Barsha rani Nanda

Classics Fantasy Children

4  

Barsha rani Nanda

Classics Fantasy Children

ବହି ସାଙ୍ଗେ ବନ୍ଧୁତା

ବହି ସାଙ୍ଗେ ବନ୍ଧୁତା

5 mins
516


ବହି ଓ ନିର୍ଜନତା ମୋର କେତେ ପସନ୍ଦ ସେଇଟା ଆଜି କହିବି। ମୁଁ କହିବି ମୋର ପିଲାବେଳ ର କିଛି କଥା, ଯାହା ନିର୍ଜନତା ସହିତ ଜଡିତ। ପ୍ରକୃତରେ ନିର୍ଜନତା ହେଉ ବା ଏକାନ୍ତ ରହିବା କାହାର ବି ପସନ୍ଦ ନୁହେଁ। କିନ୍ତୁ ପିଲାବେଳୁ ହିଁ ନିର୍ଜନତା ଓ ଶାନ୍ତ ପରିବେଶ ମୋର ବହୁତ ପସନ୍ଦ। କାହିଁକି କେଜାଣି ଛୋଟ ବେଳୁ ହିଁ ଛୁଆଙ୍କ ମେଳରେ ରଡି ରଡି ଖେଳିବା ମୋର ଜମା ପସନ୍ଦ ନୁହେଁ କାହିଁକି ନା ମତେ ଚୁପ୍ ରହିବା ପାଇଁ ବହୁତ ଭଲଲାଗେ।

ଯେତେବେଳେ ମୋର ପଢାର ଆରମ୍ଭ ହେଲା ଆମ ଘରକୁ ଲାଗି ସରକାରୀ ସ୍କୁଲ୍ ଅଛି ସେଠି ନାଁ ଲେଖେଇ ଦେଲେ ଘରକୁ ପାଖ ହେବ ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ ମୁଁ ତ ସ୍କୁଲ୍ ଗଲା ମାତ୍ରେ ଏମିତି ରାହା ଧରି କାନ୍ଦିବି ଦିଦି ମାନେ ମତେ ସମ୍ଭାଳି ପାରିଲେନି । ତାପରେ ନିଷ୍ପତ୍ତି ନିଆ ହେଲା ଯେ ମତେ ଶିଶୁ ମନ୍ଦିର ରେ ନାଁ ଲେଖା ହେବ। ଶିଶୁ ମନ୍ଦିର ଆମ ଘରଠୁ ୧କି.ମି ହେବ।ମତେ ସେଠି ନାଁ ଲେଖା ହେଲା ଆଉ ମୁଁ ସେଠି ବି ଗୁରୁଜୀ ଗୁରୁମାଙ୍କୁ ଡରାଏ କାନ୍ଦି କି।

ଏମିତି ରେ କେତେ ଦିନ ଗଲା ତାପରେ ମୁଁ ମନକୁ ବୁଝେଇ ଦେଲି ଯେ ପଢ଼ିଲେ ପଣ୍ଡିତ ହେବି ନପଢିଲେ ଗଧ ହେବି । ତାପରେ ଆସିଲା ବହି ପଢ଼ି ଆଗକୁ ବଢ଼ିବାର ବେଳ। ମମି ଲାଗିପଡିଲେ ମୁଁ କେମିତି ବହିକୁ ଅତି ସହଜରେ ଗ୍ରହଣ କରିବି କାହିଁକି ନା ବହି ଦେଖିଲା ମାତ୍ରେ ମୁଁ ବହୁତ କାନ୍ଦେ ମୁଁ କେମିତି ପଢିବି ଏତେ ବଡ଼ ବହି ବୋଲି। ଧିରେ ଧିରେ ମୋ ପାଇଁ ବହି ପଢା ସହଜ ହେଇଗଲା। ସ୍କୁଲ ରେ ଶିକ୍ଷକ ଆଉ ଘରେ ମମି ଏମାନେ ମତେ ବହୁତ ସହଯୋଗ କଲେ ବହିକୁ ବୁଝିବା ରେ।

ଯେତେବେଳେ ପ୍ରଥମ ଶ୍ରେଣୀ ରେ ପ୍ରଥମ ମାସିକ ପରୀକ୍ଷା ହେଲା ଆଉ ମୁଁ ମୋର ସାମର୍ଥ୍ୟ ଅନୁସାରେ ୨୫ ରୁ ୨୪ ମାର୍କ ଆଣିଲି ସେଦିନ ମମି ବହୁତ ଖୁସି ହେଲେ,ଆଉ ମାର୍କସିଟ୍ ରେ ତଳେ ଲେଖାଥିଲା କି ଛାତ୍ରୀ ବର୍ଷା ରାଣୀ ନନ୍ଦ ଶ୍ରେଣୀ ରେ ବହୁତ ଚୁପ୍ ଚାପ୍ ,ସେ ପରୀକ୍ଷା ରେ ଉତ୍ତମ କରି 'କ' ବର୍ଗରେ ରହିଥିବାରୁ ଅଭିବାବକଙ୍କୁ ଧନ୍ୟବାଦ ଜଣାଉଛୁ। ତାପରେ ମୁଁ ବୁଝିଗଲି ବହି ପଢାର ମହତ୍ତ୍ଵ।ତାପରେ ବହି ପଢା ଧିରେ ଧିରେ ଅଭ୍ୟାସ ରେ ପରିଣତ ହେଲା।

ମୋ ମମି ଜମା ବି ପସନ୍ଦ କରୁ ନଥିଲେ କି ବାହାରେ ହୋ ହାଲ୍ଲା କରି ଅନ୍ୟ ଛୁଆଙ୍କ ସାଙ୍ଗେ ଆମେ ଖେଳୁ ବୋଲି। ଯେତେବେଳେ ଖେଳିବାରେ ଧ୍ୟାନ ରହିବ ଛୁଆ ମାନେ ପଢିବାରେ ମନ ଦେବେନି ବୋଧେ ଏମିତି ହିଁ ଭାବୁଥିଲେ ମମି।ମମି ଆମକୁ କେବେ ବାହାରେ ଅନ୍ୟ ଛୁଆଙ୍କ ସାଙ୍ଗେ ଖେଳିବା ପାଇଁ କି କେବେ ବି ଛାଡ଼ୁ ନଥିଲେ କି ଆମେ ବି କେବେ ଜିଦ୍ କରୁ ନଥିଲୁ।ଆମର ଯାହା ଖେଳନା ଦରକାର ଆମ ପାଇଁ ଅଣା ହେଉଥିଲା,ଆମ ଦି ଭାଇ ଭଉଣୀ କୁ ଜେଜେମା ଆଉ ପିଉସୀ ଗୋଡ଼ରେ ଗୋଡ଼ରେ ଜଗିଥିବେ ଆମ ଦାଣ୍ଡ ର ଚାଳ ଡେଇଁ ବାକୁ ଦେବେନି।।ତ ଆମେ ବି ବିନା ପ୍ରତିବାଦରେ ଘର ଭିତରେ ଖେଳୁଥିଲୁ।

ଆମ ବାଡି ପଟେ ଗଛ ପତ୍ରର ସମ୍ଭାର ଆମେ ବି ବାଡି ଆଡେ ଉପଭୋଗ କରୁଥିଲୁ ପ୍ରକୃତି କୁ। ବାହାର କୁ ନ ଛାଡିବାର ଆହୁରି ବି ଗୋଟେ କାରଣ ଥିଲା। ଯେହେତୁ ଆମ ଘରକୁ ଷ୍ଟେସନ ଲାଗିଛି ତ ଷ୍ଟେସନ କୁ ବହୁତ ଗାଡ଼ି ମଟର ଯା ଆସ କରେ ସେଥିପାଇଁ ବି ଆମକୁ ଦାଣ୍ଡକୁ ଛାଡ଼ୁ ନଥିଲେ। ମୁଁ ଜାଣିବାରେ ଭାଇ ବି କେବେ କ୍ରିକେଟ୍ ପଡିଆ କି ଫୁଟବଲ ପଡ଼ିଆ କେବେ ଯାଇନି।ମମି ଙ୍କ ଆଦେଶ ହିଁ ଶିରୋଧାର୍ଯ୍ୟ।ଆମକୁ ମନା କରୁଛନ୍ତି ମାନେ ଆମେ ମାନିବା ପାଇଁ ପଡ଼ିବ। ଏମିତି ରେ ପଢା ପ୍ରତି ଆମେ କେମିତି ଅଧିକା ଧ୍ୟାନ ରହିବ ସେଇ ଚେଷ୍ଟା ରେ ମମି ସବୁବେଳେ ଲାଗି ରୁହନ୍ତି।

ଏମିତି ବୟସ ବଢି ଚାଲିଲା ଆଉ ବହିର ଆକାର ବି ବଢ଼ି ଚାଲିଥିଲା।ମମି ଆମ ଛୁଟିଦିନ ରେ ବି ବହି ଖଣ୍ଡେ ଦେଇ ବସେଇ ଦେଇଥିବେ ପଢ଼ିବା ପାଇଁ। ମମିଙ୍କ କହିବା ଉଦ୍ଦେଶ୍ୟ ହେଲା ଛୁଟିଦିନ ରେ ଯଦି ଛୁଆ ନ ପଢ଼ିବେ ତା'ହେଲେ ସ୍କୁଲ ଖୋଲିଲେ ତାଙ୍କୁ ଏତେ ପାଠ ପଢ଼ିବାରେ କଷ୍ଟ ହେବ। ଯେତେବେଳେ ଆମେ ଭବାନୀପାଟଣା ଯାଉ ମମି ଆମ ଭାଇ ଭଉଣୀ ଦି ଜଣଙ୍କୁ ଯେମିତି ହେଲେ ବି ଖୋଲା ମେଲା ବହି ଦୋକାନ ପାଖକୁ ନେଇଯିବେ ଆମକୁ କହିବେ ତମ ଦିଜଣଙ୍କୁ ଯେଉଁ ବହି ଭଲ ଲାଗୁଛି ବାଛ,ଆମେ ଯଦି ମାସକୁ ଥରେ ବି ଯାଉ ବହି ନିଶ୍ଚିନ୍ତ କିଣୁ,ଗପ ବହି, ମୀନା ବଜାର ଏମିତି ବହୁତ ବହି ଆଣୁ।ଆମଘରେ ତ ଆମେ ଲାଇବ୍ରେରୀ କରି ଦେଇଥିଲୁ ।ଆମକୁ ଛୁଟିଦିନ ଦ୍ବିପହରେ ମମି ଗପ ବହି, ମୀନା ବଜାର ବହି ଧରେଇ ଦେଇ କହିବେ ଏଇ ବହି ପଢ।ଆଉ ଆମେ ତାର ମଜା ନେଉଥିଲୁ।

ଏମିତି ହିଁ ବହିର ଅତ୍ୟନ୍ତ ନିକଟବର୍ତ୍ତୀ ହେଇଗଲି ମୁଁ।ମମି ସବୁବେଳେ କୁହନ୍ତି ଆମେ ଚେଷ୍ଟା କଲେ ନା ଦୁନିଆ ର ସବୁ ଅସମ୍ଭବ ଜିନିଷ ସମ୍ଭବ ହୁଏ।ଆମେ ଚାହିଁଲେ ସବୁ କଷ୍ଟ ଜିନିଷ କୁ ସହଜ ସରଳ କରି ପାରିବା। ଏମିତି ରେ ପଞ୍ଚମ ସରିଗଲା, ଯେତେବେଳେ ଷଷ୍ଠର ଆରମ୍ଭ ମୁଁ ବହୁତ ସିରିୟସ୍ ଲେବୁଲ୍ ରେ ଆସିଗଲି।ନା ଦେହ ଭଲ ହେଲା ,ନା ସ୍କୁଲ ଯାଇ ପାରିଲି। ସେତେବେଳେ ଡାକ୍ତର ଜାଣି ପାରୁ ନଥିଲେ କି ମତେ କ'ଣ ହେଉଛି।ବହି କୁ ଦେଖି ବହୁତ କାନ୍ଦିଛି । ଯାହାକୁ ପଢି ପାରିବିନି ବୋଲି ଦିନେ କାନ୍ଦୁଥିଲି।ଆଜି ବି ସେଇ କାନ୍ଦ ମୁଁ କ'ଣ ସତରେ ଆଉ ପଢି ପାରିବିନି। ବାରମ୍ବାର ମୋ କାନରେ ବାଜେ ମୁଁ ସତରେ କ'ଣ ପଞ୍ଚମ ରେ ହିଁ ରହିଯିବି।ନାଁ ଜମା ନୁହେଁ। କେତେ ଲୋକ ଅଛନ୍ତି ନା ତାକୁ ଆଉ ପଢାଅନି ତା ଦେହ ଭଲ ନାହିଁ ଏମିତି କୁହନ୍ତି।

ମମି ଙ୍କର ଗୋଟେ ଜିଦ୍ ମୋ ଝିଅ ପଢିବ। ତାପରେ ଦେହ ଅସୁସ୍ଥ ସତ୍ତ୍ୱେ ବି ମୁଁ ପଢିବି ଭାବିଲି କିନ୍ତୁ ଶିଶୁ ମନ୍ଦିର ର ପଢା ଯାହା ହେଲେ ବି ସେତେବେଳେ ବହୁତ ଅଧିକା ଥିଲା ଆମ ଘରକୁ ସେଇଟା ଦୂର ହେଇଥିଲା ସେଥିପାଇଁ ଘର ପାଖ ସରକାରୀ ସ୍କୁଲ୍ ରେ ଆରମ୍ଭ ହେଲା ମୋ ପାଠପଢା‌। ଯେଉଁ ଘର ପାଖ ସ୍କୁଲ କୁ ନେଇ ଛାଡିଦେଲେ ମୁଁ ରଡି ଛାଡି କାନ୍ଦୁଥିଲି ଆଜି ପୁଣିଥରେ ସେଇ ସ୍କୁଲ ରେ ମୁଁ ପାଦ ଦେଲି। ମୁଁ ପ୍ରଥମ ପଢ଼ିବା ବେଳେ ଯେଉଁ ମାନେ ଶିକ୍ଷକ, ଶିକ୍ଷୟିତ୍ରୀ ଥିଲେ ଏବେ ବି ସେମାନେ ଅଛନ୍ତି।ମତେ ଦେଖି ସେମାନେ ବହୁତ ହସିଲେ । ବର୍ଷା ତୁ ପୁଣି ଆସିଲୁ ଏଇ ସ୍କୁଲକୁ। କିନ୍ତୁ ମୋର ଧୀର ସ୍ଥିର କଥା, ପାଠପଢ଼ା ଦେଖି ସେମାନେ ବହୁତ ଖୁସି।

ଏମିତି ରେ ଦଶମ ସରିଲା।ମୋର ଭଲ ନଂ ଆସିଲା। ଏବେ କଲେଜ୍ ଆରମ୍ଭ । ଯେଉଁ ଛୁଆ ଦିନେ ସ୍କୁଲ ଯିବିନି ବୋଲି ଗଡ଼ି ଗଡ଼ି କାନ୍ଦୁଥିଲା ଆଜି ସେ କଲେଜ୍ ଯାଉଛି ଭାବି ମୋ ଓଠରେ ହସ ଆସିଗଲା। ଲାଇବ୍ରେରୀ କାର୍ଡ ମିଳିଗଲା ଆଉ ମୁଁ ଯାଇ ଲାଇବ୍ରେରୀ ରୁ ବହିନେଇ ଆସିଲି ପଢ଼ିବା ପାଇଁ।ଏଇ ବର୍ଷା ଦିନେ ବହି ଦେଖି ଡରି ଯାଉଥିଲା କେମିତି ଏତେ ପାଠ ପଢ଼ିବ ମୁଣ୍ଡ ବୁଲେଇ ଦେଉଥିଲା ସେ ନିଜେ ଆଜି ଆସିଛି ଲାଇବ୍ରେରୀ ରୁ ବହି ନେଇକି ପଢିବ ବୋଲି ଭାବି ମନେ ମନେ ବହୁତ ହସିଛି।ଯୁକ୍ତ ଦୁଇ ସରିବା ପରେ ଆରମ୍ଭ ହେଲା ଓଡ଼ିଆ ହନର୍ସ ରେ ପାଠପଢ଼ା ।

ଏମିତି ରେ ବହି ସାଙ୍ଗରେ ମୁଁ ବନ୍ଧୁତା କରିନେଲି।ନିର୍ଜନତା ସାଙ୍ଗରେ ବି ହାତ ମିଳେଇ ନେଲି। ଜଣେ କିଛି ଭାବିବାକୁ ହେଲେ ଏକାନ୍ତ ନିତାନ୍ତ ଆବଶ୍ୟକ।କବି,ଲେଖକ ମାନଙ୍କ ପାଇଁ ନିର୍ଜନତା ନିହାତି ଜରୁରୀ।ହୋ ହାଲ୍ଲା ଶଦ୍ଦ ଭିତରେ ରହିଲେ ମନ ସ୍ଥିର ରୁହେନି। ସମସ୍ତେ ତ ରହି ପାରୁଛନ୍ତି ଗହଳି ଭିତରେ ତାହେଲେ ମୁଁ କାହିଁକି ରହି ପାରିବିନି , ଏମିତି ଭାବି କେଉଁ ବାହାଘର ହେଉକି କିଛି ଭିଡ଼ ଜାଗାରେ ରହିଯାଏ,ତା ପରେ ଆରମ୍ଭ ହେଇଯାଏ ମୋର ବହୁତ ସାରା ପ୍ରୋବ୍ଲେମ୍, ମୋର ଦେହ ବହୁତ ଖରାପ ହୁଏ,ନା ମୁଁ ଠିକ୍ ସେ ଶୋଇପାରେ ନା ଭଲକି ଖାଇ ପାରେ, କେତେ ଦିନ ଯାଏଁ ସେଇ ଗହଳି ,ହୋ ହାଲ୍ଲା,ଶାଉଣ୍ଡ୍ ବକ୍ସ୍ ର ଶାଉଣ୍ଡ୍ ଏସବୁ ବାରମ୍ବାର ମୋ କାନରେ ପ୍ରତିଧ୍ୱନୀତ ହେଉଥାଏ। ପାଖାପାଖି ମାସେ ଲାଗିଯାଏ ମତେ ପୁଣିଥରେ ଭଲକି ଖିଆପିଆ କରି ଦେହସୁସ୍ଥ ହେବା ପାଇଁ। ସେଥିପାଇଁ ଅତି ଦରକାର ନ ପଡ଼ିଲେ ମୁଁ କେବେ ଯାଏନି ହୋହାଲ୍ଲା, ଗହଳି ଯାଗାକୁ।

ଏଇଟା ହେଲା କାରଣ ମୁଁ ସେଥିପାଇଁ ନିର୍ଜନ ତା ବହୁତ ପସନ୍ଦ କରେ। ଜଣେ ବଡ଼ ପଣ୍ଡିତ ହେଇଥିଲେ ବି ହୋ ହାଲ୍ଲା ଗହଳି ଭିତରେ ରହିଲେ ମନ ସନ୍ତୁଳନ ରକ୍ଷା କରି ପାରେନି।ଗହଳି ଭିତରେ ରହିଲେ କିଛି ଭାବିବାର ଆମକୁ ସୁଯୋଗ ବି ମିଳେନି।ଯଦି ଆମକୁ କିଛି ନୂଆ ଲେଖିବାର ଅଛି ଆଗକୁ ବଢିବା ପାଇଁ କିଛି ଚିନ୍ତା କରିବାର ଅଛି ତାହେଲେ ଆମ ପାଇଁ ନିର୍ଜନତା ର ନିତାନ୍ତ ଆବଶ୍ୟକ।

କେଉଁ ଦିନ ଯଦି ଘରେ କେହି ବି ନଥାନ୍ତି ନା ମୁଁ ବିନା ମୋବାଇଲ୍ ରେ ଦିନ ସାରିବା ପାଇଁ ଚେଷ୍ଟା କରେ।ଏକା ବସି ଦିନସାରା ବହୁତ କିଛି ଭାବିଯାଏ।ନା ନିଦ ଥାଏ ,ନା ଭୋକ। ଯେତେବେଳେ ମମି କାମ ସାରିକି ଫେରି କବାଟ୍ ବାଡ଼େଇ ଦିଅନ୍ତି , ମୁଁ ଫେରେ ମୋ ଭାବନା ରାଜ୍ୟରୁ।ଆଉ ତାପରେ ମମି ଯେତେବେଳେ ପଚାରନ୍ତି ଝିଅ ଯାହା ସବୁ ବାଢି ଦେଇ ଯାଇଥିଲି ସବୁ ଖତମ୍ କରିଛୁ ତ ତାପରେ ମୁଁ ଭାବେ ଆରେ ମୁଁ ତ ଖାଇନି ଆଜି,ଗାଳି ପଡିବ ଆଜି ଜୋରଦାର ମୋ ଉପରେ। ତାପରେ ମୁଁ କୁହେ ମମି ମତେ ପେଟ ବହୁତ କାଟିଲା ଆଉ ବାନ୍ତି ଲାଗିଲା ମୁଁ ସେଥିପାଇଁ ତମେ ଆସିଲେ ଖୁଆଇ ଦେବ ବୋଲି ଜଗି ଥିଲି।ସିକ୍ରେଟ୍ କହିଦେଲି ମମି ବି ଜାଣିଦେବେ ଏବେ ଆଉ ବାହାନା ବି ଚଳିବନି।


Rate this content
Log in

Similar oriya story from Classics