ମିଳନ ହୃଦୟର
ମିଳନ ହୃଦୟର
ଆଦ୍ୟ ପୌଷ।
ପ୍ରଚଣ୍ଡ ଶୀତର ଦାଉ ସମଗ୍ର ଉତ୍ତରାଖଣ୍ଡକୁ ବାଘପରି ମାଡି ବସିଥିଲା।ଧୀରେଧୀରେ କୁହୁଡି ରାସ୍ତାରୁଦ୍ଧ କରିବାକୁ ଲାଗିଲା।ସମସ୍ତେ ନିଜନିଜ ଘରକୁ ଫେରିବାକୁ ଲାଗିଲେ,କିନ୍ତୁ ରଜତ ଏକ ପାହାଡ଼ ଉପରେ ବସି ଲୋତକ ପ୍ଳାବିତ ନୟନରେ କିଛି ଗୁଣୁଗୁଣୁ ହେଉଥିଲେ।ଆଖିରୁ ଲୁହଗୁଡିକ ଧାରଧାର ହୋଇ ଭୂମିସ୍ପର୍ଶ କରୁଥିଲା।କେତେବେଳେ ସେ କୁଞ୍ଚୁକୁଞ୍ଚିଆ ପାହାଡକୁ ଦେଖୁଥିଲେ ତ କେତେବେଳେ ଖୋଲା ଆକାଶକୁ ଚାହିଁ ନିଜର ହାତ ଦୁଇଟିକୁ ପ୍ରସାରିତକରି ରିୟାଙ୍କ ଉପସ୍ଥିତିକୁ ଅନୁଭବ କରୁଥିଲେ।ରିୟା ପାଞ୍ଚବର୍ଷ ପୂର୍ବେ ମରିସାରିଥିଲେ ମଧ୍ୟ ରଜତଙ୍କ ଆଖିରେ ସେ ଏବେବି ଜୀବିତ;ସେ ପ୍ରତି ମୁହୂର୍ତ୍ତରେ ରିୟାଙ୍କୁ ଅନୁଭବ କରିପାରିଥିଲେ।ନା ବର୍ତ୍ତମାନର ଚିନ୍ତା ନା ଆଗତ ଭବିଷ୍ୟତର ଚିନ୍ତା,ସେ କେବଳ ରିୟାକୁ ଅପେକ୍ଷା କରିଥିଲେ।
ଆମେ ପରସ୍ପର ସହିତ ପ୍ରତିଜ୍ଞାବଦ୍ଧ ହୋଇ ସ୍ବପ୍ନର ଏକ ସୁନ୍ଦର ମହଲ ଗଢିବାରେ ବ୍ୟସ୍ତ ଥିବା ସମୟରେ ଯେପରି ଏକ ଜଳରାଶି କ୍ଷଣିକ ମଧ୍ୟରେ ସମଗ୍ର ସଂସାରକୁ ଧ୍ୱଂସ କରିଦିଏ,ସେହିପରି ତୁମର ଅନୁପସ୍ଥିତି ଆମର ସ୍ୱପ୍ନର ମହଲକୁ କ୍ଷଣିକରେ ଭାଙ୍ଗିରୁଚି ଚୁର୍ମାର କରିଦେଲା।ତୁମେ ଦିନେ ଏହି ସ୍ଥାନରେ ମୋ ହାତଛାଡି କେଉଁ ଅଜଣା ରାଜ୍ୟକୁ ପଥଭ୍ରଷ୍ଟା ହୋଇ ଚାଲିଯାଇଥିଲ,କାଳେ ପୁନଃ ଏଠାକୁ ଫେରିଆସିବ ସେଥିପାଇଁ ତୁମ ଆଗମନକୁ ଚାତକପରି ଚାହିଁରହିଛି,ରଜତ ଏକାଏକା ନିଜସହ କଥା ହେଉଥିଲେ।
ରାତ୍ରିର ଆଗମନ ଓ ଶୀତର ଦାଉ ବଢିଯିବା ହେତୁ ରଜତ ଘର ଅଭିମୁଖେ ଅଗ୍ରସର ହେଲେ।ସେ ତାଙ୍କ ଘରକୁ ସେପରି ସଜାଇ ରଖିଥିଲେ ଯେପରି ରିୟା ସବୁବେଳେ ରଖୁଥିଲେ,କାରଣ ସେ ରିୟାଙ୍କ ସ୍ମୃତିକୁ ଜୀବନ୍ତ ରଖିବାକୁ ଚାହୁଁଥିଲେ।ରିୟା ଜଣେ ପ୍ରସିଦ୍ଧ ଲେଖିକା ଥିଲେ।ସେ ଅନେକ ପୁସ୍ତକ ସଂକଳିତ କରିଥିଲେ ଓ ତାଙ୍କର ଦୁଇଟି ପୁସ୍ତକ ଖୁବ ଲୋକପ୍ରିୟ ଥିଲା,ସେଥିପାଇଁ ସେ ଅନେକ ପ୍ରଶଂସିତ ମଧ୍ୟ ହୋଇଥିଲେ।ରଜତଙ୍କୁ ତାଙ୍କ ନିଜ ନାଁରେ ଯେତିକି ଜାଣିନଥିଲେ ରିୟାଙ୍କ ସ୍ୱାମୀଙ୍କ ନାଁରେ ସମସ୍ତେ ଜାଣିଥିଲେ କିନ୍ତୁ ରଜତଙ୍କ ମନରେ ଟିକିଏ ମଧ୍ୟ ସଙ୍କୋଚ ନଥିଲା;ସେ ତାଙ୍କ ସ୍ତ୍ରୀଙ୍କ ନାଁରେ ପରିଚିତ ହୋଇ ବେଶ ଖୁସିଥିଲେ,କାରଣ ଦୁହେଁ ଦୁଇଟି ଶରୀର ହୋଇଥିଲେ ମଧ୍ୟ ଗୋଟିଏ ଆତ୍ମା।
ଶୀତର ତାଳେତାଳ ଶୀତଳ ପବନ ଝରକା ଫାଙ୍କଦେଇ ଘର ଭିତରକୁ ପ୍ରବେଶ କରୁଥିଲା।ପ୍ରଚଣ୍ଡ ଶୀତ ଓ ଭାରି ପବନ ମଧ୍ୟରେ ରଜତ ଗରମ ଚାହା ସହିତ ବାହାରର ଦୃଶ୍ୟକୁ ଦେଖୁଥିଲେ।ଝରକା କବାଟ ଧାରଦେଇ ଠୋପା ଠୋପା ହୋଇ ପଡୁଥିବା କାକର ବୁନ୍ଦା ତାଙ୍କ ମନରେ ସାଇତା ଥିବା କିଛି ଅକୁହା ସ୍ମୃତିକୁ ଧୀରେଧୀରେ ଖୋଲିବାକୁ ଲାଗିଲା।ରଜତ ଓ ରିୟାଙ୍କ ବିବାହକୁ ଅଳ୍ପ କିଛିଦିନ ବାକିଥିଲା।ଦୁହେଁ ତାଙ୍କ ବିବାହକୁ ନେଇ ବହୁତ ଖୁସିଥିଲେ।
ରଜତ ତୁମେ ଯଦି ସବୁଦିନ ମୋ ମନ ପସନ୍ଦର ତୁମ ହାତ ତିଆରି ଅଦା ଗୋଲମରିଚ ମିଶା ଚାହା ତିଆରିକରି ପିଇବାକୁ ଦେବ ତାହାଲେ ମୁଁ ତୁମକୁ ବିବାହ କରିବିନହେଲେ ବିବାହ କ୍ୟାନସେଲ,ରିୟା ରଜତଙ୍କୁ ଚିଡାଇବାକୁ ଯାଇ କହିଲେ।ରଜତ ସ୍ମିତହାସ୍ୟ ଦେଇ ତାଙ୍କ କଥାକୁ ନୀରବରେ ଶୁଣି ତାଙ୍କ କଥାରେ ହଁ ଭରିଲେ।ତାହାଲେ ଆମ ବିବାହ ପକ୍କା,ରିୟା ହସିଦେଇ କହିଲେ।
ରଜତ ତାଙ୍କ ଭାବନା ରାଜ୍ୟରୁ ଫେରିଆସି କହିଲେ-ଆଜି ମୋ ପାଖରେ ମୋ ହାତ ତିଆରୀ ତୁମର ସେ ସ୍ପେଶାଲ ଚାହା ଅଛି ଯାହାକୁ ତୁମେ ପିଇସାରି କହୁଥିଲ-ରଜତ,ତୁମ ହାତରୁ ସ୍ପେଶାଲ ଚାହା ସହିତ ତୁମ କୋଳରେ ମଥାରଖି ବହି ପଢିବାରେ ଯେଉଁ ଆନନ୍ଦ ତାହା ଆଉ କେଉଁଠାରେ ମଧ୍ୟ ନାହିଁ;ହେଲେ ସେହି ଚାହାକୁ ସେୟାର କରିବାକୁ ଆଜି ତୁମେ ମୋ ପାଖରେ ନାହଁ।ଏସବୁ କହୁଥିବା ସମୟରେ ତାଙ୍କ ଆଖିରୁ ଲୁହଗୁଡିକ ଅସରନ୍ତି ଜଳଭଣ୍ଡାର ସଦୃଶ୍ୟ ଏକ ଧାରରେ ଝରିବାକୁ ଲାଗିଲା।ସେତିକିବେଳେ ତାଙ୍କ ନଜର ପଞ୍ଜୁରୁ ମଧ୍ୟରେ ଥିବା ଶୁଆ ଉପରେ ପଡ଼ିଲା,ତାକୁ ଖାଦ୍ୟ ଦିଆଯାଇଥିଲେ ମଧ୍ୟ ସେ ତାହା ଗ୍ରହଣ କରୁନଥିଲା।
ମୁଁ ଜାଣେ ତୁ ମଧ୍ୟ ମୋ ପରି ରିୟାଙ୍କୁ ମନେମନେ ଝୁରି ହେଉଛୁ।ସେ ତୋତେ ନିଜ ସନ୍ତାନପରି ଲାଳନ ପାଳନ କରୁଥିଲେ କିନ୍ତୁ ସେ ଆଜି ଆମ ଗହଣରେ ନାହାନ୍ତି, ସେଥିପାଇଁ ତୋତେ ନିଜର ଯତ୍ନ ନେବା ଆବଶ୍ୟକ।ଯେତେବେଳେ ସେ ଫେରିଆସିବେ ଓ ତୋତେ ଏପରି ଅବସ୍ଥାରେ ଦେଖିବେ ସେତେବେଳେ ମୁଁ ତାଙ୍କୁ କି ଉତ୍ତର ଦେବି?ତୁ ଜାଣିଛୁ ନା ତାଙ୍କ କ୍ରୋଧ କିପରି?ରଜତ ଶୁଆ ନିକଟକୁ ଆସି କହି ପୁନଃ ତାଙ୍କ ଭାବନା ରାଜ୍ୟକୁ ଚାଲିଗଲେ।
ରଜତ ମୋର ଫେରୁଫେରୁ ଟିକିଏ ବିଳମ୍ବ ହେବ ତେଣୁ ତୁମେ ମିଟୁର ଯତ୍ନ ନେବ,ଠିକ ସମୟରେ ତାକୁ ଖାଇବାକୁ ଦେବ,ଏତିକି କହି ରିୟା ତରତର ହୋଇ ଚାଲିଗଲେ।ଏପଟେ ରଜତ ଅଫିସ କାମରେ ଏତେ ବ୍ୟସ୍ତ ଥିଲେ ଯେ,ରିୟାଙ୍କ କହିଥିବା କଥା ତାଙ୍କ ମନରୁ ପାସୋରି ଯାଇଥିଲା।ସନ୍ଧ୍ୟାରେ ରିୟା ଫେରିବାପରେ ରଜତଙ୍କ ଦାୟିତ୍ୱହୀନତା ଦେଖି ତାଙ୍କ କ୍ରୋଧ ଜ୍ୱାଳାମୁଖୀପରି ଫାଟି ବର୍ଷିବାକୁ ଲାଗିଲା।
ତୁମେ ଏପରି କିପରି କରିପାରିଲ?ତୁମକୁ ବାରମ୍ବାର କହିଥିଲି ମିଟୁର ଯତ୍ନ ନେବ।ସେ ମୋର କେତେ ପ୍ରିୟ ତାହା ତୁମକୁ ଭଲଭାବରେ ଜଣା ଅଛି ନା!ତଥାପି ଭୁଲିଗଲ କିପରି?ତୁମ ପାଖରୁ ମୁଁ ଏସବୁ ଆଶା କରିନଥିଲି;ଆଜି ତାକୁ ଭୁଲିଗଲ କାଲି ମୋତେ ବି ଭୁଲିଯିବ,ରିୟା ରାଗରେ ରଜତଙ୍କୁ ଅନେକ ଗାଳିକଲେ।ରଜତ ଭୁଲ କରିଥିବା ହେତୁ ମଥାନତକରି ରିୟାଙ୍କ କ୍ରୋଧର ଜ୍ୱାଳାମୁଖୀକୁ ଗ୍ରହଣ କରିନେଉଥିଲେ।ରିୟାଙ୍କ କ୍ରୋଧ ଶାନ୍ତ କରିବାପାଇଁ ସେ ତାଙ୍କ ହାତତିଆରି ସ୍ପେଶାଲ ଚାହା ତିଆରିକରି ରିୟାକୁ ଦେଲେ,ରିୟା ରଜତଙ୍କ ଉପରେ ଟିକିଏ ତେର୍ଛା ଦୃଷ୍ଟି ପକାଇ ଚାହା କପ୍ ଟି ଧରିନେଇ ପିଇବାକୁ ଲାଗିଲେ।ଚାହା ପିଇ ସାରିବାପରେ ତାଙ୍କ କ୍ରୋଧ ଟିକିଏ ଶାନ୍ତ ହେଲାଭଳି ମନେହେଲା,ରଜତ ସେହି ସୁଯୋଗକୁ ହାତଛଡା ନ କରି ତାଙ୍କୁ ପ୍ରେମପୂର୍ଣ୍ଣ ଆଲିଙ୍ଗନ ସହ ତାଙ୍କ ଅଧରରେ ଚୁମ୍ବନଟିଏ ଆଙ୍କିଦେଲେ।
ରଜତ ତାଙ୍କ ଭାବନା ରାଜ୍ୟରୁ ଫେରିଆସି କାନ୍ଥରେ ଟଙ୍ଗା ହୋଇଥିବା ରିୟାଙ୍କ ଫୋଟୋକୁ ଦେଖିବାକୁ ଲାଗିଲେ।କେତେ ଯେ ବିନିଦ୍ର ରଜନୀ ସେ ରିୟାଙ୍କ ସ୍ମୃତିରେ ବିତାଇଥିଲେ ତାହା କହିବା ଅସମ୍ଭବ।କେତେ ଯେ ଔଷଧ ନେଇଥିଲେ କେବଳ କିଛିକ୍ଷଣ ନିଦ୍ରାରେ ଶୋଇବାପାଇଁ,ତଥାପି ତାଙ୍କ ଆଖିରେ ନିଦ ନଥିଲା।ସେ ଧୀରେଧୀରେ ଡିପ୍ରେସନକୁ ଯିବାକୁ ଲାଗିଲେ।ଯେତେବେଳେ ରିୟାଙ୍କ ଅନୁପସ୍ଥିତି ତାଙ୍କୁ ଅସ୍ତବ୍ୟସ୍ତ କରିପକାଉଥିଲା ସେତେବେଳେ ସେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଯାଉଥିଲେ କିନ୍ତୁ ସେ ଆଜି ନିଜ ମନକୁ ଅଟକାଇ ପାରିଲେ ନାହିଁ।
ରିୟା ମୁଁ ଆଉ ପାରୁନି,ଆଉ କେତେଦିନ ତୁମକୁ ଅପେକ୍ଷା କରିବି।ତୁମବିନା ବଞ୍ଚିବା ବି ମୃତ୍ୟୁ ସହ ସମାନ।ସେଥିପାଇଁ ଆଜି ମୁଁ ମୋ ନିଜକୁ ଶେଷ କରିବାକୁ ଯାଉଛି,କାରଣ ମୁଁ ତୁମ ସହ ବଞ୍ଚିବାକୁ ଚାହୁଁଥିଲି ତୁମ ବିନା ନୁହେଁ,ରଜତ ପାଗଳଙ୍କପରି ରିୟାଙ୍କ ଫୋଟୋ ସହିତ କଥା ହେଉଥିଲେ।ଯେତେବେଳେ ତାଙ୍କୁ ଅଣନିଶ୍ୱାସୀ ଭଳି ମନେହେଲା ସେ ଧାଇଁଗଲେ ସେହି ପାହାଡ଼ ନିକଟକୁ,ଯେଉଁଠାରେ ରିୟା ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ରଜତ ସେହି ପାହାଡ଼ ଉପରେ ଠିଆ ହୋଇ ଆଖି ଦୁଇଟିକୁ ମୁଦ୍ରିତ କରିବା ସହିତ ହାତ ଦୁଇଟିକୁ ପ୍ରସାରିତ କରି ସେଠାରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସମୟରେ,ହଠାତ ପଛରୁ ଗୋଟିଏ ଆବାଜ ତାଙ୍କୁ ଅଟକାଇଦେଲା।ସେ ପଛକୁ ବୁଲି ଏଣେତେଣେ ଦେଖିବାକୁ ଲାଗିଲେ,ହେଲେ ସେଠାରେ କେହି ମଧ୍ୟ ନଥିଲେ।
ରିୟା...!ଇଏ ତ ରିୟାଙ୍କ କଣ୍ଠସ୍ୱର।ମୋତେ ଏପରି କ’ଣପାଇଁ ଲାଗିଲା ଯେପରି ରିୟା ମୋତେ କିଛି କହିବାକୁ ଚାହୁଁଛନ୍ତି,ହେଲେ କ’ଣ...?ନା ମୁଁ ଏତେ ଡିପ୍ରେସନକୁ ଚାଲିଯାଇଛି ଯେ-ମୋତେ ରିୟାଙ୍କ କଣ୍ଠସ୍ୱର ଶୁଣିବାକୁ ମିଳୁଛି,ରଜତ ନିଜସହ କଥା ହେଉଥିଲେ।
ସେ କାଳବିଳମ୍ଵ ନକରି ଘର ଅଭିମୁଖେ ଅଗ୍ରସର ହେଲେ ଓ ଘରେ ପହଞ୍ଚି ରିୟାଙ୍କ ସ୍ମୃତିରୂପରେ ସାଇତା ବସ୍ତୁକୁ ଖୋଲିବାକୁ ଲାଗିଲେ।ଏପରି ଦେଖୁଦେଖୁ ତାଙ୍କ ନଜର ଗୋଟିଏ ଡାଏରୀ ଉପରେ ପଡ଼ିଲା,ଯେଉଁଥିରେ ରିୟା ତାଙ୍କ ଆଗାମୀ କାହାଣୀ ବିଷୟରେ ଲେଖିଥିଲେ।ରଜତ କାହାଣୀଟିକୁ ଧ୍ୟାନର ସହିତ ପଢିବାକୁ ଲାଗିଲେ।
ଏ କ’ଣ...?ରିୟା ଆମ କାହାଣୀ ଲେଖିବାକୁ ଚାହୁଁଥିଲେ,ହେଲେ କାହାଣୀ ପୁରା କରିବା ପୂର୍ବରୁ ସେ ତାଙ୍କ ନିଶ୍ଵାସ ତ୍ୟାଗ କରିଦେଲେ।ଆମ ପ୍ରେମ କାହାଣୀ ଏପରି ଅଧୁରା ହୋଇପାରିବ ନାହିଁ,ସେ ନିଶ୍ଚୟ ପୁରା ହେବ;ତାକୁ ମୁଁ ପୁରା କରିବି।ଆମ ଶାଶ୍ୱତ ପ୍ରେମ ପ୍ରତ୍ୟେକ ଜନମାନସରେ ପ୍ରକାଶ କରିବି।ମୁଁ ଲୋକ ମାନଙ୍କୁ ଜଣାଇ ଦେବାକୁ ଚାହେଁ,ଆମ ପ୍ରେମ ଗୋଟିଏ ଜନ୍ମପାଇଁ ନୁହେଁ ତାହା ଜନ୍ମ-ଜନ୍ମାନ୍ତର ପାଇଁ ଅମର ଅଟେ।ହେଲେ ମୁଁ ଲେଖିବି କିପରି...?ମୁଁ ଜଣେ ଲେଖକ ନୁହେଁ, ରଜତ କାହାଣୀଟିକୁ ପଢି ନିଜକୁ କହିବାକୁ ଲାଗିଲେ।
କିଛି ସମୟ ଚିନ୍ତାକଲା ପରେ ଲେଖିବା ଆରମ୍ଭ କଲେ।ଲେଖୁଲେଖୁ ସେ କାହାଣୀର ମୋଡ଼ ସମ୍ପୂର୍ଣ୍ଣ ବଦଳାଇ ଦେଲେ।ଯେଉଁଠାରେ ରିୟା ମରିଯାଇଥିଲେ ସେ ସେଠାରେ ଲେଖିଦେଲେ ରିୟା ପୁଣିଥରେ ତାଙ୍କୁ ସେହି ପାହାଡ଼ ପାଖରେ ମିଳିଗଲେ,ଯେଉଁଠାରେ ସେ ତାଙ୍କୁ ହଜାଇ ଦେଇଥିଲେ।ସେ ରିୟାଙ୍କୁ ବାସ୍ତବରେ ନହେଲେ ନାହୁଁ କାହାଣୀ ମାଧ୍ୟମରେ ପାଇବାକୁ ଚାହୁଁଥିଲେ।
ସବୁଦିନ ପରି ସେଦିନ ମଧ୍ୟ ରଜତ ସେହି ପାହାଡ଼ ପାଖରେ ବସି ପ୍ରକୃତିରୁ ରିୟାଙ୍କ ରୂପକୁ କଳ୍ପନା କରୁଥିଲେ।ଠିକ ସେତିକିବେଳେ କିଛି ତରୁଣୀଙ୍କ କଣ୍ଠସ୍ୱର ଶୁଭାଗଲା।ରଜତ ପଛକୁ ଚାହିଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ।ରିୟା ତାଙ୍କ ନିକଟରେ ହିଁ ବସିଥିଲେ।ସେ ଖୁସିହୋଇ ରିୟାଙ୍କ ନିକଟକୁ ଯିବାକୁ ଲାଗିଲେ,କିନ୍ତୁ ସେତିକିବେଳେ କେହିଜଣେ ପଛରୁ ଆସି ରିୟାଙ୍କ ଆଖିକୁ ବନ୍ଦ କରିଦେଲେ;ରିୟା ସେହି ବ୍ୟକ୍ତିଙ୍କୁ ଦେଖି ଖୁସିହୋଇ ତାଙ୍କୁ ଆଲିଙ୍ଗନ କଲେ।ରଜତ ଦୂରରୁ ଏସବୁ ଦେଖି ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲେ।
ରିୟା...!ରିୟା କ’ଣ ସତରେ ଫେରି ଆସିଛନ୍ତି...?ନା ଏସବୁ ମୋ ମନର ଭ୍ରମ...!ରଜତ ଏସବୁ ଚିନ୍ତାକରି ସେଠାରୁ ତରବରରେ ଘରକୁ ଚାଲିଗଲେ।
-ଡକ୍ଟର ତୁଷାର ମୋତେ ଆପଣଙ୍କ appointment ଦରକାର।
-ରଜତ ମୁଁ ଆଉଟ ଅଫ ଇଣ୍ଡିଆ ଆସିଛି,ଫେରୁଫେରୁ ଦୁଇ ସପ୍ତାହ ଲାଗିଯିବ।କୁହ କ’ଣ ଅସୁବିଧା ହୋଇଛି...?
ଡକ୍ଟର ରିୟା ସବୁବେଳେ ମୋ ସ୍ୱପ୍ନରେ ହିଁ ସୀମିତ ଥିଲେ କିନ୍ତୁ ଏବେ ମୁଁ ତାଙ୍କୁ ବାସ୍ତବରେ ଦେଖିପାରୁଛି।ଲୋକଙ୍କ ଭିଡରେ,ଯେପରି ସେ ଜୀବିତ ଅବସ୍ଥାରେ ଥିଲେ।ତାଙ୍କର ସେ ହସ,ଭାବଭଙ୍ଗି ସବୁକିଛି ଦେଖିପାରୁଛି, ରଜତ ଆଶ୍ଚର୍ଯ୍ୟ ପ୍ରକାଶକରି କହିଲେ।
ରଜତ ତୁମକୁ Hallucination ହୋଇଯାଇଛି।ତୁମେ ବାସ୍ତବ ଓ ଅବାସ୍ତବ ଜିନିଷ ମଧ୍ୟରେ ଫରକ ଦେଖିପାରୁନାହଁ।ତୁମକୁ ମୁଁ ଦେଇଥିବା ମେଡ଼ିସିନର ଡୋଜ ବଢାଇଦିଅ। you need fresh air and you need to forget your past.ମୁଁ ଯିବା ପର୍ଯ୍ୟନ୍ତ ମୋ ଇଂଷ୍ଟ୍ରକ୍ସନକୁ ଫଲୋ କର, ଡକ୍ଟର ତୁଷାର ଏତିକିକହି ଫୋନ କାଟିଦେଲେ।
ରଜତ ବଗିଚାରେ ବସି ଖୋଲା ଆକାଶକୁ ଚାହିଁ ଲୁହଭରା ଆଖିରେ ତାରା ମାନଙ୍କୁ ଦେଖୁଥିଲେ।କିଛି ଗୋଟେ ଚିନ୍ତାକରି ବଗିଚାରୁ ଉଠିଆସି ସେହି ଡାଏରୀକୁ ଖୋଲି ଦେଖିଲେ।
ମୁଁ ଡାଏରୀରେ ଯାହାକିଛି ଲେଖୁଛି ସବୁ ସତ ହୋଇଯାଉଛି।ଆଜି ମୁଁ ମୋ ରିୟାଙ୍କୁ ଅତି ନିକଟରୁ ଦେଖିଲି।ସତରେ କ’ଣ ତୁମେ ଫେରି ଆସିଛ...?ତୁମର ସେ ହସ ଯାହାକୁ ଦେଖିବାପାଇଁ ମୁଁ ଦୀର୍ଘ ପାଞ୍ଚ ବର୍ଷ ହେବ ଅପେକ୍ଷା କରିଥିଲି ତାହା ମୋର ପୂର୍ଣ୍ଣ ହୋଇଛି,ରଜତ ଆଖିବନ୍ଦ କରି ନିଜସହ କଥା ହେଉଥିଲେ।ଡାଏରୀରେ ଲେଖିଥିବା କାହାଣୀ ସତ ହେଉଛି ଚିନ୍ତାକରି ସେ ପୁନଃ ଲେଖିଲେ-ଶେଷରେ ରଜତର ପ୍ରେମ ଧୀରେଧୀରେ ରିୟାକୁ ଖୋଜିପାଇଛି।ଅଧୁରା ରହିଥିବା ତାଙ୍କ ପ୍ରେମ ପୁନଃ ପୂର୍ଣ୍ଣ ହେବାକୁ ଲାଗିଛି,ଯାହା କେବେ ଛିର୍ଣ୍ଣ ହେବନାହିଁ।
ରିୟାଙ୍କୁ ସମ୍ପୂର୍ଣ୍ଣ ପାଇଯିବା ଆଶାରେ ରିୟାଙ୍କ ପ୍ରିୟସ୍ଥାନ ଲାଇବ୍ରେରୀକୁ ଚାଲିଗଲେ।ରଜତ ସେଠାରେ ପହଞ୍ଚି ସେହି ଚୌକିକୁ ଦେଖିଲେ,ଯେଉଁଠାରେ ରିୟା ବସି ତାଙ୍କ ଆଗାମୀ କାହାଣୀସବୁ ଲେଖୁଥିଲେ କିନ୍ତୁ ଆଜି ସେହି ଚୌକିରେ ରିୟାଙ୍କ ବଦଳରେ ଅନ୍ୟକେହି ବସିଥିଲେ।ରଜତ ନିରାସ ହୋଇ ସେଠାରୁ ଫେରି ଆସୁଥିବା ସମୟରେ ତାଙ୍କ ନଜର ଅନ୍ୟ ଏକ ଚୌକିରେ ବସିଥିବା ଝିଅଟି ଉପରେ ପଡ଼ିଲା,ଯିଏ କି ଅତ୍ୟନ୍ତ ଆଗ୍ରହର ସହିତ ରିୟାଙ୍କ ସଂକଳିତ ପୁସ୍ତକକୁ ପଡୁଥିଲେ।ରଜତ ସେହି ଝିଅଟି ନିକଟକୁ ଯାଇ ତାଙ୍କୁ ନିରୀକ୍ଷଣ କରି ଦେଖୁଥିଲେ,ଯେପରି ସମଗ୍ର ପୃଥିବୀର ଖୁସି ତାଙ୍କ ନିକଟରେ ପଦାର୍ପଣ କରିଥିଲା;କାରଣ ସେ ଝିଅ ଆଉ କେହି ନଥିଲେ ସେ ଥିଲେ ରିୟା।
ଲାଗୁଛି ଆପଣଙ୍କୁ ଏହି ପୁସ୍ତକଟି ଦରକାର...!ଆପଣ ଟିକିଏ ଅପେକ୍ଷା କରନ୍ତୁ କିଛି ସମୟ ପରେ ମୋ ପଢିବା ଶେଷ ହୋଇଯିବ,ତା’ପରେ ମୁଁ ଆପଣଙ୍କୁ ଏହି ପୁସ୍ତକଟି ଦେଇଦେବି।ପ୍ରକୃତରେ କାହାଣୀଟି ଏତେ ଚିତ୍ତାକର୍ଷକ ହୋଇଛି ଯେ ଶେଷ ନକରି ରହିହେବ ନାହିଁ;ବାଇ ଦ ୱେ ଆଇ ଆମ ପ୍ରିୟା, ଝିଅଟି ନିଜ ହାତକୁ ବଢାଇଦେଇ କହିଲେ।
ରଜତ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ,କାରଣ ସେ ଯାହାକୁ ତାଙ୍କ ରିୟା ଭାବୁଥିଲେ ପ୍ରକୃତରେ ସେ ରିୟା ନଥିଲେ,ସେ ଅନ୍ୟକେହି ଥିଲେ।ରଜତ କିଛି ନକହି ସେଠାରୁ ଚାଲିଆସିଲେ,ଘରକୁ ଫେରିଆସି ସେ ସେହି ଡାଏରୀ ଖୋଲି ଦେଖିବାକୁ ଲାଗିଲେ।
ମୁଁ ଏ ଡାଏରୀରେ ଯାହା ଲେଖୁଛି ସବୁ ସତ ହୋଇଯାଉଛି ହେଲେ ସେ ମୋ ରିୟା ନୁହନ୍ତି,ସେ ଅନ୍ୟକେହି।ମୋତେ ମୋର ଓ ରିୟାଙ୍କ କାହାଣୀ ଲେଖିବାର ଅଛି,ମୋତେ ରିୟା ଦରକାର।ତୁମକୁ ଲାଇବ୍ରେରୀରେ ଦେଖିବାପରେ ମୋ ମୃତ ଜୀବନରେ ଯେପରି ଜୀବନ ଆସିଗଲା;ମୁଁ ଗୋଟିଏ ଶୁଖିଲା ପତ୍ରଟିଏ ପରି ମାଟିରେ ମିଶିବାକୁ ଥିଲି,ତୁମର ସେ କଣ୍ଠସ୍ୱର ମୋତେ ନୂତନ ଜୀବନ ପ୍ରଦାନ କଲା କିନ୍ତୁ କିଛିକ୍ଷଣ ମଧ୍ୟରେ ସେହି ଖୁସି ପାଣିର ଫୋଟକାପରି ଲୀନ ହୋଇଗଲା।ମୁଁ ଆଉ ଏ କାହାଣୀ ଲେଖିପାରିବି ନାହିଁ,ଯେଉଁଠାରେ ତୁମର କୌଣସି ଅସ୍ତିତ୍ବ ହିଁ ନାହିଁ।
ପରଦିନ ସନ୍ଧ୍ୟାରେ ରଜତ ସେହି ପାହାଡ଼ ନିକଟରେ ବସି ମେଘଭରା ଆକାଶକୁ ଦେଖୁଥିଲେ।ବର୍ଷାର ଆଗମନ ହେତୁ ଧୀରେଧୀରେ କଳା ରଙ୍ଗର ବାଦଲ ସମଗ୍ର ଆକାଶକୁ ଅନ୍ଧକାରମୟ କରିଦେଉଥିଲା ଓ ରଜତ ସବୁଦିନପାଇଁ ରିୟାଙ୍କ ସ୍ମୃତିକୁ ସେଠାରେ ଭୁଲିବାକୁ ଚେଷ୍ଟା କରି କିଛି ଗୁଣୁଗୁଣୁ ହୋଇ କହୁଥିଲେ...
“ବର୍ଷା ଭିଜା ଆକାଶ
ଟୋପା ଟୋପା ପାଣିର ଗୁଞ୍ଜର
ଏଠାରେ ବୁଲିବୁଲି ଖୋଜୁଛି ତୁମ ରହସ୍ୟକୁ
ନା ଅଛି ପ୍ରେମର ଭାଷା
ନା ଅଛି ପ୍ରେମର ସ୍ପର୍ଶ
ଅଛି କେବଳ ନିଷ୍କପଟ ହୃଦୟରେ ଭଙ୍ଗାରୁଜା ଅନେକ ସ୍ୱପ୍ନ କିନ୍ତୁ ସ୍ମୃତି ଅଟେ ଏକ ନିଷ୍କ୍ରିୟ ଅନ୍ଧାର,ଛାଇ ଭଳି ବିଲକୁଲ ଅଦୃଶ୍ୟ।”
ରଜତ ସେଠାରେ ତାଙ୍କ ଅସମ୍ପୂର୍ଣ୍ଣ କାହାଣୀର ଡାଏରୀକୁ ଛାଡ଼ିଦେଇ ଚାଲିଆସିଲେ।
ଦୁଇ ସପ୍ତାହ ପରେ...
ରଜତଙ୍କ ଡୋର ବେଲ ବାଜି ଉଠିଲା।ରଜତ କବାଟ ଖୋଲି ଦେଖିଲେ କେହିଜଣେ ହାତରେ ବହିଟିଏ ଧରି ଠିଆ ହୋଇଛନ୍ତି।
ଆପଣ କିଏ...?ରଜତ ପ୍ରଶ୍ନଭରା କଣ୍ଠରେ ପଚାରିଲେ।
ମୁଁ ଅନୁରାଗ ଚୌଧୁରୀ ଜଣେ ପବ୍ଲିସର,ରିୟା ମ୍ୟାଡମ ମୋ ପାଖରେ ଏହି ବହିଟି ପବ୍ଲିସ କରିଥିଲେ,ବ୍ୟକ୍ତି ଜଣକ ବହିଟି ରଜତଙ୍କ ହାତକୁ ବଢାଇଦେଇ କହିଲେ।
ରଜତ ବହିଖୋଲି ପଢିବାକୁ ଲାଗିଲେ,ତାଙ୍କର ଅଧୁରଥିବା କାହାଣୀ ପୂର୍ଣ୍ଣ ହୋଇ ପବ୍ଲିସ ହୋଇସାରିଛି।ରଜତ ପ୍ରଶ୍ନଭରା ଚାହାଣୀରେ ଅନୁରାଗଙ୍କୁ ଦେଖିଲେ।
କିଛିଦିନ ପୂର୍ବରୁ ରିୟା ମ୍ୟାଡ଼ମ ମୋ ପାଖକୁ ଏହି କାହାଣୀ ନେଇ ଆସିଥିଲେ, ଏହାକୁ ପବ୍ଲିସ କରିବାକୁ ଚାହୁଁଥିଲେ ଓ ଏହାର ପ୍ରଥମ କପି ଆପଣଙ୍କୁ ଦେବାପାଇଁ କହିଥିଲେ,ଅନୁରାଗ ଅନୁଗ୍ରତାର ସହ କହିଲେ।
ରିୟା...?ରିୟା କହିଥିଲେ...?ଆପଣ ହୋସରେ ଅଛନ୍ତି ତ...?ରିୟା ପାଞ୍ଚବର୍ଷ ପୂର୍ବେ ମରିସାରିଛନ୍ତି,ସେ କିପରି ଏସବୁ କରିପାରିବେ...?ମୋତେ ଏସବୁ ଥଟ୍ଟା ବିଲକୁଲ ବି ପସନ୍ଦ ନୁହେଁ,ରଜତ କ୍ରୋଧଭରା କଣ୍ଠରେ କହିଲେ।ଠିକ ସେତିକିବେଳେ ତାଙ୍କ ନଜର ଗୋଟିଏ ଝିଅ ଉପରେ ପଡ଼ିଲା,ଯିଏ ରଜତଙ୍କ ଛାଡି ଆସିଥିବା ଡାଏରୀ ଧରି ଅଶ୍ରୁପୂର୍ଣ୍ଣ ନୟନରେ ଠିଆ ହୋଇଥିଲେ।
ପ୍ରିୟା...?ରଜତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ।ପ୍ରିୟା ନୁହେଁ ରିୟା,ତୁମ ରିୟା;ଯାହାକୁ ତୁମେ ପାଞ୍ଚବର୍ଷ ପୁର୍ବେ ହରାଇ ଦେଇଥିଲ।ମୁଁ ଆଜି ଫେରିଆସିଛି ରଜତ,ତୁମ ପ୍ରେମ ମୋତେ ତୁମ ପାଖକୁ ପୁଣି ଫେରାଇ ଆଣିଛି।ପଥଭ୍ରଷ୍ଟା ପଥିକଟିଏ ପରି ଜୀବିତ ଥିଲି,ସମୟ ଚକ୍ରରେ ପୁନଃ ମୋ ବାଟ ପାଇ ତୁମ ପାଖକୁ ଫେରିଆସିଛି ରଜତ,ରିୟା ଅଶ୍ରୁପୂର୍ଣ୍ଣ ନୟନରେ ରଜତଙ୍କୁ କହିଲେ।
ରଜତ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ,ତାଙ୍କୁ ଏସବୁ ସ୍ୱପ୍ନ ଭଳି ଲାଗୁଥିଲା।ସେ ପ୍ରେମର ଅନନ୍ତ ଗଗନରେ ଭାସିବାକୁ ଲାଗିଲେ,ତାଙ୍କର ଏତେ ଦିନର ଅପେକ୍ଷା ଆଜି ପୂର୍ଣ୍ଣ ହୋଇଥିଲା,ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରିବାକୁ ଲାଗିଲା।ସେ ରିୟାଙ୍କୁ ଆଲିଙ୍ଗନକରି ତାଙ୍କର ସମସ୍ତ ଦୁଃଖକୁ ସେହିଠାରେ ଶେଷ କରିବା ସହିତ ପ୍ରେମର ଅନନ୍ତ ଗଭୀରକୁ ଚାଲିଯିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ମନରେ ଥିବା ଏତେ ବର୍ଷର ଅଭିମାନ ତାଙ୍କୁ ଅଟକାଇ ଦେଇଥିଲା।
ଯଦି ତୁମେ ଜୀବିତ ଥିଲ ତାହାଲେ ତୁମେ ଫେରିଲନାହିଁ କ’ଣ ପାଇଁ...?କ’ଣ ଦେଖିବାକୁ ଚାହୁଁଥିଲ,ମୁଁ କିପରି ତୁମ ବିନା ମରିମରି ବଞ୍ଚିଛି...?ଆଉ ଏ ଡାଏରୀ ତୁମେ କେଉଁଠୁ ପାଇଲ...?ମୁଁ ତ ଏହାକୁ ପାହାଡ଼ ପାଖରେ ଛାଡିଦେଇ ଆସିଥିଲି।ଯେତେବେଳେ ଆମ ପ୍ରେମ ହିଁ ଅଧୁରା,ତୁମେ ଏ କାହାଣୀକୁ ପୂର୍ଣ୍ଣ କଲ କ’ଣ ପାଇଁ...?ରଜତ ଅଭିମାନଭରା କଣ୍ଠରେ କହିଲେ।
ରଜତ ମୁଁ ତୁମକୁ କେବେ ଦୁଖଃଦେବା କଥା ସ୍ୱପ୍ନରେ ସୁଦ୍ଧା ଭାବିପରିବି ନାହିଁ।ଯଦି ମୁଁ ତୁମଠୁ ଦୂରେଇ ରହିଥିଲି ତାହା କେବଳ ତୁମପାଇଁ;ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା,ରିୟା ଅଶ୍ରୁପୂର୍ଣ୍ଣ ନୟନରେ କହିଲେ।
ମୋ ପାଇଁ...?ତୁମେ କ’ଣ କହିବାକୁ ଚହୁଁଛ ସ୍ପଷ୍ଟ ଭାବରେ କୁହ,ରଜତ ଶଙ୍କା ପ୍ରକାଶ କରି ପଚାରିଲେ।
ରିୟା କହିବାକୁ ଆରମ୍ଭ କଲେ-ସେଦିନ ଆମର କାର ଦୁର୍ଘଟଣା ହୋଇନଥିଲା,ତାହା ଯୋଜନା ଦ୍ୱାରା କରାଯାଇଥିଲା।ତୁମର ମନେଅଛି ରଜତ,ଥରେ ତୁମ ଅଫିସରେ ଚୋରି ହୋଇଥିଲା ଓ ଚୋରି ତୁମ ମ୍ୟାନେଜର ବିବେକ କରିଥିଲା;ସେଥିପାଇଁ ତୁମେ ତାକୁ ପୋଲିସ ହାତରେ ଧରାଇ ଦେଇଥିଲ।ତା’ର ଆଉଜଣେ ଭାଇ ଥିଲା ମାନବ।ସେ ତା ଭାଇ ବିବେକର ପ୍ରତିଶୋଧ ନେବାପାଇଁ ସେଦିନ ସେ ଆମର ଦୁର୍ଘଟଣା କରାଇଥିଲା।ସେ ତୁମକୁ ମାରିଦେବାକୁ ଚାହୁଁଥିଲା କିନ୍ତୁ ଘଟଣା କିଛି ଅଲଗା ହୋଇଗଲା।ମୁଁ ପାହାଡ଼ ତଳକୁ ଖସି ଯାଇଥିଲି ହେଲେ ମରିନଥିଲି।ମାନବ ସେହି ସୁଯୋଗର ଫାଇଦା ଉଠାଇ ମୋତେ ହସ୍ପିଟାଲକୁ ନେଇଯାଇ ଅନ୍ୟଏକ ମୃତଶରୀରକୁ ମୋ ପୋଷାକ ପିନ୍ଧାଇ ତା’ମୁହଁକୁ ବିକୃତ ଭାବରେ ନଷ୍ଟକରି ସେଠାରେ ପକାଇଦେଇଥିଲା,ଯେପରି ମୁଁ ମରିଯାଇଛି ବୋଲି ସମସ୍ତଙ୍କର ବିଶ୍ୱାସ ହୋଇଯିବ।ମୋ ମୁଣ୍ଡରେ ବହୁତ ଜୋରରେ ଆଘାତ ଲାଗିଥିବା ହେତୁ ମୁଁ ଚେତାଶୂନ୍ୟ ହୋଇଯାଇଥିଲି,ଯେତେବେଳେ ଚେତଫେରିଲା ସେତେବେଳେ ମୁଁ ନିଜକୁ ହସ୍ପିଟାଲ ବେଡ଼ରେ ପାଇଲି ଓ ମାନବ ଡକ୍ଟରଙ୍କୁ ମୋ ସ୍ମରଣଶକ୍ତି ନ ଫେରିବା ପାଇଁ ଧମକ ଦେବାର ମୁଁ ଶୁଣିବାକୁ ପାଇଲି;କାରଣ ସେ ଚାହୁଁଥିଲା ତୁମେ ମୋ ବିନା ସାରା ଜୀବନ ମରିମରି ବଞ୍ଚ ଓ ପ୍ରତିଦିନ ତୁମକୁ ନର୍କର ଯନ୍ତ୍ରଣା ଅନୁଭବ ହେଉ।ଏହାପରେ ମୋର ସ୍ମରଣ ଶକ୍ତି ଚାଲିଯିବାର ମୁଁ ଅଭିନୟ କଲି,ଯଦି ମୋର ସବୁକିଛି ମନେ ରହିଥାନ୍ତା ତାହେଲେ ସେ ତୁମକୁ ଜୀବନରୁ ମାରିଦେଇଥାନ୍ତା,କାରଣ ସେ ମୋତେ ନିଜର କରିବାକୁ ଚାହୁଁଥିଲା।ତୁମ ପାଖକୁ ଫେରିଆସିବାକୁ ବହୁତ ଚେଷ୍ଟା କରିଥିଲି ହେଲେ ମାନବ କବଳରୁ ଖସି ଆସିବା ସହଜ ନଥିଲା।ତା ନଜର ସବୁବେଳେ ମୋ ଉପରେ ଥିଲା।ଏହାପରେ ମୁଁ ଧୀରେଧୀରେ ମାନବ ବିଷୟରେ ଜାଣିବାକୁ ପାଇଲି ଯେ-ସେ ଜଣେ ହତ୍ୟାକାରୀ,ଟଙ୍କା ପାଇଁ ସେ ସବୁକିଛି କରିପାରିବ।ତା’ପରେ ମୁଁ ତା ବିଷୟରେ ପ୍ରମାଣ ଯୋଗାଡ଼ କରିବା ଆରମ୍ଭ କରିଦେଲି କିନ୍ତୁ କିଛି ପ୍ରମାଣ ମୋତେ ମିଳିଲାନାହିଁ,ସେଥିପାଇଁ ତାକୁ ବିଶ୍ୱାସ ଜନ୍ମଇଲି ଯେ-ମୁଁ ତାକୁ ବହୁତ ଭଲପାଏ ତା’ ବିନା ମୁଁ ବଞ୍ଚିପାରିବି ନାହିଁ।ମାନବର ଅତି ବିଶ୍ବସ୍ତ ସାଥିହୋଇ ତା’ର ସମସ୍ତ ଖରାପ କାମ ଉପରେ ନଜର ରଖିଲି।ଏହାପରେ ଡକ୍ଟର ତୁଷାରଙ୍କ ପାଖରୁ ତୁମ ଅବସ୍ଥା ବିଷୟରେ ଜାଣିବାକୁ ପାଇଲି।ସେ ମୋ ଯୋଜନାର ପ୍ରଥମ ସାହାଯ୍ୟକାରୀ ଅଟନ୍ତି।
ଡକ୍ଟର ତୁଷାର...?ତୁମେ ତାଙ୍କୁ କିପରି ଜାଣିଲ...?ଓ ମୁଁ ତାଙ୍କ ପାଖରେ ଟ୍ରିଟମେଂଟ ହେଉଛି ବୋଲି ତୁମେ କିପରି ଜାଣିଲ...?ରଜତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ।
ଯେଉଁ ହସ୍ପିଟାଲରେ ମୁଁ ଆଡ଼ମିଟ ହୋଇଥିଲି ଡକ୍ଟର ତୁଷାର ସେଠାରେ ସାଇକାଟ୍ରିକ୍ସ ଭାବରେ ନିଯୁକ୍ତ ହୋଇଥିଲେ।ମାନବ ତାଙ୍କୁ ହିଁ ଧମକ ଦେଇ ମୋ ସ୍ମରଣଶକ୍ତି ନ ଫେରିବାପାଇଁ କହିଥିଲା କିନ୍ତୁ ସେ ମୋତେ ସାହାଯ୍ୟ କରିଥିଲେ।କିଛିଦିନ ପରେ ଯେତେବେଳେ ମାନବ ମୋତେ ଡକ୍ଟର ତୁଷାରଙ୍କ ପାଖକୁ ଚେକ-ଅପ ପାଇଁ ଆଣିଲା,ସେତେବେଳେ ମୁଁ ତୁମ ନାଁ ତାଙ୍କ ରେଜିଷ୍ଟରରେ ପାଇଲି।ତା’ପରେ ଡକ୍ଟର ତୁଷାର ତୁମ ବିଷୟରେ ସବୁକଥା ଜଣାଇଲେ;ସେହିଦିନଠାରୁ ତୁମ ପଛେପଛେ ଛାଇଭଳି ରହିଲି କିନ୍ତୁ କେବେ ସାମ୍ନାକୁ ଆସିଲି ନାହିଁ।ଯେଉଁଦିନଠାରୁ ତୁମେ ନିଜକୁ ଶେଷ କରିବାକଥା ଚିନ୍ତା କଲ ସେହିଦିନଠାରୁ ତୁମକୁ ମୁଁ ବାରମ୍ବାର ଦେଖାଦେଲି,କାରଣ ଯେପରି ତୁମେ ତୁମ ମନରୁ ଆତ୍ମହତ୍ୟା କଥା ସମ୍ପୂର୍ଣ୍ଣ ବାହାର କରିଦେବ।ତା’ପରଦିନ ତୁମକୁ ଟିକିଏ ଦେଖିବାପାଇଁ ସେହି ପାହାଡ଼ ନିକଟକୁ ଆସିଥିଲି ହେଲେ ସେତିକିବେଳେ ମାନବ ଆସି ପହଞ୍ଚିଗଲା;ତୁମେ ସେଠାରେ ତା ଦୃଷ୍ଟିଗୋଚର ନ ହେବାପାଇଁ ତାକୁ ଆଲିଙ୍ଗନ କରିଥିଲି।ଏହାପରେ ଲାଇବ୍ରେରୀରେ ତୁମର ମୋ ପ୍ରତି ଏପରି ପ୍ରେମପୂର୍ଣ୍ଣ ଚାହାଣୀ ମୋ ମନକୁ ଅସ୍ତବ୍ୟସ୍ତ କରିପକାଉଥିଲା।ସେହି କ୍ଷଣରେ ତୁମ ବାହୁ ଯୁଗଳରେ ବାନ୍ଧିହୋଇ ସମସ୍ତ ବର୍ଣ୍ଣନା ତୁମ ନିକଟରେ ବ୍ୟକ୍ତ କରିବାର ଇଛା ହେଉଥିଲେ ମଧ୍ୟ ମୁଁ ନିଜକୁ ସମ୍ଭାଳି ତୁମକୁ ମୋ ନାଁ ପ୍ରିୟା କହିଥିଲି କେବଳ ମାନବ ପାଇଁ,କାରଣ ସେ ସେଠାରେ ଉପସ୍ଥିତ ଥିଲା।ଯଦି ମୁଁ ନିଜକୁ ରିୟା କହିଥାନ୍ତି ତାହାଲେ ସେ ମୋ ସତ୍ୟତା ଜାଣିଦେଇଥାନ୍ତା,ତା ବିରୁଦ୍ଧରେ କରିଥିବା ସମସ୍ତ ଯୋଜନା ଓ ସମସ୍ତ ତଥ୍ୟ ବିଫଳ ହୋଇଯାଇଥାନ୍ତା।ସେହିଦିନ ରାତିରେ ମାନବ ବିଷୟରେ ସମସ୍ତ ପ୍ରମାଣ ଯୋଗଡ଼କରି ତାକୁ ସବୁଦିନ ପାଇଁ ଜେଲର ଚାରିକାନ୍ଥ ମଧ୍ୟରେ ରହିବାକୁ ଛାଡିଦେଲି।ତା’ପରେ ତୁମ ପାଖକୁ ଫେରିଆସିବା ସମୟରେ ମୋତେ ଏହି ଡାଏରୀ ମିଳିଲା,ଯେଉଁ କାହାଣୀକୁ ତୁମେ ପୁରା ନ କରିପାରି ଛାଡ଼ିଦେଇ ଆସିଥିଲ।ସେହି କାହାଣୀକୁ ମୁଁ ପୁରାକରି ତୁମକୁ ସରପ୍ରାଇଜ ଦେବାକୁ ତୁମନିକଟକୁ ସବୁଦିନପାଇଁ ଚାଲିଆସିଛି।ମୁଁ ଆଜିବି ଗଙ୍ଗାପରି ପବିତ୍ର,କଳୁଷିତ ପଙ୍କ ମଧ୍ୟରେ ବାସ କରୁଥିଲେ ମଧ୍ୟ ପ୍ରସ୍ଫୁଟିତ ପଦ୍ମପରି ମୁଁ ନିର୍ମଳ;କଳଙ୍କର ସେ କଳାଦାଗ ଆଜିଯାଏଁ ମୋ ମଥାରେ ଲାଗିବାକୁ ଦେଇନାହିଁ।ମୋ ଉପରେ ଯଦି କାହାର ଅଧିକାର ଅଛି ତାହା କେବଳ ତୁମର,ଏତିକି କହି ରିୟା କାନ୍ଦିବାକୁ ଲାଗିଲେ।
ରିୟାଙ୍କ ମୁହଁରୁ ଏସବୁ ଶୁଣି ସରିବାପରେ ସେ ନିଜକୁ ଆଉ ଅଟକାଇ ପରିଲେନାହିଁ।ତାଙ୍କର ସମସ୍ତ ରାଗ ଅଭିମାନ ସେହି କ୍ଷଣରେ ଲୀନ ହୋଇଗଲା।ସେ ରିୟାଙ୍କୁ କୁଣ୍ଢାଇ ପକାଇଲେ;ପାଞ୍ଚବର୍ଷର ସମସ୍ତ ଦୁଃଖକୁ ଦୁହେଁ ଆଲିଙ୍ଗନ ମାଧ୍ୟମରେ ବ୍ୟକ୍ତ କରିବାକୁ ଲାଗିଲେ।
ସେଥିପାଇଁ କୁହାଯାଇଛି, “ପ୍ରେମ ଶାଶ୍ୱତ, ଚିରନ୍ତନ ଓ ବାସ୍ତବ।ପ୍ରେମ ପ୍ରାଚୀନ ହେଲେ ମଧ୍ୟ ସର୍ବଦା ସେ ନୂତନ।”

