ଧୂମାଳ-ଏକ ରହସ୍ୟ
ଧୂମାଳ-ଏକ ରହସ୍ୟ


ରବିବାର ପୂର୍ବରୁ ଶନିବାର ହେଉ ଅବା ରବିବାର ପରେ ସୋମବାର ହେଉ , ଯଦି ଏହି ଦୁଇଦିନ ଭିତରୁ କୌଣସି ଗୋଟିଏ ଦିନ ଛୁଟି ରୁହେ । ବହୁତ କାମ ଭିତରେ ଏ ଦୁଇଦିନିଆ ଛୁଟିର ମଜା ନିଆରା ।
ପ୍ରଥମ ଦିନର ଛୁଟିଟା ସକାଳ ପରିବା କିଣା ପରେପରେ ବାଳ ଆଉ ନିଶ ରଙ୍ଗ କରିବାରେ ଯାଏ ବାବୁ ମାନଙ୍କର । ଆଉ ଦ୍ଵିତୀୟ ଦିନରେ ନିଜର ଘରକରଣାକୁ ସାବ୍ୟସ୍ତ କରିବାକୁ ଯାଇ ବାବୁ ନିଜେ ବ୍ୟସ୍ତ ରହିବାର ଅଭିନୟ କରି ଘରଣୀଙ୍କୁ ମଧ୍ୟ ବ୍ୟସ୍ତ ରଖି ବଡ଼ ହଇରାଣ କରନ୍ତି ।
ଘରଣୀ ଉପରେ ଉପରେ ଗେରେଗେରେ ହେଲେ ମଧ୍ୟ ଭିତରେ ଭିତରେ ନିଜ ପେଟୁ ଆସାମୀଙ୍କର ପାରିଲା ପଣିଆ ଉପରେ ନଜର ରଖି ମଝିରେ ମଝିରେ ମଝିରେ ତାତ୍ସଲ୍ୟ ଆଉ ବ୍ୟଙ୍ଗାତ୍ମକ ଉପହାସ କରିବାକୁ ଭୁଲନ୍ତିନି ।
ସେଥର ବି ଦ୍ଵିତୀୟ ଦିନର ଛୁଟିରେ ବାବୁ ତାଙ୍କ ଘରେ କାମ କରୁଥିବା ଜୁଆନ ଟୋକା ଧୂମାଳ କୁ ସାଙ୍ଗରେ ଧରି ଘର ସଫାରେ ଲାଗିଥାନ୍ତି ।
ମନ୍ଦାରୁ ଅଲଗା ହୋଇ ଅନ୍ୟତ୍ର ରହିଲା ଭଳି ଖରାଟିଆ କଖାରୁ ପରି ପେଟଟି ବାବୁଙ୍କର । ପେଟ ଉପରକୁ ନୀଳ ଦିଆ ଗଞ୍ଜି ଉଠି ଯାଇଛି । ଉପରେ ଉପରେ ପବନ ବହିଲେ ବି ବାବୁ ଲାଗିଥାନ୍ତି ନିଜର ପାରିବା ପଣିଆ ସାବ୍ୟସ୍ତ କରିବାରେ ।
ସକାଳ ଯାଇ ଦିନ ଦିଘଡ଼ି ହେଲାଣି ବାବୁଙ୍କର ଉଠାପକା ସରୁନି । ଧୂମାଳ ପୁରା ଝାଳ ସଡ଼ସଡ଼ । ହେଲେ ବାବୁଙ୍କର ଚର୍ବି ଲଗା ଦିହଟା ଏବେବି ହେମାଳ ବରଫ ପରି । ରୋଷେଇ ବାସ ସାରି ବାବୁଆଣୀ ଘର ସଫା ଆଉ ସାଜସଜ୍ଜା ଦେଖିବାକୁ ଚାଲି ଆସିଲେ । ଟାହିରେ କେତେ କଣ କହିଗଲେ ନିଜର ଆସାମୀଙ୍କୁ । କିଛି ନିଜ ମନମୁତାବକ ଅଦଳ ବଦଳ ବି କରେଇଲେ । ବାବୁଆଣୀ ଧୂମାଳ ଦେହରୁ ଆସୁଥିବା ଝାଳୁଆ ଗନ୍ଧ ଆଡ଼କୁ ପାଖେଇ ପାଖେଇ ଆସିଲେ । ସବୁବେଳେ ରୁକ୍ଷ ବ୍ୟବହାର ଦେଖାଉଥିବା ବାବୁଆଣୀଙ୍କର ଦୟାଳୁ ରୂପ ବାହାରି ଆସିଲା ଧୂମାଳ ପ୍ରତି । ଗାଧୋଇବାକୁ ନିର୍ଦ୍ଦେଶ ଦେଇ କାମ ବନ୍ଦ କରିବାକୁ କହିଲେ । ଗୃହ ସଜ୍ଜାର ପରିସମାପ୍ତି ଘଟିଲା । ସେଦିନର ଝମିଲା ଗଲା । ବାବୁଙ୍କର ଘରକରଣା ସରିବା ସଙ୍ଗେସଙ୍ଗେ ଧୂମାଳ ପ୍ରତି ବାବୁଆଣୀଙ୍କର ରୁକ୍ଷ ବ୍ୟବହାରର ମଧ୍ୟ ପରିସମାପ୍ତି ଘଟିଲା ।
କାଳିଆ ଧୂମାଳ ମୁହଁରେ ଏବେ କଇଁ ଫୁଲିଆ ହସ । ଆଠ ଦଶ ଦିନରେ ପିଲାଟା ଫିଟି ପଡ଼ିଲା । ଘଡ଼ିକି ଘଡ଼ି ଆଇନା ଦେଖିଲା । ଅସଜଡ଼ା ରହୁଥିବା କେଶକୁ ସରୁ ସୁତାନିରେ ସଜେଇଲା ।
ଦିନେ ସକାଳୁ ସକାଳୁ ବାବୁଙ୍କ ଘର ଆଗରେ ପୋଲିସ ବାହିନୀ ଜମା ହେଇଗଲେ ! ବାବୁଆଣୀଙ୍କର ବୁକୁଫଟା କାନ୍ଦଣା । ତାଙ୍କରି ସୁଇମିଂ ପୁଲ ର ଆଣ୍ଠୁଏ ପାଣିରେ ଧୂମାଳ ମରିକି ଭାସୁଛି ! ଖବର ପାଇ କଲୋନୀ ବାସିନ୍ଦାଙ୍କର ଭିଡ଼ ବି ବଢ଼ିବାକୁ ଲାଗିଲା । ଶବକୁ ପାଣିରୁ ଛାଣି ଖାକି ପୋଷାକ ଧାରୀ ଅଧିକାରୀ ଜଣକ ତନଖି ଦେଖୁଥାନ୍ତି । ଧୂମାଳର ମୁଣ୍ଡ ଆଉ କାନ ମୁଳିରେ ଶକ୍ତ ଆଘାତ ଲାଗିଲା ପରି ଲାଗୁଥାଏ । ଶବକୁ ଭଲକରି ଦେଖିଲା ପରେ ଖାକି ବାବୁ ଜଣଙ୍କ ଗୃହ ସ୍ୱାମୀଙ୍କୁ ନାଲିନାଲି ବଡ଼ବଡ଼ ଆଖିରେ ଦେଖିଲେ !
କେମିତି ହେଲା ବୋଲି ପ୍ରଶ୍ନ ପଚାରିଲାରୁ ଗୃହ ସ୍ବାମିନୀ ଖାକି ବାବୁଙ୍କ ହାତ ଧରି ଘର ଭିତରକୁ ନେଇଗଲେ । ଘଟଣାବଳୀର ବର୍ଣ୍ଣନା କରିବା ଉଦ୍ଦେଶ୍ୟରେ ଖାକି ବାବୁ ଆଉ ବାବୁଆଣୀଙ୍କ ଆଖିରେ ଆଖି ମିଶିଲା ।
ବାବୁଆଣୀଙ୍କ ଆଖିରେ ଗୋଟେ ଲମ୍ବା ଚିଠା ଆଉ ଜଣେ ସୁନ୍ଦରୀ ନାରୀର ନଗ୍ନ ଆକର୍ଷିତ ଦେହକୁ ଖାକି ବାବୁ ନିଜ ଲାଗି ଆବିଷ୍କାର କଲେ । ପ୍ରଜାପତିଆ ନିଶରେ ହାତ ମାରୁମାରୁ ବାହାରି ଆସିଲେ । ଧୂମାଳର ପରିଚିତ ଆଉ ଦୁଇଜଣ ପିଲା ଆସି ପହଞ୍ଚି ସାରିଥିଲେ ଧୂମାଳର ପାଣିରେ ବୁଡ଼ା ମରଣ ଶୁଣି । ସେ ଦୁଇଜଣ ବି ଧୂମାଳ ପରି କାହା ଘରେ କାମ କରି ପେଟ ପାଳୁଛନ୍ତି ।
ସେମାନଙ୍କ ଉଦ୍ଦେଶ୍ୟରେ ଖାକି ବାବୁ କହିଲେ ଧୂମାଳ ତ ଅକାଳରେ ଚାଲିଗଲା , ଆଉ ବିଳମ୍ବ ନକରି ତାର ଶବ ସଂସ୍କାର କରିବାର ବ୍ୟବସ୍ଥା କର ।
ବାପ ମା ଛେଉଣ୍ଡ ଧୂମାଳ । ତାର ଖବର ନେବାକୁ ବି କେହି ନାହାଁନ୍ତି ।
ଖାକି ବାବୁ ଜଣକ ତାର ଶବ ବ୍ୟବଚ୍ଛେଦ କରିବାର ଆବଶ୍ୟକତାକୁ ବି ଜାଣିଶୁଣି ପାଶୋରି ଦେଲେ । ଖାଲି କହିଲେନି ତ ତୁରନ୍ତ ନିଜେ ସବୁ ବ୍ୟବସ୍ଥା କରେଇ ଦେଲେ ବାବୁଆଣୀଙ୍କ ସହ ମିଶି ।
ଭିଡ଼ ଯେଝା ବାଟରେ ଚାଲିଗଲେ । ବାବୁଆଣୀ ଖୁବ ମନଯୋଗରେ ଧୂମାଳର ଦଶାହ କର୍ମ ସାରିଲେ । ଶହେ ଆଠ ବ୍ରାହ୍ମଣ ଙ୍କୁ ମିଷ୍ଠାନ୍ନ ଭୋଜନ ସହିତ ଦାନ ଦକ୍ଷିଣା ଦେଇ ସନ୍ତୁଷ୍ଟ କଲେ । ଧୂମାଳ ଅଧ୍ୟାୟ ପୃଥିବୀ ପୃଷ୍ଠରୁ ସବୁଦିନ ଲାଗି ଲିଭିଗଲା ।
ଏଣେ କଲୋନୀର ଅନ୍ୟ ବାବୁଆଣୀ ମାନେ କିଟି ପାର୍ଟିରେ କୁହାକୁହି ହେଲେ ବାବୁଆଣୀ କାଳେ ଧୂମାଳ ଦେହରେ ଦେହ ଲଗାଇ ତା ଦେହରୁ ବାହାରୁ ଥିବା ଉତ୍କଟ ଝାଳ ଗନ୍ଧକୁ ନିଜ ନାକ ଦ୍ୱାରା ଭିଡ଼ି ନେଇ ଆନନ୍ଦିତ ହେଲାବେଳେ ବାବୁଙ୍କ ଦୃଷ୍ଟି ପଡ଼ିଥିଲା । ଯେଉଁଥିପାଇଁ ବିଚରା ଧୂମାଳ ର ଏ ଅବସ୍ଥା ।
ଧୂମାଳର ସାଙ୍ଗ ଦୁଇଜଣ ଏପର୍ଯ୍ୟନ୍ତ ଏ କଥା ଗ୍ରହଣ କରି ପାରୁନଥିଲେ ଯେ , ଯେଉଁ ଧୂମାଳ ଶ୍ରାବଣର ବଢ଼ିଲା ନଈକୁ ବିନା ଦ୍ବିଧାରେ ଲମ୍ଫ ଦିଏ ସେ ଆଣ୍ଠୁଏ ପାଣିରେ କେମିତି ମଲା ।
ଶେଷରେ ଦୁହେଁ ଏଇ ନିଷ୍କର୍ଷ ରେ ପହଞ୍ଚିଲେ ଯେ , ଧୂମାଳର ମୁଣ୍ଡ ଘୁରେଇ ଦେଇଥିବ , ସେ ପାଣିରେ ପଡ଼ି ଥିବ , ବେହୋଶ ଅବସ୍ଥାରେ ମରି ଯାଇଥିବ । ବିଚରା ଧୂମାଳ ମୁଣ୍ଡ ବୁଲାରେ ଚାଲିଗଲା । ଆହାଃ !!?