ABhimanyu Panda

Classics

3  

ABhimanyu Panda

Classics

ବଜ୍ର ବକ୍ଷ

ବଜ୍ର ବକ୍ଷ

11 mins
550



ସୁନାର ପଞ୍ଜୁରୀରେ ପିଞ୍ଜରା ବଦ୍ଧ ପକ୍ଷୀଟିଏ । ଖାଇବାକୁ ନାନା ଫଳମୂଳ ମିଳୁଛି । ସୁଗନ୍ଧିତ ଜଳ ମଧ୍ୟ ପାନୀୟ ଲାଗି ଖଞ୍ଜା ଯାଇଛି । ପାଳିଥିବା ସଦସ୍ୟଙ୍କ ପରିଚିତ ମାନଙ୍କର ନୟନର ତାରା ସେ । ତଥାପି ପକ୍ଷୀଟିର ଚଞ୍ଚୁ ରକ୍ତାକ୍ତ । ଭଗ୍ନ ଡେଣା ତାର । 

ମାଲିକ ନିଜ ପ୍ରିୟ ପାଳିତ ପକ୍ଷୀଟିର ଏପରି ଅବସ୍ଥାରେ ମର୍ମାହତ । କାରଣ ଖୋଜି ନପାଇ କେବଳ ଚିନ୍ତିତ ରହୁଛି ଯାହା । ପକ୍ଷୀଟି ମଧ୍ୟ ଅଭିନୟ କରିବାରେ ସିଦ୍ଧହସ୍ତ । ମାଲିକ ଆଗରେ ଶାନ୍ତ ଆଜ୍ଞାକାରୀ । ଆଗନ୍ତୁକ ମାନଙ୍କ ଆଗରେ ନିଜ ଅଭିନୟର ସୁନ୍ଦର ଉପସ୍ଥାପନ , ଚମତ୍କାର ଚାଲିଚଳନ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ । ତେଣୁ ମାଲିକ ପକ୍ଷୀର ଆହତ ହେବା ପଛର କାରଣ ବିଷୟରେ ଅଜ୍ଞ । 

ଚିନ୍ତିତ ମାଲିକ ପକ୍ଷୀଟିର ଏମିତି ଅବସ୍ଥା ଭାବୁଭାବୁ ଥରେ ବିଳମ୍ବିତ ରାତ୍ରିରେ ଏକ ଅପ୍ରତ୍ୟାଶିତ ଶବ୍ଦ ଶୁଣିବାକୁ ପାଇଲା । ଶବ୍ଦର ଦିଗକୁ , ଶବ୍ଦର ଉତ୍ପତ୍ତିକୁ ଅନୁକରଣ କରି ଯାହା ଦେଖିଲା ନିଜ ଆଖିକୁ ଵିଶ୍ଵାସ କରିପାରିଲା ନାହିଁ । 

ପକ୍ଷୀଟି ନିଜର ଚଞ୍ଚୁକୁ ଖୁବ ଜୋରରେ ପଞ୍ଜୁରୀରେ ଆଘାତ ଦେଉଥାଏ । ନିଜର ଡେଣାକୁ ପଞ୍ଜୁରୀର ସୀମିତ ଅଞ୍ଚଳରେ ଖୁବ ଜୋରରେ ବାଡ଼େଇ ବାଡ଼େଇ ଉଡ଼ିବାକୁ ଚେଷ୍ଟା କରୁଥାଏ । ପଞ୍ଜୁରୀ ଓ ପାଳିତର ନିକଟବର୍ତ୍ତୀ ନହୋଇ ମାଲିକ ଜଣକ ପକ୍ଷୀଟିର ଦୃଷ୍ଟି ଆଢୁଆଳରେ ନିଜକୁ ରଖି ବୁଝିବାକୁ ଚେଷ୍ଟା କରୁଥାଏ ପକ୍ଷୀଟି କରୁଥିବା କର୍ମ ବିଷୟରେ । କିଛି କ୍ଷଣ ଭିତରେ ମାଲିକ ଜଣକର ଆଖି ଛଳଛଳ ହୋଇଗଲା । 


ବୁଝିଯାଇଥିଲା ସେ ନିଜର ପ୍ରିୟ ପାଳିତର ସଂଘର୍ଷକୁ , ତାର କ୍ଷୋଭକୁ , ତାର ଅନ୍ତର୍ବେଦନାକୁ । କିଛି ନକହି (ଅ)ଭାବି ମାଲିକଟି ଏକବାରେକ ସ୍ୱଚ୍ଛଳ ହୋଇଯାଇଥିଲା । ପକ୍ଷୀଟି ନଜାଣିଲା ପରି ଚୁପିଚୁପି ପଞ୍ଜୁରୀ ପାଖରେ ପହଞ୍ଚି ଖୋଲି ଦେଇଥିଲା ମୁକ୍ତିର ଦ୍ୱାର । ପକ୍ଷୀଟି ମାଲିକକୁ ଦେଖିଲା । ପଞ୍ଜୁରୀ ବାହାରକୁ ବାହାରି ଆସି ଭଲକରି ଥରେ ଚାହିଁଲା ମାଲିକକୁ । ପ୍ରଶ୍ନଟିଏ ପଚାରିଲା ,

ଏତେ ଦିନ ଲାଗିଗଲା ମୋ ଅନ୍ତର୍ବେଦନାକୁ ବୁଝିବାକୁ !? ମାଲିକ ମର୍ମାହତ , ଲଜ୍ଜିତ । ତଥାପି ପକ୍ଷୀଟି ଅନୁମତି ମାଗିଲା ଉଡ଼ିଯିବାକୁ ମୁକ୍ତାକାଶକୁ । ଅନୁମତି ପାଇ ଚାଲିଗଲା ସ୍ୱଚ୍ଛନ୍ଦରେ । 


ଉଡ଼ି ଉଡ଼ି ବୃନ୍ଦାବନରେ ଖବର ପହଞ୍ଚିଛି କୁରୁକ୍ଷେତ୍ରରେ କୃଷ୍ଣ ଉପସ୍ଥିତ । ବିଶ୍ୱଇତିହାସର ମହାସମର ହେବାକୁ ଯାଉଛି । ପ୍ରେମାସିକ୍ତ ଗୋପୀ ହୃଦୟ ସେ ସମର ଫମର ବିଷୟରେ କାହୁଁ ବୁଝିବ । ସେ ତ କେବଳ ଆଉ କେବଳ ପ୍ରେମ କରି ଜାଣିଛି , ଦେଇ ଜାଣିଛି ପ୍ରେମ । ବଦଳରେ ପ୍ରେମ ମିଳୁ ବା ନମିଳୁ । କଥାଟା କାନରୁ ଦି କାନ ,ଏମିତି ହେଇ ସାରା ବୃନ୍ଦାବନରେ ବ୍ୟାପିଗଲା । 


କେହି କାହାକୁ ନ ଡାକି ବି ଆପେଆପେ ରୁଣ୍ଡ ହେଇଗଲେ ରାଧାରାଣୀଙ୍କ ଘର ପାଖରେ । ସବୁ ପ୍ରେମୀ ଏକଠାବେ ଠୁଳ । ପ୍ରେମୀ ମାନଙ୍କର କିଛି ସ୍ୱତନ୍ତ୍ର ଲକ୍ଷଣ ଥାଏ ,, ଯେମିତି ପ୍ରେମୀ ମାନେ ବୁଦ୍ଧିଶୂନ୍ୟ । ସେମାନେ ବିଦ୍ରୋହ ନ ଆଚରିଲେ ବି ସମାଜ ସେମାନଙ୍କୁ ବିଦ୍ରୋହୀ ଆକ୍ଷା ଦେଇଥାଏ । ପ୍ରେମିକ/ପ୍ରେମିକା ବ୍ୟତୀତ ସେମାନେ ଅନ୍ୟ ବିଷୟରେ ଭାବି ପାରନ୍ତିନି ଅବା ଭାବିବାକୁ ଭଲ ପାଆନ୍ତିନି ନଚେତ ଅସମର୍ଥ ଥାଆନ୍ତି ଭାବିବାକୁ । କୌଣସି ଗୋଟେ କାରଣ ଥାଇପାରେ । 

ପ୍ରକୃତ ପ୍ରେମୀକୁ ନିନ୍ଦା ଶୁଭେନି , ପ୍ରଶଂସା ସେମାନେ ଚାହାନ୍ତିନି । ପ୍ରେମୀ ପ୍ରେମ କରିବାରେ ଥକି ପଡ଼ନ୍ତିନି । ଯେଉଁଠି ଦେହ ଥାଏ ସେଠି ଥକି ପଡ଼ିବାର ସମ୍ଭାବନା ଶତ ପ୍ରତିଶତ । ପ୍ରେମ ତ ଦେହାତୀତ ସେଠି ଆଳସ୍ୟର ପ୍ରଶ୍ନ ଉଠେନି । ଯେଉଁଠି ଦେହ ସମ୍ପୃକ୍ତ ତାହା କୌଣସି ମତେ ପ୍ରେମ ହୋଇପାରେନା । 

ଗୋପୀଗଣ ଏକତ୍ରିତ ହେବାପରେ ଟୁପୁରୁଟାପର କଥା ଆରମ୍ଭ କରିଦେଲେ । ଜଣେ ଅନ୍ୟ ଜଣକୁ ଜାଣିଛ ସଖୀ ସେ ଅମୁକ ଦେଶର ରାଜା ଆମ କହ୍ନେଇ ସପକ୍ଷରେ ଅଛି ଆଉ ଅମୁକ ଦେଶର ରାଜା ଆମ ନୀଳମଣି ବିପକ୍ଷରେ । 

ପୋଡ଼ା ମୁହାଁଟା ଯୁଦ୍ଧକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ବାଟରେ ପଡ଼ି ନମଲା କେମିତି କେଜାଣି , ବିରୋଧରେ ଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଏମିତି କୁହାକୁହି ଚାଲିଥାଏ । କେହିକେହି କହୁଥାନ୍ତି ବକଟେ ଛୁଆ ଆମର ଜନମ ବେଳରୁ ତା ପଛରେ ଶତୃ ଲାଗିଛନ୍ତି । କେଡ଼େ ନିର୍ଦୟ ସତରେ ଏ ମଣିଷ ଗୁଡ଼ା । 

ଗୋପୀଙ୍କ ଲାଗି ମହାଭାରତ ସମର କୌରବ ପାଣ୍ଡଵ ଯୁଦ୍ଧ ନଥିଲା । ତାହାଥିଲା କୃଷ୍ଣ ବନାମ ବିପକ୍ଷ । ନାନାକଥା କହିକହି ଛାଇଗଲା ନୀରବତା । ସମସ୍ତେ ଏକ ଲୟରେ ରାଧାରାଣୀଙ୍କୁ ଚାହିଁ ରହିଛନ୍ତି । ବୃଷଭାନୁସୂତାଙ୍କ ମତାମତ ଜାଣିବାକୁ ଅପେକ୍ଷାରତ ଗୋପୀ ବୃନ୍ଦ । 


କେବେ ହେଉଛି ଏ ଯୁଦ୍ଧ ? କିଏ ଜାଣିଛି ସଠିକ ଦିନବାର ?


 ରାଧାରାଣୀଙ୍କର ଏମିତି ପ୍ରଶ୍ନରେ କେହିଜଣେ ସମ୍ପୂର୍ଣ୍ଣ ଦିନ , ବାର , ସମୟ ନିର୍ଘଣ୍ଟ ଜଣେଇଦେଲେ ରାଧାରାଣୀଙ୍କୁ ତା ସହିତ ସମସ୍ତ ସମବେତଙ୍କୁ । 


ସବୁବେଳେ ଚିନ୍ତାଶୂନ୍ୟ ରହୁଥିବା କିଶୋରୀ ସାମାନ୍ୟ ଚିନ୍ତିତ ଲାଗିଲେ । ଉତ୍କଣ୍ଠାରେ ଗୋପୀ । ଚାହିଁ ରହିଥାନ୍ତି ରାଈଙ୍କୁ । ମୁହଁ ଖୋଲିଲେ ରାଧାରାଣୀ । ସମୟତ ବହୁତ ସ୍ୱଳ୍ପ ଆମ ହାତରେ । ଆମକୁ ଖୁବଶୀଘ୍ର କୁରୁକ୍ଷେତ୍ରରେ ପହଞ୍ଚିବାକୁ ପଡ଼ିବ । ଅନେକ ଦୁର୍ଗମ ପଥ ଅତିକ୍ରମ କରିବାକୁ ହେବ । ବସିବା ସ୍ଥାନରୁ ଉଠିପଡ଼ିଲେ କିଶୋରୀ । ବସିଥିବା ଅନ୍ୟମାନେ ବି ଠିଆ ହେଇ ପଡ଼ିଲେ । ସମସ୍ତଙ୍କ ଉପରେ ଥରେ ଆଖି ବୁଲେଇ ଆଣିଲେ ରାଧାରାଣୀ । ଆଖିରେ ଆଖିରେ କୁରୁକ୍ଷେତ୍ରରେ ପହଞ୍ଚିବାର ପ୍ରସ୍ତୁତିକୁ ପରଖିନେଲେ । ବାହାରି ଆସିଲେ ଘରୁ , ପଛେପଛେ ଗୋପୀ ମାନେ । 

ଯାତ୍ରା ଆରମ୍ଭ ହେଇଗଲା କୁରୁକ୍ଷେତ୍ର ଅଭିମୁଖେ । ଯିଏ ଯେମିତି ଯେଉଁ ବସ୍ତ୍ରରେ ଥିଲେ ସେମିତି ବାହାରି ପଡ଼ିଲେ । ଯାହାର ଯେଉଁ ପାଇଟି ଯେତିକିରେ ଥିଲା ସେତିକିରେ କାମ ଛାଡ଼ି ପ୍ରସ୍ତୁତ ହେଇଗଲେ । ହାତରେ ସମୟ ବି କମ । ସେମାନେ ତ ଯାଉଛନ୍ତି ତାଙ୍କ କହ୍ନେଇକୁ ଦେଖିବାକୁ । ସେଥିରେ ପୁଣି ସଜବାଜ କଣ ? 

କୃଷ୍ଣ ଏତେଦିନ ମଥୁରାରେ ରହିଲେ ଗୋପୀମାନେ କୃଷ୍ଣ ପାଖକୁ ଆସିବାକୁ ଚାହିଁଲେନି । ତାପରେ ଦ୍ଵାରିକାରେ ରହିଲେ କୃଷ୍ଣ । ସେତେବେଳେ ବି ଗୋପୀମାନେ ଭାବିନଥିଲେ କୃଷ୍ଣଙ୍କୁ ଦେଖିବା ପାଇଁ । ଆଜି ଯେତେବେଳେ ଭାରତ ଯୁଦ୍ଧରେ କୃଷ୍ଣର ଉପସ୍ଥିତି ଶୁଣିବାକୁ ପାଇଲେ ଆଉ ଅଟକାଇ ପାରିଲେନି ନିଜକୁ । କାଳେ କଣ ବିପଦ ପଡ଼ିବ କି ଆମ କାହ୍ନୁକୁ !? 

ଗୋପରେ କଂସ ଦୌରାତ୍ମ୍ୟରୁ ରାକ୍ଷସ ମାନେ କୃଷ୍ଣଙ୍କୁ ଆକ୍ରମଣ କରି ନିପାତ ହେବାପରେ ଗୋପୀମାନେ କୃଷ୍ଣଙ୍କର ନଜର ଉତାରି ଦିଅନ୍ତି । ପବିତ୍ର ଗୋମୂତ୍ରରେ ସ୍ନାନ କରାନ୍ତି , ଗୋମୟ ଲେପନ କରନ୍ତି ଏବଂ ଗୋ ରଜରେ ଚିତା ଲଗେଇ ଦିଅନ୍ତି ମସ୍ତକରେ । ଏଥର କିନ୍ତୁ ଗୋପୀମାନେ ପୂର୍ବରୁ ସଜାଗ ହେଇଗଲେ । ଅଘଟଣ ଘଟିବା ପୂର୍ବରୁ ଗୋପୀ ମାନେ କୃଷ୍ଣଙ୍କ ଲାଗି ଅଭେଦ୍ୟ କବଚ ପିନ୍ଧେଇ ଦେବାକୁ ଚାହୁଁଛନ୍ତି । 

ବାଟ ସାରା କୃଷ୍ଣଙ୍କର ଗୋପ ବୃନ୍ଦାବନ ଉପସ୍ଥିତି ବିଷୟରେ କଥା ହେଇହେଇ ଆଗେଇ ଚାଲିଥାନ୍ତି ଗୋପୀ ମାନେ । ପ୍ରେମୀପଣରେ ସିକ୍ତ ହେଲାପରେ ହୃଦୟରୁ ସମସ୍ତ ଘୃଣା ଆପେଆପେ ରିକ୍ତ ହୋଇଯାଏ । କୃଷ୍ଣଙ୍କୁ ଗୋପୀମାନଙ୍କ ଠାରୁ ଅଧିକ କେହି ପ୍ରେମ କରିପାରନ୍ତିନି ବୋଲି କୃଷ୍ଣ ନିଜେ ବାରମ୍ବାର ସ୍ୱୀକାର କରିଛନ୍ତି । 

ଆସିଲା ପରେ ଥରେ ବୃନ୍ଦାବନ ଆଡ଼େ ବୁଲି ଚାହିଁବାକୁ ବି ଭାବିଲେନି । କି ନିଷ୍ଠୁର ସତେ କୃଷ୍ଣଙ୍କର ସେ ହୃଦୟ । ନା ହୃଦୟ ଥିଲେ ସିନା ବୁଝିଥାନ୍ତେ !? ହୃଦୟ ବିହୀନ ସେ । ସେ ତ କେଵଳ ନିଜର ଚାଲାଖି ପ୍ରଦର୍ଶିତ କରି ଆସିଛି । ଏକଥା କିନ୍ତୁ ଗୋପୀମାନେ ଗ୍ରହଣ କରନ୍ତିନି । ଯଦି କୃଷ୍ଣଙ୍କ ବିରୁଦ୍ଧରେ ପଦଟିଏ କିଏ କହିଦେବ । ଦାନ୍ତ ଲଗେଇ ଦେବେ । କାରଣ ସେମାନେ ହୃଦୟବାନ । ଜୀବନ୍ତ ପ୍ରେମର ଅନନ୍ତକାଳ ପର୍ଯ୍ୟନ୍ତ ଉଦାହରଣ ରଖୁଥିବା ପ୍ରେମୀ ସେମାନେ । 

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଗୋପୀମାନଙ୍କର ନିଜର ବୋଲି ହୃଦୟଟିଏ ନାହିଁ । କେମିତି ରହିବ ଯେ । ସେମାନେ ତ ନିଜ ହୃଦୟରେ ବିରାଜିତ କରିଦେଲେ କୃଷ୍ଣଙ୍କୁ । ଦେଇଦେଲେ ଚିରକାଳ ପାଇଁ କୃଷ୍ଣଙ୍କୁ । 

ପୁରୁଷୋତ୍ତମ ରାମ କିନ୍ତୁ ଭିନ୍ନ । ବନଗମନରେ ଥିବାବେଳେ ଅଯୋଧ୍ୟା ନରନାରୀଙ୍କୁ ଚିନ୍ତି ଦୁଃଖି ହେଉଥିଲେ । ପିତାମାତା , ଭାଇ ବନ୍ଧୁଙ୍କୁ ଭାବି ବିକଳ ହେଇ ପଡ଼ୁଥିଲେ । ବନ ଗମନ ପରେ ପୁଣି ଫେରି ଆସିଥିଲେ ଅବଧ ପୁରକୁ । ସେ ବି ଚାହିଁଥିଲେ ନୂଆ ନଅର ଟିଏ ତୋଳେଇ ପାରିଥାନ୍ତେ । କିନ୍ତୁ ସେ ଥିଲେ ହୃଦୟବାନ । ଏ କୃଷ୍ଣଙ୍କ ପରି ସେ କୁଟୀଳ ମନୋଭାବର ନଥିଲେ । 

ଏପଟେ କୁରୁକ୍ଷେତ୍ରରେ ସମବେତ ନିଜ ପ୍ରିୟଜନଙ୍କ ଉପସ୍ଥିତିରେ ତୃତୀୟ ପାଣ୍ଡଵ ଯୁଦ୍ଧ ବିମୁଖ । ଗାଣ୍ଡିବ ରଖିଦେଇ କାତର ହୋଇ ସଖା କେଶବଙ୍କୁ ନିଜର କର୍ମ ବିମୁଖତାର କାରଣ ଜଣାଉଛନ୍ତି । 

ଜଗତ ଉଦ୍ଧାର କରିବା ଓ ପୁନଃ ଧର୍ମ ସ୍ଥାପନା କରିବାକୁ ଅବତାରୀ ହୋଇଥିବା ପରମ ସ୍ୱରୂପ କୃଷ୍ଣ ନିଜର ପ୍ରିୟସଖା ଅର୍ଜୁନଙ୍କ ମନର ସମସ୍ତ ସନ୍ଦେହ ଦୂର କରିଛନ୍ତି । ନିଜକୁ , ଅବୋଧ ଅଜ୍ଞାନୀ ମନେକରି ଜିଜ୍ଞାସୁ ଅର୍ଜୁନ ଗୋଟିଏ ପରେ ଗୋଟିଏ ଯଥାର୍ଥ ପ୍ରଶ୍ନ କରିଚାଲିଛନ୍ତି ନିଜର ସନ୍ଦେହ ମୋଚନ ଲାଗି । ସମସ୍ତ ଜ୍ଞାନ ପାଇଲା ପରେ ଅର୍ଜୁନଙ୍କ ମନରୁ ସନ୍ଦେହର କଳାବାଦଲ , ଅଜ୍ଞାନତାର ଅନ୍ଧକାର ଅପସରି ଯିବା ପରେ ମଧ୍ୟ ମନରେ ସାମାନ୍ୟ ଲୋଭ ରହିଯାଇଛି । 

ତାହା ଲୋଭ ନୁହେଁ ତ କୁହାଯାଇଥିବା ଶବ୍ଦର ବାସ୍ତବ ଓ ସାକାର ରୂପର ଦର୍ଶନ କରିବାର ଲାଳସା । ଭକ୍ତର , ଶରଣାଗତର ମନକଥା ଜାଣିପାରି ପରମେଶ୍ୱର ନିଜର ସ୍ଵକାୟାର ଦର୍ଶନ କରାଇଥିଲେ । ଏଥର ଅର୍ଜୁନ ମଧ୍ୟ ଗାଣ୍ଡିବରେ ଗୁଣ ଦେବାକୁ ପ୍ରସ୍ତୁତ । 


ବିଶ୍ୱକୁ ଅମୂଲ୍ୟ ଧନ ନିଜର ସ୍ୱରୂପ ଗୀତା ଅର୍ପିଦେଲା ପରେ ସଦା ହସୁଥିବା ସେ ପଦ୍ମମୁଖରେ ସାମାନ୍ୟ ବିସର୍ଣ୍ଣତା । ମାନବୀୟ ଲୀଳାର ଜୀବନ୍ତ ପରାକାଷ୍ଠା , ପ୍ରେମ ରଙ୍କୁଣାଙ୍କ ହୃଦୟରେ ଶୂନ୍ୟସ୍ଥାନ । ନନ୍ଦିଘୋଷ ଏବେବି ଦୁଇପକ୍ଷର ମଧ୍ୟରେ ଦଣ୍ଡାୟମାନ । ପରମ ସ୍ୱରୂପ ଓ ସ୍ୱ (ରୂପ)ଦର୍ଶନ ପରେ ଧନ୍ଯଞୟ ତୃପ୍ତ । କୃଷ୍ଣ ବିଚଳିତ । 

ଦୂରରୁ ମରିଚିକାରେ ଦିଶିଗଲା କିଛି ରଙ୍ଗର ସମାହାର । କୃଷ୍ଣ ନୟନରେ ସଦା ବନ୍ଦୀ ଥିବା ରାଧାରାଣୀଙ୍କୁ ଆଖିରେ ପୁନଃ ଦେଖିବାକୁ କୃଷ୍ଣ ଅସମର୍ଥ ହେଉଥାନ୍ତି । ବାରମ୍ବାର ଚେଷ୍ଟାରେ ବିଫଳ ହେବାପରେ । ପୂର୍ବରୁ ଅସ୍ପଷ୍ଟ ମରିଚିକାର ରଙ୍ଗ ସମାହାର ସାମାନ୍ୟ ସ୍ପଷ୍ଟ ହେବାକୁ ଲାଗିଲା । ସାରଥୀ କୃଷ୍ଣ ସାରଥୀ ଆସନରୁ ଉଠି ଠିଆ ହୋଇ ପଡ଼ିଲେ । ଆଖିରେ ହାତ ଦେଇ ଦୂରକୁ ଆହୁରି ଦୂରକୁ ଦେଖିବାକୁ ଲାଗିଲେ । 


ଏବେ ସେ ବାଳକଟିଏ । ପ୍ରେମ ରଙ୍କୁଣା , ଆଲିଙ୍ଗନ କୋଳ ରଙ୍କୁଣା ବାଳକ । ଆଖିରେ ଯାହା ଦେଖିଲେ , ଦେଖି ଯାହା ଅନୁମାନ କଲେ ସେ ଅନୁମାନରେ ଟିକିଏ ପୂର୍ବରୁ ଅର୍ଜୁନଙ୍କୁ ଭାବରେ ଓତଃପ୍ରୋତ କରିଥିବା କୃଷ୍ଣ ନିଜେ ଭାବ ବିହ୍ଵଳ ହେବା ସଙ୍ଗେସଙ୍ଗେ ଧାଇଁଯିବାକୁ ପ୍ରସ୍ତୁତ ହେଲେ ପାଖେଇ ଆସୁଥିବା ସେ ଅସ୍ପଷ୍ଟ ରଙ୍ଗ ସମାହାର ଆଡ଼କୁ । 


ଦୌଡ଼ି ଯିବା ପୂର୍ବରୁ କେହିଜଣେ ଭିଡ଼ି ଧରିଲା ପଛରୁ ତାଙ୍କୁ । ବୁଲି ଚାହିଁଲେ , କେହି ନୁହେଁ । ସେ ତ ସଞ୍ଜୟଙ୍କ ଦୃଷ୍ଟି , ନିଜେ ପ୍ରଦାନ କରିଥିବା ଅର୍ଜୁନର ଦିବ୍ୟଦୃଷ୍ଟି , ବେଲାଳସେନର କଟା ମୁଣ୍ଡରେ ଚମକୁ ଥିବା ଆଖି । ରହିଗଲେ । ଅପେକ୍ଷା କଲେ । ଅସ୍ପଷ୍ଟ ରଙ୍ଗ ସବୁ ସ୍ପଷ୍ଟ । ଦୁଇ ପକ୍ଷର ଯୋଦ୍ଧାଙ୍କ ମଝିରେ ସ୍ୱୟଂ ବୃନ୍ଦାବନ ଚାଲିଚାଲି ଆସୁଛନ୍ତି । 


କୃଷ୍ଣ ସେଇ କୁରୁକ୍ଷେତ୍ରର ଭୂମି ଉପରେ ଲୋଟି ଯିବାକୁ ଚାହୁଁଥିଲେ । ପାରିଲେନି । ତାଙ୍କ ନିଜର ଭିଆଣ ହିଁ ତାଙ୍କୁ ଏପରି କରିବାକୁ ଦେଉନଥିଲା । ଓହ୍ଲେଇ ପଡ଼ିଲେ ରଥରୁ । ଦୁଇପଟରେ ଦୁଇପକ୍ଷର ବିଶାଳ ସେନା ଯୁଦ୍ଧ ପ୍ରସ୍ତୁତିରେ । ଭାବୁଥିଲେ ଲୋଟି ନପାରିଲି ନାହିଁ ହେଲେ କିଛି ପାଦ ଆଗେଇତ ଯାଇ ପାରିବି !? ନା ପାରିବିନି ଇତିହାସ କଣ କହିବ ? 


ଆସୁଥିବା ଆଗନ୍ତୁକ ମାନଙ୍କ ସହିତ ଆଖି ନମିଶିଲା ପର୍ଯ୍ୟନ୍ତ ଚାହିଁ ରହିଥିଲେ ସେମାନଙ୍କ ଆଡ଼କୁ । ହଠାତ ଚୋରଙ୍କ ଭଳି ଆଖି ଚୋରେଇ ଆଣିଲେ । ଚୋରେଇ ଆଣିଲେ କହିଲେ ଠିକ ହବନି । ଏଇ କେଇ ମୁହୂର୍ତ୍ତ ପୂର୍ବରୁ ଚାହାନ୍ତା ବନ୍ଦୀଶାଳାରେ ଯେଉଁ ମୂର୍ତ୍ତି ଖୋଜୁଥିଲେ ହଠାତ ତାଙ୍କୁ ଦୂରରୁ ଦେଖିଲା ପରେ ପୁଣିଥରେ ବନ୍ଦୀଶାଳାରେ ବନ୍ଦୀ କରିବାର ପ୍ରୟାସରେ ଲାଗି ପଡ଼ିଲେ । 


ଏତେ କଥା ଶୁଣି ପ୍ରତ୍ୟକ୍ଷ କରିବା ପରେବି ଧନଞ୍ଜୟଙ୍କର ଅଶାନ୍ତ ମନ ପରମ ରୂପକୁ ଦେଖିବା ପରେ ଯାଇ ଶାନ୍ତ ହୋଇଥିଲା । ତେବେ କୃଷ୍ଣ ଆଖିଆଗରେ ଥାଇବି କଳ୍ପନା ନେତ୍ରରେ କେମିତି ଶାନ୍ତି ପାଇବେ !? ଅଭିନୟ କରିବାରେ ସେ ସିଦ୍ଧହସ୍ତ । ଇଚ୍ଛା ଥାଇବି ଆଖି ଟେକି ଚାହୁଁନଥାନ୍ତି । 

ଯୁଦ୍ଧ ଭୂମିରେ ଅଶ୍ୱ , ଗଜ ଙ୍କର ହୁଙ୍କାରକୁ , ଧନୁର ଟଙ୍କାରକୁ , ଗଦା ମୁଷଳର ପୃଥ୍ବୀ ଦୋହଲେଇବା ଭଳି ପରୀକ୍ଷଣ ପ୍ରହାରକୁ , ଶତ୍ରୁ ମନରେ ଭୟ ଉପୁଜାଇଲା ଭଳି ପ୍ରତିପକ୍ଷ ଯୋଦ୍ଧାଙ୍କର ରଣ ହୁଙ୍କାରକୁ ଲେଶମାତ୍ର ଭୃକ୍ଷେପ ନକରି ଗୋପୀଗଣ ଆଗେଇ ଚାଲିଥାନ୍ତି ନିଜ ଲକ୍ଷ୍ୟରେ । ଭୟ ବା ଆସିବ କେମିତି ଯାହାଙ୍କ ହୃଦ କନ୍ଦରରେ ସ୍ୱୟଂ ପରମ ପୂର୍ଣ୍ଣ ଆଭାରେ ପ୍ରକାଶିତ ସେ ପ୍ରାଣରେ ଭୟ ଜାଗ୍ରତ ହେବା ଅସମ୍ଭବ । ଟିକେ ପୂର୍ବରେ ଆଖି ବୁଲେଇ ଆଣିଲେ ଭକ୍ତ ଶିରୋମଣି ପ୍ରହଲ୍ଲାଦ ଦିଶିଯିବେ ନିର୍ଭୟର ଜ୍ୱଳନ୍ତ ଦୃଷ୍ଟାନ୍ତ ରୂପେ । ଏ ତ ଅନେକ ପ୍ରହଲ୍ଲାଦଙ୍କ ସମୂହ । ଭୟ ଏଠୁ ଭୟରେ ଅନେକ ଦୂରରେ । 


କୃଷ୍ଣ ଏବେବି ମଝିରେ ଦଣ୍ଡାୟମାନ । ନତ ମସ୍ତକ । କଳ୍ପନାନେତ୍ର ଉନ୍ମୁକ୍ତ ଥାଇବି ଦୃଶ୍ୟ ଅଦୃଶ୍ୟ । ଆଉ ସମ୍ଭାଳି ପାରୁନାହାନ୍ତି ନିଜକୁ । ସଂସାରକୁ ପରମ ଜ୍ଞାନର ଆଲୋକ ଦେଖେଇଥିବା ସ୍ୱୟଂ ପରମ ଏବେ ପ୍ରେମାସିକ୍ତ । ନଜାଣିଲା ପରି ଅଭିନୟ କରି ନତ ହୋଇଥିବା ମୁଣ୍ଡ ଉଠିଯିବାକୁ ଉଦ୍ୟତ । ଶରୀରର ପ୍ରତିଟି ଲୋମକୂପରୁ ଉଷ୍ମ ପ୍ରବାହ ପ୍ରବାହିତ । 


ଏତିକିବେଳେ କେହିଜଣେ କୃଷ୍ଣ ଚିବୁକରେ ହାତ ବୁଲେଇ ଆଣିଲେ । ଦୁଇଟୋପା ଲୁହ କୁରୁକ୍ଷେତ୍ରର ଶୁଷ୍କ ଭୂମିକୁ ଜଳାସିକ୍ତ କରିଦେଲା । କୃଷ୍ଣ ଆଖିର ଲୁହ !! କିଛି କମ କଥାନୁହେଁ । ସେ ବୁନ୍ଦାଟିକୁ ଅନ୍ୟ କେହି ଦେଖିବା ଆଗରୁ ଜାଣିବା ଆଗରୁ ନିଜର ବଡ଼ପଣକୁ ବଜାୟ ରଖିବା ପାଇଁ ମାୟାଧର ମାୟା ରଚିଲେ । ଗୋପୀ ବ୍ୟତୀତ ଅନ୍ୟ କେହି ଯେମିତି ନଦେଖି ପାରିବେ ସେ ମିଳନର ଅଶ୍ରୁକୁ । କୃଷ୍ଣ ଏବେବି ନତମସ୍ତକ । କିନ୍ତୁ ଗୋଟେ ପରେ ଗୋଟେ ଗୋପୀ ହାତ ଛୁଇଁ ଯାଉଥାଏ କୃଷ୍ଣଙ୍କୁ । କେହି ଗୋପୀର ଥରଥର ଓଠ ମଧ୍ୟ ଚୁମି ଯାଉଥାଏ କୃଷ୍ଣଙ୍କୁ । ହେଲେ କୃଷ୍ଣ ଶବ୍ଦ ପାଉ ନାହାଁନ୍ତି ନିଜର ଭାବନା ବ୍ୟକ୍ତ କରିବାକୁ । ଗୋଟେ ହାତ କିନ୍ତୁ ଉଠିଗଲା କୃଷ୍ଣଙ୍କ ତ୍ରିକୁଟ ପର୍ଯ୍ୟନ୍ତ । ସେ ହାତଟି ଲଗେଇଦେଲେ ଟୀକା ଟିଏ । କୃଷ୍ଣ ଚାହୁଁଥିଲେ ସେ ହାତଟିକୁ ଧରି ପକେଇବାକୁ । ପୁଣି କେହି ଦେଖି ନେବାର ଭୟ କୃଷ୍ଣଙ୍କୁ ତାହା କରେଇବାକୁ ଦେଲାନି । 

ଏବେ ନତମସ୍ତକ ରହିବା ସମ୍ଭବ ହେଉ ନଥିଲା । କଳ୍ପନାରୁ ବାହାରି ବାସ୍ତବକୁ ଅତି କମରେ ଆଉ ଥରେମାତ୍ର ଦେଖିନେବାର ଲାଳସା ପ୍ରବଳ ହେବାକୁ ଲାଗିଲାଣି ମନରେ । ଏବେଏବେ ତ ସେ ନିଜେ ଅର୍ଜୁନଙ୍କୁ ବୁଝେଇ ଦେଉଥିଲେ କି ଏ ଆଖିରେ ତୁ ଯାହାବି ଦେଖିବୁ ସବୁ ମାୟା । ମାୟାଧରଙ୍କୁ ପୁଣି ମାୟାଗ୍ରାସ !! କି ଅଦ୍ଭୁତ ବିରୋଧାଭାଷ !! କିନ୍ତୁ ଏସବୁ ପରିବର୍ତ୍ତେ ତ୍ରିକୁଟରେ ଲାଗିଥିବା ସେ ଟୀକାକୁ କୃଷ୍ଣ ଯେମିତି ଅପେକ୍ଷା କରିଥିଲେ । 

ଯୁଦ୍ଧରେ ପକ୍ଷ ଓ ପ୍ରତିପକ୍ଷରେ ଥିବା ସମସ୍ତ ଯୋଦ୍ଧା ନିଜ ନିଜର ଇଷ୍ଟଙ୍କୁ ସ୍ମରଣ କରି , ବୟୋଜ୍ୟୋଷ୍ଠ ମାନଙ୍କ ଆଶୀର୍ବାଦ ଗ୍ରହଣ କରି ଇଷ୍ଟଙ୍କ ପ୍ରସାଦ ସ୍ୱରୂପ ନିଜ ନିଜର ବିଜୟ ମନାସି ବୀଜୟ ଟୀକା ପିନ୍ଧି ଆସିଛନ୍ତି । କୃଷ୍ଣର ମସ୍ତକ ଏଇ ଟିକେ ପୂର୍ବରୁ ଟୀକା ଶୂନ୍ୟ ଥିଲା । ଏବେ ଭରିଗଲା । ଶୁଭଚିନ୍ତକଙ୍କ ଆଗମନ ହେଇ ସାରିଥିଲା । ଟୀକା ଲାଗେଇଥିବା ସେ ଶୁଭଚିନ୍ତକଙ୍କ ହାତକୁ ଇଚ୍ଛାଥାଇ ବି ଧରିପାରିଲେନି କୃଷ୍ଣ । କିନ୍ତୁ ନତ ନେତ୍ର ଓ ନତମସ୍ତକ ଆଉ ସମ୍ଭବ ହେଇ ପାରିନଥିଲା । ମିଶିଗଲା ଆଖିରେ ଆଖି । ଆଖି କହୁଥିଲା ଆଖି ଶୁଣୁଥିଲା । ଆଖି ଜଳ ପ୍ଳାବିତ ହେଲେ ବାହାରକୁ ସ୍ରୋତ ନଥିଲା । ଦିବ୍ୟଦୃଷ୍ଟି ପାଇଥିବା ଦ୍ରଷ୍ଟାମାନେ ଯୁଗଳ ଦର୍ଶନରେ କୃତ୍ୟ କୃତ୍ୟ ହେଲେ । 


ରାଧେ ତମକୁ ହିଁ ଅପେକ୍ଷା କରିଥିଲି ମୁଁ । ତମରି ହାତରୁ ବିଜୟ ତିଳକକୁ ଖୋଜି ହେଉଥିଲା ଏ ମନ । 


ରାଧାରାଣୀ ବି ଅଭିମାନର କୌଣସି ମଉକା ହାତ ଛଡ଼ା କରନ୍ତିନି ଏ ମୌକାକୁ କେମିତି ଛାଡ଼ିଥାନ୍ତେ ? ବଜ୍ରବକ୍ଷ କହ୍ନେଇ କେମିତି ଭାବି ପାରିଥିଲ ମୁଁ ଆସିବିନି ବୋଲି !!? ଏ କପଟ ନା ଅତି ବିଶ୍ୱାସ ନା ପରୀକ୍ଷା ? 


ପ୍ରାଣପ୍ରିୟେ ଯଦି କିଛି ନଭାଵିଵ କଥାଟିଏ କୁହନ୍ତି । 


ମନ୍ଦ ହସଟିଏ ଖେଳିଗଲା କିଶୋରୀଙ୍କ ମୁହଁରେ । ଅନୁମତି ମଧ୍ୟ ମିଳିଗଲା । 


ରାଧିକେ ତୁମ ବିନା କୃଷ୍ଣର କଣ କିଛି ପରିଚୟ ଥାଏ !? କେହି ନଜାଣିଲେ ତମେ ତ ଏକଥା ଭଲଭାବେ ଜାଣିଛ ପ୍ରେମ ରଙ୍କୁଣା କୃଷ୍ଣ କେବେଳ ଆଉ କେବଳ ଗୋପୀଙ୍କୁ ହିଁ ଏ ହୁଦୟରେ ବିରାଜିତ କରିଛି । ଏତେ ପରେବି ବଜ୍ରବକ୍ଷର ଲାଞ୍ଛନ !!? 


କିଶୋରୀଙ୍କ ମୁଖମଣ୍ଡଳରେ ହସ ଧାରଟି ଆଉଟିକେ ଶାଣିତ ଦିଶିଲା । କୃଷ୍ଣଙ୍କ ବିକଳପଣ ଓ ଅସହାୟତା ଦେଖି ରାଧାରାଣୀ ଆନନ୍ଦ ହେଉଥିଲେ । କହି ଉଠିଲେ ଥାଉଥାଉ ରସିକ ପଣିଆ । ଏ ରାଜପାଟ ବେଶର କୃଷ୍ଣଙ୍କୁ ଚିହ୍ନିବା କଷ୍ଟକର । ସେ ମୟୁରଚୁଳ ଆଉ ସେ ବଇଁଶୀ ଧାରୀ କୁଆଡ଼େ ଗଲେ !? 


କହିବା ଡେରିଥିଲା ରାଧାରାଣୀଙ୍କର । 


ମୋହକ ମୋହନ ରୂପରେ ବିଜେ ହେଇଗଲେ ଗୋପାଳ କୃଷ୍ଣ । ଦିବ୍ୟଦ୍ରଷ୍ଟା ମାନେ ରୂପ ବଖାଣ କୁ ଶବ୍ଦ ନପାଇ ଯୁଗଳ ତ୍ରିଭଙ୍ଗୀ ଠାଣିରେ ଚାହିଁ ରହିଥାନ୍ତି ଏକ ଲୟରେ । 


ରାଧାଙ୍କ ପଛରେ ଥାଇ ଲଳିତେ ପଚାରିଦେଲେ ରାଧାରାଣୀଙ୍କୁ ସଖୀ କଥା ସରିଲା ? ଏଥର କୁହ ମୋହନଙ୍କୁ ସେ ବଇଁଶୀକୁ ଟିକେ ସୁରବଦ୍ଧ କରନ୍ତୁ । 


ରାଧାରାଣୀ ସାଙ୍ଗରେ ଆଣିଥିବା ବଇଁଶୀକୁ ବଢ଼େଇବାକୁ ଯାଉଛନ୍ତି କୃଷ୍ଣଙ୍କ ଉଦ୍ଦେଶ୍ୟରେ । ହଠାତ ଚିହିଁକି ଉଠିଲେ । ଆରେ ଏ ତ କାଳିନ୍ଦୀ ନୁହେଁ !! ଏ ତ କୁରୁକ୍ଷେତ୍ର !! ଏଠି ତ ପଞ୍ଚଜନ୍ୟର ଆବଶ୍ୟକତା । କି ଅଘଟଣ ଘଟିବାକୁ ଯାଉଛି ଏ !? କୃଷ୍ଣ ବଇଁଶୀ ନେବାକୁ ହାତ ବଢ଼ାଇ ଥାନ୍ତି । 


ଯୋଗମାୟା ହାତକୁ ବଢ଼େଇଦେଲେ ପଞ୍ଚଜନ୍ୟ ବଇଁଶୀ ପରିବର୍ତ୍ତେ ।


 କୃଷ୍ଣ ଅରାଜି । କାତରେ ଚାହିଁଥାନ୍ତି ରାଧିକେଙ୍କୁ । 


ଅନ୍ୟଉପାୟ ନପାଇ ଯୋଗମାୟା ସାରାଜଗତକୁ ମାୟାଚ୍ଛନ୍ନ କରିଦେଲେ । ନିଜ ସ୍ୱରୂପରେ ପ୍ରକଟ ହେଲେ କୃଷ୍ଣଙ୍କ ସାମ୍ନାରେ । ମାଳମାଳ କୃଷ୍ଣ , ତଦନୁରୂପେ ରାଧା ସଙ୍ଗେ ସଙ୍ଗେଗୋପୀ ବୃନ୍ଦ । କୋଟି ବ୍ରହ୍ମାଣ୍ଡ ନିଜ ଭିତରେ । 


ଫେରି ଆସିଲେ କୃଷ୍ଣ । କ୍ଷଣକ ଲାଗି ଘୋଟିଥିବା ମାୟାନ୍ଧକାର କିଶୋରୀଙ୍କ ବିଶ୍ଵରୂପରେ ଦୁରେଇ ଯାଇଥିଲା । କିଶୋରୀ ମଧ୍ୟ ନିଜକୁ ନିଜ ଭିତରେ ସମାହିତ କରିନେଲେ । 


ପଞ୍ଚଜନ୍ୟ କୁ ହାତରେ ଧରି କୃଷ୍ଣ ଯୁଦ୍ଧପୂର୍ବ ଉଦଘୋଷ ଆରମ୍ଭ କରିଦେଲେ । ଥରି ଉଠିଲା ବ୍ରହ୍ମାଣ୍ଡ । ବ୍ରଜର ଗୋରଜ କୃଷଙ୍କ ମସ୍ତକରେ ତିଳକ ଭାବେ ଶୋଭାପାଇ ସାରିଥିଲା । 


କିଶୋରୀ ନିଜ ଗଣଙ୍କୁ ସାଥିରେ ଧରି କୁରୁକ୍ଷେତ୍ରରୁ ଚାଲି ଯାଉଥିଲେ । କିଛି ସମୟପରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଗଲେ ମରିଚିକାରେ ଦୃଶ୍ୟମାନ ହେଲାପରି । 


ଗୋପୀଗଣ ଆସିବା ପୂର୍ବରୁ କୃଷ୍ଣ ସ୍ୱମୁଖରେ ଅର୍ଜୁନଙ୍କୁ କହିଥିଲେ ଯେ ପାଣ୍ଡଵ ମାନଙ୍କ ଭିତରେ ସେ ଧନଞ୍ଜୟ ବୋଲି । ତାହେଲେ ଯୁଦ୍ଧରେ ଯୋଦ୍ଧା କିଏ ସେ ବିଷୟରେ କହିବା ବାହୁଲ୍ୟ । ଆରମ୍ଭ ହୋଇଥିଲା କୁରୁକ୍ଷେତ୍ରରେ ମହାସମର । ଯୁଦ୍ଧର ପରିଣାମ କାହାକୁ ବି ଅଛପା ନାହିଁ । 

ମାୟାଚ୍ଛନ୍ନ ମାନବଙ୍କ ମନରୂପୀ ପଞ୍ଜୁରୀରେ ବିବେକ ରୂପୀ ପକ୍ଷୀ ବନ୍ଦୀ । ବିବେକ ମୁକ୍ତ ହେବାକୁ ସଦା ଚେଷ୍ଟିତ । ମୁକୁଳିଯିବାର ପ୍ରୟାସରେ ବିବେକ କ୍ଷତାକ୍ତ । 

ମନର ନାନା ପ୍ରଲୋଭନରେ କିଛି ବିବେକ ସମୟ ଚୁପ ରହିଯାଏ । କିନ୍ତୁ ମନ ଯେତେବେଳେ ଅବଚେତନ ଅବସ୍ଥାରେ ଗତିମାନ ହୁଏ । ବିବେକ ପୁଣିଥରେ ଲାଗିପଡ଼େ ମୁକ୍ତିର ଆଶାରେ । ଅନେକ ଚେଷ୍ଟା ପରେ ବି ବିବେକ ହାରିଯାଏ । କ୍ଷତାକ୍ତ ହୁଏ , ଥକିପଡ଼େ । ବିବେକ ମନକୁ ପରାଜିତ କରି ମୁକ୍ତି ପାଇବାକୁ ବାରମ୍ବାର ପ୍ରୟାସ କରି ବିଫଳ ହୁଏ । 

କୃଷ୍ଣ ଏକଥା ବି କହିଲେ ସେ ହେଉଛନ୍ତି ମନ । ସେ ମାନବୀୟ କୃଷ୍ଣ ନୁହଁନ୍ତି । ବିକାର ରହିତ କୃଷ୍ଣ ସେ । ତେଣୁ ତାଙ୍କୁ ହରାଇବା ସମ୍ଭବ ନୁହେଁ । ବିବେକ ଚିନ୍ତାକଲା । ମନକୁ ହରାଇବା ପୂର୍ବରୁ ମନ ସହିତ ସମ୍ମିଳିତ ହେଇ ମନର ମନୋଭାବକୁ ଟିକେ ପରଖି ନେବ । ବିବେକ ନିଜକୁ ମନ ସଂଲଗ୍ନ କରି ଯାହା ଦେଖିଲା ଆଶ୍ଚର୍ଯ୍ୟ ଚକିତ ହୋଇ ଉଠିଲା । 

ମନର କୌଣସି ମନୋଭାବ ନାହିଁ । ସେ କେବଳ ହାବି ହେବାକୁ ଚାହେଁ । ରାଜତ୍ୱ କରିବାକୁ ନାହିଁ । ଦେହ ବାସନା ଭୋଗକୁ ଅପ୍ରସ୍ତୁତ ଥିଲେବି ମନ ନିଜର ରାଜତ୍ୱ ଜାରି ରଖିବାପାଇଁ ବାସନା ଲାଳସା ଭରିବାର ପ୍ରୟାସ ଭରି ଦେଉଛି । ବିବେକ ମନକୁ ପଞ୍ଜୁରୀ ଭାବିବା ପରିବର୍ତ୍ତେ କ୍ଷଣସ୍ଥାୟୀ ଭାବନାତ୍ମକ ଶାନ୍ତି ଓ ଦୀର୍ଘକାଳୀନ ତୃପ୍ତିର ଲକ୍ଷ୍ୟ ନିର୍ଧାରଣ କଲା । ନିଜର ସଂଘର୍ଷ ଜାରି ରଖିଲା ଦୀର୍ଘକାଳୀନ ତୃପ୍ତିକୁ ହାସଲ କରିବାପାଇଁ । 

ମନକୁ ବାଧ୍ୟ କରିଦେଲା କ୍ଷଣସ୍ଥାୟୀକୁ କ୍ଷଣସ୍ଥାୟୀ ବୋଲି ସ୍ୱୀକାର କରିବାକୁ । ବିବେକ ଭୋଗ କୁ ଭୋଗ ବୋଲି କହିଚାଳିଲା ମନକୁ । ମନକୁ ତାର ଅବଚେତନ ଅବସ୍ଥା ସହିତ ବିବେକ ଭେଟ କରେଇଦେଲା । ମନ ବି ସ୍ଥିର ରହି ଶାନ୍ତି ଅନୁଭବ କଲା । ବିବେକର ସଂଘର୍ଷ ଫଳିଭୁତ ହେଲା । ମନ ଉନ୍ମୁକ୍ତ କରିଦେଲା ପଞ୍ଜୁରୀର ଦରଜା । ଏବେ ବିବେକର ରାଜତ୍ୱ ଆଉ ମନ ପରମ ତୃପ୍ତତା ଅଭିମୁଖେ ଅଗ୍ରସର । 


ଗୋପୀମାନେ ଯେତେବେଳେ କୁରୁକ୍ଷେତ୍ରରୁ ଫେରି ଯାଉଥିଲେ କେହିଜଣେ କହି ଉଠିଲା । ସଖିଲୋ ଜାଣିଲଣି ପ୍ରେମାକର୍ଷଣ ମାନବୀୟ ଗୁଣ । ଆମ କୃଷ୍ଣ ତ ଏବେ ଭଗବାନ ହେଇଗଲାଣି । ସେ ଆମକୁ କାହିଁକି ଭାବିବ । କିନ୍ତୁ ଆମେ ତ ବିବେକି ମଣିଷ କୃଷ୍ଣ ପ୍ରେମରେ ହିଁ ଏ ଧରାରୁ ବିଦାୟ ନେଇଯିବା ଏତିକି ଆଶା ମନରେ ।


 ଭଲରେ ଥାଆରେ ବଜ୍ରବକ୍ଷ । ଚିରଞ୍ଜିବି ହେଇଥାଆ ।


            


Rate this content
Log in

Similar oriya story from Classics