ABhimanyu Panda

Romance Classics

3.6  

ABhimanyu Panda

Romance Classics

ମହାରାଣୀ

ମହାରାଣୀ

11 mins
251



ଚଇତି ରାତିର କିଟିମିଟିଆ ଅନ୍ଧାର । ନିବୁଜ କୋଠରୀକୁ ଭେଣ୍ଟିଲେଟର ଦେଇ ଧସେଇ ଆସୁଛି ଶୀତଳ ମଳୟ । ଏ ପ୍ରବଳ ଗରମରେ ବିଜୁଳି ବାଲାଏ ବି ଦାଉ ସାଧନ୍ତି ପ୍ରକୃତି ପରିବର୍ତ୍ତନ ସହିତ । ପରିବେଶ ସହିତ ମନର ଉଷ୍ମତା , ଯାହା ହାଡ଼ଭଙ୍ଗା ଜାଡ଼ରେ ବି ଶୁଆଇ ଦିଏନି । 


କାନ୍ଥରେ ଝୁଲୁଥିବା ଘଣ୍ଟାର ଗତିଶୀଳତାର ଟିକ ଟିକ ଶବ୍ଦ । ସୁସଜ୍ଜିତ ସୁଦୀର୍ଘ କୋଠରୀର ଅଧାରୁ ଅଧିକ ଭାଗକୁ ଆବୋରିଛି ମୟୁର ପଲଙ୍କ । ପଲଙ୍କ ଉପରେ ଅସଜଡ଼ା ହୋଇ ଦୁଇଜଣ କୁନିକୁନି ପିଲା ଶୋଇ ରହିଛନ୍ତି । ଯେତେଥର ସେମାନଙ୍କୁ ସଳଖି ଶୁଆଇ ଦେଲେବି ସେମାନେ ନିଜ ଇଚ୍ଛା ମୁତାବକ ମୁଦ୍ରାରେ ଆରାମ କରିବା ବାଛି ନିଅନ୍ତି । ତା ଭିତରେ ରହି ରହି ବାଉଳି ହୁଅନ୍ତି ସେମାନଙ୍କ ଦିନ ଚର୍ଚ୍ଚାରେ ଘଟିଥିବା ଘଟଣା , ସମାସ୍କନ୍ଦ ନିଷ୍ପାପ ସାଥୀମାନଙ୍କ ସଙ୍ଗ ଅବା ବିଦ୍ୟାଳୟରେ ଘଟାଇ ଆସିଥିବା ଚପଳାମୀକୁ ନେଇ । ଯେଉଁ ଘଟଣାବଳୀର ଶଂଶ୍ଳିଷ୍ଟତା ସହିତ ସେମାନେ ମାନିସିକ ସ୍ତରର ବିଚ୍ଛେଦକୁ ଗ୍ରହଣ କରି ନପାରି ଶରୀର ସୁପ୍ତ ଥାଇ ମଧ୍ୟ ଜାଗ୍ରତ ମସ୍ତିଷ୍କରେ ତାର ପୁନରାବୃତ୍ତି କରନ୍ତି । 


ସେମାନଙ୍କ ଶ୍ୱସନ କ୍ରିୟାର ସାଇଁ ସାଇଁ ଶବ୍ଦ ବି ନିଶବ୍ଦ କୋଠରୀ ଭିତରେ କୋଳାହଳ ସୃଷ୍ଟି କରେ । କେବେ ପୁଣି କଇଁ ଉଠୁଥିବା ଦୀର୍ଘଶ୍ଵାସ ଟିଏ , ସମୂହ କୋଳାହଳ ଭରିଦିଏ କୋଠରୀ ସହିତ ମୋ ମନ ଭିତରେ ମଧ୍ୟ । 


ସବୁଦିନ ଚେଷ୍ଟାକରେ ଶୋଇବାକୁ । ନିଷ୍ପତ୍ତି ନେଇ ମହାପୃଙ୍କୁ ମୁଣ୍ଡିଆ ମାରି ସବୁଦିନ କୁହେ ଜଲଦି ନିଦ ଭରିଦେବାକୁ ମୋ ଆଖିରେ । ହଁ ମୁଁ ଶୁଏ , ହେଲେ ଆଖିରେ ଆହୁରି ବାକିରୁହେ ଅନେକ ନିଦ । ସଂସାରର ଜଞ୍ଜାଳ ବାଧ୍ୟକରେ ଶିଘ୍ର ବିଛଣା ଛାଡ଼ିବାକୁ । ଅତୃପ୍ତ ଆଖି ସତେଜ ମନରେ ଉଠିପଡ଼ି ଧାଇଁଯାଏ । 

ସେଦିନ ସେଇ କିଟିମିଟିଆ ଅନ୍ଧାର ରାତିରେ ଅପ୍ରତ୍ୟାଶିତ ଭାବେ କୋଇଲିର କୁହୁ ତାନ ମୋ ଧ୍ୟାନ ଆକର୍ଷଣ କଲା । ଆଶ୍ଚର୍ଯ୍ୟର ସୀମା ରହିଲାନି ମୋର । କିନ୍ତୁ କାନରେ ପଡ଼ୁଥିବା ମଧୁର ସ୍ଵନରେ ମନ ମୋର ପୁଲକିତ ହୋଇ ଉଠୁଥିଲା । କୋଇଲିର ଅପ୍ରତ୍ୟାଶିତ ବୀରହ ବିଳାପ ଥମିବାର ନାଁ ନେଉନଥିଲା । କୋଇଲିଯେ ରାତିରେ କୁହୁ ରାଗିଣୀର ତାନ ଦିଏନି ସେକଥା ନୁହେଁ । 


ଜ୍ୟୋତ୍ସ୍ନା ବିଧୌତ ରଜନୀରେ ମତୁଆଲା କୁହୁ ତାନ କେତେଥର ମୁଁ ଶୁଣିଛି ପୂର୍ବରୁ । ସେ ପ୍ରିତୀ ସ୍ଵନ । ସେ ସ୍ଵନର ପ୍ରତ୍ୟୁତ୍ତର ମଧ୍ୟ ପାଏସେ । ଦୂରରୁ ଆଉ କେହି କୁହୁ ତାନର ଜବାବରେ ଅତି ସରାଗରେ କୁହୁ ତାନର ପ୍ରତ୍ୟୁତ୍ତର ଦିଏ । ଆଜି କଣ ହେଇଛି କି ଏ କୋଇଲିର ! ଏ ବିଚ୍ଛେଦ ଯନ୍ତ୍ରଣା ନୁହେଁ ତ ? ମୋର ଉତ୍କଣ୍ଠା ବଢ଼ିବାକୁ ଲାଗିଲା । ସତରେ କଣ ଆଜି ମତୁଆଲୀକୁ ପ୍ରତ୍ୟୁତ୍ତର ମିଳିବ ଏ ମୁଗୁନିଆ କଳା ରାତିରେ ? 


ବୋଝିଲା ଦେହ ମୋର ପଲଙ୍କ ଉପରେ ପଡ଼ି ରହିଥିଲା । ହେଲେ ମନଟା କୁହୁ ତାନର ଅପରପ୍ରାନ୍ତ ଯାଏ ଅନୁସରଣ କରିଯାଏ । ଅପରପ୍ରାନ୍ତରୁ ଯଦି ତାର ବିଳାପ ର ପ୍ରତ୍ୟୁତ୍ତର ମିଳିଲା , ତେବେ ତା କାନରେ ତା ସଖାର ଧୈର୍ଯ୍ୟବୋଲା ପ୍ରତ୍ୟତ୍ତର କୁ ମୁଁ ପହଞ୍ଚେଇ ଦିଅନ୍ତି ବିଳପୀତ ହୃଦୟ ନିକଟରେ । 

ସମସ୍ତ ବିଳାପୀତଙ୍କ ଭାଗ୍ୟରେ କଣ ଧୈର୍ଯ୍ୟର ଚନ୍ଦନ ଥାଏ ? ବୋଧ ହୁଏ ନା । ଏଇ ପ୍ରଶ୍ନଟି ମୋତେ ଦୋହଲେଇ ଦେଲା ଭିତରୁ । ଭୟରେ ଥରିବାକୁ ଲାଗିଲା ଦେହ ମୋର । ଓଠରେ ଓଠ ବାଜି କମ୍ପନ ସୃଷ୍ଟି ହେଲା । ଆଖି ବୁଝି ଜାକି ହେଇ ପଡ଼ିଲି , ଜାଣି ନଥିବା ଭୟର ଭାୟାବହତାକୁ ଚିନ୍ତି ଚିନ୍ତି । 


ବନ୍ଦ ଆଖିରେ ଦିଶି ଗଲା ରିବନ ବନ୍ଧା ଦୁଇ ପଟକୁ ଦୁଇଟି ବେଣୀ ଛାଡ଼ି ଗାଁ ର ସବୁଜିମା ଭରା ପରିବେଶରେ ଏକ ବେପରୁଆ ଝିଅ । ଯୋଗୀ ମାନେ ଯେମିତି ଚକ୍ଷୁକୁ ସ୍ଥିର ରଖି ନିଜର ଶ୍ୱାସକୁ ଧ୍ୟାନ ଦିଅନ୍ତି , ମୁଁ ବି ସେ ଝାପ୍ସା ଦିଶୁଥିବା ବେପରୁଆ ଝିଅ କୁ ନିରିଖେଇ ଦେଖିବାର ପ୍ରୟାସ କରୁଥାଏ । ଜାଣିବାକୁ ଚାହୁଁଥାଏ ତାର ପରିଚୟ । 


ଗୋଧୂଳି ଲଗ୍ନରେ ଗାଁ ଦାଣ୍ଡରେ ଡେଇଁ ଡେଇଁ ଆସୁଥିବା ସେ ପୂର୍ଣ୍ଣ ଯୌବନା ଝିଅକୁ ଦେଖି ମନରେ ମୋର ଈର୍ଷା ଭର୍ତ୍ତି ହେଇଗଲା । ତାର ଗୌରଙ୍ଗୀ ଦେହରେ ଲୋହିତ ରଙ୍ଗର ଅସ୍ତ କାଳୀନ ସୂର୍ଯ୍ୟାଭା । ରୂପ ତାର ଭୁବନ ଜିଣୁଛି । 


ଗାଁ ଚଉପାଢ଼ି ରେ ରୁଣ୍ଡ ସମୂହ ନିଜକୁ ସେ ସୁନ୍ଦରୀ ଦର୍ଶନରୁ ବଞ୍ଚିତ କରି ପାରୁ ନାହାଁନ୍ତି । କଣେଇ , ଲୁଚେଇ ସମସ୍ତେ ଚାହୁଁଛନ୍ତି । କାହା ଆଖିରେ କାମୁକତା ପୂର୍ଣ ତ କାହା ଆଖିରେ ଆଶିଷ । ସେ ମତୁଆଲୀ ର କାହା ପ୍ରତି ଦୃଷ୍ଟି ନଥିଲା । ସେ ନିଜ ଜୀବନର ମଧୁର ସଙ୍ଗୀତର ସୁମଧୁର ତାନକୁ ଲୟେ ଭୋଗି ଚାଲିଥାଏ । 


ଆରେ ଆରେ ମୋ ନିବୁଜ ଆଖିରେ ବି ଏମିତି ଜଳ ଭର୍ତ୍ତି ହେଇ ଯାଉଛି ଯେ ! ମୁଁ ଏମିତି ବିଭୋର ହେଉଛି କାହିଁକି ଆଜି ? ଚିହ୍ନି ପକେଇଲି କି ସେ ଆଦ୍ୟ ଯୌବନା ମତୁଆଲୀ କୁ ? ହଁ ହଁ ମୁଁ ଜାଣିଛି ତାକୁ । ସେ ସେ ନୁହେଁ । ସେ ମୋ ବିଗତ ଦିନ । ମୋ ସ୍ବର୍ଣ୍ଣିମ ଅତୀତ ସେ । ନିଜର ଅତୀତକୁ କଣ ଏମିତି ସ୍ପଷ୍ଟ ଦେଖିହୁଏ ! ସେ ପୁଣି ଚଳନ୍ତି ଛାୟାଚିତ୍ର ସହ ! 


ମୁଦ ଆଖିରେ ବି ମୁଁ ମୋ ଓଠରେ ଖେଳୁଥିବା ହସକୁ ଅନୁଭବୀ ପାରୁଥିଲି । କିନ୍ତୁ ନା ସେ ହସକୁ ଗୁରୁତ୍ୱ ଦେବାକୁ ଚାହୁଁ ନଥିଲି । ମୁଁ ତ ମଜ୍ଜିଥିଲି ମୋର ସ୍ବର୍ଣ୍ଣିମ ଇତିହାସରେ । ଦେଖୁଥିଲି ମୋ ବାପାଙ୍କୁ , ବୋଉକୁ , ଭାଇ ମାନଙ୍କୁ ଏବଂ ଭାଉଜ ମାନଙ୍କ ସହ ମୋର ଗ୍ରାମୀଣ ସମ୍ପର୍କୀୟ/ୟା ମାନଙ୍କୁ । ସେମାନଙ୍କ ଆଖିରେ ଥିବା ଭଲ ପାଇବା ମୋତେ ବିଭୋର କରୁଥିଲା । ଭାବିବା ମାତ୍ରେ କଣ୍ଠ ବାଷ୍ପୀତ ହେଉଥିଲା ମୋର । ବୋଉର ଡାକ ଶୁଭିଲା ଏଥର । 


ଆରେ ଏ ମା ଅଳକା କୁଆଡ଼େ ଗଲୁ ଆରେ ? ମୋ ସୁନାଟା ପରା ଗଲୁ ଗଲୁ ନଳରୁ ପାଣି ଗରାଏ ଆଣିବୁ । କେତେ କାମ ଏଣେ ପଡ଼ିଛି ମୋର । 


ଏତିକି ଶୁଣି ଅନୁନୟରେ କୁହାଯାଇଥିବା ବୋଉର ସେ କଥାକୁ କ୍ରିୟାନ୍ଵୟନ କରିବାକୁ ଉଦ୍ୟତ ହୁଅନ୍ତେ , ମୋ ସହିତ କୁଟୁରେଇ ସବୁବେଳେ ଲାଗୁଥିବା ମୋ ବଡ଼ଭାଇ ଆଗେଇ ଆସି ଦୁଇ ହାତରେ ଦୁଇଟା ବାଲଟି ଧରି ବାହାରି ଗଲା ଘରୁ ପାଣି ଆଣିବାକୁ । 


ବାରଣ୍ଡାରେ ବସିଥିବା ବାପା ଚଢ଼ା ଗଳାରେ କହୁଥିଲେ , ଘରେ କଣ ଆଉ କେହି ନାହାଁନ୍ତି କି ? ମୋ ରାଜକୁମାରୀ ପାଣି ଆଣି ଯିବ ! 


ବୋଉ ହସୁଥିଲା ତ , ମୁଁ ବିଚଳିତ ହେଉଥିଲି । ଏତେ ପରିମାଣର ମମତ୍ୱର ବୋଝ ମୋ ଆଖିରେ ଲହରୀ ଭାଙ୍ଗିବାକୁ ଉଦ୍ୟତ ହେଉଥିଲେ । ନିଜର ପୂର୍ବ ସ୍ଥାନକୁ ଫେରିଗଲି ସଞ୍ଜବତୀ ବଳିବାକୁ । 


ଭାଉଜ ଚୁଡ଼ି ଝମଝମ କରି ମୋତେ ଇଶାରାରେ ଡାକୁଥିଲେ । କାଳେ ମୋ ସଞ୍ଜବତୀ ବଳିବାଟା ଭାଇ ଆଖିରେ ପଡ଼ିଗଲେ ଭାଉଜଙ୍କୁ ଶୁଣେଇ ଦେବେ ଦି କଥା । ଉଠିଗଲି ଭାଉଜଙ୍କ ପାଖକୁ । ମୋର ସନ୍ଦେହ ଠିକ ଥିଲା । 


ଦିଅ ରାଜକୁମାରୀ ସେ ସଞ୍ଜ ବଳିତା ମୁଁ କରି ଦଉଛି । 


ଭାଉଜ ତମେ ଏଇଠି ବସ ମୋ ପାଖରେ । ଭାଇ ଯଦି ଆଜି ତମକୁ କିଛି କୁହେ , ତେବେ ଆଜି ତାର ଦିନେ କୁ ମୋର ଦିନେ । ତମେ ବି ତ କାହାର ଝିଅ , କାହାର ଭଉଣୀ । ଭାଉଜ ଜୋର କରୁଥିଲେ ମୋ ହାତରୁ ନେଇଯିବାକୁ । ମୁଁ କିନ୍ତୁ ତାଙ୍କୁ ବସେଇଦେଲି ମୋ ପାଖରେ । ମୋ ମୁଣ୍ଡରେ ହାତ ବୁଲେଇଆଣି ବସିଗଲେ ମୋ ପାଖରେ । ଏଣୁତେଣୁ କଥା ଗପିବା ସଙ୍ଗେସଙ୍ଗେ ମୋ ଭାବି ସ୍ବାମୀଙ୍କ ବିଷୟରେ କହିବା ଆରମ୍ଭ କଲେ । 


କିଏସେ ରାଜକୁମାର ? କେଉଁଠି ଅଛି ସେ ? ଆସିବ ମୋ ସୁନାନାକୀ ନଣନ୍ଦଙ୍କୁ ପକ୍ଷୀରାଜ ଘୋଡ଼ାରେ ନେଇଯିବାକୁ । 


କହିଲ ଭାଉଜ ମୋର ଘରେ ରହିବାଟା କଣ ତମ ମନରେ କଷ୍ଟ ଦେଉଛିକି ? 


ଭାଉଜ ମୋ ମୁହଁରେ ହାତ ଦେଇଦେଲେ । ଆଖି ତାଙ୍କର ପୁରି ରହିଥିଲା  ଲୁହରେ । ଆରେ ହୁଣ୍ଡି ତମେ ତ ମୋ ଆଖିର ତାରା । ଦଶ ବର୍ଷର ହେଇଥିଲ ତମେ , ଯେତେବେଳେ ମୁଁ ଏ ଘରକୁ ବଧୂ ହେଇକି ଆସିଥଲି । ତମେ ଏକାହିଁ ମୋ ସଖୀ ଥିଲ । ନୂଆ ବଧୂର ଭଲମନ୍ଦ ବୁଝିବାକୁ ତମେ ଏକାହିଁ ତ ଆଗଭର ଥିଲ । ଗଛରେ ପିଜୁଳୀ ଟିଏ ପାଚିଲେ ଲୁଚେଇ ଆଣୁଥିଲ ତମ ବଡ଼ ଭାଉଜ ପାଖକୁ । ତମକୁ କଣ ମୁଁ ଅନ୍ତରରୁ ଦୂର କରିପାରିବି ? 


ହେଲେ ରାଜକୁମାରୀ ଆମେ ପରା ଝିଅ । ଆମକୁ ଯିବାକୁ ହୁଏ କାହାର ଅସଜଡ଼ା ଘର ସଜାଡ଼ିବାକୁ । 


ଭାଉଜଙ୍କର ସେଦିନର ସେକଥାକୁ ମୁଁ ଠିକ ବୁଝି ନଥିଲି । କେବଳ ଡରୁଥିଲି ମୁଁ । ବାପା , ବୋଉ ଭାଇମାନେ ଏବଂ ପରିଶେଷରେ ମୋ ଭାଉଜଙ୍କ ବିଚ୍ଛେଦ ଭାବିଭାବି । 


ବୟସ ବଢ଼ିବା ସହିତ ବଢ଼ି ଚାଲିଲା ମୋର ଶାରୀରିକ ଏବଂ ମାନସିକ ପରିବର୍ତ୍ତନ । ସଢ଼େଇ ଖେଳ ଦୂରକୁ ଚାଲିଯାଇଥିଲେ ବି ତାର ବାସ୍ତବତା ପ୍ରତି ମନରେ ଜାଗି ଉଠୁଥିଲା ଜିଜ୍ଞାସା । ଏ ଭିତରେ ଶୃଙ୍ଗାର ପ୍ରତି ମନରେ ଅହେତୁକ ଦୁର୍ବଳତା ଆସିସାରିଥିଲା । ଘଣ୍ଟାଘଣ୍ଟା ଆଇନା ଆଗରେ ନିଜକୁ ଦେଖି ଈର୍ଷା କରିବା ଆରମ୍ଭ କରିଦେଲି । ରାତିରେ ସ୍ବପ୍ନ ଶୁଆଇ ଦେଲାନି । ବ୍ୟାଘାତ ହେବାକୁ ଲାଗିଲା ସୁଖ ନିଦ୍ରା । ଅଚିହ୍ନା ରାଜକୁମାରଙ୍କ ସହିତ ଖୋଲା ଆଖିର ସ୍ୱପ୍ନକୁ ରାତିଟା କମ ପଡ଼ିଲା । 


ଉନ୍ମୁକ୍ତ ବିହଙ୍ଗ ଖୋଜିବାକୁ ଲାଗିଲା ବନ୍ଦୀର ଆନନ୍ଦ କୁ । କି ଆଶ୍ଚର୍ଯ୍ୟ ! ବନ୍ଦୀରେ ପୁଣି ଆନନ୍ଦ ! ବଦଳିବାକୁ ଲାଗିଲା ଚାଲି ମୋର । ଉଠି ରହୁଥିବା ଆଖି ପଲକ ପଡ଼ି ରହିବାକୁ ଶ୍ରେୟସ୍କର ମଣିଲା । ଦେଖୁଥିବା ଆଖି ମୋର ନିଜର ରୂପ ଯୌବନକୁ ଚକ୍ଷୁ ଭୋଗ୍ୟ କରିବାକୁ ଆଗ୍ରହ ପ୍ରକାଶ ପାଇଲା ମନରେ । 


କିନ୍ତୁ ସମର୍ପଣକୁ ଅପେକ୍ଷା ଥିଲା ପକ୍ଷୀରାଜ ଘୋଡ଼ା ଚଢ଼ା ରାଜକୁମାରଙ୍କୁ । ମୋର ଶାରୀରିକ ଓ ମାନସିକ ପରିବର୍ତ୍ତନରେ ମୋର ସାଂସାରିକ ଅନୁଭବୀ ଅଭିଭାବକ ମାନଙ୍କ ମସ୍ତିଷ୍କକୁ ଅଧିକ ଦାୟିତ୍ୱବାନ କରିବାକୁ ଲାଗିଲା । ଯୋଗ୍ୟ ପାତ୍ରରେ ମୋତେ ସମର୍ପିବାର ପ୍ରୟାସରେ ଲାଗି ପଡ଼ିଲେ । ହାତ ଚକିରେ ବସାଇଥିବା ସେମାନଙ୍କର ନୟନ ତାରାକୁ ସେମାନଙ୍କ ନିକଟରୁ ଦୂରେଇ ଦେବାକୁ ଯତ୍ନଶୀଳ ହେଲେ । 


ମୁଁ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ବିରୋଧ କରି ନଥିଲି । ବିଚ୍ଛେଦର ଭୟାବହତାରେ ଶିହରିତ ହେଲେବି କିଛି ଅପରିଚିତ ଅଜଣା ଆନନ୍ଦର କଳ୍ପନାରେ ବିଭୋର ହେଉଥିଲି । ସେ ସମୟ ମଧ୍ୟ ଆସିଗଲା । ଯୋଗ୍ୟ ପାତ୍ରଟିଏ ଖୋଜି ଆଣିଲେ ମୋର ଅଭିଭାବକ ଓ ବନ୍ଧୁ ସହୋଦର ମାନେ । ହାତରେ ହାତରଖି ଦଶ ଦିଗପାଳଙ୍କୁ ସାଖି ରଖି ଉଭୟେ ଉଭୟଙ୍କ ପ୍ରତି ସମର୍ପିତ ରହିବାର ପ୍ରତିଶ୍ରୁତି ଦେଲୁ ଉଭୟଙ୍କୁ । 


ଆପଣାର ମାନଙ୍କ ନିକଟରୁ ବିଚ୍ଛେଦର କରାଳତାକୁ ସହ୍ୟ କରିବା ସହଜ ନଥିଲା । ପତ୍ର ପାଷାଣ ମଧ୍ୟ ଅଧୈର୍ଯ୍ୟ ହୋଇ ପଡ଼ନ୍ତି ସେ ସମୟରେ । କିନ୍ତୁ ଭୋଗିବାକୁ ଥିବା କିଛି ବିଦିତ ଆନନ୍ଦର କଳ୍ପନା ମୋତେ ଧୈର୍ଯ୍ୟଶୀଳ କରି ରଖିଥିଲା । ଜନ୍ମର ଏରୁଣ୍ଡି ଡେଇଁ , ମରଣର ଏରୁଣ୍ଡିକୁ ପାରି ହେବାକୁ ସଶକ୍ତ ହୋଇ ଆଗେଇ ଆସିଲି । 


ନୂଆ ଘର , ନୂଆ ପରିବାର ଆଉ ନୂଆ ପରିଚିତ ମାନେ ମୋତେ ଓ ମୁଁ ସେମାନଙ୍କୁ ଅତି ସହଜରେ ଆପଣେଇ ନେଲେ । କୁଣିଆ ଭର୍ତ୍ତି ଘରେ ମୁଁ କେବଳ ମୋର ସେ ରାଜକୁମାରଙ୍କୁ ଖୋଜୁଥାଏ । ଟିକେ ଆଖି ପଡ଼ିଗଲେ ଶୂନ୍ୟ କବଳିତ ମନରେ ମୋର ସବୁଜିମା ଭର୍ତ୍ତି ହୋଇଯାଏ । 


ଆସିଗଲା ସେ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ଚାରିକାନ୍ଥ ଭିତରେ ଆମେ ଦୁହେଁ । ବାସ୍ନା ପୂରିତ କୋଠରୀ । ଏ ସିନେମାରେ ଦେଖାଉଥିବା ପରି ସୁସଜ୍ଜିତ ପଲଙ୍କ ନଥିଲା ଆମ ଉଦ୍ଦେଶ୍ୟରେ ଥିବା ସେ କୋଠରୀ ଭିତରେ । ଦୀପଟିଏ ଜଳୁଥିଲା ସୁସ୍ଥ ଜ୍ୟୋତିର ଆଧାର ହୋଇ । ଷୋଳ ଶୃଙ୍ଗାରରେ ମୁଁ ଅପେକ୍ଷା କରିଥାଏ । 


ବାହାଘରର ଭୋଜି ଦାୟିତ୍ୱ ବୁଝି ଅଧ ରାତିରେ ରାଜକୁମାର ପାଦ ଚାପି ଚାପି ଆସିଲେ କୋଠରୀ ଭିତରକୁ । ଆଖିରେ ମୋର ଆଖିଏ ନିଦ ଥିଲେବି ମିଳନ କାମ୍ୟ କଳ୍ପନା ମୋତେ ସତେଜ ଏବଂ ଉଜାଗର ରଖିଥିଲା । 


ସାତଜନ୍ମର ସାଥି ଏବଂ ମୋର ସମସ୍ତ ସମ୍ପର୍କକୁ ଏକାକାର କରିଥିବା ମଣିଷଙ୍କ ପାଦସ୍ପର୍ଶ କରି ତାଙ୍କ ମୁହଁକୁ ଏକାନ୍ତରେ ମନଭରି ଦେଖିବାକୁ ଇଚ୍ଛା କରୁଥିଲି । ହେଲେ ମୋ ଲଜ୍ଜା ତାହା କରାଇ ଦେଲାନି । 


ରାଜକୁମାର କୋଳେଇ ନେଲେ । ମୋ ହାତ ଧରି ବସେଇ ଦେଲେ । ଖୁବ ଗପିବାକୁ ଲାଗିଲେ । ମୋ ପାଖରୁ କିଛି ଶୁଣିବାକୁ ମୋତେ ନାନା ପ୍ରଶ୍ନ କରୁଥିଲେ । ମୋ ପାଖରେ କହିବାକୁ ଅନେକ କଥା ଥିଲେବି ମୋ ଶବ୍ଦସବୁ ସ୍ୱାର୍ଥୀ ପାଲଟି ଯାଇଥିଲେ । କେବଳ ଶୁଣିବାକୁ ଚାହୁଁଥିଲେ । ଭୋଗିବାକୁ ଚାହୁଁଥିଲେ ସେ ଶବ୍ଦର ମାଧୁରୀ କୁ । ପତି ଦେବ ମୋର ଗପି ଚାଲିଥିଲେ ଅବିଶ୍ରାନ୍ତ । 


କଥା କହୁଁ କହୁଁ ମୋତେ ଦ୍ଵନ୍ଦରେ ପକାଇ ଦେଲେ । ମୋ ପାଇଁ ଉପହାର ସଦୃଶ ଆଣିଥିବା ନାକ ଗୁଣାକୁ ମୋତେ ଦେଇ ମୋର ପସନ୍ଦ ନାପସନ୍ଦ ଜାଣିବାକୁ ଚାହିଁଲେ । ଖୁବ ସୁନ୍ଦର ଥିଲା ସେ ପ୍ରିତୀ ବୋଳା ନାକ ଗୁଣା । ଓଢ଼ଣୀ ଭିତରର ଅନ୍ଧକାରରେ ଚମକୁ ଥିଲା ଖଦ୍ୟୋତ ପରିକା । 


ବହୁତ ସୁନ୍ଦର ହେଇଛି କହିଲା ପରେବି , ସେ ଜିଦି କରିଥିଲେ ମୋ ପସନ୍ଦର କିଛି ମାଗିବାକୁ । ତମକୁ ସ୍ୱାମୀ ରୂପରେ ପାଇ ମୁଁ ସବୁକିଛି ପାଇଛି । ଯେତେ ବୁଝେଇଲେ ବି ବୁଝୁ ନଥିଲେ ସେ । ଏକାଜିଦି ମୋତେ କିଛି ମାଗିବାକୁ ହିଁ ହେବ । 


କଣ ମାଗିବି ମୁଁ ? ସଂସାର ହାଟକୁ ନୂଆକରି ସଉଦା କରିବାକୁ ଆସିଛି ମୁଁ । ମନରେ ଏକାଗ୍ରତା ବି ନଥିଲା ସାଥି କୋଳର ପ୍ରିତୀ ଆଳାପରେ । କହୁଁ କହୁଁ କହିଦେଲି । 


ଆମଘରେ ମୋ ବାପା ମୋତେ ରାଜକୁମାରୀ ବୋଲି ଡାକନ୍ତି । ଭାଇ ମୋର ମୋତେ ଚିଡ଼େଇଲେ ବି କେବେବି ମୋପ୍ରତି ରାଜକୁମାରୀ ଊଣା ଶ୍ରଦ୍ଧା ଦେଇନି । ବାହୁଡ଼ା ବେଳେ ବାପା ମୋତେ ତମ ହାତରେ ଟେକି ତମକୁ ବାହୁଡ଼ାଇଲେ । ମୋ ବଡ଼ଭାଇ କିନ୍ତୁ ଅଧୈର୍ଯ୍ୟ ହୋଇ ବେହୋସ ହେଇଯାଇଥିଲା । ଭାଉଜ ବି ରାଜକୁମାରୀ ଡାକନ୍ତି ମୋତେ ଶ୍ରଦ୍ଧାରେ । 


ମୁଁ ତାହାଲେ ଆଜିଠାରୁ ଜଣେ ରାଜା ? ଏକଥା କହି ଜୋରରେ ହସିଥିଲ । ତମ ହସର ଶବ୍ଦ ଆମ ଭିତରର କୋଳାହଳକୁ କୋଠରୀ ଭିତରକୁ ନଯିବ ବୋଲି ମୁଁ ଜୋରରେ ତମକୁ ଚିମୁଟି ଦେଇଥିଲି । ତମେ ଆଃ କରି ଜୋରରେ ଚିଲେଇ ଥିଲ ଯନ୍ତ୍ରଣାରେ । 


ଆଜିଯାଏ ମୋ ନଣନ୍ଦ ମୋତେ ଏକଥା କହି ଉପହାସ କରନ୍ତି । କଣ ଏମିତି କଲକି ଭାଉଜ ? ଭାଇମୋର ଚିତ୍କାର କରି ଉଠିଲା । ତମେ ଅନାଡ଼ି ବୋଲି ତାଙ୍କୁ ଆଜିଯାଏ କୁହେ । ଚିତ୍କାର ପରେ ମୋତେ ପୁଣି ପଚାରିଥିଲ ତମେ , ମୋର କଣ ଦରକାର ବୋଲି । 


ଦେଖ ଯଦି କେହି ପାଖରେ ନଥିବେ ତାହେଲେ ମୋତେ ମହାରାଣୀ ବୋଲି ଡାକିବ । ଏତିକି କଥା ଦିଅ । କିଛି ସମୟ ତମେ ଚିନ୍ତା କଲ । ମୁଁ ବି ନୀରବରେ ଅପେକ୍ଷା କରିଥାଏ ଉତ୍ତରକୁ । 


ତମେ ତାହା ହେଲେ ମୋତେ ରାଜା କରିବାକୁ ନିଷ୍ପତ୍ତି ନେଇ ସାରିଛ ? ହଉତେବେ ଆଜିଠାରୁ ମୁଁ ତମକୁ ମହାରାଣୀ ଡାକିବି । ନିଶ୍ଚୟ ଡାକିବି । ତମକୁ ମହାରାଣୀ ଡାକିବାର କୌଣସି ସୁଯୋଗ ମୁଁ ହାତଛଡ଼ା କରିବି ନାହିଁ । କଥା ଦଉଛି ମୁଁ କଥା ଦଉଛି । 


ଏଭିତରେ ତମେ ମୋ ମଥାରୁ ଓଢ଼ଣୀ ଖସେଇ ଦେଇଥିଲ ମୁଁ ଜାଣି ପାରି ନଥିଲି । ମାଖି ଦେଇଥିଲ ଗୋଟେ ପ୍ରିତୀ ଚୁମ୍ବନ ମୋ ଓଠରେ । ସହ୍ୟ କରି ପାରୁନଥିଲି ପ୍ରଥମ ପ୍ରିତୀ ଛୁଆଁର ସେ ମାଦକତା । କଣ୍ଠ ରୋଧ ହେଉଥିଲା ମୋର । କିନ୍ତୁ ତମକୁ ବାରଣ କରିବାକୁ ବି ଇଚ୍ଛା ହେଉନଥିଲା । ଚାରି ଆଡ଼ ଅନ୍ଧକାର ଲାଗୁଥିଲେ ବି ତମ ବାହୁ ବନ୍ଧନରୁ ମୁକୁଳିବାକୁ ଚାହୁଁନଥିଲି । ଆରମ୍ଭ ହୋଇଗଲା ପ୍ରିତୀ ପର୍ବ । ମୋ ଭିତରର ନାରୀ ସହିତ ତମେହିଁ ସେଦିନ ପରିଚିତ କରାଇଲ ମୋତେ । ଶ୍ରେଷ୍ଠ ଭୌତିକ ଆନନ୍ଦର ସାଗରରେ ବୁଡ଼ିଗଲି ମୁଁ । ଧରିତ୍ରୀ ଅସ୍ଥିର , ସାଗର ଅଥୟ , ପବନ ପ୍ରଖର ଥାଇବି ମୁଁ ନିର୍ଭୟରେ ନିଜେ ନିଜର ନୂଆନୂଆ ପରିଚୟ ମାନଙ୍କ ବିଷୟରେ ଅବଗତ ହେଉଥିଲି । ସେଦିନର ସେ ରାତି ଦଣ୍ଡକରେ ଶେଷ ହୋଇଗଲା ପରି ଲାଗିଲା । ଖାଲି ସେଦିନ ନୁହେଁ ତମେ ପାଖରେ ଥିଲେ ପ୍ରାୟ ସବୁରାତି ସେମିତି ଲାଗେ । ଦିନ , ମାସ , ବର୍ଷ ଏମିତି ବିତି ଚାଲିଲା । ଆମେ ଦୁଇରୁ ତିନି , ତିନି ରୁ ଚାରି ହେଲେ । ଦାୟିତ୍ୱ ବଢ଼ିଲା ପାଲାମାନେ ବଢ଼ିବା ସଙ୍ଗେସଙ୍ଗେ । ତୁମ ଆଖିରେ ମୁଁ ପୂର୍ବପରି ଭଲପାଇବା ଦେଖି ଖୁସିରେ ଫାଟି ପଡ଼େ । 


ତାପରେ ତମର ବଦଳି । ଏକ ଆତ୍ମା ଦୁଇଟି ଶରୀରର ବିଚ୍ଛେଦ । ଇଚ୍ଛା ନଥାଇ ବି ନୀରବ ରହିଲି । ଖାଲି ପ୍ରେମରେ ପେଟ ଭୋକର ଜ୍ୱାଳା କଣ ନିର୍ବାପିତ ହୁଏ ? କିନ୍ତୁ ତମେ ଗଲା ଦିନୁ ମୁଁ କୌଣସି ବି ରାତି ସୁଖ ନିଦ୍ରାରେ ଶୋଇନି । ତମେ ଆସିଲେ ବି ଆସନ୍ତାକାଲି ଚାଲିଯିବା କଥା ଭାବିଭାବି ବିନିଦ୍ରରେ କାଟେ ରଜନୀ । 


ସାଧନ ଥାଇବି ମୁଁ ଭୋଗରୁ ବଞ୍ଚିତ ରୁହେ । ଆଉଗୋଟେ କଥା , ସବୁବେଳେ ଦେହ ଭୋଗିବାକୁ ଚାହେଁନି । କେବେକେବେ ଦେହ ମଧ୍ୟ ଆଶ୍ୱାସନା ଖୋଜେ । ଆଉ ମନ ଚାହେଁ ଭୋଗିବାକୁ । 

ମାନସିକ ଭୋଗଟା ବଡ଼ ଯନ୍ତ୍ରଣା ଦାୟକ । ଦେହଭୋଗ ଉପରେ ମୁଁ ସଦା ବିଜୟୀ । କିନ୍ତୁ ମାନସିକ ଭୋଗ ବିଚଳିତ କରେ ମୋତେ । ନିଶାସକ୍ତା ହୁଏ ମୁଁ । ମାନସିକ ଭୋଗ ସ୍ୱାମୀ ନୁହେଁ ସାଥିଟିଏ ଖୋଜେ । ସମ୍ପର୍କ ଦେଖେନି ସେ । ଲଙ୍ଘିଯିବାକୁ ଇଚ୍ଛା ହୁଏ ସବୁ ସୀମା । ପାରେନି ମୁଁ । ହୁଏତ ସେ ସମୟରେ କାହାର ପାଦ ଚିପା ଚାଲିକୁ ମୁଁ କର୍ଣ ଗୋଚର କରିପାରେନି । ଦୈହିକ ଉନ୍ମାଦନା ନଥାଇ ବି ମନଝୁରେ ସାଥିପାଇଁ । ହୁଏତ ମନ ଆଶ୍ୱାସନାକୁ ଝୁରେ । ମୁଁ ଭୋଗ ପ୍ରିୟ ନୁହେଁ । କିନ୍ତୁ ତମ ଦୂରତା ଅସହ୍ୟ ମୋ ଲାଗି । 


ଗାଁ ମୁଣ୍ଡ ବରଗଛ ତଳେ କୁଡ଼ିଆ ଖଣ୍ଡେ କରି ରହିଥିବା ସ୍ୱାମୀ ସ୍ତ୍ରୀ ଦୁହିଁଙ୍କୁ ଦେଖେ । ନା ଉପାସର ବେଦନା ତାଙ୍କ ମୁହଁରେ ନା ଅଭାବର କ୍ଳେଶ । ପରସ୍ପର ପାଖରେ ରହି କି ଆନନ୍ଦକୁ ସେ ଭୋଗୁଛନ୍ତି । ସେମାନଙ୍କ କଥା ଭାବିଲେ ମୁଁ ନିଜେ ଯେ କେତେ ଦରିଦ୍ର ତାହା ଭଲଭାବେ ଜାଣିପାରେ । 


ଦରିଦ୍ର କଣ ଖାଲି ଧନର ଥାଆନ୍ତି ? ଧନର ଅର୍ଥ କଣ ସୁନା , ରୂପା ଟଙ୍କାକୁ ହିଁ ବୁଝାଏ ? ଯେଉଁଠି ମାନସିକ ଶାନ୍ତି ଥାଏ ସେଠି ଏସବୁର କଣ ଆବଶ୍ୟକ ? କିଛି ନାହିଁ । ମୋର କଣ ଅଭାବ ଅଛି ଏସବୁରେ ? ସବୁତ ପରିପୂର୍ଣ୍ଣ । କେବଳ ତମେ ନାହଁ । 


ଏ କୋଇଲି ପରି ମୋ ଅନ୍ତରର ଚିତ୍କାରକୁ ପ୍ରତ୍ୟୁତ୍ତର ପାଉନି ମୁଁ । ପ୍ରତ୍ୟୁତ୍ତର ଆଶା ମୋର ଆଶାରେ ହିଁ ରହିଯାଉଛି । କୋଇଲି ପରି ମୁଁ କେମିତି ଚିତ୍କାର କରି ଡାକିବି ମୋର ପ୍ରିୟତ୍ତମଙ୍କୁ ? ସାମାଜିକ ବନ୍ଧନର ଶିକୁଳୀରେ ମୁଁ ବନ୍ଦୀ । ଝୁରିଝୁରି ଅନିଦ୍ରା ରହିବା , ଅବଶେଷ ଅବସ କୁ କଳ୍ପନା କରି ଅସ୍ଥିର ହେବାହିଁ ସାର ମୋ ଲାଗି । ସମ୍ପର୍କର ସୂକ୍ଷ୍ମ ବନ୍ଧନକୁ କାଟି ଟିକଟିକ କରିବା କଷ୍ଟ ନୁହେଁ । 


କେତେଥର ଉଦ୍ୟତ ହେଲିଣି ମଧ୍ୟ ଫିଙ୍ଗି ଦେବାକୁ ବିଶ୍ୱାସର ଏ କଣ୍ଟକିତ ରେଶମୀ ଡୋରକୁ । ନା ସତୀ ହେବାକୁ ଇଚ୍ଛାଥାଏ ନା ମହିୟସୀ ହେବାକୁ । 


ତମର ସେ ମହାରାଣୀ ଡାକ ମୋତେ ଭିଡ଼ି ଧରିଛି ସର୍ବଦା । ଚାହିଲେବି ମୂକୁଳି ପାରୁନି ମୁଁ ମହାରାଣୀ ଡାକର ସେ ବାଡ଼ ନଥିବା ପଞ୍ଜୁରୀ ଭିତରୁ । 


ଏତେ ରାତିରେ କିଏ ଡାକିଲା ଏମିତି ! 


ମହାରାଣୀ.... ମହାରାଣୀ । 


ଇଏ ସିଏ ନୁହଁନ୍ତି ତ ? ଧାଇଁଗଲି ମୁଖ୍ୟ ଦରଜା ନିକଟକୁ । ଦରଜା ସେପାଖରେ ଘଟିବାକୁ ଥିବା ଘଟଣା ଅଘଟଣ କୁ ଖାତିର ନ କରି । 


କବାଟ ଖୋଲି ଦେଇ ଶିଆଳି ଲତା ପରି ଗୁଡ଼େଇ ହେଇଗଲି ତାଙ୍କ ଦେହରେ । ତାଙ୍କ ମୁହଁ ନଦେଖି ବି ମୁଁ ନିଶ୍ଚିତ ଥିଲି ଇଏ ହିଁ ମୋ ରାଜା । ତାଙ୍କ ଦେହର ବାସ୍ନା ହିଁ ମୋତେ ତାଙ୍କ ପରିଚୟର ପ୍ରଣାମପତ୍ର ଦେଉଥିଲା । 


ଆଖିରୁ ଧାରଧାର ଲୁହ ବହିଯାଉଥିଲା । ପାଇବାର ଆନନ୍ଦାଶ୍ରୁ ନୁହେଁ । ବରଂ ପୁଣି ଥରେ ବିଚ୍ଛେଦର କଳ୍ପନା ଥିଲା । 


ଆରେ ଏ ମହାରାଣୀ ଘରକୁ ଚାଲ । ତମକୁ ବହୁତ କିଛି କହିବାକୁ ଅଛି ମୋର । ତାଙ୍କ ମୁହଁରେ ହାତ ଦେଇଦେଇ ମୁଁ ବି ନୀରବ ରହିଲି । ମୋ ମାନସିକ ଭୋଗ ଏବଂ ଦୈହିକ ଆଶ୍ୱାସନାର ପ୍ରାପ୍ତିକୁ ଆତ୍ମସାତ୍ କରୁଥିଲି । 


ମହାରାଣୀ ଲୁହ ଝରାଉଛ କାହିଁକି ? ଜାଣିଛ ମୋର ବଦଳି ହେଇଛି ପୁଣି । ଏଇ ଗାଁ କୁ । ଆଉ ତମକୁ ଛାଡ଼ି କୁଆଡ଼େ ଯିବିନି । ସବୁଦିନେ ମୁଁ ତମର ଏବେ । ଚାଲ ମହାରାଣୀ ଘରକୁ ଚାଲ । 


କୋଇଲି ଟି ପୂର୍ବପରି ଜାରି ରଖିଥିଲା ତାର କୁହୁତାନ । ଥକି ପଡ଼ି ନଥିଲା ସେ । ଆଶ୍ଚର୍ଯ୍ୟ ତାକୁ ପ୍ରତ୍ୟତ୍ତର ମିଳିଲା । ଏ ଅନ୍ଧାର ରାତିରେ ବି ତା ସାଥି ଝୁରୁଛି ତାକୁ ? ଚାଲିଲା ସେମାନଙ୍କ ମାନସିକ ଭୋଗର ପ୍ରିତୀ ପର୍ବ । କୁହୁ ତାନର ଜବାବରେ କୁହୁତାନ । ସୁରିଲି ତାନରେ ବି ପୁଣି ଅସୀମ ରାଗ ରୁଷା , ମାନ ଅଭିମାନ ଭରି ରହିଥିଲା । 


ମୁଁ ଆନମନା । ପତି ମୋର ମାଖି ଦେଇଥିଲେ ଚୁମ୍ବନଟିଏ । ଏବେ କିନ୍ତୁ ବଳ ପ୍ରୟୋଗ କରି ନିଜକୁ ଅଲଗା କରିଥିଲି ମୁଁ । ମାନସିକ ଭୋଗର ଜ୍ବାଳାରୁ ମୂକୁଳି ଦୈହିକ ଆଶ୍ୱାସନାର ଶୀତଳ ଝରଣାରେ ସ୍ନାନ ରତା ମୁଁ । 


ଚାଲିଲ ଚାଲିଲ । ଖାଇବାକୁ ଦିଏ ତମକୁ । 


ମହାରାଣୀ , ଏତେବେଳେ ତମର ମନେ ପଡ଼ିଲା ମୋ କଥା ? 



Rate this content
Log in

Similar oriya story from Romance