Barsha rani Nanda

Others

3  

Barsha rani Nanda

Others

ସେ ମୋ ଜୀବନ

ସେ ମୋ ଜୀବନ

3 mins
344


ଦିନେ ଯଦି କଲେଜ୍ ନ ଯିବି ଫଟ୍ ଫଟ୍ ଫଟ୍ ଫଟ୍ ଶଦ୍ଦ କରି ବୁଲେଟ ଧରି ପହଞ୍ଚି ଯାଏ ମତେ ଦେଖିବା ପାଇଁ।ବୁଲେଟର ଯେଉଁ ସାଉଣ୍ଡ୍ ମତେ ମୁଣ୍ଡ ବିନ୍ଧା ଆରମ୍ଭ ହେଇଯାଏ। ସବୁବେଳେ ମୁଁ ତାକୁ ମନା କରେ ,କଣ ପାଇଁ ଭିଲେନମାନଙ୍କ ଭଳିଆ ବୁଲେଟରେ ତୁ ସଉକ ରଖୁଛୁ।ସେ କୁହେ ଆଲୋ ଭିଲେନ୍ ନୁହଁ ଫିଲ୍ମର ହିରୋ ମୁଁ। ହଁ ହଁ ହିରୋ ନା ଚୋପା,ମତେ ଭଲ ଲାଗେନି ଏ ସାଉଣ୍ଡ୍ ତୁ ତ ଜାଣିଛୁ ମୁଣ୍ଡ ବିନ୍ଧାଟା ସବୁବେଳେ ହୁଏ ବୋଲି।ସେ କୁହେ ହଉ ଠିକ୍ ଅଛି ବାପାଙ୍କୁ କହିବି ମୋ ପାଇଁ କେ.ଟି.ଏମ୍. ବାଇକଟେ ଆଣିଦେବା ପାଇଁ କହି ମଜାରେ ଉଡେଇ ଦିଏ।ସେ କଲେଜ ଯିବ ବୋଲି ତା ବାପା ତା ପାଇଁ ସ୍କୁଟି ଆଣିଲେ,ସେ ସ୍କୁଟି ଚଲେଇବ କ'ଣ ଘରେ ତା ସ୍କୁଟି ଉପରେ ଫୁଲମାଳ ଟା ପକେଇ ଦେଇ ତା ବାପାଙ୍କ ବୁଲେଟ ନେଇ ବୁଲୁଛି।

ମୋ ଦେହ ଭଲ ନଥିଲା ବୋଲି କଲେଜ୍ ଗଲିନି ବୋଲି ଆଜି ଆସି ପହଞ୍ଚିଗଲାଣି। ସେଥିରେ ପୁଣି ମୋ ପାଇଁ ଚକୋଲେଟ୍,ଆଉ ଚିପ୍ସ୍ ଆଣିଛି।ହଉ ଯାହା ହେଉ ଆଣି ଦେଇଛି ମାନେ ଖାଇବି ନିଶ୍ଚୟ। କିନ୍ତୁ ସେ ମତେ କେତେ ଭଲପାଏ କହୁଛି ଶୁଣ।

ସେ କଣ ଏକା ମତେ ଭଲପାଏ। ମୁଁ ବି ତାକୁ ବହୁତ ଭଲପାଏ।ମୁଁ ଯେତେବେଳେ ବି ମେହେନ୍ଦି ଲଗାଏ ଯଦି ମୋ ମେହେନ୍ଦି ଗାଢ ରଙ୍ଗ ନଆସେ ନା ମୁଁ ମନ ଦୁଃଖ କରିବା ବଦଳରେ ସିଏ ମନଦୁଃଖ କରେ। କାହିଁକି ଜାଣିଛ? ମୁଁ କୁହେ ତୁ ଆଉ ଗୋଟେ ସାଙ୍ଗ କରିବା ଚକରରେ ଅଛୁ ବୋଧେ ସେଥିପାଇଁ ମୋ ମେହେନ୍ଦି ଗାଢ ରଙ୍ଗ ଆଉ ଆସୁନି,ସିଏ କୁହେ ତୁ ମତେ ଭଲପାଇବା କମେଇ ଦେଇଛୁ ବୋଧେ ସେଥିପାଇଁ ମେହେନ୍ଦି ଏମିତି ରଙ୍ଗ ଆସିଛି,ଆଲୋ ମୋ ହୁଣ୍ଡି ରହ ମନଦୁଃଖ କରେନି ଏଥର ମୁଁ ଭଲ ମେହେନ୍ଦି ନେଇ ଆସିବି ପୁରା ଫ୍ରେଶଟା, କେମିତି ଗାଢ଼ ରଙ୍ଗ ନ ଆସିବ ଦେଖିବୁ।

ଯେତେବେଳେ ଆମେ ଦିଜଣ ମିଶି କେଉଁ ପାର୍ଟି ହେଉ କି ଯେଉଁଠି କି ବି ବୁଲିବାକୁ ଯାଉ ମୁଁ କେଉଁ ଡ୍ରେସ୍ ପିନ୍ଧିବି ସିଏ ପସନ୍ଦ କରେ ,ଆଉ ସିଏ ବି ମୋ ସାଙ୍ଗରେ ମେଚ୍ କରି ଟପ୍ ଆଉ ଜିନ୍ସଟେ ପିନ୍ଧି ପକାଏ। 

ଆଉ ନିଜେ ନିଜେ ତାର ତାରିଫ୍ କରି କୁହେ ମୋ ଏମିତି ସୁନ୍ଦର ବଏ ଫ୍ରେଣ୍ଡ୍ ତତେ କେଉଁଠି ମିଳିଥାନ୍ତା କହିଲୁ।

ହଁ ମୁଁ ତା ସାଙ୍ଗରେ ଥିଲେ ମତେ ଜମା ବି ଡର ଲାଗେନି,କହିବାକୁ ଗଲେ ସିଏ ମୋ ସାଙ୍ଗ ହେଇଥିଲେ ବି ଆମ ପରିବାର ର ଜଣେ ସଦସ୍ୟ, ଯେହେତୁ ସିଏ ମୋର ବହୁତ ଯତ୍ନ ନିଏ ସେଥିପାଇଁ ଆମ ଘରେ ସମସ୍ତଙ୍କ ହୃଦୟରେ ସେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ନେଇଛି।ମୋ ଠାରୁ ତା ଉପରେ ସମସ୍ତଙ୍କର ଅଧିକ ବିଶ୍ଵାସ।

ମୁଁ କାହା ସାଙ୍ଗରେ ମିଶିବା ତାର ଜମା ବି ପସନ୍ଦ ନୁହେଁ,ସେ କିନ୍ତୁ ବେଶଭୂଷାରେ ପୂରା ଅଣ୍ଡିରା ଚଣ୍ଡୀ। ବେଶଭୂଷା ଦେଖିଲେ ଜଣେ ଭାବିବ ଇଏ ପୁଅଟେ।

ରାକ୍ଷୀ ଆସିଲେ କୁହେ ମୋ ହାତରେ ଆଗେ ରାକ୍ଷୀ ବାନ୍ଧେ , ମୁଁ ତୋର ରକ୍ଷା କବଚ ହେବି ସତ କହୁଛି। କେଉଁ ଧାତୁରେ ସେ ଗଢା ଜମା ତାକୁ ଚିହ୍ନି ପାରିନି ଆଜି ଯାଏଁ। ହଁ ମୁଁ ତ କହିବି ନିଶ୍ଚୟ ପୂର୍ବ ଜନ୍ମରେ ଆମେ ଗୋଟିଏ ପରିବାରରେ ଜନ୍ମ ହେଇଥିଲୁ , ସେଥିପାଇଁ ଏ ଜନ୍ମରେ ସେ ମୋ ପରିବାର ହେଇ ଯାଇଛି।

ଏତେ ତାରିଫ୍ ଶୁଣି ଆପଣ ମାନେ ନିଶ୍ଚୟ ଭାବୁଥିବେ ଯେ ସେ ମୋ ବୟଫ୍ରେଣ୍ଡ୍ ବୋଲି ନା ତାହେଲେ ଆପଣ ମାନେ ଭୁଲ୍ ଭାବୁଛନ୍ତି ସିଏ ହେଲା ମୋର ସବୁଠୁ ଭଲ ସାଙ୍ଗ ପାୟଲ୍।

ଯେତେବେଳେ କଲେଜ୍ ଯାଉ ଆମକୁ ଦି ଜଣଙ୍କୁ ଦେଖି ହସନ୍ତି ସମସ୍ତେ ଆଉ କୁହନ୍ତି ହେଇ ଦେଖ ଆସିଲେ ପ୍ରେମିକ,ପ୍ରେମିକା।ହା..ହା...ସେତିକି ନୁହେଁ ତା ସାମ୍ନାରେ ମତେ କେହି କିଛି କୁହନ୍ତିନି ମଧ୍ୟ।

ଦିନେ ଆମେ ବୁଲିବାକୁ ଯାଇଥାଉ ଫେରୁ ଫେରୁ ଡେରି ହେଇଗଲା। ପ୍ରାୟ ଦଶଟା ହେଇଯାଇଥିଲା ପୋଲିସ୍ ପେଟ୍ରୋଲିଂ କରୁଥାଏ ସେତେବେଳକୁ ।ଘର ସାମନାରେ ଆମେ ଓହ୍ଲେଇଚୁ କି ନାଇଁ ପୋଲିସ୍ ଆମକୁ ପଚାରିଲା କୁଆଡେ ଯାଇଥିଲ,ଏତେ ରାତି ଯାଏ କଉଠି ବୁଲୁଥିଲ।ମୋର ଗୋଡ଼ ହାତ ଥରିଲା,ମୋ ସାଙ୍ଗ କହୁଛି କାଇଁ କ'ଣ ହେଲାକି ବୁଲିବା କ'ଣ ମନା ହେଇଛି ନା କ'ଣ।ପୋଲିସ ତ ରାଗିଗଲା କାହା ଘର ତମେ ଦିଜଣ ଏପଟେ ତ ପୁଅ ଝିଅ ଦି ଜଣ ବୁଲୁଛ ପଚାରିଲାକୁ କହୁଛ ବୁଲିବା କ'ଣ ମନା। ମୁଁ ଘରକୁ ଫୋନ୍ କଲି ବାପା ଆସିଲେ ଆଉ କହିଲେ ଇଏ ପୁଅ ଝିଅ ନୁହଁ ସାର୍ ମୋ ଝିଅ ଦିଜଣ, ସେଠୁ ପୋଲିସ ବାପାଙ୍କୁ କହିଲା ଏତେ ରାତି ଯାଏ ଝିଅମାନେ ବୁଲିବା ଠିକ୍ ନୁହେଁ ସାର୍ କହି ହସିକି ପଳେଇଲା।

ମୋ ଚଣ୍ଡୀ ସାଙ୍ଗ ସବୁ ବେଳେ କୁହେ ତୁ ମାଗେ ଠାକୁରଙ୍କୁ ଆମ ଭଲପାଇବାରେ କାହା ନଜର ନ ଲାଗୁ।ଆଉ ମୁଁ କୁହେ ଠାକୁର କ'ଣ କରିବେ ଯେ, ଆମେ ନ ଚାହିଁଲେ ଆମକୁ ତ କିଏ ଅଲଗା କରି ପାରିବନି ନା।ଆମେ ଚାହିଁଲେ ହିଁ ସବୁ ସମ୍ଭବ ହୁଏ।



Rate this content
Log in