ABhimanyu Panda

Romance

3.8  

ABhimanyu Panda

Romance

।।ରାସ୍ତାପାଖ ଘର।।

।।ରାସ୍ତାପାଖ ଘର।।

13 mins
767



ସରକାରୀ ହେଉ କିମ୍ବା ବେସରକାରୀ । ମହିଳା ହୁଅନ୍ତୁ ଅବା ପୁରୁଷ । ବିବାହିତ/ତା ହୁଅନ୍ତୁ ନହେଲେ ଅବିବାହିତ/ତା ହୁଅନ୍ତୁ । ସକାଳୁ ଯେତେ ସଅଳ ଉଠି କାମ ସାରିଲେବି ଅଫିସରେ ପହଞ୍ଚିବା ରେ ସାମାନ୍ୟ ବିଳମ୍ବ ହେବା କଥା ହିଁ ହେବ । 

ଉପର ଅଫିସରଙ୍କ ପାଖରୁ ଗାଳି ଶୁଣିବାଟା ଥୟ । ଯଦି ସେ ପୂର୍ବରୁ ପହଞ୍ଚି ଥିବେ । ଏକାଦଶ ବୃହସ୍ପତିଙ୍କ ଯୋଗରୁ ଯଦି ଗାଳି ନମିଳିଲା ଚଷମା ଉପରୁ ତିର୍ଯ୍ୟକ ଦୃଷ୍ଟିର ସୁନାମୀ ମାଡ଼ି ଆସିବା ଟା ଶତପ୍ରତିଶତ ଲେଖା । 

ଏଇ ଅଫିସ ଯିବା କାମରେ ମହିଳାମାନେ କିନ୍ତୁ ପୁରୁଷଙ୍କ ଅପେକ୍ଷା ବେଶି ସମାୟାନୁବର୍ତିତା । ଅନ୍ୟ କାମରେ ବରଂ ଦଣ୍ଡକ କାମକୁ ବେଳାଏ କରନ୍ତୁ । ଏଇ ଯେମିତି କହିଦିଅନ୍ତୁ ବଜାର ଯିବାକୁ ପ୍ରସ୍ତୁତ ହୁଅ ବୋଲି । କହିଦେଇଛନ୍ତି ଯଦି ଘରଣୀ ଯିବାକୁ ନକହିଲା ପର୍ଯ୍ୟନ୍ତ ପାଟି ନଖୋଲି ଦେଉଳ ଦେବତା ହେଇ ବସି ରହିବାଟା ଠିକ । ପାଟି ଖୋଲିଲେ ଡବାରେ ହାତମାରି ରାତି କଟେଇବା ସାର । ତେଲ ମରା ତ ଅଲଗା ଅଛି । କିନ୍ତୁ ଅଫିସ ପହଞ୍ଚିବା କାମରେ ବିବାହିତ ପୁରୁଷମାନେ ଅବିବାହିତ ପୁରୁଷ ମାନଙ୍କ ଅପେକ୍ଷା ସଅଳ ପହଞ୍ଚନ୍ତି । କାରଣ ବି ଅଛି । ବିବାହିତ ମାନେ ନିର୍ଦ୍ଦିଷ୍ଟ ଜଣକ ଉପରେ ନିର୍ଭରଶୀଳ ଥିଲାବେଳେ ଅବିବାହିତ ମାନେ ପରିବାରର ସମସ୍ତଙ୍କ ଉପରେ ନିର୍ଭରଶୀଳ । ନିଜ ଉପରେ ପଡ଼ିଲେ ଠିକ ଜାଣି ପାରିବେ ।


 ମୋ ଅବସ୍ଥା ମଧ୍ୟ ସେଇଆ । ଅଭିଆଡ଼ି ପିଲା । ଅଫିସ ବାହାରିଲା ବେଳେ କେବେ ବୋଉକୁ ରଡ଼ି ମାରି ଡାକେ ତ । କେବେ ଭାଉଜଙ୍କ ଉପରକୁ ଗୁରାଳି ହୁଏ । କେବେ ଭଉଣୀକୁ ତେଲ ମାରେ ତ କେବେ ପୁତୁରା ଝିଆରୀଙ୍କୁ ଲାଞ୍ଚ ଯାଚେ । ଯାହା ହେଉ ଏତେ ସବୁ ହେଲାପରେ ମୁଁ ଘରୁ ଅଫିସ ଅଭିମୁଖେ ବାହାରିଯାଏ । ସେପଟୁ ବାପାଙ୍କର ଗାଳି ଶୁଭୁଥିବ ଘରର କୈଣସି କାମ ଅଧା ଥିଲେ । 

ସେ ବି କଣ କରିବେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଭାରି କାମ କରିବାର ପୂର୍ଣ୍ଣ ସାମର୍ଥ୍ୟ ନାହିଁ । ବଡ଼ଭାଇ ବଡ଼ ଚାକିରୀକରି ତାଙ୍କ ସପରିବାର ବଡ଼ ସହରରେ ସ୍ଥାପିତ । ସାନଭାଇ ଟି ଏବେ ସହରରେ ରହି ପଢ଼ୁଛି । ମୁଁ ପାଠଶାଠରେ ସେତେ ଭଲ ନଥିଲେବି ବହୁ ନାକ ଘଷାଘଷି ପରେ ଏଇ ଚାକିରୀ ଖଣ୍ଡକ ପାଇଛି । ଆଜିକାଲି ସାଧାରଣ ବର୍ଗଙ୍କୁ ଯାହା ସରକାରୀ ଚାକିରୀ ମିଳୁଛି !? 

ଘର ପାଖରୁ ପ୍ରାୟ କୋଡ଼ିଏ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼େ ମୋଟର ସାଇକେଲରେ । ଘରୁ ବାହାରି ଆସି ଗାଁ ମୁଣ୍ଡ ପାନ ଦୋକାନରୁ ପାନ ବିଡ଼ାଟା ଧରି ତରବର ହେଇ ବାହାରିଯାଏ ଅଫିସ ଅଭିମୁଖେ । ଖୁବ ବେଗରେ ଗାଡ଼ି ଚଳେଇ ଯାଏ । କେତେଥର ଏଇ ତରବରିଆ ଗୁଣରୁ ଅଳ୍ପକେ ଦୁର୍ଘଟଣାରୁ ବଞ୍ଚିଛି । 

ସବୁଦିନେ ଯିବା ଆସିବାବେଳେ ଏତେ ବ୍ୟସ୍ତ ଥାଏଯେ , ଆମ ଗାଁ ରାସ୍ତାରେ ପାଖାପାଖି କୋଡ଼ିଏଟି ତାଳଗଛ ଦି ଦି ପୁରୁଷ ଉଞ୍ଚା ହେଇଗଲାଣି ୟା ଭିତରେ । ସବୁବେଳେ ବ୍ୟସ୍ତ ମଣିଷଟିଏ ମୁଁ । 


କିନ୍ତୁ ଅଫିସ ଗଲାବେଳେ ଗାଁ ଠାରୁ ପ୍ରାୟ ଦଶ କିଲୋମିଟର ରେ କାହିଁକି କେଜାଣି ମୋ ଗାଡ଼ିର ବେଗ ଆପେଆପେ କମିଯାଏ । ଦୂର ସେଇ ଗାଁ ଟି ଉପରେ ଦୃଷ୍ଟି ପଡ଼ିବାମାତ୍ରେ ମୋ ଅଜଣାରେ ବି ମୁଁ ନିଜକୁ ଥର ଥର କରି ଦେଖିନିଏ । ଲାଗିଥିବା ମିରରରେ ପବନରେ ଉଡୁଥିବା କେଶକୁ ବାରମ୍ବାର ସଜାଡ଼ିବାର ବିଫଳ ଚେଷ୍ଟା କରେ । ଆଖି କାନ ନାକ ସବୁକୁ ତନ୍ନ ତନ୍ନ କରି ଦେଖିନିଏ । ନିଜକୁ ଆପାଦମସ୍ତକ ସଖ୍ୟ ଅନୁସାରେ ଦେଖିଲାବେଳେ ଗାଡ଼ିର ବେଗ ଆହୁରି ଧିମା ହେଇଯାଏ । ନିଜକୁ ରୂପରେ କନ୍ଦର୍ପ ଭାବି ଧିରେ ଧିରେ ଗାଁ ଭିତରକୁ ପ୍ରବେଶ କରେ । 

ମୋପରି ଜଣେ ଅସଜଡ଼ା ପିଲା ! , ସମ୍ପୂର୍ଣ ସଜଡ଼ା ଓ ବ୍ୟବସ୍ଥିତ ମଣିଷ ହେବାପରେ ଗାଁ ର ଘର ପରେ ଘର ଅତିକ୍ରମ କରିବା ସଙ୍ଗେସଙ୍ଗେ ମୋ ଗାଡ଼ିର ବେଗ ଧିରରୁ ଧିର ହେବାକୁ ଲାଗେ । କେବେ ନବଯୌବନା ପରି ଗାଡ଼ିର ଆଇନାକୁ ଉନ୍ମତ କାମୁକ ଦୃଷ୍ଟିରେ ନିଜକୁ ଦେଖେ ତ , କେବେ ପୁଣି ନବବଧୂ ପରି ଲାଜୁଆ ନଜରରେ । ଗାଁ ର ଶେଷ ମୁଣ୍ଡକୁ ଥିବା ବେଗ ରୋଧକ ନିକଟରେ ପହଞ୍ଚି ଯାଏ ସବୁଦିନର ଇପ୍ସିତ ନିଃସ୍ୱାର୍ଥ ଇଚ୍ଛା କୁ ନେଇ । 

ସେତେବେଳେ ଯେଉଁ ଦିଅଁ ଦେବତାଙ୍କ କଥା ମନକୁ ଆସେ । ମାନସିକଟିଏ ବି ମନାସି ଦିଏ । ଯେତେ ମାନସିକ ମନାସିଛି ଆଜିଯାଏଁ ଗୋଟାଏ ବି ପୂରଣ କରିନି । ତଥାପି ଦିଅଁ ଦେବତା ମାନେ ମୋ ଉପରେ ସଦୟ ରହି । ମୋ ଇପ୍ସିତ ଅଭିସାରକୁ ସାର୍ଥକ କରନ୍ତି । ଦିନେ ନୁହେଁ କି ମାସେ ନୁହେଁ । ପାଖାପାଖି ଦଶବର୍ଷରୁ ଉର୍ଦ୍ଧ୍ବ ସମୟ ଯାଏ । 

କେବେ ବୈଶାଖ ଝାଞ୍ଜିରେ ପତଳା ସୂତା ଗାଉନରେ ତ କେବେ ପୁଣି ଶ୍ରାବଣର ରିମଝିମ ଝଙ୍କାରର ତାଳେ ତାଳେ ଆଣ୍ଠୁଯାଏ ଫୁଙ୍ଗୁଳା ଦିଶୁଥିବା ଗୌର ସୁନ୍ଦର ପାଦକୁ ଲମ୍ବେଇ ଲେମ୍ବେଇ କାଖରେ କଳସୀ ଧରି ନଳକୂପକୁ ପାଣି ଲାଗି ଯାଉଥିବା ସମୟରେ । ଆଉ କେବେ ମାର୍ଗଶିର ର ଗୋଲାପୀ ଶୀତରେ ଶୁଭ୍ର ସୁନ୍ଦର ଚିପା ପୋଷାକରେ ତ ପୌଷର କୁହୁଲିଆ ଶୀତରେ ମୁକୁଳିତ ଲମ୍ବା କେଶରେ ଖରା ପୁଇଁଲା ବେଳେ ତ କେବେ ମାଘୁଆ ସଞ୍ଜରେ ହାତରେ ସଞ୍ଜବତୀ ଧରିବା ହେଉ । ଥରୁଟିଏ ଦେଖିଦେଲେ ଝାଞ୍ଜି ଚଇତାଳି ପରି ଉଷ୍ମ ମନ ମୋର ଶୀତଳି ଯାଏ ମାଘ ଆରମ୍ଭର କୁହୁଲିଆ ପାଗ ପରି । କୋହଲା ପାଗରେ ଦେହ ସ୍ଥିର ହେଲାପରି ଗାଁ ମୁଣ୍ଡର ସେ ଶେଷ ଘରର ସୁନ୍ଦରୀ ଲଲନାକୁ ଦେଖିଲା ପରେ ମୋ ମନ ମଧ୍ୟ ସ୍ଥିର ହେଇଯାଏ । 


କେବେ ଆଖିରେ ଆଖି ମିଶିନି । କହିବାକୁ ଗଲେ ମୁଁ ମିଶେଇବାକୁ ସାହାସ କରିନି । ସୁସଂଯତ ଆଉ ନମ୍ରତାର ଯେଉଁ ଓଢଣୀ ମୁଁ ଢାଙ୍କିଥିଲି ତା ତଳୁ ବାହାରି ବାକୁ ଇଚ୍ଛା କରିନି । ସବୁଦିନ ମୋର ଯିବା ଆଉ ଆସିବା ସମୟରେ ବୋଧହୁଏ ମୋ ବାଟକୁ ଚାହିଁ ରହିଥିବା ସେଇ ସୁନ୍ଦରୀ ଶ୍ୟାମଳୀ ମୋ ଆଖିର ଦୁଷ୍ଟାମୀ ପଢ଼ିନେବ । କାଳେ ମୋ ସଞ୍ଜତ ମନର ଅସଂଜତ ଆଖିର ଦୁଷ୍ଟାମୀରେ ମୋ ପ୍ରତି ତା ମନରେ କିଛି ହୀନ ଭାବନା ଉଦ୍ରେକ ହେବ ସେହି ଭୟରେ ମୁଁ ଆଖିରେ ଆଖି ମିଶେଇବାର ଧୃଷ୍ଟତା କରିନି । 

ସହରକୁ ସଂଯୋଗ ହେଉଥିବା ମୁଖ୍ୟ ରାସ୍ତାଟି ସେ ସୁନ୍ଦରୀର ଗାଁ କୁ ଦୁଇଭାଗ କରି ମଝିରେ କଳା ସର୍ପିଳ ସ୍ଥିତିରେ ଲମ୍ବି ଯାଇଛି କଳ୍ପନାତିତ ଦୂରତ୍ୱ କୁ । ପ୍ରାକୃତିକ ସବୁଜ ବନାନୀରେ ଆଚ୍ଛାଦିତ ସେହି ସୁନ୍ଦରୀଙ୍କର ସେ ଗାଁ ଟି ବାହାରୁ କାହାକୁ ବି ଆକର୍ଷିତ କରିବାର ଯଥେଷ୍ଟ କାରଣ ହେଇପାରେ । ଯେମିତିକି ମୁଁ ଆକର୍ଷିତ ହେଇଛି 

। ଘରକୁ ଫେରିଆସି ନିଜେ କବି ଟିଏ ପାଲଟି ଯାଏ । ନଥିବା ଓ ବେନାମୀ ସମ୍ପର୍କ ଭାଙ୍ଗିଯିବା ଭୟରେ ସିନା ତାଙ୍କ ଗାଁ ରେ ମୋ ଆଖି ମିଶେଇବାରୁ ବିରତ ରୁହେ ହେଲେ ଘରେ ମୁଁ ସମ୍ପୂର୍ଣ୍ଣ ଲଗାମ ଛଡ଼ା । ଦୁଷ୍ଟ , ବ୍ୟକ୍ତିଗତ ଅସାମାଜିକ ଓ ଅସଂଯତ । ତଳିପାରୁ ମସ୍ତକ ଯାଏ ନିରୀକ୍ଷଣ କରି ଦେଖିଯାଏ ସଦା ଜାଗ୍ରତ ରହୁଥିବା ମୋ ଅବଚେତନ ମନ ମାଧ୍ୟମରେ । ଛୁଇଁ ଯାଏ ସେ ଅଦ୍ଭୁତ ରୂପସୀକୁ । ସେ କଅଁଳିଆ ଦେହରେ ପ୍ରତିଟି ଅଙ୍ଗକୁ ପେଟ ଭର୍ତ୍ତି ଯୌବନ ବାସନାକୁ ନେଇ । ସେ ରସାଳ ଓଠକୁ ଚୁମିଯାଏ । 


ତୃଷାର୍ତ ଚାତକର ବର୍ଷାରେ ଯେମିତି ତୃଷା ନିବାରଣ ହୁଏ ଠିକ ସେମିତି ପ୍ରେମାମୃତ ପାନ କରିଚାଲେ ସେ ଅଧରରୁ ଅଣନିଶ୍ୱାସୀ ହେବାଯାଏ । ଲଜ୍ଜାର ସମସ୍ତ ସୀମାରୁ ନିଜକୁ କୋଷେ ଦୂରରେ ଆବିଷ୍କାର କରେ ମୁଁ । ସେ କୁଆଁରୀ ସୁନ୍ଦରୀର ଖରସ୍ରୋତା ତଟିନୀ ଯୌବନକୁ ମୋ ଯୌବନର ପୂର୍ଣ୍ଣ ଅମୃତ ଭାଣ୍ଡ । ଉଭୟେ ମିଳିତ ହୁଅନ୍ତି ଏକାକୀ ଥିବା ମୋର ସେହି ନିବୁଜ କୋଠରୀରେ । ନିଜ ଚାରିପାଖର କୋଳାହଳକୁ ବେଖାତିର ଦୁଇଟି ମତୁଆଲା ମନ । 

କେବେ ବସନାବୃତ ଦେଖେତ କେବେ ସମ୍ପୂର୍ଣ୍ଣ ନିର୍ବସ୍ତ୍ର କରିଦିଏ ମୋ ମନ ବନ୍ଦୀ ସେ ସୁନ୍ଦରୀକୁ । ତାର ବଡ଼ବଡ଼ ସଜଳ ଆଖି ଯୋଡ଼ିକ ଲାଜର ସୂକ୍ଷ୍ମ ରେଶମ ଚାଦର ଟିଏ ଢାଙ୍କି ହେଇ ସାଉଁଳି ପଡ଼େ । ନତ ଦୃଷ୍ଟିରୁ କଣେଇ କଣେଇ ଆଖିରେ ଆଖିରେ ସମ୍ମତି ଦିଏ ମୋ ଶଙ୍କିତ ମନକୁ । ସ୍ୱଭାବଗତ ଭାବେ ଟାଣି ହେଇଯାଏ ମୁଁ ପ୍ରୀତି ସ୍ପର୍ଶ ଦେବାକୁ । ଉଭୟେ ଏକାକାର ଭାବେ ପାଶବିକ କ୍ରିୟାରରେ ଉନ୍ମତ୍ତ ହେଇଯାଉ । ସବୁ ରାତିର ଚିଆଁଇ ଆଖିରେ ଏ ମୋର ଗୋଲାପୀ ସ୍ବପ୍ନ । ଯେଉଁ ସ୍ବପ୍ନ ମୋ ମନରେ ସୁବ୍ୟବସ୍ଥିତ ଭାବେ ସୁରକ୍ଷିତ ହେଇକି ଥାଏ । 

ଆହୁରି ଅନେକ ରୂପସୀ ଏ ଆଖି ସାମ୍ନାକୁ ଆସୁଥିଲେ ମଧ୍ୟ । ମନ ଅତୃପ୍ତ ରହିଯାଏ ସେହି ନିର୍ଦ୍ଦିଷ୍ଟ ସୁନ୍ଦରୀର ମାନସିକ ଉପସ୍ଥିତି ବିନା । 


କେବେକେବେ ଗାଳି କରେ ମଧ୍ୟ । ମୋ ନିଦ ଆଉ ମାନସିକ ଶାନ୍ତିରେ ବ୍ୟାଘାତ କରୁଥିବାରୁ । ମୋ ଦିନଚର୍ଚାକୁ ଅବ୍ୟବସ୍ଥିତ କରୁଥିବାରୁ । ବିରକ୍ତି ହୁଏ ହେଲେ କାଢ଼ି ଫିଙ୍ଗି ପାରେନି , ସତ ବଳେନି ଅଲଗା କରିବାକୁ । ଏମିତି ସବୁଦିନ ଚାଲେ । ଚାକିରୀ ପୂର୍ବର ଛାତ୍ର ଜୀବନରେ କଲେଜ ଯିବା ସମୟରୁ ଦେଖି ଆସୁଛି । ସେଇ ଜଣକ ଉପରେ ଆଖି ମୋର । ଯାହା ପାଠପଢ଼ା ପରେ ବି ଅବ୍ୟାହତ । 

ଦୁହିଁଙ୍କର ବିବାହ ଉପଯୁକ୍ତ ବୟସ ମଧ୍ୟ । ସେଦିନ ସକାଳୁ ଉଠିବା ମାତ୍ରେ ମୁଁ ତରବର ହେଇ ଲାଗିପଡ଼ିଲି ମୋର ନିତିଦିନିଆ ନିତ୍ୟକର୍ମରେ । 


ଆରେ କୁଆଡ଼େ ଗଲାକି ତୋର ଚାକିରୀଆ ପୁଅ !? 


ବାପା ବୋଉ ଉଦ୍ଦେଶ୍ୟରେ ଏତକ ପଚାରିଲେ ? କୌଣସି କାମ ବାକିଥିଲେ ବାପା ଏତକ ବୋଉକୁ ପଚାରନ୍ତି । ବ୍ରଶ କରୁକରୁ ଅଣ୍ଟାରେ ଗାମୁଛା ଭିଡ଼ି ଚାଲି ଆସିଲି ବାପାଙ୍କ ଆଗକୁ । ମୋତେ ଦେଖିବା କ୍ଷଣି ;;;


ଆରେ ବାପା ରାଜୀବ ଆଜି ଅଫିସ ନଯାଇ ସେ ମଧୁଆ କକାଙ୍କ ସହିତ ଯିବୁ । ଝିଅଟିଏ ଦେଖି ଆସିବୁ । 


କେତେ ଗୁଡ଼ିଏ ପ୍ରଶ୍ନ ଏକତ୍ରୀତ ହୋଇ ମୋ ମନରେ ଝଡ଼ ସୃଷ୍ଟି କରିଦେଲେ । ଉତ୍ତର ନପାଇ ବାପା ବୋଲି ସମ୍ବୋଧନ ମାତ୍ର କରିଦେଲି । 


ଆରେ ଚୋଠା ବାପା କଣ କିରେ ? ମୋର ଆଉ ବୟସ ଅଛି ବୁଲିକି ବୋହୂ ଆଣିବି । 


ବାପା ନିଜର ଅସହାୟତା ପ୍ରଦର୍ଶନ କଲେ । ରକ୍ଷଣଶୀଳ ମନୋଭାବର ହେଲେବି ବର୍ତ୍ତମାନର ଯୁବ ପିଢୀଙ୍କ ମନକୁ ପଢ଼ିବାର ଯଥେଷ୍ଟ ସଫଳ ପ୍ରୟାସ କରିଛନ୍ତି ବାପା । ମୁଁ ଉତ୍ତର ଦେବାରେ ପୁନର୍ବାର ବିଳମ୍ବ କଲି । ବାପା ପୁଣି କହି ଉଠିଲେ


 ଆରେ ଭରଷା ରଖେ ମୁଁ ତୋର ବାପା । ମୁଁ ତୋର ମଙ୍ଗଳ ବ୍ୟତୀତ ଅନ୍ୟକିଛି ଭାବିପାରିବିନି । ଝିଅଟିକୁ ମୁଁ ଦେଖିଛି । ଗୋଟିଏ ଚାଉଳରେ ଗଢ଼ା । ଝିଅ ଘରର ସମସ୍ତେ ଓ ନିଜେ ଝିଅ ମଧ୍ୟ ତୋତେ ଦେଖିଛି । ଏବେ କଥା ଖାଲି ତୋ ପାଖରେ । ଝିଅର ମାମୁ ଆଉ ତାର ଭାଇ କାଲି ଆମ ଘରକୁ ଆସିଥିଲେ । ତୁ ଗଲୁ ସଅଳ ସଅଳ କାମ ସାରି ବାହାରି ଗଲୁ । 


ସେ ସମୟରେ ମୁଁ ଅନ୍ୟ ବିବାହପଯୋଗ୍ୟ ଯୁବକ ମାନଙ୍କ ଠାରୁ ବିପରିତରେ ଚିନ୍ତା କରୁଥିଲି । କୁନି କୁନି ଘରସବୁ ଭାଙ୍ଗିରୁଜି ଯାଉଥିଲା ମୋର । ହେଲେ ପ୍ରତ୍ୟୁତ୍ତର ଦେବାକୁ ସାହସ ଓ ଉପଯୁକ୍ତ ବିଷୟବସ୍ତୁ ବି ନଥିଲା ମୋ ପାଖରେ । କଣ ବା କହିଥାନ୍ତି ପ୍ରତ୍ୟୁତ୍ତରରେ !? ମୋ ମନର ମାନସୀ ବିଷୟରେ !? ପ୍ରଥମ କରି ମୋତେ ମୋ ପୁରୁଷ ପଣିଆ ଉପରେ ସନ୍ଦେହ ଜାତ ହୋଇଥିଲା । ତଥାପି ବାପାଙ୍କ କଥାରଖି ଝିଅ ଦେଖିଯିବି ଆଉ ଅପସନ୍ଦ ହେଲା ବୋଲି ପରେ କହିଦେବି । 

କାରଣ ଯେତିକି ଆନନ୍ଦ ମୁଁ ସ୍ବପ୍ନ ପ୍ରେମରେ ପାଉଥିଲି ମୋ ମାନସୀ ସ୍ବପ୍ନ ନାୟିକା ସହ । ଅନ୍ୟ କାହା ସହିତ ତାହା ବାସ୍ତବରେ ମଧ୍ୟ ଚିନ୍ତା କରିପାରୁନଥିଲି । 

ଚଳିଲା ଭଳି ପୋଷାକ ପିନ୍ଧି ପହଞ୍ଚି ଗଲି ମଧୁଆ ଜେଜେଙ୍କ ଘର ପାଖରେ । ଜେଜେ ମଧ୍ୟସ୍ଥି ତ ନୁହଁନ୍ତି ହେଲେ ଆମ ସାହିର ବୟୋଜ୍ୟେଷ୍ଠ ଆଉ ବାପାଙ୍କର ଅତି ପ୍ରିୟ ମଣିଷ । 


କିରେ ରାଜୁ , ଶଳା ଟିକେ ଭଲକରି ଫିଟଫାଟ ହେଇ ଆସିଥିଲେ ହେଇ ନଥାନ୍ତା !? ଶଳା ମାଈପ ଆଣି ଯିବୁଟି !?


 ଜେଜେଙ୍କ ବ୍ୟଙ୍ଗ ଆକ୍ଷେପର ନା ଉତ୍ତର ଥିଲା ନା ଚେହେରାରେ କୌଣସି ଭାବ ପରିବର୍ତ୍ତନ ହେଇଥିଲା । ଜେଜେବି ପ୍ରସ୍ତୁତ ଥିଲେ । ଗାଁ ମୁଣ୍ଡ ପାନ ଦୋକାନ ପାଖରୁ ପାନ ବିଡାଟେ ଧରି ଆଗକୁ ଆଗକୁ ମାଡ଼ି ଚାଲିଲି ପଛରେ ଜେଜେଙ୍କୁ ସହାଯାତ୍ରୀ କରି । କୁଆଡ଼େ ଯିବା ବୋଲି ଜେଜେଙ୍କୁ ସେ ଝିଅ ଗାଁ ର ଠିକଣା ବି ପଚାରିଲିନି । ଅଳ୍ପ କିଛିବାଟ ଗଲା ପରେ ଜେଜେ ତାଙ୍କ ଆଡ଼ୁ କହିଲେ ଝିଅର ଗାଁ ଠିକଣା । 

ଶୁଣିବା ମାତ୍ରେ ସାମାନ୍ୟ ବେଗରେ ଯାଉଥିବା ମୋର ଗାଡ଼ିରେ ଏକ ଝଟକା ଅନୁଭବ କଲି ମୁଁ । ପଛପଟେ ଜେଜେ ବିରକ୍ତି ହୋଇ କହିଲେ


ମାଈପ ଆଣିବୁ ବୋଲି କଣ ଆଉ ଇନ୍ଦ୍ରଚନ୍ଦ୍ର ମାନିବୁନି !? ପକେଇ ମାରିବୁ ନା କଣ !? ଯଦି କାହାକୁ ଦେଖିଛୁ କହୁନୁ !? ଫେରିଯିବା ଏଇଠୁ । ତୋ ବାପକୁ ମୁଁ ବାଁ କାଲିଆ ମାରିଦେବି ।


 ମନ ଚିତ୍କାର କରି କହୁଥିଲା ହଁ ଜେଜେ ସତ କହୁଛ ତମେ । ଠିକ କହୁଛ ମଧ୍ୟ । ମୋ ଭଲପାଇବାକୁ ମୁଁ ସ୍ୱୀକାର କରୁଛି । ଚାଲ ଫେରିଯିବା । କିନ୍ତୁ ବାସ୍ତବତା ମୋତେ ଧିକ୍କାରୁ ଥିଲା । ମୋତେ ମୋ ମାନସିକତା ଉପହାସ କରୁଥିଲା । ଦିନେ ଆଖିରେ ଆଖି ମିଶେଇନଥିବା ଝିଅକୁ ପ୍ରେମିକା କେମିତି କହିବି ? ଅପୁରଣ ମାନସିକ ଲାଗି ଦେବତା ମାନଙ୍କର ଏ ଭିଆଣ ନୁହେଁତ !? ନଚେତ ସେହି ଗାଁ ରେ ପ୍ରସ୍ତାବ ଆସିବା କଣ ସହଜ କଥା !? ମନକୁ ଦୃଢ଼ କଲି , ବଳ ସଞ୍ଚୟ କଲି । ଉପରେ ପୁରୁଷ ସ୍ୱଭାବର ଅଲାଜୁକ ପାଣିଆକୁ ପ୍ରସାଧନ ମନେ କଲି । ଜେଜେଙ୍କୁ ପଛରେ ବସାଇ ନାନା ବ୍ୟଙ୍ଗରେ ଆଗେଇ ଚାଲିଲି ମୋତେ ଅତି ଆପଣାର ଲାଗୁଥିବା ମୋର ସେହି ପ୍ରିୟାର ଗାଁ କୁ । 

ଘର ପରେ ଘର ପଛକୁ ଘୁଞ୍ଚି ଘୁଞ୍ଚି ଯାଉଥାନ୍ତି । ଜେଜେ ଖାଲି ଆଗକୁ ଆଗକୁ କହୁଥାନ୍ତି । ମୋର ସ୍ପନ୍ଦନ ସାମାନ୍ୟରୁ ଦ୍ବିଗୁଣିତ । ଅନ୍ୟଦିନପରି ସେଦିନ ମୋ ଗାଡ଼ିର ବେଗ ଧିର ପରିବର୍ତ୍ତେ ସାମାନ୍ୟରୁ ଅଧିକ ଥିଲା । ଗାଁ ଶେଷ ହେଇ ଆସୁଛି । ଆଉ ମାତ୍ର ଗୋଟିଏ ଘର । ଗାଁ ପାରି ହେଇଯିବାର ଆନନ୍ଦରେ ମନମୋର ଜୁଡୁବୁଡ଼ୁ ସାଙ୍ଗକୁ ଦେହ ଏବେବି ଭୟରେ ଶୁଷ୍କ ।


 ରହ ରହ ବାପା ରାଜୀବ ଏଇଠି ରହ । 


ବତୁରା ମନରେ ମୋର ଟାଇଁ ଟାଇଁ ଖରା । ବାଷ୍ପ ହେଇ ଉଡ଼ିଗଲେ ଉଧୁରି ଯିବାର କାଳ୍ପନିକ ବର୍ଷାଜଳ । ଏ ତ ସେହିଘର ! ଆଶଙ୍କିତ ମନରେ ବହଳିଆ ସନ୍ଦେହ । ସେହି ଘରୁ ଜଣେ ବୟସ୍କ ଓ ଆଉଜଣେ ଯୁବକ ବାହାରି ଆସିଲେ । ମୋ ପଞ୍ଜରା ତଳେ ହୃଦୟ ଥିଲାଭଳି ଲାଗୁନଥାଏ ମୋତେ । ଆଖି ମୋର ସେ କୁନିକୁନି ପାଦ ଯୋଡ଼ିକକୁ ଖୋଜି ହେଉଥାଏ ସବୁଦିନ ପରି । କୁନି ପାଦରେ ଖଞ୍ଜା ଆଙ୍ଗୁଠିକୁ ସେ ମାଂସଳ ପାଦ । ନା ସେଦିନ ସେ ପାଦ ନିରୁଦ୍ଦିଷ୍ଟ ଥିଲା । 

ଆମକୁ ପାଛୋଟି ନେଲେ ଘର ଭିତରକୁ । ସାମାନ୍ୟ କଥାବାର୍ତ୍ତା ପରେ ଜେଜେ କହିବା ଆରମ୍ଭ କଲେ , 


ଆଣିଲ ବାପା ଝିଅକୁ ଆଣିଲ । କେତେ କାମ ଛାଡ଼ିକି ଆସିଛି ମୁଁ ତେଣେ । ଜେଜେ ମୋ ମନର ବ୍ୟଗ୍ରତାକୁ ପ୍ରଶ୍ନ ରୂପେ ବାଢ଼ିଦେଇଥିଲେ । ଯୁବକଟିଏ ହୋଇ ମଧ୍ୟ ଉପରୋଷ୍ଠର ଉପର ଭାଗରେ ସ୍ବେଦ ବିନ୍ଦୁ ମାନ ଆପେଆପେ ଅଙ୍କୁରିତ ହୋଇ ମୋ ମନୋସ୍ଥିତିକୁ ବୟାନ କରୁଥିଲେ । 


ଶାଢ଼ୀ ପିନ୍ଧା ଝିଅଟିଏ ସାଙ୍ଗରେ ଆଉ ଗୋଟିଏ କୁନି ପିଲା । ମୋ ନଜର ଏବେବି ତାଙ୍କ ପାଦ ଦେଖିବାକୁ ବ୍ୟଗ୍ର । ପାଦ ଦୁଇଟି କିନ୍ତୁ ଶାଢ଼ୀ ତଳେ ସମ୍ପୂର୍ଣ୍ଣ ଭାବେ ଢାଙ୍କି ହୋଇଥିଲା । ଏକ ଲୟରେ ଚାହିଁରହିଥାଏ ମୁଁ ପରିଚିତ ପାଦ ଦୁଇଟିକୁ ପୁଣିଥରେ ଦେଖିବାକୁ । 


ରାଜୀବ କଣ ପଚାରିବୁ ପଚାରୁନୁ ? ତମ ଆଜିକାଲିକା ପିଲାଙ୍କ କଥା ଯାହା । ଜେଜେ ବ୍ୟଙ୍ଗ ଆକ୍ଷେପରେ ଲମ୍ବା ପ୍ରଶ୍ନକୁ ଅଳ୍ପକେ କହିଦେଲେ । 


ମୋ ଆଖି ଉଠୁନଥିଲା ଉପରକୁ । ଝିଅଟି ବୋଧେ ଜାଣି ଗଲା ମୋ ସ୍ପନ୍ଦିତ ହୃଦୟର ଅଭିସାରକୁ । ଶାଢ଼ୀ ସାମାନ୍ୟ ଉଠିଲା ଉପରକୁ । ଅତି ପରିଚିତ ସେଇ ମାଂସଳ ପାଦ ଯୋଡ଼ିକରେ ମଖା ହୋଇଥିବା ଅଳତା ନିଜର ସୌଭାଗ୍ୟ ପ୍ରତି ଗର୍ବ କରି ଫୁଲି ପଡୁଥାଏ । ମୋ ହୃଦୟର ଗତି ଧିରେ ଧିରେ ସାମାନ୍ୟ ହେବାକୁ ଲାଗିଲା । ବସିଥିବା ଘର ଭିତରେ ଧ୍ୟାନ ସମୟର ନୀରବତା । ପ୍ରଶ୍ୱାସର ଶବ୍ଦ ମଧ୍ୟ ସ୍ପଷ୍ଟ ବାରି ହେଇ ପଡ଼ୁଥାଏ କାନକୁ । 

ହଠାତ ସେ ସଜ୍ଜିତ ପାଦ ଉପରେ ବୁନ୍ଦାଏ ଲୁହ ପଡ଼ିଗଲା । ମୋ ହୃଦୟରେ ଯେମିତି କେହିଜଣେ ଧାରୁଆ କୁଠାରରେ ଶକ୍ତ ଚୋଟଟିଏ ଦେଲା । କ୍ଷତାକ୍ତ ଓ ରକ୍ତାକ୍ତ ହୋଇ ଉଠିଲା ମନ ମୋର । ପ୍ରଥମ ଥର ସିଧାସଳଖ ଆଖିରେ ଆଖି ମିଶେଇବାକୁ ବ୍ୟଗ୍ର ମୁଁ । ପାଦରୁ ଶରୀରର ଉପର ଭାଗ ଆଡ଼କୁ ଧିରେ ଧିରେ ଆଖି ଉଠେଇଲି ଶଙ୍କିତ ମନରେ । ଯାହା କେବେ ଘଟିନି ଏଇ ଏବେଏବେ ଘଟିବାକୁ ଯାଉଛି । ଅନେକ ଦ୍ଵନ୍ଦ ଚାପିରଖି ଚାହିଁଦେଲି ଚନ୍ଦ୍ର ବଦନୀକୁ । 

ସେ ପ୍ରଶ୍ନିଳ ଆଖିର ଗଭୀରତା ଆଉ ଆବିଳତା ମୋତେ ଅଣନିଶ୍ୱାସୀ କରିପକାଇଲା । କିନ୍ତୁ ଲମ୍ବା ପ୍ରତିକ୍ଷାର ଅବସାନ ହେବାକୁ ଥିବାର ଆଭାସ ମଧ୍ୟ ମିଳିଗଲା । ଦୁହିଁଙ୍କର ଚାରିଟି ଆଖି ସ୍ଥିର ଜଣଙ୍କର ଆଉ ଜଣଙ୍କ ଠାରେ । 


ଚାଲିଲ ବାବୁ ଚାଲିଲ ; ଆଜିକାଲିକା ପିଲା ସେମାନେ କଣ ଦୀପଦ କଥା ହୁଅନ୍ତୁ ଉଭୟଙ୍କ ବିଷୟରେ । 


ଝିଅଟି ଲାଜେଇ ଗଲା । ଅପସାରି ନେଲା ତାର ସେ ଜଳପୂର୍ଣ ମତୁଆଲା ଆଖିକୁ । କୋଠରୀ ଭିତରେ ଏବେ ଆମେ ଦିଜଣ । ମୁଁ ଆଉ ମୋର ସ୍ବପ୍ନ । ନୀରବତା ଏବେ ସପରିବାରେ ଦଣ୍ଡାୟମାନ ସଗର୍ବେ । ସମ୍ଭାଳି ପାରିଲିନି ଆଉ । 


ତମ ଆଖିରେ ଲୁହ !? ନୀରବ ହେଇଗଲି ଉତ୍ତରର ଅପେକ୍ଷାରେ । ସେଇ କିଛି କ୍ଷଣର ନୀରବତା ମୋତେ ଖାଇ ଗୋଡାଉଥିଲା ।


 ଆଜିବି ସେଇ ପାଦରୁ ଚିହ୍ନିବାକୁ ପ୍ରୟାସ କଲ ? କେତେଥର ଆଖିରେ ଟିକେ ଆଖି ମିଶେଇବାର ପ୍ରୟାସ କରିଛି । ତୁମକୁ ତ ସଂଯତ ଆଉ ସୁଧାର ପିଲାର ମାନପତ୍ର ମିଳିଛି ନା । ତୁମର କଣ ଖାଲି ଗାଡ଼ିର ବେଗ କମିଯିବା ଆମ ଉଭୟଙ୍କ ଦେଖା ହେବାର କାରଣ !? ସଠିକ ସମୟରେ ଘର କାମ ଲାଗି ମା ଙ୍କ ଠାରୁ ଗାଳି ଶୁଣି ମଧ୍ୟ ଚାହିଁ ରହିଥାଏ ତୁମ ଆସିବା ଯିବାକୁ । 


ମୁଁ ନୀରବ ଥାଇ ମଧ୍ୟ ଟିକେ ସଳଖି ବସିଲି । ତମେ ଏମିତିକା ମଣିଷ ଯେ ଗାଁ ଭିତରକୁ ଯିବା ଆସିବା ସମୟରେ ହର୍ଣ୍ଣ ବି ବଜାଅନି । ହେଲେ ଏତିକି କେମିତି ଜାଣି ପାରିଲନି ଠିକଣା ସମୟରେ ମୁଁ ସବୁବେଳେ ତୁମ ଆଖି ଆଗରେ ଥାଏ ବୋଲି !?


 ମୋର କହିବାକୁ ଅନେକ ଥିଲେବି ଶୁଣିବାକୁ ଭଲ ପାଉଥିଲି ।


 ସଞ୍ଜ ନଇଁଗଲେ ତୁମେ ସିନା ଚାଲିଯାଅ ତୁମର ସାଙ୍ଗ ସାଥି ମେଳକୁ । ମୁଁ ମୋର ମନକୁ ଦଉଡେ଼ଇ ଦିଏ ତୁମରି ପଛେ ପଛେ । ବିନିଦ୍ରରେ କଟିଯାଏ ରାତି ପରେ ରାତି , ମାସ ପରେ ମାସ ଫଗୁଣ ପରେ ଫଗୁଣ । ଦେଖି ପାରୁନ କି କେତେ ଅଳସ ନିଦ ଭର୍ତ୍ତି ହେଇଛି ଏ ଆଖିରେ !? ତମେ ବା କେମିତି ଦେଖିବ !? ଯେଉଁ ମଣିଷ ଏତେ ଲମ୍ବା ସମୟ ଈଶାରା ଟିଏ କରିପାରିଲାନି ତାଙ୍କୁ ଏସବୁ କହି ଲାଭ ବା କଣ !? ଆଜିବି ଯେତେବେଳେ ମୁଁ ମୋ ଅପେକ୍ଷାରେ ଉପେକ୍ଷିତ ହେଲି ହୃଦୟ କୋହରେ ଭର୍ତ୍ତି ହେଇଗଲା । ମୋ ଅଜଣାତରେ ଆଖିଟା ଅମାନିଆ ହେଇଗଲା । 


ପୁଣି ଥରେଭାବୁଥିଲି କିଛି କହିବି ବୋଲି । ନା ଠିକ ହେବ ବୋଲି ଭାବି ପାରିଲିନି । ହେଲେ ଡଗ ଡଗ ହେଇ ନିଜ ମନ ଆଘାତର ଭିତିରି କଥା କହୁଥିବା ମୋ ଶ୍ୟାମଳୀ ମାନସୀକୁ ମନଭରି ଦେଖୁଥାଏ । ଯାହା ଆଜିଯାଏ ମୁଁ ସାହାସ କରିପାରିଲିନି । ମୋ ଭିତରେ ସୀମିତ ଥିବା ସ୍ବପ୍ନ ଆପେଆପେ ସମଭାବେ ସମ୍ପ୍ରସାରିତ ହେଉଥାଏ । ଏଥର ବସ୍ତବତାକୁ ସ୍ୱପ୍ନରେ ଦେଖୁଥିଲି । କିନ୍ତୁ ମୋ ସୁନ୍ଦରୀ ଏବେବି କଥା କହିବା ଜାରି ରଖିଛନ୍ତି ମଧ୍ୟ ଶ୍ରାବଣରେ ଝଡ଼ି ହେଲାପରି । ଅସରନ୍ତି ସାଇତା କଥା ଝରି ପଡ଼ୁଛି । 


ଜାଣିଛ ସଞ୍ଜନୂଆଁରେ ତୁମ ଲେଉଟାଣି ପରେ ଏ ରାତିଟା ମୋତେ ଗୋଟେ ଯୁଗ ପରି ଲାଗେ । ଉଲୁରା କେଶକୁ କଡ଼ ଲେଉଟାଣିରେ ତୁମକୁ ଭାବି ଭାବି ତୁମ ଆଲିଙ୍ଗନଙ୍କୁ ଅନୁଭବ କରିକରି ରାତିଟା ବିତେଇଦିଏ । ତୁମକୁ ଦେଖିଲା ପରଠାରୁ ମନଭରି ଶୋଇନି କେବେ । ଇଚ୍ଛା ଅଛି ତୁମରି କୋଳରେ ମନଭରି ଟିକେ ଶାନ୍ତି ନିଦରେ ଶୋଇବି । ଶୁଆଇ ବ ତ !? ବିରକ୍ତ ହବନି ତ !? 


ଆସନରେ ଭରା ଥିବା ସେ ପୁରିଲା ହାତ ଉପରେ ମୋ ହାତକୁ ରଖିଦେଲି ନିର୍ଭୟରେ । ଲାଜରେ ଜାକିନେଲେ ସେ ହାତ । ସେ ହାତର କୋମଳ ସ୍ପର୍ଶକୁ ମୋର ଅନୁଭବିତ ସ୍ବପ୍ନ ସହିତ ଏକାକାର କରିଦେଲି । 


ଏବେ ସିନା ଲାଜୁଆ ଆଉ ଭଦ୍ର ସୁସଂଯତ ଲାଗୁଛ ହେଲେ ତୁମ ପରି ଦୁଷ୍ଟ ଆଉ ଅଶ୍ଳୀଳ ଲୋକ ମୁଁ କେଉଁଠି ଦେଖିନି । 


ଏ ପ୍ରଶ୍ନ ଆଉ ଶୂନ୍ୟକୁ ସୂଚିତ କରୁଥିବା ବାକ୍ୟଟି ମୋତେ ଆଶ୍ଚର୍ଯ୍ୟ କରିଥିଲା । 


ଜାଣିଛ !? ରାତିସାରା ଖୁବ ହଇରାଣ କର ମୋତେ । ଶୁଆଇ ଦିଅନି । ଉନ୍ମତ୍ତ ମତ୍ତ ଗଜ ପରି ମୋତେ ତୁମର ଖେଳନା କରିଦିଅ । ନାଇଁ ଆଉ ଆଗକୁ କହି ପାରିବିନି । 


ଏବେ ପର୍ଯ୍ୟନ୍ତ ଲାଜରେ ତଳକୁ ଥିବା ସେ ସାଉଁଳା ଆଖି ଯୋଡ଼ିକ ମୋ ଆଖିରେ ମିଶିଥିଲା । 


ଓଃ ! ହୃଦୟର ସ୍ଫୁରିତ ସ୍ପନ୍ଦନ ବି କେଇକ୍ଷଣ ସ୍ଥିର ରହିଗଲା । ବେଶି ସମୟ ଚାହିଁ ପାରିଲିନି । 


ତମେ ଏଇଆ ଭାବୁଥିବ ଏ ବାହାଘର ପ୍ରସ୍ତାବ କେମିତି ସମ୍ଭବ ହେଲା ? ତୁମ ଆଡ଼ୁ କୌଣସି ସକରାତ୍ମକ ସଙ୍କେତ ନପାଇ ତୁମର ଇଚ୍ଛା ଅନିଚ୍ଛାକୁ ବିଚାର ନକରି ମୋ ମନର କଥାକୁ ନିସଙ୍କୋଚରେ ଜଣାଇଦେଲି ମୋ ବୋଉକୁ । ତାପରେ ଏ ପ୍ରସ୍ତାବ ।

ତୁମେ ବି ଭାବୁଥିବ କୁଆଁରୀ ଝିଅଟିଏ ହୋଇ ତୁମ ସାମ୍ନାରେ ଏ ଅଲାଜୁକୀ କଥା ସବୁ କେମିତି କହି ପାରୁଛି !? ଏମିତି ଚିହିଁକି ଉଠୁଛ କାହିଁକି !? ନାରୀ ମନକୁ ବୁଝିବା ଏତେ ସହଜ ନୁହେଁ । କିଛି ସ୍ୱତନ୍ତ୍ର ସ୍ୱଭାବର ଅଧିକାରୀ ମଣିଷ ମାନେ ହିଁ ଏଥକୁ ଯୋଗ୍ୟ ହୁଅନ୍ତି । ନଚେତ ଅନ୍ୟ ମାନଙ୍କୁ ନିଜ ଭିତରେ କିଛି ବିଶେଷ ଗୁଣର ବିକାଶ କରିବାକୁ ପଡ଼ିଥାଏ । ନୀରବୀ ମଣିଷ ମାନେ ଏଥିରେ ଶୀଘ୍ର ସଫଳ ହୁଅନ୍ତି । ତୁମ ଉପରେ ମଧ୍ୟ ମୋର ବିଶ୍ୱାସ ଆଉ ଭରଷା ଅଛି । 


କୁଆଁରୀ ଝିଅର ଏ ଅଲାଜୁକୀ କଥାର ମହତ୍ତ୍ୱ ବୁଝି ତାର ମାନ ରଖିବ ବୋଲି ମୁଁ ଅନେକାଂଶରେ ନିଶ୍ଚିନ୍ତ ଅଛି । 


ଏତିକି କହୁକହୁ କଣ୍ଠ ଭରିଗଲା ଝିଅଟିର । କୋଳେଇ ଆଣିଲି । ମୋର ମଧ୍ୟ ଆଖି ଛଳ ଛଳ ହେଇଗଲା । ସାଉଁଳା କୋମଳ ଫୁଲପରି ମନର ମାନସୀ ମୋର ମୋ କୋଳରେ ଅପୂର୍ଣ୍ଣ ନିଦକୁ ପୂର୍ଣ୍ଣ କରିବାରେ ପ୍ରୟାସରତ୍ତ । ମୁଁ କିନ୍ତୁ ବାସ୍ତବତାକୁ ବିଶ୍ୱାସ କରି ପାରୁନଥିଲି । ଭାବୁଥିଲି ସ୍ବପ୍ନ ଦେଖୁଛି । ବାସ୍ତବତାକୁ ସ୍ୱୀକାର କରିବା ଉଦ୍ଦେଶ୍ୟରେ କୋଳାଗ୍ରତ ନାୟିକାର ଗଣ୍ଡ ଦେଶରେ ଚୁମ୍ବନଟିଏ ଆଙ୍କି ଦେଲି । ବାସ୍ତବତାରେ ମୁଁ ଏବେ ଅପରାଜିତ ସମ୍ରାଟ । ସାରା ଦୁନିଆଟା ଏବେ ମୋ ହାତ ମୁଠାରେ । ଚୁମ୍ବନର ପ୍ରତିକ୍ରିୟାରେ ନାୟିକା ମୋର ଉଠି ଠିଆ ହେଇ ପଡିଲେ ଘରୁ ବାହାରି ଯାଉ ଯାଉ କହିଲେ , 

ମୁଁ ଜାଣିଥିଲି ତୁମେ ଶୁଆଇ ଦେବନି ହେଲେ ମୋ ନିଦ ପ୍ରତି ଟିକେ ଧ୍ୟାନ ଦେଇଥିବ । କୁଆଁରୀ ଦେହରେ କୁହୁଳା ନିଆଁରେ ତୁମ ସ୍ପର୍ଶର ଇନ୍ଧନ ସଂଯୋଗ କରନି ଏବେ । ନାୟିକା ମୋର ଚାଲିଗଲେ ବାହାରକୁ । 


ଆରେ ଏ ରାଜୀବ କିରେ ଆଜି କଣ ସାଙ୍ଗରେ ନେଇକି ଯିବୁ କି ? କି କଥାବାର୍ତା ହେଉଛ ବେଳାଏ ହେଲାଣି !?  


ଜେଜେ ପଶି ଆସିଲେ । ଝିଅଟିର ବାହାରକୁ ଯିବାକୁ ଅପେକ୍ଷା କରିଥିଲେ ଯେମିତି । ଭିଡିଆଣି ପାଖରେ ବସେଇଦେଲି ଜେଜେଙ୍କୁ । ମୋର ମତ ଜାଣିବାକୁ ଜେଜେଙ୍କ ପ୍ରଶ୍ନର ଉତ୍ତର ମୁଁ ଦେଇସାରିଥିଲି । ଘରର ମୁରବୀ ସହିତ ଅତି ଆପଣାର ଲୋକପରି ଜେଜେ ଭାବ ଆଦାନପ୍ରଦାନ କରି ଭବିଷ୍ୟତରେ ବନ୍ଧୁ ବାନ୍ଧିବାର ସ୍ବୀକୃତୀ ଦେଲେ । ଘରୁ ବାହାରୁ ବାହାରୁ ଜେଜେ ତାଙ୍କର ନାତୁଣୀ ବୋହୂ ହେବାକୁ ଥିବା ଝିଅଟି ଉଦ୍ଦେଶ୍ୟରେ କହିଲେ । 


କି ମୋହିନୀ ମନ୍ତ୍ର ଜାଣିଛୁ କି !? ଥରକ ଦେଖାରେ ବିଗାଡ଼ିଦେଲୁ ମୋ ନାତୀକୁ । ହଉ ହଉ ମା ସବୁଦିନ ଏମିତି ବାନ୍ଧି ରଖିଥିବୁ ।


 ଆମେ ଦୁହେଁ ମେଲାଣି ନେଇ ଫେରି ଆସିଲୁ । ଆସିବା ରାସ୍ତାରେ ନାନା କଥା ହେଲୁ । ଝିଅର ଜ୍ଞାତି କୁଟୁମ୍ବଙ୍କ ବିଷୟରେ । 

ଆରେ ରାଜୀବ ସେ ନାତୁଣୀ ବୋହୂର ନାଁ କଣ କିରେ ? 


ଚମକି ପଡ଼ିଲି ମୁଁ । ଆରେ ସତେତ ? ମୋ ଜୀବନ ସଙ୍ଗିନୀର ନାଁ ପଚାରି ପାରିଲିନି , । ମୋ ମନରେ ତାର ପରିଚୟ ଏବେବି ସେଇ ରାସ୍ତା ପାଖ ଘରର ଝିଅ । 


ହଁ ଆଜିକାଲି ପିଲା ତ ଚମ ଦେଖି ଭଳିଲେ ନାଁ ଗାଁ ରୁ କଣ ପାଇବେ ? ମୋତେ ଜବାବ ଦେବାକୁ ପଡ଼ିବ ଯେତେବେଳେ ମୋ ନାତୁଣୀ ବୋହୂ ନାଁ ନିଳିମା ବୋଲି ବୁଝି ଆସିଛି ।


 ମନେମନେ ନୀଳିମା ନାଁ ଟିକୁ ବାରମ୍ବାର ଗୁଣି ହେଉଥାଏ । ସମୟ ଅତିବାହିତ ସଙ୍ଗେ ସଙ୍ଗେ ଅନେକ ପରିବର୍ତ୍ତନ ମଧ୍ୟ ଆଣିଛି । ଏ ପରିବେଶର ଆଉ ମୋ ବ୍ୟକ୍ତିଗତ ଜୀବନରେ ମଧ୍ୟ । 

ନୀଳିମା ସହିତ ସଂସାରର ଅଙ୍କାବଙ୍କା ରାସ୍ତାକୁ ହସିହସି ପାର ହେଇଛି ଆଉ ହେଉଛି ମଧ୍ୟ । କିନ୍ତୁ ସେ ରାସ୍ତା ପାଖ ଘର ଝିଅଟିର ସ୍ମୃତି ଆଜିଯାଏ କଅଁଳ ସବୁଜିମା କ୍ଷେତ ପରି ଏବେବି ସତେଜ ଅଛି । 

ସେଥିପାଇଁ ବୋଧହୁଏ ମୋର ବନ୍ଧୁ ଓ ଅନ୍ୟ ପରିଚିତ ମାନଙ୍କ ଅପେକ୍ଷା ମୋର ବୈବାହିକ ଜୀବନ ବେସ ହସଖୁସିରେ କଟି ଚାଲିଛି ଅନ୍ତିମ ଶୈଶବ ଆଡ଼କୁ ।


                


Rate this content
Log in

Similar oriya story from Romance