ଡିଟେକ୍ଟିଭ ସନ୍ଦୀପ
ଡିଟେକ୍ଟିଭ ସନ୍ଦୀପ
ଶ୍ରାବଣ ମାସ....ଶୁକ୍ଳପକ୍ଷ ହୋଇଥିଲେ ମଧ୍ୟ କଳା ବାଦଲ ସମଗ୍ର ଆକାଶକୁ ଘୋଡାଇ ପକାଇଥିଲା l ବୃକ୍ଷର ପତ୍ର ଗୁଡ଼ିକ ଯେପରି ଏକ ବୃହତ ପକ୍ଷୀ ପକ୍ଷ ମେଲାଇ ବସିଲା ଭଳି ଦୃଶ୍ୟମାନ ହେଉଥିଲା l ଏପରି ଲାଗୁଥିଲା ଯେପରି ସେମାନେ କୁହୁକ ବନ ମଧ୍ୟରେ ପ୍ରବେଶ କରିବାପାଇଁ ହାତଠାରି ଡାକୁଛନ୍ତି l ସେହି ସମୟରେ ବିଜୁଳି ଘଡଘଡି ସହ ମୂଷଳଧାର ବର୍ଷା ହେବାକୁ ଲାଗିଲା l ବର୍ଷାର ତାଳେ ତାଳେ ଶୀତଳ ପବନ ଝରକା ଫାଙ୍କ ଦେଇ ଘର ଭିତରକୁ ପ୍ରବେଶ କରୁଥିଲା l ପ୍ରଚୁର ବର୍ଷା ଓ ଭାରି ପବନ ମଧ୍ୟରେ ଡିଟେକଟିଭ ସନ୍ଦୀପ ଗରମ କଫି ସହିତ ଝରକା ଫାଙ୍କ ଦେଇ ବାହାରର ଦୃଶ୍ୟକୁ ଦେଖୁଥିଲେ l ପବନଦ୍ୱାରା ଦୋହଲୁ ଥିବା ଗଛର ପତ୍ର ଓ ଝରକା କବାଟ ଧାରଦେଇ ପଡୁଥିବା ପାଣିର ବୁନ୍ଦା ତାଙ୍କ ଭାବନାକୁ ଘେରି ପକାଉଥିଲା l ସେ ଭାବୁଥିଲେ ସେ ହତ୍ୟାକାରୀ କିଏ,ଯିଏ ଲୋକଙ୍କୁ ଏପରି ନିର୍ମମ ଭାବରେ ହତ୍ୟା କରୁଛି..?ତାଙ୍କ ଭାବନାର ଆରମ୍ଭ ଥିଲା ସତ ହେଲେ ଅନ୍ତ ନଥିଲା l ଠିକ ସେତିକିବେଳେ ଟେବୁଲ ଉପରେ ଥିବା ଫୋନଟି ବାଜି ଉଠିଲା l ସନ୍ଦୀପ ଟିକିଏ ଚମକି ପଡିଲେ ଓ ନିଜ ଭାବନା ରାଜ୍ୟରୁ ଫେରିଆସି ଫୋନଟି ରିସିଭ କଲେ l ସେପଟୁ ଆବାଜ ଆସିଲା- ନଗରରେ ବାସ କରୁଥିବା ଲୋକଙ୍କୁ ସାବଧାନ l ବଙ୍ଗୋପସାଗରରେ ଲଘୁଚାପ ହୋଇଥିବା ହେତୁ ସମୁଦ୍ର ବର୍ତ୍ତମାନ ପ୍ରଚଣ୍ଡ ରୂପ ଧାରଣ କରିଛି l ତେଣୁ ବର୍ଷାର ତାଣ୍ଡବ ଜାରି ରହିବ l ନିଜ ଘରେ ସୁରକ୍ଷିତ ରୁହନ୍ତୁ l ବାହାରକୁ ଆସିବାର ଭୁଲ କରନ୍ତୁ ନାହିଁ,ବାହାରେ ମୃତ୍ୟୁ ଅପେକ୍ଷା କରିଛି l "ତୁମେ କିଏ କହୁଛ"ସନ୍ଦୀପ ପଚାରିଲେ l ପ୍ରତିଉତ୍ତର ଆସିଲା- କହିଲି ନା "ମୃତ୍ୟୁ"କହି ଜୋରେ ହସିବାକୁ ଲାଗିଲା ଓ ପୁନଃ କହିଲା- ଏପରି ଘରେ ବସି କଫି ପିଇଲେ ମୋତେ ଧରିପାରିବ ନାହିଁ l ସନ୍ଦୀପ ଟିକିଏ ଆଶ୍ଚର୍ଯ୍ୟ ହୋଇ ଘରର ଚାରିପାଖକୁ ଦେଖିବାକୁ ଲାଗିଲେ,କାରଣ ଘରେ ତାଙ୍କ ଛଡା ଆଉ କେହି ନଥିଲେ l ତୁମ ପାଖରେ କଣ ଦେଖି ଲୋକେ ତୁମ ପାଖକୁ ଧାଇଁ ଯାଆନ୍ତି କେଜାଣି, ତୁମେ ତ ମୋ ଟକରର ହୋଇପାରିଲ ନାହିଁ l ତୁମ ନା ଡିଟେକଟିଭ ସନ୍ଦୀପ ନ ହୋଇ ମୁର୍ଖ ସନ୍ଦୀପ ହେବାର ଥିଲା l ଠିକ ଅଛି ତୁମକୁ ଆଉ ଏକ ସୁଯୋଗ ଦେଉଛି l ମୋର ଦ୍ୱିତୀୟ ଟାର୍ଗେଟ ହେଉଛନ୍ତି ଡ଼.ସୁଜାତା ସି.ଟି ହସ୍ପିଟାଲ l ଯଦି ପାରୁଛ ତାଙ୍କୁ ବଞ୍ଚାଇକି ଦେଖାଅ l ତୁମ ପାଖରେ କେବଳ ଅଧଘଣ୍ଟା ସମୟ ଅଛି l ଏତିକି କହି ଫୋନଟି କାଟିଦେଲା l
ସନ୍ଦୀପ ସଂଗେ ସଂଗେ ସି.ଟି ହସ୍ପିଟାଲକୁ ଫୋନ କଲେ,ହେଲେ ବର୍ଷା ପାଇଁ ସେପଟ ଏରିଆରେ ନେଟୱର୍କ ପ୍ରବ୍ଲେମ ଥିବାରୁ କଲ ଯାଇପାରୁନଥିଲା l ସନ୍ଦୀପ ଆଉ ଡେରି ନ କରି ହସ୍ପିଟାଲ ପାଇଁ ବାହାରିଲେ ଓ ତାଙ୍କ ଡ୍ରାଇଭର ରବିକୁ ଗାଡି ବାହାର କରିବା ପାଇଁ ଡାକିଲେ l ହେଲେ ରବିର ଦେଖା ନଥିଲା l ସନ୍ଦୀପ ରାଗିଯାଇ କହିଲେ- ଯେତେବେଳେ ଜରୁରୀ କାମ ଥାଏ ସେତେବେଳେ ରବିର ଦେଖା ନଥାଏ,ତାପରେ ସେ ନିଜେ ଡ୍ରାଇଭ କରି ହସ୍ପିଟାଲକୁ ବହାରଲେ ଓ ୱଚମ୍ୟାନକୁ କହିଲେ ରବି ଆସିଲେ ତାକୁ ହସ୍ପିଟାଲକୁ ଯିବାପାଇଁ କହିବ l ଅଧଘଣ୍ଟା ମଧ୍ୟରେ ସନ୍ଦୀପ ହସ୍ପିଟାଲରେ ପହଞ୍ଚି ଡ଼.ସୁଜାତାଙ୍କୁ ଖୋଜିବାକୁ ଲାଗିଲେ l ଠିକ ସେତିକିବେଳେ ବାହାରୁ କାହାର ଚିତ୍କାର ଶୁଭାଗଲା l ସମସ୍ତେ ପାର୍କିଙ୍ଗ ଏରିଆକୁ ଧାଇଁଗଲେ l ସେଠାରେ ପହଂଚିବା ପୂର୍ବରୁ ସବୁକିଛି ଶେଷ ହୋଇଯାଇଥିଲା l ଡ଼.ସୁଜାତା ମରିସାରିଥିଲେ l ସନ୍ଦୀପ ତାଙ୍କୁ ନିରୀକ୍ଷଣ କରି ଦେଖିଲେ l ତାଙ୍କୁ ମଧ୍ୟ ସେହିପରି ହତ୍ୟା କରାଯାଇଛି,ଯେପରି ଦୁଇଦିନ ପୂର୍ବରୁ ଇନିସପେକ୍ଟର ଶ୍ୟାମଙ୍କୁ ହତ୍ୟା କରାଯାଇଥିଲା l ସମଗ୍ର ଶରୀରରେ କଟାଦାଗ, ଛୁରୀ ଦ୍ୱାରା ଆଖି ଓ କିଡନୀ କଢା ଯାଇଛି l ମୃତ ଶରୀର ପାଖରେ ଲେଖା ଯାଇଛି-"କଲା କର୍ମର ଫଳ ସମସ୍ତେ ଭୋଗ କରିଥାଆନ୍ତି,ମୁଁ ତ ଏକ ନିମିତ୍ତ ଅଟେ l "ଠିକ ସେତିକିବେଳେ ସନ୍ଦୀପଙ୍କ ଡ୍ରାଇଭର ରବି ଆସି ପହଁଚିଲା l ସେ ମୃତ ଶରୀରକୁ ଦେଖି କହିପକାଇଲା- " କଲା କର୍ମର ଫଳ ସମସ୍ତେ ଭୋଗ କରିଥାନ୍ତି,ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ" l ରବି ମୁହଁରୁ ଏପରି କଥା ଶୁଣି ସନ୍ଦୀପ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲେ ଓ ରବିକୁ ଦେଖିବାକୁ ଲାଗିଲେ l କିନ୍ତୁ କିଛି ନ କହି ରବି ସହ ଘରକୁ ଚାଲିଆସିଲେ l
ଘରକୁ ଫେରିଆସି ସନ୍ଦୀପ କିଛି ଭାବୁଥିବା ସମୟରେ ତାଙ୍କ ଫୋନର ଘଣ୍ଟି ବାଜି ଉଠିଲା l ସନ୍ଦୀପ ଆଉ ଡେରି ନ କରି ଫୋନଟି ରିସିଭ କଲେ-ମନୁଷ୍ୟକୁ ମୃତ୍ୟୁ ସମୟରେ ମୋହମାୟା ଠାରୁ ଦୂରେଇ ରହିବା ଆବଶ୍ୟକ, ତାହାଲେ ଯାଇ ଆତ୍ମାକୁ ସଦ୍ଗତି ପ୍ରାପ୍ତି ହୋଇଥାଏ କହି ହତ୍ୟାକାରୀଟି ହସିବାକୁ ଲାଗିଲା l ସନ୍ଦୀପ ରାଗିଯାଇ କହିଲେ- ତୁ କିଏ?କଣ ଦରକାର ତୋର?ତୋର ଏପରି ଲୋକମାନଙ୍କୁ ମାରିବା ପଛରେ ଉଦେଶ୍ୟ କଣ ଅଛି?ହତ୍ୟାକାରୀଟି ଚିତ୍କାର କରି କହିଉଠିଲା "ପ୍ରତିଶୋଧ" l ମୁଁ କେବଳ ପ୍ରତିଶୋଧ ନେବାକୁ ଚାହୁଁଛି l ଯିଏ ଯେମିତି କରିଥାଏ ଟାକୁ ସେହିପରି ଭରିବାକୁ ପଡିଥାଏ l କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ,ସମସ୍ତେ ମରିବେ l ହତ୍ୟାକାରୀଟି ଏତିକି କହି ଜୋରରେ ହସିବାକୁ ଲାଗିଲା l ସେହି ସମୟରେ ସନ୍ଦୀପ ଝରକା ଫଙ୍କ ଦେଇ ଦେଖିଲେ ତାଙ୍କ ୱଚମ୍ୟାନ ହସିହସି ଫୋନରେ କଥା ହେଉଛି l ସେ କିଛି ବୁଝିପାରିଲେ ନାହିଁ l ହତ୍ୟାକାରୀର ଅନ୍ୟ କୌଣସି କଥା ନ ଶୁଣି ଫୋନଟି କାଟିଦେଲେ l ଠିକ ସେତିକିବେଳେ ୱଚମ୍ୟାନର ଫୋନ ମଧ୍ୟ କଟିଗଲା l ସନ୍ଦୀପଙ୍କ ସନ୍ଦେହ ଧୀରେ ଧୀରେ ଗଭୀର ହେବାକୁ ଲାଗିଲା l ସେ ଚିନ୍ତା କରିବାକୁ ଲାଗିଲେ-ଯେତେବେଳେ ସେ କଫି ପିଉଥିଲେ ସେତେବେଳେ ଘରେ ତାଙ୍କ ଛଡା କେହି ନଥିଲେ l କେବଳ ଝରକା ବାଟ ଦେଇ କେବଳ ୱଚମ୍ୟାନ ଦେଖିପାରିବ କିନ୍ତୁ ହତ୍ୟାକାରୀ କିପରି ଜାଣିଲା?ହସ୍ପିଟାଲକୁ ଗଲାବେଳେ ସେ ୱଚମ୍ୟାନକୁ କେବଳ କହିଥିଲେ ସେ ହସ୍ପିଟାଲ ଯାଉଛନ୍ତି, ସେ କେଉଁ ହସ୍ପିଟାଲ ଯାଉଛନ୍ତି ତାହା କହିନଥିଲେ l ଡ଼. ସୁଜାତାଙ୍କ ମୃତ୍ୟୁର ଦୁଇ ମିନିଟ ପରେ ଡ୍ରାଇଭର ରବି ସେଠାରେ ପହଞ୍ଚିଲେ ଓ ତାଙ୍କ ପାଟିରୁ ମଧ୍ୟ ସେହି ଗୋଟିଏ କଥା ବାହାରିଲା,ଯାହା ହତ୍ୟାକାରୀ ଲେଖିଥିଲା-" କଲା କର୍ମର ଫଳ ସମସ୍ତେ ଭୋଗ କରିଥାନ୍ତି" l
ସନ୍ଦୀପ ଆଉ କାଳ ବିଳମ୍ବ ନ କରି ଡ୍ରାଇଭର ରବିକୁ ଡାକିଲେ l ରବି ଆସି ପହଞ୍ଚିବାରୁ ସନ୍ଦୀପ ପଚାରିଲେ-ମୁଁ ହସ୍ପିଟାଲ ଯିବା ସମୟରେ ତୁମେ କେଉଁଠି ଥିଲ?ରବି ଉତ୍ତର ଦେଲା- ସାର ମୋ ମାଆଙ୍କ ଦେହ ବହୁତ ଖରାପ, ତାଙ୍କ ପାଇଁ ମେଡ଼ିସିନ ନେବାକୁ ଯାଇଥିଲି l ହେଲେ ଅତ୍ୟଧିକ ବର୍ଷା ହେବା ହେତୁ ଟିକିଏ ବିଳମ୍ବ ହୋଇଗଲା l ଆପଣ ପ୍ରେସକ୍ରିପ୍ସନ ଦେଖୁନାହାନ୍ତି l ସନ୍ଦୀପ ପ୍ରେସକ୍ରିପ୍ସନଟିକୁ ଦେଖିଲେ ଓ ରବିକୁ ଯିବାପାଇଁ କହିଲେ l ରବି ଚାଲିଯିବା ପରେ ସନ୍ଦୀପ ପୁନଃ ଚିନ୍ତାକଲେ l ରବି ସବୁବେଳେ ରାତି ୮ଟାରେ ଡିନର ପାଇଁ ଯାଏ l ତାର ଅଧଘଣ୍ଟା ପରେ ୱଚମ୍ୟାନ ମଧ୍ୟ ଡିନର ପାଇଁ ଯାଏ l ଠିକ ସେତିକିବେଳେ ହତ୍ୟାକାରୀର ଫୋନ ଆସେ l ଏମିତି ତ ନୁହେଁ ଏହି ଦୁଇଜଣ ମିଳିମିଶି ଏପରି କରୁଛନ୍ତି l ନା ମୁଁ ଅଧିକ କିଛି ଭାବିଦଉଛି l ଯେପରି ବର୍ଷା ହେବା ପୂର୍ବରୁ ଖଣ୍ଡ ଖଣ୍ଡ କଳା ବାଦଲ ଏକତ୍ରିତ ହୋଇଥାନ୍ତି,ଠିକ ସେହିପରି ଡିଟେକଟିଭ ସନ୍ଦୀପଙ୍କ ସନ୍ଦେହ ଧୀରେ ଧୀରେ ଏକତ୍ର ମିଳିତ ହୋଇ ବଢିବାକୁ ଲାଗିଲା l ସେ ତାଙ୍କ ଅତି ଆପଣାର ମିତ୍ର ପ୍ରୀତମଙ୍କୁ ତାଙ୍କ ଡ୍ରାଇଭର ଓ ୱଚମ୍ୟାନ ଉପରେ କଡା ନଜର ରଖିବାକୁ କହିଲେ l ପ୍ରୀତମ ମଧ୍ୟ ସେମାନେ କୁଆଡେ ଯାଉଛନ୍ତି,କଣ କରୁଛନ୍ତି, କାହାସହ ମିଳାମିଶା କରୁଛନ୍ତି ସବୁ ଉପରେ ନଜର ରଖିଲେ l ହେଲେ କୌଣସି ତଥ୍ୟ ମିଳିଲାନାହିଁ l
ଦୁଇଦିନ ହେବ ହତ୍ୟାକାରୀର ଫୋନ ଆସିନାହିଁ ବୋଲି ସନ୍ଦୀପ ପ୍ରୀତମଙ୍କୁ କହୁଥିବା ସମୟରେ ହଠାତ ଖବର ଆସିଲା,କୌଣସି ଏକ ଶିଶୁମନ୍ଦିରରୁ ଗୋଟିଏ ପିଲା ଗାୟବ ହୋଇଯାଇଛି l ପୋଲିସ ଯେତେ ଖୋଜାଖୋଜି କଲେ ମଧ୍ୟ ପିଲାର ସନ୍ଧାନ ମିଳୁନାହିଁ l ସନ୍ଦୀପ ବୁଝିସାରିଥିଲେ ଏ କାମ ହେଉଛି ସେହି ହତ୍ୟାକାରୀର l ସେ କେବଳ ତା ଫୋନକୁ ଅପେକ୍ଷା କରିଥିଲେ l ହେଲେ ହତ୍ୟାକାରୀର ଫୋନ ଆସିନଥିଲା l ତା' ପରଦିନ ଶିଳ୍ପପତି ପ୍ରକାଶ ମଙ୍ଗରାଜଙ୍କ କନଷ୍ଟ୍ରକ୍ସନ ସାଇଟ ତଳେ ପିଲାଟିର ମୃତ ଦେହ ଉଦ୍ଧାର କରାଗଲା l ସେହି ପିଲାଟି ଶିଳ୍ପପତି ପ୍ରକାଶ ମଙ୍ଗରାଜଙ୍କ ପୁଅ ଥିଲା l ଖବରପାଇ ସନ୍ଦୀପ ଘଟଣା ସ୍ଥଳୀରେ ଉପସ୍ଥିତ ହେଲେ l ପିଲାଟିକୁ ମଧ୍ୟ ସେହିଭଳି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ଓ ସେଠାରେ ମଧ୍ୟ ଲେଖା ଯାଇଥିଲା-"କଲା କର୍ମର ଫଳ ସମସ୍ତେ ଭୋଗ କରିଥାନ୍ତି,ମୁଁ ତ ଏକ ନିମିତ୍ତ ଅଟେ" l ସେତିକିବେଳେ ସନ୍ଦୀପଙ୍କ ଫୋନ ବାଜି ଉଠିଲା l ସନ୍ଦୀପ ଫୋନଟି ରିସିଭ କଲେ ଓ ତାଙ୍କ ବନ୍ଧୁ ପ୍ରୀତମଙ୍କୁ ଇସାରାରେ କଲର ଲୋକେସନ ଚେକ କରିବା ପାଇଁ କହିଲେ ଓ ଲୋକେସନଟି ସନ୍ଦୀପଙ୍କ ଘରପାଖ ଏସ.ଟି.ଡି ରୁ ଆସୁଛି ବୋଲି ଜାଣିପାରି ଶୀଘ୍ର ସେଠାକୁ ଯିବାପାଇଁ ଲାଗିଲେ l ହତ୍ୟାକାରୀଟି କହିଲା-" ରାମନାମ ସତ୍ୟ ହେ,ହରିନାମ ସତ୍ୟ ହେ" l କହିଥିଲି ନା ମୁଁ "ମୃତ୍ୟୁ" ଅଟେ l ଯେତେବେଳେ ମୃତ୍ୟୁ ଆସେ ତାକୁ କେହି ଅଟକାଇ ପାରିବେ ନାହିଁ l ଯଦି ତୁମେ ସେଦିନ ଫୋନ ନ କାଟି ମୋର ସମ୍ପୂର୍ଣ୍ଣ କଥା ଶୁଣିଥାନ୍ତ,ତାହାଲେ ସେ ପିଲାଟିକୁ ବଞ୍ଚାଇ ପାରିଥାନ୍ତ l ହେଲେ ତୁମେ ମୋ ଅପେକ୍ଷା ତୁମ ଡ୍ରାଇଭର ଓ ୱଚମ୍ୟାନ ଉପରେ ଗୁରୁତ୍ୱ ଦେଲ l ସେମାନଙ୍କୁ ସନ୍ଦେହ କରି ତୁମ ବନ୍ଧୁଙ୍କୁ ତାଙ୍କ ପଛରେ ଲଗାଇଦେଲ l ମୁଁ ସେହି ସୁଯୋଗର ଫାଇଦା ଉଠାଇଲି କହି ହସିବାକୁ ଲାଗିଲା l ସନ୍ଦୀପ ରାଗରେ ଜର୍ଜରିତ ହୋଇ କହିବାକୁ ଲାଗିଲେ-ମୁଁ ତୋତେ ଛାଡିବିନାହିଁ l ତୋତେ ଧରିକି ହିଁ ରହିବି l ତୋ ପର୍ଦାଫାସ ମୁଁ ନିଶ୍ଚୟ କରିବି l ସେତିକିବେଳେ ସେମାନେ ସେହି ଏସ.ଟି.ଡି ପାଖରେ ପହଞ୍ଚିଲେ,ହେଲେ ହତ୍ୟାକାରୀ ସେଠାରୁ ଖସି ଯାଇଥିଲା l
ଏହାପରେ ସନ୍ଦୀପ ସେହି ଶିଶୁମନ୍ଦିରକୁ ଗଲେ l ସେଠାରେ ସମସ୍ତଙ୍କୁ ପଚରାଉଚୁରା କରିବାରୁ ସେ ଜାଣିବାକୁ ପାଇଲେ ଯେ ଦୁଇବର୍ଷ ପୂର୍ବରୁ ମଧ୍ୟ ଏପରି ଏକ କେସ ହୋଇଥିଲା l ହେଲେ ସେ କେସକୁ ଚାପିଦିଆ ଯାଇଛି l ସନ୍ଦୀପ ଦୁଇବର୍ଷର ପୁରୁଣା ରେକର୍ଡ ଚେକ କରି ପିଲାଟିର ଆଡ୍ରେସ ନେଇ ସେ ରହୁଥିବା ଘରକୁ ଗଲେ l କିନ୍ତୁ ଘରେ କେହି ନଥିଲେ l ଆଖପାଖ ଲୋକଙ୍କୁ ପଚାରିବାରୁ ସେମାନେ କିଛି ଜାଣିନାହାନ୍ତି ବୋଲି କହିଲେ l ସନ୍ଦୀପ ନିରାଶ ହୋଇ ଫେରିବା ସମୟରେ କେହି ଜଣେ ପଛରୁ ଆବାଜ ଦେଲେ-ଆପଣ ଯାହା ଜାଣିବାପାଇଁ ଆସିଛନ୍ତି ତାହା ଏଠାରେ କେହି କହିବେ ନାହିଁ l ଯଦି ସତ୍ୟ ଜାଣିବାକୁ ଚାହୁଁଛନ୍ତି ତାହାଲେ ମୋ ସହିତ ଆସନ୍ତୁ l ସନ୍ଦୀପ ମଧ୍ୟ ତାଙ୍କ ପଛେ ପଛେ ଯିବାକୁ ଲାଗିଲେ l ବ୍ୟକ୍ତି ଜଣକ ସନ୍ଦୀପଙ୍କୁ ଏକ କୋଠରୀ ମଧ୍ୟକୁ ନେଇଗଲେ l କୋଠରୀଟି ଏପରି ଲାଗୁଥିଲା ଯେପରି ବହୁ ପୁରୁଣା ଲାବୋରଟାରୀ ପରି l ମଣିଷର ଯାତାୟାତ ନ ଥିବାରୁ କୋଠରୀଟି ଭୟଙ୍କର ଦେଖା ଯାଉଥିଲା l କୋଠରୀର ଅବସ୍ଥା ଦେଖି ଏପରି ଲାଗୁଥିଲା ଯେପରି କିଛି ସମୟ ପୂର୍ବରୁ ଏଠାରେ କିଛି ଏକ୍ସପେରିମେଣ୍ଟ କରାଯାଇଛି l ବ୍ୟକ୍ତି ଜଣକ କହିଲେ-ଆପଣ ଯେଉଁ ତଥ୍ୟ ପାଇଁ ଆସିଛନ୍ତି ତାହା ମୁଁ ଆପଣଙ୍କୁ ଜଣାଇବି l କିନ୍ତୁ ତା'ର ଯାହା କ୍ଷତି ହୋଇଛି, ସେ ଯାହା ସବୁ ହରେଇଛି ତାହା ଆପଣ କଣ ଫେରାଇ ପାରିବେ?ସନ୍ଦୀପ ଟିକିଏ ଗମ୍ଭୀର ସ୍ୱରରେ କହିଲେ-ତାହା ତ ମୁଁ କରିପାରିବି ନାହିଁ କିନ୍ତୁ ଉପଯୁକ୍ତ ନ୍ୟାୟ ଦେଇପାରିବି l ବ୍ୟକ୍ତି ଜଣକ ଟିକିଏ ହସିଦେଇ କହିବାକୁ ଆରମ୍ଭ କଲେ l
ରାଜେନ୍ଦ୍ର ଜଣେ ଅନାଥ ଥିଲେ l ବିଜ୍ଞାନ ଶିକ୍ଷକ ଭାବରେ ଏକ ବିଦ୍ୟାଳୟରେ ସରକାରୀ ଚାକିରୀ କରୁଥିଲେ l ମାଳତୀ ନାମକ ଏକ ଝିଅକୁ ସେ ଭଲପାଇ ବସିଲେ ଓ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ l ହେଲେ ମାଲତୀଙ୍କ ଭାଇ ପ୍ରକାଶ ମଙ୍ଗରାଜ ଜଣେ ଶିଳ୍ପପତି ହୋଇଥିବାରୁ ସେ ଏ ବିବାହ ପାଇଁ ରାଜି ନଥିଲେ l ମାଳତୀ ଘରୁ ଚାଲିଆସି ରାଜେନ୍ଦ୍ରଙ୍କୁ ବିବାହ କଲେ l ତାଙ୍କର ପୁଅଟିଏ ହେଲା l ତିନିଜଣ ଖୁସିରେ ସଂସାର କରିବାକୁ ଲାଗିଲେ l ଗୋଟେଦିନ ସୋମ ସ୍କୁଲରୁ ନ ଫେରିବାରୁ ରାଜେନ୍ଦ୍ର ଓ ମାଳତୀ ଅସ୍ତବ୍ୟସ୍ତ ହୋଇପଡିଲେ l ଏସବୁ ପ୍ରକାଶ ମଙ୍ଗରାଜର କାମ ଜାଣିପାରି ପୋଲିସ ଷ୍ଟେସନରେ କମ୍ପ୍ଲେନ ଦେଲେ,ହେଲେ କିଛି ଲାଭ ହେଲା ନାହିଁ l ଗୋଟେ ଦିନ ପରେ ସୋମର ମୃତ ଶରୀର ରାସ୍ତାରେ ପଡିଥିବାର ମିଳିଲା l ସୋମର ଆଖି ସହ କିଡନୀ ମଧ୍ୟ ଗାୟବ ଥିଲା l ସୋମର ମୃତ ଦେହକୁ ପୋଷ୍ଟମୋଟମ ପାଇଁ ପଠାଗଲା l ସେତେବେଳେ ପ୍ରକାଶ ମଙ୍ଗରାଜ ଡ଼.ସୁଜାତାଙ୍କୁ ପଇସା ଦେଇ ରିପୋର୍ଟକୁ ବଦଳାଇ ଦୁର୍ଘଟଣାର ନା ଦେଇଦେଲେ ଓ ଇନିସପେକ୍ଟର ଶ୍ୟାମଙ୍କୁ ପଇସା ଦେଇ କେସ ବନ୍ଦ କରିଦେଲେ l ଏସବୁ ସହି ନପାରି ମାଳତୀ ଆତ୍ମହତ୍ୟା କରିଦେଲେ l ସେହିଦିନ ଠାରୁ ରାଜେନ୍ଦ୍ର ଏକ ପ୍ରକାର ପାଗଳ ହୋଇଯାଇଛନ୍ତି l ସେ କଣ କରୁଛନ୍ତି ସେ ନିଜେ ଜାଣିପାରୁନାହାନ୍ତି l ବୋଧହୁଏ ସେ ତାଙ୍କ ପରିବାରର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି l ଯଦି ଏହା ସତ୍ୟ ହୋଇଥାଏ ତାହାଲେ କେହି ବଞ୍ଚିବେ ନାହିଁ l ସେ ସମସ୍ତଙ୍କୁ ମାରିଦେବେ କହି ସେହି ବ୍ୟକ୍ତି ଜଣକ ହସି ହସି ସେଠାରୁ ଚାଲିଗଲେ l
ଅନ୍ଧାର ରାତି l କେହିଜଣେ କଳା ପୋଷାକ ପିନ୍ଧି ଘର ଭିତରକୁ ପସିଆସିଲା l ହାତରେ ଛୋଟିଆ ନାଲି ଆଲୁଅ ଓ ଛୁରୀ ମଧ୍ୟ ଥିଲା l ସେ ଗୋଟିଏ କୋଠରୀ ମଧ୍ୟରେ ପ୍ରବେଶ କଲା l ପଲଙ୍କ ଉପରେ କେହିଜଣେ ଘୋଡ଼ିହୋଇ ଶୋଇଥିବାର ଦେଖି ଧୀରେ ଧୀରେ ତାଙ୍କ ନିକଟକୁ ଗଲା l ଛୁରୀଦ୍ୱାରା ତାଙ୍କୁ ହତ୍ୟା କରିବାକୁ ଯାଉଥିବା ସମୟରେ ହଠାତ କୋଠରୀର ଆଲୋକ ଜାଳିଉଠିଲା l ହତ୍ୟାକାରୀଟି ଚମକି ପଡିଲା ଓ ପଛକୁ ଚାହିଁଲା, ସନ୍ଦୀପ ତା ପଛରେ ଠିଆ ହୋଇଛନ୍ତି l ସନ୍ଦୀପ କହିଉଠିଲେ-ଏବେ ତୋ ଖେଳ ଶେଷ ହେଲା l ତୁ ଏଠୁ ଖସିଯାଇ ପାରିବୁ ନାହିଁ l ସେହି ସମୟରେ ହତ୍ୟାକାରୀର ଚାରିପାଖରେ ପୋଲିସ ଘେରିଗଲେ l ହତ୍ୟାକାରୀଟି ହସି ହସି କହିଲା- ଡିଟେକଟିଭ ସନ୍ଦୀପ ତୁମେ ସତରେ ବହୁତ ସ୍ମାର୍ଟ l ସନ୍ଦୀପ ସ୍ମିତହାସ୍ୟ ଦେଇ କହିଲେ- ସେ ଲାବୋରଟାରୀକୁ ଦେଖି ଓ ତୁମର ସେ ସ୍ମିତହାସ୍ୟକୁ ଦେଖି ମୁଁ ଠିକ ବୁଝିସାରିଥିଲି,ରାଜେନ୍ଦ୍ର ଆଉ କେହିନୁହେଁ ସେ ହେଉଛ ତୁମେ l ଏହାପରେ ସନ୍ଦୀପ ହତ୍ୟାକାରୀର ପର୍ଦାଫାସ କରିବା ସହିତ ଶିଳ୍ପପତି ପ୍ରକାଶ ମଙ୍ଗରାଜକୁ କଠୋର ଦାଣ୍ଡରେ ଦଣ୍ଡିତ କଲେ l
