ନୀରବ ଝଡ଼
ନୀରବ ଝଡ଼
ଗୋଟିଏ ସ୍ଥାନରୁ ବଦଳି ପରେପରେ ସ୍ଥିତି ସାମାନ୍ୟ ହେବାକୁ କିଛି ସମୟ ଲାଗେ । ନିଜକୁ ମଧ୍ୟ କିଛି ସମୟ ଦେବାକୁ ପଡ଼େ ବ୍ୟବସ୍ଥିତ ହେବାକୁ । ନୂଆ ଜାଗା , ନୂଆ ନୂଆ ସହକର୍ମୀ ନୂଆ ପରିବେଶ , ନୀତି ଭେଟିବାକୁ ଥିବା କିଛି ନୂଆ ଲୋକ ଯାହା ପ୍ରଥମେ ନୂଆ ହିଁ ଲାଗନ୍ତି ।
ସବୁଠୁଁ ବେଶୀ ଭୟ ଲାଗେ ନୂଆ ପଡ଼ୋଶୀଙ୍କ ବିଷୟରେ ଭାବିଭାବି । କେମିତିକା ମାନସିକତାର ହେଇଥିବେ ? ସେମାନେ ମୋ ପରି ଜଣେ ନୂଆ ପଡ଼ୋଶୀଙ୍କର ସାମାନ୍ୟ କିଛି ଅବ୍ୟବସ୍ଥିତତାକୁ ଅଣଦେଖା କରି ଆପଣେଇ ନେବେ ତ ?
ମୁଖ୍ୟ ଚିନ୍ତା ଘର ମାଲିକଙ୍କ ଲାଗି । ଭଡ଼ାଟିଆ ମାନଙ୍କ ଲାଗି ତାଙ୍କର ପ୍ରତିବନ୍ଧକ ସବୁ ସହିତ ମୁଁ ନିଜକୁ ଖାପଖୁଆଇ ଚଳି ପାରିବି ତ ? ଏମିତି କେତେ କଣ ମନକୁ ଆସେ ଗୋଟେ ନୂଆ ସ୍ଥାନରେ ପହଞ୍ଚିଲା ପରେ । ମୁଁ ବି ମନରେ ଏମିତି ଶଙ୍କା ଆଶଙ୍କା ଭିତରେ ବଦଳି ହେଇ ଆସିଥିଲି ଏଇ ପାହାଡ଼ିଆ ସବୁଜିମା ଘେରା ଛୋଟିଆ ସହରକୁ ।
ମୋର ପୂର୍ବାପେକ୍ଷା କାମ କମ ହେଲେ ବି ଦାୟିତ୍ୱ ଟିକେ ବେଶୀ ଥିଲା । ମୋର ଉପରିସ୍ଥ ଅଧିକାରୀ ଜଣକ ବେଶ ସହଯୋଗୀ ମନୋବୃତ୍ତିର ଥିଲେ । ତାଙ୍କର ବୋଧହୁଏ ଏଇଟି ଶେଷ ପୋଷ୍ଟିଙ୍ଗ । ମୋ ଲାଗି ଭଡ଼ା ଘରଟି ମୋର ସେହି ଉପରିସ୍ଥ ଅଧିକାରୀ ଜଣକ ବୁଝିଥିଲେ । ତାଗିଦ କରି କହିଥିଲେ ମାଲିକ ଜଣକ ଅଧା ପାଗଳ , ତେଣୁ ତାଙ୍କ ସାଙ୍ଗରେ କୌଣସି ବଚସା କରିବନି । ମୁଁ ବି ମନରେ ଗଣ୍ଠି କରିଦେଇଥିଲି ମୋର ଅଧିକାରୀଙ୍କ ତାଗିଦକୁ ।
ପ୍ରାୟ ଛଅ ମାସ ବିତିଗଲା । ଘରମାଲିକଙ୍କ ସହିତ ମୋର ସେମିତି କିଛି କଥାବାର୍ତ୍ତା ହେଇପାରିନଥିଲା । ମାଲିକାଣୀ ମା' କେତେଥର ଚେଷ୍ଟା କରିଛନ୍ତି କଥା ହେବାକୁ । ସାମାନ୍ୟ ଔପଚାରିକ ପରେପରେ ମୁଁ ବାଟ କାଟିଦିଏ ମୋ ମନରେ ଥିବା ଅନାବଶ୍ୟକ ଭୟ ଲାଗି ।
ଘର ମାଲିକ କେବେ କିଛି କୁହନ୍ତିନି । ଘରେ ରହିବା ସମୟରେ କେବଳ ଗୋଟିଏ ବାକ୍ୟ କହିଥିଲେ । ଦେଖ ଯୁଆଡ଼େ ଯାହା କାମ କରୁଛ କର କିନ୍ତୁ ରାତି ନଅ ପରେ ଆଉ ଗେଟ ଖୋଲିବନି , ତେଣୁ ନଅ ପୂର୍ବରୁ ଘରକୁ ଫେରି ଆସିବ । ତାଙ୍କର ସେ ଗୋଟିଏ ବାକ୍ୟ ଉପରେ ତାଙ୍କୁ କେବେ ଅଭିଯୋଗର ସୁଯୋଗ ଦେଇନି ମୁଁ ।
ମୁଁ ନିଜକୁ ଭଲ ପାଉଥିବା ମଣିଷଟେ , ନିଜ ଲାଗି ଅଧିକରୁ ଅଧିକ ସମୟ ଖୋଜେ । ତଥାପି ଗୋଟେ ବଡ଼ ବଦଗୁଣ ମୋର । ଆଖି ପଢ଼ିବାର ଅଭ୍ୟାସ ମୋର । ଯେଉଁ ଅଭ୍ୟାସ ଲାଗି କେତେଥର ନିନ୍ଦିତ ମଧ୍ୟ ହେଇଛି । ପ୍ରକୃତି ମଲେ ଯାଏ । ଘର ମାଲିକଙ୍କ ଆଖି ପଢ଼ିବାକୁ ଅନେକ ବାର ଚେଷ୍ଟା କରି ବିଫଳ ହେଇଛି । ଦୃଷ୍ଟି ଫେରେଇ ନିଅନ୍ତି ସେ । ହେଲେ ମାଉସୀଙ୍କ ଆଖିରେ ମମତାର ଶୀତଳ ଝରଣାଟିଏ । ସେ ପୁଅ ବୋଲି ତ ସମ୍ବୋଧନ କରନ୍ତିନି , ବାପ ବୋଲି ଡାକନ୍ତି ।
କିନ୍ତୁ କେତେଥର ରାତିରେ ମଉସାଙ୍କୁ ଛାତ ଉପରେ ଏକାଏକା ବୁଲିବାର ଦେଖେ । ମୋର ଅଧିକାରୀଙ୍କ କଥା ମନେ ପଡ଼େ ଅଧା ପାଗଳ । ଦେଖିଦେଖି ଶୋଇଯାଏ । ଏଇ ଆଠଦିନ ତଳେ ବର୍ଷା ପବନ ରାତିରେ ମୋତେ ନିଦ ଟିକେ ଅଭିମାନ କରିଥାଏ । ଝରକା ଫାଙ୍କରୁ ବର୍ଷାର ଶାସ୍ତ୍ରୀୟ ନୃତ୍ୟକୁ ମନଦେଇ ଉପଭୋଗ କରୁଥାଏ ।
ବିଜୁଳିର ଚମକରେ ଛାତ ଉପରେ କେହିଜଣେ ଠିଆ ହେବାର , ଦେଖି ମୁଁ ବି ଚମକି ପଡ଼ିଲି । ଅନ୍ୟ ମୁହୂର୍ତ୍ତରେ ମଉସାଙ୍କ କଥା ଭାବି ଶିହରୀ ଉଠିଲି । ଏ ବର୍ଷାରେ ବୟସ୍କ ଲୋକ ଜଣେ ! କେତେ କଣ ଅଘଟଣ ଭାବିଦେଲି । ମୋ ଅଜଣାତରେ ମୁଁ କେତେବେଳେ ଛାତ ଉପରେ ପହଞ୍ଚି ସାରିଥିଲି , ବର୍ଷା ବୁନ୍ଦା ପଡ଼ିବା ପରେ ନିଜକୁ ଆବିଷ୍କାର କଲି ଛାତ ଉପରେ ।
ମଉସାଙ୍କ ହାତ ଧରି ନେଇ ଆସିଲି ଭିତରକୁ । ଭିତରର ବିଜୁଳି ଆଲୁଅରେ ମଉସାଙ୍କ ଭିଜା ଦେହକୁ ପୋଛିବାକୁ ଶୁଖିଲା ଗାମୁଛାଟେ ଦେଉଦେଉ ମିଶିଗଲା ତାଙ୍କ ଆଖି ସହିତ ମୋ ଆଖି । ଥରି ଉଠିଲା ମୋର ସର୍ବାଙ୍ଗ । ଆଖିର ରାସ୍ତା ଦେଇ ହୃଦୟକୁ ଛୁଇଁବାର ମୋର ନିଶା ସେଇଠି ଶିଥିଳ ପଡ଼ିଗଲା । ଉଭୟେ ନୀରବ । ମଉସା ଚାଲିଗଲେ ତାଙ୍କ ଘର ଭିତରକୁ । ମୁଁ କିନ୍ତୁ ଅସ୍ଥିର ହେଇଗଲି । ନିଦକୁ ଯେତେ ନେହୁରା ହେଲେବି ସେ ମୋ ପାଖରୁ କୋଶେ ଦୂରରେ ମୁହଁ ବୁଲେଇ ଠିଆ ହେଉଥିଲା । ରାତିଟାବି ଲମ୍ବା ଥିଲା ସେଦିନ । ବହୁ ମାନସିକ ଉଦ୍ବେଳନ ମଧ୍ୟରେ ରାତି ପାହିଗଲା ।
ମୁଁ ମୋର ନିତ୍ୟକର୍ମ ସାରି ବାହାରି ଦେଖେତ ଘର ଆଗ ବଗିଚାରେ ମଉସା କାର୍ଯ୍ୟରତ । ଯେମିତି କାଲି କିଛି ଘଟିନି ! ଏମିତି ସାମାନ୍ୟ କେମିତି ହେଇଗଲେ !? ଚାଲଚାଲ ହେଇ ମଉସାଙ୍କ ପାଖକୁ ଚାଲିଗଲି ।
ବାବୁରେ , ଆଜି ଅଫିସ ବନ୍ଦ ପରା । କୁଆଡ଼େ ବୁଲିବାକୁ ଯିବ କି ? ଇତସ୍ତତଃ ମଉସାଙ୍କର ଅନାବଶ୍ୟକ ପ୍ରଶ୍ନ ? ମୁଁ ଜାଣିଶୁଣି ନୀରବ ରହିଲି ।
ଆଖିରେ ଦେଖିଥିବା କାହାଣୀକୁ ମୁଁ ମଉସାଙ୍କ ଶବ୍ଦ ସହିତ ସାମଞ୍ଜସ୍ୟ କରୁଥିଲି । ମୋତେ ନୀରବ ରହିବା ଦେଖି , ହଉ ବାବୁ ଆସ ଆସ । ବଗିଚା କାମ ବନ୍ଦ କରିଦେଇ ସେ ଆଗେ ଆଗେ ଚାଲିଲେ ଆଉ ମୁଁ ତାଙ୍କ ପଛେପଛେ । ଘର ବାହାରେ ଥିବା ଚୌକି ଉପରେ ବସି ମୋତେ ମଧ୍ୟ ଖାଲିଥିବା ଆଉ ଏକ ଚୌକିରେ ବସିବାକୁ ଇଙ୍ଗିତ କଲେ । ଆରେ ଶୁଣୁଛ ଟିକେ ଚା କରି ଆଣିବ ଦିଜଣଙ୍କ ଲାଗି , ମାଉସୀଙ୍କ ଉଦ୍ଦେଶ୍ୟରେ ମଉସା କହିଲେ । ଚା ଆସିବା ପୂର୍ବରୁ ,
ଆଉ ବାବୁ ତୁମ ଘରେ ଆଉ କିଏ ସବୁ ଅଛନ୍ତି ? ମୁଁ ମଉସାଙ୍କୁ ମୋ ପରିବାରର ଶାବ୍ଦିକ ପରିଚୟ ଦେଲି । ବାପା ମା ଙ୍କ ପାଖରୁ ଆରମ୍ଭ କରି ମୋର ପୁଅଝିଅ ପର୍ଯ୍ୟନ୍ତ ।
ବାବୁ ବୋହୂଟି କେମିତିକା ? ଭଲ ପିଲାଟେ ତ ? ଶ୍ୱଶୁର ଘର କେଉଁଠି ? ସେମାନେ ଭଲ ଲୋକ ତ ?
ଏକାବେଳେ ଏତେଗୁଡ଼ିଏ ପ୍ରଶ୍ନର ଉତ୍ତରରେ ମୁଁ କେବଳ ବାକ୍ୟ ଗୋଟିଏ ଉତ୍ତର ଦେଲି । ମୁଁ ଆମରି ଗାଁ ରେ ବାହା ହେଇଛି ମଉସା ।
କଣ ପ୍ରେମ କରି ବାହା ହେଇଛ ?
ମୁଁ ଜାଣିଶୁଣି ପୁଣିଥରେ ନୀରବ ରହିଲି ଆଉ ମଉସା ଉତ୍ତର ପାଇବା ଆଶାରେ ମୋ ମୁହଁକୁ ଚାହିଁ ରହିଲେ । ମୁଁ ବୁଡ଼ିବାକୁ ଚାହୁଁଥିଲି ସେ ଆଖିର ଗଭୀରତାରେ । ନା ବେଶୀ ସମୟ ପାରିଲିନି । ନା ମଉସା ପ୍ରେମ କରି ନୁହେଁ । ବାପା ବୋଉଙ୍କ ସମ୍ମତିରେ ବାହା ହେଇଛି ।
ମଉସା ବୋଧେ ଆଉ କିଛି କହିବାକୁ ଚାହୁଁଥିଲେ , ମାଉସୀ ଚା ଧରି ପହଞ୍ଚିଗଲେ । ନିଅ ବାପା ନିଅ । ମାଉସୀ ମଧ୍ୟ ସେଇଠି ବସିଗଲେ ଚା କପ ଧରି । ଗରମ ଚା ପିଆର ସୁଡୁ ସୁଡୁ ଶବ୍ଦ ବ୍ୟତୀତ ଆମ ତିନିହେଁ ଙ୍କ ନିକଟରେ ଶବ୍ଦର ଅଭାବ ଥିଲା । ମଉସା ତରତରରେ ଚା ପିଇ ଚାଲିଗଲେ କିଛି କାମର ବାହାନା ଦେଖାଇ ।
ବାପାରେ ତୋ ପୁଅଝିଅଙ୍କୁ ଟିକେ ଆଣନ୍ତୁନି ସାଙ୍ଗରେ ?
ହଁ ମାଉସୀ ଏଇଥର ଛୁଟିରେ ସମସ୍ତଙ୍କୁ ଆଣିବି ବୁଲେଇବାକୁ ।
ମାଉସୀ ତୁମର ପୁଅଝିଅ ?
ପୁଅଟେ ଆର୍ମିରେ ଚାକିରୀ କରିଛି । ଝିଅ.....।
ଝିଅ ବୋଲି ଉଚ୍ଚାରଣ କରି ମାଉସୀ ଚାଲିଗଲେ ଘରଭିତରକୁ ଚା ପିଆ ଶଙ୍ଖୁଡ଼ି ଛାଡ଼ିଦେଇ । ଭାବିଲି ମାଉସୀଙ୍କ ପାଖକୁ ଯିବି , ନା ଏବେ ନୁହେଁ । ଚାଲିଲି ବଜାର ଅଭିମୁଖେ । ଅଳ୍ପକିଛି ଆତ୍ମୀୟତା ହେଇସାରିଥିଲା ଏଭିତରେ । ବଜାରରେ ଶୁଣିଲି କି ମୋର ଘର ମାଲିକଙ୍କ ଜନ୍ମସ୍ଥାନ ଏଠି ନୁହେଁ । ଏଇ ଆଠ ଦଶ ବର୍ଷ ହେବ ସେମାନେ ଏଇଠି ଘର କରି ରହିଛନ୍ତି । ଏ ଅଞ୍ଚଳରେ ସେମାନେ ବି ନୂଆ ଲୋକ । ହେଲେ କାହା ସହିତ ପ୍ରିୟ କି ଅପ୍ରିୟ ନାହିଁ ସେମାନଙ୍କର ।
ବୋଝିଲା ମନନେଇ ସେଦିନ ବଜାରରେ ଖାଇପିଇ ଅପରାହ୍ଣରେ ଘରକୁ ଫେରିଲି । ବିଳମ୍ବ ହେଇଥିଲା ମୋର ଫେରିବା । ଖାଇବା ସମୟ ଗଡ଼ି ଯାଇଥିଲା । ମଉସା ବାରଣ୍ଡାରେ ଏପଟ ସେପଟ ହେଉଥିବାର ଦେଖିଲି ଦୂରରୁ ।
କୁଆଡ଼େ ଯାଇଥିଲ ବାବୁ !? ମାଉସୀ ତୁମକୁ ଅପେକ୍ଷା କରିଛନ୍ତି ରୋଷେଇ ବାସ ସାରି ।
ମୋ ଆଶ୍ଚର୍ଯ୍ୟର ଠିକଣା ରହିଲାନି ! ଖାଇବାକୁ ଅସମର୍ଥ ଥିଲେ ବି ମନା କରିପାରିଲିନି । ମଉସାଙ୍କ ପଛେପଛେ ଚାଲିଲି ଘର ଭିତରକୁ । ଆଜିଯାଏଁ ମୁଁ ମୋ ଘର ବ୍ୟତୀତ ସେମାନଙ୍କ ଘର ଦେଖିନଥାଏ ଭିତର ପଟୁ । ଘର ଭିତରୁ ତରକାରୀ ଛୁଙ୍କର ବାସ୍ନା ଏବେବି ଯାଇନି ।
ଗାଁ ର ମା ହାତ ରନ୍ଧା ମନେ ପଡ଼ିଗଲା । ଯାହା ଅନୁମାନ କରିଥିଲି ଠିକ ସେମିତିକା ଖାଇବା । ମୋ ଗାଁ ର ବଘରା ତରକାରୀ କୁ ଶାଗ ଭଜା ଆଉ ଚୋଖା ସାଙ୍ଗକୁ ବଢ଼ି ଚୁରା ମଧ୍ୟ । ଖାଦ୍ୟ ଦେଖି ପୁଣିଥରେ ଭୋକ ଲାଗିଲା । ମନଭରି ଖାଇବାପରେ ବାରଣ୍ଡାର ଚୌକି ଉପରେ ଭୋଜନର ଥକା ମେଣ୍ଟେଇ ବାକୁ ବସି ପଡ଼ିଲି । ମୋ ପଛେପଛେ ମଉସା ମଧ୍ୟ ବାରଣ୍ଡାକୁ ଚାଲି ଆସିଲେ । କେତେ ସମୟ ବସିଲା ପରେ ମଧ୍ୟ ଦୁହେଁ ନୀରବ ।
ମଉସା ଆପଣଙ୍କ ପୁଅ ଝିଅ ମାନେ କେଉଁଠି ?
ମଥାନତ କରି ବସିଥିବା ମଉସାଙ୍କ କାନ୍ଧ ଗାମୁଛା ଆପେଆପେ ଆଖି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆଖିରୁ ବୋହି ଆସୁଥିବା ଲୁହକୁ ଗାମୁଛାର ବନ୍ଧ ମାଧ୍ୟମରେ ରୋକିବାକୁ ଚେଷ୍ଟା କରୁଥିଲେ । ମୁଁ ବିଚଳିତ ନହୋଇ ସ୍ଥିରଥିଲି । ଜାଣିବାକୁ ଚାହୁଁଥିଲି ମଉସାଙ୍କ ଅନ୍ତର୍ବେଦନାକୁ । ଯାହା ତାଙ୍କ ଆଖିରୁ ସ୍ପଷ୍ଟ ବାରି ହେଇ ପଡ଼ୁଥିଲା ।
କଣ ଏମିତି ଘଟିଛି କି ? ମଉସା ଆପଣ କାନ୍ଦୁଛନ୍ତି !? ପାଖକୁ ଟିକେ ଲାଗିଯାଇ ମଉସାଙ୍କ କାନ୍ଧରେ ମୋ ହାତ ରଖିଦେଲି ।
ଯେଉଁ ବାପ ନିଜର ପଚିଶ ବର୍ଷର ଜୁଆନ ପୁଅକୁ କାନ୍ଧରେ ମଶାଣୀ ନେଇଛି ସେ କାନ୍ଦିବନି ତ ଆଉ କଣ କରିବ ?
ମୋ ମନରେ ଏବେ ଅପରାଧ ବୋଧ । ମଉସାଙ୍କ ମନରେ ବକଳ ବାନ୍ଧିଥିବା ପୁରୁଣା ଘା ଉପରେ ମୋ ପ୍ରଶ୍ନ ଶକ୍ତ ଆଘାତ ଦେଇ ପୁନଃ ରକ୍ତ ଜର୍ଜରିତ କରିଦେଲା । ତଥାପି ମୁଁ ଶେଷ ଯାଏ ପହଞ୍ଚିବାକୁ ଚାହୁଁଥିଲି ।
ହେଲେ ମଉସା ମାଉସୀ ତ କହୁଥିଲେ ଆପଣଙ୍କ ପୁଅ ଆର୍ମିରେ ଚାକିରୀ କରୁଛନ୍ତି ବୋଲି ?
ମଉସାଙ୍କ ଭଜନ ହାଟର ଶବ୍ଦରେ ତାଙ୍କ ମନର କୋଳାହଳକୁ ମୁଁ ସ୍ପଷ୍ଟ ଅନୁଭବ କରିପାରୁଥିଲି । ଦର୍ଶନ ହାଟରେ ଚାରିମେଘ ଏକାକାର । କିନ୍ତୁ ରସ ହାଟ ଏବେବି ରସ ଶୂନ୍ୟ ।
ମଉସା ମୋତେ କ୍ଷମା କରିଦିଅନ୍ତୁ । ମୁଁ ଆପଣଙ୍କ ମନରେ କଷ୍ଟ ଦେଇଛି ।
ବାବୁରେ ଏ ଦୁଃଖ ଏ କଷ୍ଟ ମୋ ଲାଗି ଆଜି ନୂଆ ନୁହେଁ । ତୁମେ ଦୋଷୀ ନୁହଁ ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି । ମୋର ଦୁଇପୁଅ ଆଉ ଗୋଟେ ଝିଅରେ ସଂସାର । ଝିଅଟି ମଝିଆଁ । ଜଗା ବଳିଆଙ୍କ ମଝିରେ ଶୁଭଦ୍ରା ରାଣୀଙ୍କ ପରି । ଝିଅଟିର ଜନ୍ମପରେ ମୁଁ ମୋ ଭିତରେ ପୂର୍ଣ୍ଣତା କୁ ଅନୁଭବୀଥିଲି । ସଂସାର ଝଡ଼ଝଞ୍ଜାକୁ ବେଖାତିର କରି ପିଲାମାନଙ୍କର ସମସ୍ତ ଅଳି ଅର୍ଦ୍ଦଳିକୁ ନିଜର ସାମର୍ଥ୍ୟ ଅନୁସାରେ ପୂରଣ କରିବାକୁ ଚେଷ୍ଟା କରୁଥିଲି ।
ସେତେବେଳେ ଜଣେ ଶିକ୍ଷକର ବେତନ କେତେ ଥିଲାକି ? ତଥାପି ନିଜର ଭୋକ ଶୋଷ ଭୁଲି ଲାଗିଯାଇଥିଲି ସେମାନଙ୍କ ସୁନେଲି ଭବିଷ୍ୟତର ସ୍ବପ୍ନ ବୁଣିବାରେ । ବୀଜଟି ପର୍ଯ୍ୟାୟ କ୍ରମେ ଦ୍ରୁମରେ ପରିଣତ ହେଲାପରି ପିଲାମାନେ ମଧ୍ୟ ବୟସର ସୋପାନ ପରେ ସୋପାନ ଚଢ଼ି ଜୀବନଯାତ୍ରାର ପଥ ଅତ
ିକ୍ରାନ୍ତ କରିଚାଲିଥାନ୍ତି ।
ଝିଅଟି ମୋର ନୟନ ତାରା । ଝିଅ ମାନଙ୍କ ଲାଗି ବାପାମାନଙ୍କ ମନରେ ଏକ ସ୍ୱତନ୍ତ୍ର ମହଲ ତିଆରି ହୋଇଯାଏ । ସେ ମହଲର ଝିଅ ରାଜକୁମାରୀ ହୁଏ । ଝିଅକୁ କୋଳରେ ଧରିବା କ୍ଷଣି ବାପାମାନେ ଝିଅର ସ୍ୱପ୍ନ ସବୁକୁ ନିଜେ ଦେଖିବା ଆରମ୍ଭ କରିଦିଅନ୍ତି । ମୁଁ ବି ଦେଖୁଥିଲି । ଫୁଲ ପାଖୁଡ଼ା ପରି ମୋ ଝିଅର ପାଦରେ ଦିନେ କଣ୍ଟା ବୋହିବାକୁ ଦେଇନି ।
ଭାଇଭଉଣୀ ମାନଙ୍କ ଭିତରେ ଯେବେ କଳି ଲାଗେ ସେତେବେଳେ ଦୋଷ ନଥାଇ ମଧ୍ୟ ମୁଁ ମୋର ପୁଅମାନଙ୍କୁ ଆଖି ଦେଖାଏ , ଗାଳିକରେ , କେବେକେବେ ମାରେ ମଧ୍ୟ । ହେଲେ ଚଢ଼ା ଗଳାରେ କେବେ ଝିଅକୁ ମୋର ପଦୁଟିଏ ବି କହିନି ।
ଛୋଟ ଥିଲାବେଳେ ଭାଇ ମାନେ ସିନା କଳି କରୁଥିଲେ , ହେଲେ ସାମାନ୍ୟ ଜ୍ଞାନ ବୁଦ୍ଧି ଓ ବିଚାର କରିବାର ବୟସ ହେଲାପରେ ଭାଇ ମାନେ ମଧ୍ୟ ହାତ ଚକିରେ ବସେଇଲେ ଭଉଣୀକୁ । ଶିକ୍ଷାଦାନରେ ଦିନ ଯାକ ବକବକ କରି କ୍ଳାନ୍ତ ହେଇ ଘରକୁ ଫେରି ମୋ ଝିଅକୁ ଥରେ ଦେଖିଦେଲେ ମୋ ଶ୍ରମ ହରିଯାଉଥିଲା । ତରୋତାଜା ହେଇଯାଉଥିଲି ଆସନ୍ତା କାଲିର ଯାତ୍ରା ଲାଗି ।
ଆଉ ଟିକେ ବଡ଼ ହେଲାପରେ ମୋର ଦେହ ପା ହେଲେ ଓଷଦ ମୁଳୁକା ରୁ ଆରମ୍ଭ କରି ସେବା ନେବା ପର୍ଯ୍ୟନ୍ତ ଗୋଡେ଼ ଗୋଡେ଼ ଜଗି ରହୁଥିଲା । ଭାଇମାନେ ମଧ୍ୟ ଭଉଣୀ ଉପରେ ନିର୍ଭରଶୀଳ ହୋଇଯାଇଥିଲେ ନିଜ ନିଜର ଗୃହ ଆବଶ୍ୟକତା ଲାଗି । ଘରେ ସମସ୍ତଙ୍କ ମୁହଁରେ ମୋ ଝିଅର ନାଁ ।
କେତେବେଳେ ବାଲ୍ୟରୁ କିଶୋରୀ ଆଉ କିଶୋରୀରୁ ପୂର୍ଣ୍ଣ ଯୌବନା ଯୁବତୀରେ ପରିଣତ ହେଇଗଲା ମୁଁ ଜାଣି ପାରିଲିନି । କେମିତି ଜାଣିଥାନ୍ତି ଯେ , ମୁଁ ପରା ବାପ ତାର । ମୋ ଆଖିରେ ତ ସେ ସେଇ ଅଲିଅଳୀ ଅଝଟିଆ କୁନି ଝିଅଟିଏ ।
ମୋ ଝିଅର ପାଠଶାଠ ଗୁଣ ଗାରିମାରେ ଆଖପାଖ ଦଶଖଣ୍ଡ ଗାଁରେ ମୋର ସୁନାମ । ଶୁଣୁଥିଲି ଯେବେ ମନେମନେ ଫାଟି ପଡ଼ୁଥିଲି ଖୁସିରେ । ଗର୍ବ ବି କରୁଥିଲି ଝିଅକୁ ନେଇ । ଛୋଟ ଥିଲାବେଳେ ଯେବେ କୋଳରେ ଧରୁଥିଲି ଲାଗୁଥିଲା ସତେ ଯେମିତି ବ୍ରହ୍ମାଣ୍ଡ ଠାକୁରାଣୀଙ୍କୁ ମୁଁ ମୋର ଝିଅ ରୂପରେ କୋଳରେ ଧରିଛି । ମନେମନେ ଭାବୁଥିଲି ମୋ ପରି ଭାଗ୍ୟବାନ ମଣିଷ ଏ ସଂସାରରେ ଆଉ କେହି ନାହାଁନ୍ତି । ବିଦ୍ୟାଳୟରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଦେବାରେ ମଧ୍ୟ କୁଣ୍ଠା ବୋଧ କରିନି ମୋ ସ୍ୱଳ୍ପ ବେତନକୁ ଆଖିରେ ରଖି ।
ବଡ଼ପୁଅଟି ଯାହା ହଉ ତାର ନିଜ ଚେଷ୍ଟାରେ ଚାକିରୀ ଖଣ୍ଡେ କଲା । ଏଥର ସାନ ଦୁଇଜଣଙ୍କ ପାଠପଢ଼ାର ଗୁରୁଦାୟିତ୍ୱ କୁ ସେ ମୋ କାନ୍ଧରୁ ଓହ୍ଲେଇ ନେଇ ନିଜେ କାନ୍ଧେଇଲା । ସାନଭାଇ ର କୌଣସି ଆବଶ୍ୟକତା ବରଂ ବିଳମ୍ବ ହେଇଯିବ ହେଲେ ତା ଭଉଣୀ ଯାହା କହିଥିବ ସେଇଟା ଆଗ ପୂରଣ କରୁଥିଲା । ମୁଁ ବି ବଡ଼ ପୁଅର ଏମିତି ଉଦାରତା ଦେଖି ଖୁସି ହେଉଥିଲି । ଭାବୁଥିଲି ମୋର ବ୍ୟାପିଥିବା ଆଦର୍ଶକୁ ମୋ ପିଲାମାନେ ଠିକ ମୁଣ୍ଡେଇବେ ।
ଦିନେ ସକାଳୁ ସକାଳୁ ଡାକବାଲା ମୋ ନାଁ ରେ ଆସିଥିବା ଏକ ଚିଠି ଦେଇଗଲା ।
ବାପା ମୋତେ ଖୋଜିବାକୁ ଚେଷ୍ଟା କରିବନି । ତୁମ ଆଦର୍ଶର ବୋଝକୁ ମୁଣ୍ଡେଇ ମୁଁ ଅଣନିଶ୍ୱାସୀ ହେଇ ପଡ଼ିଲିଣି । ମୁଁ ମୋ ପସନ୍ଦର ପିଲାକୁ ଆଜି ବାହା ହେଉଛି । ତୁମ ଆଶୀର୍ବାଦର ଆବଶ୍ୟକତା ନାହିଁ । ମୋତେ ଖୋଜି ବ୍ୟସ୍ତ ନହେବା ଲାଗି ଏ ଚିଠି ଲେଖାର ଆବଶ୍ୟକତା ମନେକଲି ।
ଇତି ତୁମ ଝିଅ ।
ଚିଠିଟି ପଢ଼ିସାରିବା ପରେ ଚାରିଆଡ଼ ଅନ୍ଧାର ଦିଶିଲା । ମୁଁ ବିଶ୍ବାସ କରିପାରିଲିନି ଏ ସତ ଚିଠିବୋଲି । ମୋ ମନର ଶଙ୍କାକୁ ମୁଁ ରାତ୍ରୀର ଗାଢ଼ ଅନ୍ଧକାରରେ ଶୋଇ ସ୍ବପ୍ନ ଦେଖୁନି ତ । ଚିଠିର ପ୍ରତିଟି ଶବ୍ଦକୁ ପ୍ରତିଟି ଅକ୍ଷରକୁ ବାରମ୍ବାର ଅନେକ ଥର ପଢ଼ିବାରେ ଲାଗିଥାଏ । ବାସ୍ତବତାକୁ ସ୍ୱୀକାର କରିବାର ସାହାସକୁ ମୁଁ ମୋ ଭିତରେ ଆବିଷ୍କାର କରିବାକୁ ଅସମର୍ଥ ହେଉଥାଏ ।
ବଡ଼ପୁଅ ଅଫିସ ଯିବା ଲାଗି ଘରୁ ବାହାରକୁ ଆସି ମୋତେ ସ୍ଥିର ଅଚଳ ଅବସ୍ଥାରେ ଦେଖି ମୋ ହାତରୁ ଚିଠିଟି ନେଇ ପଢ଼ିଲା ।
ବାପା , ବାପା ସେ ବାୟାଣୀ ଆମ ସମସ୍ତଙ୍କ ସାଙ୍ଗରେ ଗମାତ ହେଉଛି ବୁଝିଲ । ମେଞ୍ଚଡ଼ ପିଲାଟେ କେତେ ବୁଦ୍ଧି ହେଲାଣି ଦେଖତ ତାର । ହସି ଉଠିଲା ପୁଅମୋର ।
ମୋ ଅଚଳ ଶରୀରରେ ପୁନଃ ଜୀବନ ପ୍ରବେଶ କଲା ।
ତୁମେ ବ୍ୟସ୍ତ ହୁଅନି ବାପା ମୁଁ ହେଇ ଏବେ ବାହାରିଲି ତାକୁ ଦେଖି ଆସିବି । ଆଗକୁ ତାର ଶେଷ ପରୀକ୍ଷାଟେ ଅଛିତ ତେଣୁ ମନ ହାଲ୍କା କରିବାକୁ ଏମିତି ଗେଲନବରଙ୍ଗ ହେଇଛି । ଗୋଟେ ଦିନ ପାଇଁ ହେଉପଛେ ତାକୁ ସାଙ୍ଗରେ ନେଇ ଆସିବି । ସନ୍ଧ୍ୟାରେ ତୁମ ଝିଅ ତୁମ ପାଖରେ ଥିବ ହେଲା ।
ପୁଅ ମୋର ଚାଲିଗଲା ସାଙ୍ଗରେ ତାର ଗେହ୍ଲା ଭଉଣୀକୁ ଆଣିବାକୁ । ସନ୍ଧ୍ୟା ଯାଇ ରାତି ଘଡ଼ିଏ ହେଲା , ନା ପୁଅ ଫେରିଲା ନା ମୋ ଝିଅ । ମନକୁ ନାନା ପାପ ମାଡ଼ି ଆସୁଥାନ୍ତି । ନିଜେ ନିଜକୁ ସାହାସ ଧୈର୍ଯ୍ୟ ଦେଉଥାଏ ।
ରାତି ପାହିଲା । ବଡ଼ି ଭୋରରୁ ବାହାରେ କୋଳାହଳ ଶୁଣି କବାଟ ଖୋଲିଲି । ବାହାରେ ଯା ଆସ କରୁଥିବା ମୋ ଗାଁ ର ପଡ଼ୋଶୀ ମାନେ ମୋତେ ଅପରିଚିତଙ୍କ ପରି ଦେଖୁଥିଲେ । ହେଲେ ସେମାନଙ୍କ ଆଖିରେ ମୋ ପ୍ରତି ଦୟାଭାଵ ସ୍ପଷ୍ଟ ବାରି ହେଇ ପଡ଼ୁଥିଲା । ପେଟ ଭିତରଟା ମୋର ଘାଣ୍ଟି ଚକଟି ହେଉଥାଏ ।
ସାନପୁଅ ସେଦିନ ମୋ ଆଗରୁ ଉଠିପଡ଼ି ସେ ଜନସମାଗମରୁ ବାହାରି ଆସି ମୋତେ କୁଣ୍ଢେଇ ପକେଇଲା । ତା ଦେହର ଭାରରେ ସେଦିନ ମୁଁ ଟଳମଳ ହେଇଯାଇଥିଲି । ମୋ କାନ୍ଧ ଉପରଟା ଓଦା ହେଇଯାଇଥିଲା ତା ଆଖିର ଉଷୁମ ଲୁହରେ । କିଛି ବୁଝିବା ଆଗରୁ ସେ ମୋତେ ବସେଇଦେଲା ।
ବାପା ବିଲକୁଲ ବ୍ୟସ୍ତ ହୁଅନି ମୁଁ ଅଛି ପରା । ତୁମ କଥାରୁ କେବେବି ଅବାଧ୍ୟ ହେବିନି । ମୁଁ ତୁମର ଦୁଃଖର କାରଣ କେବେବି ହେବିନି । ତାପରେ ମୋ ହାତଧରି ଗାଁ ଲୋକଙ୍କ ଧାଡ଼ିରେ ମୋତେ ମଧ୍ୟ ନେଇଗଲା ସମସ୍ତେ ଅଟକୁଥିବା ଜନଗହଳି ସ୍ଥାନକୁ ।
ସେଠାର ଦୃଶ୍ୟ ଦେଖି ସଂଜ୍ଞାହୀନ ହୋଇପଡ଼ିଲି ମୁଁ । କେଉଁ ବାପା ତା ପୁଅର ଝୁଲନ୍ତା ଶବ ଦେଖି ଧୈର୍ଯ୍ୟ ଧରିବ !? ଦୁଇଦିନ ପରେ ନିଜକୁ ଡାକ୍ତରଖାନାରେ ଆବିଷ୍କାର କଲି । ସୁସ୍ଥ ହୋଇ ଘରକୁ ଫେରିଲା ପରେ ଆରମ୍ଭ ହେଲା ଝିଅର ବାପ ହେବାର କଠିନ ପରୀକ୍ଷା ।
ବାପ ହିସାବରେ ସବୁକିଛି ହରେଇବାପରେ ସାମାଜିକ ସମ୍ମାନଟିକୁ ବଳି ପକେଇବାର ସତସାହାସ ଆଉ ନଥିଲା । ତଥାପି ନୀରବ ରହିଲି । ଅସହ୍ୟ ଥିଲା ସେ ଟାହି ଟାପରା ସବୁ । ମାଉସୀ ତୁମର ଖାଇବା ପିଇବା ଛାଡ଼ି ରୋଗୀଣା ହେବାକୁ ଲାଗିଲେ । ମୁଁ ବାହ୍ୟ ଦାମ୍ଭିକତାରେ ନିଜକୁ ଜୀବିତ ରଖିବାର ଯଥାସମ୍ଭବ ପ୍ରୟାସ କରୁଥାଏ । ମାସଟେ ବିତିନି ଝିଅ ମୋର ଆଉ ଖଣ୍ଡେ ଚିଠି ପଠେଇଥିଲା ।
ବାପା ଭାଇଙ୍କ କଥାଶୁଣି ମନଦୁଃଖ ହେଲା । ହେଲେ ବାପା ତମେ କୁହ ମୁଁ କେମିତି ମୋ ପ୍ରେମକୁ ଛାଡ଼ି ତା ସାଙ୍ଗରେ ଯାଇଥାନ୍ତି । ଜୋରକରି ମୋ ହାତଧରି ନେଇଯିବାକୁ ବାହାରିଲା ତେଣୁ ତୁମ ଜ୍ବାଇଁ ତାକୁ ଚାପୁଡ଼ାଟେ ଦେଇଥିଲେ । ଭାଇ ଚାହୁଁଥିଲା ମୁଁ ଭାଇକୁ ସମର୍ଥନ କରିଥାନ୍ତି ।
ହେଲେ ଭାଇ ଭୁଲିଗଲା ଯେ ବାହା ହେଇଥିବା ଝିଅ ଉପରେ କେବଳ ତାର ସ୍ୱାମୀର ଅଧିକାର ଥାଏ ବୋଲି । ଯଦି ଭଉଣୀକୁ ଏତେ ଭଲପାଉଥିଲା ତେବେ ଭଉଣୀ ଲାଗି ଗୋଟେ ଚାପୁଡ଼ା ସହିପାରିଲାନି ? ଶେଷରେ ଆତ୍ମହତ୍ୟା !?
ବାପା ଜୀବନ ମରଣ ତ ଉପର ବାଲାର ହାତରେ ତେଣୁ ତୁମେ ଏସବୁରେ ଦୁଃଖ କରନି । ମୋତେ ମୋ ପ୍ରେମ ସହିତ ବଞ୍ଚିବାକୁ ଦିଅ ।
ରହୁଛି ।
ଚିଠିଟି ପଢ଼ିସାରିଲା ବେଳକୁ ମୁଁ ମୋର ବାକି ଜୀବନ ବିଷୟରେ ନିଷ୍ପତ୍ତି ନେଇ ସାରିଥିଲି । ଛାତିରେ ପଥର ରଖି ଭିଟାମାଟି ଛାଡ଼ି ଖୋଜୁଥିଲି ଏକ ନିରୋଳା ସ୍ଥାନ । ଏଇଠି ପହଁଞ୍ଚିବା ପରେ ମୋ ଅନ୍ୱେଷଣର ପରିସମାପ୍ତି ଘଟିଥିଲା । ସାନପୁଅ ମୋ କାନ୍ଧରେ ମୁଣ୍ଡରଖି ଯେଉଁ କଥା ଦେଇଥିଲା ତାହା ଅକ୍ଷରେଅକ୍ଷରେ ପାଳିଛି ଆଜି ଯାଏ ।
ହେଲେ ମୋର ସେସବୁରେ କଣ ଯାଏ ଆସେ ? ମଲା ମଣିଷର କଣ ଆଉ ଦ୍ଵିତୀୟ ଥର ମୃତ୍ୟୁ ହୁଏ !? ଗାଁ ଛାଡ଼ି ଆସିବା ପୂର୍ବରୁ ଝିଅକୁ ଖଣ୍ଡେ ଚିଠି ମୁଁ ବି ଲେଖିଥିଲି ।
ମୋର ସର୍ବସ୍ୱ ଲୁଟିନେଲା ପରେ କେବଳ ଗୋଟେ ପ୍ରଶ୍ନର ଉତ୍ତର ଚାହୁଁଛି ମୁଁ ତୋ ପାଖରୁ । ତୁ ଯାହା କଲୁ ସେଇଟା ଯଦି ପ୍ରେମ ତେବେ ମୋର ତୋ ପାଇଁ ଯାହାଥିଲା ସେଇଟା କଣ ?
ଖାଲି ମୁଁ ନୁହେଁ ମୋ ପରି କୋଟିକୋଟି ବାପା ଭାଇ ମାନେ ନିଜର ଝିଅ ଆଉ ଭଉଣୀମାନଙ୍କୁ ଖୁସିରେ ରଖିବାକୁ ଯାହା ସବୁ କରନ୍ତି ସେଇଟର ବ୍ୟାଖ୍ୟା କଣ ହେବ ? ମୋର ଉତ୍ତର ଦରକାର ନାହିଁ । କେବଳ ତୋତେ ହୃଦୟଙ୍ଗମ କରେଇବାପାଇଁ । ମୋ ଠିକଣା ଆଉ ପାଇବୁନି ତୋର ଲଜ୍ଜାହୀନ ମନର ଶାବ୍ଦିକ ବାଣରେ ମୋତେ କ୍ଷତାକ୍ତ କରିବାକୁ । ଯେଉଁ ଭଗବାନ ଜନ୍ମ ମରଣ ନିୟନ୍ତ୍ରଣ କରୁଛନ୍ତି ସେ ହିଁ ତୋତେ ଖୁସିରେ ରଖନ୍ତୁ ।
ଚାଲିଆସିଥିଲି ଏଇଠିକି । ମୋର ପ୍ରେମାଳୁ ଝିଅ ଦୁଇବର୍ଷ ପରେ ଗାଁ କୁ ଆସିଥିଲା । ଦୁଆରେ ଦୁଆରେ ବାପର ଠିକଣା ଖୋଜୁଥିଲା । ତାର ତଲାକ ହେଇଯାଇଛି କହୁଥିଲା । ଏବେ ଚାକିରୀ କରିଛି ଆଉ ଏକାଏକା ରହି କେବଳ ବାପାଙ୍କୁ କ୍ଷମା ମାଗିବ ବୋଲି ବାତୁଳୀ ହେଉଛି । କେମିତି ଯିବି ତା ସାମ୍ନାକୁ ? ମୋ ଜୁଆନ ପୁଅର ଝୁଲନ୍ତା ଶବକୁ ପୁନର୍ବାର ଦେଖିବାର ସାହାସ ମୋ ପାଖରେ ଆଉ ନାହିଁ ।
ଆଚ୍ଛା ବାବୁ ମୋତେ ଗୋଟେ କଥା କହିଲ । ଏ ପ୍ରେମ କଣ ଲିଙ୍ଗିକ ସୀମା ଭିତରେ ଆବଦ୍ଧ ? ପ୍ରେମର ବିଶ୍ଳେଷଣ କଣ ଏତେ ସୀମିତ !? ନା , ଆଜିର ଏ ଯୁବ ପିଢୀଙ୍କୁ ଏସବୁ ବୁଝେଇବାର କୌଣସି ଆବଶ୍ୟକତା ନାହିଁ । ସେମାନଙ୍କୁ ବାପା ମା ହେବାକୁ ଦିଆଯାଉ ।
ଝିଅର ତଲାକ ପରେ ଝିଅ ଯେଉଁ ଚାକିରୀ କରି ନିଜକୁ ପ୍ରତିପାଳିତ କରୁଛି ସେ ପ୍ରତିପାଳନର ଯୋଗ୍ୟତା କଣ ବାପ ଭାଇଙ୍କର ପ୍ରେମ ନୁହେଁକି ?
ମଉସା ନୀରବୀ ଯାଇଥିଲେ ? ଝଡ଼ ପରର ସମୁଦ୍ର ପରି । ମୋର ମଧ୍ୟ ଆଉ ପ୍ରଶ୍ନ ନଥିଲା ପଚାରିବାକୁ । କିନ୍ତୁ ପିତୃତ୍ବ ଆବିଳତାର ବିଶାଳ ସମୁଦ୍ର ଭିତରେ ମୋ କୁନି ଝିଅର ମୁହଁ ଦିଶିଯାଉଥିଲା । ଭୟ ଆଉ ଶଙ୍କା ଭିତରେ ଥାଇ ମଧ୍ୟ ନିଜକୁ ସବୁ ପରିସ୍ଥିର ସମ୍ମୁଖୀନ କରେଇବାକୁ ପ୍ରସ୍ତୁତ କରୁଥିଲି ।
ସମୟକ୍ରମେ ମୋର ଏକାକୀ ସମୟ ସବୁ ମଉସାଙ୍କ ଲାଗି ସମର୍ପିତ ହେଇଗଲା । ଗ୍ରୀଷ୍ମର ଥୁଣ୍ଟା ଗଛରେ ବର୍ଷା ଆଗମନର ସବୁଜିମା କୁ ମୁଁ ସ୍ପଷ୍ଟ ଦେଖିପାରୁଥିଲି । ସେମିତି ନିଜ ଭିତରେ ଦୁଃଖର ପାହାଡ଼ର ବୋଝ ତଳେ ନୀରବୀ ଯାଇଥିବା ମଉସାଙ୍କ ଜ୍ଞାନ , ଆଉ ଜୀବନ ଅନୁଭବରେ ମୁଁ ନିଜକୁ ସିଞ୍ଚିତ କରୁଛି ଆଜିଯାଏଁ ।