ଧୂଆଁ
ଧୂଆଁ


ସୁନ୍ଦରୀ ବୋଲି କେଡ଼େ ଫୁଲେଇ ହେଉଛି । ମୋଟା ଲିପଷ୍ଟିକ ବୋଳା ଓଠକୁ ଟେକିଟେକି କେମିତି କଥା ହେଉଛି । ବାଳ ନୁହେଁତ ସେ ! ବାରମାସୀ ରଙ୍ଗୀ ଚଢ଼େଇ ଯେମିତି । ଜିଭ ଲାଗିଯାଉଛି ଦେଖ କେଡ଼େ ଖନେଇ ଖନେଇ କଥା ହେଉଛି । ଦିହରେ ପାଞ୍ଚ ପଳ ମାଉଁଶ ନାହିଁ କଥାରେ ଗନ୍ଧମାର୍ଦନ ଟେକୁଛି ।
ମୋ ଭାଇ ଏମିତି , ମୋ ବାପା ସେମିତି ଆଉ ମୋ ମାମୁଙ୍କର ପିଉସୀ ପୁଅ ଭାଇର ଅଜାଙ୍କ ଶଳାର ସାନପୁଅ ଦିଲ୍ଲୀ ସଂସଦର ମେମ୍ବର । ଏଠିତ ଆଡ଼ ଆଖିରେ ବି ଚାହୁଁନି କାହାକୁ ।
ଟୋକା ଗୁଡ଼ା ତ ଯେମିତି ଜମିଦାର ଘର ଭୋଜି ପରର ଅଇଁଠା ଚାଟିବାକୁ ଲାଳ ଗଡ଼େଇ ଚାହିଁଛନ୍ତି । ସେ ଜାଲି ଲଗା ଡ୍ରେସ ତଳେ ଫାଙ୍କା ପେଟକୁ ଟାକି ରହିଛନ୍ତି । ନାଭି ବାଟ ଦେଇ ପୁଣି ଥରେ ଯେମିତି ଗର୍ଭସ୍ଥ ହେଇଯିବେ । ଶଳେ ବେହିଆ ଦଳ । ଅର୍ଚ୍ଚନା ପାଟିରେ ବାଟୁଳୀ ବାଜୁ ନଥାଏ ।
କହି ଚାଲିଥାଏ ଯେ କହି ଚାଲିଥାଏ । ଟୋକିଙ୍କ ପିନ୍ଧା ବସନରେ ଶଳା ସିବିଆଇ ଭଳି କଣାଟିଏ ଖୋଜି ବୁଲୁଛନ୍ତି ଏ ବଳଦ ଟୋକା ଦଳ । ଏ ଟୋକି ଗୁଡ଼ା ଟୋକାଙ୍କୁ ଦେଖିଲେ ତ ତାଙ୍କ ପ୍ରେମ ନଈରେ ଯେମିତି ବଢ଼ି ପଡ଼ି ଯାଉଛି । ସେ ନଦୀରେ ବଢ଼ି ପଡ଼ିବାକୁ ନା ଶ୍ରାବଣର ଵାରିଧାରା ଦରକାର ନା ହିମଖଣ୍ଡରୁ ନିର୍ଗତ ହୋଇଥିବା ନଦୀ ମାନଙ୍କ ପରି ଗ୍ରୀଷ୍ମ ତାପ ର ଆବଶ୍ୟକ ।
ଆଖପାଖରେ ଦି ଚାରିଟା ଲାଳୁଆ ଟୋକା ହେଲେ ହେଲା । ତାଙ୍କ ଭିତରେ ଯଦି ଗୋଟେ ହ୍ୟାଣ୍ଡସମ ଛଡ଼ା ଥିବ ଏ ଅଲାଜୁକୀ ମାନେ ତ ବନ୍ଧ ବାଡ଼ ମାନିବେନି । ଲଙ୍ଘି ଯିବେ । ଏଭଳି ପ୍ରଜାତିର ଟୋକିଙ୍କୁ ଦେଖି ଏ ଟୋକା ଦଳଙ୍କ ମୁଣ୍ଡ ଏମିତି ବୁଲିବ ଯେମିତି ୟାଙ୍କର ମେରୁଦଣ୍ଡ ନାମକ ହାଡ଼ ନାହିଁ । ତିନିଶହ ଷାଠିଏ ଡିଗ୍ରୀରେ ବୁଲିବ ସେତେବେଳେ ।
ଟୋକିଙ୍କର ଯେଉଁ ଫେସନ ଛାଡ଼ ଛାଡ଼ । ମୁହଁ ତ ଯେମିତି ଆଶ୍ୱିନ ମାସର ମାଟିକାନ୍ଥ ରେ କ୍ରୀମ ପାଉଡର ଲଗେଇ କାର୍ତ୍ତିକ ମାସର କରିଛନ୍ତି । ଚିକ୍କଣିଆ ଗାଲ , ଖାଲ ଢିପ ବି ଆଉ ବାରି ହବନି ।
ପାଖରେ ବିନୟ ନୀରବରେ ସବୁ ଶୁଣୁଥିଲା । ମୁରୁକି ହସା ମଧ୍ୟ ଦେଉଥିଲା । ବିନୟ ମୁହଁର ମୁରୁକି ହସା ଦେଖି ଅର୍ଚ୍ଚନା ର ପାରା ଯେମିତି ଅଧା ସ୍ୱର୍ଗକୁ ଉଠି ଗଲା ।
ହସୁଛ କଣ ମ ? ଦାନ୍ତ ନେଫୁଡ଼ୁଛ ବସି । ହସୁଛ ନା ତମ ମୁହଁଟା ସେମିତି ବା ?
ବିନୟ ସିନା ଜୋରରେ ହସୁନି ହେଲେ ସେ ତାର ମୁଚୁକୁନ୍ଦ ହସକୁ ରୋକିବାକୁ ସମର୍ଥ ବି ହେଉନି ।
ଅର୍ଚ୍ଚନାର ରାଗ ପଞ୍ଚମ , ଷଷ୍ଠ , ସପ୍ତମ ସବୁ ପାର । ବିନୟ ଚୁଟିକି ଧରି ଘୁମେଇ ଦେଲା । ରାଗରେ ତମତମ ହେଇ ।
ତମେ କଉ ଭଲ କି ? ତମକୁ ତ ସେ ଆଗ ହେଲୋ ହାଏ କରୁଛି । ଆଖି ଆଢୁଆଳକୁ ଗଲାଯାଏ ବୁଲି ବୁଲି ଚାହୁଁଛ । ଭଲ ରଙ୍ଗୀନ ହସଟିଏ ଝାଡ଼ି ଦଉଛ ତା ଉଦ୍ଦେଶ୍ୟରେ ।
ଅନ୍ୟ ଉପାୟ ନପାଇ ପରିସ୍ଥିତିକୁ ଲକ୍ଷ୍ୟକରି , ଅର୍ଚ୍ଚନାର ରାଗ ଶାନ୍ତ କରିବା ଲାଗି ବିନୟ କାନଧରି ଭୁଲ ମାଗିଲା । ଆଉ କେବେବି ସେ ଏପରି ଭୁଲ କରିବନି ବୋଲି ନାନା ରାଣ ନିୟମ ବି ପକେଇଲା ।
କ୍ରୋଦ୍ଧରେ ଉଗ୍ର ରୂପ ଧରିଥିବା ଅର୍ଚ୍ଚନା ଏବେ ସକେଇ ବାକୁ ଲାଗିଲା । ବର୍ଷା ବିନ୍ଦୁ ପରି ତା ଆଖିରୁ ଟପ ଟପ ଲୁହ ଝରି ଆସିଲା ।
ପରିସ୍ଥିତିର ଜଟିଳତା ଓ ସୁକ୍ଷ୍ମତାକୁ ବିନୟ ଠିକ ବୁଝିସାରିଥିଲା । କୋଳେଇ ନେଲା ପ୍ରେୟସୀ ଅର୍ଚ୍ଚନାକୁ । ଅର୍ଚ୍ଚନା ଆଉ କିଛି କହିବା ଅବସ୍ଥାରେ ନଥିଲା ।
ପ୍ରେମିକାକୁ କୋଳରେ ଧରି ବିନୟ ଭାବୁଥିଲା । ସତରେ ଏ ନାରୀ ଜାତିଟା କେଡ଼େ ଅଜବ ! ସ୍ରଷ୍ଟାଙ୍କର କି ବିଚିତ୍ର ଏ ସୃଷ୍ଟି ! ନିଜେ ଭଲ ପାଉଥିବା ଅବା ନିଜର କହୁଥିବା ପ୍ରେମିକକୁ ସବୁବେଳେ ନିଜ ହାତ ମୁଠାରେ ରଖି ନିଜ ମୁତାବକ ଚଳେଇବାକୁ ଇଚ୍ଛା ତାଙ୍କର । ଭଲ ସୁନ୍ଦରୀ ଝିଅଟିଏ ସାମ୍ନାରେ ଆସିଲେ , ଦିବାକାଶରେ ତାରା ନଥାଉ ପଛେ କିନ୍ତୁ ପ୍ରେମିକ ଟିକୁ ଦିନରେ ତାରା ଖୋଜିବାକୁ ପଡ଼ିବ । କହିବା କଥା ହେଲା ସେ ସୁନ୍ଦରୀ ଝିଅ ନିକଟରୁ ଯଥା ସମ୍ଭବ ଚକ୍ଷୁ ମିଳନରୁ ନିଜକୁ ବିରତ ରଖିବ । ବରଂ ସେ ସୁନ୍ଦରୀ ଜଣକ ନିଜର ସମ୍ପର୍କୀୟା ଅବା ପରିଚିତା ହୋଇଥାନ୍ତୁ ।
ଝିଅ ତ ଝିଅ , ଯଦି ଭଲ ନଂଘା ଛଇଛାଡ଼ିଆ ଟୋକାଟେ ବି ସାମ୍ନାକୁ ଆସିଲା ତାକୁ ବି ଦେଖିବା ମନା । ଦେଖିଲା ଯାଏ କଥାଟା ଚଳିଲା ପରି । ଯଦି ଦେଖିଲା ପରେ ତା ଉଦ୍ଦେଶ୍ୟରେ କିଛି କହିଲ ତେବେ କଥା ସରିଲା । ଆରମ୍ଭ ହେବ ଶିବା ତାଣ୍ଡବ । ଯାହାର ପ୍ରକୋପ ଆଦୌ ସମ୍ଭାଳି ନୁହେଁ । ତାପରେ ପରେ ଅଜବ ଅଜବ ପ୍ରଶ୍ନ ସବୁ । ଯାହାର ଉତ୍ତର ଦେବାଟା ଦୁଇଧାରି ଖଡ୍ଗ ଉପରେ ଲଙ୍ଗଳା ପାଦରେ ଚାଲିବା ସହିତ ସମାନ । ପ୍ରଶ୍ନ କଥା ଭାବୁଭାବୁ ଅର୍ଚ୍ଚନାଙ୍କର ପ୍ରଶ୍ନଟିଏ ବିନୟଙ୍କ କାନରେ ପଡ଼ିଲା ।
ମୁଁ କଣ ସୁନ୍ଦରୀ ନୁହେଁ ? ସେ କଣ ମୋ ଅପେକ୍ଷା ବେଶି ସୁନ୍ଦରୀ ? ନା ତୁମକୁ ତାର ସେ ଅଧ ଲଙ୍ଗୁଳି ବେଶ ଟା ଭଲ ଲାଗୁଛି ?
ବିଚରା ବିନୟ । କଣ କହିବ ?
କିଛି କହିବା ପୂର୍ବରୁ କୋଳରେ ଥିବା ଅର୍ଚ୍ଚନାକୁ ଆଉ ଟିକେ ଭିଡ଼ି ଧରିଲା । ନିଜର ସ୍ପନ୍ଦିତ ହୃଦୟର ସ୍ପନ୍ଦନକୁ ଅନୁଭବିତ କରାଇବାକୁ ଚାହୁଁଥିଲା ସେ । ହେଲେ କିଛି ତ କହିବାକୁ ପଡ଼ିବ ।
ନା ସେ ତମ ଠାରୁ ବେଶି ସୁନ୍ଦରୀ ନୁହେଁ ।
ତାକୁ ଏମିତି ବୁଲିବୁଲି ଦେଖୁଥିଲ କାହିଁକି ? କଣ ଦେଖୁଥିଲ ? ତାର ସେ ଜାଲି ତଳର ଗୋରା ଚମଡ଼ା ନା ଅଧା ଫୁଙ୍ଗୁଳା ଛାତିର କ୍ଲିବେଜ ? ନା ସେ ଫାଉଣ୍ଡେସନ ବୋଳା ଚିକ୍କଣିଆ ଗାଲକୁ ତାର ନିରିଖେଇ ଦେଖିଥିଲ ?
ବିନୟ ମନେମନେ ଇଷ୍ଟଙ୍କୁ ସ୍ମରଣ କରୁଥିଲା ଏ ବିଷମ ପରିସ୍ଥିତିରୁ ଉଦ୍ଧାର ପାଇବା ଲାଗି ।
ଶୁଣ ସଂସାରରେ ଯେତେ ସୁନ୍ଦରୀ ଅଛନ୍ତି ସେମାନଙ୍କ ସୁନ୍ଦରତା ମୋର ଏଇ ଫୁଲେଇ ପ୍ରେମିକାର ସୁନ୍ଦରତା ନିକଟରେ ଫିକା । ତୁମର ଛୋଟଛୋଟ କାନ ଫୁଲ ଦୁଇଟା ଆଗରେ ଅନ୍ୟମାନଙ୍କର ସମସ୍ତ ପ୍ରସାଧନ ସାମଗ୍ରୀ ଦ୍ୱାରା ପ୍ରସାଧିତ ବେଶ ମୂଲ୍ୟହୀନ । ତୁମର ସୁନ୍ଦର ମନ ନିକଟରେ ଏ ସଂସାରର ସମସ୍ତ ସୁନ୍ଦରତା କୁ ମୁଁ ଗୋଡ଼ରେ ଆଡ଼େଇ ଦେବି । ମୋର ତ ଏ ଭାଗ୍ୟ ଯାହା ତୁମ ଭଳି ଜଣେ ସୁନ୍ଦରମନାର ମୁଁ ପ୍ରେମିକ ।
ଟିକେ କଳି କରେ ହେଲେ ସେଇଟା ଭଲ ପାଇବା । ଈର୍ଷା କରେ ସେଇଟା ତା ମନର ଅସୁରକ୍ଷା ଭାବନା ଛଡ଼ା ଆଉ କିଛି ନୁହେଁ । ଏ ପିଣ୍ଡରେ ପ୍ରାଣ ଥିବାଯାଏ ତମେ କେବଳ ମୋର ହେଇ ରହିବ ଏତିକି କଥାଦିଅ ଅର୍ଚ୍ଚନା ।
ୟା ଠାରୁ ଅଧିକ ଝିଅ ଟିଏ ଆଉ କଣ ଚାହିଁବ ? ଏଇ ପ୍ରତିଶ୍ରୁତି ମୁଁ ତୁମ ନିକଟରୁ ଚାହୁଁଛି ବିନୟ । ପ୍ରତ୍ୟୁତ୍ତରରେ ବିନୟ ଗୋଟେ ଗାଢ଼ ଚୁମ୍ବନ ମାଖିଦେଲେ ଅର୍ଚ୍ଚନା ର ମଥାରେ । ସରମୀ ଳତା ଝାଉଁଳି ପଡ଼ିଲା ପରି ଅର୍ଚ୍ଚନା ଲାଜେଇ ଗଲେ ।
ସମୟ ଆଗେଇ ଚାଲିଲା ତାର ଚିରାଚରିତ ପ୍ରକୃତିରେ । ଦୁଇ ପ୍ରେମ ପକ୍ଷୀ ଆନନ୍ଦରେ ବିଚରଣ କରୁଥାନ୍ତି ସେମାନଙ୍କ କଳ୍ପନା ଆକଶରେ । ନିଇତି ନୂଆ ନୂଆ ସପନ ବୁଣନ୍ତି ହାତରେ ହାତ ଛନ୍ଦି । କେବଳ ଗଢ଼ିବାର ନିଶା ରେ ଥିଲେ ଦୁହେଁ ।
ସୂର୍ଯ୍ୟାସ୍ତ ସହିତ ପ୍ରତିଟି ଦିବସର ଅନ୍ତ ହୁଏ ଏହା ଧ୍ରୁବ । ରାତିଟିଏ ପରେ ପୁଣି ଦିନ ଆସିବ ଏଥିରେ ମଧ୍ୟ ସନ୍ଦେହ ନାହିଁ । ଦୁଇ ପ୍ରେମ ବିହଙ୍ଗ ମାନଙ୍କ ମଧ୍ୟରେ ପ୍ରେମ ବିଶ୍ୱାସର ସୂର୍ଯ୍ୟଙ୍କର ଅସ୍ତ ହେବାର ସମୟ ଆସି ଯାଇଥିଲା ବୋଧହୁଏ ।
ଅର୍ଚ୍ଚନା ମୁଁ ତୁମକୁ ଭଲପାଏ ହେଲେ ବିବାହ କରିପାରିବିନି ।
ଏହାର ଅର୍ଥ କଣ ବିନୟ ?
ତୁମେ କିଛି ବି ବୁଝିପାର ।
ମୁଁ କଣ ଘରର କୌଣସି ଆସବାଵ ? ଯେବେ ଚାହିଁବ ବଦଳେଇ ଦେବ । ମୋର ଦୋଷ କଣ ? ତୁମେ କଣ ତୁମ ପ୍ରତି ମୋ ମନର ବିଶ୍ୱାସତାରେ କିଛି ଊଣା ପରିଲକ୍ଷିତ କରିଛ ?
ତୁମେ ମୋ ମୁଣ୍ଡ ଖାଅନି ଅର୍ଚ୍ଚନା ? ସବୁବେଳେ ନରମ ରହୁଥିବା ବିନୟ ଆଜି ତାର ଚିରାଚରିତ ବ୍ୟବହାରରେ ସମ୍ପୂର୍ଣ୍ଣ ବିପରୀତ ବ୍ୟବହାର ପରିଦର୍ଶନ କରୁଥିଲେ । ମୋତେ ଭୁଲିଯାଅ ଅର୍ଚ୍ଚନା । ମୁଁ ପ୍ରଥମେ ମୋର ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହେଁ ।
ତାହେଲେ ଏତେ ଦିନର ସମ୍ପର୍କ ? ଆଉ କୁଢ଼ କୁଢ଼ ପ୍ରତିଶ୍ରୁତି ସବୁ କଣ ପ୍ରତାରଣା ପୂର୍ବର ଉନ୍ମାଦ ଥିଲା ?
ଦେଖ ଅର୍ଚ୍ଚନା ମୁଁ ତୁମକୁ ବେଶି କିଛି କହିବାକୁ ଚାହୁଁନି । ଭବିଷ୍ୟତରେ ହୁଏତ ମୁଁ ତୁମ ଅପେକ୍ଷା ଅଧିକ ସୁନ୍ଦରୀ ଝିଅକୁ ଜୀବନ ସଙ୍ଗିନୀ ରୂପରେ ପାଇପାରେ କିନ୍ତୁ ବର୍ତ୍ତମାନ ମୋତେ ମୋ କ୍ୟାରିଅର ଉପରେ ଫୋକସ କରିବାକୁ ପଡ଼ିବ । କଣ ମୁଁ ପାଇଲି ତୁମ ଠାରୁ ? ବହୁତ ହେଇଗଲା ଏ ପ୍ରେମ । ବିରକ୍ତ ହେଇଗଲିଣି ମୁଁ । ବୋର ହେଇଗଲିଣି ମୁଁ । ଭୁଲିଯାଅ ମୋତେ ।
ତୁମ ଜିହ୍ଵାରେ କଞ୍ଚାମାଂସ ର ସ୍ୱାଦ ଲାଗିଲାଣି କି ? ଆଜି ମୁଁ ତୁମ ଆଖିକୁ ଏତେ ବେରଙ୍ଗ ଦିଶୁଛି ! ମୁଁ ତ ତୁମ ରଙ୍ଗ ରୂପ ଦେଖି ନିଜକୁ ସମର୍ପି ନଥିଲି ତୁମ ପାଖେ । ତୁମର ବେଦାଗ ଚରିତ୍ର ମୋତେ ତୁମପ୍ରତି ଆକର୍ଷିତ କରିଥିଲା । ତୁମ କୋଳରେ ଘଣ୍ଟା ଘଣ୍ଟା ବସିବା ବେଳେ ଯୌବନର ଡହକ ନିଆଁରେ ମୁଁ ବି ଜଳିଛି । ହେଲେ ଝିଅଟିଏ ବୋଲି ଲାଜର ସୀମା ଡେଇଁ କେବେ ମୋ ମନ ତଳର କଥା ତୁମ ଆଖିରେ ଆଭାସିତ କରିବାକୁ ଦେଇନି । ସେଇଟା କଣ ମୋର ଭୁଲ ଥିଲା ? ନା ମୁଁ ନାରୀଟିଏ ବୋଲି ତୁମ ମନରେ କୌଣସି ସନ୍ଦେହ ଅଛି ? ଯଦି ଏ ଚର୍ମ ଭୋଗିବାକୁ ଚାହୁଁଥିଲ ତେବେ ଭୋଗିନିଅ ଏବେ । ଅନ୍ୟମାନଙ୍କ ପରି ବାହାସ୍ପୋଟ ମାରି କହିବ ଏ ଝିଅର ସର୍ବସ୍ୱ ଲୁଟି ନେଇଛି ମୁଁ । ଡିଣ୍ଡିମ ପିଟିବ ତୁମ ପୁରୁଷ ପଣିଆର । ତୁମେ କଣ ଜାଣିବ ନାରୀର ମନ ?
ତୁମ ଭିତରେ ଶାସ୍ତ୍ର ବର୍ଣ୍ଣିତ ପୁରୁଷ ପଣିଆ ଖୋଜିବା ମୋର ଭୁଲ ଥିଲା । ଆସ ବିନୟ ଆସ ଭୋଗି ନିଅ । ମୁଁ ବି ଦେଖିନେବି ଆଜି ତୁମ ଚର୍ମ ଭୋଗିବାର ସାମର୍ଥ୍ୟକୁ ।
ଝିଅଟିଏ ଯାହାର ପ୍ରତିମୂର୍ତ୍ତି କୁ ହୃଦୟରେ ଜାଗା ଦିଏ , ସେ ନିଜେ ସେହି ପ୍ରତିମୂର୍ତ୍ତିର ଭଲମନ୍ଦରେ ବଞ୍ଚିବାକୁ ଆରମ୍ଭ କରିଦିଏ । ନିଜକୁ ମାରିଦିଏ ସେହି ମୁହୂର୍ତ୍ତରୁ । ପ୍ରକୃତି ରୂପେ ଆଧାର ହୁଏ ସେ ତାର ପ୍ରିୟତ୍ତମ ଲାଗି । କାହାକୁ କହୁଛି ମୁଁ ଏସବୁ ! ତୁମେ ସେହି ବିନୟ ତ ? ଯାହା ପାଖରେ ପ୍ରେମ ବଦଳରେ ମୁଁ ମୋର ଅଭିମାନ ମଧ୍ୟ ଅଜାଡ଼ି ଦେଇଛି ।
ତୁମେ ଯେଉଁ ପ୍ରେମ କବଳରେ ଏବେ ଅଛ , ଆଜିକାଲି ସେ ପ୍ରେମ ବଜାରରେ ମଧ୍ୟ ମିଳୁଛି । କିନ୍ତୁ ମନେରଖ ନାରୀର ଅଭିମାନୀ ସ୍ୱରୂପ ଦେଖିବାକୁ ହେଲେ ନିଜକୁ ଯୋଗ୍ୟ କରିବାକୁ ପଡ଼େ । ମୁଁ ତାହେଲେ କଣ ଅପାତ୍ରରେ ମୋ ଅଭିମାନ ପସରାକୁ ଟେକି ଦେଇଥିଲି ।
ଯାଅ ଯାଅ ବହୁତ ମିଳିବେ ତୁମ ପରି । ଏତେ ଆଉ ପ୍ରବଚନ ଦିଅନି ହେଲା ।
ନାରୀର ସ୍ୱାଭିମାନ ଅର୍ଚ୍ଚନାକୁ ଟାଣି ଧରିଲା । ଆଉକିଛି କୁହାଇ ଦେଲାନି । ଗୋରା ଗୋରା ଗାଲରେ କ୍ରୋଦ୍ଧର ଲାଳୀମା ସହିତ ଆଖିରେ ପ୍ରତାରଣାର ଜ୍ୱଳନ୍ତ ଅଗ୍ନି । ହୃଦୟରୁ ବିଶ୍ୱାସଘାତକତାର ବାରି ଝରିଯାଉଛି ଅଗ୍ନିସଂଯୋଜିତ ଚକ୍ଷୁ ପ୍ରାନ୍ତରୁ । ଜିହ୍ଵା କିନ୍ତୁ ସ୍ଥିର , କଣ୍ଠ ରୋଧିତ , ଶବ୍ଦ ସବୁ ଉହ୍ୟା , ମସ୍ତିଷ୍କ ଅଚଳ । ପାଦତଳୁ କିନ୍ତୁ ମାଟି ଖସିଯାଇଛି । ଶୂନ୍ୟରେ ଉଡ଼ୁଥିବା ଦିଗହରା , ନୀଡ଼ ହୀନା କପୋତୀଟିଏର ଭାବନା ଏବେ ।
କିଛି ନକହି ଚାଲିଗଲେ ବିନୟ ।
ଚାହିଁ ରହିଥିଲା ଅର୍ଚ୍ଚନା । ବିନୟ କେଇପାଦ ଆଗେଇଲା ପରେ ହରାଇଥିବା ହୋସରୁ ସାମାନ୍ୟ ସଂଜ୍ଞା ଉଧାର ଆଣି ଧାଇଁ ଗଲା ଅର୍ଚ୍ଚନା । ଧରି ପକେଇଲା ବିନୟର ପାଦ ।
ଏମିତି ଏକୁଟିଆ କରି ଯାଅନି । ବିନା କାରଣରେ ବିନା ଦୋଷରେ କାଟି ଦିଅନି ଏ ପବିତ୍ର ସମ୍ପର୍କର ଡୋରକୁ । ଦେଖ କହୁକହୁ ବହୁତ କହିଦେଲି ତୁମକୁ । ଭୁଲ ହେଇଛି ମୋର । କ୍ଷମା କରିଦିଅ । ତୁମେ ତ ନିଜେ କୁହ ମୋତେ କଥା କହି ଆସେନି ବୋଲି । ତୁମ ଆଖିରେ ମୁଁ କାଳେ ଛୋଟ ପିଲାଟେ । ଛୋଟ ଅବୋଧ ପିଲାଙ୍କୁ କଣ କେହି ଏମିତି ଆଡ଼େଇ ଦେଇ ପାରନ୍ତି ? ନିଅ ତୋଳି ନିଅ ମୋତେ । ତୁମ ବାହୁରେ ତୋଳି ଧର । ଯଦି ନିର୍ବସ୍ତ୍ର ଧରିବାକୁ ଚାହୁଁଛ ମୁଁ ପ୍ରତିବାଦ କରିବିନି । ଦଣ୍ଡିତ କର ମୋତେ । ହେଲେ ଛାଡ଼ି ଯାଅନି ପ୍ଲିଜ ।
ଓହୋଃ ! ହୃଦୟ ବିଦାରକ ସେ ଅନୁନୟ । ବସୁଧା ପୁଣି ଥରେ ବକ୍ଷ ଚିରି ତାର ପ୍ରତିରୂପକୁ ନିଜ ଭିତରେ ସମାହିତ କରିବାକୁ ପ୍ରସ୍ତୁତ ପ୍ରାୟ ।
ହେଲେ ବିନୟ ବାହୁଡ଼ିବାକୁ ବ୍ୟଗ୍ର । ବଳପ୍ରୟୋଗ କରି ଏକାମୁହାଁ ହୋଇ ଚାଲିଗଲା । ମୁହଁମାଡ଼ି କାନ୍ଦୁଥିଲା ଅର୍ଚ୍ଚନା । ବିନା ମୌସୁମୀରେ ଧରା ଭିଜୁଥିଲା ତରତର । ପଦୁଟିଏ କହିଲା ଅର୍ଚ୍ଚନା ।
ବିନୟ , ସଦା ସତେଜ ରହିବାଭଳି କ୍ଷତଟିଏ ଦେଇଗଲ ମୋ ହୃଦୟରେ ।
ହେଲେ ଏ କେବଳ ମହାନତା ନାରୀର ଯେଉଁଥି ପାଇଁ ବିନୟର ଅମଙ୍ଗଳରେ ଶବ୍ଦଟିଏ ମଧ୍ୟ ସ୍ଫୁରି ନଥିଲା ତା ମୁହଁରୁ । ଧୂଆଁଳିଆ ହୋଇଯାଇଥିଲା ଅର୍ଚ୍ଚନାର ଆଖି ସାମ୍ନାରେ । ଚାଲି ଯାଇଥିଲା ବିନୟ । ଦୂରକୁ । ବହୁତ ଦୂରକୁ ।
ଉଭୟେ ଉଭୟଙ୍କୁ ଦେଖାକରିବାର ପ୍ରୟାସ ମଧ୍ୟ କରି ନାହାଁନ୍ତି । ଅଜଣା ଅଚିହ୍ନା ଉଭୟଙ୍କ ଲାଗି ଉଭୟେ । ସଂସାର ଜାଲରେ ଛନ୍ଦି ହୋଇଗଲେ ଅର୍ଚ୍ଚନା । ଭରପୁର ପ୍ରେମ କରୁଥିବା ଏବଂ ଆଖି ପଲକରେ ବସେଇଥିବା ସ୍ୱାମୀ । ଅତୀତ ଏବେ ଅସ୍ତିତ୍ୱ ବିହୀନ । ଭରପୁର ଉପଭୋଗ କରୁଥିଲା ଜୀବନ ଯାଚି ଦେଇଥିବା ନୂତନ ସମ୍ପର୍କ ସବୁକୁ । ଉଦାସିଆ ମନରେ ହୃଦୟ ତଳେ ଥିବା କ୍ଷତରୁ କେବେକେବେ ସ୍ମୃତି ବକ୍କଳ ଘଷି ନେସି ହୋଇଗଲେ ଝରିଆସେ ବିନୟ ନାମକ ରୁଧିର । ବିନା ଔଷଧ ରେ ପ୍ରୀତିପୂର୍ଣ ବର୍ତ୍ତମାନ ତାକୁ ଖୁବଶୀଘ୍ର ଭରିଦିଏ ।
ଦିନେ । ଆରେ ଅର୍ଚ୍ଚନା ଜାଣିଲୁଣି ତୁ ବିନୟ ବାହା ହେଇଛି ।
ଶବ୍ଦ ଠିକଣା ଓ ପରିଚୟ ଜାଣିବାକୁ ଇଚ୍ଛୁକ ଥିଲେ ବି ଆସୁଥିବା ପ୍ରଶ୍ନ କିଏ ? କେଉଁ ବିନୟ ? ଅଟକି ରହିଲା ଓଠ ଭିତରର ସିନ୍ଧୁକରେ । ନାରୀ ମନର ପ୍ରବଳ ଜିଜ୍ଞାସୁ ଏବେ ବିବ୍ରତ ।
କେଉଁଠି ହେଲା ବାହାଘର ? କାହା ସହିତ ହେଲା ବାହାଘର ?
ତୁ ଏମିତି କଣ ପଚାରୁଛୁ ? କଣ ଛାଡ଼ି ପଳେଇବୁ ନା କଣ ବିନୟ ପାଖକୁ ? ସେ ରଖିବ ତ ? ହଉ ରହୁ ଫଟ ପଠଉଛି ଦେଖେ ।
ଫଟକୁ ଜୁମ କରି ମୋବାଇଲର ବ୍ରାଇଟନେସ ଫୁଲ ଦେଇ ଅର୍ଚ୍ଚନା ନିରିଖେଇ ଦେଖୁଥିଲା ଫଟକୁ । ବଧୂ ବେଶରେ ଷୋଳ ଶୃଙ୍ଗାରରେ ସଜ୍ଜିତ ନାରୀଟିକୁ ଖୁବ ଅନୁଧ୍ୟାନ କରୁଥିଲା । ଏଭିତରେ ସେ ନିଜେ ବି ଆଇନା ସମ୍ମୁଖରେ ଠିଆ ହୋଇ ବେଣୀକୁ ଉନ୍ମୁକ୍ତ କରି ସାରିଥିଲା ।
ତୁଳନାତ୍ମକ ଦୃଷ୍ଟି ଏପଟ ସେପଟ ଦୌଡୁଥାଏ । ଦୁଃଖିତ ମନ ତାର । ସେ ନବ ବଧୂ ଅପେକ୍ଷା ଢେର ସୁନ୍ଦରୀ ସେ । ହଉ ତାର ସୁନ୍ଦରୀ ଅସୁନ୍ଦରୀରେ ମୋର କଣ ଯାଏ ଆସେ ?
ନା ସେ ସ୍ୱାଭାବିକ ନାରୀଟିଏ ଥିଲା । ତା ଭିତରେ ଜାଗ୍ରତ ଏବେ ସମସ୍ତ ନାରୀ ସୁଲ୍ଲଭ ଗୁଣ । ହସୁଥିଲା ସେ ଆଇନାକୁ ଚାହିଁ । ଆଇନା କିନ୍ତୁ ତା ମନ ତଳର ଲୁହକୁ ଦେଖେଇ ଦେଉଥିଲା ସ୍ପଷ୍ଟ ଭାବେ । ହୃଦୟର କ୍ଷତରୁ ଝରୁଥିଲା ଗାଢ଼ ରଙ୍ଗର ଈର୍ଷା ଲହୁ । ନାଗୁଣୀ ପରି ଫଁ ଫଁ ଅର୍ଚ୍ଚନା । ପୁଣିଥରେ ଫୋନ ଲଗେଇଲା ତାର ସେ ବାନ୍ଧବୀ ନିକଟକୁ ।
ବିନୟର ଫୋନ ନମ୍ବର ଟିକେ ଦିଅନ୍ତୁନି ?
ତୋର ଜଳାପୋଡ଼ା ଜୋର ବୋଧେ ? ହେଇଥିବ ଏଠି ବି ମୋ ଘରେ ଧୂଆଁ ଭର୍ତ୍ତି ହେଇ ଗଲାଣି ତୋ ନିଆଁର ପ୍ରଭାବରେ ।
ଏତେ ନ ଗପି ନମ୍ବର ଟା ଦେ । ଖାଲି ଵିଶ କରିବି ଟିକେ । ହଉ ନେନେ । ନମ୍ବର ଟିପି ରଖି ଫୋନ କାଟିଦେଲେ ଅର୍ଚ୍ଚନା ।
ହଁ କିଏ ବିନୟ ?
ଅର୍ଚ୍ଚନା କେଉଁଠି ତମେ ? କେମିତି ଅଛ ? କାହିଁକି ପଚାରୁଛ ?
କଣ ମନ ଭରିନି କି ମାଠିଆରୁ ଗୁଡ଼ ଖାଇବାରେ । ସବୁ ମାଠିଆରେ ସେଇ ସମାନ ସ୍ୱାଦର ସମାନ ଗୁଣବତ୍ତାର ଗୁଡ଼ ବା । ଏତେ ବ୍ୟସ୍ତ ହୋଇ ପଡ଼ୁଛ ଯେ ।
ଆରେ କ୍ଷମା ମାଗିବି ବୋଲି ବହୁତ ଖୋଜିଛି ତୁମକୁ । ହେଲେ । ହେଲେ କଣ ?
ଅଇଁଠା ଖିଆ କୁକୁର ତୁମେ । ତୁମକୁ ବଢା ଭାତ ଅରୁଚିକର ହେବ । ଯାହାହେଉ ବଢ଼ିଆ ସୁନ୍ଦରୀଆ ମାଇପ ଟେ ପାଇଛ ? ସମସ୍ତଙ୍କୁ ପୁରା କାଟି ଭାଣ୍ଡ କରିଦେବ ।
ଆଉ ଉପହାସ କରନି ମୋତେ । ଅସହ୍ୟ ତୁମର ଶବ୍ଦବାଣ । ମୋ ଭୁଲର ପ୍ରାୟଶ୍ଚିତ ନାହିଁ ମୁଁ ଜାଣିଛି ।
ବିନୟ ଦେଖିଲ ଦେଖିଲ ଗୋଟେ ଫଟୋ ଦେଇଛି ତୁମକୁ ।
କିଏ ଏ ? ତୁମ ସ୍ୱାମୀ ?
ନା ଭଡ଼ାରେ ରଖିଛି ମୋତେ । ଶଙ୍ଖା ସିନ୍ଦୁର ପିନ୍ଧି , ହାତରେ ହାତ ଛନ୍ଦି ଠିଆ ହେଇଛି ମୁଁ । ପଚାରୁଛ କିଏ ଏ ? ଲାଜ ତୋ ଆଖପାଖ ଗାଁ ଦେଇ ବି ଯାଇନି ।
ଅର୍ଚ୍ଚନାର ଶବ୍ଦ ରୁକ୍ଷ ରୁ ରୁକ୍ଷତ୍ତର ହେବାକୁ ଲାଗିଲା । ବିନୟ ଥରିବାକୁ ଲାଗିଲା । ଅପରୁପା ସୌନ୍ଦର୍ଯ୍ୟର ଅଧିକାରିଣୀ ଅର୍ଚ୍ଚନାକୁ ତାର ସ୍ବାମୀଙ୍କ ସହିତ ଦେଖି ଥରି ଉଠୁଥିଲା ସେ । ଈର୍ଷା ଜର୍ଜରିତ ହେଉଥିଲା । ଉପାୟ କାହିଁ ?
ଅର୍ଚ୍ଚନା ବିନୟର ଏ ନୀରବତାକୁ , ତାର ଅଧାଛିଣ୍ଡା କଥାକୁ ତାର ସ୍ୱଅପମାନବୋଧକୁ ଖୁବ ଉପଭୋଗ କରୁଥିଲା ।
ତୁମେ ଜିତିଗଲ ଅର୍ଚ୍ଚନା ।
ମୁଁ କଣ ଶସ୍ତା ଥିଲି କି ? ଏମିତି ପୋଡ଼ାଳିଆ ବାସ୍ନା କଣ ଆସୁଛି ଫୋନ ଭିତରୁ ?
ଫୋନ ରଖ ତୁମେ ଅର୍ଚ୍ଚନା । ଏତେ ଅପମାନ ଜଣେ ଅନୁତାପୀ ମଣିଷ ସହି ପାରିବନି ।
ମୋ ଘର ବି ଧୂଆଁ ଭର୍ତ୍ତି । ନିଜକୁ ନିଜେ ଖୋଜି ପାଇବା ଅସମ୍ଭବ ।
ଦୟାକରି ଫୋନ ରଖ ଅର୍ଚ୍ଚନା । ବିନୟ ଫୋନ କାଟିଦେଲେ ।
ଅର୍ଚ୍ଚନା ଯଥାଶୀଘ୍ର ବ୍ଲାକଲିଷ୍ଟ ରେ ବିନୟର ନମ୍ବର ରଖି ଲଥ କରି ବସି ପଡ଼ିଲା । ଅନେକ ଦିନରୁ ଜଳୁଥିବା କ୍ରୋଦ୍ଧାଗ୍ନି ନିର୍ବାପିତ ହୋଇ ସାରିଥିଲା ମନରୁ ତାର । ଖୁବ କାନ୍ଦୁଥିଲା ଓଠ ଚିପିଚିପି । ହାତ ପିଠିରେ ଲୁହ ପୋଛୁଥିଲା । ହୃଦୟର କ୍ଷତ ଭରି ଯାଇଥିଲା ।
ସେ କଣ ବିନୟର ସୁଖକୁ ସହିପାରିଲାନି ସତରେ ? ନା ସେମିତି କିଛି ନୁହେଁ । ବିନୟର ସୁଖଦୁଃଖରେ ତାର କିଛି ଯାଏ ଆସେ ନାହିଁ । ସେ କେବଳ ନିଜର ଦୃଢ଼ ଇଚ୍ଛା ଶକ୍ତିକୁ ପ୍ରମାଣିତ କରୁଥିଲା ତାକୁ ଅପମାନିତ କରି ଆଡ଼େଇ ଦେଇଥିବା ମଣିଷ ନିକଟରେ ।
ସତରେ ତା ଆଖି ଆଗରେ ଏବେ ବହଳ ଧୂଆଁ । କୋଠରୀ ଭିତରଟା ଏବେ ଧୁସୂରିଆ ଲାଗୁଛି । ସେ ନିଜକୁ ନିଜେ ଦେଖି ପାରୁନି ଏବେ । ସବୁ ପରେବି । ଧୂଆଁ ର ବଳୟ ଭିତରେ ଥାଇବି ଅର୍ଚ୍ଚନା ଆଜି ତା ମନ ତଳେ ଜଳୁଥିବା ଅଗ୍ନିକୁ ସବୁଦିନ ଲାଗି ନିର୍ବାପିତ କରିସାରିଥିଲା ।