ନିଦହରା ରାତି
ନିଦହରା ରାତି
କେତେ ରାତି ଯେ ମୋର ଅନିଦ୍ରାରେ କଟେ ତାହା ତ ଠିକ୍ ନାହିଁ। କିନ୍ତୁ ଏମିତି କେତୋଟି ରାତି ଆସିଛି ଯାହା ମୋର ନିଦ ଚୋରେଇ ନେଇଛି।
ଯେଉଁ ଦିନ ଆୟୁଷଙ୍କ ଭଲପାଇବାକୁ ମୁଁ ସମ୍ମତି ଜଣେଇ ଥିଲି ସେଇଟା ତ ନିଦ ହୀନ ରାତି ହୋଇ ଯାଇଥିଲା ମୋ ପାଇଁ ଆଉ ଆୟୁଷଙ୍କ ପାଇଁ ବି।
କିନ୍ତୁ କଥାରେ ଅଛି ଏମିତି ଲୋକକୁ ଭଲପାଅନି ଯିଏ ତୁମ ଆଖିର ନିଦ ହଜେଇ ଦେବ ବରଂ ଏମିତି ଲୋକକୁ ଭଲପାଅ ଯିଏ କହିବ ଶୀଘ୍ର ଶୋଇଯାଅ ବେଶି ରାତି ଯାଏ ଚାହିଁଲେ ଦେହ ଖରାପ ହେବ।
ଆୟୁଷ ବି ଠିକ୍ ସେମିତି ହିଁ କୁହନ୍ତି ସବୁବେଳେ ଶୀଘ୍ର ଶୋଇଯାଅ ନହେଲେ ତୁମର ଦେହ ଖରାପ ହେବ ଆଉ ମତେ ବହୁତ କଷ୍ଟ ହେବ।ବହୁତ ଗପ ପରେ ଆୟୁଷ କୁହନ୍ତି ଟାଇମ୍ ଦେଖ କେତେଟା ହେଲାଣି ନିଦ ଲାଗୁନି କି।....
ମୁଁ ଯଦି କହିଦେବି ନା ନିଦ ଲାଗୁନି ତାହେଲେ ଉତ୍ତର ଟା ଚଟାପଟ୍ ପଳେଇ ଆସିବ ମୋବାଇଲଟା ଧରିକି ବସିଛୁ ନିଦ ଆସିବ କ'ଣ। ମୋବାଇଲ୍ କୁ ଏତେ ଧରୁଛୁ କ'ଣ ପାଇଁ.... ସବୁବେଳେ କ'ଣ କରୁଛୁ ମୋବାଇଲ୍ ଧରିକି।ଆଉ ମୋବାଇଲ୍ ଉପରେ ହିଁ ସବୁ ଦୋଷ ଲଦା ହେବ।ଶୋଉଛି କହିକି ଗୁଡ୍ ନାଇଟ୍ କହି ମେସେଜ୍ ବନ୍ଦ କରିଦେବି ତାପରେ ସେ ଖୁସି।
ବହୁତ ଯତ୍ନବାନ ସିଏ।ଏଭଳି ଯତ୍ନବାନ ଲୋକ ହୁଏତ ସମସ୍ତଙ୍କ ଭାଗ୍ୟରେ ନଥାନ୍ତି।ସବୁ ଭଲପାଇବା କେବେ ବିବାହର ରୂପ ନେଇ ନଥାଏ।କେତେ ଭଲପାଇବା ଅଧୁରା ହୋଇ ହୃଦୟରେ ସ୍ମୃତି ଟିଏ ହୋଇ କେବଳ ରହିଯାଏ।
ଆୟୁଷଙ୍କ ଭଲପାଇବା ହୁଏତ ମୋ ଭାଗ୍ୟରେ ନାହିଁ। ଜାଣିଶୁଣି ମୁଁ ମନା କରି ଦେଇଥିଲି। ବିବାହ ପ୍ରସ୍ତାବକୁ ଏଡେଇ ଦେଇଥିଲି ।ଆୟୁଷଙ୍କର ବାହାଘର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।ମେସେଜ୍ କରିଥିଲେ ସେ ଆଉ ଦି ଦିନ ପରେ ମୋ ବାହାଘର। ମୋ ପାଟିରେ ଭାଷା ବି ନଥିଲା, ମୁଁ କେବଳ ମେସେଜ୍ ଦେଖୁଥିଲି ଉତ୍ତର ଦେବା ପାଇଁ ହାତ ଚାଲୁ ନଥିଲା।
ଭଲପାଇବା ବେଳେ ବେଳେ ଏତେ କଷ୍ଟ ଦିଏ ସେଦିନ ଅନୁଭବ କରିଥିଲି। ଲୋକ ସତ କଥା ହିଁ କୁହନ୍ତି ।ଭଲପାଇବା ମାନେ କେବଳ ନିଜକୁ କଷ୍ଟ ଦେବା।ସେଦିନଠୁ ଆୟୁଷଙ୍କ ବାହାଘର ସରିବା ଦି ଦିନ ଯାଏଁ ମୋର ସବୁ ରାତି ନିଦହରା ହେଇ ଯାଇଥିଲା।ମତେ ତ ଲାଗୁଥିଲା ଆୟୁଷ ଯେମିତି ମୋ ନିଦକୁ ହଜେଇ ଦେଇଛନ୍ତି।ଆଉ ଦି ଦିନ ପରେ ମୁଁ ଅନ୍ ଲାଇନ୍ ଥାଏ ଆଉ ମେସେଜ୍ ଆସିଲା ଏ ଯାଏଁ ଶୋଇନୁ, ମୁଁ ବାହା ହେଲି ଯେ କଣ ହେଲା ତତେ ଯେମିତି ଜଗିଥିଲି ସେମିତି ହିଁ ରହିବି ସିକ୍ୟୁରିଟି ଭଳି।
ସେଦିନ ବି ରାତି ସାରା ହସି ହସି ମୁଁ ଶୋଇ ନଥିଲି।କିଛି ମିଠା ସ୍ମୃତି ପାଇଁ ରାତି ନିଦହରା ହେଇଯାଏ।ଆମ ଜୀବନରେ ଘଟୁଥିବା କିଛି ଦୁଃଖ ପାଇଁ ବି ରାତି ନିଦ ହରା ହେଇ ଯାଇଥାଏ।ଆମ ଜୀବନରେ ଘଟୁଥିବା କିଛି ଖୁସିର ମୁହୂର୍ତ୍ତ ପାଇଁ ବେଳେ ବେଳେ ରାତି ନିଦହରା ହେଇଯାଏ କିନ୍ତୁ ସେଇ ନିଦ ହରା ରାତିଟି ଆମକୁ ବେଶ୍ ଖୁସି ଲାଗେ ସକାଳ ହେଲେ ଆମ ପାଇଁ କିଛି ଖୁସି ର ଖବର ଥାଏ ଆଉ ଆମେ କେବଳ ଅନେଇ ବସିଥାଉ ରାତି କେତେ ବେଳେ ପାହିବ, ଯାହା ପାଇଁ ରାତିସାରା ନିଦ ହିଁ ହୁଏନି।

