ମାନବିକତା
ମାନବିକତା
ମିନାକ୍ଷୀ ଦେବୀ ହସ୍ପିଟାଲରୁ ଫେରି ଚୁପ ହୋଇ ସୋଫା ଉପରେ ମୁଣ୍ଡ ରଖି ଶୋଇଥିଲେ । ମିନାପାଣି ଗ୍ଲାସଟି ଆଣି କହିଲା - ମାଆ ପାଣି ନିଅନ୍ତୁ । ମିନାକ୍ଷୀ ଦେବୀ ପାଣି ଗ୍ଲାସଟି ନେଇ ଢକ ଢକ କରି ପିଇଦେଲେ ଓ ଗ୍ଲାସଟି ମିନାକୁ ଧରାଇଦେଇ କହିଲେ - ବର୍ତ୍ତମାନ ପରିସ୍ଥିତି ଯାହା ହେଲାଣି ଲାଗୁଛି ପୃଥିବୀ ଆଉ ବେଶି ଦିନ ରହିବ ନାହିଁ । ଦିନକୁ କୁଢ଼ କୁଢ଼ କୋରୋନା ରୋଗୀ ବାହାରିବା ସଂଗେ ସଂଗେ, ମୃତ୍ୟୁ ମଧ୍ୟ ବହୁଳ ଭାବରେ ହେଉଛି । ସ୍ଥିତି ସୁଧୁରିବା ପରିସ୍ଥିତିରେ ମଧ୍ୟ ନାହିଁ । ଦୋକାନ ବଜାର ମଧ୍ୟ ସବୁକିଛି ବନ୍ଦ । ଯେଉଁମାନେ କେବଳ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ, ସେମାନେଙ୍କ ଅବସ୍ଥା ଏବେ କିପରି ଥିବ କେଜାଣି । ଏ lock down ପାଇଁ ସବୁକିଛି ବନ୍ଦ ହୋଇଯିବା ଯୋଗୁଁ ରାସ୍ତାକଡ଼ରେ ରହୁଥିବା ଲୋକମାନେ କିପରି ବଞ୍ଚୁଥିବେ କେଜାଣି...?
ମିନା ଟିକିଏ ସଂକୋଚ ପ୍ରକାଶ କରି କହିଲା - ମାଆ ମୋର କିଛି କହିବାର ଥିଲା । ମିନାକ୍ଷୀ ଦେବୀ ମିନାକୁ ଚାହିଁ କହିଲେ - କିରେ ତୋ ମୁହଁ ଏପରି ମଳିନ ପଡିଯାଇଛି କାହିଁକି...? ସବୁ କୁଶଳ ମଙ୍ଗଳ ଅଛି ତ...! । ମିନା କହିବାକୁ ଚାହୁଁନଥିଲେ ମଧ୍ୟ ତା ପରିବାର ପାଇଁ ମୁହଁ ଖୋଲି କହୁବାକୁ ବାଧ୍ୟ ହେଲା । ମାଆ ମୋର କିଛି ଟଙ୍କା ଦରକାର ଥିଲା । ମିନାକ୍ଷୀ ଦେବୀ ଟଙ୍କା କଥା ଶୁଣି ରାଗିଯାଇ କହିଲେ – କିଛି ଦିନ ତଳେ ତୋତେ ତୋ ଦରମା ଦେଇଥିଲି ତୁ ପୁଣି ପଇସା ମଗୁଛୁ । ମୁଁ ଦେଖୁଛି ଏଇ କିଛି ଦିନ ହେବ ଦିନେ ଆସିଲେ ଦୁଇଦିନ ତୋର ଦେଖା ନାହିଁ । କାମ ତ ଠିକସେ କରୁ ନାହୁଁ ଆଉ ପଇସା କଣ ମଗୁଛୁ ।
ମିନା କାନ୍ଦି କାନ୍ଦି ମିନାକ୍ଷୀ ଦେବୀଙ୍କ ପାଦ ଧରି ବସିପଡ଼ିଲା ଓ କହିଲା - ମାଆ ମୋତେ ଟିକିଏ ସାହାଯ୍ୟ କରନ୍ତୁ । ମୋ ସ୍ୱାମୀ ପାନ ଦୋକାନଟିଏ ବହୁତ କଷ୍ଟରେ କରିଥିଲେ । ହେଲେ ଏ lock down ପାଇଁ ସବୁକିଛି ବନ୍ଦ ପଡିଛି । ତାଙ୍କ ଗୋଡ କଟିଯିବା ପରଠୁ ସେ ଆଉ କିଛି କାମ କରିବାକୁ ସକ୍ଷମ ନୁହନ୍ତି । ଘର ଚଳେଇବାକୁ ପଇସା ମଧ୍ୟ ନାହିଁ । ସରକାରଙ୍କ ତରଫରୁ ଯାହା କିଛି ମିଳିଥାନ୍ତା ତାହା ଏ ରାଜନୀତିଆ ଲୋକଙ୍କ ପାଇଁ କିଛି ମିଳିଲା ନାହିଁ । ତାଙ୍କ ଆଗରେ କିଛି କହିବାକୁ ନା ଆମର ସାହସ ଅଛି ନା ସକ୍ଷମ ଅଛି । ଛୁଆ ଦୁଇଟା ମୋର ଭୋକ ଉପବାସରେ ରହୁଛନ୍ତି । ଗୋଟେ ଓଳି ଖାଇବାକୁ ହେଲେ ଦୁଇ ଓଳି ଉପବାସରେ ରହୁଛନ୍ତି । ମୁଁ ଯାହା ପାଇଟି କରି ପଇସା ଆଣେ ସେତିକିରେ ଘର ଚଳେ । ଆଉ ଏ ସମୟରେ କେହି ମଧ୍ୟ ଘରେ ପୁରାଉନାହାନ୍ତି, କାମ ଦେବେ କଣ...?ଆପଣ ତ ଜଣେ ଡାକ୍ତରାଣୀ, ଆପଣ ଯଦି ଚାହିଁବେ ତାହାଲେ ମୋତେ ସେଇ ଡାକ୍ତର ଖାନାରେ ରଖିପାରିବେ । ମୁଁ ରୋଗୀଙ୍କ ସବୁ କାମ କରିବି, ଡାକ୍ତରଖାନାର ସବୁ ପୋଛାପୋଛି ମଧ୍ୟ କରିବି । ମୁଁ ମରିଗଲେ କିଛି ହେବ ନାହିଁ ମାଆ, କିନ୍ତୁ ମୋ ଛୁଆ ଦୁଇଟାଙ୍କୁ କିପରି ମାରିଦେବି...?
ମିନା କଥା ଶୁଣି ମିନାକ୍ଷୀ ଦେବୀଙ୍କ ଆଖିରୁ ଲୁହ ଝରି ଆସିଲା ଓ ମନେ ମନେ ଚିନ୍ତାକଲେ - ପ୍ରକୃତରେ ଜୀବନ କେଡେ ରହସ୍ୟମୟ । ପ୍ରତି କ୍ଷଣରେ କ'ଣ ସବୁ ଘଟିଥାଏ ତାହା ବର୍ଣ୍ଣନା କରିବା ଅସମ୍ଭବ । ଏହି ରହସ୍ୟମୟ ଜୀବନରେ ଜୀବ ଜନ୍ମ ହେବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ସଂଘର୍ଷ କରିଥାଏ । ଏହି ସଂଘର୍ଷମୟ ଜୀବନରେ କିଏ ବିଜୟ ପ୍ରାପ୍ତ କରିଥାଏ ତ କିଏ ଅବନତିର ଚରମ ସୀମାରେ ପଦାର୍ପଣ କରିଥାଏ । କିନ୍ତୁ ଏ ପରିସ୍ଥିତିରେ ବିଜୟ ପରାଜୟର କଥା ଚିନ୍ତା କରିବା ଵୋକମି, ବର୍ତ୍ତମାନ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ବୁଦ୍ଧିମାନର ପରିଚୟ । ମିନାକୁ ତଳୁ ଉଠାଇ କିଛି ଟଙ୍କା ଦେଇ କହିଲେ କାଲିଠୁ ତୁ ମୋ ସହ ଡାକ୍ତରଖାନା ଯିବୁ । ମୁଁ ତୋ ପାଇଁ ସେଠାରେ ଚାକିରୀ ଖଣ୍ଡେ କରାଇଦେବି ।
