STORYMIRROR

Barsha rani Nanda

Romance

2  

Barsha rani Nanda

Romance

ସମ୍ପର୍କ ର ନାଁ ପ୍ରେମ

ସମ୍ପର୍କ ର ନାଁ ପ୍ରେମ

2 mins
94

ଆଳାପ ସଂଳାପଠୁ ବହୁତ ଉର୍ଦ୍ଧ୍ୱରେ ଥିଲା ଆମ ପ୍ରେମ...ବାବୁ, ସୋନା ଉଚ୍ଚାରଣ ହେଉନଥିଲା ଆମ ଭିତରେ... ଭାବି ଭାବି ରାତି ନିଅଣ୍ଟ ହେଉଥିଲା, ତାକୁ ଶଦ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ସହଜ ନଥିଲା, କି ଲେଖିବା ପାଇଁ ଶଦ୍ଦ ମଧ୍ୟ ମିଳୁନଥିଲା...।

ଯେତେବେଳେ କଲମ ଧରୁଥିଲି କାଗଜ, କଲମ ଦୁହେଁ ଭାରି ଖୁସି ହେଉଥିଲେ। ଲେଖୁ ଲେଖୁ କେତେ ବେଳେ କାଗଜ ତ କେତେବେଳେ କଲମରୁ କାଳି ସରି ଯାଉଥିଲା ଜଣା ବି ପଡୁନଥିଲା।

ତା କଥା ଭାବି ରାତି ନିଅଣ୍ଟ ହେଉଥିଲା.... ଦିନ କେତେ ବେଳେ ସରୁଥିଲା ଜଣା ପଡୁ ନଥିଲା....

ଆଖି ସବୁବେଳେ ଚାହୁଁଥିଲା ତାକୁ ଆଖି ପଲକରେ ରଖିବା ପାଇଁ..... ସେଥିପାଇଁ ତ ଆଖି ପତା ପଡ଼ିଲା ମାତ୍ରେ ଆଖି ତାକୁ ହିଁ ସ୍ୱପ୍ନ ଦେଖୁଥିଲା। ସବୁ ପ୍ରାର୍ଥନାରେ ମନ ତାକୁ ମାଗୁଥିଲା...

ଦୁନିଆର ଭିଡ଼ ଭିତରେ ଆଖି କେବଳ ତାକୁ ହିଁ ଖୋଜୁଥିଲା... ମୁକ୍ତ ଆକାଶରେ ଡେଣା ଝାଡି ଉଡିବାଠୁ..... ପଞ୍ଜୁରୀ ଭିତରେ ରହିବା ପାଇଁ କାହିଁକି କେଜାଣି ବହୁତ୍ ଭଲ ଲାଗୁଥିଲା। ମନ କେବଳ ତା କଥା ହିଁ ଭାବୁଥିଲା.... ତା ନାଆଁ ଭାବିବା ମାତ୍ରେ ଆପଣା ଛାଏଁ ଓଠରେ ହସ ଖେଳି ଯାଉଥିଲା। ବିନା କାରଣରେ ହସିବା ପାଇଁ ଇଛା ହେଉଥିଲା। ସତେ ଯେମିତି ଚକୋରୀକୁ ତା ଚକୋର ମିଳି ଯାଇଥିଲା...

ସାରା ଦୁନିଆଟା ମହକି ଉଠିଲା ପରି ଲାଗୁଥିଲା।

ସ୍ୱାର୍ଥପର ଦୁନିଆରେ ଆମ ଭଲପାଇବା ନିଃସ୍ଵାର୍ଥପର ଥିଲା। ନା ଦିନ ସାରା କଥା ବାର୍ତ୍ତା ଥିଲା,ନା ଚିଠି ଦିଆନିଆ ଥିଲା,ନା ଥିଲା ଭାବର‌ ଆଦାନ ପ୍ରଦାନ, ନା ଥିଲା କାହା ଉପରେ କାହାର ଅଭିମାନ। ଯିଏ ଯାହା କାମ ବ୍ୟସ୍ତତାରେ ଦିନ ସରିଯିବା ପରେ, ରାତିରେ ନିର୍ଦ୍ଧାରିତ ସମୟରେ ଉଭୟ ଉଭୟଙ୍କ ଭଲମନ୍ଦ ବୁଝି ନେଉଥିଲୁ । ଆଉ ଏତିକିରେ ହିଁ ସାଉଁଟି ଆଣୁଥିଲି ମୁଁ ମେଞ୍ଚାଏ ଖୁସି,ଏଇ ଟିକିଏ କଥାବାର୍ତ୍ତାରେ... ହିଁ ତା ପରଦିନ ଦିନ ସାରା ଖୁସିରେ କଟି ଯାଉଥିଲା, ପୁଣି ଅପେକ୍ଷା ରହୁଥିଲା ସେଇ ରାତିକୁ।ଦୁଇ ମିନିଟର କଥା ବାର୍ତ୍ତା ଭିତରେ ଆମେ ବହୁତ ନିବିଡ଼ ହେଇ ଯାଇଥିଲୁ। କିନ୍ତୁ ଆମେ ସମସ୍ତେ ସମୟ ର ଦାସ।ସମୟ ପାଖରେ ସମସ୍ତେ ହାର୍ ମାନନ୍ତି।ଏଇ ସମୟ ହିଁ ଆମ ଭଲ ପାଇବାରେ ପ୍ରତିବନ୍ଧକ ଲଗେଇ ଦେଲା।ଅଲଗା ହେଇଗଲୁ ଦୁହେଁ ଦୁହିଁଙ୍କ ଠାରୁ।ତା ହୃଦୟକୁ ଅଧିକାର କରିନେଲା ଆଉ ଜଣେ ସଦସ୍ୟ।ଆଉ ମୁଁ ଭଲପାଇବାକୁ ଜାବୁଡି ଧରି ପଛରେ ରହିଗଲି। ସ୍ମୃତିଟିଏ ହୋଇ ରହିଗଲା ଆମ ଭଲପାଇବା।

ଆଜି ବି ସେମିତି ସାଇତି ରଖିଛି ତାକୁ, ତା ସ୍ନେହବୋଳା କଥାକୁ, ତାର ସେଇ ମିଛ ଅଭିମାନକୁ। ଜାଣିନି ସିଏ ଭୁଲିଛି କି ମନେ ରଖିଛି।ସେ ଦିନ ବି ଖୁସିରେ ଲେଖି ଯାଉଥିଲି ବହୁତ କିଛି.... ଆଉ ଆଜି ବି ଲେଖୁଛି।କାଗଜ ଉପରେ ଶଦ୍ଦ ସବୁ ଲେଖିଦେବା ପରେ ...ଆଖିରୁ ଲୁହ ବୁନ୍ଦା ପଡି କେଉଁ ଶଦ୍ଦ ହଜି ଯାଉଛି ତ କିଏ ଲୁଚି ଯାଉଛି।କଲମ ତ ଚାଲିବା ପାଇଁ ନାରାଜ।

ଆଜି ବି ତାକୁ ମନେ ପକେଇଲେ ଚେନାଏ ହସ ଓଠରେ ଖେଳି ମୁହଁ ଉଜ୍ଜ୍ବଳ ଦିଶୁଛି କିନ୍ତୁ ତା କଥା ଭାବିବା ମାତ୍ରେ ଦଲକାଏ ପବନ ଆସି କାନରେ ପିଟି ହେଇ ସତେକି କହି ଦେଇ ଯାଉଛି କ'ଣ ପାଇଲୁ ତୁ ? ଆଖିରେ ଆଖିଏ ଲୁହ, ମନରେ ମେଞ୍ଚାଏ କୋହ । ଅତୀତକୁ ଭୁଲି ସମୟ ସାଙ୍ଗରେ ତାଳ ଦେଇ ଚାଲିବା ଶିଖିବା ପାଇଁ ମତେ ବାରମ୍ବାର କହି ଦେଉଛି କାନ୍ଥରେ ଲାଗିଥିବା ସେଇ ଘଣ୍ଟା। ସତରେ କ'ଣ ଭୁଲି ଯାଇ ପାରିବି ତାକୁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance