଏପରି ମନେ ହେଉଛି ଯେପରି କୌଣସି ଅପ୍ସରୀ ଏଠାରେ ସ୍ୱୟଂ ପ୍ରକଟିତ ହୋଇଛି । ଏପରି ସୁନ୍ଦରୀ ତ କେବଳ କାଳ୍ପନିକ ହୋଇପାରେ ।


ନା ସେ କାଳ୍ପନିକ ନୁହେଁ । ସେ ବାସ୍ତବ । ମୁଁ ଏ ଝିଅକୁ କାହିଁ କେତେ କାଳରୁ ଭଲ ପାଇଛି । ଜେବେଠୁ ମୁଁ ଏ ଝିଅକୁ ମୋ ସ୍ୱପ୍ନରେ ଦେଖିଛି ସେବେଠୁ ଭଲ ପାଉଛି । ଏ ଝିଅର ଚିତ୍ର ଆଙ୍କିବା ସମୟରେ ମୋ ପ୍ରେମ ତା’ ପ୍ରତି ଦ୍ୱିଗୁଣିତ ହୋଇଯାଇଛି । ମୁଁ ଏ ଚିତ୍ର ମାଧ୍ୟମରେ ତାକୁ ଖୋଜିବାକୁ ଚାହେଁ ଓ ସବୁଦିନ ନିଜର କରିବାକୁ ଚାହଁ । ତେବେ ଯାଇ ଏ ଚିତ୍ର ମୋ ଜୀବନର ବେଷ୍ଟ ଚିତ୍ର ହେବ,ସଞ୍ଜୟ କହିଲେ ।


ସଞ୍ଜୟଙ୍କ ଏପରି ପାଗଳାମି ଦେଖି ପ୍ରଣୟ କହିଲେ- ତୋତେ ଏ ଝିଅର ନୁହେଁ ତୋତେ ଗୋଟେ ସାଇକାଟ୍ରିକର ଆବଶ୍ୟକ ଅଛି । ସେତେବେଳେ ଏ ଝିଅର ଚିତ୍ର ଆଙ୍କିବାକୁ ପାଗଳ ହେଉଥିଲୁ ଏବେ ଏ ଝିଅ ପାଇଁ ପାଗଳ ହେଉଛୁ । ଏ ଝିଅ ବାସ୍ତବ ନୁହେଁ କେବଳ ଏକ କଳ୍ପନା ।

ନା,ସେ ଝିଅ ବାସ୍ତବ କୌଣସି କଳ୍ପନା ନୁହେଁ । ତୁ ଦେଖିବୁ ଏ ଝିଅ ମୋତେ ନିଶ୍ଚୟ ପ୍ରାପ୍ତ ହେବ । ଏହା ଏକ ଚିତ୍ରକାରର ଅବାସ୍ତବ ସ୍ୱପ୍ନର ବାସ୍ତବ ପ୍ରେମ,ସଞ୍ଜୟ କହିଲେ ।


ଧୀରେଧୀରେ ସଞ୍ଜୟଙ୍କର ସେ ଝିଅ ପ୍ରତି ପାଗଳାମି ବଢିବାକୁ ଲାଗିଲା । ସେ ବାସ୍ତବ ଓ ଅବାସ୍ତବ ମଧ୍ୟରେ ଫରକ ବୁଝିବାକୁ ଅସମର୍ଥ ହେବାକୁ ଲାଗିଲେ । ସେ ପାଗଳ ପରି ସେହି ଝିଅକୁ ଏଣେତେଣେ ଖୋଜିବାକୁ ଲାଗିଲେ । ଧୀରେଧୀରେ ସେ ତାଙ୍କ ମାନସିକ ଭାରସାମ୍ୟ ହରାଇବାକୁ ଲାଗିଲେ । ପ୍ରଣୟ ସଞ୍ଜୟଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କୁ ଏକ ସାଇକାଟ୍ରିକଙ୍କ ପାଖକୁ ନେବାକୁ ଲାଗିଲେ । ଏପରି କିଛିଦିନ ବିତିଗଲା । ସଞ୍ଜୟ ଧୀରେଧୀରେ ସୁସ୍ଥ ହେବାକୁ ଲାଗିଲେ । କିନ୍ତୁ ସେ ସେହି ଛବି ରୂପକ ଝିଅକୁ ଭୁଲିପାରୁ ନଥିଲେ ।


ଦିନେ ସନ୍ଧ୍ୟାରେ ସଞ୍ଜୟ ଓ ପ୍ରଣୟ ଏକ କାଫେରେ ବସି ବାହାରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ କଫିର ମଜା ନେଉଥିଲେ । ହଠାତ ସଞ୍ଜୟଙ୍କ ନଜର ପଡିଲା ସାମ୍ନାରେ ବସିଥିବା ଝିଅଟି ଉପରେ । ସେ କିଛି ସମୟ ସ୍ତବ୍ଧ ହୋଇଗଲେ । ସେ ଯେଉଁ ସ୍ୱପ୍ନକୁ ଚିତ୍ରର ସ୍ଥାନ ଦେଇଥିଲେ,ସେ ଯାହାକୁ ଭଲପାଇ ବସିଥିଲେ,ସେ ଯାହାକୁ ପାଗଳ ପରି ଖୋଜୁଥିଲେ ସେ ଆଜି ତାଙ୍କ ଆଖି ସାମ୍ନାରେ । ଝିଅଟି ମଧ୍ୟ ସଞ୍ଜୟଙ୍କୁ ଏକ ଲୟରେ ଦେଖୁଥିଲା । ସଞ୍ଜୟ ସମୟ ନଷ୍ଟ ନକରି ଧାଇଁଗଲେ ସେ ଝିଅ ନିକଟକୁ । ତାଙ୍କ ବ୍ୟାଗରୁ ଚିତ୍ରଟି ବାହାରକରି ସେହି ଝିଅଟିକୁ ଧରାଇ ଦେଇ କହିଲେ-ମୁଁ ଜାଣେନାହିଁ ତୁମେ ମୋ କଳ୍ପନା ନା ବାସ୍ତବତା । କିନ୍ତୁ ତୁମେ ମୋ ସ୍ୱପ୍ନ ସୁନ୍ଦରୀ । ତୁମକୁ ସ୍ୱପ୍ନରେ ଦେଖିବା ପରଠୁ ତୁମକୁ ଆଙ୍କିବାକୁ ଲାଗିଲି ଆଙ୍କିବା ପରେ ତୁମକୁ ଭଲପାଇ ବସିଲି । ତୁମକୁ କାଳ୍ପନିକ କହି ମୋତେ ପାଗଳ ସାବ୍ୟସ୍ତ କରାଯାଇଛି । ବୋଧହୁଏ ସେମାନେ ଠିକ ମୁଁ ପାଗଳ ହୋଇଯାଇଛି,ଏକ କାଳ୍ପନିକ ଚିତ୍ରକୁ ମୁଁ ଏବେବି ବାସ୍ତବ ଚିନ୍ତାକରି କଥା ହେଉଛି ।


ଏତିକି କହି ସଞ୍ଜୟ ସେଠାରୁ ଯିବାକୁ ହୁଅନ୍ତେ ଝିଅଟି ସଞ୍ଜୟଙ୍କ ହାତ ଧରି କହିଲା-ଯଦି ମୁଁ କାଳ୍ପନିକ ତୁମେ ମଧ୍ୟ ମୋ ପାଇଁ କାଳ୍ପନିକ ।ଯେବେଠୁ ତୁମକୁ ମୋ ସ୍ୱପ୍ନରେ ଦେଖିଛି ସେବେଠୁ ତୁମକୁ ମୁଁ ଭଲପାଇ ବସିଛି । ତୁମେ ମୋ ସ୍ୱପ୍ନର ରାଜକୁମାର । ପାଗେଳିଙ୍କ ପରି ମୁଁ ମଧ୍ୟ ତୁମକୁ ଖୋଜିଛି । ଯେପରି ତୁମକୁ ପାଗଳ ସାବ୍ୟସ୍ତ କରାଯାଇଛି ମୋତେ ମଧ୍ୟ ପାଗେଳି ସାବ୍ୟସ୍ତ କରାଯାଇଛି । ମୁଁ ଚିତ୍ରକାର ତ ନୁହେଁ କିନ୍ତୁ ମୋ ସ୍ୱପ୍ନରେ ଦେଖିଥିବା ପୁରୁଷଙ୍କୁ ମୁଁ ଚିତ୍ରର ରୂପ ଦେଇଛି । ଝିଅଟି ଅଶ୍ରୁପୂର୍ଣ ନୟନରେ ତା ବ୍ୟାଗରୁ ଏକ ଚିତ୍ର ବାହାରକରି ସଞ୍ଜୟ ହାତକୁ ଧରାଇଦେଲା । ସଞ୍ଜୟ ଚିତ୍ରରେ ନିଜ ଛବି ଦେଖି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଗଲେ । ପରେ କିଛି ଚିନ୍ତାକରି ସ୍ମିତହାସ୍ୟ ସହ ସେହି ଝିଅଟିକୁ ଆଲିଙ୍ଗନ କଲେ । ବୋଧହୁଏ ତାଙ୍କୁ ତାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇଥିଲା ।


ଆଜି ତାଙ୍କ ସ୍ୱପ୍ନ ସତ ହୋଇଛି,ତାହା କୌଣସି ପରି ରାଇଜର କଳ୍ପିତ ଚିତ୍ର ନୁହେଁ ତାହା ବାସ୍ତବ । ସେ ଚିତ୍କାର କରି କହିବାକୁ ଚାହୁଁଥିଲେ,ତାଙ୍କୁ ତାଙ୍କ ଜୀବନର ବେଷ୍ଟ ଚିତ୍ର ମିଳିଯାଇଛି ଯାହାକୁ ସେ କାହିଁ କେତେ କାଳରୁ ଖୋଜୁଥିଲେ । ଯାହା ଏକ ଚିତ୍ରକାରର ଅବାସ୍ତବ ସ୍ୱପ୍ନର ବାସ୍ତବ ପ୍ରେମ ।



Rate this content
Log in

Similar oriya story from Romance