Etishree Jana

Romance Tragedy

4.4  

Etishree Jana

Romance Tragedy

ଏ ପ୍ରେମ ହୃଦୟର

ଏ ପ୍ରେମ ହୃଦୟର

8 mins
308


ସମୟର ଚକ୍ର ପ୍ରକୃତରେ କେଡେ ଅଦ୍ଭୁତ । ସମୟର ବିଡମ୍ବନାରେ କେତେ ଯେ ସ୍ମୃତି କେତେ ଯେ ଯନ୍ତ୍ରଣା ଲୁଚିରହିଥାଏ ତାହା ବର୍ତ୍ତମାନ ଠାରୁ କୋଶ ଦୂରରେ । ଲୋକେ କୁହନ୍ତି ସମୟର ତାଳେ ତାଳେ ଅତୀତର କିଛି ସ୍ମୃତି କୌଣସି ପୁରୁଣା ବହିର ପୁରୁଣା ପୃଷ୍ଠା ପରି ବହିରେ ରହିଯାଇଥାଏ ଓ ଏକ ନୂତନ ପୃଷ୍ଠା ପଢ଼ାଯାଇଥାଏ । ତାହା କଣ ବାସ୍ତବରେ ସତ୍ୟ...?ଯଦି ତାହା ସତ୍ୟ ତାହେଲେ ଇତିହାସକୁ ଦୋହରା ଯାଏ କାହିଁକି...?କାହିଁକି ପୁସ୍ତକରେ ଥିବା ଅତୀତକୁ ଆମେ ମନେ ରଖିଥାଉ ଆଉ ନିଜ ଜୀବନରେ ଘଟିଥିବା ଘଟଣାକୁ ଭୁଲି ଆଗକୁ ବଢିବାକୁ ଆଶ୍ୱାସନା ମିଳିଥାଏ...?କାହିଁକି...?କାହିଁକି...?କାହିଁକି...?

ରାତ୍ରିର ଅନ୍ଧକାରର ବକ୍ଷ ଚିରି ଆଲୋକିତ ହେଉଥିବା ଚନ୍ଦ୍ରମାକୁ ଦେଖି ଅଭିମନ୍ୟୁ ନିଜ ପ୍ରଶ୍ନର ଉତ୍ତର ଖୋଜୁଥିଲା । କିନ୍ତୁ ସେଠାରେ ଉତ୍ତର ନଥିଲା;ଯଦି କିଛି ଥିଲା ତାହା ହେଉଛି ନିଃଶବ୍ଦ ଚନ୍ଦ୍ରମାର ଜ୍ୟୋସ୍ନାର ଛାୟା ଆଉ କୋଟି କୋଟି ତାରାମାନଙ୍କର ଗୁଚ୍ଛ । ସେ ଜାଣିଥିଲା ତାକୁ ସେଠାରୁ କିଛି ଉତ୍ତର ମିଳିବ ନାହିଁ । ତଥାପି ମନରେ ଥିବା କିଛି ଅକୁହା କଥାକୁ ସେ ପ୍ରତିଦିନ ଜହ୍ନକୁ ଚାହିଁ କହିଦିଏ ଓ ମନ ହାଲ୍କା କରିଦିଏ । 

ହେଲେ କେତେ ଦିନ...?କେବେ ନା କେବେ ତାକୁ ଅତୀତକୁ ଭୁଲି ଆଗକୁ ବଢିବାକୁ ହେବ । କିନ୍ତୁ କିପରି...?ଅତୀତକୁ ଭୁଲିବାକୁ ହେଲେ ତାକୁ ପୁନଃ ଅତୀତକୁ ଯିବାକୁ ପଡ଼ିବ । ସେହି ଅତୀତ ଯେଉଁ ଅତୀତରେ ଘଟିଥିବା ଘଟଣାର କିଛି ପ୍ରଶ୍ନର ଉତ୍ତର ସେ ଆଜି ପର୍ଯ୍ୟନ୍ତ ଖୋଜୁଛି । ଯେପରି କୁହୁଡି ଭରା ରାସ୍ତାରେ କୁହୁଡିର ବକ୍ଷଭେଦ କରି ଆଗକୁ ବଢିଲେ ମଧ୍ୟ କୁହୁଡି ଦ୍ୱାରା ଘେରା ରାସ୍ତା ମିଳିଥାଏ,ସେହିପରି ଅଭିମନ୍ୟୁ ପ୍ରଶ୍ନ ଦ୍ୱାରା ଘେରା ଅତୀତକୁ ଯାଇ ଉତ୍ତର ଅନ୍ୱେଷଣ କରିବାକୁ ଚେଷ୍ଟା କଲେ ମଧ୍ୟ ତାକୁ କେବଳ ପ୍ରଶ୍ନ ପୁଟୁଳି ହିଁ ପ୍ରାପ୍ତ ହେଲା । ଯାହାର କୌଣସି ଉତ୍ତର ନଥିଲା । 

ସେ ବ୍ୟସ୍ତ ବିବ୍ରତ ହୋଇ ଅତୀତରୁ ବାହାରି ବର୍ତ୍ତମାନକୁ ଚାଲି ଆସିଲା । ତଥାପି ମନ ଅଶାନ୍ତ । କିନ୍ତୁ ସେ ପ୍ରତିଜ୍ଞା କରି ସାରିଥିଲା, ଯେକୌଣସି ପରିସ୍ଥିତିରେ ମଧ୍ୟ ଅତୀତର ସେ ପ୍ରଶ୍ନର ଉତ୍ତର ନିଶ୍ଚୟ ଖୋଜିବ । 

ଅଭିମନ୍ୟୁ ତା ଘରେ ରଖିଥିବା ଗୋଟିଏ ପୁରୁଣା ବାକ୍ସ ଖୋଲି ଦେଖିବାକୁ ଲାଗିଲା । ସେ ବାକ୍ସରେ କିଛି ପୁରୁଣା ଚିଠି ଓ କିଛି ଫୋଟୋ ସହ କିଛି ଅସୁମାରୀ ସ୍ମୃତି ସାଇତା ହୋଇଥିଲା । ଅଭିମନ୍ୟୁ ଭିଜା ଆଖିରେ ସେ ଚିଠିଗୁଡିକୁ ପଢିବାକୁ ଲାଗିଲା । ସେ ଚିଠିରେ ଲେଖା ଯାଇଥିବା ପ୍ରତ୍ୟେକ ଶବ୍ଦକୁ ସେ ବହୁତ ଧ୍ୟାନର ସହ ପଢୁଥିଲା । ବାସ୍ତବରେ ଅଭିମନ୍ୟୁ ସେ ଚିଠିକୁ ଶହେରୁ ଉର୍ଦ୍ଧ୍ୱ ପଢି ସାରିଥିଲେ ମଧ୍ୟ ତାକୁ ସେ ଚିଠି ଗୁଡିକ ନୂଆ ଲାଗୁଥିଲା । ସେ ବାରମ୍ବାର ଚିଠିଗୁଡିକୁ ଛୁଇଁ ଯେପରି କାହା ଉପସ୍ଥିତିକୁ ଅନୁଭବ କରୁଥିଲା । ଆଖିରେ ଲୁହ,ମନରେ ଅଭିମାନ ଭରି ବାକ୍ସରେ ଥିବା ଫୋଟୋ ଗୁଡିକୁ ଦେଖିବାକୁ ଲାଗିଲା । ତାକୁ ଏପରି ମନେ ହେଉଥିଲା ଯେପରି ସେ ଫୋଟୋରେ ଥିବା ବ୍ୟକ୍ତି ବାସ୍ତବରେ ତା ନିକଟରେ ଉପସ୍ଥିତ ଅଛି । 

ଅଭିମନ୍ୟୁ ଆଖି ମୁଦ୍ରିତ କରି ଏକ ଦୀର୍ଘ ନିଶ୍ଵାସ ପକାଇ ଗୋଟିଏ ଶବ୍ଦ ଉଚ୍ଚାରଣ କଲା- "ଉତ୍ତରା"ପରଦିନ ଅଭିମନ୍ୟୁ ବାହାରି ପଡ଼ିଲା ତା ଗନ୍ତବ୍ୟ ସ୍ଥାନକୁ । ଦିଲ୍ଲୀ ଠାରୁ ଭୁବନେଶ୍ୱର ଦୀର୍ଘ ୧୭୦୦ କି.ମି ବାଟ ଅତିକ୍ରମ କରି ଅଭିମନ୍ୟୁ ତା ପ୍ରଶ୍ନର ଉତ୍ତର ପାଇଁ ଚାଲିଆସିଲା । ଟ୍ରେନର ଗତି ଦ୍ରୁତ ବେଗରେ ଆଗକୁ ବଢି ଚାଲିଥାଏ । ଟ୍ରେନ ବାହାରେ ଦୃଶ୍ୟମାନ ହେଉଥିବା ପ୍ରକୃତି ଏପରି ଦୃଶ୍ୟମାନ ହେଉଥିଲା ଯେପରି ସେମାନେ ମଧ୍ୟ ଟ୍ରେନର ଗତି ତାଳେ ତାଳେ ଦୌଡ଼ିବାରେ ଲାଗିଛନ୍ତି । ସେମାନଙ୍କ ଗତି ସହ ଅଭିମନ୍ୟୁ ହୃଦୟର ଗତି ଦୁଇ ଗୁଣ ବେଗରେ ଗତି କରୁଥିଲା । ତା ମନରେ ଅନେକ ପ୍ରଶ୍ନ ସାଇତା ଥିଲେ ମଧ୍ୟ ଉତ୍ତର ମିଳିବ କି ନାହିଁ ସେ ଜାଣିନଥିଲା । କିନ୍ତୁ ମନ ଭିତରେ ଏକ ଅକୁହା ଭୟ ଓ ଅଦେଖା ଖୁସି ଭରିଯାଇଥିଲା । ଦୀର୍ଘ ୩ ବର୍ଷ ପରେ ସେ ଭୁବନେଶ୍ୱର ଫେରିଥିଲା । ୩ବର୍ଷ ପୂର୍ବରୁ ଯେଉଁ ଅତୀତକୁ ଛାଡି ଚାଲି ଯାଇଥିଲା,ସେହି ଅତୀତ ପାଇଁ ଆଜି ସେ ଫେରି ମଧ୍ୟ ଆସିଥିଲା । ହେଲେ କଣ ତା ଅତୀତ ଆଜି ବି ତାକୁ ଅପେକ୍ଷା କରିଥିବ...?ଏପରି ଚିନ୍ତା କରି ସେ ତା ଅତୀତକୁ ଚାଲିଗଲା । 

୫ ବର୍ଷ ପୂର୍ବେ । ଅଭିମନ୍ୟୁ ଏକ ସାଧାରଣ କରଣ ପରିବାରରେ ଜନ୍ମ । ତା ବାପା ତ୍ରିନାଥ ପଟ୍ଟନାୟକ ସୁରେନ୍ଦ୍ରନାଥ ଠାକୁରଙ୍କ ଘରେ ରୋଷେଇଆ ଭାବରେ କାମ କରୁଥିଲେ । ଅଭିମନ୍ୟୁ ପାଠ ଶେଷକରି ଚାକିରୀ ପାଇଁ ବାହାରକୁ ଯିବାକୁ ଚାହୁଁଥିଲା । କିନ୍ତୁ ତ୍ରିନାଥ ପଟ୍ଟନାୟକ ପୁଅକୁ ନିଜଠାରୁ ଦୂର କରିବାକୁ ଚାହୁଁନଥିଲେ । ସେଥିପାଇଁ ସେ ପୁଅକୁ ଚାକିରୀ ଦେବା ଆଶାରେ ସୁରେନ୍ଦ୍ରନାଥ ଠାକୁରଙ୍କ ପାଖକୁ ପୁଅକୁ ନେଇଗଲେ । ସୁରେନ୍ଦ୍ରନାଥ ଠାକୁର ଜଣେ ରାଜପରିବାରର ସଦସ୍ୟ ଥିଲେ । ତାଙ୍କ ଖ୍ୟାତି ସମଗ୍ର ଓଡ଼ିଶାରେ ପ୍ରଚଳିତ ଥିଲା । ସୁରେନ୍ଦ୍ରନାଥ ଅଭିମନ୍ୟୁକୁ ମୁନ୍ସି ଭାବରେ ତାଙ୍କ ମହଲରେ ରଖିଲେ । କିଛି ଦିନ ଏପରି ଅତିକ୍ରମ ପରେ ଦିନେ ଘର ଅଗଣାରେ କିଛି କଣ୍ଠସ୍ୱର ସୁଭାଗଲା । ଅଭିମନ୍ୟୁ କଣ୍ଠସ୍ୱରକୁ ଅନ୍ୱେଷଣ କରି ଅଗଣାରେ ପହଞ୍ଚିଲା । ସେଠାରେ ଠାକୁର ବଂଶର ବୋହୁମାନଙ୍କ ସହ ଗୋଟିଏ ଝିଅ ବେଶ୍ ହସଖୁସିରେ ସଜ ହେଉଥିଲା । ଅଭିମନ୍ୟୁ ପ୍ରଥମଥର ପାଇଁ ଉତ୍ତରାକୁ ଦେଖିଲା । ସୁନୀଳ ଢଳ ଢଳ ଆଖି,ଚମ୍ପାଫୁଲ ପରି ବର୍ଣ୍ଣ, ଲମ୍ବା ଘନ କେଶ,ପଦ୍ମ ପାଖୁଡା ପରି ହାଲକା ଗୋଲାପି ଓଠ । ସତେ ଯେପରି କେଉଁ ପରି ରାଇଜର ରାଜକୁମାରୀ । ତା ଖିଲି ଖିଲି ହସ ସମଗ୍ର ମହଲରେ ଗୁଞ୍ଜି ଉଠୁଥିଲା । ପ୍ରଥମ ଦେଖାରେ ଅଭିମନ୍ୟୁ ଉତ୍ତରାକୁ ତା ମନ ସମର୍ପଣ କରିଦେଲା । 

ଏପରି କିଛି ଦିନ ବିତିଗଲା । ଅଭିମନ୍ୟୁ ପ୍ରତିଦିନ ମହଲକୁ ଆସି ତା କାମ କରିବା ସହିତ ଉତ୍ତରାକୁ ଲୁଚିଲୁଚି ଦେଖିବାକୁ ଲାଗିଲା । ସେ ଯେତେଥର ଉତ୍ତରାକୁ ଦେଖୁଥିଲା ସେ ସେତେଥର ତାକୁ ନୂଆ ଲାଗୁଥିଲା । ସେ ଜାଣିଥିଲା ତା ପ୍ରେମ ଏକରକମର ଏକତରଫା ଥିଲା ଓ ତାହା କେଵେ ମଧ୍ୟ ସଫଳ ହୋଇପାରିବ ନାହିଁ । ଉତ୍ତରା ଠାକୁର ରାଜପରିବାରର ଏକମାତ୍ର ରାଜକୁମାରୀ ଥିଲା ଆଉ ସେ ଏକ ଗରିବ ରୋଷେଇଆର ପୁଅ । କିନ୍ତୁ ତା ପ୍ରେମର କୌଣସି ଅନ୍ତ ନଥିଲା । ସେ ବିନା ସର୍ତ୍ତରେ ଉତ୍ତରାକୁ ଭଲ ପାଉଥିଲା । ସେ ଇଚ୍ଛା କରି ମଧ୍ୟ ଉତ୍ତରାକୁ ଭୁଲିବାକୁ ଅକ୍ଷମ ଥିଲା । ସେ ଉତ୍ତରାକୁ ମଧ୍ୟ ଏ ସମ୍ପର୍କରେ କହିବାକୁ ସାହସ କରିପାରୁନଥିଲା । ନିଜ ମନରେ ଉତ୍ତରା ପାଇଁ ଥିବା ଅସୁମାରୀ ପ୍ରେମକୁ ତା ନିଜ ଭିତରେ ସାଇତି ରଖିଥିଲା । 

ଦିନେ କୌଣସି କାମ ପାଇଁ ଅଭିମନ୍ୟୁ ଉତ୍ତରା ରହୁଥିବା କୋଠରୀ ସାମ୍ନାକୁ ଯାଇଥିଲା । ସେହି ସମୟରେ ଗୋଟିଏ ସେବକ ଛାତ ଉପର କୋଠରୀକୁ ମହାରାଜ ଡାକିଛନ୍ତି କହି ସେଠାରୁ ଚାଲିଗଲା । ଅଭିମନ୍ୟୁ କିଛି ଚିନ୍ତା ନ କରି ସେହି କୋଠରୀ ଭିତରକୁ ଚାଲିଗଲା । ଭିତରେ ସୁରେନ୍ଦ୍ରନାଥଙ୍କୁ ନ ପାଇ ସେ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲା । ସେ ସେଠାରୁ ଫେରିବାକୁ ହୁଅନ୍ତା ଏକ ସୁମଧୁର କଣ୍ଠସ୍ୱର ତା କାନରେ ବାଜିଲା "କଣ କିଛି ନ କହି ଆଜି ବି ଚୁପଚାପ ଚାଲିଯିବ" । ସେ ଏକଦମ ପାଷାଣ ହୋଇଗଲା । ସେ କଣ୍ଠସ୍ୱର ଆଉ କାହାର ନଥିଲା, ସେ ଉତ୍ତରା ଥିଲା । ଅଭିମନ୍ୟୁ କିଛି ଉତ୍ତର ନ ଦେବାରୁ ଉତ୍ତରା ପଚାରିଲା- ତୁମେ ଦୁଇଦିନ ହେବ ମହଲକୁ ଆସିନଥିଲ କାହିଁକି...?ଉତ୍ତରାର ପ୍ରଶ୍ନରେ ଅଭିମନ୍ୟୁ ତାକୁ ଆଶ୍ଚର୍ଯ୍ୟ ହୋଇ ଦେଖିଲା ଓ କିଛି କ୍ଷଣ ପରେ ସେ ମଥାନତ କରି ଧୀର ସ୍ୱରରେ କହିଲା- ଅନ୍ୟ କିଛି କାମ ପାଇଁ ମୁଁ ସହର ବାହାରକୁ ଯାଇଥିଲି । ଠିକ ଅଛି ଆଜି କ୍ଷମା କଲି କିନ୍ତୁ ପରବର୍ତ୍ତୀ ସମୟରେ ଯଦି କୁଆଡେ ଯାଅ ପ୍ରଥମେ ମୋତେ ଜ୍ଞାତ ହେବା ଦରକାର, ଉତ୍ତରା କହିଲା । ଉତ୍ତରାର ଏପରି ନିଜତ୍ୱପଣ ସହିତ ହୁକୁମ ଦେବା ଦେଖି ଅଭିମନ୍ୟୁ ପୁନଃ ଆଶ୍ଚର୍ଯ୍ୟ ହେବାକୁ ଲାଗିଲା । ଆଜି ପ୍ରଥମଥର ପାଇଁ ଉତ୍ତରା ଅଭିମନ୍ୟୁ ଉପରେ ନିଜ ହକ୍ ଜତାଉଥିଲା । ଯାହା ସେ ବାରମ୍ବାର ତା ସ୍ୱପ୍ନରେ ଦେଖୁଥିଲା । ଆଜି ତା ସ୍ୱପ୍ନ ସତ ହେବାର ଦେଖି ସେ ମନେ ମନେ ବହୁତ ଖୁସି ହେଉଥିଲା । ଅଭିମନ୍ୟୁ ପ୍ରଶ୍ନଭରା କଣ୍ଠରେ ଧୀର ସ୍ୱରରେ ପଚାରିଲା- ହେଲେ କାହିଁକି...?ଅଭିମନ୍ୟୁ ପ୍ରଶ୍ନରେ ଉତ୍ତରା ପ୍ରତିଉତ୍ତରରେ କହିବାକୁ ଆରମ୍ଭ କଲା-ଯେବେ ମୁଁ ତୁମକୁ ପ୍ରଥମଥର ଦେଖିଥିଲି ମୋତେ ଏପରି ମନେ ହେଲା ଯେପରି ମୋତେ କେବଳ ତୁମର ହିଁ ଅପେକ୍ଷା ଥିଲା । ତୁମକୁ ଦେଖି ମୁଁ ସବୁକିଛି ଭୁଲିବାକୁ ଲାଗିଲି । ମୋତେ ପ୍ରଥମଥର ପ୍ରେମର ଏକ ସୁଖଦ ଅନୁଭୂତି ହେଲା । ମୁଁ କେବେ ମୋ କୋଠରୀରୁ ବାହାରକୁ ଆସେନାହିଁ । କେବଳ ତୁମକୁ ଟିକିଏ ଦେଖିବା ପାଇଁ ମୁଁ ଅଗଣାରେ ଆସି ବସେ । ମୁଁ ଜାଣେ ତୁମେ ମଧ୍ୟ ମୋତେ ମୋ ଭଳି ଭଲ ପାଉଛ କି ମୋଠୁ ଅଧିକ । ହେଲେ କେବେ କହିବାକୁ ସାହସ କରିପାରିନ, ଠିକ ସେହି ଅବସ୍ଥା ମୋର ମଧ୍ୟ ଥିଲା । କିନ୍ତୁ ଦୁଇଦିନ ତୁମକୁ ନଦେଖି ମୁଁ ବିଚଳିତ ହୋଇପଡ଼ିଲି । ମୋତେ ଏପରି ଲାଗିଲା ଯେପରି ମୋ ଶରୀରରୁ ମୋ ହୃଦୟକୁ କିଏ ଜୋରକରି ଛଡେଇ ନେଉଛି । ଏହାପରେ ମୋତେ ଅନୁଭବ ହେଲା ତୁମ ପ୍ରତି ଥିବା ମୋ ପ୍ରେମ କେବଳ ଆକର୍ଷଣ ନୁହେଁ ତାହା ଆଜୀବନ ଅସୀମ ଅନନ୍ତ । ମୁଁ ଜାଣେ ଆମ ପ୍ରେମକୁ ମୋ ପରିବାର,ଏ ସମାଜ କେବେ ଗ୍ରହଣ କରିବ ନାହିଁ । କିନ୍ତୁ ପ୍ରେମ ତ ଜାତି ଗୋତ୍ର ଦେଖେନାହିଁ । ଯଦି ଏପରି ହୋଇଥାନ୍ତା ତାହେଲେ ଦୁଷ୍ମନ୍ତ ଜଣେ ରାଜା ହୋଇ ଶକୁନ୍ତଳାଙ୍କ ଭଳି ଜଣେ ଋଷିକନ୍ୟାଙ୍କୁ ପ୍ରେମ କରିନଥାନ୍ତେ । ସେମାନେ ଯଦି ପ୍ରେମ କରି ଇତିହାସରେ ଅମର ହୋଇପାରିଛନ୍ତି ତାହେଲେ ଆମେ କାହିଁକି ନୁହେଁ...?ଉତ୍ତରାର ଏପରି କଥାଶୁଣି ଅଭିମନ୍ୟୁ ନିଜକୁ ଅଟକାଇ ପାରିଲା ନାହିଁ । ସେ ଯେଉଁ କଥାକୁ ଭୟ କରୁଥିଲା ଆଜି ତାହା ଉତ୍ତରା ଦୂର କରିଦେଇଥିଲା । ଦୁହେଁ ସ୍ୱାର୍ଥ ଓ ସର୍ତ୍ତ ହୀନ ହୋଇ ଦୁହେଁ ଦୁହିଁଙ୍କୁ ସମର୍ପିତ କରିଦେଲେ । 

ଦିନକୁ ଦିନ ଦୁହିଁଙ୍କ ପ୍ରେମ ସମ୍ପର୍କ ବଢିବାକୁ ଲାଗିଲା । ଦୁହେଁ ଦେଖା ନ କରିପାରିଲେ ଚିଠିରେ କଥାବାର୍ତ୍ତା ହେଉଥିଲେ । ଧୀରେ ଧୀରେ ଉତ୍ତରାର ଭାଉଜମାନେ ଜାଣିବାକୁ ପାଇଲେ । ସେମାନେ ଉତ୍ତରାକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ଉତ୍ତରା କିଛି ବୁଝିବାକୁ ନାରାଜ । ଯେତେବେଳେ ଉତ୍ତରାର ଭାଇମାନେ ଓ ସୁରେନ୍ଦ୍ରନାଥ ଜାଣିବାକୁ ପାଇଲେ ସେମାନେ ଉତ୍ତରାକୁ ଗୋଟିଏ ଘରେ ବନ୍ଦକରି ରଖିଲେ ଓ ଅଭିମନ୍ୟୁକୁ ବହୁତ ମରାଧରା କରିବାକୁ ଲାଗିଲେ । ତାକୁ ଚାକିରୀରୁ ବାହାର କରିବା ସହିତ ତା ବାପାଙ୍କୁ ମଧ୍ୟ ଧମକାଇଲେ । ଉତ୍ତରା ନିକଟକୁ ଆସିବା ମାତ୍ରେ ପୁଅକୁ ମାରିଦେବେ ବୋଲି ଧମକ ଦେଇ ପୁଅକୁ ଦୂରକୁ ନେଇ ଚାଲିଯିବା ପାଇଁ କହିଲେ । କିନ୍ତୁ ଅଭିମନ୍ୟୁ ଉତ୍ତରାକୁ ଛାଡି ସେଠାରୁ ଯିବାକୁ ମନା କରିଦେଲା । ଉତ୍ତରା ମଧ୍ୟ ଅଭିମନ୍ୟୁ ବିନା ଅନ୍ୟ କାହାକୁ ବିବାହ କରିବାକୁ ମନା କରିଦେଲା । ବହୁତ ଚେଷ୍ଟା ପରେ ମଧ୍ୟ ଦୁହେଁ ଦୁହିଁଙ୍କୁ ଅଲଗା କରିବାକୁ ଅକ୍ଷମ ହେଲେ । 

ଦିନେ ଉତ୍ତରା ନିକଟରୁ ଏକ ଚିଠି ଆସିଲା । ସେଥିରେ ଲେଖା ଯାଇଥିଲା- "ଅଭିମନ୍ୟୁ ମୁଁ ବିବାହ କରିବାକୁ ଯାଉଛି । ମୋତେ ସବୁଦିନ ପାଇଁ ଭୁଲି ତୁମେ ଏକ ନୂତନ ଜୀବନ ଆରମ୍ଭ କର । ତୁମକୁ ମୋ ରାଣ ଯଦି ତୁମେ ମୋତେ ପ୍ରକୃତରେ ଭଲ ପାଉଥାଅ ତାହେଲେ ତୁମେ ମୋ ବାହାଘର ଭାଙ୍ଗିବା ପାଇଁ ଚେଷ୍ଟା କରିବନି । ତୁମେ ସବୁଦିନ ପାଇଁ ଏ ସହର ଛାଡି ବହୁତ ଦୂରକୁ ଚାଲିଯାଅ । ଆମ ସମ୍ପର୍କ ଏଇ ପର୍ଯ୍ୟନ୍ତ ଥିଲା । ମୋ ଦେଇଥିବା କଥା ମୁଁ ରଖି ପାରିଲିନି, ସେଥିପାଇଁ ମୋତେ କ୍ଷମା କରିଦେବ । 

                  *ଉତ୍ତରା*

ଟ୍ରେନ ଆସି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଲା । ଧୀରେ ଧୀରେ ଲୋକେ ବାହାରିବାକୁ ଲାଗିଲେ । ସେଦିନ କୌଣସି କାରଣବଶତଃ ଷ୍ଟେସନରେ ଭିଡ଼ ନଥିଲା । ଅଭିମନ୍ୟୁ ବ୍ୟାଗ ଧରି ବାହାରକୁ ଆସିଲା । ୩ ବର୍ଷ ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଖୁସିରେ ସେ ଏଣେ ତେଣେ ଦେଖିବାକୁ ଲାଗିଲା । ଏପରି ଦେଖୁଥିବା ସମୟରେ ତା ନଜର ଗୋଟିଏ ସ୍ଥାନରେ ଅଟକି ଗଲା । ସେ ଆଶ୍ଚର୍ଯ୍ୟ ହୋଇ ସେଠାରେ ଠିଆ ହୋଇଥିବା ମହିଳା ଜଣଙ୍କୁ ଦେଖିବାକୁ ଲାଗିଲା । ସେହି ସୁନୀଳ ଢଳ ଢଳ ଆଖି, ଯେପରି ଜଳଶୂନ୍ୟ ହୋଇପଡିଛି । ସେହି ଚମ୍ପାଫୁଲ ପରି ବର୍ଣ୍ଣ, ଯେପରି ଝାଉଁଳି ପଡିଛି । ସେହି ହାଲକା ଗୋଲାପି ଓଠ, ଯେପରି ରଙ୍ଗ ହୀନ ହୋଇପଡିଛି । କିନ୍ତୁ ସେ ଆଗପରି ସେଇ ପରୀ ରାଇଜର ରାଜକୁମାରୀ ପରି ଦେଖାଯାଉଥିଲା । 

ଉତ୍ତରା ଏପାଖ ସେପାଖ ଦେଖୁଥିବା ସମୟରେ ତା ଆଖି ଅଭିମନ୍ୟୁ ଆଖି ସହ ମିଳିତ ହେଲା । ଦୀର୍ଘ ୩ବର୍ଷର ଅପେକ୍ଷା ପରେ ଆଜି ତାର ଅନ୍ତ ଘଟିଥିଲା । ସେ ଦୌଡ଼ି ଯାଇ ଅଭିମନ୍ୟୁକୁ କୁଣ୍ଢାଇ ପକାଇଲା । ୩ବର୍ଷର ସାଇତା ଥିବା ସମସ୍ତ ଦୁଃଖକୁ ଆଜି ଅଭିମନ୍ୟୁର ବହୁ ବନ୍ଧନରେ ଲୋତକ ଝରାଇ ବ୍ୟକ୍ତ କରିବାକୁ ଲାଗିଲା । 

ମୋତେ ଛାଡ଼ି ତୁମେ କୁଆଡେ ଚାଲି ଯାଇଥିଲ...?ତିନି ବର୍ଷ ବିତି ଯାଇଛି ଅଭିମନ୍ୟୁ...କଣ ତୁମେ ଦିନେ ହେଲେ ମୋତେ ମନେ ପକାଇ ନାହଁ...?ତୁମର ସେ ଚିଠି ପାଇ ମଧ୍ୟ ମୁଁ ତୁମକୁ ଭୁଲିପାରିନି । ମୁଁ ଜାଣିଥିଲି ତୁମେ ନିଶ୍ଚୟ ଦିନେ ନା ଦିନେ ଫେରିବ । ତିନି ବର୍ଷ ହେବ ମୁଁ ସବୁଦିନ ଏଠାରେ ତୁମ ଫେରିବା ବାଟକୁ ଚାତକ ପରି ଚାହିଁରହିଛି । କିନ୍ତୁ ତୁମେ ଫେରିଲନି,ଉତ୍ତରା ଏତିକି କହି ଜୋରେ ଜୋରେ କାନ୍ଦିବାକୁ ଲାଗିଲା । 

ଚିଠି...?କେଉଁ ଚିଠି...?ମୁଁ କୌଣସି ଚିଠି ତୁମକୁ ଦେଇନାହିଁ । ବରଂ ତୁମ ଚିଠି ପଢି ମୁଁ ଏଠାରୁ ଚାଲିଯାଇଥିଲି । କାରଣ ତୁମେ ବିବାହ କରିବାକୁ ଯାଉଥିଲ । ମୋତେ ରାଣ ଦେଇ କହିଥିଲ ଏଠାରୁ ଚାଲିଯିବାକୁ । ମୁଁ କିପରି ତୁମ କଥାକୁ ଅମାନ୍ୟ କରିପାରିଥାନ୍ତି...?ତୁମକୁ ଛାଡିଦେଲେ ମୋର ଏଠାରେ ରହିବାର କୌଣସି ଇଛା ନଥିଲା । ସେଥିପାଇଁ ଚାଲିଗଲି । କିନ୍ତୁ ସେ ଚିଠିରେ ତୁମେ ଏପରି କାହିଁକି ଲେଖିଥିଲ ସେ ବିଷୟରେ ସତ୍ୟତା ଜାଣିବାପାଇଁ ଆଜି ଏଠାକୁ ଆସିଛି,ଅଭିମନ୍ୟୁ କହିଲା । 

ଚିଠି...?ମୁଁ କୌଣସି ଚିଠି ତୁମକୁ ଦେଇନଥିଲି । ସେଦିନ ମୁଁ ମୋ ଭାଉଜଙ୍କୁ କହିଥିଲି ତୁମକୁ ଖବର ଦେବାପାଇଁ ମୋତେ ମହଲର ପଛପଟେ ଦେଖା କରିବା ପାଇଁ କିନ୍ତୁ ତୁମେ ମୋ ଖବର ପାଇ ମଧ୍ୟ ଆସିଲ ନାହିଁ ଆଉ ଏକ ଚିଠି ଦେଇ କହିଥିଲ ତୁମକୁ ଭୁଲିଯିବା ପାଇଁ, ଉତ୍ତରା ଆଖିରେ ଲୁହ ଭରି କହିଲା । 

କିଛି ସମୟ ପରେ ଉତ୍ତରାର ଘରଲୋକ ଖବର ପାଇ ସେଠାରେ ଉପସ୍ଥିତ ହେଲେ । ଉତ୍ତରାର ଭାଉଜ ଆଗକୁ ଆସି କହିଲେ- ହଁ ସେ ଚିଠି ତୁମ ଦୁହିଁଙ୍କୁ ମୁଁ ଦେଇଥିଲି । ତୁମ ଦୁହିଁଙ୍କ ଭଲ ପାଇଁ ଦୁହିଁଙ୍କୁ ଅଲଗା କରିଥିଲି । ମୁଁ ଭାବିଲି ତୁମ ଦୁହିଁଙ୍କୁ ଅଲଗା କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ସେଥିପାଇଁ ଅଭିମନ୍ୟୁଙ୍କୁ ତୁମ ବିବାହର ମିଛ କଥା କହିବାକୁ ପଡିଲା । କାରଣ ସେଦିନ ଅଭିମନ୍ୟୁଙ୍କୁ ଆମ ଘରୁ ତଡି ଦେବାପରେ ମୋ ସ୍ୱାମୀ ଓ ତାଙ୍କ ଭାଇମାନେ ତାଙ୍କ ପରିବାରକୁ ମାରିଦେବେ ବୋଲି କଥା ହେଉଥିଲେ,ଅଭିମନ୍ୟୁ ଓ ତାଙ୍କ ପରିବାରକୁ ରକ୍ଷା କରିବା ପାଇଁ ମୋତେ ଏସବୁ ମିଛ କହିବାକୁ ପଡିଲା । କିନ୍ତୁ ଏହି ତିନି ବର୍ଷରେ ଉତ୍ତରାଙ୍କ ତୁମପ୍ରତି ଥିବା ତାଙ୍କ ଅଗାଢ଼ ପ୍ରେମ ଦେଖି ତାଙ୍କ ଭାଇମାନେ ଓ ବାପା ସମସ୍ତେ ତାଙ୍କ ସଂମାନ ଓ ସମାଜକୁ ଭୁଲି ତୁମକୁ ବହୁତ ଖୋଜିଲେ କିନ୍ତୁ ତୁମର କୌଣସି ଠିକଣା ନଥିଲା । ସମସ୍ତେ ବିଶ୍ୱାସ ହରାଇ ସାରିଥିବା ବେଳେ ଉତ୍ତରା ଦୃଢ଼ ବିଶ୍ୱାସରେ ତୁମର ଅପେକ୍ଷା କରିଥିଲେ । ଦେଖ ତାଙ୍କ ପବିତ୍ର ପ୍ରେମ ଓ ଦୃଢ଼ ବିଶ୍ୱାସ ଆଜି ତୁମକୁ ଫେରାଇ ଆଣିଛି । ମୁଁ କରିଥିବା ମୋ ଭୁଲ ପାଇଁ ମୋତେ କ୍ଷମା କରିଦିଅ,ଏତିକି କହି ଉତ୍ତରାର ଭାଉଜ ହାତ ଯୋଡି କ୍ଷମା ମାଗିଲେ । ତାଙ୍କ ସହ ସପରିବାର ମଧ୍ୟ ଅଭିମନ୍ୟୁ ଓ ଉତ୍ତରାଙ୍କୁ କ୍ଷମା ମାଗିଲେ । ଏହାପରେ ଦୁଇ ପରିବାରର ଆଶୀର୍ବାଦରେ ଦୁହିଁଙ୍କ ବିବାହ ସମ୍ପନ୍ନ ହେଲା । ଦୂରରୁ ଏକ ଶବ୍ଦ ଗୁଞ୍ଜରିତ ହେଲା "କିପରି କହିବି ଏ ପ୍ରେମ ହୃଦୟର"



Rate this content
Log in

Similar oriya story from Romance