Barsha rani Nanda

Fantasy

3  

Barsha rani Nanda

Fantasy

ରେଡ଼ିଓ ମଣିଷ ପାହାଡ଼ ସିଂ

ରେଡ଼ିଓ ମଣିଷ ପାହାଡ଼ ସିଂ

3 mins
215


ଆମେ ରେଡ଼ିଓ ଯୁଗର ଛୁଆ ନୁହେଁ। ମୋର ଛୋଟ ବେଳଠୁ କଲେଜ ସମୟ ଟିଭି ପାଖରେ କଟିଛି ପରେ ମୋ ପାଇଁ ମୋବାଇଲ୍ ଆସିଥିଲା। ତାପରେ ଆଉ ଟିଭିର ମଧ୍ୟ ଦରକାର ପଡିନି । ମୋବାଇଲ୍ ହିଁ ସବୁକିଛି, ସବୁବେଳେ ପାଖରେ ରଖି ସବୁ ସମୟରେ ତାକୁ ବ୍ୟବହାର ରେ ଲଗାଏ। ରେଡ଼ିଓ କୁ ନେଇ ମୋର କିଛି ଅନୁଭୂତି ନାହିଁ କିନ୍ତୁ ମା ତାଙ୍କ ଛୋଟବେଳ ଠୁ ବାହା ହେବା ଯାଏଁ ରେଡ଼ିଓ କୁ ନେଇ ତାଙ୍କର କିଛି ସ୍ମୃତି କିଛି ଅନୁଭୂତି କଥା ସବୁବେଳେ କୁହନ୍ତି। ରେଡ଼ିଓ ଯୁଗର ଛୁଆ ନହେଲେ ବି ମା କହୁଥିବା କଥାକୁ ନେଇ ମୁଁ ଅନୁଭବ କରିପାରେ ରେଡ଼ିଓ ର ଯୁଗ ବହୁତ ସୁନ୍ଦର ଥିଲା।ସମୟ ଅନୁସାରେ ପାଲା, ଲୋକ ଗୀତ,ଖବର ଏସବୁ ଶୁଣିବା ପାଇଁ ଯାହା ପାଖରେ ରେଡ଼ିଓ ଥାଏ ତା ପାଖରେ ଲୋକଙ୍କ ଭିଡ଼ ଜମେ‌।ଯାହା ଘରେ ରେଡ଼ିଓ ଥିବ ତା ଘରେ ଲୋକ ଜମା ହୁଅନ୍ତି ରେଡ଼ିଓ ରୁ କିଛି ଶୁଣିବା ପାଇଁ।

ଉଚ୍ଚା ପିଣ୍ଡା, ଦୋକାନ ର ଟେବୁଲ୍ ହେଉ ବା ତଳେ ବି ହେଉ ଲୋକ ବସି ଯାଆନ୍ତି ରେଡ଼ିଓ ରେ ଦେଉଥିବା କାର୍ଯ୍ୟ କ୍ରମକୁ ଶୁଣିବା ପାଇଁ।ମୁଁ ଛୋଟବେଳେ ଦେଖିଛି ମୋ ଅଜାଙ୍କର ବି ଗୋଟିଏ ରେଡ଼ିଓ ଥିଲା।ଅଜା ତାଙ୍କର ଜଳଖିଆ ଦୋକାନ ରେ ବସିଥିବେ ଇଆଡେ ରେଡ଼ିଓ ବି ଚାଲିଥିବ। ଆଉ ରେଡ଼ିଓ ଶୁଣିବାକୁ ଅଜାଙ୍କର ସାଙ୍ଗ ସବୁ ବସିଯାଇଥିବେ ଟେବୁଲ୍ ରେ ।ଚା କପ୍ ସାଙ୍ଗରେ ରେଡ଼ିଓ ର ମଜା ନେଉଥିବେ। କେଉଁ ଦିନ ଯଦି ରେଡ଼ିଓ ଲାଗିନି ତାହେଲେ ସେମାନେ କହିବେ ଗୋସେଇଁ ରେଡ଼ିଓ ଟିକେ ଲଗଉନ ଖବର ଟିକେ ଶୁଣିବୁ।ଅଜା ବି ଦ୍ଵିପହର ସମୟରେ ଏକା ବସିଥାନ୍ତି ତେଣୁ ରେଡ଼ିଓ ଟା ଲଗେଇ ଆଖପାଖ ଲୋକ ଆଉ ସାଙ୍ଗସାଥୀ କୁ ଜମେଇ ଦିଅନ୍ତି।ମା କହିଥିବା ରେଡ଼ିଓ ର କିଛି କଥା କହୁଛି। ଯେତେବେଳେ ମୋ ମା ସ୍କୁଲ ଯାଉଥିଲେ ଖାଇବା ଛୁଟିରେ ଘରକୁ ଖାଇବା ପାଇଁ ଆସନ୍ତି। ତାଙ୍କ ସ୍କୁଲ ଟିକିଏ ଦୂର ହୁଏ। ଯେତେବେଳେ ଖାଇବା ପାଇଁ ଆସନ୍ତି ଖାଇକି ଗଲା ବେଳେ କାଳେ ଡେରି ହେଇଯିବ ଶୀଘ୍ର ଶୀଘ୍ର ଖାଇକି ଉଠି ପଡନ୍ତି। କେଉଁ କେଉଁ ଦିନ ଶୀଘ୍ର ଯାଆନ୍ତି କେଉଁ ଦିନ କେମିତି ଯେତେବେଳେ ବ୍ୟାଗ ଧରିକି ବାହାରନ୍ତି ସେତେବେଳେ ଅଜାଙ୍କ ରେଡ଼ିଓ ରୁ ଶୁଭେ .... ଆକାଶ ବାଣୀ ଦିଲ୍ଲୀ....ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ ।ଶୁଣିଲା ମାତ୍ରେ ଦୌଡ଼ ଆରମ୍ଭ ହେଇଯାଏ କାହିଁକିନା ଦ୍ଵିପହରେ ଖବର ଦେବା ସମୟ ହେଲା ୧.୫୦ । ଦଶ ମିନିଟ୍ ରେ ସ୍କୁଲ ରେ ପହଞ୍ଚିବା ପାଇଁ ପଡିବ।ସବୁବେଳେ ମା ଆମକୁ କୁହନ୍ତି ତାଙ୍କର ରେଡ଼ିଓ କୁ ନେଇ ଥିବା ଅନୁଭୂତି ର କଥା ସବୁ। କିନ୍ତୁ ଏଇ କଥା ବି କୁ‌ହନ୍ତି ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ....ଏଇଟା ଶୁଣିଲା ମାତ୍ରେ ପ୍ରତିଯୋଗୀତା ମୂଳକ ଦୌଡ଼ ହୁଏ ପାଞ୍ଚ ମିନିଟ୍ ରେ କେମିତି ସ୍କୁଲ ରେ ପ‌ହଞ୍ଚି ଯାଆନ୍ତି।ଯେଉଁ ଦିନ ସ୍କୁଲ ଛୁଟି ଥାଏ ସେଦିନ ସେ ଦେଖନ୍ତି ଖବର ଶୁଣିବା ପାଇଁ ଲୋକଙ୍କ ମନରେ କେତେ ଆନନ୍ଦ ଥାଏ ସବୁଠୁ ବେଶି ଉପେନ୍ଦ୍ର କୁମାର ପାହାଡ଼ ସିଂ ଙ୍କ ନାଁ ଶୁଣିବା ମାତ୍ରେ ଲୋକ ଚୁପ୍ ହେଇଯାନ୍ତି।ମୁଖ୍ୟ କରି ଖବର ପଢୁଥିବା ଗୋଟିଏ ସୁନ୍ଦର ମଣିଷ ରେଡ଼ିଓ ର ମଣିଷ ଉପେନ୍ଦ୍ର କୁମାର ପାହାଡ଼ ସିଂ ଙ୍କ ଖବର ପଢ଼ିବା ର ଶୈଳୀ ଓ ଆଉ ଗୋଟେ କଥା ହେଲା ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ ଏଇଟା ବାରମ୍ବାର ଶୁଣିବା ପରେ ମୋର ବହୁତ ଇଛା ଥିଲା ତାଙ୍କୁ ଟିକେ ଦେଖିବା ପାଇଁ କିନ୍ତୁ ଚେଷ୍ଟା କରି ନଥିଲି ୟୁଟୁବ୍ ରେ ଖୋଜିବା ପାଇଁ। ଦିନେ ଏମିତି ହଠାତ୍ ଦେଖୁ ଦେଖୁ ନଜର ପଡିଲା ଗୋଟିଏ ସାକ୍ଷାତକାର ଉପରେ ରେଡ଼ିଓ ର ମଣିଷ ଓଡ଼ିଶାର ଘରେ ଘରେ ପରିଚିତ ଉପେନ୍ଦ୍ର କୁମାର ପାହାଡ଼ ସିଂ ଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର । ଯାହା କଥା ମା ଙ୍କ ମୁହଁ ରୁ ସବୁବେଳେ ଶୁଣୁଥିଲି ସେଦିନ ତାଙ୍କୁ ଦେଖି ବହୁତ ଖୁସି ହୋଇଗଲି । ତାଙ୍କର କିଛି କଥା ମଧ୍ୟ ଜାଣିବାକୁ ପାଇଲି ଶ୍ରୀ ପାହାଡ଼ ସିଂ ଦିଲ୍ଲୀ ରେ ରହୁଥିବା ସତ୍ତ୍ୱେ ମଧ୍ୟ ଖବର ପଢ଼ିବା ବେଳେ କେମିତି ସ୍ବଛ ଓଡ଼ିଆ କହୁଥିଲେ ସେଇ କଥା ସିଏ କହିଲେ। ସେତେବେଳେ ର କଥା ଟିଭି ନଥିଲା ଲୋକ ଖବର ଟିକେ ଶୁଣିବା ପାଇଁ ୧.୫୦ କୁ ଅନେଇ ବସୁଥିଲେ । ତାଙ୍କର ମଧୁର କଥା ପଦକ ଶୁଣିବା ପରେ ବାଃ ବାଃ ମଧ୍ୟ କରୁଥିଲେ । ଶ୍ରୀପାହାଡ ସିଂ କହୁଥାନ୍ତି ମୁଁ ଯେତେବେଳେ ଖବର ପଢୁଥିଲି ଟିକିଏ ହିନ୍ଦୀ କି ଇଂରାଜୀ ମିଶିଗଲେ ମୋ ପାଖକୁ ନୋଟିସ ଆସୁଥିଲା ସେଇ ଖବର ପଢ଼ିବା ଭିତରେ ହିଁ ଯଦି ଭୁଲ୍ ହୁଏ କ୍ଷମା ପ୍ରାର୍ଥନା କରୁଥିଲି।ତାଙ୍କର ଦେହ ଅସୁସ୍ଥ ଥିବା ସତ୍ତ୍ବେ ମଧ୍ୟ ଖନେଇ ଖନେଇ ସେ କହିଥିଲେ ଆକାଶ ବାଣୀ ଦିଲ୍ଲୀ... ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ।ସତରେ ମୁଁ ଏତେ ଖୁସି ହେଉଥିଲି ସେଇ ସାକ୍ଷାତକାର ଦେଖି। ଯାହା କଥା ମା ବାରମ୍ବାର କହୁଥିଲେ ସେଇ ରେଡ଼ିଓ ର ମଣିଷ କୁ ସେଦିନ ମୁଁ ଦେଖିଲି। କିନ୍ତୁ ଦୁଃଖ ର କଥା ସେଇ ମଣିଷ ଯାହା କଥା ଶୁଣିବାକୁ ସେଇ ସମୟରେ ଓଡ଼ିଶାର ଲୋକ ଅନେଇ ବସୁଥିଲେ କିଛି ଦିନ ତଳେ ସିଏ ଆରପାରିକୁ ଚାଲିଗଲେ।ସତରେ ବହୁତ ଦୁଃଖ ଲାଗିଲା ଯେତେବେଳେ ନ୍ୟୁଜ୍ ରେ କହିଲା ପାହାଡ଼ ସିଂ ଆଉ ଦୁନିଆରେ ନାହାନ୍ତି। ତାଙ୍କ କଥା ତାଙ୍କର ଖବର ପଢ଼ିବା ର ଶୈଳୀ ସମସ୍ତଙ୍କ ହୃଦୟରେ ଛାପି ହୋଇ ରହିଛି। ଭଗବାନ ତାଙ୍କୁ ଆଉଥରେ ଏଇ ଓଡ଼ିଶା ମାଟିରେ ଜନ୍ମ ଦିଅନ୍ତୁ।ସେଦିନ ସେ ଖନେଇ ଖନେଇ କହିଥିଲେ... ଆକାଶ ବାଣୀ ଦିଲ୍ଲୀ.... ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ । ହୃଦୟରୁ ବହୁତ ଧନ୍ୟବାଦ ତାଙ୍କୁ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ସେ ସାକ୍ଷାତକାର ଦେଇଥିଲେ ଅନ୍ତତଃ ଶେଷ ଥର ତାଙ୍କୁ ଦେଖିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳିଲା।

ସେତେବେଳେ ଯେଉଁ ମାନେ ରେଡିଓ ଶୁଣୁଥିଲେ ସେମାନଙ୍କ ହୃଦୟରେ ଏଇ ପଦକ ଛାପ ହୋଇ ରହି ଯାଇଥିବ ନିଶ୍ଚୟ।

ଆକାଶ ବାଣୀ ଦିଲ୍ଲୀ...... ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ ସିଂ।



Rate this content
Log in

Similar oriya story from Fantasy